ବାରବାର ସେହି ସତର ନମ୍ବର ବେଡର ପେସେଣ୍ଟ ନାଁରେ ମୋ ପାଖରେ ଅଭିଯୋଗ ପହଞ୍ଚୁଥିଲା । ଅବାନ୍ତର ଯୁକ୍ତି କରୁଛି ସେ । ଗୋଟିଏ କିଡ଼ନୀ ସ୍ୱାମୀଙ୍କୁ ଦେଇ ଦେବାପରେ ଅନ୍ୟଟି ଆଉ ଗୋଟିଏ ପିଲାକୁ ଦାନ କରିଦେବାକୁ ଅଳି କରୁଥିଲା । ସେଠିକାର ଷ୍ଟାଫ ଓ ଆଟେଣ୍ଡାଣ୍ଟ ମାନଙ୍କୁ ବ୍ୟସ୍ତ କରି ଦେଉଥାନ୍ତି ନିଜ କିଡ଼ନୀଟିକୁ ଦେବା ପାଇଁ । ତେଣୁ ବାଧ୍ୟ ହୋଇ ମୁଁ ସତର ନମ୍ବର ବେଡ ପାଖକୁ ଯିବାକୁ ପଡ଼ିଲା । ସେତେବେଳେ ବି ମହିଳା ଜଣକ ନର୍ସକୁ ବ୍ୟସ୍ତ କରି ଦେଉଥାନ୍ତି । ବିରକ୍ତ ଭାବ ନର୍ସ ମୁହଁରେ ଫୁଟି ଉଠୁଥିଲେ ବି କର୍ତ୍ତବ୍ୟ ସମ୍ପାଦନା ଦୃଷ୍ଟିରୁ ତା’ର କଥା ଶୁଣିବାର ଚେଷ୍ଟା କରୁଥାନ୍ତି । ହଠାତ୍ ମୋ ଉପରେ ଦୃଷ୍ଟି ପଡ଼ିବା କ୍ଷଣି ନର୍ସର ମୁହଁର ଭଙ୍ଗୀ ବଦଳିଗଲା ।
ହେଇ ମ୍ୟାଡ଼ମ୍ ଆସିଲେଣି ତାଙ୍କ ସହିତ କଥା ହୁଅ କହି ତା’ ବେଡ ପାଖରୁ ଘୁଞ୍ଚି ଗଲା ଓ ଅନ୍ୟ ଏକ ବେଡ ପାଖରେ ରହି ଦୀର୍ଘଶ୍ୱାସଟିଏ ନେଲା । ଦୂରରୁ ଥାଇ ମତେ ଠାରୁ ଥିଲା ବୁଢ଼ୀର ସ୍କ୍ରୁ ଢ଼ିଲା ଥିବାର ।
ତଥାପି ତା’ର ବେଡ ପାଖକୁ ଲାଗିଗଲି । ପତଳା ହୋଇ ଲମ୍ବା ବୁଢ଼ୀଟେ ବିଛଣାରେ ଶୋଇଥାଏ । ଦେହର ରଙ୍ଗ ଚିକ୍କଣ, କଳା ହେଲେ ବି ମୁହଁର ଗଢ଼ଣ ବେଶ୍ ସୁନ୍ଦର । ମୋତେ କାହିଁକି ଆପଣାର ଆପଣାର ଲାଗିଲା ।
ମୋର ହୃଦ୍ ବୋଧ ହେଲା ବୁଢ଼ୀଟି ମୋର ମା’ ପରି କେହି ଜଣେ, ବହୁତ ଦିନର ପରିଚିତ ।
ମାଉସୀ କ’ଣ ହେଲା । ମୁଁ ପଚାରିଲି ।
କିଛି ନାହିଁ ଲୋ ମା, କାଲିଠୁ ସମସ୍ତଙ୍କ ସାଙ୍ଗରେ ଲାଗିଛି ମୋର ଆର କିଡ଼ନୀ ନେଇ ସେ ଅଠର ବର୍ଷ ଯୁଆନ ପୁଅର ଦେହରେ ଲଗେଇବାକୁ, ହେଲେ କିଏ ରାଜି ହେଲେ ସିନା, ମୋର ତ ବଳବୟସ ଗଲାଣି ଆଉ ଏ ନିଆଁ ନଗା ଜୀବନ ଥାଇ ଲାଭ କ’ଣ? ମୁଁ କ’ଣ ଆଉ ଥରେ ସଂସାର କରିବି? ସେ ଯୁଆନ ଟୋକା ସିନା ସଂସାର ଗଢ଼ିବ? ସେ କହିଲେ, ବେଶ୍ ନୀରବରେ ହସି ଦେଲି ମୁଁ । ହେଲେ ମାଉସୀ ଏ କାମ କୋଉ ଡାକ୍ତର କାଇଁ କରିବ? ମର୍ଡର କେଶର ମକଦ୍ଦମା ନିଜ ହାତକୁ ନେବ?
