ଭାରତରେ ଦେବୀ ପୂଜାର ପରମ୍ପରା ବହୁ ପ୍ରାଚୀନ । ଋକ୍ବେଦରେ ରାତ୍ରି ଏବଂ ଉଷାକୁ ଦେବୀ ମନେକରି ତାଙ୍କର ସ୍ତୁତି କରାଯାଇଛି । ପ୍ରାଚୀନ କାଳରେ ଦେବୀପୂଜା ଖୁବ୍ ଲୋକପ୍ରିୟ ଥିଲା । ଭାରତର ଆଦିବାସୀ ଜନତା ମଧ୍ୟ ନିଜ ନିଜ ଦେବୀଙ୍କୁ ପୂଜା କରୁଥିଲେ, ଯାହାକୁ ପରେ ପ୍ରାୟତଃ ସମଗ୍ର ସମାଜ ଗ୍ରହଣ କରିନେଇଛି ।
ପୁରାଣ କାଳରେ ଦେବୀଙ୍କୁ ସର୍ବ ଶକ୍ତିମୟୀ କୁହାଯାଇଛି, କାରଣ ବ୍ରହ୍ମା, ବିଷ୍ଣୁ ଏବଂ ଶିବ, ସେହି ଶକ୍ତିକୁ ଅଧିଷ୍ଠାତ୍ରୀ ଦେବୀ ରୂପେ ଗ୍ରହଣ କରିଛନ୍ତି । ସମୟ ସମୟରେ ତାଙ୍କୁ ହିଁ ଆରାଧନା ମଧ୍ୟ କରିଥାନ୍ତି । ଚଣ୍ଡୀ ମହାତ୍ମ୍ୟରେ ଦେବୀଙ୍କୁ ଅନେକ ନାମରେ ସ୍ମରଣ କରାଯାଇଛି ଏବଂ ପ୍ରତ୍ୟେକ ନାମ, ଦେବୀଙ୍କର କୌଣସି ନା କୌଣସି ପରାକ୍ରମ ସହିତ ସମ୍ବନ୍ଧିତ ରହିଛି ।
ସମସ୍ତ ପୁରାଣ ମଧ୍ୟରେ ମାର୍କଣ୍ଡେୟ ପୁରାଣକୁ ପ୍ରାଚୀନ ମନେ କରାଯାଇଛି । ଦେବୀ ମାହାତ୍ମ୍ୟ ମଧ୍ୟ ଏହାର ଏକ ଅଂଶ । ଏହାରି ଅନୁସାରେ ଦେବୀ ନିତ୍ୟ ରୂପା ଅଟନ୍ତି । ସମଗ୍ର ଜଗତ ତାଙ୍କରି ହିଁ ସ୍ୱରୂପ ତଥା ତାଙ୍କଠାରୁ ସମଗ୍ର ବିଶ୍ୱ ବ୍ୟାପ୍ତ ହୋଇଛି । ତଥାପି ବି ସେହି ଦେବୀଙ୍କ ଆବିର୍ଭାବ ଅନେକ ପ୍ରକାରରେ ହୋଇଥାଏ, ଯଦ୍ୟପି ସେ ନିତ୍ୟ ଏବଂ ଅଜନ୍ମା, ତେବେ ସେ ଦେବତାମାନଙ୍କର କାର୍ଯ୍ୟ କରିବା ପାଇଁ ସମୟ ସମୟରେ ପ୍ରକଟିତ ହୋଇଥାନ୍ତି ।
ଦେବୀ ମହାତ୍ମ୍ୟରେ, ଯାହାକି ମାର୍କଣ୍ଡେୟ ପୁରାଣର ଅଂଶ, ତେରଟି ଅଧ୍ୟାୟ ରହିଛି । ସେଥିରେ ଦୁର୍ଗା ମହିଷାସୁର ମର୍ଦ୍ଦିନୀଙ୍କ ଆବିର୍ଭାବ ବ୍ୟତୀତ ତାଙ୍କର ଅନ୍ୟ ସ୍ୱରୂପ ତଥା ଦାନବଙ୍କ ସହ ହୋଇଥିବା ଯୁଦ୍ଧ ସହିତ ବିଭିନ୍ନ ପ୍ରକରଣରେ ଦେବଗଣଙ୍କ ଦ୍ୱାରା ତାଙ୍କ ସ୍ତୁତି ଆଦିର ମଧ୍ୟ ଉଲ୍ଲେଖ ରହିଛି । ଏଥିରେ ଶ୍ଲୋକର ସଂଖ୍ୟା ୫୬୮, ଯାହାକୁ ବିସ୍ତୃତ କରି ୭୦୦ କରିଦିଆଯାଇଛି । ଏହି କାରଣରୁ ଏହାକୁ ଦୁର୍ଗା ସପ୍ତଶତୀ ମଧ୍ୟ କହିଥାନ୍ତି ।
