ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ଆସିଲେ ଭକ୍ତ ଉଦ୍ଧବ ନରେନ୍ଦ୍ରଙ୍କ ଶ୍ରୀଜଗନ୍ନାଥ ଓ ଶ୍ରୀମହାଲକ୍ଷ୍ମୀଙ୍କ ନିକଟରେ ଅଧିଆ ପଡ଼ିବା ଏବଂ ତାଙ୍କର ସ୍ୱପ୍ନାଦେଶ ବଳରେ ରଣପୁରରେ ମନ୍ଦିର ନିର୍ମାଣ ହେବା ରଣପୁର ଇତିହାସରୁ ଜଣାପଡ଼େ । ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀ ଅର୍ଥାତ୍ ମହାଲକ୍ଷ୍ମୀଙ୍କ ନିକଟରେ ଭକ୍ତ ଉଦ୍ଧବ ୭ଦିନ ଲେଖାଏଁ ଉପବାସ ରହି ଅଧ୍ୟା ପଡ଼ିବାରୁ ଏବଂ ଭକ୍ତର କାତର ନିବେଦନରେ ଉଭୟ ଠାକୁର ସନ୍ତୁଷ୍ଟ ହୋଇ ରଣପୁରରେ ପ୍ରତିଷ୍ଠା ଲାଭ କରିଥିବାରୁ ରଣପୁରକୁ କୁହାଗଲା ଦ୍ୱିତୀୟ ଶ୍ରୀକ୍ଷେତ୍ର । ରଣପୁର ମଣିନାଗ ପର୍ବତର ଦକ୍ଷିଣ-ପଶ୍ଚିମ କୋଣରେ ଥିବା ଦୁଇଟି ଭତ୍ତୁଙ୍ଗ ପର୍ବତକୁ କୁହାଗଲା ଧାନୀ ଓ ଗୌଣିଆ । ଏଠାରେ ଲୋକଙ୍କ ବିଶ୍ୱାସ ଧାନୀ ପର୍ବତ ହେଉଛି ମହାଲକ୍ଷ୍ମୀଙ୍କର ଧାନ ଘର ଏବଂ ତା’ ନିକଟରେ ଥିବା ଗୌଣିଆ ପର୍ବତ ହେଉଛି ଧାନ ମାପିବା ଏକ ପରିମାପକ ଯାହାକୁ ଗୌଣୀ ବା ନଉତି କୁହାଯାଏ ।
ଭାରତରେ ଥିବା ·ରୋଟି ଧାମ ମଧ୍ୟରେ ପୁରୀ ଶ୍ରୀକ୍ଷେତ୍ର ଧାମଟି ସର୍ବଶ୍ରେଷ୍ଠ ଧାମ ରୂପେ ସ୍ୱୀକୃତି ଲାଭ କରିଛି । କାରଣ ଏହି ପୀଠରେ ସ୍ୱୟଂ ପରଂବ୍ରହ୍ମ ଦାରୁ ମୂର୍ତ୍ତି ମୁରାରି ଶ୍ରୀ ଜଗନ୍ନାଥ, ଜ୍ୟେଷ୍ଠ ଭ୍ରାତା ଶ୍ରୀବଳଭଦ୍ର ଓ ଭଗ୍ନୀ ସୁଭଦ୍ରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜିତ । ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ । ଭକ୍ତ ଭାବରେ ବନ୍ଧୁ ମହାନ୍ତି, ମତ୍ତବଳରାମ ଦାସ, ଦାସିଆ ବାଉରୀ, ମନେଇ ସାହୁ ଭକ୍ତ ସାଲବେଗ, କବି ଜୟଦେବ ପ୍ରମୁଖ ଅନେକ ଚର୍ଚ୍ଚାକୁ ଆସିଥାନ୍ତି । ଗଜପତି ପ୍ରତାପରୁଦ୍ରଦେବଙ୍କ (ଖ୍ରୀ ୧୪୯୭-୧୫୪୦) ରାଜତ୍ୱରେ ରଣପୁରରେ ଜଣେ ରାଜା ଥିଲେ । ତାଙ୍କ ନାମ ଉଦ୍ଧବ ସିଂନରେନ୍ଦ୍ର (ଖ୍ରୀ ୧୪୯୪ରୁ ୧୫୧୭) । । ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଭକ୍ତ ଉଦ୍ଧବଙ୍କ ଭଳି କଳି ଯୁଗରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଥିଲେ ରଣପୁର ରାଜା ଉଦ୍ଧବ । ଏହି ପରମ ଭକ୍ତଙ୍କ ସ୍ମୃତିଚାରଣ କଲେ ମନରେ ଅପୂର୍ବ ପୁଲକ ସୃଷ୍ଟି ହୁଏ ।
ରାଜା ଉଦ୍ଧବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିଲେ ପରମ ଭକ୍ତ । ସେ ପ୍ରତ୍ୟେକ ଦିନ ପୁରୀ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ । ରାଜକାର୍ଯ୍ୟ ସିନା ବନ୍ଦ ହେଉଥିଲା କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କେବେ ବନ୍ଦ ହେଉନଥିଲା । ଏହି ରାଜବଂଶ ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମ୍ପର୍କ ନିବିଡ଼ ଥିଲା । ତାହା ଥିଲା ଭକ୍ତ ଓ ଭଗବାନଙ୍କର