କେଉଁ ଅଗ୍ନିରେ ଜଳୁଛନ୍ତି ଜ୍ୟୋତି? ବାୟବାଗ୍ନି ନା ବରୁଣାଗ୍ନି? ପ୍ରେମାଗ୍ନି ନା ବୀରହାଗ୍ନି? ଇର୍ଷାଗ୍ନି ନା କୋପାଗ୍ନି?
ଭିତରର କେଉଁ ପ୍ରକି୍ରୟା ତାଙ୍କୁ ଏଭଳି ଅସ୍ଥିର କରୁଚି? ଶାନ୍ତା ସହିତ କଥା ହୋଇ ସାରିଲା ପରେ ତାଙ୍କ ଅସ୍ଥିରତାର ମାତ୍ରା ବହୁ ଗୁଣରେ ବଢ଼ିଯାଇଚି । ସେ ଭାବିଥିଲେ କ’ଣ! ଅଥଚ ହେଲା କ’ଣ! ଶାନ୍ତା ନିର୍ବିକାର ଭାବରେ କହିଦେଲା “ଗ୍ୟାସ୍ରେ କ୍ଷୀର ବସିଛି; ଉତୁରି ଯିବ । ମୁଁ ଫୋନ ରଖିଦେଉଛି । ପରେ କଥା ହେବି” । ତାଙ୍କ କଥା ଉପରେ ସାମାନ୍ୟ ଗୁରୁତ୍ୱ ଦେଲା ପରି ଜଣାପଡ଼ିଲା ନାହିଁ” । ଅଦ୍ଭୁତ ସ୍ତ୍ରୀ ଲୋକ । ସ୍ୱାମୀର କାର୍ଯ୍ୟକଳାପ ନେଇ ଆଶ୍ଚର୍ଯ୍ୟରକମ ଉଦାସୀନତା । ଏମିତି କ’ଣ ରହିହୁଏ । କେମିତି ରହିଛି ଶାନ୍ତା ।
ସେ ତ ଭାବିଥିଲେ ଶାନ୍ତା ଇତସ୍ତତ ହୋଇଯିବ । ବିବ୍ରତ ହୋଇ ପଡ଼ିବ । ପ୍ରତିକାର ପାଇଁ ତାଙ୍କଠୁ ସାହାଯ୍ୟ ଲୋଡ଼ିବ ।
ନା-କିଛି ବି ହେଲା ନାହିଁ ।
ବିନୟ ଡ଼େରି ରାତି ଯାଏ ବାହାରେ କେଉଁଠି ରୁହେ, କ’ଣ କରେ ସେ ବିଷୟ ବୁଝିବା କାମ ଶାନ୍ତାର । ଜ୍ୟୋତିଙ୍କର ନୁହେଁ । ସେ ଶାନ୍ତାର ସ୍ୱାମୀ । ଏକଦା ତାଙ୍କର ସହକର୍ମୀ ଥିଲା, ଏବେ ନାହିଁ । ଏକଦା ସେ ଦୁହିଁଙ୍କ ଭିତରେ ସମ୍ପର୍କ ଘନିଷ୍ଠ ଥିଲା । ଏବେ ନାହିଁ । କି ପ୍ରକାର ସମ୍ପର୍କ ଥିଲା ସେ ଦୁହିଁଙ୍କ ଭିତରେ? କାହିଁକି ସେଇ ସମ୍ପର୍କ ଭଟା ପଡ଼ିଯିବା ପରେ ସେ ଏତେ କଷ୍ଟ ପାଉଛନ୍ତି । ସେ କ’ଣ ଜାଣି ନଥିଲେ ବିନୟ ସହିତ ତାଙ୍କର ସମ୍ପର୍କ ସ୍ଥାୟୀ ହେବାର ନଥିଲା । ସ୍ଥିର ହୋଇ ରହିବାର ନଥିଲା ।