ମାର୍କଣ୍ଡେୟ ପୁରାଣକାର, ମହିଷାସୁରକୁ ତମୋ ଗୁଣମୟ ମାନବର ପ୍ରତୀକ ରୂପେ ପ୍ରସ୍ତୁତ କରିଛନ୍ତି । ଦେବୀ ମହାତ୍ମ୍ୟ ଯାହା ଦେବୀଙ୍କ ଚରିତ୍ରକୁ ଚିତ୍ରଣ କରିଛି, ତାହା ସବୁଠାରୁ ପ୍ରାଚୀନ ମନେ କରାଯାଇଛି । ଏହି ମହାତ୍ମ୍ୟର ସଂକଳନ ସମୟରେ ଦେବୀଙ୍କ ଉପାସନା ବହୁଳ ଲୋକପ୍ରିୟ ହେବା ଜଣାପଡୁଛି ।
ଶ୍ରୀ ଦୁର୍ଗା ସପ୍ତଶତୀ ଦୈତ୍ୟମାନଙ୍କର ସଂହାରର ଶୌର୍ଯ୍ୟଗାଥାଠାରୁ ଅଧିକ କର୍ମ, ଭକ୍ତି ଏବଂ ଜ୍ଞାନର ତ୍ରିବେଣୀ ଅଟେ । ଏହା ସମସ୍ତ ମନୋରଥକୁ ପୂର୍ଣ୍ଣ କରିଥାଏ । ଏହାର ବିଧିବଦ୍ଧ ପାରାୟଣ ଦ୍ୱାରା ଈପ୍ସିତ ଅଭିଳାଷର ପୂର୍ତ୍ତି ହୋଇଥାଏ । ଶ୍ରୀଦୁର୍ଗା ସପ୍ତାତୀ ସିଦ୍ଧମନ୍ତ୍ରର ଅକ୍ଷୟକୋଷ ଅଟେ । କୁଣ୍ଡଳିନୀ ଜାଗରଣରେ ମଧ୍ୟ ଶ୍ରୀ ଦୁର୍ଗା ସପ୍ତାତୀ ପାଠ ସହାୟକ ହୋଇଥାଏ । ନବଦୁର୍ଗାଙ୍କ ପୂଜା, ଅର୍ଚ୍ଚନା ଏବଂ ତତ୍ସମ୍ବନ୍ଧିତ ଚକ୍ର ଜାଗ୍ରତ ହୋଇ ସାଧକକୁ ସିଦ୍ଧି ପ୍ରାପ୍ତ ହୋଇଥାଏ ।
ଆଦିଶକ୍ତି ଉପାସନାର ସବୁଠାରୁ ବଡ଼ ପର୍ବ ହେଉଛି- ନବରାତ୍ରି । ଶରତ ଏବଂ ବସନ୍ତ ଋତୁର ନବରାତ୍ରିରେ କୋଟି କୋଟି ଭକ୍ତ ଦେବୀଙ୍କ ଉପାସନା କରି ତାଙ୍କଠାରୁ ବରଦାନ ପାଇଥାନ୍ତି । ଏଥିରେ ଭକ୍ତଙ୍କ ଭାବନା ହିଁ ମୁଖ୍ୟ ରୂପେ ପ୍ରବଳ ହୋଇଥାଏ । ଆଦିଶକ୍ତି ଜଗତର ଜନନୀ । ସେ ହିଁ ଏହି ସଚରାଚର ସୃଷ୍ଟିକୁ ରଚନା କରନ୍ତି । ସେ ହିଁ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି । ସେ ଯେତେବେଳେ ଚାହାନ୍ତି, ଏହି ସଂସାରକୁ ନିଜ ଇଚ୍ଛାରେ ସାଉଁଟି ନିଅନ୍ତି । ଜନ୍ମ ଏବଂ ମୃତୁ୍ୟକୁ ସେ ହିଁ ନିୟନ୍ତ୍ରଣ କରନ୍ତି । ଜଗଦମ୍ବାଙ୍କ ଭିନ୍ନ ଭିନ୍ନ ସ୍ୱରୂପ, ଭକ୍ତଗଣଙ୍କର ଅସୁମାରୀ ମନସ୍କାମନା ପୂର୍ଣ୍ଣ କରନ୍ତି ।
