ଘରେ ସିଲିଂ ଫ୍ୟାନ ଗୋଟାଏ ଲଗେଇବାକୁ ତାଙ୍କର ବହୁତ ଦିନରୁ ଇଚ୍ଛା, ଅବଶ୍ୟ ଏ ଘରେ ପବନର ବିଶେଷ ଅଭାବ ନାହିଁ, ଅତି କଷ୍ଟରେ ଗାଆଁରୁ ଜମିବାଡ଼ି ବିକି ଏଇ ଘର ଖଣ୍ଡିକ କରିଛନ୍ତି ନରହରିବାବୁ, ସେମିତି କିଛି ବଡ଼ ଚାକିରୀ ନୁହେଁ-ସାମାନ୍ୟ କିରାଣୀ, ସେଥିରୁ ପୁଣି କିଛି ସଞ୍ଚୟ କରିବାକୁ ହେବ । ମୁଣ୍ଡ ଉପରେ ତିନି ତିନିଟା ଝିଅଙ୍କର ବୋଝ । ପୁଅଟିର ଭବିଷ୍ୟତ ଚିନ୍ତା । ତା’ଭିତରେ ଆଉ ନିଜ ସଉକ ପାଇଁ ଭାବିବାକୁ ବେଳ କାହିଁ? ନହେଲେ ଆଜିକାଲି ଘରେ ଘରେ ଟି.ଭି, ଫ୍ରିଜ୍ । ଅଥଚ ସେ ଅଫିସରୁ ଫେରି ମୁହଁ ହାତ ଧୋଇ ଭିଜା ଗାମୁଚ୍ଛା ଦେହରେ ପକେଇ ଦାଣ୍ଡ ପିଣ୍ଢାରେ କିଛି ସମୟ ବସି ଦେହକୁ ଥଣ୍ଡା କରନ୍ତି ସିନା କିନ୍ତୁ ମିଜାଜ୍ଟା ତାଙ୍କର ଦିନକୁ ଦିନ ଚିଡ଼ିଚିଡ଼ା ହେଲାଣି । ଓଦା ଗାମୁଚ୍ଛା, ଚାହା କପ୍, କେଉଁଦିନ ଚୁଡ଼ା ଭଜା, କେଉଁଦିନ ମୁଡ଼ି ପକୋଡ଼ି ବା ଉପମା ହାଲୁଆରେ ସେ ମିଜାଜ୍ ଥଣ୍ଡା ହୁଏ ନାହିଁ । ଏଥର ଟେବୁଲ୍ ପଙ୍ଖାଟାଏ କିଣିବେ ବୋଲି ଭାବୁଛନ୍ତି ।
କେତେ ସ୍ୱପ୍ନଥିଲା ତାଙ୍କର । ଏମ୍.ଏ ପାସ୍ କରି ସେକ୍ରେଟେରୀଏଟ୍ରେ କିରାଣୀ ହୋଇଥିଲେ ସିନା କିନ୍ତୁ ଆଶା ଥିଲା ତାରି ଭିତରେ ପଢ଼ାପଢ଼ି କରି କମ୍ପିଟିଟିଭ୍ ପରୀକ୍ଷା ଦେବେ, କେଉଁଠି ନା କେଉଁଠି କିଛି ଗୋଟାଏ ବାଜିଯିବ ନିଶ୍ଚେ । ଏଇ ଅପେକ୍ଷାରେ ତିନିରୁ ଚାରିବର୍ଷ କଟିଗଲା । ଆଉ କିଛି ହେଲାନି । ବଡ଼ ଚାକିରୀ ହେଲାନି କିନ୍ତୁ ବଡ଼ ସଂସାର ହେଲା, ବାହାଘର ହେଲା ସୁମିତ୍ରା ଦେବୀଙ୍କ ସହିତ । ପ୍ରଥମ କନ୍ୟା ଭୂମିଷ୍ଟା ହେଲା, ଆହ୍ଲାଦରେ ହଜାରେ ନାଁ ଦିଆହେଲା-ସେଥିରୁ ଗୋଟାଏ ବଛା ହେଲା ଶୁଭଶ୍ରୀ । ପ୍ରଥମ ଝିଅ-ଘରକୁ ଲକ୍ଷ୍ମୀ ଆସିଲା ବୋଲି ସମସ୍ତେ କହିଲେ । ସୁମିତ୍ରା ଦେବୀ ଅଧା ସମୟରେ ଗାଆଁରେ ରହନ୍ତି । କେବେ କେବେ କ୍ୱାଟର୍ସକୁ ଆସନ୍ତି । ଶୁଭଶ୍ରୀର ଦୁଇ ବର୍ଷ ପରେ ପୁଣି ଏକ କନ୍ୟାସନ୍ତାନ ଜାତ । ନରହରି ବାବୁଙ୍କ ବାପା ମା’ ସାମାନ୍ୟ ମନ ଖରାପ କଲେ ବି ମୁହଁରେ କହିଲେ, ‘ଝିଅଟା ଏକୁଟିଆ କେମିତି ଖେଳିଥାନ୍ତା? ଭଲ ହେଲା ସାଙ୍ଗକୁ ସାନ ଭଉଣୀଟିଏ ଆସିଲା ।’ ଶୁଭଶ୍ରୀ ସାଙ୍ଗେ ଛନ୍ଦ ମିଳାଇ ନାଁ ରଖାହେଲା ‘ରାଜଶ୍ରୀ’ । ଦୁଇ ଝିଅଙ୍କୁ ନେଇ ସୁମିତ୍ରା ଦେବୀ ପୁରାପୁରି ସହରବାସିନୀ ହେଲା । ଗାଁରୁ ଶାଶୁ-ଶ୍ୱଶୁର ଚୁଡ଼ା, ଚାଉଳ, ଘିଅ ନଡ଼ିଆ ମଝିରେ ମଝିରେ ପଠେଇ ଦିଅନ୍ତି । ସୁଖି ପରିବାର ପରି ଚଳି ଯାଉଥିଲେ ନରହରି ବାବୁ । ତାର ତିନି ବର୍ଷ ପରେ ଭୂମିଷ୍ଠ ହେଲା କନ୍ୟା ସନ୍ତାନ । ଏଥରକ ପରିବାର ନିୟନ୍ତ୍ରଣ କରିବାକୁ ହେବ ଭାବିଲେ ନରହରିବାବୁ । କିନ୍ତୁ ଦାଉ ସାଧିଲେ ତାଙ୍କ ବୁଢ଼ୀମା, କହିଲେ, ‘ମଲା ତିନିଟା ବୋଲି ଝିଅଙ୍କୁ ପାରିକରି ପାରିବୁନି ଯଦି ତୋ ବାପା ତୋତେ ଏତେ ପାଠ ପଢ଼େଇ ଚାକିରୀଆ କରେଇଥିଲେ କାହିଁକି? କଉ ଦଶଟା ନା ଗଣ୍ଡାଏ ଛୁଆ ଯେ ସେଥିରେ ପୁଣି କହୁଛି କଣ ନା ଅପରେସନ୍ । ଆମ ଗାଆଁ ହରିଆ ତନ୍ତୀର ଚାରି ଚାରିଟା ଝିଅ ବାହା ଦେଇଛି ଯେ ଝିଅମାନେ ଶାଶୁ ଘରେ ରାଜରାଣୀ ପରି ଚଳୁଛନ୍ତି । ସଦିଆ ପାଣ ତିନିଟା ଝିଅଙ୍କୁ ପାରି କଲାଣି । ଆହୁରି ଦି ପୁଅ ପରେ କୋଳ ପୋଛା ଝିଅଟାଏ ଅଛି । ତୋତେ କାହିଁକି ବାଧୁଛି? ଯଦି ପାଳି ପୋଷି ନପାରିବୁ ତାହା ହେଲେ ଆମ ପାଖେ ଗାଁରେ ଛାଡ଼ିଦେ । ମୋ ମନ ତ କହୁଛି ଏଥରକ ନିଶ୍ଚୟ ପୁଅଟିଏ ହେବ । ତେଣୁ ବାଧ୍ୟ ହୋଇ ତୃତୀୟର ବି ନାଁ ମିଳେଇ ସେଇ ଛନ୍ଦରେ ରଖାଗଲା ‘ଇତିଶ୍ରୀ’ । ନରହରିବାବୁ-ସୁମିତ୍ରା ଦେବୀ ତଥା ଦୁହିଁଙ୍କ ବାପା-ମା, ବନ୍ଧୁବାନ୍ଧବ ସମସ୍ତେ ପ୍ରାର୍ଥନା କଲେ ଏଇଠି ଯେମିତି ଇତି ହେଉ ଶ୍ରୀଦେବୀମାନଙ୍କର ଆବିର୍ଭାବ ।