ବୁଢ଼ୀ କ’ଣ ବୁଝିଲା କେଜାଣି ହଠାତ୍ ଚୁପ୍ ହୋଇଗଲା । ଏବେ ବି ମୁଁ ଚାହିଁଲି ବୁଢ଼ୀକୁ, ସେ ବି ସେମିତି ଚିହ୍ନାଚିହ୍ନା ଲାଗୁଥାଏ । ବୁଢ଼ୀ ସହିତ ମୁଁ ଗପୁଥିଲା ବେଳେ ହିଁ ମୁଁ ଭାବୁଥାଏ ବୁଢ଼ୀକୁ କେଉଁଠି ଦେଖିଛି ବୋଲି । ସ୍ମୃତିର ପେଡିକୁ ମୋର ସାମର୍ଥ୍ୟ ଅନୁସାରେ ମୁଁ ଘାଣ୍ଟି ଚାଲିଥାଏ ।
ହଠାତ୍ ମୁଁ ଚମକି ପଡ଼ିଲି । ଏ ହେମନ୍ତ ଖୁଡ଼ୀ ନୁହଁନ୍ତି ତ?
ମୋ ଭିତରୁ କିଏ ଗୋଟେ ଜୋର୍ରେ ମତେ ସମର୍ଥନ କରୁଥାଏ ।
ପ୍ରାପ୍ତବୟସ୍କ ହେବା ପରେ ଗହଳି ଭିତରେ ସଦ୍ୟ ପରିଚିତ ବହୁ ଦରକାରୀ ମୁହଁଟି ଭୁଲି ହୋଇଯାଏ, ହେଲେ ବହୁ ବିଗତ ଶୈଶବର ପରିଚିତ ମୁହଁ ଗୁଡ଼ା ଆଖିର ଲେନ୍ସରେ ଲଟକୁ ଥାନ୍ତି । ଆଖି ସେମାନଙ୍କୁ ଦୋ ଦୋ ଚିହ୍ନା ହେଲେ ବି ବିବେକ ଦୃଢ଼ ପ୍ରତ୍ୟୟ ଦିଏ ଚିହ୍ନାମାନଙ୍କୁ ଚିହ୍ନା କରାଇଦେବାରେ ।
ତଥାପି ନିଶ୍ଚିତ ହେବା ଲାଗି ତାକୁ କହିଲି ତୁମ ନା ହେମନ୍ତ!
ହଁ-ଗମ୍ଭୀର ଭାବରେ ବୁଢ଼ୀ କହିଲା ।
ତୁମ ସ୍ୱାମୀନାଁ ଗୁରିଆ । ବୁଢ଼ୀ ବେଶ୍ ଅନ୍ୟମନସ୍କ ଲାଗୁଥିଲା ।
ତୁମର ଘର ସଭାଗୋଳ, କୁଜଙ୍ଗ, ଜଗତସିଂହପୁର?
ଏତେକଥା ତମେ କେମିତି ଜାଣିଲ ମା? ସତେ ଯେମିତି ମୁଁ ଯାଦୁକର ଏବଂ ଅଭେଦ୍ୟ ଦୁର୍ଗର ରହସ୍ୟ ଜାଣି ଦେଇଛି ସେ ସେମିତି ମତେ ପଚାରୁଥିଲେ । ଅନେକ ତ ଡାକ୍ତର ତା’ ସହ ଅନେକ ଦିନ ମିଶିଲା ପରେ ବି କେହି କିଛି ପଚାରିନଥିଲେ । ହେଲେ ମୁଁ ରୁମକୁ ପଶୁ ପଶୁ ତା ଘରଦ୍ୱାର ଠିକଣା ଏତେ କଥା ଜାଣିଦେଲି କେମିତି?