ସମ୍ପର୍କ । ଏହି ବଂଶର ପୂର୍ବଜ ବିଶ୍ୱାବସୁ କଣ୍ଟିଲୋଠାରେ ଶ୍ରୀନୀଳମାଧବଙ୍କୁ ପୂଜା କରୁଥିଲେ । ପ୍ରଭୁ ସେଠାରୁ ଅନ୍ତର୍ଦ୍ଧାନ ହେବା ପରେ ଭକ୍ତ ବିଶ୍ୱାବସୁଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ସେ ଏବଂ ତା’ର ଦୟାଦମାନେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରିବେ ଏବଂ ତା’ର ଭାଇ ବିଶ୍ୱବାସବ ଶ୍ରୀନୀଳମାଧବ ପୂଜା ପାଉଥିବା ଆସ୍ଥାନ ଚକାଶିଳାକୁ ନେଇ ପୂଜା କରିବ ଏବଂ ରଣାସୁରପୁର (ରଣପୁର)ରେ ରାଜୁତି କରିବ । ସେତେବେଳେ ରଣପୁର ରାଜ୍ୟର ସୀମା ଉତ୍ତରରେ କଣ୍ଟିଲୋ ନୀଳମାଧବ କ୍ଷେତ୍ର ଓ ବାଙ୍କୀ ପର୍ଯ୍ୟନ୍ତ, ଦକ୍ଷିଣରେ ବୋଇତିଆ ପାହାଡ଼, ପଶ୍ଚିମରେ କୁସୁମୀ ନଦୀ ଏବଂ ପୂର୍ବରେ ଦୟାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେତେବେଳେ ରଣପୁର ଠାରୁ ପୁରୀର ଦୂରତା ପ୍ରାୟ ୮୦ କି.ମି । ଏହି ରାସ୍ତାରେ ଯାତାୟାତ ପାଇଁ ସଡ଼କ କିମ୍ବା ଆଧୁନିକ ଯୁଗର ଯାନବାହାନର ସୁବିଧା ନଥିଲା । ରାଜା ଓ ମହାରାଜାମାନଙ୍କର ବାହନ ରୂପେ କେବଳ ଅଶ୍ୱ ଓ ହସ୍ତୀ ବ୍ୟବହାର ହେଉଥିଲା । ନିକଟସ୍ଥାନକୁ ଯାତାୟାତ ପାଇଁ ପାଲିଙ୍କିର ବ୍ୟବହାର ପ୍ରଚଳନ ଥିଲା । ଜଗନ୍ନାଥଙ୍କ ପରମ ଭକ୍ତ ରାଜା ଉଦ୍ଧବ ପ୍ରତିଦିନ ସ୍ନାନ ସମାପ୍ତ ପରେ ଅଶ୍ୱପୃଷ୍ଠରେ ବସି ଶ୍ରୀକ୍ଷେତ୍ର ଅଭିମୁଖେ ପୁରୀ ଯାତ୍ରା କରୁଥିଲେ । ରଣପୁରରୁ ଯାଇଥିବା ଅଶ୍ୱଟି ପଥ ମଧ୍ୟରେ ଜଙ୍କିଆ ଗଡ଼ସାହିଠାରେ ବିଶ୍ରାମ ନେଉଥିଲା । ସେତେବେଳେ ଜଙ୍କିଆ ଗଡ଼ସାହି ରଣପୁର ରାଜ୍ୟର ପୂର୍ବଦିଗ ସୀମାଥିଲା, ସେଠାରେ ଥିବା ଅଶ୍ୱଶାଳରୁ ଅନ୍ୟ ଏକ ଅଶ ଦର୍ଶନ ସମାପ୍ତ କରି ପୁରୀରେ ଥିବା ରଣପୁର କୋଠିରୁ ଅନ୍ୟ ଏକ ଅଶ୍ୱରେ ଜଙ୍କିଆ ଗଡ଼ସାହି ପର୍ଯ୍ୟନ୍ତ ଫେରୁଥିଲେ । ପ୍ରତିଦିନ ଏହିପରି ଅଶ୍ୱଦ୍ୱାରା ଯାତାୟାତ ହେଉଥିଲା ।
କଥିତ ଅଛି ଏକ ଦିନେ ନଦୀ ବଢି ହେବାରୁ ସେ ପୁରୀ ଯାଇପାରିଲେ ନାହିଁ । ଏଣୁ ଭକ୍ତ ଉଦ୍ଧବ ଦୁଃଖରେ ଭାଙ୍ଗି ପଡ଼ିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନ କଲେ ସେ ଭୋଜନ କରନ୍ତି ନାହିଁ । ଏଣୁ ସେଦିନ ବି ସେ ଉପବାସରେ ରହିଲେ । ତା’ପର ଦିନ ଶ୍ରୀକ୍ଷେତ୍ରରେ ପହଞ୍ଚଲେ । ଅନ୍ନ ଜଳ ସ୍ପର୍ଶ ନ କରି କଳ୍ପବଟ ମୂଳେ ସାତଦିନ ପର୍ଯ୍ୟନ୍ତ ଅଧ୍ୟା (ଗୁହାରିଆ) ପଡ଼ିଲେ । ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ ବିଚଳିତ ହେଲା । ସେତ ଭକ୍ତର ଭଗବାନ । ଭକ୍ତକବି ସାଲବେଗ ପରା ଗାଇଛନ୍ତି-
“ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ ।
ଭକତ ତୋ ପିତାମାତା ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପାସିନ୍ଧୁ ।”
