ଏହାପରେ ଉଦୟବୀରଙ୍କ ହୋସ୍ ଫେରିଆସିଲା । ମୃତ ମଇଁଷୀ ଏବଂ ବନ୍ଜାରିନ୍ର ଶବକୁ ଜଙ୍ଗଲରେ ପକେଇ ଦେଲେ । ତା’ପରେ ରତନଗଡ଼ରୁ ପୋଲିସ୍ ଡକାଇ ବନ୍ଜାରାମାନଙ୍କୁ ଷ୍ଟେଟ୍ରୁ ବହିଷ୍କାର କଲେ । ବନଜାରିନ୍ର ପତି ବିରୁଦ୍ଧରେ ଚୋରିର ଅଭିଯୋଗ ଲଗେଇ ଜେଲ୍ରେ ଭର୍ତ୍ତି କରିଦେଲେ । ପ୍ରାୟତଃ ଦେଢ଼ବର୍ଷ ଜେଲ୍ ଭୋଗିବା ପରେ ସେ ବନ୍ଜାରା ଜେଲ୍ କୋଠରିରେ ହିଁ ମରିଗଲା । ଏତେ ସବୁ କଥା ମୁଁ ଗାଦିରେ ବସିବା ପୂର୍ବରୁ ଘଟିଲା । ଉଦୟବୀରଙ୍କ ପୁତ୍ର, ମୋତେ ଯୁବରାଜ ଅବସ୍ଥାରେ ହିଁ ସବୁକିଛି କହିଥିଲା । କିନ୍ତୁ ମୁଁ କିଛି ହେଲେ ବି କରିବା ସ୍ଥିତିରେ ନଥିଲି ।
ବିଚରା ବନ୍ଜାରାଙ୍କ ଉପରେ ତେବେ ଖୁବ୍ ଅନ୍ୟାୟ ହେଲା?
ତା’ ତ ହୋଇଛି । ଏହାପରେ ଅନ୍ୟାୟର ପ୍ରତିକାର ମଧ୍ୟ ହେଲା ।
ଅନ୍ୟାୟର ପ୍ରତିକାର ବି ହେଲା, କେମିତି?
ହଁ, କିଛି ନହେଲେ ବି ସେ ଦୁର୍ଘଟଣାକୁ ତ ମୁଁ ଅନ୍ୟାୟର ପ୍ରତିକାର କହିବି । ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ କି ବନ୍ଜାରିନ ମରିବାର ପୂରା ଦୁଇବର୍ଷ ହୋଇସାରିଥିଲା । ମୋର ରାଜତିଳକ ହେବାର ଏକମାତ୍ର ସପ୍ତାହ ବିତିଥିଲା… ।
କିଛି କ୍ଷଣ ପାଇଁ ମହାରାଜ ଅଟକିଲେ । ତାଙ୍କ ଚେହେରାରେ ବିଷାଦର ଚିହ୍ନ ବାରି ହୋଇପଡୁଥାଏ- ସେ ଯେ କି ମରିସାରିଥିଲା, ଦିନେ ରାତିରେ ଜୀବିତ ଅବସ୍ଥାରେ ଏକାକୀ ମହଲରେ ଆସି ପହଞ୍ଚିଲା… ।
ଏ କ’ଣ କହୁଛନ୍ତି ଶ୍ରୀମାନ୍! ମୁଁ ଚମକି ପଡ଼ିଲି ।
ସେଇ କଥା କହୁଛି, ଯାହାକି ଉଦୟବୀରଙ୍କ ପୁତ୍ର ମୋତେ କହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ଦିନ ଥିଲା । ମହଲରେ ଯେତେ ସବୁ ଉଦୟବୀରଙ୍କ ପରିବାର ଲୋକେ ଥିଲେ, ସମସ୍ତେ ମହଲାର ଉପରଭାଗ ଛାତ ଉପରେ ଶୋଇଥାନ୍ତି ।
ସେ ସଭିଙ୍କ ମଝିରେ ବନ୍ଜାରିନ୍ ପହଞ୍ଚି, ଯେ କି ମରି ସୁଦ୍ଧା ଜୀବିତ ଥିଲା, ଉଦୟବୀରଙ୍କୁ ଉଠେଇଲା ଏବଂ ଭୀତତ୍ରସ୍ତ ଉଦୟବୀରଙ୍କୁ ନେଇ ଛାତ ଉପରୁ ତଳକୁ କୁଦି ପଡ଼ିଲା । ଦେଖିଥିବା ଲୋକେ ଦେଖିଲେ ଯେ, ତଳେ ସେଇ ମଇଁଷୀ ଠିଆ ହୋଇଥିଲା… ଯାହାକୁ ଦୁଇବର୍ଷ ପୂର୍ବେ ଗୁଳିରେ ମାରିଦିଆଯାଇଥିଲା ।
ଛାତ ଉପରୁ ଖସିପଡ଼ିବା ପରେ ଉଦୟବୀର ନିଶ୍ଚିତ ରୂପେ ମରଣାସନ୍ନ ହୋଇପଡ଼ିଥିବେ । ଦେଖାଗଲା- ତଳେ ସେ ମଇଁଷୀଟା ଉଦୟବୀରଙ୍କ ଶବକୁ ଛିନ୍ଭିନ୍ନ କରି ନଷ୍ଟ କରିଦେଲା… ମାଂସ ଏବଂ ଅସ୍ଥି ଖଣ୍ଡ ସବୁକୁ ଏଣେତେଣେ ବିଛେଇ ଦେଲା ।
ଓଃ…! ମୋ’ ମୁଣ୍ଡଟା ଚକ୍କର ଖାଇଲା । ମସ୍ତକରେ ଛାଇ ରହିଥିବା ଭୟଭୀଷଣତାକୁ ହଟାଇ ମୁଁ ପଚାରିଲି: ଏ କଥା ବି ହୋଇପାରେ ଯେ, ଉଦୟବୀର ନିଦ୍ରାର ଉତ୍ତେଜନାରେ ଦୁର୍ଘଟଣାର ଶିକାର ହୋଇଥାଇପାରନ୍ତି? ରାତ୍ରିର ଅନ୍ଧକାର, ଭଲ ଅନ୍ଧାରରେ ଉଦୟବୀରଙ୍କ ପୁତ୍ର କେମିତି ଚିହ୍ନିଥିବ ଯେ ଇଏ ସେହି ବନ୍ଜାରିନ୍, ଯେ କି ମରି ସାରିଥିଲା?