ନରହରି ବାବୁ ବାପା ମା’ଙ୍କର ଏମାତ୍ର ସନ୍ତାନ । ତାଙ୍କର ଯଦି ପୁଅଟିଏ ନହୁଏ ବଂଶ ରକ୍ଷା ହେବ କେମିତି? ସେତେବେଳକୁ ବଡ଼ ଶୁଭଶ୍ରୀର ହାତ ଧରି ରାଜଶ୍ରୀ ବି ସ୍କୁଲ ଗଲାଣି । ସଂସାର ଖର୍ଚ୍ଚ ବଢ଼ିଲାଣି । କିନ୍ତୁ ଏତେ ରକ୍ଷଣଶୀଳତା ସତ୍ତ୍ୱେ ନରହରିବାବୁ ଝିଅମାନଙ୍କୁ ହେୟ ମନେ କରୁନଥିଲେ । ଝିଅମାନେ ପଢ଼ନ୍ତୁ, ପଢ଼ିବାରେ କ୍ଷତି କ’ଣ? ଉଦ୍ଧତ ନହେଲେ ହେଲା, ଇତିଶ୍ରୀ ସ୍କୁଲ ଗଲାବେଳକୁ ଭୂମିଷ୍ଟ ହେଲା ନରହରି ମିଶ୍ରଙ୍କର ଚତୁର୍ଥ ସନ୍ତାନ । ଅନେକ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇ ପୁତ୍ରରତ୍ନଟି ପ୍ରାପ୍ତ ହୋଇଥିବାରୁ ତାର ନାମ ଦିଆଗଲା ଦେବାର୍ଚ୍ଚନ । ଭଉଣୀମାନେ ସାନ ଭାଇଟିକୁ ଖେଳଣା ପରି ମନେ କରନ୍ତି । ‘ଦେବୁ’ ସମସ୍ତଙ୍କର ଜୀବନ ।
ନରହରି ମିଶ୍ରଙ୍କର ବୃଦ୍ଧ ପିତା ଓ ମାତା ଅଳ୍ପଦିନ ପରେ ସଂସାରରୁ ବିଦାୟ ନେଲେ । ଗାଁର ଜମିବାଡ଼ି ଦେଖିବାକୁ ଆଉ କେହି ନାହଁ, ତେଣୁ ସେ ସବୁ ବିକ୍ରୀ କରିଦେଇ ରାଜଧାନୀରେ ଜାଗା ଖଣ୍ଡିଏ କିଣିଲେ । ନରହରି ବାବୁ ଘର ତିଆରି କଲା ବେଳକୁ ଚାଲିଲା ଟଣା ଓଟରା । ଝିଅମାନେ ବଡ଼ ହେଲେଣି । ଜଣେ କଲେଜରେ ଓ ତିନିଜଣ ସ୍କୁଲରେ । ସେଇ ସମୟରୁ ନରହରି ବାବୁଙ୍କ ମିଜାଜ୍ରେ ଆସିଲା ପରିବର୍ତ୍ତନ । ପୁଅଟି ପ୍ରତି ସବୁ କଥାରେ ଉଦାର ଓ ଝିଅମାନଙ୍କ ବିଷୟରେ ସବୁ କଥାରେ କଟକଣା, ମାପଚୁପ । ବନ୍ଧୁବାନ୍ଧବଙ୍କ ଆଗେ ନରହରିବାବୁ ଝିଅମାନଙ୍କ ବାହାଘର ବିଷୟରେ, ପୁଅର ପଢ଼ାପଢ଼ି ବିଷୟରେ ଚର୍ଚ୍ଚା କରନ୍ତି । ସମସ୍ତେ ଆଶ୍ୱାସନା ଦିଅନ୍ତି- ଆପଣଙ୍କ ଝିଅମାନେ ଏକହୁଁ ଆରେକ ବଳି, ତାଙ୍କୁ ପୁଣି ପାତ୍ର ମିଳିବେନି? ଦେଖିବେ ବିନା ଯୌତୁକରେ ଲୋକେ ଆପଣଙ୍କ ଝିଅଙ୍କୁ ମାଗିନେବେ ।
ଖିଟି ଖିଟିଆ ସ୍ୱଭାବର ନରହରି ବି ବେଳେ ବେଳେ ଝିଅମାନଙ୍କୁ ଅନେଇ ଦେଖନ୍ତି । କିଏ ମୁହଁ ଗୁଞ୍ଜି ମା’ ସାଙ୍ଗେ ରାନ୍ଧୁଛି ତ କିଏ ବହି ପଢ଼ୁଛି, କିଏ ସିଲେଇ କରୁଛି । ମନେ ମନେ ହିସାବ କରନ୍ତି । ବନ୍ଧୁବାନ୍ଧବମାନଙ୍କ କଥା ସତ ହେବ ବୋଧେ । ତିନିକି ତିନିହେଁ ପାରି ହୋଇଯିବେ ଆପଣା କର୍ମବଳରୁ । କପାଳ ବଳରୁ ପୁଅଟା ଟିକିଏ ଗେହ୍ଲା ବୋଲି ଦୁଷ୍ଟ; ଘରେ ଯାହା ତା’ରି ପାଟିହୁଡ଼ି ଶୁଭେ । ଭଉଣୀମାନଙ୍କ ସାଙ୍ଗେ ଲାଗିଥାଏ ।
ସଂସାର ରଥ ଟଣା ଓ ଘର ତିଆରିରେ ନରହରିବାବୁ ଖାଲି ଯେ ଟଙ୍କା ଖର୍ଚ୍ଚ କଲେଣି ତାହା ନୁହେଁ, ସ୍ୱଭାବ ନଷ୍ଟ କଲେଣି । ବୟସ ବି ବୁହାଇ ଦେଲେଣି । ଘରେ କୌଣସି କାରଣରୁ ସୁମିତ୍ରାଦେବୀ ଅଭିଯୋଗ କଲେ କହନ୍ତି ‘ଆଉ ତିନିଟା ଝିଅ ଜନ୍ମ କଲନି?’ ସୁମିତ୍ରାଦେବୀଙ୍କ ସହିତ ଝିଅମାନଙ୍କ ମୁଣ୍ଡ ବି ତଳକୁ ନଇଁଯାଏ ।
