ମୌସୁମୀ ସାଥିରେ ଆଣି ଆସିଥାଏ ଦଲକା ଦଲକା ମୁକ୍ତ ଶୀତଳ ସମୀରଣ । ନିଦାଘ ଗ୍ରୀଷ୍ମର ଝାଳବୁହା ଉତ୍ତପ୍ତ ପରିବେଶକୁ କରିଥାଏ ସ୍ନିଗ୍ଧ, ଶୀତଳ, ଜୀବନଦାୟୀ । ଘର ବାହାରେ ତୁହାକୁ ତୁହା, ଅସରା ପରେ ଆଉ ଅସରାଏ ବର୍ଷା ଚାଲିଥିଲା ବେଳେ, ଘରଭିତରେ ଗରମା ଗରମ ଛଣାଛଣି ଖାଦ୍ୟର ସୁବାସିତ ମହକ ଆମକୁ ଆନମନା କରିବା ପାଇଁ ଯଥେଷ୍ଟ । ଗଛପତ୍ରରେ ଜମିଯାଇଥିବା ଧୂଳି ଧୋଇ ହୋଇ ଚକ୍ଚକ୍ ଦେଖାଯାଉଥିବା ଶ୍ୟାମଳପତ୍ର, ପବନରେ ମାଟିର ମାଦକଭରା ସୁଗନ୍ଧ, ଆକାଶରେ ଭସା ବାଦଲ, ପକ୍ଷୀଙ୍କର ନୀଡ଼ ରଚନାର ପର୍ବ ଓ କାକଳି, ସବୁ ମିଶି ଏକ ନୂତନ ଜୀବନର ସ୍ୱପ୍ନର ମାୟାଜାଲ ସୃଷ୍ଟି କରେ ପ୍ରତିଟି ପ୍ରାଣରେ । ହଁ, ବର୍ଷାଦିନିଆ ପାଟିସୁଆଦ କଥା କହିଲାବେଳେ ବର୍ଷାର ରିମ୍ଝିମ୍ ସ୍ୱର ଯେ ଆମକୁ ଭାବୁକ କରିସାରିଲାଣି, ଏହା ନିଶ୍ଚୟ ସମସ୍ତେ ବୁଝିସାରିବେଣି । ତେବେ, ଭିଜାମାଟିର ଗନ୍ଧରେ ବିଭୋର ହେବା ଯେତିକି ଦରକାର, ଗରମାଗରମ ମୁଡୁମୁଡିଆ ଛଣାଛଣି ଖାଦ୍ୟ ପ୍ରସ୍ତୁତି କିପରି କରିବେ, ତାହା ମଧ୍ୟ ସେତିକି ଦରକାର ବୋଲି ଆମେ ମନେକରୁ । ତେବେ, ତେଲଛଣା ଖାଦ୍ୟ କାହିଁକି ବୋଲି ଆପଣ ପଚାରି ପାରନ୍ତି । ଏ ବିଷୟରେ ଆମେ ପୋଷକତତ୍ତ୍ୱ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲୁ । ସେମାନଙ୍କ କଥା ଯେ, ଋତୁ ବଦଳିବା ସହିତ ଆମ ଶରୀର ମଧ୍ୟ ବଦଳିବା ଆରମ୍ଭ କରେ । ପାଗ ଥଣ୍ଡା ହୋଇଗଲେ, ଆମ ଶରୀର ନିଜକୁ ଉଷୁମ ରଖିବାକୁ ଲୋଡ଼ିଥାଏ ଅଧିକ ଉର୍ଜା, ଅଧିକ ଶ୍ୱେତସାର ଥିବା ଖାଦ୍ୟ । ମନୋବୈଜ୍ଞାନିକ ଦୃଷ୍ଟିରୁ, ଆମେ ଘରେ ବସିରହିଲେ, ପୁରୁଣା କଥା ମନେପକାଇ ଶିହରିତ ହେଉ । ଏହାକୁ ଆମେ ମସ୍ତିଷ୍କର ରସାୟନିକ ପରିବର୍ତ୍ତନ ମଧ୍ୟ କହିପାରିବା । ମନରେ ଉତ୍ତାଳ ତରଙ୍ଗ ଆସିବା ପାଇଁ ତ ଦରକାର ତେଲଛଣା, ମୁଡୁମୁଡ଼ିଆ ଗରମା ଗରମ ଖାଦ୍ୟ । ଏମିତିକା ଖାଦ୍ୟରେ କୁଆଡ଼େ ଟ୍ରିପ୍ଟୋଫାନ୍ ରସାୟନ ଥାଏ, ଯାହା ମନକୁ ଭଲ ଓ ଖୁସି ରଖୁଥିବା ହରମୋନ୍ ‘ସେରୋଟୋନିନ୍’ ତିଆରି କରେ ଆମର ମସ୍ତିଷ୍କରେ । ଏଣୁ ଘର ବାହାରେ ତୁହାକୁ ତୁହା ବର୍ଷା ଚାଲିଥିଲା ବେଳେ ଘର ଭିତରେ, ଡ୍ରଇଂରୁମ୍ର ସୋଫା ଉପରେ ଗୋଡ଼ହାତ ଲମ୍ବାଇ ଗରମାଗରମ କଚୋଡ଼ି, ଆଳୁ ସିଙ୍ଗଡ଼ା, ଚାଟ ଆଦି ମୁଖ୍ୟତଃ ତେଲଛଣା ଚଟପଟି ଖାଦ୍ୟର ମଜା ନେବା । ତା’ ସହିତ, ଆଉ କିଛି ନୂଆ ଖାଦ୍ୟ ମଧ୍ୟ ତିଆରି କରି ଚାଖିବା । ସେଇମିତି କିଛି ଖାଦ୍ୟ ସମ୍ଭାର ଆମେ ଏଥର ପ୍ରସ୍ତୁତ କରୁଛୁ । ବର୍ଷାଦିନିଆ ପାଟି ସୁଆଦ ଶୀର୍ଷକରେ କ୍ଷଣଦା ମିଶ୍ରଙ୍କ ଆଲେଖ୍ୟ…
