ମୁଁ ଏଇଠି ଅଛି
ଦିଶାରୀ ଝାଡ଼ିବା ବାହାନାରେ ତା’ ଦେହର ଥାନ ଅଥାନରେ ହାତ ବୁଲେଇଲା । ମୁହଁକୁ ଫୁଙ୍କି ଆଖି ବୁଜେଇଲା । କୁଣ୍ଢେଇଲା । ତା’ ଗାଲକୁ ଚାଟିଲା । ଓଠକୁ କାମୁଡ଼ିଲା । ୟେ କ’ଣ ଝଡ଼ାଫୁଙ୍କାର ତରିକା! ଚାଙ୍ଗ୍ଡ଼ି ଦେହରେ ଖଇଫୁଟା ତାତି । ଦେଖିଲା ଦିଶାରୀର ଆଚରଣ ଅନ୍ୟଆଡ଼େ ଯାଉଚି । ସେ ତାକୁ ଧକ୍କାଟେ ମାରି ବାହାରି ଆସିଲା ବାହାରକୁ । ତା’ ଦେହରୁ ବିଲକୁଲ୍ ଜର ଓହ୍ଲେଇଯାଇଥିଲା ଅପମାନରେ । ଶାଶୂ ଆଉଁସି ପକେଇଲେ । ଦେହ ମୁଣ୍ଡରେ ହାତ ମାଇଲେ ତାତି ନାଇଁ । ଦିଶାରୀକୁ ଜୁହାର ହେଇ ଆସିଲେ । ଚାଙ୍ଗଡ଼ି ଏ କଥା କହିଲା ନାଇଁ ଶାଶୂକୁ, କି ଘରେ ଶୁକ୍ରାକୁ । ବିଶ୍ୱାସ କମ୍ ହେଇଥାନ୍ତା । ଦିଶାରୀର ଖୁବ୍ ପ୍ରଭାବ ଆଉ ତାକୁ ସମସ୍ତଙ୍କର ଭୟ । ସେ ଚାପିଗଲା ।
ସଂସାର କହିଲେ ଯାହା ଥିଲା ଗୋଟେ ଗଣ୍ଠୁଳିରେ ।
ମୁଣ୍ଡକୁ ଉଠାଇ ସାରିଲା ପରେ ଶୁକ୍ରା କହିଲା, ଗୋଟେ ହାତରେ ଧ-ଟିଣ ବାକ୍ସ । ଆର ହାତରେ ବୋଉ ହାତ ।
ଚାଙ୍ଗଡ଼ି ତା’ର ହାତ ବଢ଼େଇଦେଲା ଦୁଇଟି ଛାଟିପିଟି ହେଉଥିବା ହାତ ଆଡ଼େ, ଯିଏ ଯିବାକୁ ମୋଟେ ପ୍ରସ୍ତୁତ ନ ଥିଲା ।
ଶୁକ୍ରା ବୁଝେଇଲା, ମା’ଲୋ, ଆ’ପଳେଇବା ଏ ଗାଁ ଛାଡ଼ି, ନ ହେଲେ ତୁ ଯେମିତି ବାୟାଣୀ ହଉଚୁ, କେତେବେଳେ ଏ ଲୋକେ ତୋତେ ମାରିଦେବେ, ଡାହାଣୀ ବୋଲି କହି । ମୁଁ ଜାଣେ ଲୋ ମା’ ତୁ ଡାହାଣୀ ନୁହଁ, କିନ୍ତୁ କିମିତି ବୁଝେଇବି ସେ ଲୋକମାନଙ୍କୁ ତୋର ସେ ଲକ୍ଷଣ ନାଇଁ ବୋଲି । ସେମାନେ ତ ରକ୍ତମୁଖା ହେଇ ଅଛନ୍ତି । ମୋ କଥା ମାନ – ଆ ଉଠିଆ …
ବଲବଲକି ଚାହିଁଲା ଡୁରୁମୀ । ସେ କିଛି କିଛି ବୁଝିପାରେ କିନ୍ତୁ କିଛି କହେନାହିଁ । ଖାଲି ଡାହାଣ ହାତଟି ହଲଉଥାଏ ବିଞ୍ଚô ହେଲା ପରି । ମୁଣ୍ଡ ବିଗିଡ଼ିବା ପରଠାରୁ ଲୁଗାପଟା ବି ସମ୍ଭାଳି ରଖେନା । ବେଳେବେଳେ ଉଭାଲଙ୍ଗଳା ହେଇପଡ଼ି ଲୁଗାଫୋପାଡ଼ି ଦିଏ । ଘର ଭିତରେ ଚଳେଇହୁଏ, ବାହାରକୁ ମା’ କୁ ନବ କିମିତି? ଶୁକ୍ରା, ଚାଙ୍ଗଡ଼ି ମାଡ଼ିବସିଲା ଭଳି ପିନେ୍ଧଇ ଦେଇଛନ୍ତି କସ୍ତାଖଣ୍ଡେ । ଅଣ୍ଟାରେ ବି ବାନ୍ଧି ଦେଇଛନ୍ତି ଦଉଡ଼ିଟାଏ । ପଛପଟକୁ ଗଣ୍ଠି । ଚାହିଁଲେ ବି ହାତ ପାଇବ ନାହିଁ ।
ଘରେ କୋଲପ ପଡ଼ିଲା । ଘର ଭିତରେ ଚୋରି ହେଲା ଭଳି ଜିନିଷ କିଛି ନଥିଲା । ତଥାପି ଘର । ଜାହିର୍ କରେ ମାଲିକାନା । ଘୋଷଣା କରେ ଅସ୍ତିତ୍ୱ । ତା’ର ଅନ୍ତତଃ ସର୍ବନିମ୍ନ ସୁରକ୍ଷା ଦରକାର ।
ଏ କଥା ବି କହିଥିଲା ଚାଙ୍ଗଡ଼ି । କାନ୍ଦ କାନ୍ଦ ହେଇ । ଗାଁ ଛାଡ଼ିବା ପୂର୍ବଦିନ ରାତିରେ । ଆମେ ତ ଘରଛଡ଼ା ହେଇଯିବା, କୋଉ ଦିନ ଫେରିବା, ତା’ର ତ କିଛି ଠିକଣା ନାଇଁ, ଘର ରହିବ କିମିତି?