ଏମିତି ଅଭାବ ଅନଟନ, ଆଶା ନିରାଶର ରଥରେ ଚଢ଼ି ନରହରିବାବୁ ଯେ କେତେବାଟ ଆସିଲେଣି, ତାଙ୍କର ସେ ଖିଆଲ ନଥିଲା । ଶୁଭଶ୍ରୀ ବି.ଏ ପାସ୍ କରି ଘରେ ବସିଛି । ନରହରିବାବୁ ଏମ୍.ଏ ପଢ଼ାର ବିରୋଧ କରିଥିଲେ । ନିଜେ ତ ଏତେ ପଢ଼ି ଯାହା କଲେ ଆଉ ଝିଅମାନଙ୍କୁ ପଢ଼େଇ କରିତ୍ କର୍ମା କରିବେ । ବ୍ରାହ୍ମଣ କୂଳର ଝିଅ ଚାକିରୀ କରିବେନି । ବିବାହ ପାଇଁ ବନ୍ଧୁମାନଙ୍କ ଭବିଷ୍ୟବାଣୀ ଅନୁସାରେ ପାତ୍ର ଆସିଥିଲେ । ବେଶ୍ ଉଞ୍ଚା ଦରର ପାତ୍ର । ଦରଦସ୍ତୁରରେ ପଟିଲା ନାହିଁ । କିଏ ପଚାଶ ହଜାର ନଗଦ ମାଗୁଛି ତ କିଏ ଅଶୀ ହଜାର । ନରହରିବାବୁ ପେଷାଦାର ଦର୍ଜିଟିଏ ପରି ମାପ ଫିତା ଧରି ନିଜର ସଞ୍ଚିତ ପୁଞ୍ଜିକୁ ମାପୁଛନ୍ତି । କେଉଁଆଡ଼ୁ କନା କାଟିବା ଆରମ୍ଭ କରିବେ । ତିନି ଜଣଙ୍କୁ ଏତେ ଏତେ ଦେଇ ବାହା କରିବେ ପୁଣି ପୁଅକୁ ଡାକ୍ତରୀ ବା ଇଞ୍ଜିନିୟରିଂ ହେଉ କିଛି ଗୋଟାଏ ପଢ଼ାଇବେ; ସେଥିପାଇଁ ଆଜିକାଲି ଡ଼ୋନେସନ୍ ଦରକାର । କେଉଁଠି ପାଞ୍ଚ ହଜାର, କେଉଁଠି ଲକ୍ଷେ । ଦିନେ ସନ୍ଧ୍ୟାବେଳେ ଦାଣ୍ଡ ପିଣ୍ଢାରେ ଓଦା ଗାମୁଛା ଦେହରେ ଗୁଡ଼େଇ ବସିଥିଲା ବେଳେ ଚାହା କପ୍ ସହିତ ସୁମିତ୍ରାଦେବୀ ଖବରଟିଏ ଦେଲେ । ‘ଭାଇ ଆସିଥିଲେ ।’
କୋଉ ଭାଇ?
ସୁମିତ୍ରା ଦେବୀ ଧୀର କଣ୍ଠରେ କହିଲେ ‘ମୋର ଆଉ କେତେଟା ଭାଇ କି?’
ଢୋକେ ଚାହା ପିଇ ନରହରିବାବୁ କହିଲେ ‘ଓଃ’ । ସୁମିତ୍ରା ଦେବୀ କହିଲେ: ‘ଟିନୁ’ ବାହାଘର । ବହୁତ କରି ଡ଼ାକି ଯାଇଛନ୍ତି । ସମସ୍ତଙ୍କୁ ଯିବାକୁ କହିଛନ୍ତି । ପିଲାଟି ଇଞ୍ଜିନିୟର ଅଛି । ସେ ଟିନୁକୁ ଦେଖି ପସନ୍ଦ କରିଛି, ମାନେ ଦୁହିଁଙ୍କର ଚିହ୍ନା ପରିଚୟ ଅଛି । ପିଲାର ବାପା ମା ରାଜି । ତାଙ୍କର କିଛି ଡିମାଣ୍ଡ ନାହିଁ ଯେ, କିନ୍ତୁ ଭାଇ କହୁଥିଲେ ସବୁ ଦେବେ । ଝିଅଟାକୁ କ’ଣ ଆଉ ଖାଲି ହାତରେ ବିଦା କରିବେ?
ସୁମିତ୍ରା ଦେବୀ ସ୍ୱାମୀଙ୍କ ମିଜାଜ ବୁଝିବାକୁ ଚେଷ୍ଟା କଲେ । ଡରି ଡରି ପ·ରିଲେ ‘କଣ କହୁଛ?’
ନରହରିବାବୁ ଉତ୍ତର ଦେଲେ, ‘ଟଙ୍କା’ ଚାରିଶହ ଯାଏଁ ଦେଇପାରିବି । ତା’ଠୁଁ ବେଶି ନୁହେଁ । ତମେ ଯାଆ, ମୁଁ ବାହାଘରକୁ ଯିବିନି ।” ମନେ ମନେ ଶଳାଙ୍କ ଚଉଦ ପୁରୁଷ ଉଝାଳିଲେ । ସ୍ୱାର୍ଥପର, ନିଜ ଝିଅ ପାଇଁ ପାତ୍ର ଠିକ୍ କରି ପକେଇଲା ବିନା ଯୌତୁକରେ, ସେ ଝିଅ ପୁଣି ମୋ ସାନଝିଅ ‘ଇତୁ’ ସାଙ୍ଗର । ଆଉ ମୋ ଝିଅମାନଙ୍କ ପାଇଁ ବର ଖୋଜିବା କଥା କହିଲେ କେତେ କୁନ୍ଥେଇ ହୁଏ । ନିଜ ଝିଅର ତ ଚାଲି-ଚଳଣ ଯାହା, ପୁଅମାନଙ୍କ ପରି ବାଳକଟା, ଆଜି ପ୍ୟାଣ୍ଟ ପିନ୍ଧିଲାଣି ତ କାଲି ମିଡ଼ି, ତା ସାଙ୍ଗଙ୍କୁ ରଙ୍ଗଟା ମଇଳା, ତାକୁ ବର ଯୁଟିଲା, ଅଥଚ ତାଙ୍କର ତିନି ତିନିଟା ଲକ୍ଷ୍ମୀ ପ୍ରତିମା ପରି ଝିଅ ମାଛିକୁ ମ’ କହନ୍ତି ନାହିଁ; ଗୋଟାଏ ଦୁଇଟା ଓଡ଼ିଆ ସିନେମା ଛଡ଼ା ହିନ୍ଦୀ ସିନେମା ଦେଖିନାହାନ୍ତି.. । ସବୁ ଭାଗ୍ୟ ।
ପୁଅ ଦେବୁଟା ପୁରା ଓଲଟା । ପାଠ ଭଲ ପଢ଼େ । ଏବର୍ଷ +୨ ଦେବ । ଝିଅମାନଙ୍କ ପରି ସଦା ସନ୍ତସ୍ତ ଭାବ ନାହିଁ । ପାଟିକୁ ଯାହା ଆସିବ କହିବ । ଶୁଭଶ୍ରୀର ଦୁଇ ତିନିଟା ବାହାଘର ପ୍ରସ୍ତାବ ଭାଙ୍ଗିଗଲା ପରେ ଦିନେ ହସି ହସି କହିଥିଲା । “ବାପା ତମେ ଯାହା କଲଣି-ଏ ତିନି ଭଉଣୀଙ୍କର ବରଧରା ହୋଇସାରିଲା ବେଳକୁ ମୁଁ ବୁଢ଼ା ହୋଇଯାଇଥିବି, ନିଜେ ଆଉ ବର ହୋଇ ପାରିବିନି ।” ତା କଥା ଶୁଣି ନରହରି ବାବୁ ହସିଥିଲେ ଓ ଅନେଇ ଦେଖିଲେ ତିନିିଝିଅ ଯିଏ ଯାହା କାମରେ ଥାଇ ମଧ୍ୟ ମୁହଁ ତଳକୁ ପୋତି ହସୁଛନ୍ତି ।
ହଠାତ୍ ସେ ଚିନ୍ତା ରାଜ୍ୟରୁ ଫେରିଲେ ସୁମିତ୍ରାଙ୍କ କଥାରେ, “ତୁମେ ନଗଲେ କଥା ଖରାପ ହେବ । ଭାଇ ଏତେ କରି ଯିବାକୁ କହିଛନ୍ତି” ।
ନରହରିବାବୁ କହିଲେ, “ଟଙ୍କା ·ରିଶହ ବେଭାର ନେଇ ଛଅ ଜଣ କୁଣିଆ ପହଞ୍ଚିବା?”
