ବାଇଶି ପାହାଚର ତତ୍ତ୍ୱ ଓ ମହତ୍ୱ ଯଥେଷ୍ଟ ଗୁରୁତ୍ୱ ରହିଛି । ଧାର୍ମିକ ଦୃଷ୍ଟିକୋଣରୁ ବାଇଶି ପାହାଚ ଅତି ପବିତ୍ରତମ ସ୍ଥାନ । ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ ।
ଚିର ରହସ୍ୟମୟ ଶ୍ରୀଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିର ଆଦି-ଅନ୍ତ ତତ୍ତ୍ୱ ଜାଣିବାକୁ ଅନେକ ପଣ୍ଡିତ, ବିଦ୍ୱାନ, ଗବେଷକ, ଚିନ୍ତାଶୀଳ ବ୍ୟକ୍ତିମାନେ ଅକ୍ଳାନ୍ତ ଉଦ୍ୟମ ଓ ପରିଶ୍ରମ କରି ମଧ୍ୟ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇପାରିନାହାନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରତ୍ୟେକ ଉପାଦାନ ରହସ୍ୟବୃତ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅଦ୍ୟାବଧି ଯେତେ ତତ୍ତ୍ୱ, ଦର୍ଶନ, ଆଲୋଚନା ଓ ରଚନା ଲୋକଲୋଚନକୁ ଆସିଛି ତାହା ଅସମାପ୍ତ ପରି ମନେହୁଏ । ଶ୍ରୀଜଗନ୍ନାଥ ସଂସ୍କୃତିର ମହିମା ମାହାତ୍ମ୍ୟ, ଲୀଳା ଅଟେ ଅଲୌକିକ, ଐଶ୍ୱରୀୟ, ଅନନ୍ତ, ଅସୀମ ଓ ଅବ୍ୟକ୍ତ । ଲୀଳାମୟ ଶ୍ରୀଜଗନ୍ନାଥଙ୍କର ଲୀଳା, ରହସ୍ୟମୟ, ଅଦ୍ଭୁତ ଓ ସ୍ୱତନ୍ତ୍ରତା ବହନ କରିଥାଏ ଯାହା ବିଶ୍ୱରେ ବିରଳ । ବିଶ୍ୱ ବିଖ୍ୟାତ ଶ୍ରୀମନ୍ଦିରର ବାଇଶି ପାହାଚ ଅତ୍ୟନ୍ତ ରହସ୍ୟମୟ । ବାଇଶି ପାହାଚ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅତି ପବିତ୍ର ସ୍ଥାନ ଅଧିକାର କରିଛି । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅଧିକ ମହିମାମଣ୍ଡିତ ତଥା ଗୌରବାନ୍ୱିତ କରିବା ଦିଗରେ ଯେଉଁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ବାଇଶି ପାହାଚ ସ୍ୱତନ୍ତ୍ର । ଇତିହାସ, ଲୋକକଥା, କିମ୍ବଦନ୍ତୀ ଓ ସାହିତ୍ୟ ପୃଷ୍ଠାରେ ବାଇଶି ପାହାଚର ବର୍ଣ୍ଣନା ଅତି ଚମକ୍ରାର, ମନୋଜ୍ଞ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଆମ ଧର୍ମୀୟ ବ୍ୟବସ୍ଥାକୁ ଗଭୀର ଭାବରେ ପ୍ରଭାବିତ କରି ଆସୁଛି ବାଇଶି ପାହାଚ । ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଈଶ୍ୱର ବିଶ୍ୱାସୀ ଓ ଧର୍ମପ୍ରାଣ ବ୍ୟକ୍ତିବିଶେଷଙ୍କ ପାଇଁ ବାଇଶି ପାହାଚ କୋଟି ତୀର୍ଥର ପ୍ରତୀକ ଏବଂ ମୋକ୍ଷ, ମୁକ୍ତି ଓ ସିଦ୍ଧିର ପୁଣ୍ୟ ସ୍ଥାନ ବୋଲି ବିବେଚନା କରନ୍ତି । ବାଇଶି ପାହାଚ ଶବ୍ଦଟି ଓଡ଼ିଆମାନଙ୍କ ହୃଦୟରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି କରେ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅନନ୍ୟ ରହସ୍ୟମୟ ବାଇଶି ପାହାଚର ଉତ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସେ । କିନ୍ତୁ ବାଇଶି ପାହାଚ ପ୍ରତି ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଶ୍ରଦ୍ଧା ଓ ଆଗ୍ରହ ରହିଛି, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ।