ନବରାତ୍ରିର ପ୍ରଥମ ଦିବସ : ଶୈଳପୁତ୍ରୀ ସାଧନା ନବରାତ୍ରିର ପବିତ୍ର ପର୍ବରେ ନବଦୁର୍ଗାଙ୍କ ମଧ୍ୟରେ ସର୍ବପ୍ରଥମେ ହିମାଳୟଙ୍କ କନ୍ୟା ଭଗବତୀ ଶୈଳପୁତ୍ରୀଙ୍କ ନାମ ଆସିଥାଏ । ଦୁର୍ଗାମାତା ଦେବାସୁର ସଂଗ୍ରାମରେ ପ୍ରଥମ ଦିନ ଶୈଳପୁତ୍ରୀଙ୍କ ରୂପ ଧାରଣ କରି ଅସୁରଙ୍କୁ ସଂହାର କରିଥିଲେ । ଏହି ଭଗବତୀଙ୍କ ଡାହାଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ କମଳପୁଷ୍ପ ସୁଶୋଭିତ । ବୃଷଭ ସ୍ଥିତ ମାତା, ନବଦୁର୍ଗାଙ୍କ ମଧ୍ୟରେ ପ୍ରଥମ ଦୁର୍ଗା ଅଟନ୍ତି । ନିଜର ପୂର୍ବଜନ୍ମରେ ସେ ଦକ୍ଷପ୍ରଜାପତିଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ । ସେତେବେଳେ ତାଙ୍କ ନାମ ଥିଲା ସତୀ । ଭଗବାନ ଶଙ୍କରଙ୍କ ସହ ତାଙ୍କର ବିବାହ ହେଲା, ସେ ହିଁ ଅନନ୍ତ ଶକ୍ତିର ସ୍ୱାମୀନୀ ଅଟନ୍ତି ।
ଦ୍ୱିତୀୟ ଦିବସ : ବ୍ରହ୍ମାଚରିଣୀ ସାଧନା ନବରାତ୍ରିର ଦ୍ୱିତୀୟ ଦିନ ମା’ ଭଗବତୀ ବ୍ରହ୍ମଚାରିଣୀଙ୍କ ପୂଜା-ଆରାଧନା କରାଯାଇଥାଏ । ଉପାସନା କାଳରେ ସାଧକ ଏବଂ ଯୋଗୀ ନିଜମନକୁ ‘ସ୍ୱାଧିଷ୍ଠାନ’ ଚକ୍ରରେ ସ୍ଥିତ କରି ନିଜର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏଠାରେ ବ୍ରହ୍ମ ଶବ୍ଦର ଅର୍ଥ ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥାତ୍ ତପର ଚାରିଣୀ, ତପ ଆଚରଣ କରୁଥିବା । ବ୍ରହ୍ମଚାରିଣୀ ଦେବୀଙ୍କ ସ୍ୱରୂପ ପୂର୍ଣ୍ଣ ଜ୍ୟୋତିର୍ମୟ ଏବଂ ଭବ୍ୟ ଅଟେ । ତାଙ୍କର ଡାହାଣ ହସ୍ତରେ ଜପାମାଳି ଏବଂ ବାମହସ୍ତରେ କମଣ୍ଡଳୁ ରହିଥାଏ । ତାଙ୍କ ଉପାସନାରେ ମନୁଷ୍ୟ ମଧ୍ୟରେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଏବଂ ସଂଯମର ବୃଦ୍ଧି ଘଟିଥାଏ । ସ୍ୱାର୍ଥସିଦ୍ଧି, ବିଜୟ ଏବଂ ଆରୋଗ୍ୟଲାଭ ପାଇଁ ଏହି ସାଧନା ଅତୀବ ଉତ୍ତମ ଅଟେ ।
ତୃତୀୟ ଦିବସ : ଚନ୍ଦ୍ର ଘଣ୍ଟା ସାଧନ
