ଭାରତବର୍ଷ ଗୋଟିଏ ସୁଖପାଠ୍ୟ ଗଳ୍ପପୁସ୍ତକ ଭଳି, ମଧୁର ଓ ରହସ୍ୟମୟ । ଗଳ୍ପପୁସ୍ତକରେ ସନ୍ନିବେଶିତ କିଛି ଗଳ୍ପ ପରି ଭାରତର ବିଭିନ୍ନ ରାଜ୍ୟ, ଭାଷାଭାଷୀ ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଓ ଚକିତକାରକ ଅନେକ ପର୍ବ ଓ ଉତ୍ସବାନୁଷ୍ଠାନ ପ୍ରଚଳିତ । ଆମେ ଯେମିତି ଗପ ବହିରେ ପଢ଼ୁଥିବା ବିଷୟ ଓ ଲେଖାଯାଇଥିବା ରୋମାଞ୍ଚମୟ ପ୍ରତିଟି ବାକ୍ୟକୁ ବିଶ୍ୱାସ ନକଲେ ବି ଏକା ନିଶ୍ୱାସରେ ପଢ଼ି ଶେଷ କରିବାକୁ ତତ୍ପର ହୋଇଉଠୁ, ସେମିତି ଆମ ଦେଶର ବିଭିନ୍ନ ଅଞ୍ଚଳରେ ଲୋକପର୍ବକୁ ମନଭରି ଉପଭୋଗ କରିବାକୁ ଉଚ୍ଛନ୍ନ ହୋଇଉଠୁ । ଗପର ଆରମ୍ଭରୁ ଶେଷଯାଏଁ ଭରିରହିଥାଏ ଆମକୁ ଆନମନା କରିବାର ଭରପୂର ଉପାଦାନ- ଠିକ୍ ଆମର ପ୍ରଚଳିତ ଲୋକପର୍ବ ପଛରେ ଥିବା ରୋମାଞ୍ଚକର କାହାଣୀଟିଏ ପରି । କାହାଣୀର ବାସ୍ତବତା, ଯୁକ୍ତିଯୁକ୍ତତାକୁ ଆମେ ମସ୍ତିଷ୍କର ବିଚାରଶକ୍ତି ଉପରେ ତଉଲିବାକୁ ନଛାଡ଼ି, ହୃଦୟର ସ୍ପନ୍ଦରେ ମୂଲ୍ୟ ନିର୍ଦ୍ଧାରଣ କଲା ପରି ପ୍ରତିଟି ଲୋକପର୍ବ ପଛର କାହାଣୀର ମୂଳକୁ ଯିବା ଅପେକ୍ଷା ବିଶ୍ୱାସ ଓ ଆତ୍ମପ୍ରତ୍ୟୟ ଉପରେ ଅଧିକ ନିର୍ଭର କରୁ । ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର- ଏହି କଥାଟିକୁ ଆମେ ଯେମିତି ବୁଝୁ, ସେମିତି ସହଜରେ ମଧ୍ୟ ବୁଝାଇଦେଇ ପାରୁ । ଅବୁଝା ଲୋକଙ୍କୁ ଆମେ “ସବୁ ପ୍ରଶ୍ନର କ’ଣ ଉତ୍ତର ଦିଆହୁଏ?” ବୋଲି ଏକ ତାତ୍ସଲ୍ୟବୋଳା ଦାର୍ଶନିକ ପ୍ରଶ୍ନଟିଏ ପଚାରି ଚୁପ୍ କରାଇଦେଉ । ଅବୁଝା ଲୋକଟି ବୁଝେ କି ନାହିଁ, ଆମେ ଜାଣୁନା, କିନ୍ତୁ ସେ ବି ଲୋକ-ଶୋଭାଯାତ୍ରାରେ ସାମିଲ ହେବାରୁ ଭୂରିଭୂରି ପ୍ରମାଣ ମିଳେ ଯେ, ସେ ଯୁକ୍ତିରେ ଅସନ୍ତୁଷ୍ଟ ହୋଇଥିଲେ ବି ହୃଦୟରେ କଥାଟିକୁ ଅନୁଭବ କରିସାରିଛନ୍ତି! ପରମ୍ପରା ଓ ସଂସ୍କୃତିର ମହାନତା ଆଗରେ ସବୁ ଯୁକ୍ତିତର୍କ ଫିକା ପଡ଼ିଯାଏ । ଆସନ୍ତୁ ଜାଣିବା, ଏମିତି କିଛି ଉତ୍ସବ ସମ୍ବନ୍ଧରେ…
