ଦିନର ଅଭିମାନ
ରାତିକୁ ନଥାଏ
କଥାର ବାସ୍ନାରେ
ନରମି ଯାଏ
ସମୟର ସ୍ୱର ।
ଅନ୍ଧାରରେ
ସ୍ୱପ୍ନର ମହଲ ଛୁଏଁ
ଆଖି,
ସେପାଖରେ
ଏକାବେଳେ ସବୁ ନଈ
ବହିବା ଆରମ୍ଭ କରନ୍ତି ।
ଛାତିରେ ପିଟିହୁଏ
ଦୂରରୁ ଆସୁଥିବା
ପରିଚିତ ନିଃଶ୍ୱାସର ଶବ୍ଦ
ରାତିର ଅଭିମାନ
ରେଳଯାତ୍ରାରେ
ହଜିବା ଆରମ୍ଭ କରେ,
ବିଶ୍ୱାସର ସ୍ପନ୍ଦନ ସବୁ
ଝର୍କା ଦେଇ
ଚାଲିଆସନ୍ତି ଭୁବନେଶ୍ୱର ।
ସେଠି ସବୁ ଅଛି
ସୁନ୍ଦର ବେଳାଭୂମି
ରଙ୍ଗ ବେରଙ୍ଗର ଫୁଲ
ସୁଉଚ୍ଚ ଅଟ୍ଟାଳିକା
ଅନେକ ମନ୍ଦିର ।
ସୁଦୀର୍ଘ ଯାତ୍ରାପଥ
ମନ ଖୋଲି ଗାଇବାକୁ ଗୀତ
ସେଠି ଅଛି ବିଳାସର
ଜୀବନ୍ତ ପ୍ରାସାଦ
ବୁଲିବାକୁ ଅସରନ୍ତି ଜାଗା ।
ଏଠି ସବୁ ଶୂନଶାନ
ହଜିଚି ଜୀବନ ।
ସେଠି ରାତି ଦିନ
ଜାଣି ହେବ ନାହିଁ
ଅନ୍ଧାର ବଢ଼ିଲେ
ଉଜ୍ୱଳ ଆଲୋକମାଳା
ଦେହକୁ ଛୁଇଁବ
ଦିନ ପରି ମନେହେବ
ପ୍ରତିଟି ପ୍ରହର,
ଅହରହ ଲାଗିଥିବ
ଲୋକଙ୍କର ଭିଡ ।
ଚାରିଆଡ଼େ ଶୁଭୁଥିବ
ଗହଳି ଚହଳି
ମନକୁ ଛୁଉଁଥିବ
ନୀଳ ସ୍ୱପ୍ନ
ସଂଭ୍ରାନ୍ତ ସହରର ଚିତ୍ର ।
ଜୀବନ କାହାଣୀରେ
ଯୋଡ଼ି ହେବ
ନୂଆ ନୂଆ
ଅନୁଭୂତିର ବାକ୍ୟ
ଅସରନ୍ତି ଅନୁଭବର ପୃଷ୍ଠା ।
ପଛକୁ ରହିଯିବ
ପରିଚିତ ମୁହଁ
ହଜିଯିବ
ଅଭିମାନର ସ୍ୱର ।
ଏଠି ଏବେ କିଛି ନାହିଁ
ଭସା ବାଦଲର ଛାଇ
ଧୀରେ ଧୀରେ
ଚାଲିବା ଆରମ୍ଭ କରିଛି,
ନଈ ସବୁ ଶୁଖିଲାଣି
ଆଉ କିଛି ସମୟ ପରେ
ଫୁଙ୍ଗୁଳା ଆକାଶ ତଳେ
ମରୁଭୂମି ଦେଖିବାକୁ ହେବ
ପହଞ୍ଚିବ ମୃତ୍ୟୁର ମୁହୂର୍ତ୍ତ ।