ନବରାତ୍ରିର ତୃତୀୟ ଦିନ ଦୁର୍ଗାମାତାଙ୍କର ତୃତୀୟ ଶକ୍ତି ଭଗବତୀ ଚନ୍ଦ୍ରଘଣ୍ଟାଙ୍କର ଆରାଧନା-ଉପାସନା କରାଯାଇଥାଏ । ମାତାଙ୍କ ଏହି ସ୍ୱରୂପ ପରମ ଶାନ୍ତିଦାୟକ ଏବଂ କଲ୍ୟାଣକାରୀ ଅଟେ । ଏହାଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ରହିଛି । ତେଣୁ ମା’ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇଛି । ସ୍ୱର୍ଣ୍ଣକାନ୍ତିମୟୀ ମା’ଙ୍କର ୧୦ଭୁଜ ଅଛି । ତାଙ୍କଠାରେ ଖଡ୍ଗ, ବାଣ, ଗଦା ଆଦି ଅସ୍ତ୍ର ରହିଛି । ମାତା ସିଂହ ଉପରେ ସବାର ହୋଇ ଯୁଦ୍ଧକୁ ଯିବା ପାଇଁ ଉଦ୍ୟତ ଦେଖାଯାନ୍ତି । ତାଙ୍କ ଘଣ୍ଟାର ଭୟାନକ ପ୍ରଚଣ୍ଡ ଧ୍ୱନିରେ ଅସୁର ସର୍ବଦା ଭୟଭୀତ ରହନ୍ତି । ତାଙ୍କ ଉପାସନା ଦ୍ୱାରା ସାଧକର ସମସ୍ତ ପାପ-ତାପ ଏବଂ ବାଧା ଭବାନୀଙ୍କ କୃପାରୁ ସ୍ୱତଃ ଦୂରୀଭୂତ ହୋଇଥାଏ । ପ୍ରେତ ବାଧା ଆଦିରୁ ମଧ୍ୟ ମାତା ମୁକ୍ତିପ୍ରଦାନ କରିଥାନ୍ତି ।
ଚତୁର୍ଥ ଦିବସ : କୂଷ୍ମାଣ୍ଡା ସାଧନା
ନବରାତ୍ରିର ଚତୁର୍ଥ ଦିନ ଭଗବତୀ କୂଷ୍ମାଣ୍ଡାଙ୍କ ଉପାସନା କରାଯାଇଥାଏ । ଏହି ଦିନ ସାଧକଗଣ ଆରାଧନା ଦ୍ୱାରା ନିଜ ମନକୁ “ଅନାହତ’ ଚକ୍ରରେ ଅବସ୍ଥାପିତ କରି ତାଙ୍କ କୃପା ପ୍ରାପ୍ତ ହୋଇଥାନ୍ତି । ସେ ହିଁ ଆଦି ସ୍ୱରୂପା, ଆଦିଶକ୍ତି ଅଟନ୍ତି । ଏହି ଦେବୀ ନିଜର ‘ଇଷତ୍’ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡକୁ ରଚନା କରିଥିଲେ । ତେଣୁ ତାଙ୍କୁ କୂଷ୍ମାଣ୍ଡା ସଂଜ୍ଞା ପ୍ରାପ୍ତ ହୋଇଛି । ତାଙ୍କ ନିବାସସ୍ଥଳୀ ସୂର୍ଯ୍ୟମଣ୍ଡଳର ଭିତର ଲୋକରେ ରହିଛି । ତାଙ୍କରି ହିଁ ତେଜ ଏବଂ ପ୍ରକାଶରୁ ଦଶଦିଗ ପ୍ରକାଶିତ ହେଉଛି । ତାଙ୍କର ଆଠଭୁଜା ଅଛି । ସେ ସିଂହବାହିନୀ । ତାଙ୍କ ଉପାସନାରେ ଆୟୁ, ଯଶ, ବଳ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ଘଟିଥାଏ ।
ପଞ୍ଚମ ଦିବସ : ସ୍କନ୍ଦ ସାଧନା