ହଠାତ୍ ଖୁସିରେ ପୁଲକିତ ହୋଇଗଲା ସେ ।
ତା’ ମୁହଁରେ ଢ଼ାଙ୍କିଥିବା ଦୁଃଖର କଳାବାଦଲ କୁଆଡ଼େ ଅପସରିଗଲା ।
ଖୁସିରେ ଚନ୍ଦ୍ରମା ସାଙ୍ଗେ ସାଙ୍ଗେ ଉଦୟ ହୋଇଗଲା ତା ମୁହଁରେ ।
ମୁଁ ବି ସେମିତି ମୋ ଅଜଣାତରେ ଖୁସି ହୋଇଯାଇଥିଲି ।
ଗଡ଼ଜିଣିବାର ଦର୍ପ ମୋ ଭିତରେ ସୃଷ୍ଟି ହୋଇସାରିଥାଏ ।
ଦୀର୍ଘ ପଚିଶି ବର୍ଷ ପରେ ସିଠିକ୍ ଭାବେ ଗୋଟିଏ ଲୋକକୁ ଚିହ୍ନି ପାରୁଥିବାରୁ । ସେ ପୁଣି ସାଧାରଣ ନାରୀ ନୁହେଁ, ସେ ଏମିତି ଏକ ନାରୀ ଯାହାକୁ ନେଇ ମୁଁ ଏପର୍ଯ୍ୟନ୍ତ ବି ସନେ୍ଦହର କୁହେଳି ଭିତରେ ଥିଲି ଏବଂ ସାନବେଳେ କେବଳ ତା ବାବଦରେ ଗବେଷଣା କରି କରି ମୁଁ ବହୁତ ଦିନ କଷ୍ଟ କରିଥିଲି ।
ହଠାତ୍ ମୁଁ କହିଲି ଖୁଡ଼ୀ, ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସେ (ଆଉ ମାଉସୀ ଡ଼ାକର ଆବଶ୍ୟକତା ନଥିଲା) ମୁଁ ପରା ରିତୁ । ବାସ୍ ଏତିକିରୁ ସେ ବି ଠଉରେଇ ନେଲେ ।
ଆମେ ସହରରେ ରହିଗଲେ ଗାଁ ମାଟିର ଗନ୍ଧକୁ ଭୁଲିଯାଉ, ହେଲେ ସହରରେ ଟିକିଏ ନାଁ କଲେ ଆମ ପାଇଁ ଆମ ଗାଁର ଗୋଡ଼ିମାଟି ବି ଗର୍ବ କରନ୍ତି ।
ତେଣୁ ଗାଁ ଛାଡ଼ିବା ପରେ ତାଙ୍କ ବିଷୟରେ ମୋ ପାଖରେ କିଛି ଖବର ନଥିଲେ ବି ମୁଁ ଗୋଟେ ଡାକ୍ତରଟେ ହେବାର ଖବର ତାଙ୍କୁ ଅଛପା ନଥିଲା । ସାଙ୍ଗେ ସାଙ୍ଗେ ବିଛଣାରେ ଥାଇ ବି ଖୁଡ଼ୀ କୋଳେଇ ନେଲେ । ମୁଁ ବି ଭୁଲିଗଲି ତାଙ୍କ ମୋ ଭିତର ତାରତମ୍ୟକୁ । ଛୋଟ ଝିଅଟେ ପରି ମୁଁ ତାଙ୍କ ଛାତିରେ ମୁହଁ ଗୁଞ୍ଜି ଦେଲି । ଭଲ ପାଇବାଟା ତ ସବୁବେଳେ ଏମିତି । ଆଉ ମଣିଷତ ପ୍ରାଚୁର୍ଯ୍ୟକୁ ନିକିତିରେ ଗୋଟେ ପାଖରେ ରଖି ଅନ୍ୟ ପାଖରେ ଭଲ ପାଇବାକୁ ରଖାଯାଏ । ତେବେ ଭଲ ପାଇବାର ପିଲାଟି ନିଶ୍ଚୟ ତଳକୁ ଦବିଯାଏ । ମୁଁ ଏତିକି ବିଶ୍ୱାସ କରେ ପିଲାଦିନୁ, ମୁଁ ସ୍ନେହ କାଙ୍ଗାଳୁଣୀ । ଟକିଏ ସ୍ନେହ ପାଇ ମୁଁ ସବୁ ଭୁଲିଯାଏ । ଏଥିଲାଗି ବାପା ଓ ଜୟନ୍ତଙ୍କଠୁ କମ୍ ଗାଳି ଶୁଣିନି ମୁଁ । ହେଲେ ବି ମୋ ଅଭ୍ୟାସରେ ପରିବର୍ତ୍ତନ ହୁଏନା । ଖୁଡ଼ୀଙ୍କ ଛାତିରେ ଥାଇ ମୁଁ ସେହି ଫ୍ରକ୍ ପିନ୍ଧା ବୟସକୁ ଫେରି ଯାଇଥିଲି ।
ଦୁଇ ଜଣ ଖୁବ୍ ଜୋରରେ କାନ୍ଦିଥିଲୁ । ଖୁସିରେ କି ଦୁଃଖରେ ସେ କଥା କେହି ବି ଜାଣିପାରୁନଥିଲୁ ।
କିିଛି ସମୟ ପରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲୁ । ସେ ବି ମତେ ଆଉ କିଛି କହି ପାରୁନଥିଲେ । ଖାଲି ଦୁହେଁ ଦୁହିଁଙ୍କୁ ବହୁତ ସମୟ ଚାହୁଁଥିଲୁ ।
ମୋ ଆଖିରେ ଭାସୁଥିଲା-ସେଦିନର ଖୁଡ଼ୀ ଓ ମୁଁ ।
ସେ ବି ସେମିତି କିଛି ଭାବୁଥିଲେ ବୋଧ ହୁଏ ।
ହଠାତ୍ ଘଣ୍ଟାକୁ ଚାହିଁଲି । ବାରଟା ବାଜିଥିଲା, ଡିଉଟି ସରିଯାଇଥିଲା, ବ୍ୟସ୍ତ ହୋଇଗଲି । ଛୁଆମାନେ ସ୍କୁଲରୁ ଫେରିଥିବେ । ମୁଁ ପାଖରେ ନବସିଲେ ସେ ଖାଆନ୍ତି ନାହିଁ । ଖୁଡ଼ୀଙ୍କୁ ଛୁଆଙ୍କ କଥା କହି ଫେରି ଆସିଲି । ଘରେ କିଛି କାମରେ ମନ ଲାଗୁନଥାଏ । କାହିଁକି କେଜାଣି ସେଦିନ ବର୍ତ୍ତମାନକୁ ମୁଁ ସ୍ୱାଭାବିକ୍ ଭାବେ ଗ୍ରହଣ କରିପାରୁନଥାଏ । ଦିନ ଯାଇ ରାତି କେମିତି ହେଲା ମୁଁ ଜାଣିନି । କିନ୍ତୁ ରାତିରେ ଶୋଇବା ବେଳକୁ କିଛି ଲମ୍ବା ନିରୋଳା ମୁହୂର୍ତ୍ତ ପାଇଥିଲି ଅତୀତକୁ ଫେରିଯିବାକୁ ।
***
ସେତେବେଳକୁ ମୋତେ ଆଠକି ନଅ ବର୍ଷ ବୟସ । ଅଣ୍ଟିରେ ବରକୋଳି ପୁରେଇ ଖାଇବାର ବୟସ, କିତି କିତି ଖେଳିବାର ବୟସ, ଜେଜେମାର କାନି ଧରି ବୁଲିବାର ବୟସ, ସମସ୍ତଙ୍କୁ ଭଲ ପାଇବାର ବୟସ । ସ୍ନେହ ଝରା ଆଞ୍ଚଳକୁ ଭିଡ଼ିଧରି ବୁଲିବାର ବୟସ । ଯାହାର ଆଞ୍ଚଳ ଯେତିକି ସ୍ନେହ ସିକ୍ତ ମନେ ହୁଏ ସେଇଠି ସେତିକି ମୁହଁ ଗୁଞ୍ଜିବାକୁ ଇଚ୍ଛା ହୁଏ ।
ଏମିତି ପଣତଟିଏ ହେମନ୍ତ ଖୁଡ଼ୀଙ୍କର ଥିଲା । ସେହି ପଣତକୁ ଗାଁର ଅନେକ ଛୁଆ ଟାଣି ଧରୁଥିଲେ, ତାଙ୍କ ସହିତ ମୁଁ ବି । ହେମନ୍ତ ଖୁଡ଼ୀଙ୍କ ଘରକୁ ଗଲେ ଖିରି କୋଳି, ବଇଞ୍ଚ କୋଳି ସବୁମିଳି ଥାଏ । କେବେ ଦୀପୁର ବିସ୍କୁଟ୍ ଖାଇବା ବେଳେ ପହଞ୍ଚôଲେ ବିସ୍କୁଟ୍ ଖାଇବାକୁ ମିଳିଥାଏ । ଗଣିତର ମାନସାଙ୍କ, ସାମାଜିକ ବିଜ୍ଞାନ ସବୁ ତାଙ୍କ ମୁହଁରେ ଥାଏ ।
