ଜୀବନଧାରଣର ଏକ ବଡ଼ ଶକ୍ତି ହେଉଛି ବିଶ୍ୱାସ । ଆମ ଶ୍ୱାସ ପ୍ରଶ୍ୱାସ ସହିତ ବିଶ୍ୱାସର ଘନିଷ୍ଠ ସମ୍ପର୍କ ରହିଛି । ପ୍ରାଣୀଜଗତ ଏକ ଆପେକ୍ଷିକ ବିଶ୍ୱାସକୁ ଅବଲମ୍ବନ କରି ପ୍ରାଣୀସମାଜ ଭିତରେ ଆତଯାତ ହୁଅନ୍ତି । ମାତୃଗର୍ଭରେ ବଢ଼ୁଥିବା ଶିଶୁଟିର ସର୍ବାନ୍ତଃକରଣରେ ମା’ ପ୍ରତି ଅତୁଟ ବିଶ୍ୱାସ ପ୍ରଚ୍ଛନ୍ନ ଭାବରେ ରହିଥାଏ । ଭୂମିଷ୍ଠ ହେଲାପରେ ମା’ କୋଳରେ ଦେବଶିଶୁଟି ସୁଖାସନରେ ରହି ମା’ର ଶରୀରସ୍ପର୍ଶ ଏବଂ ମା’ ସହିତ ଦୃଷ୍ଟି ବିନିମୟ କରି ସେ ପ୍ରଶାନ୍ତି ଲାଭ କରେ । ଶୈଶବ ସରିଲା ପର୍ଯ୍ୟନ୍ତ ମା’ ହିଁ ସକଳ ଆସ୍ଥାର ମୂର୍ତ୍ତିମତୀ ମାନବୀ-ଦେବୀ ପାଲଟି ଯାଇଥାନ୍ତି । ଶିଶୁର ଅସ୍ପଷ୍ଟ ଓ ଦରୋଟି ଭଙ୍ଗାଭଙ୍ଗା ଉଚ୍ଚାରଣର ପ୍ରଥମ ବ୍ୟାଖ୍ୟାକାରିଣୀ ହୁଏ ମା’ । ଅତୁଟ ସ୍ନେହ, ମମତା ଓ ଆନ୍ତରିକତାରେ ସୌଷ୍ଠବହୀନା ମା’ ମଧ୍ୟ ଶିଶୁର ଆଖିରେ ଅନିନ୍ଦ୍ୟରୂପସୀ ପାଲଟି ଯାଏ ।
ଆମ ସମସ୍ତଙ୍କର ଧରାବତରଣ ଏହି ପ୍ରକ୍ରିୟାରେ ହୋଇଛି । କ୍ରମବର୍ଦ୍ଧିଷ୍ଣୁ ବୟସର ଢେଉମାଡ଼ରେ ଆମେ ପଡ଼ିଉଠି ସଳଖି ଚାଲିଲେ ମଧ୍ୟ ଆମ ଭିତରେ ଥିବା ବିଶ୍ୱାସର ବୀଜଟି ଅଙ୍କୁରିତ ହୋଇ ଡାଳପତ୍ର ମେଲିଲା ବେଳକୁ ସେଠି କାହିଁ କେତେ ଆଡୁ ବିପଦ ମାଡ଼ିଆସେ । ଯୌବନର ବିବିଧ ନିଶା ଆମକୁ ଘାରେ । ଆମ ଭିତରେ ଥିବା ସେଇ ସ୍ୱର୍ଗୀୟ ବିଶ୍ୱାସ କ୍ରମଶଃ ଦୁର୍ବଳ ହୋଇ ବେଳେବେଳେ ଯୁକ୍ତିନିଷ୍ଠତା ଓ ଭାବପ୍ରବଣତାର ଶିକାର ହୁଏ । ଯେଉଁ ବିଶ୍ୱାସ ଆତ୍ମପ୍ରତ୍ୟୟ, ମାନସିକ ଦୃଢ଼ତା ସୃଷ୍ଟି କରି ଜ୍ଞାନବିଜ୍ଞାନର