କାବୁଲି ବୁଟ ପକୋଡ଼ା
ସାମଗ୍ରୀ : ୮ଘଣ୍ଟା ବତୁରା ଯାଇଥିବା କାବୁଲି ବୁଟ ୧ କପ୍, କଟା ପିଆଜ ୧ଟି, କଟା କଞ୍ଚାଲଙ୍କା -୧ ଚାମଚ, କଟା ରସୁଣ-୧ ଚାମଚ, ଗୁଣ୍ଡ କଟା ଧଣିଆ ପତ୍ର- ୧ ଚାମଚ, କଟା ପୋଦିନା ପତ୍ର- ୧ ଚାମଚ, ଲାଲ ଲଙ୍କାଗୁଣ୍ଡ-୧ ଚା’ ଚାମଚ, ପାନମଧୁରୀ ଅଳ୍ପ, ସ୍ୱାଦାନୁସାରେ ଲୁଣ, ରିଫାଇନ୍ ତେଲ ।
ପ୍ରସ୍ତୁତି ପ୍ରଣାଳୀ : ବତୁରା କାବୁଲିବୁଟକୁ ଖଦଖଦଡ଼ିଆ ବାଟି ନିଅନ୍ତୁ । ଚିକ୍କଣ ବଟା ଅନୁଚିତ । ଏହି ବଟାକୁ ଗୋଟିଏ ପାତ୍ରକୁ ଖଲାସ କରି ସେଥିରେ ସମସ୍ତ ପିଆଜ, କଞ୍ଚାଲଙ୍କା, ଧଣିଆ, ପୋଦିନା ପତ୍ର, ଲୁଣ, ପାନମଧୁରୀ ଓ ଲାଲ ଲଙ୍କାଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ । ଇଡ୍ଲି ଛାଞ୍ଚ ପରି ଆଜିକାଲି ନନ୍ଷ୍ଟିକ୍ ତାୱା ‘କୁଝି ପନିୟାରାମ’ ମିଳୁଛି । ଏହି ତାୱାକୁ ଗରମ କରି ପ୍ରତିଟି ଗାତରେ ଅଳ୍ପ ତେଲ ମାରି ସେଥିରେ କାବୁଲି ବୁଟ ବଟାରୁ ଗୋଟିଏ ଲେଖାଏଁ ଚାମଚ ଭର୍ତ୍ତି କରି ମଧ୍ୟମ ଆଞ୍ଚରେ ଚୁଲିରେ ବସାଇ ଦିଅନ୍ତୁ । ପ୍ରାୟ ୩ ମିନିଟ୍ ପରେ ପକୋଡ଼ାର ତଳପଟ ବାଦାମି ରଙ୍ଗର ହୋଇଯିବ । ଏବେ ଏହି ପକୋଡ଼ାକୁ ଓଲଟାଇ ଆଉ ତିନିମିଟ୍ ଭାଜି ଦିଅନ୍ତୁ । ଚାହିଁଲେ ଅଳ୍ପ ତେଲ ମଧ୍ୟ ଦେଇପାରିବେ । ପକୋଡ଼ା ପୂରାପୂରି ସିଝିଯିବା ଦରକାର ଓ ବାହାର ପଟ ଦେଖିବାକୁ କୁଡୁମୁଡ଼ିଆ, ବାଦାମୀ ରଙ୍ଗର ମଧ୍ୟ ହେବା ଦରକାର । ଏହିପରି ଏକା ଥରକେ ୧୦-୧୨ଟି ପକୋଡ଼ା ବାହାରିବ । ଏହାକୁ ଗରମ ଥିଲାବେଳେ ପୁଦିନା ଚଟଣୀ ସହିତ ଖାଇପାରିବେ । ଚା’ ସାଙ୍ଗରେ ଏହି ପକୋଡ଼ା ମଧ୍ୟ ବେଶ୍ ଜମିଯିବ । ଏହା ମଧ୍ୟ ବେଶ୍ ସ୍ୱାସ୍ଥ୍ୟକର ।
ଚିକେନ୍ ଫ୍ରିଟର
ଚିକେନ କିମା କିମ୍ବା କେବଳ କୁକୁଡ଼ା ମାଂସକୁ ଛୋଟ ଖଣ୍ଡ କରି ପକୋଡ଼ା କରି ସାନ୍ଧ୍ୟ ଚା’ ଆସର ସମୟରେ ମନଭରି ଉପଭୋଗ କରାଯାଇପାରିବ । ତେବେ ପ୍ରତିଟି ପକୋଡ଼ା ଯେମିତି ବାଦାମୀ ରଙ୍ଗର ତଥା କୁଡୁମୁଡ଼ିଆ ହେବା ଦରକାର ।