ଏ ସନେ୍ଦହ ମୋର ମଧ୍ୟ ହୋଇଥିଲା । କିନ୍ତୁ ଉଦୟବୀରଙ୍କ ପୁତ୍ର ମୋତେ କହିଲା- ଯେଉଁ ରାତିରେ ତା’ ପିତାଙ୍କୁ ବଧ କରାଗଲା ବନ୍ଜାରିନ୍ର ଶରୀର ସେଠି ଚମକି ଉଠୁଥିଲା.. ତା’ ଆକୃତି ସେଠି ଫୁଟି ଉଠୁଥିଲା ।
ମୁଁ ମୋ’ ବନ୍ଧୁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ଚିନ୍ତିତ ହୋଇପଡ଼ିଲି ।
ମହାରାଜ କହୁଥାନ୍ତି : ଏ ଦୁର୍ଘଟଣା ପରେ ଉଦୟବୀରଙ୍କ ପୁତ୍ର କେବେହେଲେ ମହଲକୁ ଗଲାନାହିଁ । ତୁମେ ବି ଆଶ୍ଚର୍ଯ୍ୟ ଚକିତ ହେବ ଯେ, ମୋର ସ୍ୱର୍ଗୀୟ ରାଜ-ଜ୍ୟୋତିଷୀ ଏ ବିଷୟରେ ବିଚିତ୍ର ଭବିଷ୍ୟବାଣୀ କରିଥିଲେ । ଆଜି ସେ ଜୀବିତ ନାହାନ୍ତି । ଯଦି ଥାଆନ୍ତେ ମୁଁ ତୁମକୁ ତାଙ୍କ ସହ ସାକ୍ଷାତ କରାଇଥାନ୍ତି । ସେ କହିଥିଲେ- ବନ୍ଜାରିନ୍ ମରିବା ପରେ ପିଶାଚ ପାଲଟି ଯାଇଛି…
ସେ ଗଣନା କରି କହିଥିଲେ : ଲକ୍ଷେ ଜନମ ହେଉପଛେ ପିଶାଚକୁ ସମାପ୍ତ କରାଯାଇପାରିବ ନାହିଁ । ସେ ପିଶାଚିନୀ ନିଜ ପତିକୁ ବହୁତ ଭଲପାଉଥିଲା: ଖୁବ୍ ପ୍ରେମ-ପ୍ରୀତି ଥିଲା । ତା’ ପତି ମରିସାରିଛି ଏବଂ ତା’ ଶତ୍ରୁ ଉଦୟବୀର ମଧ୍ୟ । କିନ୍ତୁ ଯୋଗ ଏମିତି ଯେ, ଏବେ ତା’ ପତି ମଧ୍ୟ ରତନଗଡ଼ରେ ଜନ୍ମ ଗ୍ରହଣ କରିସାରିଛି । ପିଶାଚିନୀ ତାକୁ ପୁଣି ପ୍ରାପ୍ତ ହେବ… ।
ମହାରାଜ! ଭୟବିହ୍ୱଳ ହୋଇ ମୁଁ ଠିଆ ହୋଇଗଲି । ମନେହେଲା ଯେମିତି କି ମୁଁ ବହୁତ ଡେରି କରିଦେଇଛି ।
କ’ଣ ହେଲା ନନ୍ଦଲାଲ, ଉଠିପଡ଼ିଲ କାହିଁକି?
ମାହାରାଜ! ମୁଁ ବହୁତ ବିଳମ୍ବ କରିଦେଇଛି । ମୋତେ ତୁରନ୍ତ ଘାଟୀ ମହଲରେ ପହଞ୍ଚିବାକୁ ହେବ ।
ପାଗଳ ହେଲ ନା କ’ଣ? ମହାରାଜ କହିଲେ : ଗରମ କଫି ତୁମ ପାଇଁ ମଗେଇଛି । ତୁମକୁ ମୋ’ ଡାକ୍ତରଙ୍କ ଦ୍ୱାରା ଏକ୍ଜାମିନ୍ କରାଇବି ।
ମହାରାଜ! ଆପଣ କ’ଣ ଜାଣନ୍ତି ଯେ, ସେ ମହଲ ବିକ୍ରି ହୋଇସାରିଛି?
ହଁ, ମୋ’ ରାଜ୍ୟର ବ୍ୟାଙ୍କ ହିଁ ତ ତାକୁ କ୍ରୟ କରିଥିଲେ । ଅବଶ୍ୟ ସେ ଏମିତି ନକରିବାକୁ ମୁଁ ଚାହୁଁଥିଲି । ଅନୁମତି ତ ମୁଁ ତାଙ୍କୁ ଦେଲି ନାହିଁ । ମହଲରେ ସଂଘଟିତ କାଣ୍ଡ ବିଷୟରେ ମଧ୍ୟ ତାଙ୍କୁ କହିଲିନି । ଅବଶ୍ୟ ଉଦୟବୀରଙ୍କ ପୁତ୍ର ଯେ କି ପାରିବାରିକ ଦୃଷ୍ଟିକୋଣରୁ ମୋର ଭାଇ ଥିଲା, ବମ୍ବେର ରେସ୍ରେ ଅତିମାତ୍ରାରେ ଦେଉଳିଆ ହୋଇଯାଇଥିଲା । ତାକୁ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଥିଲା । ତେଣୁ ସେ ବ୍ୟାଙ୍କର୍କୁ ଏ ମହଲକୁ କାଣିକଉଡ଼ି ମୂଲ୍ୟରେ ବିକ୍ରି କରିଦେବାକୁ ପ୍ରସ୍ତୁତ ହୋଇଯାଇଥିଲା ।
ମୁଁ ଇସାରା କରି ବ୍ୟାଙ୍କର୍କୁ, ଏ ସଉଦା ପାଇଁ ମନା କରିଦେଲି । ତାକୁ କହିଲି : ସେ ମହଲ ପ୍ରେତ ଅଧ୍ୟୁଷିତ । କିନ୍ତୁ ସେ ମୋ’ କଥାକୁ ହସି ଦେଇ ଟାଳିଦେଲା… । ଏହା ଦେଖି ଆଉ ବିରୋଧ କରିପାରିଲିନି । ଏ ସ୍ଥିତିରେ ଜ୍ଞାତିର ଭାଇକୁ ମୋତେ ଅଧିକ ସହାୟତା ଦେବାକୁ ପଡୁଛି । ସେ ସମୟରେ ରାଜ୍ୟର ରେସିଡେଣ୍ଟ ଥିଲା ଜାକିନ୍ସନ୍ । ତା’ଭଳି ନିଷ୍ଠୁର କୃପଣ ଇଂରେଜ ମୁଁ ମୋ’ ଜୀବନରେ ଦେଖିନାହିଁ । ତୁମେ ବିଶ୍ୱାସ କରିପାରିବନି, ସେ ମୋର ଖର୍ଚ୍ଚ ଉପରେ ଏମିତି ଶିକୁଳି ପକେଇ ରଖିଥିଲା ଯେ କେବେକେବେ ତ ମୁଁ ପାଞ୍ଚ ଦଶହଜାର ପାଇଁ ମଧ୍ୟ ହଇରାଣରେ ପଡ଼ିଯାଉଥିଲି । ସେଥିପାଇଁ ମୁଁ ବ୍ୟାଙ୍କରକୁ ସ୍ପଷ୍ଟ ରୂପେ କହିପାରିଲିନି ଏବଂ ମହଲକୁ ସେ ଖାରିଜ କରିଦେଲା ।
ଆପଣ ସେ ବ୍ୟାଙ୍କରର ପୁଅକୁ ବି ଜାଣନ୍ତି ତ?