ବନି ଉତ୍ସବ-ମରିବା ଓ ମାରିବା ଯେଉଁଠି ସମାନ:
ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଅଛି ଦେବରାଗଟ୍ଟୁ ମନ୍ଦିର । ଏଠାକାର ଅଧିବାସୀଙ୍କ ପାଇଁ ବନି ଉତ୍ସବ ହେଉଛି ଜୀବନଧାରାର ଏକ ପ୍ରମୁଖ ଅଂଶ । ଆମ ପାଇଁ ହୁଏତ ଏହି ଉତ୍ସବ ଏକ ଆଶ୍ଚର୍ଯ୍ୟ ଏବଂ ଜୀବନଧାରା ଉପରେ ପ୍ରଶ୍ନ କରିବା ପାଇଁ ଏକ ବିରାଟ ପ୍ରଶ୍ନଚିହ୍ନ ଭଳି ହୋଇଥାଇପାରେ । ମାତ୍ର କୁର୍ଣ୍ଣୁଲ ଜିଲ୍ଲା ଓ ଏହାର ପାଖାପାଖି ପଡ଼ୋଶୀ କର୍ଣ୍ଣାଟକ ରାଜ୍ୟର ଅନେକ ଧର୍ମବିଶ୍ୱାସୀଙ୍କ ପାଇଁ ଏହା ଜମାରୁ ଆଶ୍ଚର୍ଯ୍ୟଜନକ ପରମ୍ପରା ନୁହେଁ । ଦଶହରା ଉତ୍ସବର ଦଶମୀ ତିଥି ଅର୍ଦ୍ଧରାତ୍ରୀରେ ଭକ୍ତଗଣ ହାତରେ ଲାଠି ଧରି ସମବେତ ହୁଅନ୍ତି ମନ୍ଦିର ପ୍ରାଙ୍ଗଣରେ ଓ ପରସ୍ପରର ମୁଣ୍ଡ ଉପରେ ଲାଠି ପ୍ରହାର କରନ୍ତି । ଏମିତି ଲାଠିମାଡ଼ ଚାଲେ ପାହାନ୍ତିଆ ହେବାଯାଏଁ । ମଥାରୁ ରକ୍ତ ଝରୁଥିବା ସତ୍ତ୍ୱେ ଭକ୍ତଗଣ ଉତ୍ସବ ପାଳନରେ ତଲ୍ଲୀନ ରହନ୍ତି । ଠେଙ୍ଗାମାଡ଼ କରୁଥିବା ଓ ରକ୍ତାକ୍ତ ହେଉଥିବା ଉଭୟ ପ୍ରକାରର ଭକ୍ତ ମନେକରନ୍ତି ସତେ ଯେପରି ମଲ-ମାଲ୍ଲେଶ୍ୱର ଶିବଙ୍କ ପ୍ରହାରରେ ରାକ୍ଷସ ନିଧନ ହେଉଛି । କୁହାଯାଏ ଯେ ବିଗତ ଶହେ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏହି ବନି ଉତ୍ସବ ପାଳିତ ହୋଇଆସୁଛି । ଆଗରୁ କୁଆଡ଼େ ଭକ୍ତମାନେ ହାତରେ ଠେଙ୍ଗା ବଦଳରେ ବର୍ଚ୍ଛା ଓ ଟାଙ୍ଗିଆ ଧରି ପରସ୍ପରକୁ ଆକ୍ରମଣ କରି ଅସୁରକୁ ହତ୍ୟା କରୁଥିବା ପରି ଅନୁଭବ କରୁଥିଲେ । ଏବେ କିନ୍ତୁ ମହାଦେବଙ୍କ ଅସ୍ତ୍ର ହୋଇଛି ଠେଙ୍ଗା । ଗତବର୍ଷ ଦଶହରାରେ ବନି ଉତ୍ସବରେ ମାତ୍ର ୫୬ଜଣ ଭକ୍ତ ଆହତ ହୋଇଥିବାର ରେକର୍ଡ ଅଛି ।
ଆଶ୍ଚର୍ଯ୍ୟର କଥା ଯେ, ମନ୍ଦିର ପରିସରରେ ପୋଲିସ୍ ଓ ଡାକ୍ତରଖାନା କର୍ମଚାରୀମାନେ ମୁତୟନ ହୋଇଥିଲେ ବି ନିରବଦ୍ରଷ୍ଟା ହୋଇ ରହିଥାଆନ୍ତି ଓ ଏପରି ନୃଶଂସ ରକ୍ତାକ୍ତ ପରମ୍ପରାକୁ ରାତି ପାହିଲା ଯାଏଁ ସହ୍ୟ କରନ୍ତି ।
ଥିମିଥି ପର୍ବ :
ଆମ ଓଡ଼ିଶାର ଝାମୁଯାତ୍ରାରେ ମାନସିକଧାରୀ ଭକ୍ତମାନେ ରଡ଼ନିଆଁ ଉପରେ ଚାଲିବା ଠାରୁ ଅଧିକ କଷ୍ଟଦାୟକ ପ୍ରଥାଟିଏ ଅଛି ଆମ ଦେଶର ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁରେ । ଯେକୌଣସି କାଳ୍ପନିକ କାହାଣୀକୁ ମାତ ଦେଇ ଚକିତ କଲାଭଳି ପର୍ବଟିଏ ପାଳିତ ହୁଏ ଏହି ରାଜ୍ୟରେ; ଯାହାର ନାମ ଥିମିଥି । ଏହି ଦକ୍ଷିଣ ଭାରତୀୟ ପରମ୍ପରା ଏବେ ଶ୍ରୀଲଙ୍କା, ସିଙ୍ଗାପୁର ଓ ଦକ୍ଷିଣ ଆଫି୍ରକାକୁ ମଧ୍ୟ ସଂପ୍ରସାରିତ ହୋଇଗଲାଣି ।ମହାଭାରତର କଥାବସ୍ତୁକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ପ୍ରାୟ ଅଢ଼େଇ ମାସ ଧରି ଏକ ଉତ୍ସବ ପାଳନ କରାଯିବା ବେଳେ ୧୮ଟି ପ୍ରମୁଖ ବିଷୟବସ୍ତୁ ଅଭିନୀତ ହୋଇଥାଏ । ଏହି ଅଭିନୟର ଅନ୍ୟତମ ପ୍ରମୁଖ ବିଷୟ ଦ୍ରୌପଦୀଙ୍କର ସତୀତ୍ୱ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କାହାଣୀ । ମହାଭାରତରେ ପଞ୍ଚପାଣ୍ଡବଙ୍କର ଧର୍ମପତ୍ନୀ ଦ୍ରୌପଦୀଙ୍କର ଜୟଗାନକୁ ନେଇ ଥିମିଥି ପର୍ବର ପରିକଳ୍ପନା । କଥାବସ୍ତୁ ଅନୁସାରେ, ମହାଭାରତ ଯୁଦ୍ଧର ପରିସମାପ୍ତି ପରେ କୁରୁକ୍ଷେତ୍ରର ରଣଭୂମିରେ ହିଁ ଦ୍ରୌପଦୀଙ୍କୁ ପରୀକ୍ଷା ଦେବାକୁ ପଡ଼େ । ସେ ଅଗ୍ନିପଥ ଉପରେ ଚାଲିକରି ଆସିବା ସତ୍ତ୍ୱେ ବି ଫୁଲଟିଏ ପରି ସତେଜ ରହିପାରନ୍ତି । ଏହି କଥାବସ୍ତୁ ଆଧାରରେ ଅଭିନୟ କରାଯାଏ ଓ ଦ୍ରୌପଦୀ ଅଭିନୟ କରୁଥିବା କଳାକାରଙ୍କୁ ଅଗ୍ନିକୁଣ୍ଡ ଉପରେ ଚାଲିବାକୁ ପଡ଼େ । ଜଗଜ୍ଜନନୀଙ୍କ କୃପା ପ୍ରାର୍ଥନା ଓ ବରପ୍ରାପ୍ତି ପାଇଁ ମାନସିକଧାରୀମାନେ ଦ୍ରୌପଦୀଙ୍କ ଅଭିନୟ ସରିବା ପରେ ସେହି ଅଗ୍ନିକୁଣ୍ଡ ଉପରେ ଚାଲନ୍ତି । ଏହା ଏକ ଧାର୍ମିକ ଉତ୍ସବ, ଯେଉଁଥିରେ ହଜାର ହଜାର ଲୋକ ଉତ୍ସାହର ସହିତ ଭାଗ ନିଅନ୍ତି ।
ସଭ୍ୟ ସମାଜ, ଏପରି ଏକ ମହିଳା ବିଦ୍ୱେଷୀ ପରମ୍ପରାକୁ ଯାହା କହୁନା କାହିଁକି, ଥିମିଥି ପର୍ବ ଆଜିବି ତାମିଲ ଭାଷୀଙ୍କର ଏକ ପାରମ୍ପରିକ ଓ ବିଶ୍ୱାସନୀୟ ଗଣଉତ୍ସବ ।