ସାମଗ୍ରୀ : କିମାକରା କୁକୁଡା ମାଂସ-୨୫୦ ଗ୍ରାମ୍, ବେସନ-୫ ଚାମଚ, କଟା ପିଆଜ-୧ଟି, ଜିରା-୧ ଚା’ ଚାମଚ (ଗୋଟା ଜିରା), ହଳଦୀ ଗୁଣ୍ଡ- ଅଳ୍ପ, ଲାଲ ଲଙ୍କାଗୁଣ୍ଡ- ୧ ଚା’ ଚାମଚ, ଧଣିଆ ପତ୍ର (ଗୁଣ୍ଡକଟା)-୧ ଚାମଚ, ଲୁଣ, ତେଲ, ଚାର୍ଟ ମସଲା, ଆଚାରରେ ଗୋଳା ଗୋଲକଟା ପିଆଜ (ଅଳ୍ପ) ।
ପ୍ରସ୍ତୁତି ପ୍ରଣାଳୀ : ଗୋଟିଏ ପାତ୍ରରେ ସମସ୍ତ ସାମଗ୍ରୀ (କେବଳ ଚାଟ ମସଲା, ଆଚାରଗୋଳା ଗୋଲ କଟା ପିଆଜକୁ ବାଦ ଦେଇ) ଏକତ୍ର ଗୋଳାଇ ନିଅନ୍ତୁ । ଦରକାର ମନେକଲେ ଏହି ମିଶ୍ରଣରେ ସାମାନ୍ୟ ପାଣି ମିଶାଇ ଏହାକୁ ପକୋଡ଼ା ଛାଣିବା ପାଇଁ ଉପଯୁକ୍ତ କରନ୍ତୁ । ଏହା ବହଳିଆ ହେବା ଦରକାର । ନିଜର ରୁଚି ଅନୁସାରେ ଲୁଣ ଓ ଲଙ୍କାକୁ କମ୍ ବେଶି କରିପାରନ୍ତି ।
କାବୁଲି ବୁଟ ପକୋଡ଼ା କଲା ପରି ‘କୁଝି ପନିୟାରାମ’ ତାୱାର ଏହି ଫ୍ରିଟର ପ୍ରସ୍ତୁତି ବେଳେ ମଧ୍ୟ ଆମକୁ ବ୍ୟବହାର କରିବାକୁ ପଡ଼ିବ । କାହିଁକି ନା, ଆମେ ଏକାଥରକେ ଅଳ୍ପ ତେଲ ଖର୍ଚ୍ଚ କରି ଅଧିକ ପରିମାଣର ପକୋଡ଼ା ପ୍ରସ୍ତୁତ କରିପାରିବା । ଏହି ପ୍ୟାନ୍କୁ ଗରମ କରି, ତାହାର ପ୍ରତିଟି ଗାତରେ ଅଳ୍ପ ତେଲ ବୋଳି ସେଥିରେ ଚାମଚ ସାହାଯ୍ୟରେ କୁକୁଡ଼ା ମାଂସ ସହିତ ଗୋଳା ଯାଇଥିବା ବେସନ ଓ ମସଲା ମସଲିର ମିଶ୍ରଣକୁ ରଖି ଚାଲନ୍ତୁ । ଏବେ ପ୍ୟାନ୍କୁ ମଧ୍ୟମ ଆଞ୍ଚରେ ଚୁଲି ଉପରେ ରଖନ୍ତୁ, ପ୍ରାୟ ଚାରି ମିନିଟ୍ ପରେ ଓଲଟାଇ ଦିଅନ୍ତୁ ଓ ଆବଶ୍ୟକ ମନେକଲେ ଅଳ୍ପ ତେଲ ବି ଦିଅନ୍ତୁ । ଏପରି ପ୍ରାୟ ୭-୮ ମିନିଟ୍ ଦୁଇପଟ ଭାଜି ବାଦାମୀ ରଙ୍ଗ ହୋଇଗଲେ, ପ୍ରସ୍ତୁତ ହୋଇଯିବ ଚିକେନ୍ ଫ୍ରିଟର୍ ।
କଡ଼େଇରେ ତେଲ ଗରମ କରି ଆମେ ବରା ପକୁଡ଼ି ଛାଣିବା ପରି ଫ୍ରିଟର ପ୍ରସ୍ତୁତ କରିପାରିବା । ହେଲେ ଏଥିରେ ଅଧିକ ତେଲ ନଷ୍ଟ ହେବ ଓ ଖାଦ୍ୟସାର ମଧ୍ୟ ନଷ୍ଟ ହୋଇଯିବ । ବରଂ ଏପରି ପ୍ୟାନ୍ରେ ପକୋଡ଼ା କଲେ ବେଶ୍ ସୁସ୍ୱାଦୁ ଓ କୁଡୁମୁଡ଼ିଆ ହେବ ।
ଏହି ଫ୍ରିଟରକୁ ଗୋଟିଏ ପାତ୍ରରେ ସଜାଇ, ତା’ ଉପରେ ଚାଟ ମସଲା ସିଞ୍ଚି, ଗୋଲକଟା- ଆଚାର ଗୋଳା ପିଆଜକୁ ଗୋଟିଏ କଡ଼ରେ ରଖି ପରଶି ଦିଅନ୍ତୁ । ଚାହିଁଲେ ଏହାକୁ ଷ୍ଟାର୍ଟର ରୂପେ ମଧ୍ୟ ଖାଇପାରିବା । ତେବେ ସନ୍ଧ୍ୟା ଚା’ ଆସର ପାଇଁ ଫ୍ରିଟର୍ର ମଜା ନିଆରା ।
ମକା-ପନିର ପକୋଡ଼ା
ଏହି ସୁସ୍ୱାଦୁ ପକୋଡ଼ାକୁ ଆମେ ମକ୍କି-ପନିର ପକୋଡ଼ା, କର୍ଣ୍ଣ-ପନିର ପକୋଡ଼ା ମଧ୍ୟ କହିପାରିବା । ତଫାତ୍ ଏତିକି ଯେ, ଆମେ ଏହି ପକୋଡ଼ାକୁ ଚିକେନ୍ ଫି୍ରଟର୍ କିମ୍ବା କାବୁଲିବୁଟ ପକୋଡ଼ା ପରି ‘କୁଝି ପନିୟାରାମ୍’ ତାୱାରେ ପ୍ରସ୍ତୁତ ନକରି ପାରମ୍ପରିକ ଭାବେ କଡ଼େଇରେ ତେଲଛଣା କରିବାକୁ ପଡ଼ିବ, ଯେମିତି ଆମେ ବରା, ପକୁଡ଼ି, ଆଳୁଚପ୍ କିମ୍ବା ସିଙ୍ଗଡ଼ା ଓ କଚୁଡ଼ି ଛାଣୁ ।
ସାମଗ୍ରୀ : ସୁଇଟ୍ କର୍ଣର୍ (ଛେଚା କିମ୍ବା ଦରବଟା)- ଏକ କପ୍ରୁ ଅଧିକ, ଛେନା କିମ୍ବା ପନିର-୧୦୦ ଗ୍ରାମ୍ (ଏହାକୁ ଗୁଣ୍ଡ କରାଯାଇଥିବ), ସରୁକଟା ପିଆଜ-ଚଉଠ କପ୍, ସରୁକଟା ଧଣିଆ ପତ୍ର-୨ ଚା’ ଚାମଚ, ଭୃଷଙ୍ଗ ପତ୍ର- ଗୋଟିଏ ଡାଳ (ପ୍ରାୟ ୧୦ଟି ପତ୍ରକୁ ସରୁକଟା ଯାଇଥିବ), ବେସନ- ଚଉଠ କପ୍, ଲୁଣ, ଛାଣିବା ପାଇଁ ଆବଶ୍ୟକ ତେଲ, ପାନମଧୁରୀ- ୧ ଚା’ ଚାମଚ, କଞ୍ଚାଲଙ୍କା-୧ଟି, ଅଦା- ଛୋଟ ଖଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ : ଗ୍ରାଇଣ୍ଡରରେ ପ୍ରଥମେ ପାନମଧୁରୀ, କଞ୍ଚାଲଙ୍କା ଓ ଅଦାକୁ ପାଣି ନଦେଇ ଖଦଡ଼ ବା ଦରବଟା କରି ଅଲଗା ରଖନ୍ତୁ । ସେହିପରି ଗ୍ରାଇଣ୍ଡରରେ ମକା ମଞ୍ଜିକୁ ଦରବଟା କରି ଅଲଗା ରଖନ୍ତୁ । ପାଣି ନଦେଇ ବାଟିବେ ।
ଗୋଟିଏ ଫ୍ରାଇଂ ପ୍ୟାନ୍ କିମ୍ବା କଡ଼େଇରେ ଛାଣିବା ପାଇଁ ଆବଶ୍ୟକ ରିଫାଇନ୍ ତେଲ ଦେଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ତେଲ ଗରମ ହେବା ଭିତରେ ଆମେ ପକୋଡ଼ା ଛାଣିବା ପାଇଁ ଘୋଳ ତିଆରି କରିନେବା । ଏଣୁ ଗୋଟିଏ ବେଲାରେ ଦରବଟା ମକାମଞ୍ଜି, ଦରବଟା ମସଲା, ପନିର ଗୁଣ୍ଡ, ପିଆଜ କଟା, ଧଣିଆ ପତ୍ର, ଭୃଷଙ୍ଗ ପତ୍ର, ଲୁଣ ସହିତ ବେସନକୁ ଏକତ୍ର ଗୋଳାଇ ନିଅନ୍ତୁ । ଦରକାର ମନେକଲେ, ଅଳ୍ପ ପାଣି ମଧ୍ୟ ବ୍ୟବହାର କରାଯାଇପାରେ । ଘୋଳ ପ୍ରସ୍ତୁତ ହୋଇଗଲା ।
ଏପଟେ ତେଲ ତାତିଗଲେ, ଘୋଳକୁ ଚାମଚରେ ତାତିଲା ତେଲରେ ପକାଇ ପକୋଡ଼ା ପ୍ରସ୍ତୁତ କରନ୍ତୁ । ଗୋଟିଏ ଭାଡ଼ିରେ ଯେପରି ୧୦-୧୫ଟି ପକୋଡ଼ା ବାହାରିବ । ପକୋଡ଼ାର ରଙ୍ଗ ସୁନେଲି-ବାଦାମୀ ରଙ୍ଗର ହୋଇଗଲେ, ଏହାକୁ ତେଲରୁ ଛାଣି ଆଣି କାଗଜ ରୁମାଲରେ ରଖନ୍ତୁ, ଯେପରି ଅଧିକ ତେଲ ରହିବ ନାହିଁ । ଘୋଳ ସରିବା ଯାଏ ପକୋଡ଼ା ଛାଣି ଚାଲନ୍ତୁ ।