ହଁ, ହଁ । କାହିଁକି ନୁହେଁ? ଅନେକଥର ସେ ଏ ମହଲକୁ ଆସି ମୋତେ ସାକ୍ଷାତ କରିଛି । ଜଣେ ଧନିକ ବ୍ୟକ୍ତିର ଏମିତି ଯୋଗ୍ୟ ସନ୍ତାନ ମିଳିବା ଖୁବ୍ କମ୍ । ମୁଁ ଭାବୁଛି- ସେ ମୋ’ ରାଜ୍ୟର ଇତିହାସରେ ସବୁଠାରୁ ବଡ଼ ବିଦ୍ୱାନ । ମନ୍ତ୍ରୀ କହୁଥିଲେ, ସେ ଷ୍ଟେଟ୍ରେ ଚାକିରି ପାଇଁ ତା’ ସହ କଥାଭାଷା କରୁଛନ୍ତି ।
ସେ ଯୁବକ, ହେଉଛି ମୋର ବନ୍ଧୁ ମହାରାଜ!
ଖୁବ୍ ଉତ୍ତମ ଯୁବକ । ଏପ୍ରକାରର ନବଯୁବକକୁ ମୁଁ ଖୁବ୍ ପସନ୍ଦ କରେ ।
ହେଲେ ମହାରାଜ! ଦୁର୍ଭାଗ୍ୟ ଯେ, ତାକୁ ଘାଟୀର ମହଲ ଭିତରୁ ଟାଣି ନେଇଗଲା.. ।
କ’ଣ? ତାକୁ ମହଲ ଭିତରକୁ ନେଇଗଲା? ଏ କଥା ମହାରାଜାଙ୍କୁ ଚମକେଇ ଦେଲା, ସେ ତତ୍କ୍ଷଣାତ୍ ଠିଆ ହୋଇପଡ଼ିଲେ ।
ହଁ, ମହାରାଜ! ବିଗତ ସପ୍ତାହ ସାରା ସେ ଘାଟୀ ମହଲରେ ହିଁ ରହିଛି । ଭାବୁଛି, ଆପଣଙ୍କ ରାଜ-ଜ୍ୟୋତିଷୀଙ୍କ କଥା ଆଉ ସତ ନୁହେଁ ତ! ଦିନ ବିତିଗଲା । ଉଦୟବୀରଙ୍କ ମୃତୁ୍ୟ ପରେ ଘାଟୀ ଜଙ୍ଗଲକୁ ଶିକାରୀ ବି ଯିବାକୁ ଲାଗିଲେ । ଉପର ପାହାଡ଼ରେ ଗାଈଚରାଳିଙ୍କ ମଇଁଷୀ ବି ବୁଲାଚରା କରିବାରେ ଲାଗିଲେ? କିନ୍ତୁ କୌଣସି ଦୁର୍ଘଟଣା ଘଟିଲା ନାହିଁ । ତେବେ ଅଚାନକ ସେ ଘାଟୀ ମହଲକୁ ଯିବା ନିଷ୍ପତ୍ତି, ରାଜଜ୍ୟୋତିଷୀଙ୍କ କଥାକୁ ପ୍ରମାଣିତ କରୁନାହିଁ କି?
ମହାରାଜ ଉତ୍ତେଜିତ ହୋଇପଡ଼ିଲେ- ଏ ତ ଅଜବ କଥା ହେଲା । ତେବେ ସେ କ’ଣ ଏବେ ସେଠି ଅଛି?
କାଲି ରାତିରେ ମୁଁ ମଧ୍ୟ ସେଠି ଥିଲି ମହାରାଜ!
ମହାରାଜ ମୋ’ ଆଡକୁ ଚାହିଁଲେ- ଯେମିତି କି ମୁଁ ଜଣେ କୌଣସି ଅପରିଚିତ । ପ୍ରକୃତରେ ସେ ଭୟଭୀତ ହୋଇପଡ଼ିଲେ । ସେ ନିକଟକୁ ଆସିଲେ ଏବଂ କାନ୍ଧରେ ହାତ ଥାପି କହିଲେ : ନନ୍ଦଲାଲ! ତୁମେ କ’ଣ ନିଜ ଜୀବନକୁ ଏତେ ଶସ୍ତା ମନେକରୁଛ?
ମୋ’ ଦୃଷ୍ଟିଆନତ ହେଲା । ଦ୍ରବିତ କଣ୍ଠସ୍ୱରରେ କହିଲି: ଶ୍ରୀମାନ୍! ମୁଁ ତ ଭାବି ନଥିଲି ଯେ, ଅନାୟାସରେ ରାତିରେ ପହଞ୍ଚି ସେଠିକାର ପ୍ରକୃତିର ଅଦ୍ଭୁତ ଚମକ୍ରାରିତା ଦେଖିବି । ମହାରାଜ! ମୁଁ ସେଠି ସେ ସୁନ୍ଦରୀ ବନ୍ଜାରିନ୍କୁ ବି ଦେଖିଛି ଏବଂ ମଇଁଷୀକୁ ବି… ଏଥିସହ ସେ ବନ୍ଜାରିନ୍କୁ, ମଣିଷର ତ ନୁହେଁ, ପଶୁର ରକ୍ତ ମଧ୍ୟ ପିଇବା ଦେଖିଛି… ବୋଧହୁଏ ମୋ’ ରକ୍ତ ମଧ୍ୟ ପିଇଯାଇଥାନ୍ତା?