ଏବେ ଯଦି ସେ ଶୁଣୁଛନ୍ତି ବିନୟ ତାଙ୍କର ଅନ୍ୟତମ ପରିଚିତା ବାନ୍ଧବୀ ରେଣୁକା ସହିତ ବେଶୀ ଘନିଷ୍ଠ ହୋଇ ଉଠୁଛି, ତେବେ ସେ ଏତେ ବିଚଳିତ ହୋଇ ପଡ଼ୁଛନ୍ତି କାହିଁକି । କାହିଁକି ସେ ଏଇ କଥାଟିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ନିଜ ସୁନ୍ଦରୀ ସ୍ତ୍ରୀ ଛାଡ଼ି, ପରିବାର ପାଇଁ ଥିବା ସର୍ବନିମ୍ନ ଦାୟିତ୍ୱ ଭୁଲି ବିନୟ ଯଦି ତାଙ୍କ ପାଖେ ଘଣ୍ଟା ଘଣ୍ଟା ଧରି ବସି ପାରୁଥିଲା ତେବେ ରେଣୁକା ପାଖକୁ ନଯିବ କାହିଁକି! ରେଣୁକା ସହିତ ବିନୟର ଅବାଧ ମିଳାମିଶା କଥା ଶୁଣି ସେ ଏତେ ଅତିଷ୍ଠ ହୋଇ ପଡ଼ୁଛନ୍ତି ଯେ ନିଜକୁ ନିୟନ୍ତ୍ରଣରେ ରଖି ପାରୁନାହାନ୍ତି । ଘରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କଲାବେଳେ ବି ସେଇ ଆକ୍ରୋଶ ଫିଟି ପଡ଼ୁଛି ।
ସେ ଠିକ୍ ଜାଣି ପାରୁଛନ୍ତି । ଗଲା କାଲି ସନ୍ଧ୍ୟାରେ ପଡ଼ୋଶିନୀ ସନ୍ଧ୍ୟା ଓ ଗୀତାଙ୍କ ଆଗରେ ସେ ଏଇ ପ୍ରସଙ୍ଗଟି ପକେଇ ଥିଲେ । କୌଣସି ପୂର୍ବାପର ସଙ୍ଗତି ନଥାଇ ସେ ହଠାତ୍ ଗୋଟିଏ ପ୍ରସଙ୍ଗରୁ ଡେଇଁ ପଡ଼ିଲେ ଏଇ ପ୍ରସଙ୍ଗ ଉପରକୁ-ଆଚ୍ଛା, ସେ ବିନୟ କ’ଣ ଆଜିକାଲି ସବୁବେଳେ ରେଣୁକା ଘରକୁ ଯାଉଚି । ମୁଁ ଶୁଣୁଚି ସେ କୁଆଡ଼େ ରେଣୁକାର ଅଫିସକୁ ବି ଚାଲିଯାଉଚି ତା’କୁ ଆଣିବା ପାଇଁ । ଗୀତା ଓ ସନ୍ଧ୍ୟା ଠରାଠରି ହୋଇ ହସିଲେ । ଜ୍ୟୋତିଙ୍କ ବାଚାଳତା ସେମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ଥିଲା । ଗୀତା ଭ୍ରୃକୁଞ୍ଚନ କରି କହିଲା-ସେଇ ଯେଉଁ ବିନୟବାବୁ ଏଇଠିକି ଆପଣଙ୍କ ପାଖକୁ ଆସୁଥିଲେ ସବୁବେଳେ, କ’ଣ ହେଲା? ଏବେ ପୁଣି ସେ କୁଆଡ଼େ ଯାଉଛନ୍ତି!