“ତାହା ହେଲେ?” ସୁମିତ୍ରା ସମସ୍ୟାର ସମାଧାନ ପାଇଁ ସ୍ୱାମୀଙ୍କୁ ଅନେଇଲେ ।
‘ତା ହେଲେ ଆଉ କଣ? ତମେ ନହେଲେ ଦେବୁକୁ ନେଇ ଯାଆ । ମୁଁ ଝିଅମାନଙ୍କୁ ନେଇ ଘରେ ରହେ ।’ ସୁମିତ୍ରା ଆତଙ୍କିତ ହେଲେ ନା ବାବା ନା ସେ ଫାଜିଲ୍ ଟୋକାକୁ ନେଇ ମୁଁ ସମ୍ଭାଳି ପାରିବିନି । ମାମୁଁ ଘରେ କୁଣିଆ, ବନ୍ଧୁବାନ୍ଧବଙ୍କ ଆଗରେ କ’ଣ ବୋଲି କ’ଣ କହି ଅପଦସ୍ଥ କରିଦେବ ।
ତମେ ତ ଖାଲି ଝିଅମାନଙ୍କୁ ଶାସନରେ ରଖିଲ । ସେ ଯାଇ ସାଙ୍ଗମାନଙ୍କ ସହିତ ଆଡ୍ଡା ମାରୁଛି, ସିନେମା ଦେଖୁଛି, ସେତେବେଳକୁ ତ ଚୁପ୍ । କେଉଁଦିନ କଣ କରିବ ଠିକଣା ନାହିଁ । ତମେ ହିଁ ଭୋଗିବ ଯେ… ।’ ଆଉ କଥା ନ ବଢ଼େଇ ସୁମିତ୍ରା ଭିତରକୁ ଗଲେ । ନରହରିବାବୁଙ୍କ ମୁଣ୍ଡଟା ଗରମ ହୋଇଗଲା ଖର୍ଚ୍ଚ କଥା ଭାବି । ବହୁତ ଚିନ୍ତା କରି ସ୍ଥିର କଲେ ଝିଅ ତିନିଟାଙ୍କୁ ମା’ ସାଙ୍ଗେ ପଠେଇ ଦେବେ । ବାହାଘରରେ କେତେ ବନ୍ଧୁ କୁଟୁମ୍ବ ଆସିଥିବେ । କିଏ ଯଦି ପସନ୍ଦ କରେ କିମ୍ବା କିଛି ଗୋଟାଏ ପ୍ରସ୍ତାବ ଦିଏ! ତାଙ୍କ କପାଳକୁ ଝିଅଗୁଡ଼ାକ ବି ଜୁଟିଛନ୍ତି ସେମିତି ।
ଏଇ ତ ପୁଣି ତାଙ୍କ ଶଳାଙ୍କ ଝିଅ ଟିନୁ । ଯୋଉ ରୂପ ଗୁଣ-ସିଏ ତ ପୁଣି ଲଭ୍ କରି ଇଞ୍ଜିନିୟର ପାତ୍ର ଯୋଗାଡ଼ କରି ପକେଇଲା । ତା ବାପ କଣ ତା ହାତ ଧରି ଶିଖାଇଥିଲା ଲଭ୍ କରିବାକୁ । ନରହରିବାବୁ ତ ତିନିଟାଯାକଙ୍କୁ କଲେଜରେ ପଢ଼େଇଲେ । ଗୋଟାଏ ହେଲେ ଯଦି ତାଙ୍କୁ କନ୍ୟାଦାୟରୁ ମୁକ୍ତ କରିଥାନ୍ତା! ଖାଲି ଲୋକଙ୍କ ପ୍ରଶଂସା କୁଢ଼ାଇଲେ କ’ଣ ହେବ? ବାପକୁ କିଛି ସାହାଯ୍ୟ କଲେନି ଝିଅମାନେ । ସବୁ ତାଙ୍କ କପାଳ । ପୁଣି ସ୍ଥିର କଲେ, ନାଃ, ତାଙ୍କ ଝିଅମାନେ କଣ ଏତେ ଶସ୍ତା? ତାଙ୍କୁ ନେଇ ଦୁଆର ଦୁଆର ବୁଲେଇ ଦେଖେଇବେ? ପିଲା ଚାରିଜଣ ଘରେ ରହନ୍ତୁ, କେବଳ ସେ ଓ ସୁମିତ୍ରା ଯିବେ ବାହାଘରକୁ ।
ନରହରିବାବୁ ଘର ଭିତରକୁ ଯାଇ ସିଦ୍ଧାନ୍ତ ଶୁଣାଇ ଦେଲେ । କହିଲେ ଝିଅମାନେ ଦେବୁକୁ ନେଇ ରହନ୍ତୁ । ଆମେ ବାହାଘର ଦିନ ପହଞ୍ଚôବା । ତା ପରଦିନ ଆସିବା ।
ସୁମିତ୍ରାଙ୍କ ମନକୁ କଥାଟା ପାଇଲା । ଦେବୁ ଘରକୁ ଫେରିନି । ଫେରିଲେ ତାକୁ ବୁଝେଇ ଦେବେ । ଅପାମାନଙ୍କ ପାଖେ ପାଖେ ରହିବ । କମ୍ ବୁଲାବୁଲି କରିବ ।
ହଠାତ୍ ଦେବୁ ଘରକୁ ପଶିଲା । ଦୁର୍ଦ୍ଦାନ୍ତ ଝଡ଼ପରି । ‘ବାପା ମୋତେ ଦେଢ଼ଶହ ଦୁଇଶହ ଦେଇ ପାରିବ?’
ସମସ୍ତେ ଆଖି ଟେକି ଅନେଇଲେ ପାଗଳ ହୋଇଗଲା ନା କ’ଣ? ରାତି ଆଠଟାରେ ଘରକୁ ଫେରି ହଠାତ୍ କଣ ନା ଟଙ୍କା ଦରକାର!
