ସମୟକୁ ପିଠି କରି ଠିଆ ହୋଇଛି କିଏ
ମୁଁ ନା ତୁମେ, ହୋ ଭାଇମାନେ?
ସମୟଚକକୁ ବାରମ୍ବାର ପଛକୁ ଟାଣି
ନୟାନ୍ତ ହେଲଣି
ତଥାପି କହୁଛ ରଥ କାହିଁ ଆଗକୁ ଗଲାନି ।
ସମୟ ସହ ଉଡିବାର ଇଚ୍ଛା
ସମୟକୁ ପଢ଼ିବାକୁ ବେଳ ଜମା ନାହିଁ ।
ହିସାବ-ନିକାଶ, ଲାଭ-କ୍ଷତିରେ
ଜୀବନ ବିତଉଥିବା ମଣିଷର ତର କାହିଁ
ଇତିହାସର ଆଇନାରେ
ନିଜ ମୁହଁକୁ ବାରମ୍ବାର ପରକ୍ଷିବା ପାଇଁ ।
ସମୟ ଆଗକୁ ଆସିବାର ସ୍ପର୍ଦ୍ଧା କାହିଁ
ତୁମେ ତ ଗୋଲାମ ସାଜିଛ
ଜୀବର ପ୍ରତି ମୁହୂର୍ତ୍ତକୁ
ପ୍ରାଚୁର୍ଯ୍ୟର ପିଆଲାରେ ବନ୍ଧା ପକାଉଛ ।
ମହାମାନବୀୟ ଚେତନାର ପ୍ରତିଟି ଅଙ୍ଗକୁ
ରକ୍ତାକ୍ତ କରୁଥିବା ମଣିଷର ପିଣ୍ଡାରେ ଗଡୁଛ ।
ଯଦି ପାରୁଛ
ସମୟକୁ ସାମ୍ନା କରି ଠିଆ ଯେତେ ମଣିଷଙ୍କୁ ଖୋଜିଆଣ ।
କାଳଜୟୀ ମହାଚେତନା ମହାସାଗରରେ ।
ସନ୍ତରଣରତ ପ୍ରତିଯୋଗୀଙ୍କୁ
ସମୟ ଚକର ମହାପ୍ରଳୟ ନାଦକୁ
ଶୁଣାଇ ଦିଅ
ତାଙ୍କୁ କୂଳ ଦେଖାଇ ଦିଅ ।
ସମୟ ତା’ ବାଟରେ ଯାଉ କହି
ପଛପଟେ ଲୁଚକାଳି ଖେଳୁଥିବା
ଦିଗଭ୍ରଷ୍ଟ ମଣିଷଙ୍କୁ ନେଇ,
ଜୀବନର ପ୍ରତି-ଗତି-ପ୍ରଗତିକୁ ମୂଲଚାଲ କରି
ବେପାରିଆ ସାଧୁ-ସନ୍ଥ, ମୁଣ୍ଡବିକା ଦ୍ରୋଣ,
ସମୟକୁ ପିଠି କରି- ସିଂହାସନର ପ୍ରହରୀ
ପିତାମହମାନଙ୍କୁ ପାଖରେ ବସେଇ
କେଉଁ ପ୍ରଗତିର ନକ୍ସା ଆଙ୍କୁଛ କୁହ?
ସତ୍ୟକୁ ଅଳ୍ପାୟୁଷ କରି
ଯେଉଁଠି ଖୋଳାହୁଏ ଅଜସ୍ର ସମାଧି
ଶପଥ ଯେଉଁଠି ନିତି ଦିଏ ଆତ୍ମାହୁତି
ସେଠି କେଉଁ ବଳିମାନଙ୍କୁ ମାଗୁଛ
ତିନି ପାଦିଆଭୂମି
ହୋ ଭାଇମାନେ ।
ତୁମକୁ ମିଳିବନି ଏଠି ସୂଚ୍ୟଗ୍ରେ ମେଦିନୀ ।