ଯେଉଁଠି ଶିଶୁଙ୍କୁ ଛାତ ଉପରୁ ତଳକୁ ଫିଙ୍ଗାଯାଏ:
ଆମର ଅନେକ ପ୍ରଥା ଓ ପରମ୍ପରା ସତେ ଯେମିତି ପ୍ରଶ୍ନାତୀତ । ଏହା ବିଶ୍ୱାସର ପ୍ରସଙ୍ଗ, ତର୍କ ଓ ଯୁକ୍ତିଯୁକ୍ତ କାରଣ ଅନୁସନ୍ଧାନର ପ୍ରସଙ୍ଗ ନୁହେଁ । ଆମ ଦେଶରେ ଅନେକ ଅଞ୍ଚଳରେ ଏମିତି ବହୁ ପ୍ରଶ୍ନାତୀତ ବିଶ୍ୱାସକୁ ଭିତ୍ତିକରି ଅନେକ ପ୍ରଥା ଓ ପରମ୍ପରା ଅନେକ ବର୍ଷ ତଳୁ ଚାଲିଆସିଛି, ଆଜି ବି ଚନ୍ଦ୍ରାୟନ-୨ ଯୁଗରେ ଚାଲିଛି । ନିଜର ଜନ୍ମ କଲା କୋମଳମତି ଶିଶୁ ସନ୍ତାନଙ୍କୁ ଏମିତି ବିଶ୍ୱାସ ଓ ପରମ୍ପରାର ଦ୍ୱାହି ଦେଇ ଉଭୟ ହିନ୍ଦୁ ଓ ମୁସଲମାନ ପିତାମାତା ଛାତ ଉପରୁ ତଳକୁ ଫିଙ୍ଗିଦେବା କଥାଟିକୁ ଆମେ ଆମ ରାଜ୍ୟରେ ହୁଏତ କଳ୍ପନା କରିପାରୁନେ, କିନ୍ତୁ ମହାରାଷ୍ଟ୍ର ରାଜ୍ୟର ସୋଲାପୁର ନିକଟସ୍ଥ ପ୍ରସିଦ୍ଧ ଦରଘା “ବାବା ଉମେର ଦରଘା”ରେ ଶିଶୁମାନଙ୍କୁ ପ୍ରାୟ ୫୦ଫୁଟ ଉଚ୍ଚତାରୁ ତଳକୁ ଫିଙ୍ଗି ଦିଆଯାଇଥାଏ । ଅବଶ୍ୟ କିଛି ଶ୍ରଦ୍ଧାଳୁ ଏହି ଶିଶୁମାନଙ୍କୁ ଅକ୍ଷତ ଭାବେ ଉଦ୍ଧାର କରିବା ଉଦେ୍ଦଶ୍ୟରେ ତଳେ ଗୋଟିଏ ବିରାଟ ସତରଞ୍ଜ ଧରି ପ୍ରସ୍ତୁତ ରହିଥାଆନ୍ତି । ତେବେ ଏତେ ଉଚ୍ଚତାରୁ ଶିଶୁମାନଙ୍କୁ ତଳକୁ ପକାଇଦେବା କଥାଟିକୁ ପରିକଳ୍ପନା କଲାବେଳେ ଦେହ ଶୀତେଇ ଯାଉ ନାହିଁ କି?
ବାବା ଉମେର ଦରଘା ପରି କର୍ଣ୍ଣାଟକ ରାଜ୍ୟର ଇଣ୍ଡି ନିକଟସ୍ଥ ଶ୍ରୀସନ୍ତେଶ୍ୱର ମନ୍ଦିରରେ ବିଗତ ୭୦୦ ବର୍ଷ ଧରି ଏହିପରି ଶିଶୁ ଫିଙ୍ଗା ପର୍ବ ପାଳିତ ହୋଇ ଆସୁଥିବାର ଜଣାଯାଇଛି । ବାପା ମା’ ଏହି ମନ୍ଦିର ପରିସରରେ ନିଜର ଶିଶୁ ସନ୍ତାନମାନଙ୍କୁ ଉଚ୍ଚସ୍ଥାନରୁ ତଳକୁ ଫିଙ୍ଗିଲେ କୁଆଡ଼େ ପରିବାରର ସମସ୍ତ ସଦସ୍ୟଙ୍କର ସମୃଦ୍ଧି ସାଧିତ ହୁଏ! ଏନ୍ସିପିସି ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏହିପରି ପାରମ୍ପରିକ ଉତ୍ସବାନୁଷ୍ଠାନମାନଙ୍କରେ ଧାର୍ମିକ ବିଶ୍ୱାସ ଉପରେ ଆଧାରିତ ଶିଶୁଙ୍କ ପ୍ରତି କରାଯାଉଥିବା ନିର୍ଯାତନା ଅଭିଯୋଗ ଉପରେ ଅନୁସନ୍ଧାନ କରୁଛନ୍ତି ।
