ନିର୍ବାକ୍
ଅବାକ୍ ରାତି ନା ସବାକ୍ ସକାଳ ? ହେଜୁହେଜୁ ଏଇସବୁ
ହତବାକ୍ ମୁଁ କି ହୋଇଆସିନି ମୋ ଶତବାକ୍ ଶୈଶବୁ ?
ଅନେକ କଥାର ଅର୍ଥ ଆମ ଏ ହାଟବଜାରରେ ହେୟ
ଅଳ୍ପ କଥାରେ ନୁହେଁ ଅନେକଟା ଅର୍ଥ କି ଅନୁମେୟ ?
ମୋ କଥାକୁ କାଟି କଥା କୁହ ତମେ । ତମ କଥା କାଟି ମୁଁ
ହେଲେ ସେ ହରେକ୍ ‘ଉଁ’ ଆଗରେ କି ହାରିନି ହଜାରେ ‘ହୁଁ’?
ବାଂଛା କେ କରେ ବାଗ୍ୟୁଦ୍ଧରେ ବିଜୟୀ ହେବାର ବର ?
ବାକ୍ ନୁହେଁ, ଅଛି ମୌନବ୍ରତରେ ଅର୍ଥର ଅଣସର ।
ସାରାରାତି କଥାବାର୍ତ୍ତା ସକାଶେ ଚାରା କାହିଁ ଚାରୁକେଶୀ?
କରଜ ରହିଲା ଯେଉଁସବୁ କଥା ଦରଜ ଦେଲା ତା ବେଶି ।
ହେଲେ ଦୁନିଆର ଦସ୍ତୁର୍ ହେଲା : ଦିଚାରିଟା କଥା ଭଲ
ଚଉଡ଼ା ହସରେ କଥା ଲଂବିଲେ ଦଉଡ଼ା ଦେଇ ତ ମଲ!
ମିତବାକ୍ ହୋଇ ମିତଣୀଏ ଯଦି ହେବେ ସଦା ସ୍ମିତହାସୀ
ମୂକସାକ୍ଷୀଟେ ହେବି ନା ହେବି ମୁଁ ସୁଖଭୁଲା ସନ୍ନ୍ୟାସୀ?
ଏମିତି କାହିଁକି
ଏମିତି କାହିଁକି ନିଦରେ ତା ଦୁଇ ଆଖିପତା ଅଧାବୁଜା ?
କାହାପାଇଁ ଥାଏ ପ୍ରାର୍ଥନା ପୁଣି କାହାପାଇଁ ଥାଏ ପୂଜା ?
ଆଜି ସାରାଦିନ ଇଏ କି ଅଦିନ ମେଘର ଦ୍ୱିପ୍ରହର ?
ମାତେ ଅଣଚାଶ ପବନଠୁ ଆଜି ମନଟା କ୍ଷୀପ୍ରତର !
ଏମିତି କାହିଁକି ଅନିଦ୍ରାରେ ତା ଦୁଇଆଖିତଳ କଳା ?
କାହାପାଇଁ ଥାଏ ନିରାହାରିଣୀ ସେ ? କାହାପାଇଁ ନିର୍ଜଳା ?
କାଲି ସାରାରାତି କାଟିଛି କେମିତି ? କାଂଦୁଥିଲା ନା କଣ ?
କେ ଥିଲା ଶୟନ-କକ୍ଷରେ କାଲି ସ୍ୱପ୍ନ ନା ଜାଗରଣ ?
ଏମିତି କାହିଁକି ଦୁଇଟି ତାରାର ଆକାଶ ତା ଆଖିଦୁଇ ?
କାହାପାଇଁ ଜାଳେ ଜହ୍ନଜାଗର ? କାହାପାଇଁ ଜାଳେ ଜୁଇ ?
ଦିନରାତିମାନ ମପାହୁଏ ଏଠି ସମୟର ସେରମାଣେ
ଆଜିକାଲି କହି ପହରଦିନ ବି ଆସିବନି ସେ ମୁଁ ଜାଣେ !
ଏମିତି କାହିଁକି ତାକୁ ନେଇ ଏତେ ଆକୁଳତା ଅକାରଣ ?
କାହାପାଇଁ ଥାଏ ପହରଗଣା ତା ? କାହା ପାଇଁ ଥାଏ ପଣ ?
ସେଇ ଘର
ସେଇ ଘର ଚାହେ – ଯା ଆଗରେ ନାମଫଳକ ନଥିବ ମୋଟେ
ନାଆଁ ନେଉଥିବ ପଡ଼ିଶାଘରୁ ସେ ପକ୍ଷୀ ସକାଳୁ ଓଠେ ।
ସେଇ ଘର ଚାହେ । ସେଇ ଘର ଚାହେ । ଚାହେରେ ମୁଁ ସେଇ ଘର
ଚାହେ ଚା’ ପିଇ ଭୁଲିଯିବାକୁ ତା ନଂବର କେଇଥର ।
ସେଇ ଘର ଚାହେ – ଥିବ ଯିବାଯାଏଁ ଦର୍ଜା ଆଉଜା ଅଧା
କାଂଥରେ ଯାର କାଟୁଥିବ ଗାର କୁନିଅଂଗୁଳି ସଦା ।
ଥିବ ସେଇ ଘରେ ପର୍ଦା ଆଡ଼େଇ ପାଛୋଟିନେବାର ଡକା
ଝର୍କା ସେପଟେ ମୁହଁସଂଜଟେ ମୁର୍କିହସରେ ମଖା ।
ସେଇ ଘର ଚାହେ – ଯେଉଁ ଘରେ ଥିବ ହାର୍ଦିକ ଆବ୍ହାୱା
ସୁନାହାତଛୁଆଁ ସେକାରୁଟି ପାଇଁ ତଂବାର ଗୋଟେ ତାୱା ।
ଓଦାପଟି ଚୁମି ଓହ୍ଲାଉଥିବ ଉଷୁମ୍ ଜରୁଆରାତି
ହାତପଂଖାଠୁ ହାର୍ ମାନୁଥିବ – ହେଉ ଶହେତିନ୍ ତାତି ।
ସେଇ ଘର ଚାହେ ଯେଉଁ ଘରେ ଥିବ ବାର୍ତା ବିଦାୟହୀନ
ପାଉଁଜିପିଂଧା ପାଦଦିଓଟିର ପ୍ରତୀକ୍ଷା ପ୍ରତିଦିନ ।