ନନ୍ଦଲାଲ! ପଦ ମର୍ଯ୍ୟାଦା ଭୁଲି ଚିିକ୍ରାର କଲେ ମହାରାଜ ।
ହଁ ମହାରାଜ! ମୁଁ ଆଦରର ସହିତ ମହାରାଜଙ୍କ ହାତ ଥାମି ତାଙ୍କୁ ତାଙ୍କ ଆସନରେ ବସେଇ ଦେଲି । ମୋ’ ଭାବନା, ପ୍ରେତ-ପିଶାଚ ଭିତରେ ନାହିଁ । ମୁଁ ତ ସେ ପିଶାଚିନୀ ସହିତ ଝଗଡ଼ା କରିବସିଥିଲି । ବୋଧହୁଏ ମୁଁ ଲେଉଟି ନଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା- ସେ ପିଶାଚିନୀ ମୋ’ ବନ୍ଧୁଙ୍କ ଅନୁରୋଧ ମାନି ଶାନ୍ତ ହୋଇଗଲା ଆଉ ସେଇ କାରଣରୁ ଆପଣ ମୋତେ ଜୀବିତ ଦେଖୁଛନ୍ତି… ମୁଁ ଅସମୟରେ ଆସି ଏଥିପାଇଁ ଆପଣଙ୍କୁ କଷ୍ଟ ଦେଇଛି । ବନ୍ଧୁଙ୍କ ପତ୍ନୀଙ୍କ ଅନୁରୋଧ ଯେ, ମୁଁ ଯେମିତି ହେଉପଛେ ମୋ’ ବନ୍ଧୁଙ୍କୁ ସେଠାରୁ ରତନଗଡ଼ ନେଇଯିବି, ମୁଁ ତାଙ୍କୁ କଥା ଦେଇଛି ମହାରାଜ! କିନ୍ତୁ ବିଡମ୍ବନା ହେଉଛି ରତନଗଡ଼କୁ ଲେଉଟିବା ବେଳକୁ ଜ୍ୱର ପୀଡା ହେତୁ ବହୁ ସମୟ ଉଠିବସି ମଧ୍ୟ ପାରିଲିନି । ମହାରାଜ! ସେ ମୋର ମିତ୍ର; ମୁଁ ତାଙ୍କୁ ପିଶାଚିନୀ କବଳରୁ ରକ୍ଷା କରିବାକୁ ଚାହୁଁଛି ।
ସେତେବେଳେ ମୋତେ ଅଟକିଯିବାକୁ ହେଲା । ମହାରାଜଙ୍କ ସେବକ କଫି ନେଇଆସିଗଲା । କଫି ପାନ କଲୁ । ଦୁଇଟି ଚିନ୍ତା ମୋତେ ଗ୍ରାସ କରିଚାଲିଥିଲା । ଏକେ ତ ପ୍ରତି ମୁହୂର୍ତ୍ତ ଅପସରି ଯାଉଥାଏ, ଦ୍ୱିତୀୟତଃ ମୋ’ ପାଇଁ ଖାଲି ବସିବା ଅସହ୍ୟ ହେଉଥାଏ ।
ଏମିତି ଭାବୁଭାବୁ ମହାରାଜାଙ୍କ ବ୍ୟକ୍ତିଗତ ଡାକ୍ତର ଆସିଲେ । ସ୍ୱଭାବରେ ସେଥିଲେ ଖୁବ୍ ସ୍ନେହୀ । ସେ ପ୍ରାୟ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ମୋର ଶାରୀରିକ ପରୀକ୍ଷା କଲେ । ଗୋଟେ ପେନ୍ସିଲିନ୍ ଇଂଜେକ୍ସନ୍ ବି ଦେଲେ । ଡାକ୍ତର କହିଲେ ଜ୍ୱର ଚିନ୍ତାଜନକ ନୁହେଁ । ସକାଳ ସୁଦ୍ଧା ସ୍ୱାସ୍ଥ୍ୟ ଠିକ୍ ହୋଇଯିବ ।
ଦିନ ଛପି ଯାଉଥାଏ । ତା’ ସହିତ ମୁଁ ନିଜ ବନ୍ଧୁଙ୍କ କୁଶଳତା ପାଇଁ ବ୍ୟାକୁଳ ହୋଇପଡୁଥାଏ । ବାଧ୍ୟ ହୋଇ ଡାକ୍ତରଙ୍କ ସାମ୍ନାରେ କଥାଟା ଉଠେଇଲି- ତେବେ ମହାରାଜ ! ଏବେ ତ ଜାଣି ସାରିଥିବେ ଯେ, ମୁଁ ଆପଣଙ୍କୁ କାହିଁକି ହଇରାଣ କଲି?
ମହାରାଜ ଏ କଥା ଶୁଣି କିଛି କ୍ଷଣ ମୌନ ରହିଲେ । ତା’ପରେ କହିଲେ : ନନ୍ଦଲାଲ! ଯାହାହେଉ ତୁମେ ଘରକୁ ଫେରିଯାଅ ଡାକ୍ତରଙ୍କ କଥା ଅନୁସାରେ ସକାଳ ସୁଦ୍ଧା ତୁମ ସ୍ୱାସ୍ଥ୍ୟ ଠିକ୍ ହୋଇଯିବ, ପୁଣି ସକାଳେ ଏ ବିଷୟ ଆଲୋଚନା କରିବା ।
ଶ୍ରୀମାନ୍! ମୁଁ ଆଶଂକିତ ହୋଇ କହିଲି : ରାତିର ଗୋଟିଏ ଗୋଟିଏ କ୍ଷଣ ତ ବିନାଶର ସୂଚକ । ଯଦି ରାତିରେ କିଛି କରାନଯାଏ ତେବେ ସକାଳ ସୁଦ୍ଧା କୌଣସି ଅନିଷ୍ଟ ଯେ ଘଟିବ ନାହିଁ, ତା’ କୁହାଯାଇନପାରେ ।
ଗମ୍ଭୀର ସ୍ୱରରେ ମହାରାଜ କହିଲେ : ହେଲେ ରାତିରେ ତ କିଛି ହେଲେ ବି କରାଯାଇପାରିବ ନାହିଁ ।
ଯଦି କିଛି କରିବାର ଅଛି ତେବେ ରାତିରେ ହିଁ କରିବାକୁ ହେବ । ଶ୍ରୀମାନ୍! ମୁଁ କେବଳ ଏତିକି ଚାହେଁ ଯେ ମୋତେ ସଶସ୍ତ୍ର ପୋଲିସ ଦଳଟିଏ ମିଳିଯାଉ । ମୁଁ ଜବରଦସ୍ତ ସେମାନଙ୍କୁ ରତନଗଡ଼କୁ ନେଇଆସିବି ।
କିନ୍ତୁ ରାତିରେ ? ମହାରାଜ ବାସ୍ତବିକ ଆଶଂକା ପ୍ରକଟ କଲେ- ନନ୍ଦଲାଲ! ବନ୍ଧୁଙ୍କ ପାଇଁ ଚିନ୍ତିତ ହେବା ସ୍ୱାଭାବିକ କଥା । କିନ୍ତୁ ପ୍ରାଣ ପାଇଁ ଜୀବନକୁ ବାଜି ଲଗେଇବା କିପ୍ରକାର ବୁଦ୍ଧିମତ୍ତା? ତୁମ ସ୍ୱୟଂର ଅବସ୍ଥା କ’ଣ, ତା’ ତୁମେ ଜାଣିଛ । ମାନୁଛି ସେ ତୁମର ବନ୍ଧୁ । ତୁମେ ତୁମ ଜୀବନକୁ ବାଜି ଲଗେଇଦେବ, ଏ କଥା ବି ଜାଣୁଛି । କିନ୍ତୁ ପୋଲିସ ତୁମକୁ ସହାୟତା କରିପାରିବ, ଏଥିରେ ମୋର ବିଶ୍ୱାସ ନାହିଁ, କାରଣ ପୋଲିସ ସିପାହୀ, ପିଶାଚ ସୁନ୍ଦରୀର ଚମକ୍ରାରିତା ସମ୍ମୁଖରେ ଠିଆ ରହିପାରିବେ ନାହିଁ ।