ତେବେ, ପିଲାଙ୍କୁ ଏତେ ଉଚ୍ଚତାରୁ ତଳକୁ ଫିଙ୍ଗି ଦିଆଯାଉଥିଲେ ବି କେହି ଜଣେ ବି ଶିଶୁ ଆହତ ହୋଇଥିବାର ଅଭିଯୋଗ ନମିଳିବା ଆଶ୍ଚର୍ଯ୍ୟଜନକ ନୁହେଁ କି? ସ୍ୱୟଂ ଜନ୍ମକଲା ବାପା ମା’ ଓ ପରିଜନ ସ୍ୱଇଚ୍ଛାରେ ସମସ୍ତଙ୍କ ମଙ୍ଗଳ ଓ ସମୃଦ୍ଧି ମାନସିକ କରି ଏପରି ଲୋମହର୍ଷଣକାରୀ ପରମ୍ପରାକୁ ଚଳାଇ ରଖିଲେ ଅଭିଯୋଗ ନ ଆସିବା ସ୍ୱାଭାବିକ । ଛୋଟ ଶିଶୁଟିଏ ଉଚ୍ଚ ସ୍ଥାନରୁ ତଳକୁ ଖସିଆସୁଥିବାର ଅନୁଭବ ପାଇବ ସିନା, ଅଭିଯୋଗ କରିବାକୁ ଭାଷା ଓ ସାହସ ସଂଗ୍ରହ କରିବ କିପରି? ତେବେ, ଆଜିବି ଏପରି ଏକ ପ୍ରଥା ଚାଲୁରହିଛି, ଏହା କିଛି କମ୍ ରୋମାଞ୍ଚକର ନୁହେଁ ।
ଅଇଁଠାପତ୍ର ଉପରେ ଗଡ଼ିଗଡ଼ି ପାଳିତ ହୁଏ ମଦେୟ ସ୍ନାନ:
ଆଜିବି ଆମ ଭାରତୀୟ ସମାଜରେ କୁତ୍ସିତ ଜାତିପ୍ରଥା ରହିଛି । ଜାତିବୈଷମ୍ୟ ଆମ ଦେଶର ଅନ୍ୟତମ ସମସ୍ୟା ରୂପେ ଆଜିବି ସ୍ଥାନେ ସ୍ଥାନେ ଅତ୍ୟନ୍ତ ଉକ୍ରଟ ରହିଛି । ଆମର ଶିକ୍ଷିତ ଯୁବସମାଜ ଜାତିପ୍ରଥା ଓ ଛୁଅାଁଅଛୁଅାଁ ଭେଦଭାବଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି ଓ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି ସତ, ତଥାପି ଅନେକେ ଏହି କୁତ୍ସିତ ପ୍ରଥାକୁ ଆଜିବି ଜାବୁଡ଼ି ଧରିଛନ୍ତି ।
‘ମଦେୟ ସ୍ନାନ’ ନାମରେ ଏକ ଚକିତକାରକ କୁତ୍ସିତ ପରମ୍ପରା କର୍ଣ୍ଣାଟକ ରାଜ୍ୟର ‘କୁକେ ସୁବ୍ୟମନିଆ’ ମନ୍ଦିରରେ ଶହ ଶହ ବର୍ଷ ଧରି ଚାଲିଆସୁଛି । ‘ମଦେୟ ସ୍ନାନ’କୁ ଆମେ ଅଇଁଠା ପତ୍ର ଉପରେ ଖୋଲାଦେହରେ ଗଡ଼ି ଗାଧୋଇବା କହିପାରିବା । ବ୍ରାହ୍ମଣମାନେ କଦଳୀପତ୍ରରେ ଭୋଜନ କରିସାରିବା ପରେ ଅଇଁଠା ପତ୍ରରେ ରହିଥିବା ଉଚ୍ଛିଷ୍ଟ ଉପରେ ଗୋଟିଏ ମୁଣ୍ଡରୁ ଆରମୁଣ୍ଡ ଯାଏ ଗଡ଼ି ଗଡ଼ି ଯାଆନ୍ତି । ଦଳିତବର୍ଗର ଲୋକମାନେ ଉଚ୍ଚବର୍ଗ-ବ୍ରାହ୍ମଣଙ୍କର ଅଇଁଠା ସର୍ବାଙ୍ଗରେ ବୋଳି ହେଲେ କୁଆଡ଼େ ନାନାଦି ରୋଗରୁ ମୁକ୍ତି ପାଆନ୍ତି!