- “ହେ ସେଇଟା ଲଫଙ୍ଗାଟେ ମ! ଜ୍ୟୋତି ଅପା ଚିହ୍ନ ପାରୁନଥିଲେ । ସାନଭାଇ ସାନଭାଇ କହି ଏତେ ଭଲ ପାଉଥିଲେ । କାମ ହାସଲ କରିବା ପାଇଁ ସବୁବେଳେ ସ୍ତ୍ରୀ ଲୋକଙ୍କ ପଛରେ ପଡ଼େ । କାମ ସରିଲେ ଛୁ ମାରେ । ମୁଁ ତା’କୁ ମୂଳରୁ ଚିହ୍ନିଚି! ମୁଁ ତମକୁ କହି ନଥିଲି ଜ୍ୟୋତି ଅପା! ମନେ ପକାଅ । ଜ୍ୟୋତିଙ୍କ ପାଇଁ ମିଛ ଆତ୍ମୀୟତା ପ୍ରୌଢ଼ୀ ଦେଖେଇ କହିଲେ ସନ୍ଧ୍ୟା । ଜ୍ୟୋତି ବେଶ୍ ବୁଝି ପାରିଲେ । ଭାରି ଅପମାନିତ ବୋଧ କଲେ ସେ । କିନ୍ତୁ ପ୍ରତିବାଦ କରିବା ପାଇଁ ଭାଷା ନଥିଲା ତାଙ୍କ ଠାରେ । ସନ୍ଧ୍ୟାଙ୍କୁ ସଜ୍ୟ କରିବା ପାଇଁ ସେ ବାଧ୍ୟ ।
କାରଣ ସନ୍ଧ୍ୟା କେବଳ ତାଙ୍କର ପଡ଼ୋଶିନୀ ନୁହଁନ୍ତି, ସହକର୍ମିଣୀ ମଧ୍ୟ । ଉଭୟେ ପରସ୍ପରର ଦୁର୍ବଳତା ଜାଣନ୍ତି ଏବଂ ଏକ ପ୍ରକାର ଅଲିଖିତ ସନ୍ଧି ହୋଇ ଯାଇଛି ପରସ୍ପରର ଦୋଷ ଦୁର୍ବଳତାକୁ ଘୋଡ଼େଇବା ପାଇଁ । ତେଣୁ ବେଳ ଅବେଳରେ ସନ୍ଧ୍ୟାଙ୍କର ଅନଧିକାର କଟୁ ଆକ୍ଷେପକୁ ମାନି ନେବାକୁ ପଡ଼େ ।
କିନ୍ତୁ ନିଜଠୁ ଶିକ୍ଷା, ବୟସ ଓ ଅଭିଜ୍ଞତା ସବୁଥିରେ ତଳେ ଥିବା ଗୀତାର ଏଇ ମରମ ଭେଦିବା ଭଳି କଥା ଶୁଣିଲେ ଓ ବରଦାସ୍ତ କଲେ । କାହିଁକି ସହିଲେ ଏ ଅପମାନ ଜ୍ୟୋତି! ତାଙ୍କରି ଘରେ ବସି, ଚା, ଜଳଖିଆ ଖାଇ ତାଙ୍କୁ ହିଁ ଯେଝା ବାଟରେ ହେୟ କରି ଦେଇ ଚାଲିଗଲେ ସ୍ତ୍ରୀ ଲୋକ ଦିଟା!
ନିଷ୍ଫଳ ଆକ୍ରୋଶରେ ଥରି ଉଠୁଥିଲେ ସେ । କିଛି ଗୋଟାଏ କରିବାକୁ ହେବ । କ’ଣ କରିବେ କିଛି ଠିକ୍ ନକରି ପାରି ସେ ଫୋନ ଉଠେଇଲେ । ତାଙ୍କ ଅନୁମାନ ଠିକ୍ ଥିଲା । ବିନୟ ଘରେ ନଥିଲା । ଶାନ୍ତା ଫୋନ୍ ଧରିଲା । ତାଙ୍କର ଉଦେ୍ଦଶ୍ୟ ଥିଲା ରେଣୁକା ବୃତ୍ତାନ୍ତ କହି ଶାନ୍ତା ମନରେ ସନେ୍ଦହର ବିଷ ଭରି ଦେବା ପାଇଁ ।
କେଡ଼େ ବୋକୀ ଝିଅଟେ ଶାନ୍ତା! ରେଣୁକା ବ୍ୟାପାର ଶୁଣି ରାଗିବ କ’ଣ, ଓଲଟି କହିଲା- “ରେଣୁକା ଅପା ।”