ମୁଁ ସେଠାରୁ ନିରାଶ- ହତାସାରେ ଲେଉଟି ଆସିଥାନ୍ତି । କିନ୍ତୁ ସହାୟକ ହେଲେ ଡାକ୍ତର ସାହେବ । ସେ ପଚାରିଲେ : ମାମଲା କ’ଣ? ମହାରାଜ ଯେତେବେଳେ ତାଙ୍କୁ ସବୁ କଥା କହିଲେ, ସେ ଖୁବ୍ ହସି ଉଠିଲେ । ସେ ଏ କଥା ଉପରେ ଆଦୌ ବିଶ୍ୱାସ କରିପାରିଲେ ନାହିଁ ।
ସେ କହିଲେ : ମହାରାଜ! ମୁଁ ପ୍ରମାଣିତ କରିବି ଯେ, ଏସବୁ ଅନ୍ଧବିଶ୍ୱାସ ବ୍ୟତୀତ ଅନ୍ୟ କିଛି ନୁହେଁ । ନନ୍ଦଲାଲ ବି ଅସୁସ୍ଥ ଅଛନ୍ତି । ଏ ଚାହୁଁଛନ୍ତି ଯଦି ମୁଁ ତାଙ୍କ ସାଥୀରେ ଯିବି । ଆଉ ଆପଣଙ୍କର ପୋଲିସ କଥା, ଛାଡନ୍ତୁ ତାକୁ । ମୁଁ ଛାଉଣୀର କର୍ଣ୍ଣେଲ ହଡ୍ସନ୍ଙ୍କୁ ଫୋନ୍ କରୁଛି । ସେ ଗୋଟେ ଲରୀ, ଗୋରା ଫଉଜଙ୍କୁ ଧରି ଆସିଯିବେ ।
ଜିଦ୍ ପରି ହୋଇଗଲା ଡାକ୍ତର ହାବର୍ଟଙ୍କର । କର୍ଣ୍ଣେଲ ହଡ୍ସନ୍ ତାଙ୍କର ମିତ୍ର ଥିଲେ । ସେ ତାଙ୍କୁ ଫୋନ୍ କରି ପରିସ୍ଥିତିର ସୂଚନା ଦେଇଦେଲେ ।
ରାତି ତିନିଟା ବେଳକୁ ଗୋରା ସୈନ୍ୟଙ୍କ ସହିତ କର୍ଣ୍ଣେଲ୍ ହଡ୍ସନ୍ ସେଠି ଆସି ପହଞ୍ଚିଲେ ।
ଏ ସମୟରେ ହାବର୍ଟ ଡାକ୍ତର ନହୋଇ ଅନ୍ଧବିଶ୍ୱାସ ବିରୁଦ୍ଧ ଅଭିଯାନର ନେତା ଥିଲେ । ମହାରାଜ ମୋତେ ଏବଂ ହାବର୍ଟଙ୍କୁ ବିଦା କରିବାକୁ ଅଟକିଥିବା ଲରୀ ନିକଟକୁ ଆସିଲେ, ମହଲରେ ସେ ମୋତେ ନିଜ ଓଭର୍କୋଟ୍କୁ ପିନ୍ଧିବା ପାଇଁ ଦେଇ ଦେଇଥିଲେ । ମୁଁ ଆଉ ଡାକ୍ତର, ଜିପ୍ରେ ବସିବା ବେଳେ ପ୍ରକୃତରେ ଆମ ଦୁହିଁଙ୍କୁ ଦେଖି ମହାରାଜଙ୍କ ଆଖି ଛଳଛଳ ହୋଇଗଲା ।
ମୋ’ ଆଡକୁ ଚାହିଁ କହିଲେ : ନନ୍ଦଲାଲ, ଏ ରାତିଟା ବଡ଼ ଖରାପରେ କଟିବ । କର୍ଣ୍ଣେଲ ହଡ୍ସନ୍ ଆଉ ତାଙ୍କ ଫଉଜୀଙ୍କ ସମ୍ବନ୍ଧରେ, ତ ମୋର ଚିନ୍ତା ନାହିଁ । କିନ୍ତୁ ଡାକ୍ତର ଆଉ ତୁମେ, ଏକପ୍ରକାର ମୋ’ ପରିବାରର । ଏହି ଚିନ୍ତା କାରଣରୁ ବୋଧହୁଏ ରାତିରେ ନିଦ ଲାଗିବ ନାହିଁ ।
ଟାବ୍ଲେଟ୍ ଏବଂ ପେନ୍ସିଲିନ୍ର ପ୍ରଭାବରୁ ଏବେ ମୁଁ ଜ୍ୱର ଆଉ ଦୁର୍ବଳତାରୁ ହାଲୁକା ଅନୁଭବ କରିଥିଲି । ମହାରାଜଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଲି : ମହାରାଜ! ଯଦିଚ ପ୍ରେତ ଆଉ ପିଶାଚର ବାସ୍ତବ ରୂପ ରହିଛି, ତେବେ ମଧ୍ୟ ଚିନ୍ତାର ଆବଶ୍ୟକତା ନାହିଁ । ରାଜ୍ୟ ଏବଂ ରାଜାଙ୍କଠାରୁ ଅଧିକ ଶକ୍ତିଶାଳୀ ପିଶାଚ ହୋଇପାରିବ ନାହିଁ । ଆପଣ ସେଠି ନଥିବେ, କିନ୍ତୁ ହୁକୁମ ଆପଣଙ୍କର । ଛତ୍ରଛାୟା ଆପଣଙ୍କର । ଆମେ କୁଶଳରେ ଲେଉଟି ଆସିବୁ ।
ମୁଁ ଆଉ ହାବର୍ଟ ଜିପ୍ରେ ବସିବାକୁ ଗଲାବେଳେ ଆକାଶରେ ଜୋର୍ରେ ବାଦଲ ଗର୍ଜିଲା । କିନ୍ତୁ ଏବେ? ଆକାଶରେ ଘନ କୃଷ୍ଣ ବାଦଲ ଘେରି ରହିଥିଲା ।
ଡାକ୍ତର ହାବର୍ଟ କହିଲେ : ସଂସାରରେ ସବୁଠୁ ଶକ୍ତିଶାଳୀ ହେଉଛି ମନୁଷ୍ୟ । ମନୁଷ୍ୟ ପ୍ରକୃତିର ବିଜେତା । ଆମେ ସମସ୍ତେ ମିଳି ଏ ରହସ୍ୟର ବି ପରଦା ଉଠେଇଦେବା ।
ଡାକ୍ତରଙ୍କୁ ଚାହିଁ ମୁଁ ହସିଦେଲି । ତାଙ୍କ କଥା ସାହସକୁ ପ୍ରେରଣା ଦେବା ପରି ଥିଲା ।
ଆଗରେ ଆମ ଜିପ୍ ଏବଂ ପଛରେ କର୍ଣ୍ଣେଲଙ୍କ ଲରୀ ମନ୍ଥର ଗତିରେ ଗଡ଼ି ଚାଲିଥାଏ । ଆମର ଅବଶ୍ୟ ଡେରି ହୋଇସାରିଥିଲା; ବହୁତ ଡେରି ।
ଙ୍ଘଙ୍ଘଙ୍ଘ
ଜିପ୍ର ଡ୍ରାଇଭର ଥିଲା ରତନଗଡ଼ ଷ୍ଟେଟର ଗୁପ୍ତଚର ବିଭାଗର । ହାବିଲ୍ଦାର ର୍ୟାଙ୍କର ଏ ଲୋକଟି ମଧ୍ୟମ ବୟସ୍କ ହେଲେ ବି ଖୁବ୍ ହୃଷ୍ଟପୁଷ୍ଟ ଥିଲା । ଜିପ୍ଠାରୁ ପ୍ରାୟ ପଚାଶ ଗଜ ବ୍ୟବଧାନରେ ଥିଲା ଫଉଜୀ ଟ୍ରକ୍ । ବିନା ଅସୁବିଧାରେ ଏଗାର ମାଇଲ ଯାତ୍ରା ପୂରା ହୋଇଗଲା । ଏବେ ପାହାଡୀ ରାସ୍ତାରେ ବୁଲାଣି ଥିଲା । ମୁଁ ଜିପ୍ ଅଟକାଇ ଦେଲି । ସ୍ୱୟଂ ଓହ୍ଲେଇ ପଡ଼ି ଟ୍ରକ୍ର ଡ୍ରାଇଭର୍ ସିଟ୍ ନିକଟରେ ବସିଥିବା କର୍ଣ୍ଣେଲ ହଡସନ୍ ପାଖକୁ ଯାଇ ତାଙ୍କୁ ଚେତାବନୀ ଦେଇ କହିଲି- ଆଗକୁ ପାହାଡ଼ୀ ରାସ୍ତାର ବହୁତ ବୁଲାଣି ଅଛି; ଅନେକ ମୋଡ଼ । ହୁସିଆରୀରେ ଯିବା ଆବଶ୍ୟକ । ଏ କଥା ଶୁଣି ସେ ଡ୍ରାଇଭରର ପିଠି ଥାପୁଡେଇ କହିଲେ- ଯୋଧସିଂହ! ପାହାଡୀ ରାସ୍ତାରେ ବଡ଼ ହୁସିଆରୀରେ ଯିବାକୁ ହେବ ଭାଇ!