ଏହି ମକ୍କି-ପନିର ପକୋଡ଼ାକୁ ପୋଦିନା କିମ୍ବା ଖଜୁରି ଚଟଣୀ ସାଥିରେ ଖାଇପାରିବେ । ଏହା ଖୁବ୍ ମୁସ୍ମୁସ୍, ସ୍ୱାଦିଷ୍ଟ ଲାଗିବ । ଏହାକୁ ଆମେ ଷ୍ଟାର୍ଟର ରୂପେ ମଧ୍ୟ ଖାଇପାରିବା । ତେବେ ବର୍ଷାଦିନେ, ସାନ୍ଧ୍ୟ ଚା’ ଆସରରେ ଏହି ପକୋଡ଼ାର ମଜା ନିଆରା ।
ଭେଜ୍ ନୁଡଲ୍ସ୍ ପକୋଡ଼ା
ଏହା ଏକ ଫ୍ୟୁଜନ ଆଧାରିତ ପକୋଡ଼ା । ପାରମ୍ପରିକ ପକୋଡ଼ା ଭିତରେ ନୁଡଲ୍ସ୍ ବ୍ୟବହାର କରି ଏକ ଘାଣ୍ଟ ପକୋଡ଼ା ହେଲା ଭେଜ୍ ନୁଡଲ୍ସ୍ ପକୋଡ଼ା । ମ୍ୟାଗି କିମ୍ବା ଅନ୍ୟ କିଛି ନୁଡଲ୍ସ୍ କୁ ଆମେ ଏଥିରେ ବ୍ୟବହାର କରିପାରିବା । ଯଦି ଅଧିକ ନୁଡଲ୍ସ୍ ତିଆରି ହୋଇ ବଳିଯାଇଛି, ଆମେ ଏହି ବଳକା ଅଂଶକୁ ପକୋଡ଼ା କରି ଖାଇପାରିବା । ବଳକା ନଥିଲେ ନୁଡଲ୍ସ୍ ମଧ୍ୟ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ତାହା ବ୍ୟବହାର କରି ଏହି ପକୋଡ଼ା ଛାଣି ପାରିବା ।
ସାମଗ୍ରୀ : ଭେଜ୍ ହକ୍କା ନୁଡଲ୍ସ୍-୨୦୦ ଗ୍ରାମ୍, ଗୁଣ୍ଡ କଟା ଗାଜର-୧ଟି, କ୍ୟାପସିକମ୍ (ଗୁଣ୍ଡ କଟା)-୧ଟି, ସରୁକଟା ବନ୍ଧାକୋବି- ଅଧା କପ୍, ଗୁଣ୍ଡ କଟା କଞ୍ଚାଲଙ୍କା- ୧ଟି, ସରୁକଟା ପିଆଜ-୧ଟି, ବେସନ-ଅଧା କପ୍, ଲୁଣ, ତେଲ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ : ହାକ୍କା ନୁଡଲ୍ସ୍ ପ୍ରସ୍ତୁତି ପାଇଁ ଗୋଟିଏ ପ୍ୟାନ୍ରେ ଦୁଇକପ୍ ପାଣି ଗରମ କରି ସେଥିରେ ୨୦୦ ଗ୍ରାମ୍ ନୁଡଲ୍ସ୍କୁ ପକାଇ ଗରମ କରନ୍ତୁ । ନୁଡଲ୍ସ୍ ସିଝିଗଲା ପରେ ସେଗୁଡ଼ିକୁ ଛାଣି ବାହାର କରି ଆଣନ୍ତୁ । ଏବେ ଗୋଟିଏ ବେଲାରେ ସମସ୍ତ କଟା ପରିବା, ବେସନ, ନୁଡଲ୍ସ୍ ପ୍ୟାକେଟ୍ରେ ଥିବା ମସଲା ଗୁଣ୍ଡ ଓ ଲୁଣକୁ ଏକତ୍ର ଗୋଳାଇ ନିଅନ୍ତୁ । ପାଣି ଦେବେ ନାହିଁ ଓ ପରିବା ପତ୍ରକୁ ପ୍ରଥମେ ଧୋଇ ଶୁଖିଗଲା ପରେ କାଟି ଦେଇଥିଲେ ମିଶ୍ରଣଟି ଶୁଖିଲା ରହିବ । ଏଥିରେ ଶିଝା ନୁଡଲ୍ସ୍କୁ ପକାଇ ଚାମଚରେ ଭଲଭାବେ ଗୋଳାଇ ଚାଲିଲେ ଏହା ଏକ ବହଳିଆ ଦ୍ରବଣରେ ପରିଣତ ହେବ । ପାଣି ଦେବେ ନାହିଁ । ଏବେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ତେଲ ଗରମ ହେବା ଭିତରେ ନୁଡଲ୍ସ୍-ପରିବା ଘୋଳକୁ ଗୁଳାରେ ପରିଣତ କରନ୍ତୁ ଓ ଦୁଇ ପାପୁଳି ମଧ୍ୟରେ ଚାପଦେଇ, ଗୋଲାକାର-ଚେପ୍ଟା ବରା ପରି ଆକାର ଦେଇ ଗରମ ତେଲ କରେଇ ଭିତରକୁ ଛାଡନ୍ତୁ । ପକୋଡ଼ାର ରଙ୍ଗ ସ୍ୱର୍ଣ୍ଣିମ-ବାଦାମ ରଙ୍ଗର ହୋଇଗଲେ ଏହାକୁ ଛାଣି ବାହାର କରି ଆଣନ୍ତୁ । ଅଧିକ ତେଲ ଯେପରି ନରହେ ସେଥିପ୍ରତି ଧ୍ୟାନ ଦେବେ । ଟମାଟୋ ସସ୍ ସହିତ ଖାଇଲେ ସନ୍ଧ୍ୟାର ଚା’ ଖଟି ବେଶ୍ ଜମିଯିବ ।
ଆଳୁ-ଚାଉଳ କଟ୍ଲେଟ୍
ଏହି କଟ୍ଲେଟ୍ର ବିଶେଷତ୍ୱ ହେଲା ଯେ, ବାହାରପଟ କଟ୍ଲେଟ୍ ପରି ମୁସ୍ମୁସ୍, କିନ୍ତୁ ପାଟି ଭିତରକୁ ଗଲେ ଲହୁଣୀ ପରି ମିଳେଇଯିବ । ବାସ୍ନା ପାଇଁ ଏଥିରେ ଗୋଟା ଜିରା, ଲାଲଲଙ୍କା, ଗୋଲମରିଚ ଓ ଚାଟ ମସଲା ପଡ଼ିଥାଏ । ଏହାର ମୁଖ୍ୟ ଉପାଦାନ ହେଲା ଚାଉଳ ଗୁଣ୍ଡ ଓ ସିଝା ଆଳୁ ।
ସାମଗ୍ରୀ : ଚାଉଳ ଚୁନା-ଅଧା କପ୍, ସିଝା ଆଳୁ-୪ଟି, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଲାଲ ଲଙ୍କା- (ଖଦଡ଼ା ଗୁଣ୍ଡ କରାଯାଇଥିବା)- ୧ ଚା’ ଚାମଚ, ଚାଟ ମସଲା- ୧ ଚା’ ଚାମଚ, ଅଦାବଟା- ଅଧା ଚା’ ଚାମଚ, ଗୁଣ୍ଡକଟା ଧଣିଆ ପତ୍ର-୪ ଚାମଚ, ତେଲ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ : ଆମେ ଭାତ ବଦଳରେ ଚାଉଳ ଚୁନା ବ୍ୟବହାର କରି କଟ୍ଲେଟ୍ ପ୍ରସ୍ତୁତ କରୁଥିବାରୁ, ଚାଉଳ ଚୁନାକୁ ରାନ୍ଧିବାକୁ ପଡ଼ିବ । ଏଣୁ ଗୋଟିଏ ପ୍ୟାନ୍ରେ ଗୋଟିଏ ଚାମଚ ତେଲ ଗରମ କରି ଅଧା ଚା’ ଚାମଚ ଗୋଟା ଜିରାକୁ ପକାଇ ଫୁଟି ଗଲା ପରେ ସେଥିରେ ଅଳ୍ପ ହଳଦୀଗୁଣ୍ଡ, ଅଧା ଚା’ ଚାମଚ ଲାଲ ଲଙ୍କାଗୁଣ୍ଡ ପକାଇ ଗୋଟିଏ କପ୍ ପାଣି ପକାଇ ଫୁଟାଇବାକୁ ପଡ଼ିବ । ପାଣି ଫୁଟିଲେ ସ୍ୱାଦ ଅନୁସାରେ ଲୁଣ ପକାଇ ଅଧା କପ୍ ଚାଉଳ ଗୁଣ୍ଡକୁ ପକାଇ ଭଲଭାବେ ଘାଣ୍ଟ । ପ୍ରାୟ ୩-୪ ମିନିଟ୍ ଗରମ କରିବାକୁ ପଡ଼ିବ । ଚାଉଳଚୁନା ତକ ସିଝିଗଲା ପରେ ପାତ୍ରରୁ ଏହି କାଦୁଆ ଚାଉଳ ଉପମାକୁ ବାହାରକୁ କାଢ଼ି ଆଣି ରଖିଦେବା । ଥଣ୍ଡା ନହେଲେ କଟ୍ଲେଟ୍ ଗଢ଼ି ହେବନାହିଁ ।
ଆଉ ଗୋଟିଏ ବେଲାରେ ୪ଟି ସିଝା ଆଳୁର ଚୋପା ଛଡ଼ାଇ ତାକୁ ଚକଟି ଅଳ୍ପ ଲୁଣ ମିଶାଇ ପୂର୍ବରୁ ପ୍ରସ୍ତୁତ ହୋଇ ଥଣ୍ଡା କରାଯାଇଥିବା ଚାଉଳ ଉପମା ସହିତ ଏକତ୍ର କରନ୍ତୁ । ଏଥିରେ ସବୁତକ ଗୋଲମରିଚ ଗୁଣ୍ଡ, ଦରଛେଚା ଲାଲ ଲଙ୍କା, ଚାଟ ମସଲା, ଅଧା ଚାମଚ ଅଦାବଟା ଓ କିଛି କଟା ଧଣିଆ ପତ୍ରକୁ ମିଶାନ୍ତୁ । ସବୁତକ ସାମଗ୍ରୀକୁ ଚକଟି ଏକାକାର କରିଦିଅନ୍ତୁ । ଯଦି ମିଶ୍ରଣଟି ହାତକୁ ପାଣିଆ ଲାଗେ, ଆମେ ଅଳ୍ପ ଅଳ୍ପ କରି କଞ୍ଚା ଚାଉଳ ଚୁନା ମଧ୍ୟ ମିଶାଇ ପାରିବା ।