ହଁ, ହଁ ମୁଁ ତାଙ୍କୁ ଭଲ ଭାବେ ଜାଣିଚି । ସେ ପରା ମୋ ସାଙ୍ଗ ମୀରାର ବଡ଼ ଭଉଣୀ । ଛୋଟ ବେଳେ ଆମେ ତାଙ୍କ ସହ କଥା ହେବାକୁ ବି ଡରୁଥିଲୁ । ଏବେ କେତେ ଖୋଲାଖୋଲି ଭାବେ ମିଶୁଛନ୍ତି । ମୁଁ କେତେଥର ୟାଙ୍କୁ କହିଲିଣି ତାଙ୍କ ଘରଆଡ଼େ ସାଙ୍ଗ ହୋଇଯିବା ପାଇଁ । ଜମ୍ମା ଶୁଣୁନାହାନ୍ତି । ଏବେ ତ ଯାଇଥିଲେ ସେ ଜୟପୁର, ମୋ ପାଇଁ ଖଣ୍ଡେ ଭାରି ସୁନ୍ଦର ବାନ୍ଧନୀ ପ୍ରୀଣ୍ଟ ଶାଢ଼ୀ ଆପେ ଆଣିଛନ୍ତି ।
ଫୋନ୍ ସେପାଖର ଉଚ୍ଚସ୍ୱୀତ ପ୍ରଗଳ୍ଭ ସ୍ୱର ଶୁଣି ଶୁଣି ଏପାଖେ ଜ୍ୟୋତିଙ୍କର କଣ୍ଠନଳୀ ଶୁଷ୍କ ହୋଇ ଯାଉଥିଲା । ମୁହଁ ମଉଳି ଯାଇଥିଲା ।
ମନରୁ ଏକାଦି୍ରକମେ ଆସୁଥିଲା ଶାନ୍ତା ପାଇଁ ଭସôର୍ନା । ତିରସ୍କାରା ସମ୍ଭାଷଣା ସମ୍ମାନଯୁକ୍ତ ସମ୍ଭାଷଣ ।
(ନିର୍ବୋଧ ସ୍ତ୍ରୀ ଲୋକ । ତୋ’ ସ୍ୱାମୀର ସାନ୍ନିଧ୍ୟ, ଆନୁଗତ୍ୟକୁ ଆଉ ଜଣେ ସ୍ତ୍ରୀ ଲୋକ ତା’ ହାତ ମୁଠାକୁ ନେଲାଣି । ସେଥିପାଇଁ ତୋର ଚିନ୍ତା ନାହିଁ । ଦିଶହ କି ଚାରିଶହ ଟଙ୍କାର ଶାଢ଼ୀଟେ ପାଇଁ କୃତ୍ୟ କୃତ୍ୟ ହେଉଚୁ! ଏଇଥିପାଇଁ, ଏଇ ତୁଚ୍ଛ ଆସକ୍ତି ପାଇଁ, ଏଇ ନିର୍ବୋଧତା ପାଇଁ ପୁରୁଷ ଲୋକଗୁଡ଼ା ଅବାଟରେ ଯିବାକୁ ପ୍ରଶୟ ପାଉଛନ୍ତି । ହୁଁ…କହିଲା କ’ଣ ନା.. ଭାରି ଭଲ… ଭାରୀ ସ୍ନେହୀ! ସ୍ନେହ ଦେଖଉଚି କ’ଣ ମିଛଟାରେ!
ଏଇ ତିରସ୍କାରର ସ୍ୱରକୁ ଅତିକ୍ରମ କରି ଯାଉଥିଲା ଅନ୍ତର୍ନିଗତ ଅନ୍ୟ ଏକ ସ୍ୱର । (ଏତେ ସରଳ ମନର ଝିଅଟା ଦୁନିଆର ରୀତି, ନୀତି କୁଟିଳତା କିଛି ବୁଝେନି! ଯାହା ଯେମିତି ଦେଖୁଛି ତା’କୁ ଠିକ୍ ସେମିତି ହିଁ ଭାବୁଚି! ଭିତରକୁ ଟିକେ ଚାହୁଁନି । ଏ ଝିଅଟାର ହୃଦୟ ପାଖରେ ସେ ନିଜେ କେତେ ଛୋଟ, କେତେ ସୀମିତ, ସଙ୍କୁଚିତ ତାଙ୍କର ହୃଦୟ! ସେ ତା’କୁ ପରାମର୍ଶ ଦେବାକୁ କିଏ? ରେଣୁକା ତା’କୁ କ’ଣ ଦେଇପାରିବ? ବିନୟ ବି ତା’କୁ ଦେବ କ’ଣ! କିଛି ଦେବାର ଅଛି ତ ସେ ହିଁ ଦେଉଚି!)