ମାତା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପ ସ୍କନ୍ଦମାତା ରୂପେ ବିଦିତ ରହିଛି । ଏହି ଦିନର ପୂଜାରେ ସାଧକର ମନ ‘ବିଶୁଦ୍ଧ’ ଚକ୍ରରେ ସ୍ଥିତ ରହେ । ସ୍କନ୍ଦ ମାତୃ ସ୍ୱରୂପିଣୀ ଭଗବତୀ ଦେବୀଙ୍କ ଚାରି ଭୁଜା ରହିଛି । ସିଂହାରୂଢ଼ା ମାତା ପୂର୍ଣ୍ଣିତ ଶୁଭ ଅଟନ୍ତି । ତାଙ୍କ ଉପାସନା ଏବଂ ଭକ୍ତିରେ ମନରୁ ସମସ୍ତ କୁଣ୍ଠା, ଜୀବନର କଳହ ଏବଂ ଦ୍ୱେଷ ଭାବ ତିରୋହିତ ହୋଇଯାଇଥାଏ । ମୃତୁ୍ୟଲୋକରେ ବି ତାକୁ ସ୍ୱର୍ଗ ସଦୃଶ ପରମ ଶାନ୍ତି ଏବଂ ସୁଖର ଅନୁଭୂତି ମିଳିଥାଏ ।
ଷଷ୍ଠ ଦିବସ : କାତ୍ୟାୟନୀ ସାଧନା
ନବରାତ୍ରିର ଷଷ୍ଠ ଦିବସରେ ଭଗବତୀ କାତ୍ୟାୟିନୀଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ସାଧକର ମନ ‘ଆଜ୍ଞାଚକ୍ର’ରେ ସ୍ଥିତ ରହେ । ଯୋଗ ସାଧନାରେ ଆଜ୍ଞାଚକ୍ରର ଅତୀବ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଭଗବତୀଙ୍କ ଏହି ସାଧନା ପଛରେ କଥା ରହିଛି- କତ ନାମକ ଜଣେ ପ୍ରସିଦ୍ଧ ଋଷି ଥିଲେ । ତାଙ୍କ ପୁତ୍ର ଥିଲେ ଋଷି କାତ୍ୟ । ଏହି କାତ୍ୟ ଗୋତ୍ରରେ ମହର୍ଷି କାତ୍ୟାୟନ ଜନ୍ମ ହେଲେ । ତାଙ୍କର କଠୋର ତପସ୍ୟାରେ ମୁଗ୍ଧ ହୋଇ ତାଙ୍କ ଇଚ୍ଛା ଅନୁସାରେ ଭଗବତୀ ତାଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କଲେ । ଆଶ୍ୱିନ କୃଷ୍ଣ ଚତୁର୍ଦ୍ଦଶୀରେ ଜନ୍ମିତ ଭଗବତୀ, ଶୁକ୍ଳପକ୍ଷ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ପର୍ଯ୍ୟନ୍ତ ଋଷି କାତ୍ୟାୟନଙ୍କ ପୂଜା ଗ୍ରହଣ କଲେ ଏବଂ ଦଶମୀ ଦିନ ମହିଷାସୁରକୁ ବଧ କରିଥିଲେ । ମାତା ସିଂହାରୂଢ଼ା ଏବଂ ଚତୁର୍ଭୁଜା ଅଟନ୍ତି । ମନ, ବଚନ ଏବଂ କର୍ମରେ ଉପାସନା କରିଥିବା ସାଧକଙ୍କୁ ସେ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଫଳ ପ୍ରଦାନ କରିଥାନ୍ତି ଏବଂ ଶତ୍ରୁ ବିନାଶ କରି ଭୟମୁକ୍ତି ପ୍ରଦାନ କରନ୍ତି ।