ସେ ମତେ ଓ ମୋ ପରି ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । ଆମକୁ ବି ସେ ବହୁତ ଭଲ ଲାଗନ୍ତି । ହେଲେ ବୋଉ ଓ ଜେଜେମା ମାନେ ତାଙ୍କ ଘରକୁ ଚାଲିଗଲେ କାହିଁକି ବିରକ୍ତି ହୁଅନ୍ତି ମୁଁ ଜାଣେନି । ରାତି ପାହି କୁଆ ରାବିଲେ ଗାଁର ସ୍ତ୍ରୀ ଲୋକଙ୍କ ଭିତରୁ କିଏ ନା କିଏ ତାଙ୍କ ସାଙ୍ଗେ କଳି ଲଗାଉଥାଏ । ସମସ୍ତେ ତାଙ୍କର ଟିକିଏ ଭୁଲକୁ ଅନେଇ ବସିଥାନ୍ତି, କୋଉଠି ଛୁଞ୍ଚôରୁ ସୁତା ଖସିଯିବ ତାଙ୍କୁ ଦି’ପଦ ଉଘେଇବେ । ସବୁ ଗାଁ ସ୍ତ୍ରୀ ଲୋକମାନେ ଯେତେ ଅଭଦ୍ର କଥା ବ୍ୟବହାର କଲେ ଖୁଡ଼ି ତା’ଠୁ ବଳି ଅଭଦ୍ର ଭାଷା ବ୍ୟବହାର କରନ୍ତି ।
ଏମିତି କାହିଁକି ହୁଏ ମୁଁ ବିଲ୍କୁଲ ଜାଣି ପାରେ ନାହିଁ । ବୋଉକୁ ସାହାସ କରି ପଚାରି ପାରେନା ମୁଁ ତାଙ୍କ ଘରକୁ କାହିଁକି ଯିବିନି ବୋଲି? କିନ୍ତୁ ପ୍ରାୟ ସବୁ ଜାଗାରେ ତାଙ୍କ ନାଁରେ ଟୁପ୍ଟାପ୍ ଫୁସ୍ଫାସ୍ ଚାଲେ । ଏମିତି କି ଏଥିରୁ ମୋ ବୋଉ ଓ ମା’ବି ବାଦ୍ ପଡ଼ନ୍ତିନି ।
ମୋର ମନେ ଅଛି ଥରେ ଆମ ଗାଁର ପାତି ଖୁଡ଼ି ଆସି ବୋଉକୁ କହିଥିଲେ-ଶୁଣିଲଣି, ଆଉ ଯିଏ ଗଲେ ତ ଗଲେ ହେଲେ ଭଗିଆଟା ପାଠଶାଠ ପଢ଼ି ହେମନ୍ତ ପାଲରେ ପଡ଼ିଗଲା । ଏଇ କାଲି ତାକୁ କଟକ ନେଇଯାଇଥିଲା । ସେ ଦୀପୁଟା ପରା ତା ଆଡ଼ର ଛୁଆ । ଆଉ ଅଧିକ ଶୁଣି ପାରିନଥିଲି । ବୋଉ ମୋତେ ସେଠୁ ଭଗେଇ ଦେଇଥିଲା । ଯେତିକି ଶୁଣିଥିଲି ବି ସେଥିରୁ କିଛି ବିୁଝିପାରିନଥିଲି । ଅନେକ କିଛି ଦିନ ଏ ବିଷୟରେ ଗବେଷଣା କରିଲେ ବି ଏ ବିଷୟରେ କିଛି ଟେର୍ ମୁଁ ପାଇ ନଥିଲି ।
କିନ୍ତୁ ଏତିକି ଜାଣିଥିଲି ଭଗିଆ ଆମର ଅଜା ସମ୍ପର୍କୀୟ । ଆମ ଦୁଇ ଘର ଭିତରେ ଯିବା ଆସିବା ଚାଲିଥାଏ । ଭଗିଆଅଜାର ବୋଉ ବି ଆମ ମା’ଙ୍କର ଭଲ ଯୋଡ଼ି । ଦାଣ୍ଡପିଣ୍ଢାରେ ତାଙ୍କର ବେଶ୍ ଜମେ ।
ମୁଁ ବି ସେଠି ବସିଥାଏ । ମୁଁ ବସିଥିଲେ କିଛି ଗପିବାକୁ ସେମାନେ ଦ୍ୱିଧା ଅନୁଭବ କରନ୍ତିନି । ସେମାନଙ୍କ ନଜରରେ ମୁଁ ସାନ ପିଲା । ଖମ୍ବ ସହିତ ସମାନ । କିନ୍ତୁ ମୁଁ ସବୁ ଶୁଣେ କିଛି ବି ବୁଝେ । ଦିନେ ଚମ୍ପା ଆଉ (ଭଗିଆ ଅଜାର ବୋଉ) ମୋ ବୁଢ଼ୀମା’କୁ କହିଲେ-ସୀତାଲୋ, ଏଭଗିଆଟା ତିନିପାଞ୍ଜିରୁ ଗଲା, ବାପା ନାଁ ପକେଇଲା । ଏହି କାମଯୋଗୁ ତ ପ୍ରଥମ ଭାରିଜା ଦଉଡ଼ି ଦେଇ ମଲା । ପୁଅଟା ମାଁ ଛେଉଣ୍ଡ ହେଲା । ତଥାପି ମନରେ ପଶିଲାନି । ଦ୍ୱିତୀୟଟା ସାଙ୍ଗରେ ସବୁବେଳେ କଳି ଲଗଉଛି । ସେ କେଉଁଦିନ ଦଉଡ଼ି ଦେବ କି ବିଷ ଖାଇବ ମତେ ଜଣାପଡ଼ୁନି । । ସେ ହେମନ୍ତ ବି କି ଗୁଣି କରିଛି କେଜାଣି, ମୋ ପୁଅଟା ନଷ୍ଟ ହୋଇଯାଉଛି । ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ବି ଚାହୁଁନି ।
ମୋ ମା’ ବି ତାଙ୍କ ଦୁଃଖରେ ସମବେଦନା ଜଣାନ୍ତି ।
ଚମ୍ପା ଆଈଙ୍କୁ ବିଭିନ୍ନ ଗୁଣିଆଙ୍କ ଠିକଣା ବତାଇ ଦିଅନ୍ତି ।
ଚମ୍ପାଆଈ ଗୁଣିଆ ପାଖକୁ ଯାଆନ୍ତି । ଔଷଧ ଆଣନ୍ତି । ପୁଅକୁ ଖାଇବାକୁ ଦିଅନ୍ତି କିନ୍ତୁ ଅଜା ହେମନ୍ତ ଖୁଡ଼ୀଙ୍କ ଘରକୁ ଯିବା ଆସିବା ବନ୍ଦ କରୁନଥାନ୍ତି । ମୋର ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବୁଢ଼ୀ ଗୁଣିଆ ପାଖକୁ ଯିବା ଆସିବାରେ ହେଳା କରେନି କି ଔଷଧ ଆଣି ପୁଅକୁ ଖୁଆଇବାରେ ହେଳା କରେନି । ହେଲେ ପୁଅ କିନ୍ତୁ ହେମନ୍ତ ଖୁଡ଼ୀ ଘରକୁ ଯିବାକୁ ହେଳା କରେନି ।
ମୁଁ ବୋଉକୁ ଲୁଚି ଲୁଚି ଖୁଡ଼ୀଙ୍କ ଘରକୁ ଯାଇଥାଏ ସେତିକି ବେଳେ ଭଗିଆ ଅଜା ବାଉଁଶ ବୁଦା ବାଟ ଦେଇ ତାଙ୍କ ଘରେ ପହଞ୍ଚି ଯାଇଥାନ୍ତି । ତାଙ୍କୁ ସେଠି ଦେଖି ମୁଁ ଭାବେ ଖୁଡ଼ୀ ସମସ୍ତଙ୍କୁ ଏତେ ଭଲ ପାଆନ୍ତି, କୋଳି ଖାଇବାକୁ ଦିଅନ୍ତି, ଗେହ୍ଲା କରନ୍ତି । ଆମ ବୋଉ ବାଡ଼େଇଲେ ବି ଆମେ ଲୁଚି ତାଙ୍କ ଘରକୁ ପଳେଇ ଆସୁଛୁ ଯଦି ଭଗିଆ ଅଜା ଆସିଲେ ଭୁଲ୍ କ’ଣ କଲେ?
ଭଲ ପାଇବାକୁ ନିଃଶେଷ କରିବା ପାଇଁ କୌଣସି ଗୁଣିଆର ମନ୍ତ୍ର କାଟୁ କରେ ନାହିଁ । ଭଲ ପାଇବା ତ ଦୁନିଆରେ ସବୁଠୁ ବଡ଼ ମନ୍ତ୍ର, ଆଉ ଭଲ ପାଉଥିବା ଲୋକ ସବୁଠୁ ବଡ଼ ଗୁଣିଆ ।
କେବଳ ଭଗିଆ ଅଜା ନୁହେଁ ଗାଁର ଅନେକ ପୁରୁଷ ଲୋକଙ୍କୁ ମୁଁ ତାଙ୍କ ଘରକୁ ଯିବାର ଦେଖିଛି । ତା’କୁ ଆଧାର କରି ଗାଁର ସ୍ତ୍ରୀ ଲୋକ ବିଭିନ୍ନ କଥା ଗପନ୍ତି । ହେଲେ ମୁଁ ଭାବେ ଗାଁର ସବୁ ପିଲା ଯଦି ତାଙ୍କ ଘରକୁ ଯାଆନ୍ତି ତେବେ ପୁରୁଷ ଲୋକ ଗଲେ କ୍ଷତି କ’ଣ ହେଲା?