ଦୀର୍ଘଶ୍ୱାସ ଛାଡ଼ିଥିଲା ଶୁକ୍ରା । କହିଥିଲା, ଆମେ ଯେବେ ଫେରିଲେ ବି ଆମକୁ ଘର ଅନେଇ ଥିବ ଲୋ ଚାଙ୍ଗୁ, ସେଠି ପରା ମୋ ଅନ୍ତୁଡ଼ିଶାଳ । ସେ ଜାଗାଟା ଅନ୍ତତଃ ସୁରକ୍ଷିତ ଥାଉ, ୟା’ର ମାଲିକ କିଏ ଜଣେ ଅଛି, ଏତକ ଘୋଷଣା କରୁଥାଉ ଫାଙ୍କା ଥାଇ ବି । ତା’ ଆଖିରୁ ଲୁହ ଝରି ପଡ଼ିଲା ।
ଚାଙ୍ଗ୍ଡ଼ÿି ପୋଛିନେଲା ତା’ ଲୁହ ।
ଏ ସମସ୍ତ ବିଷାଦ ଓ ବିପର୍ଯ୍ୟୟ ସତ୍ତ୍ୱେ ତା’ ଦେହରେ ଗୋଟେ ଚମକ ଖେଳିଯାଉଚି । ଗୋଟେ ଶିହରଣ । ଚାଙ୍ଗଡ଼ିର ନିଟୋଳ ଦମ୍ଭିଲା ସ୍ତନ ଛୁଇଁ ହେଇଯାଉଚି ତା’ ଛାତିରେ । ହାତ ବଢ଼େଇ ତା ମୁହଁ ପୋଛିଦେଲା ବେଳେ । ଶୁକ୍ରା କାନି ସମେତ ଚାଙ୍ଗଡ଼ିର ହାତଟିକୁ ମୁଠେଇ ଧରି ତା’ ମୁହଁ ଉପରେ ତା’ ମୁହଁ ଥୋଇଲା । ବାଁ ହାତଟି ଖୁଜୁଖୁଜୁ ହେଉଥିଲା ଚାଙ୍ଗଡ଼ି ଛାତିରେ । ଚାଙ୍ଗ୍ଡ଼ି ତରଳି ଯାଉଚି । ଓଠ ଅଧାମେଲା । ଅବଶ ହେଇପଡୁଚି – କ୍ରମଶଃ । ସେ ।
ଗୋଟେ ଫଟା ବାଉଁଶର ପାହାର ବାଜିଲା ତଳେ ।
ସମ୍ମୋହନ କଟିଗଲା । ସ୍ୱପ୍ନ ଭାଙ୍ଗିଗଲା । ଶିହରଣ ବଦଳିଗଲା ଶୀତଳତାରେ । ଅଚାନକ ପରସ୍ପରଠୁ ଅଲଗା ହେଇଗଲେ ଶୁକ୍ରା ଆଉ ଚାଙ୍ଗ୍ଡ଼ି । ସେମାନଙ୍କୁ ଜଳିଲା- ଜଳିଲା ଆଖିରେ ଚାହିଁଚି ମା’ । ଡୁରୁମୀ । ବାଡ଼ି ହଲେଇ ଧମକେଇବା ଢଙ୍ଗରେ ।
ଚାଙ୍ଗ୍ଡ଼ିର ଇଚ୍ଛା ହେଉଥିଲା କାମୁଡ଼ି ପକାନ୍ତା ବୁଢ଼ୀକୁ । ସଉତୁଣୀ ଭଳିଆ ବାଦ ଲଗେଇ ବସିଚି ।
ସମ୍ଭାଳିନେଲା ଶୁକ୍ରା । ଏବେ ଚାଙ୍ଗଡ଼ିର ଦେହ ଓ ମନର ଅବସ୍ଥା କ’ଣ ସେ ଜାଣେ । ତା’ ଭିତରେ ବି ପ୍ରଚଣ୍ଡ ଜ୍ୱଳନ । କିନ୍ତୁ କଅଁଳେଇ କହିଲା, ଆ’ଲୋ – ମା’ ଆ, ଶୋଇବା । ଚୁପ୍ ରହିବାକୁ ଠାରିଦେଲା ଚାଙ୍ଗଡ଼ିକୁ । ଆଖି ମିଟିକା ମାରିଲା ।
ଚାଙ୍ଗଡ଼ି ଉଁ କି ଚୁଁ ନ କହି ମୁହଁ ଫୁଲେଇ ସେପଟକୁ ମୁହଁ କରି ଶୋଇପଡ଼ିଲା । ମଝିରେ ମା’ । ଏ ପଟକୁ ଶୁକ୍ରା । ଚାଙ୍ଗଡ଼ିର ଖର ନିଃଶ୍ୱାସ ବାୟୁମଣ୍ଡଳକୁ ଭାରାକ୍ରାନ୍ତ କରି ପକାଉଥିଲା । ତାକୁ ଶୁଭୁଥିଲା ।
ମା’ର ଏଭଳି ଆଦତ ବାପା ଯିବାଠାରୁ ।
ଘଞ୍ଚ ଜଙ୍ଗଲ ଭିତରେ ଘେରାଏ ଫୁଲ ବଗିଚା ଭଳି ଛୋଟ ଗାଁଟିଏ ବାମେକାରୀ । ଅଦୂରରେ ପାହାଡ଼ । ପାହାଡ଼ ଛାତିରୁ ଝରି ଆସିଚି ଗୋଟେ ଚିରସ୍ରୋତା ଝର । ସେଇ ଝର ଯେମିତି ଅମୃତର ଗୋଟେ ଧାରା । ସେ ଧାରା ପାଣି ଯୋଗାଏ ପାଟିକୁ । ଜୀବନ ବଞ୍ଚାଏ । ସେଇ ଧାରା ପାଣି ଯୋଗାଏ ପାଟକୁ ଯିଏ ବଞ୍ଚôବାକୁ ଦିଏ ଆଧାର । ଯଅ, ମାଣ୍ଡିଆ, କୋଳଥ, ମକା, କାନ୍ଦୁଲ ଇତ୍ୟାଦି ଫସଲ ସେଇ ପାଣିକୁ ଆଶ୍ରାକରି କୂଳେ କୂଳେ ଝରକୂଳିଆ ଜମି । ବର୍ଷସାରା କିଛି ନା କିଛି ଫସଲ ଥାଏ । ନିର୍ଘାତ ଖରାଦିନେ ବି ପାଣିର ଧାରା ସରୁ ହେଇଗଲେ ବି ଶୁଖିଯାଏନା ।
ଗାଁକୁ ଘେରିଥାଏ ଉଚ୍ଚା ଉଚ୍ଚା ଶାଳଗଛର ଜଙ୍ଗଲ । ଜାତି ଜାତିକା ବଣୁଆ ଫୁଲ – ଆବୋରି ଧରିଥାଏ ଗାଁକୁ ଚାରିଆଡୁ । ଜଙ୍ଗଲ ଭିତରକୁ ପଶିଲେ ତେନ୍ତୁଳି, ଜେଉଠ, ଆମ୍ବ, ମହୁଲ, କଇଥର ଭରପୂର ସମ୍ଭାର । ଜଙ୍ଗଲର ଫୁଲ ଫଳ ଆଉ ଜମିର ଫସଲ ଗାଁ ଲୋକଙ୍କ ପାଇଁ ବରଦାନ । ଶୁକ୍ରା ବୁଆ ବିର୍ସା ପାହାଡ଼ ଜମିରେ ମାଟି ତାଡ଼ି ଉପୁଜାଏ ଫସଲ । ଜଙ୍ଗଲରୁ ତୋଳେ ଫଳ । ଅମଳ ପରେ ତାକୁ ବିକ୍ରି କରେ ପାଖ ହାଟରେ । ଆସେ ପଇସା । ଆନନ୍ଦରେ ଚଳିଯାଏ – ଛୋଟିଆ ପରିବାର । ଶୁକ୍ରା ବଢ଼ିଗଲା ପରେ ବାପା ସହ ଭିଡ଼ିଯାଏ । ବାପା କହେ, ଏ ମାଟିକୁ ମୂର୍ଚ୍ଛିବୁ ନାହଁରେ ଶୁକ୍ରା । ଯାହା ବି ହେଇଥାଉ, ଏ ଧରଣୀ ପେନୁ, ଏ ପାହାଡ଼ ଦେବତା ଆଉ ଜଙ୍ଗଲର ଗଛମାନେ ଜୀବନର ଧାର୍ତ୍ତା । ଯେତେବେଳେ ଆସିବୁ, ମୁଣ୍ଡିଆଟେ ମାରିବୁ ଏ ପାହାଡ଼କୁ । ଏ ପାହାଡ଼ ଖାଲି ଗୋଟେ ପଥରଗଦା ନୁହେଁ, ଏ ଜୀଅଁନ୍ତା ଦେବତା । ଦେଖୁନୁ କିମିତି ବର୍ଷକ ବାର ମାସ ଶିବଙ୍କ ମୁଣ୍ଡରେ ଗଙ୍ଗା ଭଳି ବୁହାଇ ଦେଉଚି ପାଣି । ସେତକ ନ ଥିଲେ ଭୂଇଁ ହେଇଥାଆନ୍ତା ଟାଙ୍ଗରା ପଥର । ଦୁବ ତ କଅଁଳି ନ ଥାନ୍ତା, ମଣିଷ ବଞ୍ଚିବ କ’ଣ? ଶୁକ୍ରା ବୁଝିଯାଏ । ଆତ୍ମସ୍ଥ ହେଇ ପାହାଡ଼ ଆଡ଼କୁ ଚାହେଁ । ଆକାଶକୁ ଛୁଇଁଲା ଭଳି ସବୁଜ ବନାନୀର ଏ ପାହାଡ଼ଟି ତାକୁ ମହାଯୋଗୀ ଭଳି ଦେଖାଯାଏ ।