ଡ୍ରାଇଭର ହସି କହିଲା : ରାସ୍ତା ଯେମିତି ହେଉ ପଛେ ହଜୁର! ଗୁରୁଙ୍କ କୃପାରୁ ସକୁଶଳରେ ପହଞ୍ଚିବା ।
ମୁଁ କହିଲି : ତେବେ ଚାଲ ସମ୍ଭାଳି । ଧୀରେ ଧୀରେ ଖୁବ୍ ସାବଧାନରେ । ଏ କଥା କହୁ କହୁ ମୁଁ ପକେଟ୍ରୁ ପିସ୍ତଲଟା ବାହାର କରି ନେଲି । ମୋ ହାତରେ ପିସ୍ତଲ ଦେଖି ହାବର୍ଟ ହସି ଦେଲେ ।
ଚାରି ମାଇଲ୍ର ଯାତ୍ରା ବାକି ଥିଲା । ଡ୍ରାଇଭର୍, ଘଣ୍ଟାକୁ ପନ୍ଦର କିଲୋମିଟର ସ୍ପିଡ୍ରେ ଆଗକୁ ବଢ଼ିଲା ।
ଜିପ୍ ପ୍ରାୟ ଗୋଟେ ମାଇଲ୍ ଆଗେଇ ସାରିଥିଲା । ଘନ ବାଦଲରେ ଆକାଶ ଘେରି ରହିଥାଏ । କିନ୍ତୁ ବର୍ଷୁ ନଥାଏ ।
ଅକସ୍ମାତ ଡ୍ରାଇଭର୍, ଏକଦମ୍ ବ୍ରେକ୍ କଷିଦେଲା । ନନ୍ଦଲାଲ୍ ସାହେବ! ଚିକ୍ରାର କଲା ପରି ସ୍ୱରରେ ସେ କହିଲା ।
ଡାକ୍ତରଙ୍କ ସହ କଥାଭାଷାରେ ମଗ୍ନ, ମୁଁ ଚମକି ପଡ଼ିଲି- କ’ଣ ହେଲା ଯୋଧସିଂହ?
ଫଉଜୀ ଟ୍ରକ୍ ମଧ୍ୟ ଜିପ୍ର ବିଲ୍କୁଲ ନିକଟରେ ଆସି ଅଟକିଗଲା ।
ନନ୍ଦଲାଲ ସାହେବ! ଏଇ ମୋଡ଼ରେ ମୁଁ ଗୋଟେ ମଇଁଷୀ ଦେଖିଛି… ଗାଡ଼ି ଚଳେଇବି?
ମୋ ଅଙ୍ଗପ୍ରତ୍ୟଙ୍ଗ କମ୍ପି ଉଠିଲା, କିନ୍ତୁ ମୋ’ ପୂର୍ବରୁ ଡାକ୍ତର କହିଲେ : ଡ୍ରାଇଭର, ତୁମେ ଜାଣିଛ ଜିପ୍ ଆଉ ମଇଁଷୀର ଧକ୍କାରେ ମଇଁଷୀର ହଁ ବେଶୀ କ୍ଷତି ହେବ । ଏବେ ଆଗକୁ ଘାଟୀ ମହଲ ପର୍ଯ୍ୟନ୍ତ ବ୍ରେକ୍ ଲଗେଇବାର ଆବଶ୍ୟକତା ନାହିଁ ।
ମୁଁ କିଛି କହିବାକୁ ଇଚ୍ଛା କରି ମଧ୍ୟ ଚୁପ୍ ରହିଗଲି । ହେଲେ ଡାକ୍ତରଙ୍କ ସହ ପୁଣି କଥାଭାଷା ଜାରି ରଖିପାରିଲି ନାହିଁ ।
ହେ ଭଗବାନ! ଡ୍ରାଇଭର ଜିପ୍ ଷ୍ଟାର୍ଟ କରି ମୋଡ଼ିବା ମାତ୍ରେ ଠିକ୍ ମୋଡ଼ ଉପରେ ହିଁ ମଇଁଷୀ ଠିଆ ହୋଇଥିଲା… । ଲାଇଟ୍ରେ ସେ ଲାଲ୍ ମିଶି୍ରତ କଳା ଦେଖାଯାଉଥାଏ ସେଇ ପିଶାଚ ମଇଁଷୀ… ।
ମୁଁ ଜାଣିପାରୁନି ଯେ, ଯଦି ଡ୍ରାଇଭର ସିଟ୍ରେ ମୁଁ ଥା’ନ୍ତି ତେବେ କ’ଣ ହୁଅନ୍ତା? ହେଲେ ଯୋଧସିଂହ ଅଜବ କରିଦେଲା ହର୍ଣ୍ଣ ତ ନିରନ୍ତର ବଜାଉଥାଏ । କିନ୍ତୁ ଏଥିସହ ସେ ମଇଁଷୀ ଉପରେ ଗାଡ଼ି ଚଢ଼େଇ ଦେଲା… । ଆଶ୍ଚର୍ଯ୍ୟରେ ଡାକ୍ତର ହାବର୍ଟଙ୍କ ଆଖି ବିସ୍ଫାରିତ ହୋଇଗଲା । ମଇଁଷୀ କାରଣରୁ ଜିପ୍କୁ କୌଣସି ଧକ୍କା ଲାଗିଲା ନାହିଁ କି ହୁଇଲ୍ରେ କିଛି କ୍ଷତି ହେଲାନାହିଁ । ମୁଁ ଏବଂ ଡାକ୍ତର, ତତ୍କ୍ଷଣାତ୍ ପଛକୁ ବୁଲି ଚାହୁଁଲୁ । କିନ୍ତୁ ସେ ଅଦୃଶ୍ୟ ହୋଇସାରିଥିଲା… କେଉଁଠି ବି ଦୃଷ୍ଟିଗୋଚର ହେଉନଥିଲା ।
କିଛି ଦୂର ଜିପ୍ ଗଡିଲା । କିନ୍ତୁ ଏ କ’ଣ? ପୁଣି ବୁଲାଣି ପଡ଼ିଲା, ମଇଁଷୀ ପୁନର୍ବାର ଦେଖାଗଲା… ସେ ଜିପ୍ର ଆଗେ ଆଗେ ଦୌଡୁଥାଏ ।
ନନ୍ଦଲାଲ, ଫାୟାର କର… ଡାକ୍ତର ଉକ୍ରଣ୍ଠିତ ହୋଇ କହିଲେ ।
ନାଇଁ ଡାକ୍ତର! ଫାୟାର କଲେ କିଛି ଲାଭ ହେବ ନାହିଁ ।
ଫାଇଦା ହେବ ନାହିଁ କାହିଁକି? ଯଦି ତୁମର ସାହସ ନାହିଁ, ତେବେ ପିସ୍ତଲକୁ ମୋତେ ଦିଅ ।