ଘଟଣା ଏମିତି ଘଟୁଥାଏ । ହେମନ୍ତ ଖୁଡ଼ୀଙ୍କୁ ନେଇ ଚର୍ଚ୍ଚା ବି ବନ୍ଦ ହେଉନଥାଏ । ୟାରି ଭିତରେ ଆମେ ଗାଁ ଛାଡ଼ିଲୁ । ଭୁବନେଶ୍ୱର ରହିବାର ବହୁତ ଦିନ ପର୍ଯ୍ୟନ୍ତ ବି ବୋଉ ପଚାରି ବୁଝୁଥାଏ ।
କ୍ରମଶଃ ମୋର ବୟସ ଓ ବୁଦ୍ଧିର ବୃଦ୍ଧି ଘଟୁଥାଏ । ମୁଁ ବି ଶୁଣିଲି ଆମର ଜଣେ ସମ୍ପର୍କୀୟା ଦେଠେଇ କହୁଥାନ୍ତି ସେ କାଳିକାନି ହେମନ୍ତ ଗାଁର ଅଧାପୁରୁଷଙ୍କୁ ମେଣ୍ଢା କରି ରଖିଛି । ଏଇ ଦେଖୁନ ତା’ଠୁ ସାତ ସାନ ରଜିଆ ତା’ର ଦୁର୍ଗା ପରି ସୁନ୍ଦରୀ ସ୍ତ୍ରୀର ମୁହଁକୁ ଥରେ ବି ଚାହୁଁନି । ବାହାଘର ବାର ବର୍ଷ ହୋଇଗଲା, ସେ ସ୍ତ୍ରୀର ମୁହଁକୁ ଭଲ ଭାବେ ଦେଖିନି । କେତେ ଲୋକଙ୍କ ସଂସାର ଉଚ୍ଛନ୍ନ କରୁଛି ସେ । କୋଉ ଶାନ୍ତିରେ ଅଛି । ଦୀପୁ, ପନ୍ଦର ବର୍ଷର ଭେଣ୍ଡିଆ ପୁଅଟା ବ୍ଲଡ଼ କ୍ୟାନସରରେ ମଲା । ସାନଟା ଗଡ଼ିଆରେ ବୁଡି ମଲା । ହେଲେ କ’ଣ ତା ମୁଣ୍ଡରେ ପଶୁଛି?
ମୁଁ ଏବେ କିଛି ବୁଝିପାରିଲି, ହେମନ୍ତ ଖୁଡ଼ୀଙ୍କୁ ନେଇ କ’ଣ ଚର୍ଚ୍ଚା ହୁଏ । ସେହି ଦେଠେଇ ଗଲାପରେ ବୋଉକୁ ପଚାରିଲି ବୋଉ ଏଗୁଡ଼ା କ’ଣ ସତ?
ବୋଉ ମୁହଁକୁ ଗମ୍ଭୀର କରି କହିଲା ଆଉ କଣ ମିଛ? ସେ ପରା ବାହାଘର ଆଠଦିନ ନ ଯାଉଣୁ ଯୋଉ ଟୋକା ସହ ତା’ର ଭଲ ଥିଲା ତାକୁ ଘରେ ପୁରେଇଥିଲା । ଧରା ପଡ଼ିଲା । ଆମ ଗାଁ ସରପଞ୍ଚ କୁଳମଣି ଅଜା ମିମାଂସା କରିବାକୁ ଯାଇଥିଲେ । ଗାଁ ସଭାରେ ନିର୍ଲ୍ଲଜା ଖୋଲାଖୋଲି ଭାବେ କହିଲା-
“ମୋର ଗୋଟାଏ କଂସାରେ ପେଟ ପୁରିଲାନି, ମୁଁ ଆଉ ଗୋଟିଏ କଂସାରେ ହାତ ମାଇଲି ସେଥିରେ କାହାର କ’ଣ ଗଲା?”