ନରହରି ବାବୁ କହିଲେ ‘ଏବେ ଟଙ୍କା କ’ଣ କରିବୁ? ପାଠ ଶାଠ ନାହିଁ?’ ଦେବୁ ଜୋତା ମୋଜା ଖୋଲୁ ଖୋଲୁ ଉତ୍ତର ଦେଲା ‘ଏବେ ନୁହେଁ । ମୋର ଦରକାର ଅଛି କହିଦେଲି । ନ ହେଲେ ଏକେ ତ ତମେ ହିସାବୀ ଲୋକ, ସେଥିରୁ ପୁଣି ବାହାନା କରିବ-କହିବ ଆଗରୁ କହିଲୁନି । ସେଥିପାଇଁ କହିଦେଲି । କିଛିଦିନ ପରେ ଦେଲେ ବି ଚଳିବ ।’
ସୁମିତ୍ରା ଦେବୀ କହିଲେ ‘କହୁନୁ କଣ କରିବୁ?’
ଦେବୁ ତେରଛେଇ ଅନେଇଲା ବୋଉକୁ । ବୋଉ ମୁହଁଟା ଆଜି ଖୁସି ଖୁସି ଦେଖାଯାଉଛି । ତେଣୁ ବୋଉକୁ ଚିଡ଼େଇବାକୁ ମନେ ହେଲା, କହିଲା ‘ତୁ କ’ଣ ଭାବୁଛୁ? ଜୁଆ ଖେଳିବି? ନା କୋଉ ଝିଅକୁ ଧରି ହୋଟେଲ ଯିବି?’
ସୁମିତ୍ରା ଦେବୀ ଲାଜରେ ସଢ଼ିଗଲେ । ଟୋକାଟା ମୁହଁରେ ବାଡ଼ବତା ନାହିଁ । କହିଲେ, ‘ଛି, ଛି, ଏତେ ବଡ଼ ହେଲୁଣି, ବାପା ମା’ ଭଉଣୀଙ୍କ ଆଗରେ କେମିତି କଥା କହିବାକୁ ହୁଏ ଶିଖିଲୁନି?’
ଦେବୁ କହିଲା, ‘ନୀତି ଶିକ୍ଷା ପରେ ଦେବୁ । ଆଗ କହିଲୁ ଟଙ୍କା ମିଳିବ କି ନାହିଁ । ମୋର ଜରୁରୀ ଦରକାର ।’
ନରହରିବାବୁ କହିଲେ-‘ଦେବୁ ମାମୁଁଙ୍କ ଝିଅ ଟିନୁର ବାହାଘର । ଆମକୁ ତ କିଛି ଖର୍ଚ୍ଚ ପଡ଼ିଯିବ । ବୋଉ ଓ ମୁଁ ଯିବାକୁ ଭାବିଛୁ । ନହେଲେ ତୋତେ ଟଂକା ଦେଇଥାନ୍ତି ।’
ଦେବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା -‘ଟିନୁ! ଟିନୁର ପୁଣି ବାହାଘର! ବୋଉ, ସେ ମା ମଶାଣି-ଚଣ୍ଡୀ କାହା ବେକରେ ସବାର ହେଲେ? ତା କପାଳ ଫାଟିଲା ।’
ନରହରିବାବୁଙ୍କ ଚାପି ରଖିଥିବା କ୍ଷୋଭଟା ବାହାରି ଆସିଲା, ଦାନ୍ତ ରଗଡ଼ି କହିଲେ ‘ସେଇ ମଶାଣି ଚଣ୍ଡୀ ପାଇଁ ତା ବାପକୁ ଦୁଆର ଦୁଆର ବୁଲିବାକୁ ପଡ଼ିନି । ତା ବ୍ୟବସ୍ଥା ସେ ନିଜେ କରିନେଲା କହି ପୁଣି ପିଣ୍ଡାକୁ ବାହାରିଗଲେ ।
କେଜାଣି କାହିଁକି ଦେବୁ ଗୁମ୍ମାରି ରହିଗଲା ।
ସୁମିତ୍ରା ଦେବୀ ପ·ରିଲେ ‘କଣ ମୁହଁ ହାତ ଧୋଉନୁ? ଟଙ୍କା ମିଳିଲାନି ବୋଲି ରାଗ ହୋଇଗଲା?
ଦେବୁ କେମିତି ନିର୍ବେଦ ସ୍ୱରରେ ‘ନାଃ’ କହିଦେଇ ତା ପଢ଼ା ଟେବୁଲ ପାଖକୁ ଉଠିଗଲା ।
ମାଆଙ୍କ ସହିତ ରୋଷେଇ ଘରେ ରୁଟି ବେଲୁଥିବା ଶୁଭ୍ରଶ୍ରୀର ମୁହଁଟା ଗମ୍ଭୀର । ବାପାଙ୍କ କଥାଟା ତାକୁ ବିନ୍ଧିଲା ପରି ଲାଗିଲା । ତା ସାଙ୍ଗକୁ ଦେବୁ ଏମିତି ନିର୍ଲିପ୍ତ ସ୍ୱରରେ-ନାଃ କହି ଚାଲିଗଲା । ତଥାପି ସେ ମୁହଁରେ କିଛି ନକହି କାମରେ ମନ ଦେଲା । ସୁମିତ୍ରା ଦେବୀ ଝିଅକୁ ଅନେଇ ତାର ମନୋବେଦନା ବୁଝିପାରି କହିଲେ “ବାପାଙ୍କର ସବୁ ଦିନେ ସେମିତି ଅଖାଡ଼ୁଆ କଥା । ତୁ ସେଗୁଡ଼ା କାନକୁ ନେ ନାହିଁ । ତୁ ସମସ୍ତଙ୍କୁ ସମ୍ଭାଳି ରଖିଥିବୁ, ମୁଁ ଆଉ ବାପା ଯିବୁ । ଶୁକ୍ରବାର ବାହାଘର ସାରି ଶନିବାର ରାକ୍ଷୀପୂର୍ଣ୍ଣିମାରେ ଫେରିଆସିବୁ । ସାବଧାନରେ ଚଳିବ । ସେ ଟୋକାଟାକୁ ବାହାରକୁ ବେଶି ଛାଡ଼ିବୁନି ।’
ରାକ୍ଷୀ ବି ଏତେ ପାଖରେ, ତିନି ଝିଅ ମନେ ମନେ ଖୁସି ହୋଇ ପଡ଼ିଲେ । ଗଲାବର୍ଷ ସେ ସମସ୍ତଙ୍କୁ ଦୁଇଟଂକିଆ ନୋଟ ଖଣ୍ଡେ ଖଣ୍ଡେ ଧରେଇ ଠକିଥିଲା । ଭଉଣୀମାନେ କହିଲେ-ଆରବର୍ଷକୁ ତ ତୁ କେଉଁ ଇଞ୍ଜିନିୟରିଂ କଲେଜ କି ମେଡ଼ିକାଲ କଲେଜରେ ଥିବୁ । ତେଣୁ ଏଥରକ ଆମକୁ ଭଲ ଜିନିଷ ଦେ ।’
ବାପା ବୋଉଙ୍କର ଯିବାର ପ୍ରସ୍ତୁତି ଆରମ୍ଭ ହୋଇଗଲା । ନିଜସ୍ୱ ଆସନ୍ନ ସ୍ୱାଧୀନତା ପ୍ରାପ୍ତିର ଆନନ୍ଦରେ ମ୍ସଗୁଲ୍ ହୋଇ ସାନ ଭଉଣୀ ଇତୁ କହିଲା: ଦେଖ୍ ଦେବୁ, ତୁ ଗଲାବର୍ଷ କହିଥିଲୁ, ଏବର୍ଷ ଭଲ ଜିନିଷ ଦେବୁ । ଆଉ ସେମିତି ଦୁଇ ଟଙ୍କିଆନୋଟ୍ ଦେଇ ଠକିଲେ ହବ ନାହିଁ । ଅନ୍ୟ ଦୁଇଭଉଣୀ ସମର୍ଥନ କଲେ ଇତୁକୁ ।
ଦେବୁ କହିଲା-ଓଃ ମୁଁ ତ ଗୋଟେ ଭାରି ମାଲଦାର ପାର୍ଟି!