ସପ୍ତମ ଦିବସ : କାଳ ରାତ୍ରି
ବ୍ୟାପାର ସମ୍ବନ୍ଧୀୟ ପ୍ରତିବନ୍ଧକ ଦୂର କରିବା ନିମିତ୍ତ ଭଗବତୀ କାଳରାତ୍ରିଙ୍କ ଆରାଧନା, ନବରାତ୍ରିର ସପ୍ତମ ଦିନ ପୂଜାର୍ଚ୍ଚନା ଶାସ୍ତ୍ର ବିହିତ ରହିଛି । ମାତା ଦୁର୍ଗାଙ୍କର ସପ୍ତମ ଶକ୍ତି ମାତା କାଳରାତ୍ରିଙ୍କ ରଙ୍ଗରୂପ ଅତ୍ୟନ୍ତ ବିକରାଳ ଅଟେ । କୃଷ୍ଣ କାନ୍ତିମତି ଭଗବତୀଙ୍କ ଶିରର କେଶ ବିକ୍ଷିପ୍ତ ଥାଏ ଏବଂ ସେ ତ୍ରିନେତ୍ର ଧାରିଣୀ । ସେ ଚାରି ହସ୍ତ ବିଶିଷ୍ଟା । ବାମ ପାଖର ନିମ୍ନ ହସ୍ତରେ ଖଡ୍ଗ ତଥା ଉପର ହସ୍ତରେ ଲୌହ କଣ୍ଟା ରହିଛି । ଡାହାଣ ପାଖର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ଏବଂ ଉପର ହସ୍ତ ବରମୁଦ୍ରାରେ ଥାଏ । ତାଙ୍କ ଶିରାପ୍ରଶିରାରୁ ଅଗ୍ନିଜ୍ୱାଳା ପ୍ରକଟିତ ହେଉଥାଏ । ମାତା ଗର୍ଦ୍ଦଭ ବାହନରେ ଆରୂଢ଼ ଥାଆନ୍ତି । ଦେଖିବାରେ ସେ ଭୟାନକ ଅଟନ୍ତି କିନ୍ତୁ ସର୍ବଦା ଶୁଭଫଳ ପ୍ରଦାନ କରନ୍ତି । କାଳ ଯେ କି ସମସ୍ତଙ୍କୁ କବଳିତ କରିଥାଏ, ଭଗବତୀ ତାକୁ ମଧ୍ୟ ବିନାଶ କରିପାରନ୍ତି । ସାଧକ ଅକାଳ ମୃତୁ୍ୟ ଭୟରେ ପ୍ରସିତ ହେଲେ ତାକୁ ଭୟମୁକ୍ତ କରନ୍ତି । ଅସୁର, ଭୂତ-ପ୍ରେତ ଆଦି ମାତାଙ୍କ ସ୍ମରଣ ମାତ୍ରକେ ପଳାୟନ କରନ୍ତି । ବ୍ୟାପାରରେ ସମସ୍ତ ବାଧା, ଅଗ୍ନିଭୟ, ଶତ୍ରୁଭୟ ଏବଂ ଅନ୍ୟାନ୍ୟ ଭୟ ଆଦିକୁ ସେ ଶମନ କରନ୍ତି ।
ଅଷ୍ଟମ ଦିବସ : ମହାଗୌରୀ ସାଧନା
ନବରାତ୍ରିର ଅଷ୍ଟମ ଦିନ ଭଗବତୀ ମହାଗୌରୀଙ୍କୁ ଆରାଧନା କରାଯାଇଥାଏ । ସେ ଚାରିଭୁଜା ବିଶିଷ୍ଟା । ଗୋଟିଏ ହସ୍ତରେ ତ୍ରିଶୂଳ, ଦ୍ୱିତୀୟ ହସ୍ତ ଅଭୟ ମୁଦ୍ରାରେ, ତୃତୀୟ ହସ୍ତରେ ଡମ୍ବରୁ ଧାରଣ କରିଥିବା ବେଳେ ଚତୁର୍ଥ ହସ୍ତ ବର ମୁଦ୍ରାରେ ରହିଛି । ବୃଷଭ ତାଙ୍କର ବାହନ । କୁମାରୀ କନ୍ୟାମାନଙ୍କର