ଏବେ ଏହି ମିଶ୍ରଣକୁ ଚେପ୍ଟା ଗୋଲାକାର କରି ତେଲଛଣା କରନ୍ତୁ । ଜାଳକୁ ଅଧିକ ରଖିବେ ଓ ତରବର ହୋଇ ଲେଉଟପାଉଟ କରିବେନି । ଗାଢ଼ ବାଦାମୀ ରଙ୍ଗ ହେଲେ ଓଲଟାଇବେ ଓ ଦେଖିବେ ଉପର ତଳ ଓ ବାହାରପଟ ଗାଢ଼ ବାଦାମୀ ରଙ୍ଗ ହୋଇଥିବ । ଏହି କଟ୍ଲେଟ୍କୁ ଟମାଟୋ କେଚପ୍ କିମ୍ବା ଧଣିଆ-ପୁଦିନା ଚଟଣୀ ସହିତ ଖାଇବାର ମଜା ବେଶ୍ ସ୍ମରଣୀୟ ।
ଫିସ୍ ପକୋଡ଼ା (ମାଛ ପକୋଡ଼ା)
ସାମଗ୍ରୀ : ମାଛକୁ ସିଝାଇ ଖଣ୍ଡ କରାଯାଇଥିବା ଅଂଶ-୪ଟି, ଅଣ୍ଡା-୨ଟି, ଲୁଣ, ଲାଲଲଙ୍କା ଗୁଣ୍ଡ, କର୍ଣ୍ଣଫ୍ଲୋର (ମକା ଅଟା)-୨ ଚା’ ଚାମଚ, ଲେମ୍ବୁରସ-୨ ଚା’ଚାମଚ, ଗୁଣ୍ଡ କଟା ଧଣିଆ ପତ୍ର-୧ ଚା’ ଚାମଚ, ଛାଣିବା ପାଇଁ ତେଲ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଅଣ୍ଡା ଦୁଇଟିକୁ ଭାଙ୍ଗି ଗୋଟିଏ ପାତ୍ରରେ ରଖି ସେଥିରେ ଲୁଣ, ଲଙ୍କାଗୁଣ୍ଡ, ଲେମ୍ବୁରସ, ଧଣିଆପତ୍ର ପକାଇ ଘାଣ୍ଟିଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଲାୟମ କରିବାକୁ ସେଥିରେ ୨ ଚା’ ଚାମଚ କର୍ଣ୍ଣଫ୍ଲୋର୍ ପକାଇ ଘାଣ୍ଟି ଦିଅନ୍ତୁ । ଏକ ବହଳିଆ ଘୋଳ ପ୍ରସ୍ତୁତ ହୋଇଯିବ ।
ଗୋଟିଏ ଫ୍ରାଇଂ ପ୍ୟାନ୍ କିମ୍ବା କଡ଼େଇରେ ପକୋଡ଼ା ଛାଣିବାକୁ ତେଲ ଗରମ କରନ୍ତୁ । ତେଲ ଗରମ ହୋଇ ଆସିଲେ ପୂର୍ବରୁ ସିଝାଯାଇଥିବା ମାଛ ଖଣ୍ଡଗୁଡ଼ିକୁ ଏହି ଘୋଳରେ ବୁଡ଼ାଇ ଛାଣି ଚାଲନ୍ତୁ । ମାଛ ଚାରିପଟେ କର୍ଣ୍ଣଫ୍ଲୋର୍- ଅଣ୍ଡାର ଆବରଣ ଥିବା ଦୃଷ୍ଟିରୁ ପକୋଡ଼ା ଖୁବ୍ ମୁସ୍ମୁସିଆ ହେବ ଓ ଗୋଟା ରହିବ, ଫିଟିଯିବନି । ପକୋଡ଼ାର ରଙ୍ଗ ସୁନେଲି ହୋଇଗଲେ ଜାଣନ୍ତୁ ଯେ, ପକୋଡ଼ା ପ୍ରସ୍ତୁତ । ଏହାକୁ ରସୁଣ ଆଚାର ସାଙ୍ଗରେ ଖାଇଲେ ମଜା ପାଇପାରିବେ ।
କଞ୍ଚା କଦଳୀ-ନଡ଼ିଆ କଚୋଡ଼ି
କଞ୍ଚା କଦଳୀର ଖଳି ଭିତରେ ନଡ଼ିଆପୁର ଦେଇ କଚୋଡ଼ି କରାଯାଇପାରିବ । ଆସନ୍ତୁ ଜାଣିବା କିପରି ଏହି କଚୋଡ଼ି ପ୍ରସ୍ତୁତ କରାଯାଇପାରିବ ।
ସାମଗ୍ରୀ : କଞ୍ଚାକଦଳୀ-୪ଟି, ଚାଉଳଚୁନା-୩ ଚାମଚ, କଞ୍ଚାଲଙ୍କା ବଟା-୩ ଚା’ ଚାମଚ, ଭଜା ଚିନାବାଦାମ ମଞ୍ଜି-୪ ଚାମଚ, ନଡ଼ିଆ କୋରା-୧କପ୍, କିସ୍ମିସ୍-୧୫ଟି, ଗୁଣ୍ଡ କଟା ଭୃଷଙ୍ଗ ପତ୍ର-୧୦ଟି, ଭଜା ଧଳା ରାଶି-୨ ଚାମଚ, ଚିନି- ୪ ଚାମଚ, ଜିରା- ଅଧା ଚାମଚ, ଲେମ୍ବୁରସ-୧ ଚାମଚ, ଧଣିଆପତ୍ର-୨ ଚାମଚ, ଲୁଣ, ତେଲ । ଖଣ୍ଡ ବସା ଦହି-୧୦୦ ଗ୍ରାମ୍, ଚିନାବାଦାମ ମଞ୍ଜି ଗୁଣ୍ଡ-୨ ଚାମଚ, ଡାଳିମ୍ବ ମଞ୍ଜି-୧ଚାମଚ