ଭକ୍ତର ଭଗବାନ ଶ୍ରୀଜଗନ୍ନାଥ ଭକ୍ତର କାତର ନିବେଦନ ଶୁଣିଲେ । ଭକ୍ତ ରାଜା ଉଦ୍ଧବଙ୍କୁ ପ୍ରଭୁ ଜଗନ୍ନାଥଙ୍କର ଦୈବବାଣୀ ହେଲା ଶ୍ରୀଜଗନ୍ନାଥଙ୍କର ଷୋହଳ କଳାରୁ ଏକକଳା ରଣପୁର ଯିବ । ରାଜା ସେଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା ଆରାଧନା କରିବେ । ଗଜପତି ପ୍ରତାପରୁଦ୍ର ଦେବଙ୍କୁ ମଧ୍ୟ ଏହି ସ୍ୱପ୍ନାଦେଶ ହେଲା । ଫଳରେ ଗଜପତି ପ୍ରତାପରୁଦ୍ର ଦେବ ବାରବାଟୀ କଟକରୁ ହସ୍ତୀପୃଷ୍ଠରେ ଆସି ଭକ୍ତ ଉଦ୍ଧବଙ୍କୁ ଶ୍ରୀମନ୍ଦିର ମଧ୍ୟରୁ ଆଲିଙ୍ଗନ କରି କାଳିଆ ଦେବୀ ସାହିସ୍ଥ ନଅରକୁ ପାଛୋଟି ଆଣିଲେ ଓ ତାଙ୍କ ଶିରରେ ଶାଢି ବାନ୍ଧି ନରେନ୍ଦ୍ର ଉପାଧି ପ୍ରଦାନ କଲେ । ତତ୍ପରେ ଗଜପତି ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଗୁଣ୍ଡିଚା ଘରେ ଥିବା ମାଧବ ମୂର୍ତ୍ତିଙ୍କୁ ରାଜା ଉଦ୍ଧବଙ୍କୁ ପ୍ରଦାନ କଲେ । ଏହି ମାଧବ ମୂର୍ତ୍ତି ରଣପୁରର ପରବର୍ତ୍ତୀ ରାଜା ଶାରଙ୍ଗଧର ବଜ୍ରଧର ନରେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସ୍ଥାନାନ୍ତରିତ ହୋଇ ଚମ୍ପାଗଡ଼ରେ ପୂଜା ପାଉଛନ୍ତି । ଶୁଣାଯାଏ ଏହି ମାଧବ ମୂର୍ତ୍ତିଙ୍କୁ ଇନ୍ଦ୍ରଦୁ୍ୟମ୍ନ ମହାରାଜା ସପ୍ତଦାରୁରେ ପ୍ରତିଷ୍ଠା କରି ଗୁଣ୍ଡି· ଘରେ ସ୍ଥାପନ କରିଥିଲେ ।
ଭକ୍ତ ରାଜା ଉଦ୍ଧବ ନରେନ୍ଦ୍ର ରଣପୁର ଗଡ଼ରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶ୍ରୀ ୧୫୦୧ ଓ୧୫୦୨ ମଧ୍ୟରେ ତୋଳାଇ ଥିଲେ । ଶ୍ରୀଜଗନ୍ନାଥଙ୍କ ଷୋହଳ କଳାରୁ ଏକ କଳା ରଣପୁର ଆସିଥିବାରୁ ଶ୍ରୀମନ୍ଦିରର ସମସ୍ତ ପୂଜା ବିଧିମାନ କରାଗଲା । ସେବାପୂଜା ପାଇଁ ଛତିଶା ନିଯୋଗ ବ୍ୟବସ୍ଥା କରାଗଲା । ପ୍ରତ୍ୟେକ ଦିନ ମଙ୍ଗଳ ଆଳତି, ଅବକାଶ, ବାହାର ପୂଜା, ମଧ୍ୟାହ୍ନ ଭୋଜନ ବେଢା ଦର୍ଶନ, ସନ୍ଧ୍ୟା ଆଳତି, ରାତିରେ ଅନ୍ନଭୋଗ, ପହଡ଼, ବିଜେ କରାଯାଇଥାଏ । ମହାପ୍ରଭୁଙ୍କର ବିଭିନ୍ନ ବେଶ ପୁରୀ ଶ୍ରୀମନ୍ଦିର ପ୍ରଥା ଅନୁଯାୟୀ ଏଠାରେ କରାଯାଇଥାଏ । ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ପର୍ବପର୍ବାଣି ଏଠାରେ ପାଳନ କରାଯାଏ ।
ରଣପୁରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠାପରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଆବଶ୍ୟକ ହେଲା । ଏଣୁ ଭକ୍ତରାଜା ଉଦ୍ଧବ ନରେନ୍ଦ୍ର ଶ୍ରୀକ୍ଷେତ୍ର ଯାଇ ମହାଲକ୍ଷ୍ମୀଙ୍କ ପାଖରେ ଅଧ୍ୟା (ଗୁହାରିଆ) ପଡ଼ିଲେ । କିମ୍ବଦନ୍ତୀ ଅଛି ଯେ, ଜଗତ ଜନନୀ ମହାଲକ୍ଷ୍ମୀ ରାଜାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ରଣପୁର ଆଗମନ କରିବେ ବୋଲି ଆଦେଶ ଦେଲେ । ଏହାପରେ ରଣପୁର ଜଗନ୍ନାଥ ମନ୍ଦିରରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ଦେବୀ ମହାଲକ୍ଷ୍ମୀ ରାଜା ଉଦ୍ଧବଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ବର