ଉପାସନାରେ ସେ ଚଞ୍ଚଳ ପ୍ରସନ୍ନ ହୋଇ ତାଙ୍କୁ ମନପସନ୍ଦର ଜୀବନସାଥୀ ପ୍ରାପ୍ତ ହେବା ପାଇଁ ବରଦାନ ଦେଇଥାନ୍ତି । ବିବାହରେ ବିଳମ୍ବ ହେଉଥିଲେ ମାତାଙ୍କୁ ଭକ୍ତିପୂର୍ଣ୍ଣ ଆରାଧନା କଲେ ମନୋରଥ ଶୀଘ୍ର ପୂର୍ଣ୍ଣ ହେବ । ସେ ପାପ, ତାପ, ଦୁଃଖ-ଦୈନ୍ୟ ନିବାରିଣୀ ଅଟନ୍ତି ।
ନବମ ଦିବସ : ସିଦ୍ଧିଦାତ୍ରୀ
ନବରାତ୍ରିର ନବମ ଅର୍ଥାତ୍ ଶେଷଦିନ ଭଗବତୀ ସିଦ୍ଧିଦାତ୍ରୀଙ୍କ ଉପାସନା କରାଯାଇଥାଏ । ସେ ମହାଦୁର୍ଗାଙ୍କ ନବମ ଶକ୍ତି ଅଟନ୍ତି । ମାର୍କଣ୍ଡେୟ ପୁରାଣରେ ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ ତଥା ବଶିତ୍ୱ- ଏହି ଆଠ ସିଦ୍ଧି କଥା କୁହାଯାଇଛି । ଏସବୁର ପ୍ରଦାତା ଏହି ମାତା ଅଟନ୍ତି । ଦେବୀ ଭାଗବତ ପୁରାଣ ଅନୁସାରେ ଭଗବାନ ଶିବ, ଏହି ଶକ୍ତିରୂପା ଦେବୀଙ୍କ ଉପାସନା କରି ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥିଲେ । ଏହାର ପ୍ରଭାବରେ ଶିବ ଅଦେ୍ର୍ଧକ ଶରୀର ସ୍ତ୍ରୀ ପାଲଟି ଗଲା । ଭଗବାନ ଶିବଙ୍କୁ ଏଥିପାଇଁ ଅର୍ଦ୍ଧନାରୀଶ୍ୱର କୁହାଯାଇଛି । ଏହି ରୂପକୁ ସାଧନା କରି ତାନ୍ତ୍ରିକମାନେ ମନୋବା‚ିତ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି । ସାଧନାର ବହୁ ବିସ୍ତୃତ କ୍ଷେତ୍ର ରହିଛି । କେବଳ ସଂପୂର୍ଣ୍ଣ ଶ୍ରଦ୍ଧା, ମଗ୍ନତା ଏବଂ ଧୈର୍ଯ୍ୟର ସହ ଉପାସନା କଲେ ନିଶ୍ଚିତ ରୂପେ ଲାଭ ପ୍ରାପ୍ତି ସମ୍ଭବ ହେବ ।
ଆସୁରୀ ଦୁର୍ଗାଙ୍କ ସାଧନା
ମାତା ଦୁର୍ଗାଙ୍କ କୃପା ଅଭିଳାଷରେ ସମସ୍ତ କାମନା ଆଦିର ପୂର୍ତ୍ତି ସମାବିଷ୍ଟ ହୋଇଯାଇଥାଏ । କିନ୍ତୁ ଯେତେବେଳେ କୌଣସି ବିଶେଷ ପରିସ୍ଥିତିର କାରଣରୁ ସମସ୍ୟା ବଢ଼ିଯାଏ ଏବଂ ସଂକଟରୁ ରକ୍ଷା ପାଇବାକୁ କୌଣସି ବାଟ ଦେଖାଯାଇନଥାଏ, ସେତେବେଳେ ମାତାଙ୍କ ଶତ୍ରୁ ସଂହାରକ ରୂପକୁ ସ୍ମରଣ କଲେ ଅବଶ୍ୟ ଲାଭ ମିଳିବ ।