ଡାକ୍ତର ମୋ’ ସାହସକୁ ଚ୍ୟାଲେଞ୍ଜ କରନ୍ତୁ ନାହିଁ । ଆପଣ, ପ୍ରଥମଥର ଆସିଚନ୍ତି ଆଉ ମୁଁ ଗତକାଲି ଏ ମଇଁଷୀର ଆଖପାଖେ ହିଁ ବିତେଇ ସାରିଛି । ଟିକିଏ ଗୁରୁତ୍ୱର ସହ ଦେଖି ନିର୍ଣ୍ଣୟ କରନ୍ତୁ ଯେ, କ’ଣ ସାଧାରଣ ମଇଁଷୀର ଆଉ ଏ ମଇଁଷୀ ମଧ୍ୟରେ ପାର୍ଥକ୍ୟ ନାହିଁ?
କି ପାର୍ଥକ୍ୟ ଅଛି?
ସେ କ’ଣ କାଚ ସଦୃଶ ପାରଦର୍ଶୀ ନୁହେଁ?
ଡାକ୍ତରଙ୍କ ମୁଖରୁ ହାଲୁକା ଚିକ୍ରାର ବାରିଗଲା । ମଇଁଷୀଟା ଜିପ୍ ଠାରୁ ପ୍ରାୟ ପଚିଶ ତିରିଶ ଫୁଟ୍ ଆଗରେ ଦୌଡୁଥାଏ । କିନ୍ତୁ ଜିପ୍ର ଆଲୋକ, ସ୍ପଷ୍ଟ ରୂପେ ତାକୁ ଭେଦ କରୁଥିଲା ।
ମୁଁ କହିଲି : ଆଉ ଗୋଟେ କଥା ନୋଟ୍ କରିବା ଅଛି ଡାକ୍ତର! ତା’ ହେଉଛି- ମଇଁଷୀର ପ୍ରତିଛାୟା ନାହିଁ…!
ଡାକ୍ତରଙ୍କ ସବୁ ସାହସ ଅନ୍ତର୍ଦ୍ଧାନ ହୋଇଗଲା । ମୁଁ ଦେଖିଛି- ତାଙ୍କ ଶରୀର କମ୍ପି ଉଠୁଛି । ତେବେ ଡ୍ରାଇଭର୍ର ସାହସ ଅପୂର୍ବ ଥିଲା । ହର୍ଣ୍ଣ ଦ୍ୱାରା ଏ ବନ୍ୟ ଘାଟୀକୁ ମୁଖରିତ କରି ସେ ପନ୍ଦର କୋଡିଏ କିଲୋମିଟର ଗତିରେ ଜିପ୍ ଚଳାଉଥାଏ ।
ଯଦି କେତେବେଳେ କୌଣସି ବିଜୁଳି ଚମକୁଥାଏ, ମୁଁ ଉକ୍ରଣ୍ଠାରେ ଘାଟୀର ମହଲକୁ ନିଶ୍ଚୟ ଦେଖି ନେଉଥିଲି । ବାକୀ ଯାତ୍ରାରେ କୌଣସି ଦୁର୍ଘଟଣା ଘଟିନାହିଁ । ମୋ’ ଜିପ୍ ଆଉ ପରେ ଟ୍ରକ୍ ଠିକ୍ ସୁରକ୍ଷିତ ଅବସ୍ଥାରେ ଘାଟୀ ମହଲର ଦ୍ୱାର ପାଖେ ପହଞ୍ଚିଗଲା । ଏବେ କିଛି ସମୟ ପର୍ଯ୍ୟନ୍ତ ମଇଁଷୀ, ଜିପ୍ ଆଗରେ ଦୌଡୁଥିଲା… କିନ୍ତୁ ମହଲର ଫାଟକ ଠାରେ ହିଁ ସେ ଅଚାନକ ଅଦୃଶ୍ୟ ହୋଇଗଲା… ।
ଫଉଜୀମାନେ ତୁରନ୍ତ ଟ୍ରକ୍ରୁ ଓହ୍ଲାଇଗଲେ । ଖୁସି ଲାଗିଲା ଯେ, ହଡ୍ସନ୍ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିଲେ । ଟ୍ରକ୍ ଉପରେ ପ୍ରଥମରୁ ହିଁ ଦୁଇଟା ବଡ଼ ଲାଇଟ୍ ଫିଟ୍ ହୋଇଗଲା । ଗୋଟେ ବ୍ୟାଟେରୀ ସହ କନେକ୍ସନ୍ ଦ୍ୱାରା ତାକୁ ଲାଇଟ୍ କରିଦିଆଗଲା ।
ଡାକ୍ତର ହାବର୍ଟଙ୍କ ଚାହିଁ ଦେଖିଲି- ତାଙ୍କ ଚେହେରା ସଫେଦ ପଡ଼ିଯାଇଥିଲା । କିନ୍ତୁ କର୍ଣ୍ଣେଲ ତାଙ୍କ ଯବାନମାନେ ଉତ୍ସାହୀ ଥିଲେ । ତାଙ୍କୁ ଦେଖି ମୋର ବି ସାହସ ବଢ଼ିଲା । କର୍ଣ୍ଣେଲ୍ଙ୍କୁ କହିଲି : ଆମକୁ ମହଲ ଭିତରକୁ ଯିବାର ଅଛି । ଦୟା କରି ଜଲ୍ଦି…
ସରକାର! ଗୋଟେ ଚିକ୍ରାର ସଦୃଶ ଆବାଜ, ଆମ ସଭିଙ୍କୁ ଚମକାଇ ଦେଲା… ସୈନିକମାନଙ୍କର ହାତ ଟର୍ଚ୍ଚ ଆଲୋକିତ ହୋଇ ଉଠିଲା ।
ରଙ୍ଗନାଥ ଘାବରେଇ ଗଲା ପରି ଦୌଡ଼ି ଆସୁଥାଏ । ତା’ରି ହିଁ ଏ ଚିକ୍ରାର ଥିଲା । ସରକାର! ସେ ନିକଟରେ ପହଞ୍ଚି କହିଲା- ବହୁତ ଡେରି କରିଦେଲେ ଆପଣ; ବହୁତ ଡେରି କରିଦେଲେ । କୃପା କରି ଜଲ୍ଦି ଚାଲନ୍ତୁ; ନଚେତ୍ ଅନର୍ଥ ହୋଇଯିବ… ।
ହଁ, ରଙ୍ଗନାଥ, ଡେରି ତ ମୋର ହୋଇଗଲା । ଅନିଷ୍ଟ ଆଶଂକାରେ ମୋ’ ମନଟା କମ୍ପି ଉଠିଲା । ସବୁ କୁଶଳ ତ?