ଦେଇଥିଲେ ଯେ, ପ୍ରତିବର୍ଷ ମାଘ ପୂର୍ଣ୍ଣମୀ ରାତ୍ରକୁ ଏକ କ୍ଷୁଦ୍ର ଶକଟରେ ସାତଗୋଟି ସ୍ୱର୍ଣ୍ଣ ନିର୍ମିତ କାକରା ପିଠା ରାଜାଙ୍କ ନଅରକୁ ଆସିବ । ରାଜ ପରିବାର ପ୍ରତିବର୍ଷ ମାଘ ପୂର୍ଣ୍ଣମୀ ଦିନ ଅତି ନିଷ୍ଠାର ସହ ଧନଦାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କ ଆରାଧନା କରି ସୁବର୍ଣ୍ଣ କାକରା ପାଇଥାନ୍ତି । ଫଳରେ ରାଜଭଣ୍ଡାର ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା । ଏହି ବିଧି ଉଦ୍ଧବ ନରେନ୍ଦ୍ରଙ୍କ ପରେ ଚନ୍ଦ୍ରଶେଖର ନରେନ୍ଦ୍ର, ମୁକୁନ୍ଦ ନରେନ୍ଦ୍ର ଓ ରାମଚନ୍ଦ୍ର ନରେନ୍ଦ୍ରଙ୍କ ପର୍ଯ୍ୟନ୍ତ ନିଷ୍ଠାର ସହ ପାଳିତ ହୋଇଥିଲା ଓ ପ୍ରତିବର୍ଷ ସାତଗୋଟି ସ୍ୱର୍ଣ୍ଣ କାକରା ରାଜ ନଅରକୁ ମାଘ ପୂର୍ଣ୍ଣମୀ ରାତିରେ ଆସୁଥିଲା । ପରବର୍ତ୍ତୀ ରାଜାଙ୍କ ସମୟରେ ପୂଜାବିଧିରେ ନିଷ୍ଠାର ଅଭାବ ହେବାରୁ ସୁନା କାକରା ଆସିବା ବନ୍ଦ ହୋଇଯାଇଥିବା ରଣପୁର ଇତିହାସ ତଥା ରଣପୁର ରାଜା ବଂଶାବଳୀ ଇତିହାସରୁ ଏହା ଜଣାପଡ଼େ ।
କବି ବଳରାମ ସ୍ୱାଇଁ ତାଙ୍କ ରଚିତ ‘ମଣିନାଗ’ କାବ୍ୟରେ ଉଦ୍ଧବ ନରେନ୍ଦ୍ରଙ୍କ ସମ୍ପର୍କରେ ନିମ୍ନମତେ ପ୍ରକାଶ କରିଛନ୍ତି:
‘ରଣପୁର ରାଜବଂଶ କୀର୍ତ୍ତିରାଜି,
ଏ ସାରା ଉକ୍ରଳେ ରହିଛି ବିରାଜି ।
ଜ୍ୟେଷ୍ଠ ବିଶ୍ୱାବସୁ ଶ୍ରୀନୀଳମାଧବ, ସେବୁୁଥିଲେ, ଥିଲେ ବିଶ୍ୱବାସବ ।
ଏହି ରଣାସୁରପୁର ଅଧୀଶ୍ୱର,
ତାଙ୍କଠୁ ସମ୍ଭବ ଏ ରାଜବଂଶର ।
ଶ୍ରୀନୀଳମାଧବ ଶ୍ରୀକ୍ଷେତ୍ର ଗମିଲେ,
ତଥାପି ଏ ବଂଶ ତାଙ୍କୁ ନ ଭୁଲିଲେ ।
ବଂଶ ପରମ୍ପରାକ୍ରମେ ରାଜାମାନେ,
ଦର୍ଶନେ ଗମନ୍ତି ସୁବିଧି ବିଧାନେ ।
ଥିଲେ ଅଶ୍ୱାରୋହୀ ଉଦ୍ଧବ ନୃପତି,
ନିତି ଜଗନ୍ନାଥ ଦର୍ଶନେ ଭୁଞ୍ଜନ୍ତି ।
ବନ୍ୟା ଯୋଗୁଁ ବନ୍ଦ ହେଲା ଅଶ୍ୱଗତି,
ଏଠାରେ ମନ୍ଦିର ତୋଳିଲେ ଭୂପତି ।
କଲେ ଅନଶନ ବଟକୃଷ୍ଣ ତଳେ,
ପ୍ରଭୁ ଜଗନ୍ନାଥ କହିଲେ ସ୍ୱପ୍ନରେ ।
‘ମାଧବ ମୂର୍ତ୍ତି ନିଅ ହେ ନରେଶ ।
ଗଜପତିଙ୍କୁ ବି ହେଲା ସ୍ୱପ୍ନାଦେଶ ।
ଏକ କଳା ମୋର ଯିବ ରଣପୁର,
ହସି ଭାଷିଥିଲେ କାଳିଆ ଠାକୁର ।’
ଗଜପତି ଅନୁମତିରେ ମାଧବ- ମୂର୍ତ୍ତି ଆଣିଥିଲେ ରାଜା ଶ୍ରୀ ଉଦ୍ଧବ ।
ଗଜପତି ଠାରୁ ନରେନ୍ଦ୍ର ପଦକୁ,
ଲଭି କରିଛନ୍ତି ଉତ୍କଳ କୁଳକୁ ।
ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ଆସିଲେ ଭକ୍ତ ଉଦ୍ଧବ ନରେନ୍ଦ୍ରଙ୍କ ଶ୍ରୀଜଗନ୍ନାଥ ଓ ଶ୍ରୀମହାଲକ୍ଷ୍ମୀଙ୍କ ନିକଟରେ ଅଧିଆ ପଡ଼ିବା ଏବଂ ତାଙ୍କର ସ୍ୱପ୍ନାଦେଶ ବଳରେ ରଣପୁରରେ ମନ୍ଦିର ନିର୍ମାଣ ହେବା ରଣପୁର ଇତିହାସରୁ ଜଣାପଡ଼େ । ସେହିପରି ଇତିହାସକୁ ଅବଲୋକନ କଲେ ପୁରୀର ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ ଓ ମନ୍ଦିର ପ୍ରତିଷ୍ଠା କଥା କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ଠାରୁ ଆସିଛି । ଆଜିର ସ୍ୱୟଂ ସମ୍ପୂର୍ଣ୍ଣ ବଡ଼ ଦେଉଳର ନିର୍ମାଣ ଅନଙ୍ଗଭୀମ ୨ୟ ଖ୍ରୀ.