ସେ ଜୁହାର ହୋଇପଡ଼େ । ବୁଆ ପାଖରେ ଠିଆ ହେଇ ମୁଚୁକୁ ମୁଚୁକୁ ହସୁଥାଏ । ଶୁକ୍ରାଟା ମୋର ଅଲବତ୍ ପୁଅ । ସେ ମନକୁ ମନ କହେ ।
ରାତିରେ ମା’ ପାଖରେ ପୁଅର ଗୁଣଗାନ କରେ ବିର୍ସା । ଡୁରୁମୀ ଖୁସି ହୁଏ । ବୁଆ କହେ, ତୋର ଆଉ ଚିନ୍ତା ପାଇଁ ଲୋ ଡୁରୁ । ପୁଅ ମୋର ପୂରା ସଳଖି ଗଲାଣି । କୋଉ ଚାଷ ପାଇଁ କେତେ ପାଣି ଜାଣିଗଲାଣି, କୋଉ ଫଳକୁ କେତେ ଖରା ହିସାବ ଜାଣିଲାଣି । ଶିଖି ଗଲାଣି ମୂଲଚାଲ, ଜାଣି ଗଲାଣି ବି ଗରାଖଙ୍କୁ ହାତେଇବା କାଇଦା ହାଟରେ ।
ମା’ କୁରୁକୁରୁ ହସେ । ଜହ୍ନର ଛାଇ-ଛାଇଆ ଅନ୍ଧାରରେ ତା’ ମୁହଁ ଦିଶେନା । କହେ, ଏତେ ତ କଲାଣି, ବାହା କରେଇ ଦିଅ ଗୋ । ମା’ର ଏଇ କଥାପଦକ ଯେମିତି ତାକୁ ମର୍ଦ୍ଦ କରିଦିଏ । ବାହାଯୋଗ୍ୟ ହୋଇଗଲାଣି ବୋଲି ବୁଆ ଜାଣିଲାଣି । ମା’ ଜାଣିଲେଣି, ସେ ଜାଣିନାଇଁ । କାଇଁ କୋଉ ଧାଙ୍ଗଡ଼ୀକୁ ତ ପଟେଇ ପାରିନାଇଁ? ଏଯାଏ ।
ଜହ୍ନ ଉପର ଦେଇ ଛିଣ୍ଡା ଛିଣ୍ଡା ବାଦଲ କେଇଖଣ୍ଡ ଭାସିଯାଉଥାନ୍ତି । ପହଁରିଲା ଭଳିଆ ଦେଖାଯାଉଥିବା ଜହ୍ନ ତାକୁ କୋଉ ସପନ ଭିତରକୁ ଭସେଇ ନେଉଥିଲା ଭଳି ଜଣାପଡ଼େ ।
ସତକୁ ସତ ଅଳ୍ପଦିନ ପରେ ତା’ର ବାହାଘର ଚାଙ୍ଗଡ଼ି ସହିତ । ଗାଈଡେଗା ଗାଁର ତା’ ଶ୍ୱଶୁର ସମାରୁ ଡୋକ୍ରା । ଫି ହାଟ ପାଳି ହାଟକୁ ଆସେ । ତାଙ୍କଠାରୁ ସଉଦା କରେ । ବଡ଼ ବେପାରୀ ସେ । ଶୁକ୍ରାକୁ ଦେଖେ । ତା’ ହାବଭାବ ଲକ୍ଷ୍ୟ କରେ, ତା’ ଢଙ୍ଗଢ଼ାଙ୍ଗକୁ ମାପେ, ତା’ ବେପାରୀ ତରିକାକୁ ଅମଜାଏ । ମନେ ମନେ ଚାଙ୍ଗଡ଼ି ପାଇଁ ଶୁକ୍ରାକୁ ଠିକ୍ କରେ ।
ବୁଆ ସହିତ ବନ୍ଧୁତା ଜମିଗଲାଣି । ଏମିତି ଦିନେ କଥାରେ କଥାରେ କହିଦେଲେ ସମାରୁ ଡୋକ୍ରା । ମୋ ଝିଅ ଚାଙ୍ଗଡ଼ିକୁ ବୋହୂ କରିନିଅ ହୋ ବିର୍ସା ଭାଇ । ଝିଅ ମୋର ବିଲ୍କୁଲ୍ ସରଗୀ ତାରା କି ଚାନ୍ଦ ପସରା ।
ବୁଆ ହାଟରୁ ଫେରି ମା’ ପାଖରେ ବିବରଣୀ ଦେଲା, ଶୁକ୍ରା ପାଇଁ ବୋହୂ ଆଣିଲି ଲୋ ଡୁରୁ, ଗାଈଡେଗା ଗାଁର ସମାରୁ ଡୋକ୍ରା ଝିଅ ଚାଙ୍ଗଡ଼ି ।
ଚାଙ୍ଗ୍ଡ଼ି!! ବୋଉ ଏତକ କହି ଖିଁ ଖିଁ ହସେ । ତା’ ହସରୁ ତା’ ଖୁସିର ଆକାର ବାରି ହେଇପଡ଼େ ।
ବଡ଼ ଧୂମ୍ଧାମ୍ରେ ଶୁକ୍ରାର ଚାଙ୍ଗଡ଼ି ସହିତ ବା ଘର ହେଇଗଲା ।
ଚାଙ୍ଗଡ଼ି ପାଇଁ ବହୁ ଧାଙ୍ଗଡ଼ା ଟକଳେଇ ଥିଲେ । ଚାଙ୍ଗଡ଼ିର ଚିକ୍କଣ ଶ୍ୟାମଳ ରଙ୍ଗ, ନିଦାଦିହ, ଚାନ୍ଦମୁହଁ, ହରିଣୀ ଆଖି, ପାଟଳି ଓଠ, ଶୁଆନାକ ଆଉ ଉଚ୍ଚାଉଚ୍ଚା କୁନ୍ଦିଲା ଛାତି ବଣ ଜଙ୍ଗଲରେ ନିଆଁ ଲଗାଉଥିଲା । ସତରେ ଏକଥା ଅନୁଭବ କଲା ଶୁକ୍ରା । ସେଦିନ ରାତିରେ କହିଲା, ଚାଙ୍ଗଡ଼ି ଲୋ, ତୁ’ ତ ସତରେ ସରଗପରୀଟେ ପରି ଦିଶୁଚୁ । ତତେ ତ ଦେଖି ଦେଖି ମୋ ପେଟ ପୂରିଯାଉଛି, ଆଖି ଲାଖି ରହୁଚି ଆଉ କଥାକୁ ବେଳ କାଇଁ?
ଚାଙ୍ଗଡ଼ି ତା’ କୁରଙ୍ଗୀ ଆଖି ନଚେଇ ହସିଲା କୁରୁକୁରୁ । ତା’ର ଶକ୍ତ ବାହୁମୂଳକୁ ଟିକେ ଚିପି ଦେଇ କହିଲା, ଖାଲି ଏମିତି ଦେଖି ଦେଖି ଖାଲି ରାତି ପୁହାଇ ଦବୁନା କ’ଣ? ସେ ଫୁଙ୍କିଦେଲା ଦୀପଟାକୁ । ଘର ଭିତରେ ନିପଟ ଅନ୍ଧାର କିନ୍ତୁ ପରସ୍ପରକୁ ପାଇବାରେ ଅନ୍ଧାର ବାଧା ଦେଇପାରୁ ନଥିଲା । ଦୁଇଟି ଦେହ ଆଖି ବୁଜି ଆନନ୍ଦର ଆଲୋକରେ ବୁଡ଼ିଯାଉଥିଲେ । ଜଙ୍ଗଲ ଭିତରୁ ପକ୍ଷୀର ରାବଟେ ଶୁଭୁଥିଲା । ମୟୂର କି!!