ଏ ପର୍ଯ୍ୟନ୍ତ ତ ସବୁ କୁଶଳ ଅଛି ସରକାର ! କିନ୍ତୁ ଡେରି କରନ୍ତୁ ନାହିଁ । ନହେଲେ ସେ ପିଶାଚିନୀ, ବୋହୂରାଣୀଙ୍କୁ ମାରିଦେବ…
ଭାଉଜଙ୍କୁ, ସେ ମନ୍ଦିର ଭିତରେ…
ନାଇଁ ସରକାର! ତାଙ୍କ ଉପରେ ତ ଆଜି ପ୍ରାଣ ହାରିବାର ଭୂତ ସବାର ହୋଇଛି । ସେ ଛାତ ଉପରେ ହିଁ ଅଛନ୍ତି । ଜଲ୍ଦି ଆସନ୍ତୁ ସରକାର!
ଆସନ୍ତୁ କର୍ଣ୍ଣେଲ! ମୁଁ ଆଗକୁ ବଢ଼ିଲି ।
ରଙ୍ଗନାଥ ମୋ’ ହାତ ଧରି ପକେଇ ଦୌଡ଼ି ଚାଲିଲା । ହେଲେ ଦୌଡ଼ିବା ପରି ମୋ’ ଅବସ୍ଥା କେଉଁଠି ଥିଲା । କୌଣସି ମତେ ଘୁସୁରି ଘୁସୁରି ଚାଲିଥାଏ ତା’ ସାଥିରେ ।
ନିଶ୍ଚୟ କୌଣସି କଥା ଥିଲା । ତେଣୁ ରଙ୍ଗନାଥ ଏତେଟା ଉତ୍ତେଜନାରେ ଥିଲା । ମୋ’ ପଛରେ ଆସୁଥିବା ପଦଚାପରୁ ଜାଣୁଥିଲି- କର୍ଣ୍ଣେଲ ମଧ୍ୟ ନିଜ ସୈନିକଙ୍କ ସହିତ ଆସୁଛନ୍ତି ।
ମୁଁ ଆଉ ରଙ୍ଗନାଥ, ଏବେ ମହଲର ମୁଖ୍ୟ ଦରଜା ନିକଟକୁ ଆସିସାରିଥିଲୁ । ସେହି କ୍ଷଣରେ ଛାତ ଉପରୁ ବାସନ୍ତୀ ଭାଉଜଙ୍କ ଚିକ୍ରାର ଶୁଣାଗଲା- ନନ୍ଦଲାଲ… ନନ୍ଦଲାଲ୍… ପିଶାଚିନୀ…
ମୁଁ ଭାଉଜଙ୍କୁ ଆବାଜ ଦେଇ କହିବାକୁ ଚାହୁଁଥିଲି- ଭାଉଜ, ମୁଁ ଆସୁଛି । ହେଲେ ମୁଁ ଉପରକୁ ଦୃଷ୍ଟି କରିବା ମାତ୍ରେ ଲୋମହର୍ଷକ ଚିକ୍ରାର ମୋତେ ଦୋହଲେଇ ଦେଲା… ।
ଧଡ୍ କିନା କେହି ତଳେ ଆସି ପଡ଼ିଲା । ତା’ସହ ପଛରୁ ସୈନିକମାନଙ୍କ ଟର୍ଚ୍ଚ ଆଲୋକ ତଳେ ପଡ଼ିଯାଇଥିବା ପ୍ରାଣୀ ଉପରେ ପଡ଼ିଲା ।
ପ୍ରକୃତରେ ମୋର ଖୁବ୍ ଡେରି ହୋଇଯାଇଥିଲା । ମୋ’ ସାମ୍ନାରେ ବାସନ୍ତୀ ଭାଉଜଙ୍କର ଛଟପଟ ହେଉଥିବା ଲାସ୍ ପଡ଼ିଥିଲା… ରଙ୍ଗନାଥ ଚିକ୍ରାର କରି କାନ୍ଦି ଉଠିଲା । ଏଥିସହ ଉପର ଆଡୁ ଆଉ ଏକ ଚିକ୍ରାର ଶୁଣାଗଲା । ଏ ଚିକ୍ରାର ମୋ’ ବନ୍ଧୁ ଧୀରେନ୍ଦ୍ରଙ୍କର ଥିଲା ।
ମୃଗ-ମରୀଚିକା ସଦୃଶ ମୋ’ ମନରେ ଆଶା ଜାଗରିତ ହେଲା ଯେ, କାଳେ ଭାଉଜ ବଞ୍ଚିଯାଇ ପାରନ୍ତି । ମୁଁ ନଇଁ ପଡ଼ିଲି, ତାଙ୍କ ଶିରକୁ ନିଜ ହାତରେ ରଖି ତାଙ୍କୁ ଉଠେଇ ନେବାକୁ ଚାହୁଁଥିଲି । କିନ୍ତୁ! ଭାଉଜ ତ ଯାଇସାରିଥିଲେ…
କେବଳ ତାଙ୍କ ଶରୀରର ଉଷ୍ଣ ରକ୍ତ ଥିଲା, ଜମାଟ ବାନ୍ଧିବା ପୂର୍ବରୁ କରାମତି ଦେଖାଉଥିଲା । ଭାଉଜ ମୋ’ କୋଳରେ ଅନ୍ତିମ ଶ୍ୱାସ ତ୍ୟାଗ କରିଦେଲେ… ।
ମୁଁ ଜଣେ ସ୍ନେହପ୍ରବଣା ନାରୀଙ୍କୁ ହଜେଇ ଦେଲି । ଇସ୍, ଯଦି ମୋର ଡେରି ହୋଇନଥାନ୍ତା…! ଆଉ ୟା’ପରେ?