ନିଜ ସମେତ ଅନ୍ୟ ସମସ୍ତେ ତାଙ୍କୁ ଶାନ୍ତାଠୁ ତଳେ ଥିବା ପରି ଦିଶୁଛନ୍ତି । ବୋଧହୁଏ ତା’ର ଏଇ ବଡ଼ ପଣ ଆକ୍ରାନ୍ତ କରେ ବିନୟକୁ । ତେଣୁ ସେ ଏଣେ ତେଣେ ଘୁରୁଚି । ନିଜକୁ ଶାନ୍ତାର ଯୋଗ୍ୟ ବୋଲି ପ୍ରମାଣ କରିବାକୁ ତା’ର ପୌରୁଷ ତା’କୁ ଉଚ୍ଚାଟ କରୁଚି । ସେଥିପାଇଁ ହୁଏତ ନାରୀ ତା’ର ବ୍ୟକ୍ତିତ୍ୱ ପ୍ରତି ଆକୃଷ୍ଟ ଏକଥା ଦେଖେଇବାକୁ ଚାହୁଁଛି । ପାତ୍ର ଅପାତ୍ରର ବିଚାର ରଖୁନାହିଁ । ହିତ ଅହିତର ବିଚାର ରଖୁନାହିଁ । ନିଜ ମୂଲ୍ୟ ଜାହିର୍ କରିବାକୁ ଯାଇ ଅଧିକରୁ ଅଧିକ ଛୋଟ ହୋଇଯାଉଛି । ବିଚରା ବିନୟ! ସେ ହିଁ ଦୟାର ପାତ୍ର । ଶାନ୍ତା ନୁହେଁ ।
ତଥାପି… ।
କେଡ଼େ ନିଶ୍ଚିନ୍ତରେ ଫୋନ୍ଟା ଥୋଇ ଦେଇ ପାରିଲା ଶାନ୍ତା! କେଉଁ ସଂସାର କଲା ସ୍ତ୍ରୀଲୋକ ସ୍ୱାମୀର ପରସ୍ତ୍ରୀ ସଙ୍ଗ କଥା ଶୁଣି ଏମିତି ବେପରୁୱା ଭାବରେ ପୂର୍ଣ୍ଣଛେଦ ପକାଏ?
ଦୃଷ୍ଟିଗଭୀର ହୋଇନି । ବୟସ ଅନୁସାରେ ତେଣୁ ମନ ତା’ର ପ୍ରଶ୍ନଶୀଳ ହୋଇନାହିଁ । ତା’ ମନରେ ପୂରେଇବାକୁ ପଡ଼ିବ ଯେମିତି ହେଲେ କଥାଟା ।
ତାଙ୍କ ଜିଦ୍ ତାଙ୍କୁ ସ୍ଥିର ହୋଇ ରହିବାକୁ ଦେଲା ନାହିଁ ।
ଲାଗି ଲାଗି ଚାରିଦିନ ଭିତରେ ପାଞ୍ଚଥର ଫୋନ୍ କଲେ ଶାନ୍ତା ପାଖକୁ । ସବୁଥର ହିଁ ଶାନ୍ତା ଧରେ କିଛି ନା କିଛି କାମରୁ ଉଠିଆସି । କେବେ ଘରକୁ ଆସିଥିବା ତା’ର ଭଣଜା, ଭାଣିଜୀ ପାଇଁ ଜଳଖିଆ କରୁଥିଲା କେବେ ଶ୍ୱଶୁରଙ୍କ ବରାଦରେ ତାଙ୍କର କାଶର ପଥି ତିଆରି କରୁଥିଲା । ଅଦା, ତୁଳସୀପତ୍ର ରସରେ ମହୁ ଗୋଳେଇ । କେବେ ଝିଅର ପ୍ରୋଜେକ୍ଟ ନୋଟ୍ରେ ମେଡିସିନାଲ ପ୍ଲାଣ୍ଟର ପତ୍ର ଲଗଉଥିଲା । କେବେ ବିନୟର ଡ୍ରେସ ଇସ୍ତ୍ରୀ କରୁଥିଲା । ସବୁଥର ହିଁ ସେ ବ୍ୟସ୍ତତାର ଭାବ ଦେଖଉଥିଲା । ରେଣୁକା ବୃତ୍ତାନ୍ତ କହିବା ପାଇଁ ଯେଉଁ ନିରୋଳା ଖୋଲା ବେଳ ଦରକାର ସେଥିପାଇଁ ତା’ର ମାନସିକ ପ୍ରସ୍ତୁତି ନଥିଲା । ଅଗତ୍ୟା ଜ୍ୟୋତି ହିଁ କହିଥିଲେ “ଯେତେବେଳେ ତମ ହାତରେ କାମ ନାହିଁ, ମୋ ପାଖକୁ ଫୋନ୍ କରିବ । ଜରୁରୀ କଥା ଅଛି ତମ ସାଙ୍ଗରେ ।”