ଇତୁ କହିଲା- ହଁ,ତୁ ଯେତେବେଳେ ଗୋଟିଏ ଇଞ୍ଜିନିୟର କି ଡାକ୍ତର ହୋଇ ବାହାରିବୁ…ଦେବୁ କଥା ମଝିରେ କହିଉଠିଲା ।
“ମୋର ଡାକ୍ତରୀ ବା ଇଞ୍ଜିନିୟର ପଢ଼ିବା ମୂଳରୁ ଦରକାର ନାହିଁ । ଅପାର ବାହାଘର କରି ନପାରି ବାପାଙ୍କର ତ ଯେଉଁ ନରସିଂହ ରୂପ, ପୁଣି ମୋ ପାଇଁ ପଚାଶ ଷାଠିଏ ହଜାର ଡ଼ୋନେସନ ଦେଇସାରିଲେ ସେ ହିରଣ୍ୟକଶିପୁକୁ ବିଦାରି ପକେଇବେ । ସେ ହିରଣ୍ୟକଶିପୁ କିଏ କହିଲୁ?… ବିଚରା ଆମ ବୋଉ । ଦେଖିବୁ ଏଥର କେମିତି ସରପ୍ରାଇଜ୍ ଦେବି ।”
ଯାହା ହେଉ ସୁମିତ୍ରା ଦେବୀ ଶୁଭ୍ରଶୀ ପାଇଁ ଦିବର୍ଷ ତଳୁ ସାଇତି ଥିବା କାଞ୍ଜିବରମ୍ ଶାଢ଼ୀ ଖଣ୍ଡିଏ, ଟଂକା ଚାରିଶହ ଧରି ସ୍ୱାମୀଙ୍କ ସହ ଶୁକ୍ରବାର ସକାଳୁ ଯିବାକୁ ସ୍ଥିର ହେଲା । ଗୁରୁବାର ସନ୍ଧ୍ୟାରେ ନରହରିଙ୍କ ମିଜାଜ ବି ଭଲ ଥିଲା ପରି ଜଣାଗଲା । ଅଫିସରୁ ଫେରିବା ବେଳେ ଗୋଟାଏ ବଡ଼ ଠୁଙ୍ଗାରେ ଜଳଖିଆ ଆଣିଥିଲେ । ଦେବୁ ମଧ୍ୟ ଘରକୁ ଶୀଘ୍ର ଫେରିଛି ।
ଶୁକ୍ରବାର ସକାଳୁ ସ୍ୱାମୀ ସ୍ତ୍ରୀ ଯିବାକୁ ତିଆର ହେଉଛନ୍ତି । ପୁରୁଣା କାଗଜ ଖଣ୍ଡିଏ ଥାକରୁ କାଢ଼ି ତାଙ୍କ ହାୱାଇ ଚପଲ ଦିଖଣ୍ଡ ଗୁଡ଼ାଉ ଗୁଡ଼ାଉ ନରହରିବାବୁଙ୍କ ଆଖିରେ ଖବରଟା ପଡ଼ିଗଲା । ନିଶ୍ୱାସ ଥମିଗଲା ତାଙ୍କର ।
ଶୁଣୁଛ…ଶୁଣୁଛ… । ଡାକ ପକେଇଲେ ନରହରିବାବୁ । ସୁମିତ୍ରା ଦେବୀ ଧାଇଁ ଗଲେ । ଦେବୁ ବି ଧାଇଁଗଲା । ଝିଅମାନେ ଅଧା ବାଟରେ ଅଟକି ଗଲେ “କଥା କ’ଣ?” ନରହରିବାବୁ ଖବର କାଗଜର ପ୍ରଥମ ପୃଷ୍ଠାରେ ବାହାରିଥିବା ଚିତ୍ରକୁ ଦେଖେଇ କହିଲେ “ଦେଖିଲଣି କାନପୁରରେ ତିନିତିନିଟା ଝିଅ ଏକାସାଙ୍ଗେ ଆତ୍ମହତ୍ୟା କରିଛନ୍ତି ପଙ୍ଖାରୁ ଝୁଲି ।”
ସୁମିତ୍ରା ଦେବୀ ଚମକି ଉଠିଲେ “କଣ କହୁଛ?”
“ହଁ ପରା, ହେଇ ଦେଖୁନ । ତିନି ଭଉଣୀ, ବାପ ବାହା ଦେଇ ପାରୁନଥିଲା ବୋଲି । ଛି, ଛି ଏଇଥିପାଇଁ କ’ଣ ପିଲାଙ୍କୁ ପାଠ ପଢ଼ା ହୁଏ? ଜୀବନ ଗୁଡ଼ାକ ଏମିତି ବି ନଷ୍ଟ କରିବାକୁ? ମୁର୍ଖ ଝିଅଗୁଡ଼ା” ସେତେ ବେଳକୁ ଦେବୁ ତାଙ୍କ ହାତରୁ କାଗଜ ଟାଣି ନେଲାଣି । କିନ୍ତୁ ନରହରିବାବୁ ସ୍ୱର୍ଗତୋକ୍ତି କରିଚାଲିଛନ୍ତି । “ବାପ ମା’ଙ୍କ କଥା ଟିକିଏ ଭାବିଲେନି ତିନିଟାଯାକ ଝିଅ । କେତେ କଷ୍ଟରେ ବାପା ମା’ ପିଲାଙ୍କୁ ମଣିଷ କରନ୍ତି । ଯାଃ ଶଳା ବାପକୁ ମୁକ୍ତି ଦେଇ ଗଲେ ।”
ହଠାତ୍ ଦେବୁ ଅସ୍ୱାଭାବିକ ସ୍ୱରରେ ଚିହିଁକି ଉଠିଲା- “ବାପା ।”
ସମସ୍ତେ ଚମକି ପଡ଼ିଲେ । ସେ ନିଜେ ବି, ତାପରେ ପ୍ରକୃତିସ୍ଥ ହୋଇ କହିଲା “କ’ଣ କହିଲ ତୁମେ? ଏଇଟା କଣ ମୁକ୍ତି?”
ନରହରିବାବୁ କେମିତି ଗୋଟାଏ ଦୁଃଖ କ୍ଷୋଭ ମିଶ୍ରିତ ଭଙ୍ଗା ଗଳାରେ କହିଲେ, “ ମୁକ୍ତି ନୁହେଁ ଆଉ କ’ଣ”? କହି ଭିତରକୁ ଗଲେ । ସେଇଦିନ ଦଶଟା ବେଳକୁ ସ୍ୱାମୀ ସ୍ତ୍ରୀ ବାହାରକୁ ବାହାରିଗଲେ ।
ଆଜି ଘରେ ପିଲାଚାରିଜଣଙ୍କ ରାଜତ୍ୱ । ଖିଆପିଆ ସାରି ତାସ୍ଖେଳ ଚାଲିଲା । ସେ ଦିନ ରାତି କେମିତି କଟିଗଲା ଜଣାପଡ଼ିଲାନି, ତା ପରଦିନ ଦେବୁକୁ ବଡ଼ ଭଉଣୀ ଆଦେଶ
ଦେବା ଭଙ୍ଗିରେ କହିଲା ‘ଦେବୁ ଆମ ପାଇଁ ରାକ୍ଷୀ ଆଣି ଦେବୁ ।’
ଦେବୁ କହିଲା ‘ତମେ ରାକ୍ଷୀ ବାନ୍ଧିବ ମୋରି ହାତରେ ଆଉ ମୁଁ ହିଁ ଆଣିବି?’
ମଝିଆଁ ଭଉଣୀ କହିଲା ‘ଆଉ କିଏ ଅଛି କହିଲୁ?’
ରାକ୍ଷୀ ଆଣିବା ବାହାନାରେ ଦେବୁ ସକାଳୁ ବାହାରି ଗଲା ଯେ ଗଲା । ତିନି ଭଉଣୀ ଗାଧୋଇ-ପାଧୋଇ ବସିଛନ୍ତି । ବୁଲି ବୁଲି ଦିନ ଦି’ପହରକୁ ଫେରିଲା । ତିନିଭଉଣୀଯାକ ଝାମ୍ପିପଡ଼ିଲେ । ଏତେ ଡେରିକଲୁ? କୁଆଡ଼େ ଯାଇଥିଲୁ । ଅଜର୍ସ ପ୍ରଶ୍ନ । ଦେବୁ ଗମ୍ଭୀର । ପକେଟ୍ରୁ ରାକ୍ଷୀ ତିନୋଟି କାଢ଼ି ଟେବୁଲ୍ରେ ଥୋଇଲା । କହିଲା ରହ, ମୁଁ ଗାଧୋଇ ଆସେ । ଭାଇକୁ ତିନି ଭଉଣୀ ରାକ୍ଷୀ ବାନ୍ଧିଲେ । ଇତିଶ୍ରୀ ଚିଡ଼େଇ କହିଲା ‘କାହିଁ ତୋ’ର ସରପ୍ରାଇଜ୍?’
ଦେବୁ ତଥାପି ଗମ୍ଭୀର । କହିଲା ‘ଦେଖିବୁ ରହ ।’ କହି ବାହାରକୁ ଗଲା । ଭଉଣୀମାନେ ଅନେଇ ଅନେଇ ଦି’ପହର ଗଡ଼ିଲାରୁ ଖାଇଲେ । ରାକ୍ଷୀପରି ଦିନରେ ଦେବୁଟାର ଟିକିଏ ଚିନ୍ତା ନାହିଁ । ସାଙ୍ଗରେ ଖାଇଥାନ୍ତା ବୋଲି ଭଉଣୀମାନେ ଭାବିଥିଲେ । ତିନିଜଣ ଯାକଙ୍କରମନ ଖରାପ ହେଲା । ଶୁଭଶ୍ରୀ ଇତିଶ୍ରୀକୁ କହିଲା’ତୁ କାହିଁକି ତାକୁ ମନେ ପକେଇ ଦେଲୁ କଣ ଦେବା କଥା, ବିଚରା ସେଥିପାଇଁ ବୋଧେ କ’ଣ ଆଣି ଯାଇଛି । ରାଜଶ୍ରୀ କହିଲା- ‘ତିନି ତିନିଟା ଭଉଣୀଙ୍କୁ କ’ଣ ବା ଦେବ ସେ? ପିଲାଲୋକ ପଇସା କେଉଁଠୁ ପାଇବ?’ ଯାହା ହେଉ ଆଜି ବାପା ମା’ ସନ୍ଧ୍ୟାସୁଦ୍ଧା ଫେରି ଆସିବେ । ତାଙ୍କୁ ଯେମିତି ଏ କଥା କିଛି କୁହା ନଯାଏ । ଏସବୁ କଥା ବଡ଼ ଶୁଭଶ୍ରୀ ତାଗିଦ ଦେଲା ।
ନରହରିବାବୁ ସୁମିତ୍ରା ଦେବୀ ବାହାଘର ସାରି ଝିଅ ବିଦା ପରେ ବାହାରି ପଡ଼ିଲେ ସଞ୍ଜ ଆଗରୁ ପହଞ୍ଚôବେ, ନରହରିବାବୁଙ୍କୁ ଶୁଭଶ୍ରୀ ବିଷୟରେ ପ୍ରସ୍ତାବଟିଏ ମିଳିଛି । ଖାଲି ସେମାନେ ଝିଅକୁ ଦେଖିଲେ ହେଲା । ସେଇ ବାହାଘରରେ ଭଦ୍ରଲୋକ ସାଙ୍ଗେ ଆଳାପ ହେଲା, ଅତି ସଜ୍ଜନ ବ୍ୟକ୍ତି । ପୁଅ ତାଙ୍କର ଡାକ୍ତର କିଛି ଦାବୀ ନାହିଁ, କଥାବାର୍ତ୍ତା ହୋଇଛି- ତଥାପି ଅନେକ କଥା ବାକୀ ଅଛି । ବହୁତ ବର୍ଷ ପରେ ସ୍ୱାମୀ ସ୍ତ୍ରୀ ଏକୁଟିଆ ଟ୍ରେନ୍ରେ ଯିବା ଆସିବା କରୁଛନ୍ତି । ତେଣୁ ମନ ଖୋଲି କଥାବାର୍ତ୍ତା କରିବାକୁ ସୁବିଧା ମିଳିଛି । ଘରେ ପିଲାଏ ବଡ଼ ହେଲେଣି ତାଙ୍କ ଆଗରେ ବିଶେଷ କଥାବର୍ତ୍ତା କରି ହୁଏନି, ଏଠି ପ୍ରଶସ୍ତ ସମୟ, ଷ୍ଟେସନ ପହଞ୍ଚô ଆସିଲାଣି । କିନ୍ତୁ ଟ୍ରେନଟା ଠିଆ ହେଲା କାହିଁକି ଏଠି ଏତେ ଦୂରରେ? ଯାହା ହେଉ ଏଇ ସୁଯୋଗରେ କଥାବାର୍ତ୍ତା ହୋଇଗଲେ ନରହରିବାବୁ ଓ ସୁମିତ୍ରା ଦେବୀ, ଆଜି ନରହରିବାବୁ ଟ୍ରେନ ପଙ୍ଖା ତଳେ ବସିଛନ୍ତି-ମିଜାଜ ବି ଭଲ ଅଛି । ହେଲେ ଟ୍ରେନ୍ଟା ଷ୍ଟେସନରୁ ଖଣ୍ଡେ ଦୂରରେ ଅଟକିଛି କାହିଁକି? ତେଣେ ପିଲାଏ ଘରେ ଅନେଇ ଥିବେ । ନରହରିବାବୁ ଉଠି ଦୁଆର ଯାଏ ଆସିଲେ । ଜଣେ
ସହଯାତ୍ରୀଙ୍କୁ ପଚାରିଲେ ‘କ’ଣ ହେଲା ଆଜ୍ଞା? କିଏ ଚେନ୍ ଟାଣିଲା କି?