ଆମ ଭାବାବେଗ ସହିତ ବାଇଶି ପାହାଚର ଅତୀତ ଇତିହାସ ଓତଃପ୍ରୋତ ଭାବେ ଜଡ଼ିତ । ବିଶ୍ୱବିଖ୍ୟାତ ତଥା ଇତିହାସ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରମୁଖ ପବିତ୍ର ସ୍ଥଳ ହୋଇଥିବା ବେଳେ ତନ୍ମଧ୍ୟସ୍ଥ ରତ୍ନସିଂହାସନ, କୋଇଲି ବୈକୁଣ୍ଠ, କଳ୍ପବଟ, ରୋହିଣୀକୁଣ୍ଡ, ଆନନ୍ଦବଜାର ପରି ବାଇଶି ପାହାଚର ମହିମା ଓ ମାହାତ୍ମ୍ୟକୁ ଅଗ୍ରାଧିକାର ଦିଆଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ । ସିଂହଦ୍ୱାର ବା ମୁଖ୍ୟଦ୍ୱାର ଦେଇ ଯେଉଁ ବାଇଶି ପାହାଚ ଅତିକ୍ରମ କରି ବଡ଼ ଦେଉଳର ଭିତରର ବେଢ଼ା ମଧ୍ୟରେ ପ୍ରବେଶ କରିବାକୁ ହୋଇଥାଏ ସେହି ପାହାଚଗୁଡ଼ିକୁ ବାଇଶି ପାହାଚ କୁହାଯାଏ । ବାଇଶି ପାହାଚ ଜଣେ ଭକ୍ତ ହୃଦୟର ଅତ୍ୟନ୍ତ ପବିତ୍ରତମ ସ୍ଥାନର ମର୍ଯ୍ୟାଦା ଲାଭ କରିଛି । ଜଣେ ଭକ୍ତ ବାଇଶି ପାହାଚ ସ୍ପର୍ଶ କରିବା ପୂର୍ବରୁ ପ୍ରଣାମ କରିବା ସହ ପଡ଼ିଥିବା ଭକ୍ତଙ୍କ ପଦଧୂଳିକୁ ମୁଣ୍ଡରେ ଲଗାଇ ପରମ ଶାନ୍ତି ଓ ତୁପ୍ତି ପାଇଥାଏ । ନିତ୍ୟ ବୃନ୍ଦାବନ, ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ଆକର୍ଷଣ ମନୋମୁଗ୍ଧକର । ସିଂହଦ୍ୱାର ଗୁମୁଟରୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଯେଉଁ ପାହାଚମାନ ଅଛି ତାହା ବାଇଶି ପାହାଚ ନାମରେ ନାମିତ । ବାଇଶି ପାହାଚର ବାମ ପାଶ୍ୱର୍ରେ କାଶୀବିଶ୍ୱନାଥ ମନ୍ଦିର, ଶ୍ରୀରାମଚନ୍ଦ୍ର ମନ୍ଦିର, ଶ୍ରୀନୃସିଂହ ଓ ଗଣେଶ ମନ୍ଦିର ସହିତ ସରଘର ରହିଅଛି । ଏହି ପାହାଚ ମୁଖ୍ୟ ଦ୍ୱାରକୁ ସଂଯୁକ୍ତ ହୋଇଥିବାରୁ ଶ୍ରୀବିଗ୍ରହମାନଙ୍କର ବାହାରବୁଲା କାର୍ଯ୍ୟକ୍ରମ ଏହାରି ମାଧ୍ୟମରେ ଆୟୋଜିତ ହୋଇଥାଏ । ବିଭିନ୍ନ ସମୟରେ ଶ୍ରୀଜିଉମାନଙ୍କର ଚଳନ୍ତି ପ୍ରତିମା ଏହି ପାହାଚ ବାଟେ ଯାଇ ବାହାରେ ନିଜର ଲୀଳା ପ୍ରକଟିତ କରିଥାନ୍ତି । ବାଇଶି ପାହାଚ ଅତି ପୁଣ୍ୟ ହୋଇଥିବାରୁ ଏହି ପଥ ଦେଇ ଅତୀତରେ ଅନେକ ଯୋଗଜନ୍ମା ସିଦ୍ଧପୁରୁଷମାନେ ଯଥା- ଶଙ୍କରାଚାର୍ଯ୍ୟ, ରାମାନୁଜ, ନାନକ, ଶ୍ରୀଚୈତନ୍ୟ ପ୍ରଭୃତି ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ ବଡ଼ଦାଣ୍ଡରୁ ସିଂହଦ୍ୱାର ଦେଇ ବଡ଼ ଦେଉଳରେ ପ୍ରବେଶ କରିବାର ବିଧି ରହିଛି । ପୂର୍ବ ଦିଗରୁ ଶ୍ରୀମନ୍ଦିରକୁ ପ୍ରବେଶ ଅତ୍ୟନ୍ତ ଶୁଭଦାୟକ ବୋଲି ଲୋକ ବିଶ୍ୱାସ ରହିଛି । ଶ୍ରୀମନ୍ଦିର ସମ୍ମୁଖରେ ଅରୁଣସ୍ତମ୍ଭ ଓ ଏହାର ପଶ୍ଚାତ ଭାଗରେ ସିଂହଦ୍ୱାର । ବାଇଶି ପାହାଚର ଉଭୟ ପାଶ୍ୱର୍ରେ ଜୟ ଓ ବିଜୟ ନାମରେ ଦୁଇଟି ସିଂହ ଦ୍ୱାରପାଳ ଭାବରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିରର ଚତୁଃଦ୍ୱାରର ପାହାଚ ସଂଖ୍ୟା ୬୯ । ସେଥିମଧ୍ୟରୁ ପୂର୍ବ ଦ୍ୱାର ବା ସିଂହଦ୍ୱାର ପଥରେ ଥିବା ବାଇଶି ପାହାଚ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ ଇଞ୍ଚ ମଧ୍ୟରେ ହେବ । ବାଇଶ ପାହାଚ କୁହାଯାଉଥିଲେ ହିଁ ପ୍ରକୃତରେ ଏହା ଏବେ ୧୭ଟି ପାହାଚରେ ସୀମିତ । ୧୮୮୦ ମସିହାରେ ବିଖ୍ୟାତ ଐତିହାସିକ ଡଃ ରାଜେନ୍ଦ୍ର ଲାଲ ମିତ୍ର ଏହି ପାହାଚ ଶ୍ରେଣୀକୁ ‘ବାଇଶି ପଇଟ’ ବୋଲି ସମ୍ବୋଧନ କରିଥିଲେ । ସେ ମଧ୍ୟ ଏଠାରେ ୧୭ଟି ପାହାଚ ଥିବାର ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଐତିହାସିକ ମନମୋହନ ଗାଙ୍ଗୁଲି (ଖ୍ରୀ ୧୯୧୨)ରେ ୧୫ଟି ପାହାଚ ଥିବାର ଉଲ୍ଲେଖ କରିଛନ୍ତି । ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏହି ବାଇଶି ପାହାଚକୁ କୁର୍ମିବେଡ଼ା, ରୋଷଆଡ଼ ଓ ଆନନ୍ଦ ବଜାର ଯିବା ପାଇଁ ଯାତାୟାତ ମାର୍ଗ ବୋଲି ଉଲ୍ଲେଖ କରିଛନ୍ତି । ବିଶିଷ୍ଟ ବିଦ୍ୱାନ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ସୁପରିଚିତ ଗବେଷକ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ ମତରେ ପୂର୍ବେ ଏଠାରେ ବାଇଶି ପାହାଚ ଥିଲା କିନ୍ତୁ ବିଭିନ୍ନ ସମୟରେ ମରାମତି ଓ ଅନ୍ୟାନ୍ୟ କାରଣ ପାଇଁ ଏବେ ଆଉ ୨୨ଟା ପାହାଚ ନାହିଁ । ଆନନ୍ଦ ବଜାର ଯିବାକୁ ଦୁଇ ପାହାଚକୁ ମିଶାଇ ଏହାର ସଂଖ୍ୟା ୨୦ ହୋଇଛି । ଏହି ପାହାଚ ଆରମ୍ଭ ହୋଇଛି ଅଷ୍ଟାତମ ପାହାଚରୁ ଏବଂ ପ୍ରସାରିତ ହୋଇଛି ଆନନ୍ଦ ବଜାରର ପ୍ରବେଶ ମାର୍ଗର ଦ୍ୱାର ପର୍ଯ୍ୟନ୍ତ । ଏହି ଦ୍ୱାରର ଦୁଇ ପାଶ୍ୱର୍ରେ ୬ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ପ୍ରକାଣ୍ଡ ସିଂହ ମୂର୍ତ୍ତି ବିରାଜମାନ କରିଛନ୍ତି । ବାଇଶି ପାହାଚର ସମସ୍ତ ପାହାଚର ଆୟତନ ସମାନ ନୁହେଁ । ଅଷ୍ଟାଦଶତମ ପାହାଚ ଓସାରରେ ଅନ୍ୟ ଅନ୍ୟ ପାହାଚମାନଙ୍କଠାରୁ ଅଧିକ ଅଟେ । ଏହା ପ୍ରାୟ ୧୪ଫୁଟ ଅଟେ । ୧୯ ଓ ୨୦ତମ ପାହାଚ ଦୁଇଟି ଅର୍ଦ୍ଧ ଗୋଲାକୃତି ଏବଂ ପ୍ରସ୍ତ ପ୍ରାୟ ୬ଫୁଟ । ସମସ୍ତ ପାହାଚ ବଉଳମାଳା ଓ ଶାଣି ପଥରରେ ନିର୍ମିତ ହୋଇଅଛି । ଏଥିମଧ୍ୟରୁ ୧୫ଟିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ପ୍ରାୟ ସମାନ ।
ଶ୍ରୀମନ୍ଦିର ସ୍ୱତ୍ୱଲିପିର ଦ୍ୱିତୀୟ ଭାଗ ପୃଷ୍ଠା ୨୫୬ରେ ବର୍ଣ୍ଣିତ ଅଛି ବାଇଶି ପାହାଚ ଶ୍ରୀମନ୍ଦିରର ପ୍ଲଟ ନଂ ୧୫୬(କ) ଉପରେ ଅବସ୍ଥିତ । ବାଇଶି ପାହାଚ ସମ୍ପର୍କରେ କିଛି ତଥ୍ୟ ପୁରୀ ଜିଲ୍ଲା ଗେଜେଟିୟରରୁ ମିଳିଥାଏ ।
ବାଇଶି ପାହାଚର ତତ୍ତ୍ୱ ଓ ମହତ୍ୱ ଯଥେଷ୍ଟ ଗୁରୁତ୍ୱ ରହିଛି । ଧାର୍ମିକ ଦୃଷ୍ଟିକୋଣରୁ ବାଇଶି ପାହାଚ ଅତି ପବିତ୍ରତମ ସ୍ଥାନ । ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ । ପ୍ରତ୍ୟେକ ପାହାଚର ମହିମା ଭିନ୍ନଭିନ୍ନ ଅଟେ । ପ୍ରଥମ ପାଞ୍ଚଟି ଚକ୍ଷୁ, କର୍ଣ୍ଣ, ନାସିକା, ମୁଖ ଓ ଚର୍ମ । ଦ୍ୱିତୀୟ ପାଞ୍ଚଟି ପାହାଚକୁ କୁହାଯାଏ ପଞ୍ଚପ୍ରାଣ ଅର୍ଥାତ୍- ପ୍ରାଣ, ଅପାନ, ବ୍ୟାନ, ଉଦାନ, ଓ ସମାନ । ଏହା ପାଞ୍ଚଟି ଶକ୍ତି ଯାହା ଶରୀରରେ ପ୍ରାଣ ସଞ୍ଚାର କରିଥାଏ । ତୃତୀୟ ପାଞ୍ଚଟି ପାହାଚ ଅନ୍ତଃ ସୌନ୍ଦର୍ଯ୍ୟ ଭାବେ ଗ୍ରହଣ କରାଯାଏ । ଏହି ପାଞ୍ଚଟି ପାହାଚ ରୂପ, ରସ, ସ୍ୱାଦ, ଗନ୍ଧ ଓ ଶବ୍ଦ । ଚତୁର୍ଥ ପାଞ୍ଚଟି ପାହାଚକୁ ପଞ୍ଚମହାଭୂତ ଭାବେ ବର୍ଣ୍ଣନା କରାଯାଏ । ଏହି ପାଞ୍ଚଟି ପାହାଚକୁ କୁହାଯାଏ ପୃଥି, ଜଳ, ଅଗ୍ନୀ, ବାୟୁ ଓ ଆକାଶ । ୨୧ତମ ପାହାଚକୁ ଜ୍ଞାନ, ଓ ୨୨ତମ ପାହାଚକୁ ମୋହ ରୂପେ ଅଭିହିତ କରାଯାଇଅଛି ।
ପୌରାଣିକ ମତବାଦ ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୨୨ଟି ଅବତାରଙ୍କ ନାମରେ ନାମିତ କରାଯାଇଅଛି ବାଇଶି ପାହାଚକୁ । ଏହି ୨୨ ଅବତାରଙ୍କ ନାମ କଟୁରାସନ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନରନାରାୟଣ, କପିଳ, ଦତ୍ତାତ୍ରେୟ, ପ୍ରଶ୍ନିଗର୍ଭ, ଋଷଭ, ପୃଥୁ, ନରସିଂହ, କୁର୍ମ, ଧନ୍ୱନ୍ତରି, ମୋହିନୀ, ବାମନ, ପର୍ଶୁରାମ, ରାମ, ବ୍ୟାସ, ବଳରାମ, କୃଷ୍ଣ ଓ କଳ୍କୀ । ଶ୍ରୀଜଗନ୍ନାଥ ଚେତନାର ଶରୀର ତତ୍ତ୍ୱ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି ବାଇଶି ପାହାଚର । ଜୀବାତ୍ମା ୨୧ ପାହାଚକୁ ଅତିକ୍ରମ କରି ୨୨ ପାହାଚରେ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଭ କରେ । ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହସନରେ ଅଧିଷ୍ଠିତ ଏବଂ ଏହାର ଅନ୍ୟନାମ ଗୋଲକ । ଗୋଲକର ଅଧ୍ୟଃ ଦେଶରେ ରହିଛି ଅଷ୍ଟ ବୈକୁଣ୍ଠ ଏବଂ ଅଷ୍ଟ ବୈକୁଣ୍ଠର ଅଧ୍ୟଃ ଦେଶରେ ବିରାଜମାନ ଚତୁର୍ଦ୍ଦଶ ଭୁବନ । ହିରଣ୍ୟଗର୍ଭ ହେଉଛି ଶ୍ରୀଜଗନ୍ନାଥଙ୍କର ପଦ୍ମାସନ । ଯୋଗୀମାନେ ନିରନ୍ତର ଯୋଗ ସାଧନା କରି ମଧ୍ୟ ଗୋଲକ ଦର୍ଶନର ମହାପୁଣ୍ୟର ସୌଭାଗ୍ୟ ଲାଭ କରିପାରନ୍ତି ନାହିଁ । ଅଷ୍ଟ ବୈକୁଣ୍ଠ ଓ ଚତୁର୍ଦ୍ଦଶ ଭୁବନ ଅତିକ୍ରମ ପରେ ଗୋଲକ ଧାମର ସାନ୍ନିଧ୍ୟ ମିଳିପାରିବ । ଏ ପରମ ସୌଭାଗ୍ୟ କିନ୍ତୁ ଏତେ ସହଜରେ ମିଳିପାରେ ନାହିଁ କାରଣ ମନୁଷ୍ୟର ମନ ପ୍ରକୃତିର ମାୟାଜାଲରେ ଆବଦ୍ଧ । ପରା ଓ ଅପରା ଏହି ଦୁଇ ପ୍ରକୃତି ସର୍ବଦା ମନୁଷ୍ୟକୁ ନିଜ ଆୟତ୍ତରେ ରଖିଥାନ୍ତି । ଏମାନଙ୍କର ମାୟା ବନ୍ଧନରୁ ମୁକ୍ତି ପାଇବା ଏତେଟା ସହଜସାଧ୍ୟ ନୁହେଁ । ଏହି ପ୍ରକୃତି ୨୫ ପ୍ରକାର । ତିନୋଟି ପରା ପ୍ରକୃତି- ସତ୍ତ୍ୱ, ରଜ, ତମ ଏବଂ ୨୨ଟି ଅଟେ ଅପରା ପ୍ରକୃତି ଯଥା- କାମ, କେଳି, ସଂଭୋଗ, ମିଥୁନ, ନିବୃତ୍ତି, ଉକ୍ରଣ୍ଠା, ଲୋଭ, ସଞ୍ଚୟ, କୋଷା, ଅବମାୟା, ହିଂସା, ଈର୍ଷା, କିଶୁନତା, କପଟ, ମିଥ୍ୟା, ଘୃଣା, ନିନ୍ଦିବା, ଅଜ୍ଞାନ, କ୍ରୋଧ, ରାଗ, ଦ୍ୱେଷ, ଅହଙ୍କାର ଓ ଗର୍ବ । ତିନୋଟି ପରା ପ୍ରକୃତିକୁ ଛାଡ଼ି ବାଇଶିଟି ଅପରା ପ୍ରକୃତିକୁ ଅତିକ୍ରମ ନକଲେ ବ୍ରହ୍ମଦର୍ଶନ ସମ୍ଭବପର ନୁହେଁ । ୨୨ଟି ଦୋଷ ଦୁର୍ବଳତା ଥିବା ଏହି ଅପରା ପ୍ରକୃତିକୁ ଦୂର କଲେ ଭଗବତ ଦର୍ଶନ ସମ୍ଭବପର । ଅନ୍ୟ ଅର୍ଥରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାଇଶି ପାହାଚରେ ପାଦ ଦେଲା ମାତ୍ରେ ସ୍ୱତଃ ସମସ୍ତ ଦୋଷର ବିଲୀନ ଘଟେ । ତେଣୁ ବିଶ୍ୱାସ ଅଛି ଏହି ବାଇଶି ପାହାଚ ମନୁଷ୍ୟକୁ ବାଇଶି ଦୋଷରୁ ମୁକ୍ତ କରି ମୋକ୍ଷ ପ୍ରାପ୍ତିର ମାର୍ଗ ସୁଗମ କରିଥାଏ । ଗାୟତ୍ରୀ ମନ୍ତ୍ରର ଭୂଲୋକଠାରୁ ଦିବ୍ୟଲୋକ ପର୍ଯ୍ୟନ୍ତ ଥିବା ବାଇଶି ସ୍ତରର ପ୍ରତୀକ ବାଇଶି ପାହାଚ । ସପ୍ତଭୁବନ ଓ ସପ୍ତ ପାତାଳ ମିଶି ଚତୁଃର୍ଦ୍ଦଶ ଭୁବନ ଏବଂ ଏହା ସହିତ ଅଷ୍ଠ ବୈକୁଣ୍ଠ ମିଶିଲେ ବାଇଶି ପ୍ରତିଷ୍ଠାନ ହୁଏ । ଏହି ବାଇଶି ପ୍ରତିଷ୍ଠାନର ପ୍ରତୀକ ହେଉଛି ବାଇଶି ପାହାଚ । ବିଭିନ୍ନ ପୁରାଣକାରମାନେ ବାଇଶି ପାହାଚର ତତ୍ତ୍ୱକୁ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିଛନ୍ତି । ଭାଗବତର ଦ୍ୱାଦଶ ସ୍କନ୍ଧ ତହିଁରେ ଦଶତତ୍ତ୍ୱ ଯଥା ବାସୁଦେବ, ନୃସିଂହ, ରାମ-କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଗୋବିନ୍ଦ, ନାରାୟଣ, ମଦନମୋହନ, ବିମଳା ଓ ଭୁବନେଶ୍ୱରୀ ମିଶିଲେ ବାଇଶି ହୁଅନ୍ତି । ମହାବାହୁଙ୍କର ଦିବ୍ୟ ଦର୍ଶନ ନିମନ୍ତେ ଏହି ତତ୍ତ୍ୱର ଆବଶ୍ୟକତା ରହିଛି ଯାହା ବାଇଶି ପାହାଚର ପ୍ରତୀକ । ଅନ୍ୟ ଏକ ମତ ଅନୁଯାୟୀ ପଞ୍ଚରସ, ଅଷ୍ଟସ୍ୱାତ୍ତିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମଷ୍ଟି ଶ୍ରୀମନ୍ଦିରର ବାଇଶି ପାହାଚ । ଗୋଲକ ଧାମକୁ ଯାତ୍ରା କରିବାକୁ ହେଲେ ସମସ୍ତ ଭୌତିକ ଓ ଆଧିଭୌତିକ ଚେତନାର ବାଇଶି ପାହାଚକୁ ଅତିକ୍ରମ କରିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜୈନଧର୍ମର ସମ୍ପର୍କ ଥିବାର ଗବେଷକମାନେ ମତବ୍ୟକ୍ତ କରନ୍ତି । ଜୈନଧର୍ମର ତ୍ରିରତ୍ନ ସତ୍କର୍ମ, ସତ୍ ବିଶ୍ୱାସ, ସତ ପ୍ରତୀକ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀ ସୁଭଦ୍ରା ବୋଲି କିଛି ଗବେଷକ ମତବ୍ୟକ୍ତ କରନ୍ତି । ଏହି ଧର୍ମର ୨୪ଜଣ ତୀର୍ଥଙ୍କର ମଧ୍ୟରୁ ପ୍ରଥମ ବାଇଶି ଜଣ ତୀର୍ଥଙ୍କରଙ୍କ ନାମାନୁସାରେ ଶ୍ରୀମନ୍ଦିରର ବାଇଶି ପାହାଚ ନାମିତ ବୋଲି କିଛି ବିଦ୍ୱାନ ଉଲ୍ଲେଖ କରିଛନ୍ତି । କଳ୍ପବଟ ଆଦି ଶବ୍ଦ ଜୈନଧର୍ମର ‘କେବଳମ୍’ ଶବ୍ଦରୁ ଆନୀତ ବୋଲି କୁହାଯାଏ । ବାଇଶି ପାହାଚ ଜୈନଧର୍ମର ପରିକଳ୍ପନା । ଜୈନଧର୍ମର ମତ ଅନୁଯାୟୀ ପୃଥିବୀ ପୃଷ୍ଠରେ ସଂଯମ ଓ ଜ୍ଞାନଶୀର୍ଷ ପ୍ରଦର୍ଶନ କରିବା ପାଇଁ ବହୁ ସହସ୍ର ବର୍ଷର ବ୍ୟବଧାନରେ ଯେଉଁ ମହାପୁରୁଷ ଧରାବତରଣ କରନ୍ତି ସେମାନଙ୍କୁ ତୀର୍ଥଙ୍କର କୁହାଯାଏ । ଜୈନଧର୍ମର ଆଦି ତୀର୍ଥଙ୍କର ନାମ ଋଷଭନାଥ ଶେଷ ମତ ୨୪ତମ ତୀର୍ଥଙ୍କର ହେଉଛନ୍ତି ମହାବୀର ଜୀନ । ଋକ୍ ବେଦରେ ଋଷଭନାଥଙ୍କ ଜୀନତୀର୍ଥଙ୍କର ନାମ ରହିଥିବା ସହିତ ବିଷ୍ଣୁପୁରାଣ ଓ ଭାଗବତରେ ନାରାୟଣଙ୍କ ଅବତାର ରୂପେ ବର୍ଣ୍ଣିତ । ଏହି ୨୪ ତୀର୍ଥଙ୍କରଙ୍କୁ ବାଇଶି ପାହାଚ ସହ ବଡ଼ ଦାଣ୍ଡ ଓ ରତ୍ନ ସିଂହସନ ମିଶାଇ ୨୪ଟି ତାତ୍ତ୍ୱିକ ଅବସ୍ଥାନକୁ ବୁଝାଉଥିବାର ଜୈନମାନେ ବିଶ୍ୱାସ କରନ୍ତି । ଜୈନ ମତାନୁଯାୟୀ ଜୀବାତ୍ମା ବଡ଼ଦାଣ୍ଡର ଉଭାନ ପାଦ ଯାତ୍ରୀ । ସେଠାରୁ ସେ ବାଇଶି ପାହାଚ ଅତିକ୍ରମ କଲେ ଆଦି ତୀର୍ଥଙ୍କର ସତ୍ୟ ଓ ମୁକ୍ତିର ପ୍ରତୀକ ଋଷଭନାଥଙ୍କୁ ଦର୍ଶନ ଲାଭ କରିପାରିବ । ଜୈନ ତୀର୍ଥଙ୍କରମାନେ ହେଲେ- (୧) ଋଷଭନାଥ (୨) ଅଜିତନାଥ, (୩) ସମ୍ଭୁନାଥ, (୪) ଅଭିନନ୍ଦନାଥ (୫) ସୁମତିନାଥ (୬) ପଦ୍ମପ୍ରଭା, (୭) ସୁପାଶ୍ୱର୍ନାଥ, (୮) ଚନ୍ଦ୍ରପ୍ରଭା (୯) ସୁବିଧିନାଥ (୧୦) ଶୀତଳନାଥ (୧୧) ଶ୍ରିୟାନଂସନାଥ (୧୨) ବସୁପୂଜ୍ୟ (୧୩) ବିମଳନାଥ (୧୪) ଅନନ୍ତନାଥ (୧୫) ଧର୍ମନାଥ (୧୬) ଶାନ୍ତିନାଥ (୧୭) କୁନ୍ତୁନାଥ (୧୮) ଆରନାଥ (୧୯) ମଲ୍ଲିନାଥ (୨୦) ମୁନିସୁବ୍ରତ (୨୧) ନାମିନାଥ (୨୨) ନେମିନାଥ (୨୩) ପାଶ୍ୱର୍ନାଥ (୨୪) ମହାବୀର ଜୀନ । ବାଇଶି ପାହାଚକୁ ପଣ୍ଡିତମାନେ ବିଶ୍ଳେଷଣ କରି ଉଲ୍ଲେଖ କରିଛନ୍ତି ଏହା ୨୨ଟି ତୀର୍ଥସ୍ଥଳ, ୨୨ଟି ତତ୍ତ୍ୱର ପ୍ରତୀକ ଓ ୨୨ଟି ଭାବର ସ୍ୱରୂପ । ତନ୍ତ୍ରବିଦ୍ମାନଙ୍କ ମତରେ ୨୨ଟି ପ୍ରକୃତିଙ୍କ ନାମାନୁସାରେ ବାଇଶି ପାହାଚ ସୃଷ୍ଟି । ବଡ଼ ଦେଉଳକୁ ଯିବା ପାଇଁ ହେଲେ ବାଇଶ ପାହାଚ ଅତିକ୍ରମ କରିବାକୁ ପଡ଼େ ଠିକ୍ ସେହିପରି ଶରୀର ରୂପୀ ଶ୍ରୀମନ୍ଦିରରେ ଆତ୍ମାକୁ ଦର୍ଶନ କରିବାକୁ ହେଲେ ବାଇଶି ପ୍ରକୃତିକୁ ଅତିକ୍ରମ କରିବାକୁ ପଡ଼ିବ । ପଣ୍ଡିତମାନେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବାଇଶି ପାହାଚକୁ ନିଜସ୍ୱ ମତରେ ବାଖ୍ୟା କରିଥାନ୍ତି । କିଛି ବିଦ୍ୱାନଙ୍କ ମତରେ ଦ୍ୱାବିଂଶ ମାତୃଗଣଙ୍କ ସହିତ ବାଇଶି ପାହାଚର ଏକ ଆତ୍ମିକ ସମ୍ବନ୍ଧ ରହିଛି । ଏହି ମାତୃଗଣ ଯଥା- ବିଷ୍ଣୁମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ଶକ୍ତି, ତୃଷ୍ଣା, କ୍ଷାନ୍ତ, ଜାତ, ଲହୁ, ଶାନ୍ତି, ଶ୍ରଦ୍ଧା, କ୍ରାନ୍ତି, ବୃତ୍ତି, ସ୍କୃତି, ଦୟା, ତୁଷ୍ଟି, ମାତୃ, ଭ୍ରାନ୍ତି ଓ ଚେତନା ମାତୃଗଣଙ୍କ ଆଶୀର୍ବାଦରେ ନିର୍ଗୁଣ ଭାବକୁ ଉପଲବ୍ଧ କରି ହେବ ଯେହେତୁ ବାଇଶି ପାହାଚ ମାତୃ କରୁଣାର ପ୍ରତୀକ ତେଣୁ ପରମାତ୍ମାଙ୍କୁ ଲାଭ କରାଯାଇପାରିବ । ଆଉ ମଧ୍ୟ ବାଇଶି ପାହାଚ ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚ ଦେବ ଏବଂ ଜୀବ ଓ ପରମ ଦୁଇ ଆତ୍ମର ସମଷ୍ଟିର ପ୍ରତୀକ ।
ଶ୍ରୀମନ୍ଦିରର ବାଇଶି ପାହାଚର ନାମଗୁଡ଼ିକ ଯଥା- ତ୍ରୀବ, କୁମୁଦ ବତୀ, ମନ୍ଦା, ଛନେ୍ଦାବତୀ, ଦୟାବତୀ, ରଜନୀ, ରତିକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରିଣୀ, ବ୍ରତୀ, ମାର୍ଜନୀ, କ୍ଷାତି, ଭକ୍ତା, ସାନ୍ଦିପନୀ, ଅଜାପନି, ମଦନ୍ତି, ରୋହିଣୀ, ରମ୍ୟା, ଉଗ୍ରା, କ୍ଷୋଭିନି । ପ୍ରତ୍ୟେକ ପାହାଚର ନିଦ୍ଦିଷ୍ଟ ବୈଶିଷ୍ଟ ଓ ମାହାତ୍ମ୍ୟ ରହିଛି । ପ୍ରଥମ ପାହାଚରୁ ହରିନାମ ଶ୍ରବଣ ଓ କୀର୍ତ୍ତନ ପାଇଁ ପ୍ରେରଣା ମିଳିଥାଏ । କୁଭାଷାରୁ ବିରତ ରହିବା ଏ କଥା ଶିକ୍ଷାଦିଏ ପ୍ରଥମ ପାହାଚ । ଦ୍ୱିତୀୟ ପାହାଚର ବାର୍ତ୍ତା ଦୁଇ ହସ୍ତ ଯୋଡ଼ି ପରମ କାରୁଣିକ ଜଗତପିତାଙ୍କୁ ପ୍ରଣାମ କରିବାକୁ ପରାମର୍ଶ ଦେଇଥାଏ । ତୃତୀୟ ପାହାଚର ମାହାତ୍ମ୍ୟ ବିଷୟରେ ଉଲ୍ଲେଖ ଅଛି ପଦବ୍ରଜରେ ଗମନ କରି ପ୍ରଭୁଙ୍କୁ ଦର୍ଶନ କରିବା । ଚତୁର୍ଥ ପାହାଚ ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ସମ୍ବନ୍ଧରେ ଅବଗତ କରାଏ । ପଞ୍ଚମ ପାହାଚ ଯୋଗସାଧନା ନିମନ୍ତେ ଗୁରୁତ୍ୱାରୋପ କରେ । ଷଷ୍ଠ ପାହାଚର ମହିମା ସମ୍ପର୍କରେ ପଣ୍ଡିତମାନେ କୁହନ୍ତି ଏହା ସମାନତା, ନୀତିକୁ ସମ୍ମାନ ଦିଏ । ସପ୍ତମ ପାହାଚରେ ମିଥ୍ୟାକୁ ପରିହାର କଲେ ସତ୍ୟ ବଚନ ଶ୍ରବଣ କଲେ ଦାରୁବ୍ରହ୍ମଙ୍କ ଦର୍ଶନ ମିଳିବ ବୋଲି ବିଶ୍ୱାସ ରହିଛି । ବାଇଶି ପାହାଚ ମଧ୍ୟରୁ ଅଷ୍ଟମ ପାହାଚ ହେଉଛି ସ୍ୱତନ୍ତ୍ର । ଏହି ପାହାଚରେ ରହି ନୀଳଚକ୍ର ସ୍ମରଣ କରି ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମନବା‚ା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ନାରୀମାନେ ନବମ ପାହାଚରେ ବ୍ରାହ୍ମଣମାନଙ୍କୁ ଦାନ, ଦକ୍ଷିଣ, ଅନ୍ନଦାନ ପ୍ରଦାନ କଲେ ବୈଧବ୍ୟ ଓ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଦଶମ ପାହାଚରେ ଶ୍ରାଦ୍ଧ ଦିଆଯାଏ ପିତୃଲୋକକୁ ଏବଂ ଦଶଦ୍ୱାର ଖୋଲିବାର ଏକ ମାଧ୍ୟମ ଅଟେ ଏହି ପାହାଚ । ଏହି ପାହାଚରେ ରହି ଜପ, ତପ, ଧ୍ୟାନ କଲେ ମୁକ୍ତି ମିଳେ ବୋଲି ଭକ୍ତମାନଙ୍କ ମନରେ ଦୃଢ଼ ବିଶ୍ୱାସ ଅଛି । ଏକାଦଶ ପାହାଚରେ ପୁତ୍ର ସନ୍ତାନ କାମନା କରି ଦାରୁବ୍ରହ୍ମଙ୍କୁ ସ୍ମରଣ କରିବାର ବିଧିରହିଛି । ଦ୍ୱାଦଶ ପାହାଚରେ ଦଣ୍ଡାୟମାନ ହୋଇ ପରଂବ୍ରହ୍ମଙ୍କୁ ସ୍ମରଣ କଲେ ସତ୍ତ୍ୱ ଓ ରଜ ଗୁଣର ବିକାଶ ହୁଏ ବିନାଶକାରୀ ତମ ଗୁଣର ଧ୍ୱଂସ ହୋଇଥାଏ । ତୟୋଦଶ ପାହାଚ ସମସ୍ତ ଅହଙ୍କାରକୁ ମନରୁ ଦୂରେଇ ଦେଇଥାଏ । ଚତୁଃର୍ଦଶ ପାହାଚରେ ପ୍ରଭୁଙ୍କୁ ସ୍ମରଣ କଲେ ମନରୁ କାମନାର ବିନାଶ ଘଟେ । ପଞ୍ଚଦଶ ପାହାଚରେ ପ୍ରଭୁଙ୍କର ଗୁଣଗାନ କଲେ ମନରୁ କ୍ରୋଧ ଭାବ ଦୂର ହୁଏ । ଷୋଡ଼ଶ ପାହାଚରେ ଉପସ୍ଥିତ ହେଲେ ମନରେ ସମର୍ପଣ ଭାବ ଉଦ୍ରେକ ହୁଏ ଓ ସପ୍ତଦଶ ପାହାଚରେ ମୋହଭାବ ଦୂର ହୋଇଥାଏ । ଅଷ୍ଟାଦଶ ପାହାଚ ମନରୁ ଆସକ୍ତିଭାବ ଦୂର କରିବାରେ ସାହାଯ୍ୟ କରେ ଓ ନିଷ୍କାମ କର୍ମ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ । ଊନବିଂଶତମ ପାହାଚ କାମନାର ବିନାଶ ଓ ଈଶ୍ୱର ପ୍ରାପ୍ତି ପ୍ରତି ଆଗ୍ରହ ସୃଷ୍ଟି କରାଇଥାଏ । ବିଂଶତମ ପାହାଚରେ ଦାରୁବ୍ରହ୍ମଙ୍କ ପ୍ରତି ଭକ୍ତିସୁମନ ଅର୍ପଣ କଲେ ତମ ଗୁଣର ବିନାଶ ହୁଏ । ଏକବିଂଶତମ ପାହାଚ ରଜୋ ଗୁଣର ବିନାଶ କରାଇବା ସହିତ ଭକ୍ତଙ୍କୁ ଭଗବତ୍ ପ୍ରାପ୍ତିରେ ସାହାଯ୍ୟ କରିଥାଏ । ଦ୍ୱିବିଂଶତମ ପାହାଚ ଯାହା ସତ୍ତ୍ୱ ଗୁଣର ବିକାଶରେ ଆଗ୍ରହ ସୃଷ୍ଟି କରିଥାଏ । ସତ୍ତ୍ୱ ଗୁଣ ଉଦ୍ରେକ ହେଲେ ସତ୍ୟ, ଶାନ୍ତି, ଦୟା, କ୍ଷମା, ବିନମ୍ରତା ଓ ଉଦାରତା ପ୍ରଭୃତି ମାନବିକ ଗୁଣାବଳୀର ବିକାଶ ହୋଇଥାଏ । କିଛି ଗବେଷକମାନେ ମତବ୍ୟକ୍ତ କରନ୍ତି ଏହା ବାଇଶି ପାହାଚ ନୁହେଁ ବହିଃସ୍ଥ ପାହାଚର ଅପଭ୍ରଂଶ । କାରଣ ଏ ସମସ୍ତ ପାହାଚ ଶ୍ରୀମନ୍ଦିରର ବହିଃଭାଗରେ ଅବସ୍ଥିତ । ଏହି ପାହାଚ ଶ୍ରୀମନ୍ଦିରରେ ବହିଃଭାଗରେ ଅବସ୍ଥିତ । ଏହି ପାହାଚଗୁଡ଼ିକ କ୍ରମାନ୍ୱୟରେ ରହିନାହିଁ । ପ୍ରଥମରୁ ଏକ ସ୍ଥାନରେ ରହିଛି । ଅଠର ପାହାଚ ଓ ଅନ୍ୟ ସ୍ଥାନରେ ରହିଛି ଅବଶିଷ୍ଟ ଚାରି ପାହାଚ । ସମସ୍ତ ପାହାଚକୁ ସମଷ୍ଟିଗତ ଭାବେ ବାଇଶି ପାହାଚ ନାମରେ ନାମିତ କରାଯାଏ । ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ତତ୍ତ୍ୱ, ଦର୍ଶନ ସହିତ ବାଇଶି ପାହାଚ ଅଙ୍ଗାଙ୍ଗି ଭାବେ ଜଡ଼ିତ ହୋଇ ରହିଛି । ଗଜପତି କପିଳେନ୍ଦ୍ର ଦେବ ସୂର୍ଯ୍ୟବଂଶର ପ୍ରତିଷ୍ଠାତାଙ୍କ ସମୟରେ ଶ୍ରୀମନ୍ଦିର ବାହାର ବେଢ଼ାରେ ମେଘନାଦ ପାଚେରି ଓ ବର୍ତ୍ତମାନର ସିଂହଦ୍ୱାର ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ପ୍ରାଚୀନ କବିମାନଙ୍କର କାବ୍ୟ-କବିତାରେ ବାଇଶି ପାହାଚ ସ୍ଥାନ ପାଇଥିଲେ ମଧ୍ୟ ଏହାର ନିର୍ମାଣକାରୀ ଓ ନିର୍ମାଣ ସମୟ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ । ଅଚୁ୍ୟତାନନ୍ଦ ଦାସ, ସାରିଆଭିକ ଓ ଅନ୍ୟାନ୍ୟ ଯୋଗଜନ୍ମା ପ୍ରାଚୀନ କବିମାନେ ବାଇଶି ପାହାଚର ମହିମା ଓ ମହତ୍ୱ ସମ୍ବନ୍ଧରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଅନେକ ଜନଶ୍ରୁତି ଶୁଣିବାକୁ ମିଳେ । ଗଙ୍ଗବଂଶୀୟ ଶାସକ ଭାନୁଦେବ (ଖ୍ରୀ ୧୩୫୨-୧୩୫୮)ଙ୍କ ରାଜତ୍ୱ ସମୟରେ ବାଇଶି ପାହାଚ ନିର୍ମାଣ କରାଯାଇଥିବାର ଶୁଣାଯାଏ କିନ୍ତୁ ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ । ଜନଶ୍ରୁତିରୁ ଶୁଣାଯାଏ ଭାନୁଦେବ ନିଃସନ୍ତାନ ଥିଲେ, ପୁତ୍ର ସନ୍ତାନ ଆଶାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଗୁହାରୀ କଲେ । ପୁତ୍ର ସନ୍ତାନ ପାଇଁ ବାଇଶି ପାହାଚ ନିର୍ମାଣ ନିମନ୍ତେ ପ୍ରଭୁ ରାଜାଙ୍କୁ ନିଦେ୍ର୍ଦଶ ଦେଲେ । ପ୍ରଭୁଙ୍କ ସ୍ୱପ୍ନାଦେଶରେ ରାଜା ବାଇଶି ପାହାଚ କାର୍ଯ୍ୟ ଆରମ୍ଭ କଲେ କିନ୍ତୁ ଏକ ଝର ସୃଷ୍ଟି ହେଲା । ରାଜା ପ୍ରଭୁଙ୍କୁ ନିଜର ଗୁହାରୀ ଜଣାଇବାରୁ ପ୍ରଭୁ ସ୍ୱପ୍ନାଦେଶ ଦେଲେ- ସମୁଦ୍ରରୁ ଭାସିଆସୁଥିବା ଯେଉଁ ପଦାର୍ଥ ପାଇବ ତାକୁ ଆଣି ବାଇଶି ପାହାଚରେ ଲଗାଇଲେ ଝର ବନ୍ଦ ହେବ । ରାଜା ସାଗର କୂଳରେ ଉପସ୍ଥିତ ହେଲେ ଏକ ମାଙ୍କଡ଼ା ପଥର ଭାସୁଥିବାର ଦେଖିଲେ ତାକୁ ଆଣି ଯେଉଁ ପାହାଚରେ ଝର ପଡ଼ିଥିଲା ସେଥିରେ ସଂଯୋଗ କଲେ । ଝର ବନ୍ଦ ହୋଇଗଲା ଓ ବାଇଶି ପାହାଚ ନିର୍ମାଣ କାର୍ଯ୍ୟର ସମାପ୍ତ ହେଲା । ରାଜାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ଓ ପ୍ରଭୁଙ୍କର ଆଶୀର୍ବାଦରୁ ପୁତ୍ରଟିଏ ଲାଭ କଲେ । କିନ୍ତୁ ଜ୍ୟୋତିଷମାନଙ୍କର ଗଣନା ଅନୁଯାୟୀ ବାଇଶି ବର୍ଷରେ ପୁତ୍ରର ମୃତୁ୍ୟଯୋଗ ରହିଛି । ରାଜା ପୁନଃ ପ୍ରଭୁଙ୍କର ଶରଣାପନ୍ନ ହେଲେ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ସ୍ୱପ୍ନାଦେଶ ଅନୁଯାୟୀ ପୁତ୍ରର ଆୟୁବୃଦ୍ଧି ପାଇଁ ବାଇଶି ପାହାଚ ଉପର ପାହାଚରୁ ତଳ ପାହାଚ ପର୍ଯ୍ୟନ୍ତ ଗଡାଇ ଦେଇଥିଲେ । ଏହି ଲୋକକଥା ଲୋକମାନଙ୍କ ମୁହଁରେ ବହୁଳ ଭାବରେ ପ୍ରଚାରିତ । ଏହି ବିଶ୍ୱାସ ଅନୁଯାୟୀ ଆଜି ପର୍ଯ୍ୟନ୍ତ ମଧ୍ୟ ମା’ମାନେ ଶ୍ରୀମନ୍ଦିରକୁ ଆସି ସନ୍ତାନମାନଙ୍କର ଆୟୁଷ କାମନା କରି ବାଇଶି ପାହାଚରେ ଗଡାଇ ଦେଇଥାନ୍ତି । ବାଇଶି ପାହାଚ ପିତୃଲୋକର ଶ୍ରେଷ୍ଠ ତୀର୍ଥ ଭାବେ ବିବେଚନା କରାଯାଏ । କାର୍ତ୍ତିକ ଦୀପାବଳୀ ଅମାବାସ୍ୟରେ ଏଠାରେ ବଡ଼ବଡ଼ିଆ ଡକାଯାଏ । ପିତୃପକ୍ଷରେ ବାଇଶି ପାହାଚରେ ପିତୃପୁରୁଷ ଡକାଯାଏ । ପିତୃପକ୍ଷରେ ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ । ମହାଳୟା ଦିନ ବାଇଶି ପାହାଚରେ ଅସଂଖ୍ୟ ଭକ୍ତ ପିତୃପକ୍ଷଙ୍କୁ ଦୀପଦାନ ଓ ଶ୍ରଦ୍ଧା ଅର୍ପଣ କରିଥାନ୍ତି । ଶ୍ରାଦ୍ଧ ଶେଷରେ ଦଶମ ପାହାଚରେ ଥିବା ଏକ ଚାରି କୋଣିଆ ପଥର ଉପରେ ପିଣ୍ଡ ଅର୍ପଣ କରାଯାଏ । ବାଇଶି ପାହାଚରେ ଚୁମ୍ବକଶିଳା ବା ଲୌହଶିଳା ଅବସ୍ଥିତ । ଲୋକ ବିଶ୍ୱାସ ରହିଛି ଏହି ଶିଳାକୁ ସ୍ପର୍ଶ କଲେ ସମସ୍ତ ପାପ-ପୁଣ୍ୟକୁ ଆକର୍ଷିତ କରିନେଇଥାଏ । ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ଗଲାବେଳେ ଏହି ଶିଳାକୁ ସ୍ପର୍ଶ କରିଯାଇଥାନ୍ତି କିନ୍ତୁ ବାଇଶି ପାହାଚରେ ଚତୁର୍ଥ ପାହାଚର ଦକ୍ଷିଣ ବାଡ଼ରେ ରାମ ଦରବାର ମୂର୍ତ୍ତି ରହିଛି । ପ୍ରଭୁ ରାମଚନ୍ଦ୍ର ଏଠାରେ ବୀରାସନରେ ବିରାଜିତ ହୋଇଥିବାରୁ ଏହି ମୂର୍ତ୍ତିକୁ ରାମଚନ୍ଦ୍ର ବୀରାସନ କୁହାଯାଏ । ଲୋକ କଥାରେ ଅଛି ସାଧକ ବଳରାମ ଦାସ ଏଠାରେ ଦାଣ୍ଡି ରାମାୟଣର ଶୁଭାରମ୍ଭ କରିଥିଲେ । ପଞ୍ଚମ ପାହାଚର ଉତ୍ତର ପଟେ ଏକ ଛୋଟ ଚାରିକୋଣିଆ ମାଙ୍କଡ଼ା ପଥର ଅଛି, ଏହାକୁ ଗଙ୍ଗାରୁଦ୍ଧ ଶିଳା କୁହାଯାଏ । ବାଇଶି ପାହାଚର ଦକ୍ଷିଣ ଦିଗରେ ଭୋଗମଣ୍ଡପ ଓ ରୋଷଘର ଅବସ୍ଥିତ । ବାଇଶି ପାହାଚର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହାର ଆରମ୍ଭ ସିଂହଦ୍ୱାରରୁ ଶେଷ ମଧ୍ୟ ସିଂହଦ୍ୱାରରେ । ଆରମ୍ଭରେ କଳାକୃତି ପୂର୍ଣ୍ଣ ଏକ ଗୁମୁଟ ଓ ଶେଷରେ ମଧ୍ୟ ଏକ ଗୁମଟ ରହିଛି । ବାଇଶି ପାହାଚ ଆରମ୍ଭରେ ଥିବା ଗୁମୁଟ ଉପରେ ମହାଲକ୍ଷ୍ମୀ ଓ ଦଶାବତାର ମୂର୍ତ୍ତି ବିଦ୍ୟମାନ । ଶ୍ରୀମନ୍ଦିରକୁ ପ୍ରବେଶ ନ କରି ମଧ୍ୟ ବାହାରୁ ପତିପାବନ ଓ ବାଇଶି ପାହାଚକୁ ଦର୍ଶନ କରାଯାଇପାରିବ । ବାଇଶି ପାହାଚ ସହ ଅନେକ କିମ୍ବଦନ୍ତୀ, ଲୋକକଥା, ଜନଶ୍ରୁତି, ଇତିହାସ, ତଥ୍ୟ, ତତ୍ତ୍ୱ, ଦର୍ଶନ ଓ ସଂସ୍କୃତି ଜଡ଼ିତ ।