ଚାଙ୍ଗ୍ଡ଼ି ଘର ଭିତରେ ସୁଖ ବିଛାଡ଼ି ଦେଇଥିଲା । ଶାଶୂ ଡରମୀ, ଶଶୁର ବିର୍ସା ଆଉ ଗେରସ୍ତ ଶୁକ୍ରାଙ୍କୁ ନେଇ ବଣ ଭିତରେ ସେଇ ପଲ୍ଳୀଘରଟି ଗୋଟେ ରାଜ ଉଆସର ସୁଖ ଆନନ୍ଦଠାରୁ କମ୍ ନଥିଲା ।
କିନ୍ତୁ ଆକସ୍ମିକ ଚଡ଼କ । ବାହାଘରର ମାତ୍ର ପାଞ୍ଚ ଛ’ମାସ ପରେ । ଡଙ୍ଗର କ୍ଷେତରୁ ଆସି ବୁଆ ଘରେ ପହଞ୍ଚୁ ପହଞ୍ଚୁ ହଠାତ୍ କ’ଣ ହେଲା କେଜାଣି ମୂର୍ଚ୍ଛା ହେଇ ପଡ଼ିଲା । ହାଉଳି ପଡ଼ିଗଲା ଘରେ । ଟେକିଟାକି ନେଇଗଲେ ଦିଶାରୀ ପାଖକୁ । ଗାଁର ଦିଶାରୀ ବି ଗୁଣି ଜାଣେ । ଜରଠୁଁ ଭୂତ ଲାଗିବା ଯାଏ ସବୁ ଭଲ କରିଦିଏ । ତା’ ମନ୍ତ୍ରର ଭାରି ପ୍ରଭାବ । ଗାଁ ସାରାଟାର ବିଶ୍ୱାସ ସେଇଠି ଠୁଳ । ଦିଶାରୀ ବିର୍ସାର ଆଖି ଦେଖିଲା, ନାଡ଼ି ଚିପିଲା, କହିଲା – ଡଙ୍ଗରରେ ଗୋଟେ ଭୟାନକ ଭୂତ ବିଚରଣ କରୁଚି । ସେ ଏ ଗାଁ ପାଇଁ ଆତଙ୍କ । ତାକୁ ତଡ଼ିବାକୁ ମୁଁ ବହୁ ବାଟ କଲିଣି । ଯାଉନାଇଁ ସେ । କିନ୍ତୁ ଡରିକି ଅଛି । ଖରାବେଳଟାରେ ବିର୍ସାକୁ ଏକା ପାଇ ଗ୍ରାସି ଦେଇଚି । ଜବର କରି ମାଡ଼ି ବସିଚି । ଝୁଣା, ଧୂପ, ଲୁହାକଣ୍ଟା ଆଉ ମୟୂରପଙ୍ଖ ନେଇ ସେ ତା’ର ଉପଚାର ଆରମ୍ଭ କରିଦେଲା । ପୂଜା କଲା । ଗୋଟେ ଲହଲହକା ବେତ । ସାବାଡ଼ ହେଇଯିବ ଭୂତ । ସମସ୍ତେ ବିକଳ ହେଇ ତକେଇଛନ୍ତି ବିର୍ସା ଉଠିବ । ପୂଜାର୍ଚ୍ଚନା ଚାଲିଚି । କିଳିକିଳା ରଡ଼ି ଛାଡ଼ି ଦିଶାରୀ ଶୂନ୍ୟରେ ବୁଲେଇ ବେତକୁ ତଳେ ପିଟୁଛି । ମଝିରେ ମଝିରେ ପାହାର ପଡୁଛି ବିର୍ସାର ମୁମୂର୍ଷୁ ଦେହ ଉପରେ । ସେ ଶୋଇଚି ଅସାଡ଼ ହେଇ । ପାହାର ପରେ ପାହାର ଖାଉଚି । ହୁଁ କି ଚୁଁ ହଉନି ।
କାଉଳିବାଉଳି ହେଇଯାଉଚି ତା’ ପରିବାର । ଜୀବନ ଅଛି କି ଗଲାଣି କିଏ ଜାଣେ?
ଗଙ୍ଗୁ ଚୁପ୍ କରି କହିଲା ଶୁକ୍ରାକୁ, ଚାଲ୍ ନେଇଯିବା ଡାକତର ପାଖକୁ । ଏଠି ଏ ମିଛୁଆ ଦିଶାରୀଟା କ’ଣ କରିବ? ମୋ କଥା ମାନ୍ ।
ଚାଙ୍ଗ୍ଡ଼ି ବସି ନାକ ସୁଁ ସୁଁ କରୁଥିଲା । ବୁଆର ଚେତା ଫେରିବାକୁ ନାଇଁ, ମା’ ତ କାଠ ହେଇ ବସିଚି ବେକରେ କାନି ଗୁଡ଼େଇ ।
ଚାଙ୍ଗ୍ଡ଼ି ଦେଖିଲା ପୂଜା ଭିତରେ ଦିଶାରୀ ତା’ ଆଡ଼କୁ ଚାହୁଁଚି ମଝିରେ ମଝିରେ । ତା’ ଆଖିରେ ନିଆଁ ଝୁଲ । ଚାଙ୍ଗଡ଼ି ଶାଙ୍କୁଡ଼ି ଯାଉଚି । ତା’ର ମନେ ପଡ଼ିଯାଉଚି । ତାକୁ ଥରେ ଜର ହେଇଥାଏ । ଶାଶୂ ଝଡ଼ାଫୁଙ୍କା କରିବାକୁ ନେଇଗଲେ ଦିଶାରୀ ପାଖକୁ । ଚାଙ୍ଗ୍ଡ଼ିର ଏକଥାରେ ବିଶ୍ୱାସ ନାହିଁ । ଶାଶୂଙ୍କ ପାଇଁ ବାଧ୍ୟ । ଦିଶାରୀ ମା’କୁ ଦୁଆରେ ବସାଇ ତାକୁ ନେଇଗଲା ଟୁଙ୍ଗୀ ଭିତରକୁ । ମା’ କାକୁସ୍ଥ ହେଇ ବସିଥାଏ ଦୁଆରେ ।
ଦିଶାରୀ ଝାଡ଼ିବା ବାହାନାରେ ତା’ ଦେହର ଥାନ ଅଥାନରେ ହାତ ବୁଲେଇଲା । ମୁହଁକୁ ଫୁଙ୍କି ଆଖି ବୁଜେଇଲା । କୁଣ୍ଢେଇଲା । ତା’ ଗାଲକୁ ଚାଟିଲା । ଓଠକୁ କାମୁଡ଼ିଲା । ୟେ କ’ଣ ଝଡ଼ାଫୁଙ୍କାର ତରିକା! ଚାଙ୍ଗ୍ଡ଼ି ଦେହରେ ଖଇଫୁଟା ତାତି । ଦେଖିଲା ଦିଶାରୀର ଆଚରଣ ଅନ୍ୟଆଡ଼େ ଯାଉଚି । ସେ ତାକୁ ଧକ୍କାଟେ ମାରି ବାହାରି ଆସିଲା ବାହାରକୁ । ତା’ ଦେହରୁ ବିଲକୁଲ୍ ଜର ଓହ୍ଲେଇଯାଇଥିଲା ଅପମାନରେ । ଶାଶୂ ଆଉଁସି ପକେଇଲେ । ଦେହ ମୁଣ୍ଡରେ ହାତ ମାଇଲେ ତାତି ନାଇଁ । ଦିଶାରୀକୁ ଜୁହାର ହେଇ ଆସିଲେ । ଚାଙ୍ଗଡ଼ି ଏ କଥା କହିଲା ନାଇଁ ଶାଶୂକୁ, କି ଘରେ ଶୁକ୍ରାକୁ । ବିଶ୍ୱାସ କମ୍ ହେଇଥାନ୍ତା । ଦିଶାରୀର ଖୁବ୍ ପ୍ରଭାବ ଆଉ ତାକୁ ସମସ୍ତଙ୍କର ଭୟ । ସେ ଚାପିଗଲା ।
ସେଇଦିନୁ ଦିଶାରୀ ନାଁ ଶୁଣିଲେ ସେ ଡିଏଁ । କିନ୍ତୁ ଆଜି ଅବସ୍ଥା ଅଲଗା । ଶଶୁର ଭଲ ହେବା ବଡ଼ କଥା । ସେଇ ଦିନରୁ ରାଗ ରଖି ଦିଶାରୀ ତାକୁ କଟମଟ କରି ଚାହୁଁଛି, ଚାହୁଁଥାଉ ।
ଗଙ୍ଗୁ ପୁଣିଥରେ ଶୁକ୍ରାକୁ କହିଲା, ଶୁକ୍ରା, ଅବସ୍ଥା ବିଗିଡ଼ିଯାଉଚି । ଦି’ଘଣ୍ଟା ହେଇଗଲାଣି । ବୁଆର ହୋସ୍ ଆସୁନି ।
ଶୁକ୍ରା ବିକଳ ହେଇ ଚାହିଁଲା ଗଙ୍ଗୁ ମୁହଁକୁ । ଗଙ୍ଗୁ ପାରାଦୀପ ଲାଇନ୍ରେ ଟ୍ରକ୍ ଚଳାଏ । ହେଲ୍ପର ଥିଲା, ଏବେ ଡ୍ରାଇଭର୍ । ସହରରେ ତା’ର ଚଳପ୍ରଚଳ । ତା’ର ଜ୍ଞାନ ଅଧିକ । ସେ ଭୁଲ୍ କହୁନାହିଁ ।
ଶୁକ୍ରା ଠିଆହେଲା । କହିଲା ଆଉ ନୁହେଁ । ବହୁତ ବେଳ ହେଲାଣି ଝଡ଼ାଫୁଙ୍କା । ବୁଆ ଚଙ୍କୁନି । ତାକୁ ଡାକତରଖାନା ନେମି ।
ଦିଶାରୀ ଉତ୍କ୍ଷିପ୍ତ ହେଇ ରଡ଼ନିଆଁରେ ଆଉ ପୁଳେ ଝୁଣା ଛାଟି ଉଦ୍ଭ୍ରାନ୍ତ ହେଇ ନାଚିଲା । ଏଇଟା କ’ଣ କହୁଚି? ମୋତେ ଅବିଶ୍ୱାସ!