ଭଦ୍ରଲୋକ ଜଣ କହିଲେ-‘କେଜାଣି କ’ଣ କହୁଛନ୍ତି ଆଗରେ ଏକ୍ସିଡ଼େଣ୍ଟ ହୋଇଛି ବୋଲି, ଆସନ୍ତୁ ଦେଖିବା ।’
ସତକୁ ସତ ଦୂରରେ ଭିଡ଼ ଦିଶୁଛି, ଲୋକେ ଧାଇଁଛନ୍ତି ସେଇ ଆଡ଼କୁ । ନରହରିବାବୁ ବି ସେଇ ଗହଳିରେ ମିଶି ଆଗକୁ ପାଦ ପକେଇଲେ । ଭିଡ଼ ଠେଲି ଆଗକୁ ଗଲାରୁ ପୋଲିସ ଘେର, ଆହୁରି ଆଗେଇବାକୁ ଯାଇ କ’ଣ ଗୋଟାଏରେ ତାଙ୍କ ନଜର ପଡ଼ିଲା । ସେ ଝାମ୍ପି ପଡ଼ିଲେ ମୃତ ଶରୀର ଉପରକୁ । ବିକୃତ ସ୍ୱରରେ ଚିକôାରଟିଏ ଶୁଣାଗଲା ‘ଦେବୁ’ ।
ମୁଣ୍ଡଟା ଯୋଡ଼ା ହୋଇ ରଖା ହୋଇଥିଲା, ହଲିଗଲା, ପୋଲିସ ଧାଇଁ ଆସିଲେ । ନରହରିବାବୁଙ୍କୁ ଧରି ଉଠେଇବାକୁ ଚେଷ୍ଟା କଲେ । ‘ଆପଣ ୟା’କୁ ଚିହ୍ନନ୍ତି?
ନରହରି ଖାଲି ବୋକାଙ୍କ ପରି ୟା ମୁହଁକୁ ତା ମୁହଁକୁ ଚାହିଁଲେ, ପୋଲିସ୍ ପୁଣି ପ·ରିଲେ ‘ଆପଣଙ୍କର ଚିହ୍ନା?’
ନରହରି ଆଖି ଟେକି ପୁଣି ତାଙ୍କ ପୁଅର ମୁହଁକୁ ଦେଖିôଲେ, ଥର ଥର ସ୍ୱରରେ ତାଙ୍କ ପାଟିରୁ ବାହାରିଗଲା ‘ ମୋ ପୁଅ ।’ ପୋଲିସ୍ ଅଫିସର ଜଣେ ରେଲ୍ ଲାଇନ୍ କଡ଼କୁ ନେଇ ତାଙ୍କୁ ଧରି ବସେଇ ଦେଲେ । କହିଲେ ‘ମୁଁ ବଡ଼ ଦୁଃଖିତ, ତା ପକେଟ୍ରୁ ଏଇ ଚିଠି ଖଣ୍ଡକ ମିଳିଛି ।’
ନରହରିବାବୁ ପଢ଼ିବାକୁ ଚେଷ୍ଟା କଲେ । ଆଖି ଲୁହରେ କିଛି ସ୍ପଷ୍ଟ ଦିଶୁନି । ଏତେ ଅନ୍ଧକାରମୟ ଜୀବନରେ ଚିଠିଟା ପଢ଼ିବେ କେମିତି ସେ?’
ଅତି କଷ୍ଟରେ ପଢ଼ିଲେ, “ବାପା, ତମେ ଓ ବୋଉ ମୋର ଶେଷ ପ୍ରଣାମ ଜାଣିବ । ଦୁଃଖ ତ ତମକୁ ଲାଗିବ ନିଶ୍ଚୟ, ତା’ ବୋଲି ଶୋକକୁ ଜାବୁଡ଼ି ଧରି ବସିବନି । ଅପା ହେରିକାଙ୍କୁ ବୁଝେଇ ଦେବ । ଆଜି ସେମାନଙ୍କୁ ତିନିଟା ଶାଢ଼ୀ ଦେବି ବୋଲି ତମକୁ ଟଙ୍କା ମାଗିଥିଲି ଓ ସାଙ୍ଗ ସାଙ୍ଗେ ବାଜି ମାରିଥିଲି । ମୋ ସାଙ୍ଗ ତା ଭଉଣୀ ପାଇଁ ଡ୍ରେସ କିଣିଲା ବେଳେ ମୋତେ ଥଟ୍ଟା କରି କହିଥିଲା: ‘ମୋର ସିନା ଗୋଟାଏ ସାନ ଭଉଣୀ ଯେ ମୁଁ ପକେଟ୍ ମନିରୁ ରଖି ତାକୁ ଡ୍ରେସ୍ ଖଣ୍ଡେ କିଣି ଦେଉଛି । ତୋର ତ ବିଚରା ତିନିଟା ବଡ଼ ଭଉଣୀ, କେତେ ଶାଢ଼ୀ କିଣିବୁ? ସେଇ ଦିନ ହିଁ ଭାବିଥିଲି ନିଶ୍ଚୟ ଶାଢ଼ୀ କିଣିବି । ବହୁତ ଆଡ଼ୁ ଚେଷ୍ଟା କଲି ହୋଇପାରିଲାନି । ମୋ ଭବିଷ୍ୟତ ବିଷୟରେ ଚିନ୍ତା କରି କରି ତମେ ଅପାମାନଙ୍କ ବାହାଘର କରିପାରୁନ । ତମେ ଜୀବନଯାକ ଆମ ପାଇଁ ଏତେ ସ୍ୱାର୍ଥ ତ୍ୟାଗ କଲ । ମୁଁ ଭବିଷ୍ୟତରେ ତମକୁ କାଳେ କିଛି ସାହାଯ୍ୟ କରିପାରିବିନି ଭାବି ପଳେଇ ଯାଉଛି । କାଲି କାନପୁର ଆତ୍ମହତ୍ୟାର ଖବର ପଢ଼ି ତମେ କହିଥିଲ “ମୁକ୍ତି ଦେଇଗଲେ ।” କିନ୍ତୁ ବାପା ଯେଉଁ ଘରେ ତିନୋଟି ଛାଡି ଗୋଟିଏ ସିଲିଂ ଫ୍ୟାନ ନାହିଁ ସେ ଘରେ ତମେ ତିନିଟା ଝିଅ ଜନ୍ମ ଦେଇ ମୁକ୍ତିର ସନ୍ଧାନ କରୁଛ’…ଆଉ ପଢ଼ିପାରିଲେନି ନରହରିବାବୁ । ଆଖିକୁ ସବୁ ଝାପ୍ସା ଦିଶୁଛି । ଯେଉଁ ଟ୍ରେନ୍ର କୌଣସି ଏକ କମ୍ପାର୍ଟମେଣ୍ଟରେ ବସି ସୁମିତ୍ରା ଦେବୀ ଅପେକ୍ଷା କରୁଛନ୍ତି, ସେଇ ଟ୍ରେନ୍ର ଇଞ୍ଜିନ୍ ଆଲୁଅରେ ଦେବୁ ହାତର ରକ୍ତଧୁଆ ରାକ୍ଷୀଗୁଡ଼ାକ ଚିକ୍ଚିକ୍ କରୁଛି ।