ଅ. ୧୨୧୬ରେ କରିଛନ୍ତି । ମାଦଳା ପାଞ୍ଜିରେ ଅନଙ୍ଗଭୀମ ଦେବଙ୍କ ମନ୍ଦିର ପ୍ରତିଷ୍ଠା କଥା ଉଲ୍ଲେଖ ଅଛି । କିନ୍ତୁ ତା’ ପୂର୍ବରୁ େ·ଳଗଙ୍ଗ ଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କେତେକ ଗବେଷକଙ୍କ ମତରେ ବୈଷ୍ଣବ ଶ୍ରୀ ସମ୍ପ୍ରଦାୟର ରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସିଥିଲେ । ତାଙ୍କ ପ୍ରଭାବରୁ େ·ଳଗଙ୍ଗ ଦେବ ବୈଷ୍ଣବ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀମନ୍ଦିର ସମ୍ମୁଖସ୍ଥ ଏମାର ମଠ ରାମାନୁଜଙ୍କ ନିଦେ୍ର୍ଦଶରେ ନିର୍ମିତ ହୋଇଥିଲା । ରାମାନୁଜଙ୍କ ଗୁରୁ ରାମାନୁଜଙ୍କୁ ତାମିଲ ଭାଷାରେ ‘ଏମ୍ବାର’ ଅର୍ଥାତ୍ ‘ହେ ମୋର ଭଗବାନ’ ବୋଲି ଡାକୁଥିଲେ । ଏହି ନାମରେ ମଠର ନାମ ‘ଏମ୍ବାର’ ହେଲା । ଅପଭ୍ରଂଶ ହୋଇ ଏମାର ମଠ ବୋଲି ଡକାଯାଉଛି । ଶ୍ରୀ ସମ୍ପ୍ରଦାୟ ବୈଷ୍ଣବମାନଙ୍କର ଊଦ୍ଧ୍ୱର୍ ପୁଣ୍ଡ୍ର ଚିତାକୁ ଲକ୍ଷ୍ୟ କରି ନୀଳଚକ୍ର ତଳେ ଦଧିନଉତି ଉପରେ ଊଦ୍ଧ୍ୱର୍ପୁଣ୍ଡ୍ର ତିଳକ ଚିତା ସ୍ଥାପିତ ହୋଇଛି । ଯେହେତୁ ରାମାନୁଜ ଶ୍ରୀ ସମ୍ପ୍ରଦାୟର ବୈଷ୍ଣବ ଥିଲେ ଏଣୁ ମନ୍ଦିରରେ ଶ୍ରୀ ଅର୍ଥାତ୍ ମହାଲକ୍ଷ୍ମୀଙ୍କର ପ୍ରାଧାନ୍ୟ ବଢିଗଲା । ଲକ୍ଷ୍ମୀ ମନ୍ଦିର ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ କରାଗଲା । ମନ୍ଦିରର ନାମ ହେଲା ଶ୍ରୀମନ୍ଦିର, କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର, ମହାପ୍ରସାଦକୁ କୁହାଗଲା ଶ୍ରୀ ମହାପ୍ରସାଦ । ଶ୍ରୀ ଅର୍ଥାତ୍ ଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ବିରାଜମାନ ହେତୁ କ୍ଷେତ୍ରର ନାମ ହୋଇଛି ଶ୍ରୀକ୍ଷେତ୍ର । ଉଭୟ ପ୍ରଭୁ ଜଗନ୍ନାଥ ଓ ଶ୍ରୀ ଅର୍ଥାତ୍ ମହାଲକ୍ଷ୍ମୀଙ୍କ ନିକଟରେ ଭକ୍ତ ଉଦ୍ଧବ ୭ଦିନ ଲେଖାଏଁ ଉପବାସ ରହି ଅଧ୍ୟା ପଡ଼ିବାରୁ ଏବଂ ଭକ୍ତର କାତର ନିବେଦନରେ ଉଭୟ ଠାକୁର ସନ୍ତୁଷ୍ଟ ହୋଇ ରଣପୁରରେ ପ୍ରତିଷ୍ଠା ଲାଭ କରିଥିବାରୁ ରଣପୁରକୁ କୁହାଗଲା ଦ୍ୱିତୀୟ ଶ୍ରୀକ୍ଷେତ୍ର । ରଣପୁର ମଣିନାଗ ପର୍ବତର ଦକ୍ଷିଣ ପଶ୍ଚିମ କୋଣରେ ଥିବା ଦୁଇଟି ଭତ୍ତୁଙ୍ଗ ପର୍ବତକୁ କୁହାଗଲା ଧାନୀ ଓ ଗୌଣିଆ । ଏଠାରେ ଲୋକଙ୍କ ବିଶ୍ୱାସ ଧାନୀ ପର୍ବତ ହେଉଛି ମହାଲକ୍ଷ୍ମୀଙ୍କର ଧାନ ଘର ଏବଂ ତା’ ନିକଟରେ ଥିବା ଗୌଣିଆ ପର୍ବତ ହେଉଛି (ଗୌଣୀ ସଦୃଶ) ଧାନ ମାପିବା ଏକ ପରିମାପକ ଯାହାକୁ ଗୌଣୀ ବା ନଉତି କୁହାଯାଏ । ଏହି ପ୍ରାକୃତିକ ମନୋରମ ଗୌରିଆ ପର୍ବତକୁ ଲକ୍ଷ୍ୟ କରି କବିବର ରାଧାନାଥ ରାୟ ଚିଲିକା କାବ୍ୟରେ ଲେଖିଛନ୍ତି- “ନୀରନ୍ଧ୍ର ନିବିଡ଼ କିଚକ ବଣିଆ, ଅଭ୍ରଙ୍କ ଶିଖରେ ଗିରି ଗୌଣିଆ” । ପୁରୀ ଶ୍ରୀ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ଯେପରି କଳିଙ୍ଗ ସାଗର ବା ବଙ୍ଗୋପ ସାଗର ରହିଛି ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ଦୁଇ କି.