ଗଙ୍ଗୁ ପୁଣି କହିଲା, ଉଠରେ ଶୁକ୍ରା … ଏଠି କିଛି ହବ ନାଇଁ ।
ଶୁକ୍ରା ଝପଟିଗଲା ବୁଆ ପାଖକୁ । ପତ୍ରଫୁଲ ପାଉଁଶରେ ବୁଆ ମୁହଁ ଦେହ ଅଧାପୋତି ହେଇଯାଇଥିଲା । ଦେଖାଯାଉଥିଲା ବୀଭତ୍ସ । ଶୁକ୍ରା ଉଠେଇଲା । ବୁଆର ଆଉ ଜୀବନ ନଥିଲା ।
ହାଉଳି ପଡ଼ିଗଲା ଗହଳି ଭିତରେ । ଦିଶାରୀ ତତ୍କ୍ଷଣାତ୍ କହିଲା, ସବୁଠିକ୍ ଥିଲା, ମୋତେ ଅବିଶ୍ୱାସ କଲାରୁ ଏ ଫଳ । ତା’ଛଡ଼ା ଏଠି ଆଉ ଗୋଟେ ପିଶାଚିନୀ ଆତ୍ମା ଅଛି, ତାକୁ ଖାଇଲା… ତାକୁ ମୁଁ ଜବତ୍ କରିବି ।
ଭୋ ଭୋ ରଡ଼ିରେ କମ୍ପି ଉଠିଲା ବନଭୂଇଁ ।
ଶୁକ୍ରା ଗଙ୍ଗୁ ଉଠେଇଲେ ଶବ । ମାଆ ଅଜାଡ଼ି ହେଇପଡ଼ିଥିଲା ସେଇଠି । ଦିଶାରୀ ତାକୁ ଉଠେଇଲା । ତା’ କାନରେ କ’ଣ କହିଲା । ମା’ ଆକଲା ହେଇ ଚାହୁଁଥିଲା ତା’ ମୁହଁକୁ । ଚାଙ୍ଗଡ଼ି କାନ୍ଦୁ କାନ୍ଦୁ ଭାବୁଥିଲା ମା’ କାନରେ କ’ଣ କହିଲା ଦିଶାରୀ ।
ସେ କଥା ଜଣାପଡ଼ିଲା ବିର୍ସାର ଶୁଦ୍ଧାଦି କ୍ରିୟା ପରେ ।
ମା’ ଶୁକ୍ରାକୁ ଡାକି ଚୁପ୍ଚୁପ୍ କହିଲା, ଏ ଚାଙ୍ଗଡ଼ି ଗୋଟେ ଡାହାଣୀ, ସେଇ ତୋ ବୁଆକୁ ଖାଇଚି…
ଶୁକ୍ରା ଆଚମ୍ବିତ ହେଲା, କି କଥା କହୁଚି ମା’? କହିଲା, ମୋଟେ ନୁହଁ, ତୁ କି ପ୍ରମାଣ ପାଇଲୁ?
ପ୍ରମାଣ ଫ୍ରମାଣ କିଛି ନାଇଁ । ଦିଶାରୀ ଦେବତା ମିଛ କହନ୍ତି ନାଇଁ । ତୁ ଦେଖିନୁ ତୋ ବୁଆକୁ ଝଡ଼ାଫୁଙ୍କା କରୁଥିଲା ବେଳେ କିମିତି ଦିଶାରୀ ଦେବତା ତାକୁ ରାଗି ଚାହୁଁଥିଲେ । କଥାଟା ଖୋଲିଲେ ନାଇଁ … ମତେ କହିଚନ୍ତି । ଆଗକୁ ଆହୁରି ଅଘଟଣ ଘଟିବ ।
ଏକଥା ଶୁଣିଲା ଚାଙ୍ଗଡ଼ି । ବୁଝିଗଲା ସେଦିନର ପ୍ରତିବାଦର ପ୍ରତିଶୋଧ ନେଉଚି ଦିଶାରୀ । କିନ୍ତୁ ଏକଥା କହିବ କାହାକୁ? ବିଶ୍ୱାସ କରିବ କିଏ? ଶୁକ୍ରା ବି । ସେ କାନ୍ଦି ପକେଇଲା ।
ଶୁକ୍ରା ଭାଙ୍ଗିପଡ଼ି କହିଲା, ତେବେ କ’ଣ କରିବା?
: ତୁ ତାକୁ ବାହାର କରିଦେ ।
: ବାହାର କରିଦେବି? ଶୁକ୍ରା ହାଁ କରି ଚାହିଁଲା ମା’ ମୁହଁକୁ ।
ଆଉ? ସେ ଡାହାଣୀକୁ ରଖିବୁ? ତୋ ବୁଆକୁ ଖାଇଲା, ଛ’ଟା ମାସ ଯାଇ ନାଇଁ ଆସିବାର । ମୋତେ ବି ଖାଇବ ୟା’ ପରେ । ତୋତେ ବି ଛାଡ଼ିବ ନାଇଁ ସେ…
ଶୁକ୍ରା ବିକଳ ହେଇ ବୁଝେଇଲା, ନାଇଁ ଲୋ ମା’, ଚାଙ୍ଗଡ଼ି ସେମିତି ନୁହେଁ … ତା’ କଥାରେ ପଡ଼ନାଁ… ବୁଆକୁ ସେଇ ମାଇଲା । ଡାକତର ପାଖକୁ ନେଇଥିଲେ ବଞ୍ଚିଥାନ୍ତା ।
ମା’ ଜିଭ କାମୁଡ଼ି ପକେଇଲା । ସେମିତି କହନାଁ, ସେ ଦେବତା କୋପ କରିବେ । ଚାଙ୍ଗଡ଼ି ସହିତ ତାଙ୍କର ଅହନ୍ତା କ’ଣ? କାଇଁକି ସେ ମିଛ କହନ୍ତେ ୟା’ ନାଁରେ, ସେ ଲକ୍ଷଣ ଦେଖିଛନ୍ତି… ଦିଶାରୀ ଦେବତା ଯାହା ଦେଖିପାରନ୍ତି, ଆମେ ଛାର… କିମିତି ଦେଖିବା? ତୁ ତାକୁ ବାହାର କର…
ଶୁକ୍ରା କହିଲା ରହ… ଆମେ ଟିକେ ତା’ ଲକ୍ଷଣ ପରୀକ୍ଷା କରିବା । ନ ହେଲେ ଦିଶାରୀ ପାଖକୁ ନବା । କିଛି ନ ଜାଣି କାହା କଥାରେ ବାହାର କିମିତି କରିବା?