ଦିଗନ୍ତକୁ ସ୍ପର୍ଶ କରିବା ପାଇଁ ବଳ ଦିଏ, ସେଇ ବିଶ୍ୱାସ ଭିତରେ ‘ଚରୈବତି’ର ଉନ୍ମାଦନା ଥାଏ । ଆଉ ଯେଉଁ ବିଶ୍ୱାସଟି ଭାବପ୍ରବଣତାକୁ ଆଧାର କରି ବଢ଼ି ଚାଲେ, ସେଥିରେ ଅନେକ ସଂଘାତ ଥାଏ । ଲୋକେ ଅପଦସ୍ଥ ହୁଅନ୍ତି । ମନ ଭାଙ୍ଗିଯାଏ । ମଣିଷ ଅନୁତାପ କରେ । ପଛକୁ ଫେରିଚାହିଁ ବିଶ୍ୱାସର ଚାରାକୁ ଦରାଣ୍ଡି ବସେ । ବିଶ୍ୱାସଭଙ୍ଗର ଶରବ୍ୟ ହୁଅନ୍ତି ଏ କାଳର ନବଦମ୍ପତି, ଅଥର୍ବ ବୃଦ୍ଧ ପିତାମାତା ଆଉ ଯୌଥ ପରିବାର । ବିଶ୍ୱାସର ପାଟ ଦଉଡ଼ିରେ ବାନ୍ଧି ହୋଇ ଅଜସ୍ର ଶିଶୁ କନ୍ୟା, ନାବାଳିକା, କର୍ମଜୀବୀ ମହିଳା ଆଉ ଅନେକ ବ୍ୟକ୍ତି ସର୍ବସ୍ୱ ହରାନ୍ତି । କ୍ଷମତାଲିପ୍ସୁ ବ୍ୟକ୍ତି, ଦୁରଭିସନ୍ଧିରେ ଜର୍ଜରିତ ରାଜନେତା, ପେଶାଦାର ନରସଂହାରକର୍ତ୍ତା, ପରଶ୍ରୀକାତର ପୁରୁଷ ଓ ମହିଳା, ଧର୍ମଧ୍ୱଜୀ ଆଧ୍ୟାତ୍ମିକ ପ୍ରବକ୍ତା- ଏଇମାନେ ହିଁ ଉଦାତ୍ତ ମାନବୀୟ ବିଶ୍ୱାସ ଓ ପ୍ରତ୍ୟୟବୋଧର ଘୁଣପୋକ ।
ବିଶ୍ୱାସର ଚକ୍ରବ୍ୟୂହରେ ହନ୍ତସନ୍ତ ହେଉଥିବା, ଆର୍ତ୍ତ ଚିକ୍ରାର କରୁଥିବା ଓ ଜିଉଁଥିବା ଜୀବନକୁ ଧିକ୍କାର କରୁଥିବା ସବୁ ବର୍ଗର ମଣିଷମାନଙ୍କୁ ଉଦ୍ଧାର କରିବା ଏତେ ସହଜ ନୁହେଁ । ତଥାପି ସେମାନଙ୍କର ଅଖଣ୍ଡ ବିଶ୍ୱାସ ଯେପରି ବାରମ୍ବାର ଖଣ୍ଡିତ ନ ହେବ, ସେଥିପାଇଁ ପ୍ରୟାସ କରିବା ଉଚିତ୍ । ପ୍ରଥମେ ନିଜ ଉପରେ ବିଶ୍ୱାସ ରଖିବା, ପ୍ରକୃତିର ନିୟମକୁ ଉଲ୍ଲଂଘନ ନ କରିବା, ଯଥାସମ୍ଭବ ସତ କହିବା, ରାତାରାତି ବଡ଼ଲୋକ ହେବାର ଦୁଃସ୍ୱପ୍ନ ନ ଦେଖିବା, ନିଜର ଶରୀର ପରିଚର୍ଯ୍ୟା ବିଷୟରେ ସଚେତନ ହେବା, ସବୁବେଳେ ନିଜକୁ ଛାତ୍ର ବୋଲି ଭାବି ଜୀବନ ବିଦ୍ୟାଳୟରୁ ଶିକ୍ଷାଲାଭ କରିବା, ନିଜର ଅଶାନ୍ତ ମନକୁ ଯେକୌଣସି ଉପାୟରେ ଧୈର୍ଯ୍ୟର ସହ ଶାନ୍ତ କରିବା, ଅସହିଷ୍ଣୁତାକୁ ଦୂର କରିବା, ଶ୍ରଦ୍ଧାଶୀଳ ହେବା, ଅଧ୍ୟୟନରେ ଆଳସ୍ୟ ପରିହାର କରିବା, ଦୁର୍ନୀତିଗ୍ରସ୍ତ ନ ହେବା, ସାମାଜିକ ସଂହତି ପାଇଁ ଚେଷ୍ଟିତ ହେବା, ଗୁରୁଜନ ତଥା ବରିଷ୍ଠଙ୍କ ପ୍ରତି ଯଥାଯୋଗ୍ୟ ଆଚରଣ କରିବା, ଆମ ଚଳଣି, ପରମ୍ପରା, ସଂସ୍କୃତି ତଥା ଐତିହ୍ୟ ବିଷୟରେ ଜାଗରୁକ ରହିବା ଇତ୍ୟାଦି ମାନବୀୟ ଆଦର୍ଶ ଭିତରେ ଆମ ବିଶ୍ୱାସଟି ବଢ଼ି ବଢ଼ି ଦ୍ରୁମରେ ପରିଣତ ହେବାର ସମ୍ଭାବନା ଅଳୀକ ନୁହେଁ । ଚାଟୁ କଥା, ଅଯଥା ଆତ୍ମପ୍ରଶଂସା ତଥା ଆତ୍ମଗ୍ଲାନିଠାରୁ ଆମେ ଦୂରେଇ ରହିଲେ ଭଲ । ଆମେ ନ ଜାଣି ପରକଥାରେ ପଡ଼ି ଯୁକ୍ତିତର୍କ କରୁ, ଆମେ ଯାହା ନୁହଁ ତାହା ଦେଖେଇ ହବାକୁ ଚେଷ୍ଟା କରୁ, ସବ୍ଜାନ୍ତା ବୋଲି ଡିଣ୍ଡିମ ପିଟୁ- ଏପରି କରିଲେ ଆମେ ବିଶ୍ୱାସ ବାଣ୍ଟିପାରିବା ନାହିଁ । ଅସ୍ୱାଭାବିକ ଭାବରେ ବିତ୍ତଶାଳୀ ହେବାର ମୋହ କିଭଳି ଲୋକଙ୍କୁ ନିଃସ୍ୱ ଓ ନିନ୍ଦିତ କରୁଛି, ସାଂପ୍ରତିକ ଘଟଣାବଳୀରୁ ତାହା ସୁସ୍ପଷ୍ଟ । ବିଶ୍ୱାସଭଙ୍ଗର କାହାଣୀ ଅସୁମାରି ।
ଯେଉଁମାନେ ଆମ ବିଶ୍ୱାସ ସହିତ ଖେଳି ଆମକୁ ଅପଦସ୍ଥ ଓ ସର୍ବସ୍ୱାନ୍ତ କରନ୍ତି, ଆମେ ସେମାନଙ୍କ ପରିଚୟ ବିଭିନ୍ନ ଢଙ୍ଗରେ ଦେଉ, ଯଥା- ଅବିଶ୍ୱାସୀ, ବିଶ୍ୱାସଘାତକ, ଧୂର୍ତ୍ତ, ଭଣ୍ଡ, ଠକ, ପାଜି ଓ ଦଗାବାଜ୍ ଇତ୍ୟାଦି । ସେମାନେ ଅସାଧାରଣ କୁତ୍ସିତ ପ୍ରଜ୍ଞାର