ରାଜ୍ୟ ସରକାର ୨୦୧୦ ମସିହାରେ ଏହି ‘ମଦେୟ ସ୍ନାନ’କୁ ନିଷିଦ୍ଧ ଘୋଷଣା କରିଥିଲେ ହେଁ ମାଲେକୁଦିୟା ସଂପ୍ରଦାୟର ଆଦିବାସୀଙ୍କ ବିରୋଧ କାରଣରୁ ପରବର୍ଷ ୨୦୧୧ ମସିହାରେ ନିଷେଧାଦେଶ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ତେବେ ଖୁସିର କଥା ଯେ, ଏହାକୁ ନିଷେଧ କରିବାକୁ ଏକ ଆଇନ୍ ପ୍ରଣୟନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ଣ୍ଣାଟକ ଅନ୍ଧବିଶ୍ୱାସ ଆଧାରିତ ରୀତିନୀତି ନିଷେଧ ବିଲ୍-୨୦୧୩ ଉପରେ ବିଚାର ବିମର୍ଶ ଚାଲିଛି । ମଦେୟ ସ୍ନାନ ପ୍ରଥାକୁ ଏକ ଅନ୍ଧବିଶ୍ୱାସ ଭାବେ ଲିପିବଦ୍ଧ କରାଯାଇଛି । କର୍ଣ୍ଣାଟକର ଶିକ୍ଷିତ ଓ ବୁଦ୍ଧିଜୀବୀ ସମାଜ ଏହି ଅନ୍ଧବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଓ ଏହି କୁତ୍ସିତ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଯୋଗାଉଥିବା ସମସ୍ତ ବର୍ଗଙ୍କୁ ସଚେତନ କରାଉଛନ୍ତି ।
ଚିକିତ୍ସା ବିଜ୍ଞାନର ଉନ୍ନତି ସତ୍ତ୍ୱେ ମଦେୟ ସ୍ନାନ ଯୋଗୁଁ ନିରାମୟ ରହିବାର ଅନ୍ଧବିଶ୍ୱାସ ଆଜିବି ବଳବତ୍ତର ରହିଛି; ଏହା ଭାବିଲେ ସତରେ ଆଶ୍ଚର୍ଯ୍ୟ ଚକିତ ହେବାକୁ ପଡୁନାହିଁ କି?
ଜୈନ ମୁନୀଙ୍କ କେଶ ଲୋଚନ ପ୍ରଥା :
ଆମେ ବିଶ୍ୱାସ କରୁ ଯେ, ମାନବଜୀବନର ଶେଷ ହେଉଛି ମୋକ୍ଷପ୍ରାପ୍ତି । ମୋକ୍ଷପ୍ରାପ୍ତ ହେବାକୁ ଯୁଗେ ଯୁଗେ ମଣିଷ କୁଚ୍ଛ୍ର ସାଧନ କରିଆସିଛି । ଏଣୁ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଧରି ନେଇଥାନ୍ତି ଯେ, ମୋକ୍ଷ ପ୍ରାପ୍ତି ପଥରେ ଆସୁଥିବା ବାଧାବିଘ୍ନର ଅନ୍ୟନାମ ଅଜ୍ଞାନ ।
ଜୈନଧର୍ମର ଅନେକ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ଯେ, ମଣିଷଙ୍କର କେଶ ହିଁ ମଣିଷ ମନରେ ସୃଷ୍ଟ ବିଭ୍ରାନ୍ତି, ମାୟା ଓ ଅହଙ୍କାରର ପ୍ରତୀକ । ଏଣୁ କେଶଟିକୁ ସୃଷ୍ଟି ହେବା ମାତ୍ରକେ ଜୈନ ସାଧୁ ସନ୍ନ୍ୟାସୀ ଓ ସାଧ୍ୱୀମାନେ ସାଂସାରିକ ମୋହ, ମାୟା ମୁକ୍ତି ପାଇଁ ନିଜର ମସ୍ତକରୁ ଗୋଟିଗୋଟି କରି କେଶକୁ ଉପାଡ଼ି ନିପାତ କରିବାର ପ୍ରଯତ୍ନ କରନ୍ତି । ସତେ ଯେମିତି କେଶମୁକ୍ତ ଲଣ୍ଡିତ ମସ୍ତକ ହିଁ ସେମାନଙ୍କୁ ସାଂସାରିକ ମୋହ, ବିଭ୍ରାନ୍ତି, ମାୟା ଓ ଅହଙ୍କାର ମୁକ୍ତ କରି ରଖିବ ।