ମା’, କୁନ୍ଥୁକୁନ୍ଥୁ ହେଇ କହିଲା, ହଉ କ’ଣ ପରୀକ୍ଷା କରିବୁ କର, କିନ୍ତୁ ଆଜିଠାରୁ ତୁ ଶୋଇବୁ ନାଇଁ ତା’ ପାଖରେ । ମିଶିବୁ ନାଇଁ । ରକ୍ତ ଶୋଷିନେବ ।
ଶୁକ୍ରା ପିଣ୍ଡରେ ପ୍ରାଣ ପଶିଲା ପରି କହିଲା, ହଁ… ହଁ… ସେୟାହବ ।
ଆର ପଟରୁ ମା’ ପୁଅଙ୍କ କଥା ଶୁଣୁଥିଲା ଚାଙ୍ଗଡ଼ି । କ୍ରୋଧ, ଲୁହ, ହତାଶା ତାକୁ ତଳିତଳାନ୍ତ କରିପକାଉଥିଲା ।
ଏହାର କିଛିଦିନ ଭିତରେ ମା’ର ଅବସ୍ଥା ବିଗୁଡୁଥିଲା । ସହଜେ ସେ କୁରୂପା, ତା’ ସାଙ୍ଗକୁ ବୁଆର ମୃତୁ୍ୟ ଚାଙ୍ଗଡ଼ିର ଡାହାଣୀ ହେବା ଘଟଣା ତା’ ଚେହେରାକୁ ଆହୁରି ବିକୃତ କରି ପକାଉଥିଲା । ଆରମ୍ଭ ହେଇଯାଇଥିଲା ମାନସିକ ବିକୃତି । ଚାଙ୍ଗ୍ଡ଼ିକୁ ସେ ପାଖ ପୂରାଉ ନଥିଲା । କାହିଁକି ଚାଙ୍ଗଡ଼ିକୁ ଘରେ ରଖିଛି ବୋଲି ଶୁକ୍ରା ଉପରେ ସବୁବେଳେ ଗରଗର ହେଉଥିଲା । ଦି’ ଜଣକୁ ମିଶେଇ ଦଉ ନଥିଲା ରାତିରେ । ଦି’ଜଣଙ୍କ ମଝିରେ ଶୋଉଥିଲା । ଦିନରେ ବାଉଁଶ କୀଳା ଧରି ଜଗୁଥିଲା ।
ହା ହୁତାଶ ହେଇଯାଉଥିଲେ ଶୁକ୍ରା ଆଉ ଚାଙ୍ଗଡ଼ି । କ’ଣ କରିବେ କିଛି ନିଷ୍ପତ୍ତି କରିପାରୁ ନଥିଲେ । ଦିଶାରୀଟା ପରିବାରଟାକୁ ଉଚ୍ଛନ୍ନ କରିଦେଲା । ବୁଆକୁ ମାଇଲା, ମା’କୁ ଶିଖେଇ ଚାଙ୍ଗ୍ଡ଼ିକୁ ଡାହାଣୀ କରାଇଲା । ତାକୁ ପାଗଳୀ କଲା । ଗାଁରେ ବି ଏବେ ତା’ ଘର ଛାଇ ଆଉ କେହି ମାଡୁନାହାନ୍ତି । ସେଠି ଚାଙ୍ଗ୍ଡ଼ି ଡାହାଣୀ ଅଛି । ଛୁଆପିଲାଙ୍କୁ ଆକଟ କରିଛନ୍ତି । ନୂଆ ବିବାହିତା ତା’ ମୁହଁ ମୋଟୁରୁ ଚାହୁଁନାହାନ୍ତି ।
ଚାଙ୍ଗ୍ଡ଼ିର ଚମକ କମି କମି ଆସୁଚି ।
ହଠାତ୍ ଦିନେ ଦିଶାରୀ ଦୁଆରେ । ଚମକି ପଡ଼ି କହିଲା, ତୁ ଡୁରମୀ ନାଁ? ବିର୍ସା ମାଇପ? ତତେ ପରା କହିଥିଲି ସେ ଡାହାଣୀକୁ ଘରୁ ବିଦାକର୍… କଲୁନି… ଦେଖ୍ ତତେ ଗ୍ରାସି ଗ୍ରାସି କ’ଣ କଲାଣି? ତୁଇ ମରିବୁ । ଗୋଟେ କାଆମ କର… ତାକୁ ପଠା ମୋ ପାଖକୁ, ତା’ର ଯୋଗିନୀ ପୂଜା ହବ । ଠିଆ ନଙ୍ଗଳା ପୂଜା । ନକଲେ ଡାହାଣୀ ଯିବନି ତା’ଠାରୁ କି ତତେ ଛାଡ଼ିବ ନାଇଁ… ସେ ଶୁକ୍ରାଟା ବି ମରିବ ।
ଡୁରୁମୀ କ’ଣ ଭାବିଲା କେଜାଣି ସେ ବାଉଁଶ କୀଳାଟାକୁ ଫୋପାଡ଼ିଲା ଦିଶାରୀ ଉପରକୁ । ଦିଶାରୀ ମୁଣ୍ଡରେ ବାଜିଲା । ମୁଣ୍ଡ ଆଉଁସି ଆଉଁସି କିଲିବିଲି ହେଇ ଦୌଡ଼ି ପଳଉଥିଲା ଦିଶାରୀ । କହୁଥିଲା, ଆରେ ଏଇଟା ତ ସତକୁ ସତ ଡାହାଣୀ ହେଇଗଲାଣିରେ… ରହ ରହ ତତେ ଦେଖୁଚି…
ଝର୍କା ଫାଙ୍କରେ ସବୁ ଦେଖୁଥିଲା ଚାଙ୍ଗ୍ଡ଼ି । ଫିକ୍କିନା ହସିଦେଲା । ଏଇଟାର କାଳେ ଅମାପ ଶକ୍ତି… ମୋତେ ଠିଆ ନଙ୍ଗଳା ପୂଜା କରିବ!!
ତା’ର ଘଣ୍ଟାକ ପରେ ସ୍ଥିତି କିନ୍ତୁ ଅଣାୟତ୍ତ ହେଇଗଲା । ଗାଁର ସବୁ ଲୋକ ଠେଙ୍ଗାବାଡ଼ି ତେଣ୍ଟା ଫାର୍ସା ଧରି ଶୁକ୍ରା ଦୁଆରେ ହାଜର । ଆଗରେ ଦିଶାରୀ । ଲୋକଙ୍କୁ ଭଡ଼କାଉଚି । ଏ ଘରେ ଘରେ ଦି ଦି’ଟା ଡାହାଣୀ । ଗାଁଟାକୁ ଚରିଯିବେରେ… ତଡ଼ ୟାଙ୍କୁ ଗାଁରୁ… ଲଙ୍ଗଳା କର ।
ଶୁକ୍ରା ଜୁହାର ନେହୁରା ହେଲା । ଗୋଡ଼ ହାତଧରି ତଳେ ଗଡ଼ିଲା । ଲୋକେ କମ୍ପୁଥିଲେ । ନାଇଁ ନାଇଁ ସେ ଡାହାଣୀ ଦି’ଟା ଏଠି ରହିପାରିବେ ନାହିଁ । ଡୁରୁମୀ ବସିଥିଲା ପିଣ୍ଡାରେ । ମଟ ମଟ କି ଚାହୁଁଥିଲା । କିଛି ବୁଝିପାରୁ ନଥିଲା । କେତେ ଜଣ ଘୋଷାରି ଆଣିଲେ । ତଳକୁ ତାକୁ ଭିଡ଼ିଭାଡ଼ି ଲଙ୍ଗଳା କରିପକେଇଲେ । ଶୁକ୍ରା ହାହୁତାଶ ହେଇଯାଉଥିଲା । ମାଆ ଉପରକୁ ଗାମୁଛାଟା ପକେଇଦେଇ ଦିଶାରୀ ଗୋଡ଼ ଧରି ପକେଇଲା, ମହାପ୍ରୁ… ଦୟାକର, ଆମେ ରହିବୁନି ଏଠି ପଳେଇବୁ । ଅନ୍ୟମାନଙ୍କୁ ବି କାକୁତି ମିନତି କରୁଥିଲା ।