ଅଧିକାରୀ । ‘ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟେ ତୁ ହଳାହଳମ୍’ ଅର୍ଥାତ୍ ସେମାନଙ୍କର ବାଗ୍ଭଙ୍ଗୀରୁ ମହୁ ଝରି ପଡୁଥିଲେ ବି ସେମାନେ ହୃଦୟ ଭିତରେ ହଳାହଳ ବିଷ ସାଇତି ରଖିଥା’ନ୍ତି । ପାଣିକୁ ଫୁଙ୍କି ଦେଇ ସର ପକାଇପାରନ୍ତି । ସେମାନଙ୍କର ବଡ଼ି ଲାଙ୍ଗୁଏଜ୍ ବା ଶବ୍ଦବିହୀନ ଶାରୀରିକ ଭାଷାରେ ଥାଏ ଏକ ମୁଗ୍ଧ ଆକର୍ଷଣ । ଆମେ ସେଇ ଠକାମିର ଶିକାର ହେଉ ।
ସ୍ନେହ, ପ୍ରେମ, ଭକ୍ତି ଓ ଆତ୍ମସମର୍ପଣ ଆଦି ମାନବୀୟ ପ୍ରବୃତ୍ତିଗୁଡ଼ିକ କେବଳ ପାରସ୍ପରିକ ବିଶ୍ୱାସକୁ ନେଇ ବଢ଼ିଚାଲେ । ଆମେ ଯେଉଁମାନଙ୍କ ଉପରେ ବିଶ୍ୱାସ ଥାପୁଛେ ସେମାନଙ୍କର ଚାତୁରଷ ଓ କାର୍ଯ୍ୟକଳାପରେ ଆମ ସଞ୍ଚିତ ବିଶ୍ୱାସଟି କ୍ଷତାକ୍ତ ହେବାରୁ ଆମେ କଷ୍ଟ ପାଉଛେ । ଏହାର ନିରାକରଣ ସହଜ ନ ହେଲେ ବି ନିହାତି ଅସମ୍ଭବ ନୁହେଁ । ଥରେ ଠିକିଗଲା ପରେ ଆମକୁ ଭବିଷ୍ୟତ ପାଇଁ ସତର୍କ ହେବାକୁ ପଡ଼ିବ ।
ଆଉ ଗୋଟିଏ ସ୍ପର୍ଶକାତର ବିଷୟ ହେଉଛି ଆମର ଭଗବତ୍ ବିଶ୍ୱାସ, ଗୁରୁମାନଙ୍କ ଉପରେ ଆସ୍ଥା ଓ ଅଲୌକିକ କାର୍ଯ୍ୟ ସାଧନ କରୁଥିବା କପଟ ସାଧୁସନ୍ଥଙ୍କ ସହିତ ଆମର ନିବିଡ଼ ସାନ୍ନିଧ୍ୟ । ଅମଳିନ ବିଶ୍ୱାସ ଘନୀଭୂତ ହୁଏ ନିଜକୁ ଭଲ ଭାବରେ ଉପଲବ୍ଧି କରିପାରିଲେ ଏବଂ ଆମ ଉଚ୍ଚାରଣ ଓ ଆଚରଣ ଭିତରେ କିଛି ପାର୍ଥକ୍ୟ ନ ରହିଲେ । ଅସୀମ ଧୈର୍ଯ୍ୟ ଏକାନ୍ତ ଆବଶ୍ୟକ । କନିଷ୍ଠମାନଙ୍କ ସହ ସମ୍ପର୍କ ରଖିବାକୁ ହେଲେ ଆମକୁ ମାନସିକ ସ୍ତରରେ କନିଷ୍ଠ ହେବାକୁ ପଡ଼ିବ । ବରିଷ୍ଠମାନଙ୍କ ସମସ୍ୟା ବୁଝିବାକୁ ହେଲେ ଆମକୁ ମାନସିକ ସ୍ତରରେ ଉତ୍ତୀର୍ଣ୍ଣ ବୟସର ଦିଗ୍ବଳୟକୁ ଛୁଇଁବାକୁ ପଡ଼ିବ । ଯୌଥ ପରିବାରରେ ଏପରିକି ନିଜର ବଢ଼ନ୍ତା ପିଲାମାନଙ୍କ ସହ ଆଳାପ ଆଲୋଚନା କଲାବେଳେ ଆମେ ସହାନୁଭୂତିଶୀଳ ହେଲେ ଅନେକ ପରିମାଣରେ ପରିବେଶର ଉତ୍ତେଜନା କମି ଯିବ । ଶାଶୂ-ବୋହୂ, ସ୍ୱାମୀ-ସ୍ତ୍ରୀ ଭିତରେ ଥିବା ଦ୍ୱୈତ ସମ୍ପର୍କର ମୂଳାଧାର ହେଉଛି ବିଶ୍ୱାସ । ଛଳନା ନୁହଁ ।
ଯୁଗ ଯୁଗ ଧରି ମାନବୀୟ ବିଶ୍ୱାସ ବହୁ ସଂକଟ ମଧ୍ୟ ଦେଇ ଗତି କରିଆସିଛି । ବ୍ୟକ୍ତିଗତ ସ୍ଥିତି ଓ ସାମାଜିକ ସ୍ଥିତି ମଧ୍ୟ ଭୁଶୁଡ଼ି ପଡ଼ିଛି, ଯାହାର ଭୂରିଭୂରି ଦୃଷ୍ଟାନ୍ତ ଶାସ୍ତ୍ରପୁରାଣମାନଙ୍କରେ ଦେଖାଯାଏ, ତଥାପି ପାରସ୍ପରିକ ବିଶ୍ୱାସ ବା ମୁ୍ୟଚୁଆଲ୍ ଟ୍ରଷ୍ଟର ବିଲୟ ଘଟିପାରି ନାହିଁ । ମରୁ-ଉଦ୍ୟାନ ଭଳି ଆମ ଅନ୍ତର୍ନିହିତ ବିଶ୍ୱାସ ଟିକକ ଆମ ଜୀବନଯାତ୍ରାରେ, ସାମୟିକ ପାଇଁ ହେଲେ ହେଁ, ଆଶ୍ରା ପ୍ରଦାନ କରିଥାଏ । ଯେଉଁମାନେ କାହା ଉପରେ ବିଶ୍ୱାସ ରଖନ୍ତି ନାହିଁ ସେମାନେ ବେଳେବେଳେ ଅତୁଟ ମାନସିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ମଣିଷ ନିଜକୁ ଆଗ ଚିହ୍ନୁ । ତା’ ହୃଦୟ ଭିତରେ ତା’ ନିଜର ଇଷ୍ଟଦେବ ପରା ଦ୍ୱାର ଉନ୍ମୁକ୍ତ କରି ବସି ରହିଛନ୍ତି । ସେଠି ଅଖଣ୍ଡ ଜଳୁଛି । ଭିତରଟା ମହକି ଉଠୁଛି ଦିବ୍ୟ ସୁଗନ୍ଧିରେ । ଆମକୁ ଭିତିରି ଆଖିରେ ଚାହିଁବାକୁ ପଡ଼ିବ । ସେଇ ଜ୍ୟୋତି, ସେଇ ସୁଗନ୍ଧି ହିଁ ଆମ ବିଶ୍ୱାସର ଏନ୍ତୁଡିଶାଳ । ଏଇ ବିଶ୍ୱାସଭରା ଆଖିରେ ଶିଶୁଟି ତା’ର ପ୍ରସୂତି-ଜନନୀକୁ ଚାହେଁ, ତା’ ସର୍ବାଙ୍ଗରେ ଖେଳିଯାଏ ଆନନ୍ଦର ଲହଡ଼ି । ମା’ ଗାଈଟି ଗୋଠ ଭିତରେ ଦୂରରେ ରହି ଯାଇଥିବା ତା’ର ବତ୍ସା ବା ବାଛୁରୀର ହମା’ ଶବ୍ଦଟି ତା’ ସତର୍କକାନରେ ଆସି ବାଜେ ଓ ତା’ ପହ୍ନାରୁ ସ୍ୱତଃସ୍ଫୂର୍ତ୍ତ ଭାବରେ କ୍ଷୀର ଝରି ଆସେ । ମାତୃସ୍ତନ୍ୟ ହେଉଛି ଦିବ୍ୟ ବିଶ୍ୱାସର ମଧୁନିର୍ଝର । ଈଶାବାସ୍ୟମିଦଂ ଜଗତ୍ସର୍ବମ୍ । ବିଶ୍ୱଧାତ୍ରୀ ପରମ ଜନନୀର ପଣତକାନି ଆମ ସମସ୍ତଙ୍କୁ ଘୋଡେଇ ରଖିଛି । ଅନ୍ତତଃ ଏତିକି ଟିକେ ବିଶ୍ୱାସ ରହୁ । ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେବା ନାହିଁ । ଆମକୁ ସହଜ ହେବାକୁ ପଡ଼ିବ । ସଂସାରରେ ରହି ଆମେ ଅପର୍ଯ୍ୟାପ୍ତ ଜିନିଷ ଗୋଟେଇ ପାରିବା । କିନ୍ତୁ ବସୁମାତାକୁ ଆମେ କ’ଣ କ’ଣ ସ୍ୱଚ୍ଛନ୍ଦରେ ଦେଇପାରିବା, ସେଇ କଥା ଚିନ୍ତା କରିବାକୁ ପଡ଼ିବ । ଅନ୍ତତଃ ମନ ଭିତରେ ଜମାଟ ବାନ୍ଧିଥିବା ଦୁଶ୍ଚିନ୍ତା, ଅଭିମାନ, ରାଗ ଓ ଅହଙ୍କାରକୁ ଜଗଜ୍ଜନନୀଙ୍କୁ ଭେଟି ଦେଇପାରିବା । ମନକୁ ଖାଲି କରିଦେଲେ, ସେଥିରେ ବିଶ୍ୱାସର ସକଳ ଲାବଣ୍ୟ ଭରିଯିବ । ଆମ ଉପରେ ବେଳେବେଳେ ପିଶାଚ ଆରୂଢ଼ ହୋଇ ଆମର ଭିନ୍ନ ପରିଚୟ ସୃଷ୍ଟି କରୁଥିବା ଯନ୍ତ୍ରଣାରୁ ତ ମୁକ୍ତି ମିଳିପାରିବ ! ‘ମୁଁ ସବୁବେଳେ ନିଦେ୍ର୍ଦାଷ, ଅନ୍ୟମାନେ ଦୋଷୀ’- ଏଇ କଥା ତୁହାଇ ତୁହାଇ କହି ମନକୁ ଉଚ୍ଚାଟିତ କରୁଥିବା ଯାଏ ପିଶାଚର ଛାଇ ଆମ ପିଛା ଛାଡୁ ନ ଥିବ । ଅନ୍ତତଃ ସପ୍ତାହରେ ଥରୁଟିଏ ନିରୋଳାରେ ଆମେ ଆମକୁ ପଚାରି ପାରିବା ଆମେ କେତେ ଠିକ୍ ଆଉ କେତେ ଭୁଲ୍ ।