ସେ ଚାରିଦିନ ପରେ ଆହୁରି ପାଞ୍ଚଦିନ ଗଲାଣି । ସରକାରୀ, ବେସରକାରୀ, ଉପଯୋଗୀ, ଅନୁପଯୋଗୀ ବହୁ ଫୋନ୍ କଲ ଆସିଲାଣି । ଅଥଚ ଅପେକ୍ଷା କରି କରି ଶାନ୍ତା ପାଖରୁ ଫୋନ୍କଲଟିଏ ଆସିଲା ନାହିଁ ।
ମନେ ମନେ ବ୍ୟସ୍ତ ହୋଇ ପଡ଼ୁଥିଲେ ଜ୍ୟୋତି । ସ୍ଥିର କଲେ କିଛି ନା କିଛି ବାହାନା ଦେଖେଇ ତାଙ୍କୁ ହିଁ ଯିବାକୁ ପଡ଼ିବ ଶାନ୍ତା ପାଖକୁ । ବହିଟେ ମାଗିବା ଆଳରେ ହେଉ କି କାହାର ଠିକଣା ମାଗିବା ଆଳରେ ସେ ଯିବେ ଓ ବିନୟ ରେଣୁକାଙ୍କ ବର୍ଦ୍ଧିଷ୍ଣୁ ବ୍ୟାପାର ସମ୍ପର୍କରେ ଶାନ୍ତାକୁ ଅବଗତ କରେଇ ଦେବେ ।
ନୂଆ କିଣିଥିବା ଢ଼େଉ ରଙ୍ଗର ଶାଢ଼ୀଟା ପିନ୍ଧିବା ପାଇଁ ଢ଼େର ସମୟ ଲାଗିଗଲା ତାଙ୍କୁ । ବାହାରୁ ବାହାରୁ ଫୋନ୍ଟା ବାଜି ଉଠିଲା । ଷ୍ଟଡି ରୁମରେ କିଟୁ ପଢ଼ୁଥିଲା । ବାଦଲ୍ ବି ଥିଲେ ଡ୍ରଇଂ ରୁମରେ । ଯିଏ ହେଲେ ଧରିଥାନ୍ତେ, ସେ କିନ୍ତୁ ଉଚ୍ଛନ୍ନ ହୋଇ ଧାଇଁଲେ ଫୋନ୍ଟା ଧରିବା ପାଇଁ । ବୋଧହୁଏ ଶାନ୍ତା କରିଚି । ଏତେ ଦିନକେ ମୁଣ୍ଡରେ ଅକଲ ପଡ଼ିଛି ତା’ର । ଏତେ ଦିନକେ ତାଙ୍କ କଥାଟା ହେଜିଛି । ହୁଁ, ଯିବ କୁଆଡ଼େ ! କିଏ ଏମିତି ସ୍ତ୍ରୀ ଲୋକଟେ ଅଛି ତା’ର ଇର୍ଷା ନାହିଁ । ଶୋଚନା ନାହିଁ ।
ରିସିଭରଟା ଧରି ହ୍ୟାଲୋ କହୁ କହୁ କଟିଗଲା ଫୋନଟା ସେପଟୁ । ଜାଣି ଜାଣି କେହି ରଖିଦେଲା ହୁଏତ ତାଙ୍କର ସ୍ୱର ଶୁଣିବା ତା’ର ଦରକାର ନଥିଲା । କିଏ କରିଥିଲା, କାହାକୁ ଖୋଜୁଥିଲା! କିଟୁର କେହି ଝିଅ ସାଙ୍ଗ? ବାଦଲଙ୍କ ସହିତ ମିଶିବାକୁ ଇଚ୍ଛା କରୁଥିବା କେହି ସ୍ତ୍ରୀ ଲୋକ? ନା…ବିନୟ?
ଯାଃ… ସେ ଆଉ ଯିବେ କୁଆଡ଼େ? ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଦେଲା ଏଇ ବ୍ଲାଙ୍କ କଲ୍ । କିଟୁ ଉଠି ଆସିଲା ତା’ ଷ୍ଟଡି ରୁମ୍ରୁ ।
ମାଆ, ତମେ ବାହାରିଥିଲ ପରା କୁଆଡ଼େ । ବସିପଡ଼ିଲ ଯେ!