ଲୋକମାନେ ହୋ ହୋ ହେଇ ଉଠିଲେ । ନାଇଁ ନାଇଁ… ତୋର ମାଆ ଡାହାଣୀ… ମାଇପ ଡାହାଣୀ । ଗୋଟେଘରେ ଦି’ଦିଟା ଡାହାଣୀ ରହିଲେ ଆମେ ଗାଁରେ ରହିବୁ କିମିତି ଏଠି ଛୁଆପିଲା ଧରି? ଆରେ ୟା’ ମାଇପ ଡାହାଣୀ କୁଆଡ଼େ ଗଲାରେ ଧରି ଆଣ ତାକୁ, ଲଙ୍ଗଳା କର…
ଲୋକମାନେ ଆଉଥରେ ହାତ ସବୁ ଉଠେଇ ହୋ ହୋ ହେଲେ । ହଁ ସତକଥା… ସେଇଟା ଏ ଗାଁର ପ୍ରଥମ ଡାହାଣୀ । ଶଶୁରକୁ ଖାଇଲା, ଶାଶୂକୁ ବି ଡାହାଣୀ କଳା ଦେଇ ଡାହାଣୀ କଲା… ଧର ତାକୁ… ଲଙ୍ଗଳା କର…
ଶୁକ୍ରା ଆଣ୍ଠେଇ ପଡ଼ିଲା ପ୍ରାର୍ଥନା ମୁଦ୍ରାରେ ।
କେହି କେହି କହିଲେ, ଆଜି ଛାଡ଼ । ଦୁଇଦିନରେ ଗାଁ ଛାଡ଼ି ନଗଲେ ଆଜି ଶାଶୂଡାହାଣୀ ନଙ୍ଗଳା ହେଲା, ତା’ ପରେ ବୋହୂ ଡାହାଣୀକୁ ଲଙ୍ଗଳା କରି ଗାଁରେ ବୁଲେଇ ତଡ଼ିବା … ଚାଲ ହେ’ ।
କେହି କେହି ବି କହୁଥିଲେ ତଡ଼ିବା କ’ଣ? ମାରିକି ଡଙ୍ଗର ତଳକୁ ଫିଙ୍ଗିଦେବା । ଡଙ୍ଗର ପେନୁ ପିଉ ୟା’ଙ୍କ ରକ୍ତ, ଅଧିକ ପାଣି ଝରିବ…
ଲହୁଲୁହରେ ଧରାଶାୟୀ ହେଇଯାଇଥିଲା ଶୁକ୍ରା ।
ମୂକ ଜଡ଼ ହେଇ ପିଣ୍ଡାକୁ ଆଉଜି ବସିଥିଲା ଅଧଲଙ୍ଗୁଳି ଡୁରମୀ ।
ଘର ଭିତରେ ବରଫ ପରି ଥରୁଥିଲା ଚାଙ୍ଗଡ଼ି ।
ଏବେ ରାତି ପୁହା ଗାଁ ଛାଡ଼ିବା ପ୍ରସ୍ତୁତିରେ ଶୁକ୍ରା ।
ଗଙ୍ଗୁ ସହିତ କଥା ହେଇଯାଇଚି । ଏମାନେ ଡଙ୍ଗର ତଳି ଦେଇ ଜଙ୍ଗଲିଆ ବାଟରେ ଯାଇ ହାଇୱେରେ ପହଞ୍ଚôବେ । ଗଙ୍ଗୁ ଟ୍ରକ୍ ସେଠି ଥିବ । ନେଇଯିବ ପାରାଦୀପ ଆଡ଼େ । ତେଣିକି ଯା’ ଭାଗ୍ୟ ।
ହଠାତ ଚାଙ୍ଗ୍ଡ଼ି ତଳେ ଥୋଇଲା ଟିଣବାକ୍ସ । ମା’ ହାତ ଛାଡ଼ିଦେଲା । କହିଲା, ଆଜି ନୁହେଁ, କାଲି ଯିବା ।
କାଲି? ଆକାଶରୁ ପଡ଼ିଲା ଶୁକ୍ରା । ତତେ ଜୀବନ ପିତା ଲାଗିଲାଣି କି?
ଆମକୁ ତ ଦି’ଦିନ ସମୟ ଦିଆଯାଇଚି । ଆଜି ରାତିଟା ତ ରହିପାରିବା । କାଲି ସକାଳୁ ସକାଳୁ ଯିବା । ମୋର ମୋ ଘର ଛାଡ଼ି ଯିବାକୁ ଇଚ୍ଛା ହେଉନି ମୋଟେ । ଡଙ୍ଗର ପେନୁ ମୁଣ୍ଡିଆ ପାଇନି । ଝର ପାଣି ଟିକେ ପିଆଯାଇନି । ବୁଆ ସମାଧିକୁ ଛୁଇଁହେଇନି, ପୁଣି ଆମର ଆପଣାର ଚାଷଜମିକୁ ବି ଆଖି ପୂରେଇ ଦେଖି ହେଇନି । ଆଜି ଅନ୍ତତଃ ଶେଷଥର ପାଇଁ ଏଇ ଏଇ କାମ କରିବା । କିଏ ଜାଣେ ଆଉ ଏ ମାଟିକି ଫେରିହବ କି ନ ହବ?
ତରଳିଯାଉଥିଲା ଶୁକ୍ରା । ତା’ଠାରୁ ଅଧିକ ଚାଙ୍ଗଡ଼ିର ଏ ମାଟି ମୋହ । ସତକଥା । ଶେଷଥର ପାଇଁ ଟିକେ ଛୁଇଁ ଦେଖି ନ ଗଲେ, ଜୀବନରେ ଅଭାବ ରହିଯିବ ।
ଶୁକ୍ରା ସହସ୍ର ଦୁଃଖରେ ବି ଚାଙ୍ଗଡ଼ିକୁ ଚାହିଁ ମୁରୁକି ହସିଦେଲା । ଚାଙ୍ଗଡ଼ି ଘରର କୋଲପ ଖୋଲିଲା । ତାକୁ କୋଳେଇ ନେଲା ଘରଭିତରର ରୁଦ୍ଧ ପବନ ଆଉ ଶୂନ୍ୟତା ।
ଶୁକ୍ରା କହିଲା ଅଧିକ କିଛି ଖୋଲାଖୋଲି କରନା । ପୁଣି କାଲି ଗଲା ବେଳେ ବନ୍ଧାବନ୍ଧି ଝମେଲା ହେବ । ଆଜି ଦିନଟା ଯେତେ କମ୍ରେ ଚଳେଇନେଲେ ଭଲ । ମୁଁ ଯାଏ, ଟିକେ ଡଙ୍ଗର ଆଡ଼େ ମୁହଁ ମାରିଆସେ ।
ଶୁକ୍ରା ଚାଲିଗଲା ।
ମା’ ସେମିତି ପଥର ଖମ୍ବଟେ ପରି ବସିଥିଲା ପିଣ୍ଡାରେ ।
ଦିନଟା ସହଳ ସରିଗଲା କି? ଶୁକ୍ରା ଭାବୁଥିଲା । ମୁ୍ଣ୍ଡରେ ବୋଝ ଥିଲେ କଳି ହୁଏ ନାଇଁ ସମୟ । ରାତି ଘନେଇ ଆସୁଥିଲା । ଜଙ୍ଗଲ ବି ଆଜି ନିସ୍ତବ୍ଧ । ଚଢ଼େଇଛୁଆଟିର ବି ରାବ ଶୁଭୁନି । ପଶୁପକ୍ଷୀ ସବୁ ଫେରାର୍ ହେଇଗଲେ କି ଜଙ୍ଗଲ ଛାଡ଼ି! ତା’ ଦୁଃଖରେ । ଆଜି ରାତି ଶେଷ ରାତି ଏମାନଙ୍କ ଗହଣରେ । ତା’ ପ୍ରିୟ ଜଙ୍ଗଲ କୋଳରେ । ଗୋଟେ ଛାତିଥରା ଦୀର୍ଘଶ୍ୱାସ ବାହାରି ଆସିଲା ଶୁକ୍ରା ଭିତରୁ ।
ମା’ ଶୋଇ ପଡ଼ିଲାଣି । ଶୁଭୁଚି ଧୀର ଘୁଙ୍ଗୁଡ଼ି । ସେ ଚୁପ୍ କରି ଉଠିଗଲା ଚାଙ୍ଗଡ଼ି ପାଖକୁ । ଅଣ୍ଡାଳିଲା ତା’ର ଦେହମୁଣ୍ଡ । ମୁହଁ ଘଷିଲା ଛାତିରେ । ଚୁପ୍ଚୁପ୍ କହିଲା, ଆଜି ରାତି ଶେଷ ରାତି ଲୋ ଏ ଘରେ…
ଥିର କରି ଠେଲିଦେଲା ଚାଙ୍ଗ୍ଡ଼ି । ଛାଡ଼ି ଯାଉଚ ବୋଲି ଦୁଃଖ କରିବ ନା ଆନନ୍ଦ କରି ମନେ ରଖିବାକୁ ମନ?