ଗୋଟିଗୋଟି କରି, ନିଜ ହାତରେ, ପ୍ରତିଟି କେଶକୁ ମୂଳୋତ୍ପାଟନ କରିବା ଯନ୍ତ୍ରଣା ଦାୟକ ହୋଇଥିଲେ ହେଁ, ଏପରି କରାଯାଏ । ଫଳତଃ ମସ୍ତକରେ କ୍ଷତ ମଧ୍ୟ ସୃଷ୍ଟି ହୁଏ । ଏହି କ୍ଷତକୁ ଶୁଖାଇ ଭଲ କରିବା ପାଇଁ ଗୋମୟରୁ ପ୍ରସ୍ତୁତ ଘଷି-ପାଉଁଶ ବ୍ୟବହାର କରାଯାଏ । ଏହି ସମୁଦାୟ କାର୍ଯ୍ୟକ୍ରମକୁ ‘କେଶଲୋଚନ’ କୁହାଯାଏ ।
‘ଆଦି’- ମୁଣ୍ଡରେ ନଡ଼ିଆ ଭାଙ୍ଗିବାର ଏକ ପ୍ରଥା :
ପ୍ରତିବର୍ଷ ତାମିଲ ମାସ ‘ଆଦି’ର ଅଷ୍ଟାଦଶ ଦିବସରେ କରୁର୍ ଜିଲ୍ଲାରେ ଅବସ୍ଥିତ ମେଟ୍ଟୁ ମହାଧନପୁରମ୍ ସହରରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ଭକ୍ତଗଣ ଏକାଠି ହୁଅନ୍ତି ଗୋଟିଏ ବିସ୍ମୟକର ପର୍ବପାଳିବା ପାଇଁ, ଯାହାର ନାମ ‘ଆଦି’ । ଭକ୍ତମାନେ ଭକ୍ତି ଓ ନିଷ୍ଠାର ସହିତ ସେମାନଙ୍କ ମସ୍ତକରେ ନଡ଼ିଆ ପିଟି ମହାଲକ୍ଷ୍ମୀଙ୍କ ନୈବେଦ୍ୟ ବାଢ଼ିବାକୁ ପୂଜକଙ୍କୁ ସ୍ୱଇଚ୍ଛାରେ ନିବେଦନ କରନ୍ତି । ଏଥିରେ କୁଆଡ଼େ ସେମାନେ ସ୍ୱାସ୍ଥ୍ୟ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଆନ୍ତି ।
ଆମର ପ୍ରତିଟି ରୀତିନୀତି ଓ ପରମ୍ପରା ପଛରେ ଗୋଟିଏ ଗୋଟିଏ ବହୁଳ ଚର୍ଚ୍ଚିତ କାହାଣୀ ଥିବା ପରି ମୁଣ୍ଡରେ ନଡ଼ିଆ ପିଟାଯିବା ପରମ୍ପରା ପଛରେ ମଧ୍ୟ କିଛି କାହାଣୀ ରହିଛି । ଏବେ ମହାଲକ୍ଷ୍ମୀଙ୍କ ମନ୍ଦିର ଥିବା ସ୍ଥାନରୁ ୧୮୭ଟି ପଥର ତିଆରି ନଡ଼ିଆ ମାଟିତଳୁ ଉଦ୍ଧାର କରାଯାଇଥିଲା । ରାଜୁଡ଼ା ଶାସନ କାଳରେ ମାନ୍ଦ୍ରାଜଠାରୁ କଲିକତା ଯାଏଁ ରେଳପଥ ନିର୍ମାଣ କରୁଥିଲେ ଇଂରେଜ ଶାସକମାନେ । ସେତିକିବେଳେ ରେଳ ମାର୍ଗରେ ପ୍ରତିବନ୍ଧକ ଭାବେ ଠିଆ ହୋଇଥିଲା ଏହି ପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିର । ପ୍ରବଳ ଜନଆନେ୍ଦାଳନ ହେଲା । ଯେମିତି ହେଲେ ମନ୍ଦିରକୁ ଭାଙ୍ଗିବାକୁ ନଦେଇ ରେଳପଥକୁ ବୁଲାଇ କରି ନିର୍ମାଣ କରିବାକୁ ଚାପ ପଡ଼ିଲା । ଇଂରେଜ ସରକାର ଲୋକଙ୍କର ଭକ୍ତି ଭାବ ମାପିବାକୁ ଗୋଟିଏ ଫିକର କଲେ । ଚୁକ୍ତି ହେଲା ଯେ, ଯଦି ଭକ୍ତମାନେ ଏହି ପଥରରୁ ନିର୍ମିତ ନଡ଼ିଆକୁ ନିଜ ମୁଣ୍ଡରେ ପିଟି ଫଟାଇ ଦେଇପାରିବେ, ରାସ୍ତାଟିକୁ ବୁଲାଇ ନିଆଯିବ ଓ ମନ୍ଦିରକୁ ଅକ୍ଷତ ରଖାଯିବ । ନହେଲେ ମନ୍ଦିରକୁ ଭାଙ୍ଗି ପୂର୍ବନିର୍ଦ୍ଧାରିତ ମାର୍ଗରେ ରେଳପଥ ନିର୍ମାଣ ହେବ ।