“କାହିଁକି ମୁଁ ନ ଗଲେ ତୋ’ର କ’ଣ କିଛି ଅସୁବିଧା ହେଉଚି?”-ଇଷତ୍ ବିରକ୍ତିର ସହ କହିଲେ ଜ୍ୟୋତି । ଆଶ୍ଚର୍ଯ୍ୟ ହୋଇ ଚାହିଁଲା କିଟୁ ତାଙ୍କ ମୁହଁକୁ ।
“ଚିଡ଼ିଯାଉଚ କ’ଣ ପାଇଁ! ମୁଁ ତ ତମକୁ ପଚାରୁଛି କାହିଁକି ଗଲନି ବୋଲି!”
ଜ୍ୟୋତି ସଚେତନ ହୋଇଗଲେ । ଅକାରଣରେ ନିଜ ଭିତରର ଅସ୍ଥିରତା ତାଙ୍କ ବ୍ୟବହାରରେ ପ୍ରତିଫଳିତ ହୋଇଗଲା ବୋଲି ନିଜକୁ ଧିକ୍କାର ବି କଲେ । ତା’ପରେ ସ୍ୱରକୁ ଯଥାସମ୍ଭବ ନିୟନ୍ତ୍ରଣକୁ ଆଣି କହିଲେ- “ନା ମ, ମୋ ମୁଣ୍ଡଟା କେମିତି ବୁଲେଇ ହେଲା ପରି ଲାଗୁଚି ଯିବିନି ଭାବୁଚି ।”
“କୁଆଡ଼େ ଯାଇଥାନ୍ତ କି?”
“ଏଇ ଟିକେ ବିନୟ ଅଙ୍କଲ ଘର ଆଡ଼େ ବାହାରିଥିଲି । ଆଚ୍ଛା, ଶାନ୍ତା ଆଣ୍ଟିଫୋନ୍ କରିଥିଲା କି ମୁଁ ନଥିଲା ବେଳେ?”
“ସେ ତ କେବେ କରନ୍ତିନି! ସେ କାହିଁକି କରିବେ?”
ତାଙ୍କ ଉପରକୁ ଏଇ ତୀର୍ଯ୍ୟକ୍ ବାକ୍ୟ ଦିଟି ଫୋପାଡ଼ି ଦେଇ ଚାଲିଲା କିଟୁ ପୁଣି ଥରେ ତା’ ଷ୍ଟଡି ରୁମ୍କୁ ।
ସତ କଥା କହିଲା କିଟୁ ।
ଶାନ୍ତା କେବେ ବି କରେ ନାହିଁ ଫୋନ୍ । ସେ କାହିଁକି କରିବ । ତା’ର କ’ଣ ଦରକାର ଅଛି ତାଙ୍କ ପାଖରେ ।
ଫୋନ୍ ଆସୁଥାନ୍ତା ଶାନ୍ତା ଘରୁ ଯଦି ବିନୟ ସହ ତାଙ୍କର ସମ୍ପର୍କ ଥା’ନ୍ତା, କିନ୍ତୁ ବିନୟ ସହ ଏବେ ତାଙ୍କର ସମ୍ପର୍କ ନାହିଁ । ଫୋନ୍ ଆସୁଥାନ୍ତା ଶାନ୍ତା ପାଖରୁ ଯଦି ବିନୟ ସହିତ ମିଶିଲା ବେଳେ ସେ ଏକାଠି ଶାନ୍ତା ସହିତ ବି ମିଶୁଥାନ୍ତେ । ସେତେବେଳେ ତ ମନେ ପଡ଼ିନଥିଲା ତାଙ୍କର ଶାନ୍ତା! ଏବେ କାହିଁକି ମନେ ପଡ଼ୁଚି ।
ପ୍ରକୃତରେ କ’ଣ ମନେ ପଡ଼ୁଛି ଶାନ୍ତା ।
ସେ କଥା ବି ତ ଠିକ୍ ନୁହେଁ ।
ମନେ ପଡ଼ୁଚି ବିନୟ ହାତଛଡ଼ା ହୋଇଯିବାର ଗ୍ଲାନି ।
ମନେ ପଡ଼ୁଛି ତାଙ୍କର ନିଜର ବିଦୀର୍ଣ୍ଣ ନାରୀପଣ ।
ବାଦଲ ଅନୁଗତ ହୋଇ ଅଛନ୍ତି ଏପର୍ଯ୍ୟନ୍ତ । ସଂସାର କିଛି ଉଜୁଡ଼ି ଯାଇ ନାହିଁ । କିନ୍ତୁ ପୌରୁଷର ପରାକ୍ରମ ତାଙ୍କଠାରେ ସେ ଠାବ କରିପାରି ନାହାନ୍ତି । ଏତେ ବର୍ଷର ବୈବାହିକ ଜୀବନ ବିତିଯାଇଛି ବିନା ଚମକରେ । ବିନା ଉତ୍ତେଜନାରେ । ସବୁ ପୁରୁଷଙ୍କ ପାଖରେ ନାରୀକୁ ଆକୃଷ୍ଟ କଲାପରି ସବୁ ଗୁଣ ଠୁଳ ହୋଇନଥାଏ । ସେଥିପାଇଁ ତ ପାଞ୍ଚଜଣ ସମର୍ଥ ପୁରୁଷଙ୍କୁ ପତି ରୂପେ ପାରି ସାରିବା ପରେ ବି ଦ୍ରୌପଦୀ ପୁନଶ୍ଚ ପ୍ରଲୁବ୍ଧ ହୋଇଥିଲେ କର୍ଣ୍ଣଙ୍କ ପୌରୁଷରେ ।
ବିନୟର ଏଇ ପୁରୁଷ ପଣ ହିଁ ତାଙ୍କୁ ଆକୃଷ୍ଟ କରିଥିଲା । ବିନୟର କେବଳ ପ୍ରଂଶସାନ୍ୱୀତ ପଲକ ହିଁ ତାଙ୍କୁ ମତୁଆଲା କରିଦିଏ । ତାଙ୍କ ଭିତରର ନାରୀପଣକୁ ଜଗେଇ ଦିଏ । ବାଦଲଙ୍କ ମୁକ୍ତ କଣ୍ଠର ବିହ୍ୱଳିତ ପ୍ରଂଶସା ତାଙ୍କ ମନରେ ସାମାନ୍ୟ ତରଙ୍ଗ ସୁଦ୍ଧା ଖେଳେଇ ପାରେ ନାହିଁ । ବିନୟର ସ୍ୱରରେ ତାଙ୍କ ପାଇଁ ସାମାନ୍ୟ ବ୍ୟସ୍ତତାର ଭାବ ପ୍ରକଟିତ ହେଲେ ସେ ଅଧୀର ହୋଇ ପଡ଼ନ୍ତି । ଆଉଜି ପଡ଼ିବାକୁ ଚାହାନ୍ତି । ଅଥଚ ବାଦଲଙ୍କ ଘଣ୍ଟା ଘଣ୍ଟା ବ୍ୟାପୀ ସେବାକୁ ସେ କେବଳ କର୍ତ୍ତବ୍ୟ ବୋଲି ଭାବି ନିଅନ୍ତି । ବୟସରେ ଯଥେଷ୍ଟ ସାନ ହେଲେ ବି ବିନୟ ଉପରେ ସେ ଏଥିପାଇଁ ମାୟା ବିସ୍ତାର କରିବାକୁ ଚାହିଁଥିଲେ, ମନର ସବୁ ପ୍ରଶ୍ନର ବନ୍ଧକୁ ଡେଇଁ ବିନୟକୁ ବଶୀଭୂତ କରିବାକୁ ଚେଷ୍ଟା କରୁଥିଲେ ।
କିନ୍ତୁ ହେଲା କ’ଣ! ସେ ନିଜେ ହିଁ ପଡ଼ିଗଲେ ଅତଳ ଗର୍ଭରେ । କିଏ ଉଠେଇବ ତାଙ୍କୁ ଏଇ ଶୂନ୍ୟସ୍ଥାନରୁ?
ପୁଣି ଥରେ ଫୋନ୍ କଲ୍ ଆସିଲା ।
ବଡ଼ ଅବଶ ଲାଗୁଥିଲା ଜ୍ୟୋତିଙ୍କୁ । ତଥାପି ସେ ଉଠିଲେ ଧରିବା ପାଇଁ । ଏଥର ବି ଠିକ୍ ସେଇଆ ହେଲା । ତାଙ୍କ ପାଟିରୁ ହ୍ୟାଲୋ ନ ସରୁଣୁ ସେପଟର ଫୋନ୍ ରଖିଦିଆଗଲା… ।