ପ୍ରସ୍ତୁତି ପ୍ରଣାଳୀ : କଞ୍ଚା କଦଳୀକୁ ଧୋଇ, ସିଝାଇ ଦେଲା ପରେ ଚୋପା ଛଡ଼ାଇ ଚକଟି ଦିଅନ୍ତୁ । ଏହି ଚକଟାରେ ଚାଉଳ ଚୁନା, କଞ୍ଚା ଲଙ୍କା ବଟା, ଲୁଣ ଓ ଗୋଟିଏ ଚାମଚ ତେଲ ଦେଇ ଭଲଭାବେ ଚକଟି ଅଲଗା ରଖନ୍ତୁ । କଚୋଡ଼ି କଲାବେଳେ ଏହି ଚକଟା ଖଳି କାମ ଦେବ ଓ ଏହା ମଧ୍ୟ ପୁର ଭାବେ ଦିଆଯାଇପାରିବ ।
ପୁର ପ୍ରସ୍ତୁତି ପାଇଁ : ଅନ୍ୟ ଏକ ପାତ୍ରରେ କୋରା ନଡ଼ିଆ, କଞ୍ଚା ଲଙ୍କା ବଟା, ଖଣ୍ଡଖଣ୍ଡିଆ ଭଜା ଚିନାବାଦାମ ମଞ୍ଜି, ଭଜା ଧଳା ରାଶି ମଞ୍ଜି, କିସ୍ମିସ୍, ଜୀରା, ଭୃଷଙ୍ଗ ପତ୍ର, ଚିନି, ଲେମ୍ବୁରସ, ଲୁଣ, ଧଣିଆ ପତ୍ର ପକାଇ ଭଲଭାବେ ଗୋଳାଇ ନିଅନ୍ତୁ । ଏହା ପୁର କାମଦେବ ।
କଦଳୀ ଚକଟାକୁ କଚୋଡ଼ିର ଖଳି କରିବା ପାଇଁ ପୁରି ଛାଣିବା ବେଳେ ଅଟାଗୁଳା କରିବା ପରି ଗୁଳା କରନ୍ତୁ । ପାପୁଲିରେ ତେଲ ଲଗାଇ, ଗୁଳାକୁ ଅର୍ଦ୍ଧ ଗୋଲାକାର ଛୋଟ ପେଣ୍ଡୁ ପରି କରନ୍ତୁ । ଆମେ ଯେପରି ମଣ୍ଡାପିଠା କରୁ ସେପରି କରିବାକୁ ପଡ଼ିବ । ତେବେ ଏଥିରେ ପୁର ଦେଇ ମଣ୍ଡାପିଠା ପରି ଗୋଲ କରି ଗଢ଼ନ୍ତୁ । ଏହାର ଉପରେ ଚାଉଳ ଚୁନା ଗୋଳାଇ ରଖନ୍ତୁ । ଏପରି ସବୁତକ ଖଳି ଓ ପୁର ବ୍ୟବହାର କରି ଗୋଲ ଗୋଲ କଚୋଡ଼ି ବଲ ତିଆରି କରି ରଖନ୍ତୁ ।
କଡେଇରେ ତେଲ ଗରମ କରି କମ୍ ଆଞ୍ଚରେ ଛାଣିବାର ସମୟ ଆସିଗଲା । ଫଳରେ ଅଧିକ ସମୟ ଲାଗିବ ବାଦାମୀ ରଙ୍ଗର କଚୋଡ଼ି ଛଣା ହେବାକୁ । ଏହି କଚୋଡ଼ିକୁ ଦହି ଦ୍ରବଣରେ ବୁଡାଇ କିମ୍ବା ଟମାଟୋ କେଚପ୍ ସହିତ ଖାଇବାକୁ ପରଷି ଦିଅନ୍ତୁ କଦଳୀ-ନଡ଼ିଆ କଚୋଡ଼ି ।
ତେବେ ଦହିରେ ବୁଡ଼ାଇବା ପୂର୍ବରୁ ଦହିକୁ ପାଗ କରିବାକୁ ପଡ଼ିବ । ଟେଳାଟେଳା ବା ଖଣ୍ଡ ବସାଦହିକୁ ଗୋଟିଏ ପାତ୍ରରେ ନେଇ ସେଥିରେ ବଳକା ଚିନାବାଦାମ, କିସ୍ମିସ୍ ସ୍ୱାଦାନୁସାରେ ଲୁଣ, ଚିନି, କଞ୍ଚାଲଙ୍କା ବଟା ଓ ଡାଳିମ୍ବ ମଞ୍ଜିକୁ ପକାଇ ଭଲଭାବେ ଫେଣ୍ଟି ଏଥିରେ କଚୋଡ଼ିକୁ ବୁଡାଇ କିମ୍ବା କଚୋଡ଼ି ଉପରେ ଚାମଚ ସାହାଯ୍ୟରେ ପକାଇ ପରଶି ଦେଇପାରିବେ । ଏମିତି ସ୍ୱାସ୍ଥ୍ୟକର କଚୋଡ଼ି ବିଶ୍ୱର କୌଣସି ରେଷ୍ଟୁରାଣ୍ଟରେ ମିଳିନପାରେ ।