ଏପରି ଏକ ଅସମ୍ଭବକୁ ସମ୍ଭବ କଲେ ଗ୍ରାମବାସୀ । ମା’ ମହାଲକ୍ଷ୍ମୀଙ୍କ ମହିମା କାରଣରୁ ପଥର ତିଆରି ନଡ଼ିଆ ମୁଣ୍ଡରେ ପିଟି ନୈବେଦ୍ୟ ରୂପେ ଅର୍ପଣ କରାଗଲା । ସେହି ଦିନଠାରୁ ସତସତିକା ନଡ଼ିଆକୁ ନିଜ ମୁଣ୍ଡରେ ପିଟି ନୈବେଦ୍ୟ ଅର୍ପଣ କରାଯାଉଛି ମହାଲକ୍ଷ୍ମୀଙ୍କ ପାଖରେ । ଡାକ୍ତରୀ ବିଜ୍ଞାନୀଙ୍କ ଶତ ଅନୁରୋଧ ଓ ସତର୍କ ସୂଚନା ସତ୍ତ୍ୱେ ଭକ୍ତମାନେ ଆଜିବି ପରମ୍ପରାକୁ ଜୀବନ୍ତ ରଖିଛନ୍ତି ।
ବିନା ବରରେ ବାହାଘର:
ଆମ ଦେଶରେ ବାହାଘର ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ । ବରପକ୍ଷ ଯେତିକି ତତ୍ପରତା ପ୍ରକାଶ କରନ୍ତି ତାହା ଅପେକ୍ଷା କନ୍ୟାପକ୍ଷ ଅଧିକ ତତ୍ପର ହୋଇଯାଆନ୍ତି । ତେବେ କନ୍ୟାପକ୍ଷଙ୍କ ପାଇଁ ଉତ୍ସବ ଆରମ୍ଭ ହୁଏ, ଯେଉଁଦିନ ତାଙ୍କର ପରିବାରର ଝିଅଟିଏ ପ୍ରଥମଥର ପାଇଁ ରଜସ୍ୱଳା ହେଲା । ସେଦିନ ସାଇ ଭାଇ, ବନ୍ଧୁବାନ୍ଧବ, କୁଟୁମ୍ବ ଲୋକଙ୍କୁ ଜଣାଇ ଦିଆଯାଏ ଯେ, ଝିଅ ବଡ଼ ହେଲା, ଜ୍ଞାନ ପାଇଲା । ଏଥିପାଇଁ ଉତ୍ସବର ଆୟୋଜନ ମଧ୍ୟ କରାଯାଏ । ଛାତି ଫୁଲେଇ ପରିବାର ଲୋକମାନେ, ଆଗ୍ରହର ସହିତ ଉତ୍ସବମୁଖର ହୋଇଯାଆନ୍ତି । ଆମ ରାଜ୍ୟର ଅନେକ ପୂର୍ବତନ ଗଡ଼ଜାତ ଅଞ୍ଚଳରେ ଏହି ଉତ୍ସବରେ ଭୋଜିଭାତ, ଉପହାର ପ୍ରଦାନ ମଧ୍ୟ କରାଯାଇଥାଏ । ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହିପରି ରୀତିନୀତି ମଧ୍ୟ ରହିଛି । ଏହାର ଗୋଟିଏ ମାତ୍ର ଉଦେ୍ଦଶ୍ୟ ଯେ, ସମସ୍ତେ ଜାଣନ୍ତୁ, ଆମ ଝିଅ ବାହାହେବା ପାଇଁ ବା ଘରବସେଇବା ପାଇଁ ଘରଯୋଗ୍ୟା ହୋଇଗଲାଣି । ଏଣୁ ପ୍ରସ୍ତାବ ଆସିଲେ ଆମେ ଝିଅକୁ ହାତକୁ ଦୁଇହାତ କରିଦେବୁ ।
ଅନେକ ସ୍ଥାନରେ ରଜସ୍ୱଳା ହେବାର ସାତଦିନ ପରେ ଝିଅକୁ ଗାଧୋଇବା ପାଇଁ ଅନୁମତି ମିଳେ । ହଳଦୀ-ତେଲ ଲଗାଇ ଗାଧୋଇ ଦିଆଗଲା ପରେ ପରିବାରବର୍ଗ ଝିଅଟିକୁ ବୋହୂ ବେଶରେ ସଜାଇ ମିଛିମିଛିକା ବିନା ବରରେ ବାହାଘର କରିସାରିଲା ପରେ କନ୍ୟାବିଦା କରିଦିଅନ୍ତି । ବନ୍ଧୁ, ପରିଜନଙ୍କୁ ନିମନ୍ତ୍ରଣ କରାଯାଏ । ସେମାନେ ବାହାଘର ଦେଖନ୍ତି, ବଧୂକୁ ଆଶୀର୍ବାଦ ଓ ଉପଢ଼ୌକନ ପ୍ରଦାନ କରନ୍ତି । ଝିଅକୁ ବିଦା କରି ଘରର ଅନ୍ୟ ଏକ କୋଠରି ଭିତରେ ବସ୍ତୁତଃ ବନ୍ଦୀ କରି ରଖାଯାଏ ଏକ କୁମାରୀ କନ୍ୟାଟିକୁ । ତାକୁ କଡ଼ା ନଜରରେ କିଛିଦିନ ରଖାଯାଏ । ଏପରିକି ନିଜର ବାପା ଓ ଭାଇଙ୍କ ସମେତ କୌଣସି ପୁରୁଷଙ୍କର ଛାଇ ପଡ଼ିବାକୁ ଦିଆଯାଏନା ।