ମି. ଦୂରତାରେ ରହିଛି ଏକ ବିରାଟ ପୁଷ୍କରିଣୀ ଯାହାର ନାମ ସାଗର । ପୁରୀରେ ପଞ୍ଚ ମହାଦେବ ଥିବା ବେଳେ ରଣପୁର ଗଡ଼ରେ ମଧ୍ୟ ପଞ୍ଚ ମହାଦେବ ଅଛନ୍ତି । ପୁରୀରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ସମସ୍ତ ଯାତ୍ରାକୁ ସାମଞ୍ଜସ୍ୟ ରଖି ରଣପୁରରେ ତାହା ପାଳନ କରାଯାଉଛି । ରଣପୁର ଗଡ଼ ପରେ ଓଡ଼ିଶାର ବିଭିନ୍ନ ଗଡ଼ଜାତର ରାଜା ମହାରାଜାମାନେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ, ରଥଯାତ୍ରା ଓ ଅନ୍ୟାନ୍ୟ ବିଧିବିଧାନ ଆଦି ପାଳନ କରିଛନ୍ତି । ବାରିପଦାରେ ରାଜା ବୈଦ୍ୟନାଥ ଭଂଜ ୧୫୭୫ ଖ୍ରୀଷ୍ଟାବ୍ଦରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି । ପରେ ପରେ କେନ୍ଦୁଝର ଗଡ଼, ପାରଳାଖେମୁଣ୍ଡି, ଖଣ୍ଡପଡ଼ା, ଢେଙ୍କାନାଳ, ନୟାଗଡ଼, ବଡ଼ମ୍ବା, ତିଗିରିଆ, ନରସିଂହପୁର, ଆଠଗଡ଼, ଦଶପଲ୍ଲୀ, ଅନଗୁଳ, କୋରାପୁଟ ଆଦି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଗନ୍ନାଥମନ୍ଦିର ନିର୍ମିତ ହୋଇଛି । ଓଡ଼ିଶା ବାହାରେ ଓ ଭାରତ ବାହାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମିତ ହୋଇଛି ଓ ରଥଯାତ୍ରାମାନ ହେଉଛି । ତେବେ ସେହିସବୁ ସ୍ଥାନଙ୍କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଇପାରିବ ନାହିଁ, ଯାହା ରଣପୁର ପାଇଁ କୁହାଯାଉଛି । ୧୫୦୧ ଓ ୧୫୦୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ରଣପୁର ଜଗନ୍ନାଥ ମନ୍ଦିର ସମୟ କ୍ରମେ ପୁରୀ ପରେ ଦ୍ୱିତୀୟ ଏବଂ ଏହା ରାଜା ଭକ୍ତ ଉଦ୍ଧବ ଯେଭଳି ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ମହାଲକ୍ଷ୍ମୀଙ୍କ ପାଖରେ ଅଧ୍ୟା ପଡ଼ି ତଥା ଦେବତାଙ୍କ ଆଦେଶରେ ମନ୍ଦିର ନିର୍ମାଣ କଲେ ତାହା ଅନିର୍ବଚନୀୟ ।
ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ରୂପ ଶ୍ରୀ ନୀଳମାଧବଙ୍କ ପରମଭକ୍ତ ବିଶ୍ୱାବସୁଙ୍କ ଦାୟାଦମାନେ ଆଜି ପୁରୀରେ ଦଇତା ଭାବେ ମହାପ୍ରଭୁଙ୍କ ସେବା ପୂଜାର ସୁଯୋଗ ପାଇଥିବା ବେଳେ ବିଶ୍ୱାବସୁର ସାନ ଭାଇ ବିଶ୍ୱବାସର ବଂଶଧର ରଣପୁର ରାଜବଂଶ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ସେଭଳି ସୁଯୋଗ ପାଇଛନ୍ତି । କପିଳ ସଂହିତାରେ ଏକୋନତି୍ରଂଶୋର ଧ୍ୟାୟଃ ର ମଣିନାଗ ଉପାଖ୍ୟାନରେ ଏହାର ବର୍ଣ୍ଣନା ରହିଛି-
“ଇନ୍ଦ୍ରଦ୍ୟୁମ୍ନ ଉବାଚ-
କିଂ ତନ୍ନାଗବନଂ ନାମ
କଥାୟସୂ ମହାମୁନେ
କିଂ ତତ୍ ପୁଣ୍ୟଂ ଚ ସଂସ୍ଥାନଂ
କିଂ ସୁଖଂ ଚ ତତ୍ ।୧୦ାା
ନାରଦ ଉବାଚ-
ଗୁପ୍ତଂ ବିଷ୍ଣୁସ୍ଥଳଂ ତତ୍ତୁ ମଣିନାଗାଦି ଚିହ୍ନିତମ୍