ଶୁକ୍ରା ଆହୁରି ଥିର୍ କହିଲା, “ଦୁଃଖ ଭିତରେ ଥାଇ ଯୋଉ ଆନନ୍ଦ ନିଆଯାଏ, ତା’ ବେଶୀ ମନେ ରହେ ।” “ଥାଉ ଥାଉ… ମୋର ମନ ନାଇଁ ।” ଚାଙ୍ଗ୍ଡ଼ି ସଜଡ଼ା ସଜଡ଼ି କରି ଲୁଗାପଟା ଶୋଇଗଲା । ଚୁପ୍ କରି ପୁଣି ନିଜ ବିଛଣାକୁ ଫେରିଆସିଲା ଶୁକ୍ରା ।
ନିଦ ଭାଙ୍ଗୁଭାଙ୍ଗୁ ଟିକେ ଡେରି । ଓଃ ଆଜି ଯେ ଗାଁ ଛାଡ଼ିବା କଥା! କୁଆଡ଼େ ଗଲା ଚାଙ୍ଗ୍ଡ଼ି? ସେ ହୁଦୁସ୍ ଉଠିଲା । ମା’କୁ ଉଠେଇଲା । ଏସବୁ ଗୁଡ଼ା ବାନ୍ଧିଦିଏ, ପୁଣି ଡେରି ହବ । ସବୁ ବୁଜୁଳା ବାନ୍ଧି ରଖିଲା ଶୁକ୍ରା । କୁଆଡ଼େ ଗଲା ଚାଙ୍ଗ୍ଡ଼ି!! କିଛି ଚିନ୍ତାଦକ ନାଇଁ । ଏପଟ ସେପଟ ଖୋଜିଲା । ଡାକ ଛାଡ଼ିଲା । ଦି’ଚାରିଥର । କୁଆଡ଼େ ତ ଯାଏନା । ଗଲା କୁଆଡ଼େ? ତା’ ଛାତିରେ ଛନକା ପଶିଲା । ପଳେଇଲା କି ତା’ ବାପଘର!! ଗିରସ୍ତ ହେଇ ତାକୁ ଅପଦୁଆରୁ ରକ୍ଷା କରିପାରିଲିନି ବୋଲି ଛାଡ଼ିଦେଲା କି ମୋତେ? ତା’ ପାଇଁ ମୁଁ ଗାଁରୁ ତଡ଼ା ନଖାଏ, ସେଇଥିପାଇଁ ପଳେଇଲା କି କୁଆଡ଼େ? ସେ ଗଙ୍ଗୁଟା ବହୁତ ସମୟ ଆସେ, ସାଙ୍ଗ ବୋଲି, ଫସେଇକି ତାକୁ ନେଇଗଲା କି ପାରାଦୀପ ଆଡ଼େ? ବିଭିନ୍ନ ବିଭିନ୍ନ ଚିନ୍ତା ଶୁକ୍ରାକୁ ଡହଳବିକଳ କରିବାକୁ ଲାଗିଲା । ସେ ବିକଳ ହେଇ ପଡ଼ିଲା । କାହାକୁ କହିବ? ତା’ର ଶେଷ କଥା ତ ମା’, ସେ ତ ମୂକ ପଥର ହେଇ ବସିଚି । ସେ ଖାଲି ଏପଟସେପଟ ହଉଥିଲା । କାନ୍ଦୁଣୁମାନ୍ଦୁଣୁ ହେଉଥିଲା । ହାଉଳି ଖାଇ ଡାକୁଥିଲା ।
ସେ ଥକାମରା ହେଉ ବସି ପଡ଼ିଲା ମା’ ପାଖରେ । ତା’ ଆଣ୍ଠୁ ଉପରେ ମୁଣ୍ଡ ଥୋଇ ଭୋ ଭୋ କାନ୍ଦି ଉଠିଲା, ଚାଙ୍ଗ ନାଇଁ ଲୋ ମା’… ତାକୁ ପାଉନି ।
ହଠାତ୍ ସେ ଅନୁଭବ କଲା ମା’ ତା’ ମୁଣ୍ଡ ଆଉଁସୁଚି ।
ମୁଣ୍ଡ ଟେକି ଚାହିଁଲା ବେଳକୁ ମା’ ତା’ ମୁଣ୍ଡରୁ ହାତ କାଢ଼ି ସେ ବାଉଁଶ ଖଣ୍ଡକ ଧରି ଚାଙ୍ଗ୍ଡ଼ି ଚାଙ୍ଗ୍ଡ଼ି ଡାକି ଜଙ୍ଗଲ ଦେଇ ଗାଁ ମୁଣ୍ଡଆଡ଼େ ଖେଦିଯାଉଚି ।
ସେ ବିସ୍ମିତ ହେବାକୁ ବି ସମୟ ପାଇଲା ନାହିଁ ।
ସେ ମଧ୍ୟ ଚାଙ୍ଗ ଚାଙ୍ଗ ଡାକି ଡାକି ଦଉଡୁଥିଲା ।
ହଠାତ୍ ଗାଁ ମୁଣ୍ଡରେ ଗୋଟେିଏ ଅଭାବିତ ଦୃଶ୍ୟ । ଗାଁଟା ସାରା ଲୋକ ଘେର ହେଇ ଠିଆ ହେଇଛନ୍ତି ଗ୍ରାମଦେବତୀ ପିଣ୍ଡି ପାଖରେ । ସମସ୍ତେ କାକୁସ୍ଥ ଯୋଡ଼ହସ୍ତ । ଶୁକ୍ରା ମୁଣ୍ଡ ଗଳେଇ ଦେଖିଲା ଦିଶାରୀ ହାତଗୋଡ଼ ପଛକୁ ବନ୍ଧାହେଇ ବଳିପଡ଼ିଳା ପରି ଆଣ୍ଠେଇଚି ତଳେ । ଗାଁର ସବୁଠୁ ବୁଢ଼ା ମୁରବି ପଚାରି ଚାଲିଚି କୁହ, ସତ କୁହ, ସବୁ ସତ କୁହ… ଆମ ପାହୁଡ଼ି ଦେବୀଙ୍କ ଆଦେଶ, ନହେଲେ ମାଆ ଆଜି ନିଜ ହାତରେ ବଳି ଘେନିବେ… କୁହ…
ଶୁକ୍ରା ମୁଣ୍ଡ କିଛି କାମ କରୁନଥିଲା । ଖୋଦ୍ ପାହୁଡ଼ି ଦେବୀ!! ନିଜ ହାତରେ ବଳି ଘେନିବେ!! ସେ ସମସ୍ତଙ୍କ ମୁହଁକୁ ଚାହିଁଲା । ସମସ୍ତେ ନୀରବ । ସଂତ୍ରସ୍ଥ । ସତ ଶୁଣିବାକୁ ଉଦ୍ଗ୍ରୀବ । ଦିଶାରୀ ମୁହଁରୁ । କି ସତ!!
ଦେବୀଙ୍କ ପିଣ୍ଡି ଦେଖାଯାଉନି । ବହଳ ଝୁଣାଧୂଆଁ ଝାପ୍ସା କରି ରଖିଚି । ଶୁକ୍ରା ଭିଡ଼ ବାରେଇ ଆହୁରି ଟିକେ ପାଖେଇ ଗଲା । ଝୁଣା, ଧୂପର ବାସ୍ନା ପେଲି ଆସୁଚି ମହ ମହ ।
ପାହୁଡ଼ି ଦେବୀଙ୍କ ପିଣ୍ଡିକୁ ଅକ୍ତିଆର କରି ବାଳ ମୁକୁଳା କରି, ଦେହସାରା ଭସ୍ମ ଲେପନ କରି ହାତରେ ଗୋଟେ ଲମ୍ବା ଖଣ୍ଡା ଧରି ଚାମୁଣ୍ଡା ବେଶରେ ଠିଆ ହେଇଚି ସ୍ୱୟଂ ମା’ । ଜୀବନ୍ୟାସ ପାଇଲା ପରି ।
ଧୂଆଁର ବହଳ ଆସ୍ତରଣ ତଥାପି କଟୁନି । ସେ କିଛି ଦେଖିପାରୁନି । କୁଆଡ଼େ ଗଲା ଚାଙ୍ଗ୍ଡ଼ି!!
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