ନୀଳ ଶୈଳସ୍ୟ ସଂ ସର୍ଗାତ୍ ଗୁପ୍ତ ତଂ ପୁରୁଷୋତ୍ତମ ।୧୧ାା
ଉପରୋକ୍ତ ଶ୍ଲୋକର ଓଡ଼ିଆ ଅନୁବାଦ ଏହିପରି ହୋଇପାରେ- ଇନ୍ଦ୍ରଦୁ୍ୟମ୍ନ ପ·ରିଲେ- ହେ ମହାମୁନି । ନାଗବନର କେଉଁ ସ୍ଥାନ ପବିତ୍ର, କି ଫଳ, କି ସୁଖଦାୟକ ସେ ସମ୍ବନ୍ଧରେ କୁହନ୍ତୁ ।
ନାରଦ କହିଲେ- ବିଷ୍ଣୁଙ୍କର ଗୁପ୍ତସ୍ଥଳ ମଣିନାଗ ପର୍ବତ । ଏହା ନୀଳ ଶୈଳର ମିଶି୍ରତ ରୂପ ଓ ଗୁପ୍ତ ପୁରୁଷୋତ୍ତମ ଅଟେ ।
ସୂଚନା ଯୋଗ୍ୟ ଯେ, ବିଷ୍ଣୁଙ୍କର ଏହି ଗୁପ୍ତସ୍ଥଳ ମଣିନାଗ ପର୍ବତ ତଳେ ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର ଅବସ୍ଥିତ । କପିଳ ସଂହିତାର ତି୍ରଂଶୋଽଧ୍ୟାୟରେ ଏହି ସ୍ଥାନର ବର୍ଣ୍ଣନା ସ୍ଥାନ ପାଇଛି, ଯଥା :-
ବିଶ୍ୱାବସୁରୁବାଚ-
ଭଗବନ୍ ଶ୍ରୋତୁ ମିଚ୍ଛାମି କିଂ
ସ୍ୟାତ୍କାର୍ଯ୍ୟଂ ଚ ନାଗତଃ ।
ତସ୍ମିନିବସିତାସ୍ୟାସ୍ୟ କିମ୍ବା
ମୈନାକ ପର୍ବତାତ୍ ।
କାର୍ଯ୍ୟଂ କି ଭବତଃ ସ୍ୱାମିନ
ତତ୍ର ତସ୍ୟ ନିବାସିନଃ ।୧ା
ଶ୍ରୀ ଭଗବାନୁବାଚ
ବାଣୁ ବିଶ୍ୱାବସୋ ପୂର୍ବଂ
ମଦଙ୍ଗୀକୃତ ମୀଦୃଶମ୍
ମଦୀୟା ନାମ ମର୍ଯ୍ୟାଦା
ନୁ୍ୟନତା ବ୍ୟସ୍ତୁ ନ କ୍ୱଚିତ୍ ।୨ା
ନିବର୍ତ୍ତତାଂ ନ କଦାଚିତ୍
ଭୋ ମଦୀୟାନାଂ ଜ କଥନମ୍
ତଦ୍ଧିତାୟାବତାରୋ ମେ
ଭବେତ୍ ପ୍ରାଜ୍ଞ ଯୁଗେ ଯୁଗେ ।୩ା
ତତ୍ ସ୍ଥାନଂ ମନ୍ନିବାସାୟ
ଯୋଗ୍ୟଂ ଭବତି ସର୍ବଦା
କ୍ଷେତ୍ରଂ ତନ୍ମମ ସଂଗୁପ୍ତଂ
ସମନ୍ତାଦ୍ ଦଶଯୋଜନମ୍ ।୪ା
ବିରାଜତେ ଚତୁର୍ଦ୍ଧିକ୍ଷୁ
ଚତୁଃକୋଣେଷୁ ସତ୍ତମ
ସୀମାତସ୍ୟ ଚ ସର୍ବତ୍ର
କ୍ରୋଶାଃ ପଞ୍ଚ ଚ ତତ୍ର ବୈ ।୫ା
ଚକ୍ରଂ ମେ ଭ୍ରମତେ
ତତ୍ର ଯଥାଽସ୍ମିନ୍ ପୁରୁଷୋତ୍ତମେ
ତତ୍ର ସ୍ଥିତେ ପଦଂ ସେତୁର୍ନ କିଂ
ତନ୍ମେ ଗୃହଂ ଭବେତ୍ ।୬ା
ନଗେ ସ୍ଥିତେ ତୁ ସା ଭୂମିଃ
ଶୁଦ୍ଧା ଭବତୁ ରକ୍ଷିତା
ଶୁଦ୍ଧାୟାଂ ରକ୍ଷିତାୟାଂ ହି
ତସ୍ୟ କ୍ଷେତ୍ରଂ ମମାନଘ ।୭ା
ବିଭେଷ୍ୟତି ପରୋ ଧର୍ମଃ
ସର୍ବବର୍ଣ୍ଣେଷୁ ଯୋ ଭବେତ୍
ରାଜା ତତ୍ର ପ୍ରବର୍ତ୍ତେତ
ଧର୍ମଶୀଳୋ ମହାବଳଃ ।୮ା
***
ଭବେତ୍ ବିଶ୍ୱାବସୋ
ତତ୍ର ପରମାନନ୍ଦ ବର୍ଦ୍ଧନମ୍
ଏବଂ ସଂଚରଣଂ ତତ୍ର ସ୍ୟାନ୍ମ ଦୀୟତଦାୟୋୟୋଃ ।୧୮ା
ମୟା ସଂରକ୍ଷିତ ସ୍ତତ୍ର ନାଗଃ
ସାକ୍ଷାତ୍ ସମୋ ମମ
ଯତ୍ର ଦ୍ୱାଦଶଯାତ୍ରା ମେ
ଭବିଷ୍ୟନ୍ତି ଚ ତତ୍ର ବୈ ।୧୯ା
ମନ୍ତ୍ର ସ୍ନାନଂ କରିଷ୍ୟାମି
ଗୁଣ୍ଡି· ଦେବଦୁର୍ଲଭମ୍
ଶୟନଂ ·ୟନଂ ଚୈବ
ପାଶ୍ୱସ୍ୟ ପରିବର୍ତ୍ତନମ୍ ।୨୦ା
ଦିବ୍ୟଦ୍ରଷ୍ଟା କପିଳ ମୁନି କପିଳ ସଂହିତାରେ ରଣପୁର କ୍ଷେତ୍ର ଉପରେ ବର୍ଣ୍ଣନା କରିଛନ୍ତି ଯେ, ପ୍ରଭୁ ଶ୍ରୀ ଜଗନ୍ନାଥ ରଣପୁର କ୍ଷେତ୍ରକୁ ଆଗମନ କରିବେ ଓ ପୁରୁଷୋତ୍ତମ କ୍ଷେତ୍ର ଭଳି ଗୁଣ୍ଡି· ଯାତ୍ରା ଓ ଦ୍ୱାଦଶ ଯାତ୍ରା ଆଦି ହେବ । ଉପରୋକ୍ତ ବର୍ଣ୍ଣିତ ଶ୍ଳୋକର ଓଡ଼ିଆ ମର୍ମାନୁବାଦ କଲେ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବା ରଣପୁର ମଣିନାଗ କ୍ଷେତ୍ର ସମ୍ବଦ୍ଧରେ ଅବଗତ ହେବା ।
ତ୍ରିଂଶ ଅଧ୍ୟାୟ-
ବିଶ୍ୱାବସୁ ପଚାରିଲେ- ମୈନାକ, ମଣିନାଗ ସଂଲଗ୍ନ ବିଷୟରେ ମୋତେ କହନ୍ତୁ ।
ଭଗବାନ କହିଲେ- ସେ ସ୍ଥାନ ମୋର ନିବାସ ଯୋଗ୍ୟ ଅଟେ । ତାହା ଏକ କ୍ଷେତ୍ର । ଏହି ଦଶଯୋଜନ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ର । ପାଞ୍ଚ କ୍ରୋଶ ଆୟତନରେ ଚକ୍ର ମୋର ଭ୍ରମଣକରେ । ନାଗକ୍ଷେତ୍ର ନାମରେ ଯେଉଁ ଶୁଦ୍ଧଭୂମି ଅଛି, ସବୁ ଜାତିର ଲୋକ ସେଠାରେ ବାସ କରନ୍ତି ଏବଂ ରାଜା ପାଳନ କରନ୍ତି । ମହାବୀର, ଧର୍ମ ପରାୟଣ, ରାଜାର ଧର୍ମ ଦ୍ୱାରା ଏବଂ ଶ୍ରଦ୍ଧାଭକ୍ତି ଦ୍ୱାରା ସେଠାକୁ ଭବିଷ୍ୟତରେ ଯାତ୍ରା କରିବି । ସେଠାରେ ବ୍ରାହ୍ମଣ, ଶୁଦ୍ର ରହିଛନ୍ତି । ଆଉ ଅନ୍ୟାନ୍ୟ ଜାତି ମଧ୍ୟ ସେଠାରେ ବାସ କରନ୍ତି । ହେ ଭକ୍ତ ବିଶ୍ୱାବସୁ, ନିତିପ୍ରତି ସେଠାରେ ମୋର ମହୋତ୍ସବମାନ ହେବ । ସେଠାରେ ପରମାନନ୍ଦ ବର୍ଦ୍ଧିତ ହେବ । ସେଠାରେ ମୋର ଚରଣ ରହିବ । ମୋ ଦ୍ୱାରା ସେଠାରେ ତୁ ରହିବୁ । ନାଗବନ ସ୍ଥିତ ମୈନାକର ପୁରୁଷୋତ୍ତମ କ୍ଷେତ୍ର ପରି ଦ୍ୱାଦଶଯାତ୍ରା, ଶୟନ, ପାଶ୍ୱ ପରିବର୍ତ୍ତନ ଇତ୍ୟାଦି ପାଳିତ ହେବ ।
‘କପିଳ ସହିଂତା’ର ଚତୁତ୍ରିିଂଶ ଅଧ୍ୟାୟରେ ରଣପୁର ମଣିନାଗ କ୍ଷେତ୍ରର ମହିମା ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି, ମଣିନାଗ ପର୍ବତର ପାଦଦେଶରେ ମନ୍ଦାକିନୀ(ମଲାଗୁଣୀ) ନଦୀ ପ୍ରବାହିତ । ଏଠାରେ ମନ୍ଦାକିନୀ ନମସ୍ତୁଭ୍ୟ ମଂତ୍ର ଉଚ୍ଚାରଣ କରି ସ୍ନାନ କରିବା ବିଧେୟ । ମଂତ୍ର ହେଲା:
‘ମନ୍ଦାକିନୀ ନମସ୍ତୁଭ୍ୟ ଗଂଗେ ପୁଣ୍ୟଜଳ ପ୍ଲବେ ।
କୁହରେଣ ସମୁଭୂତେ ସର୍ବପାପଂ ପ୍ରମୋଚୟ ।’
ରଣପୁର ରାଜବଂଶର ଧର୍ମପ୍ରାଣ ରାଜା ପଦ୍ମନାଭ ନରେନ୍ଦ୍ର ପୁରୀରେ ନରେନ୍ଦ୍ର ପୁଷ୍କରିଣୀ ନିର୍ମାଣ କରିଥିଲେ ଏବଂ ଶ୍ରୀମନ୍ଦିରରେ କଳ୍ପବଟ ମୂଳ ପର୍ଯ୍ୟନ୍ତ ପାଲିଙ୍କିରେ ବସିଯିବାର ଅଧିକାର ପାଇଥିଲେ । ସୁତରାଂ ପୁରୀ ଶ୍ରୀକ୍ଷେତ୍ର ଓ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ସହ ଆଧ୍ୟାତ୍ମିକ ଭାବଗତ ସଂପର୍କ ନିବିଡ଼ ହୋଇରହିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ଭକ୍ତିମାର୍ଗରେ ଯେଭଳି ଠାକୁରଙ୍କୁ ଆକର୍ଷିତ କରିପାରିଥିଲେ ତାହା ଏକ ବିରଳ ଦୃଷ୍ଟାନ୍ତ । ଶ୍ରୀଚୈତନ୍ୟ ଓ ସନ୍ଥ ଅଚୁ୍ୟତାନନ୍ଦ ରଣପୁର ଆସି ଦ୍ୱିତୀୟ ଶ୍ରୀକ୍ଷେତ୍ରର ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପଞ୍ଚସଖା ଯୁଗର କନିଷ୍ଠ ସଖା ସନ୍ଥ ଅଚୁ୍ୟତନନ୍ଦ ରଣପୁର ଠାରୁ ୪କି.ମି. ଦୂର ମଝିଆଖଣ୍ଡରେ ଦୀର୍ଘ ୭ବର୍ଷ କାଳ ଅତିବାହିତ କରି ହରିବଂଶ ପୁରାଣ ଲେଖିଥିଲେ । ଆଜି ଭକ୍ତ ଉଦ୍ଧବ ନାହନ୍ତି କିନ୍ତୁ ଯୁଗ ଯୁଗ ଧରି ତାଙ୍କର କୀର୍ତ୍ତି ଓ ଭକ୍ତିର ଗାଥା ମାନବ ସମାଜକୁ ଅନୁପ୍ରେରିତ କରିବ, ଏହା ନିଃସନ୍ଦେହ ।