ଛି, ଛି ଇଜ୍ଜତକୁ ନିଲାମ ନକଲେ କ’ଣ ଏ ସବୁ କାମ କରି ହୁଏ? ବୋଉ ରାଗରେ ଥରୁଥିଲା ।
ହଉ ଛାଡ଼ ସେକଥା । ତୁ ଯା’ ପଢ଼ାପଢ଼ି କରିବୁ ।
ମୁଁ କିନ୍ତୁ ସେ କଥା ଛାଡ଼ି ପାରୁନଥିଲି କି ପାଠ ପଢ଼ିପାରୁନଥିଲି । ବହୁତ ଦିନ ଯାଏ ଭାବିଥିଲି, ହେଲେ କିଛି ବି ଶେଷ କଥାରେ ପହଞ୍ଚି ପାରୁନଥିଲି ।
ତା’ପରଠୁ ଆଉ ଆମ ଘରେ ହେମନ୍ତ ଖୁଡ଼ୀ ନାଁ ଉଠିନାହିଁ । କିନ୍ତୁ ମୁଁ ଅନେକ ଥର ଭାବେ ତାଙ୍କ କଥା । ବୋଉଠୁ ତାଙ୍କ ବାବଦରେ ଶୁଣିଥିବା ଅଭିମତ ବାଖ୍ୟା କରେ ।
ସତରେ କ’ଣ ସ୍ତ୍ରୀ ଲୋକଟିଏ ଏମିତି କହିପାରେ? ଏମିତି ଭାବନାରେ ବୁଢ଼ୀଆଣି ଜାଲରେ ମୁଁ ଛନ୍ଦି ହୋଇଯାଏ କିନ୍ତୁ ଗୋଟିଏ ବାଟ ପାଏନି ବାହାରି ଯିବାକୁ ।
ଏମିତି ଏମିତି ହୋଇ ହେମନ୍ତ ଖୁଡ଼ୀ ମୋର ପିଲାଦିନର ସ୍ମୃତି ହେବାକୁ ବସିଥିଲେ । କିନ୍ତୁ ତାଙ୍କ ସହିତ ଅଚାନକ ସାକ୍ଷାତ୍ ହୋଇଗଲା ଆଜି । ସେହି ସାକ୍ଷାତ୍କୁ ମୁଁ ସହଜରେ ଗ୍ରହଣ କରିପାରୁନଥିଲି ।
ମୁଁ ରାତିରେ ବାରବାର ନିଜକୁ ଚୁମୁଟୁଥିଲି ।
ହେମନ୍ତ ଖୁଡ଼ୀଙ୍କର ଆବିର୍ଭାବର ସତ୍ୟତାକୁ ପରଖୁଥିଲି ।
ହଠାତ୍କିନା ପାରୁନଥିଲି ସେ ସ୍ୱପ୍ନ ନା ବାସ୍ତବତା ।
ପୁଣି ଆସନ୍ତା କାଲିକୁ ଅପେକ୍ଷା କରୁଥିଲି ।
***
ପରଦିନ ହସପିଟାଲ୍ରେ ପୁନଃ ସାକ୍ଷାତ ।
ଦେଖା ହେଉ ହେଉ ମୋତେ କହିଲା-
ଆଇଲୁ ମା । ମୋ ନାତି, ନାତୁଣୀ ଆଉ ନାତୁଣୀ ଜ୍ୱାଇଁ କ’ଣ କରୁଥିଲେ? ଆଉ ଟିକେ ସଅଳ ଆଇଲୁନି । କାଲି ରାତି ସାରା ମୁଁ ଚାହିଁ ଚାହିଁ ସପନ ଦେଖୁଥିଲି । ତୁ ବାହା ହୋଇ ତୋର ଝିଅଟା ତୋ ପରି ହୋଇଛି । ଆଣିଲୁନି ମୁଁ ତାକୁ ଟିକେ ଦେଖିଥାନ୍ତି, ଗେହ୍ଲା କରିଥାନ୍ତି । ହଉ ଆଣିବି କହି ମୁଁ ଚୁପ୍ ହୋଇଗଲି । ଖାଲି ତାଙ୍କୁ ଚାହୁଁଥାଏ, କିଛି ବି ଜାଣିପାରୁ ନଥାଏ ।
ନିଜକୁ ସ୍ୱାଭାବିକ କରେଇବାକୁ ଚାହିଁ ପଚାରିଲି ଖୁଡ଼ୀ ଦେହ ଭଲ ଲାଗୁଛି ତ?
ହଁ ବା! ଗାଁରେ ବାଡ଼େଇପିଟି ସବୁ କାମ କରୁଥିଲି । । ଏଠି ମାହାଳିଆକୁ ଖାଇପିଇ ଶୋଇଛି । ଦେଖୁନୁ ଚିକ୍କଣେଇ ଗଲିଣି । ଆଉ ଗାଁ ଖବର ସବୁ କ’ଣ ।
ସବୁ ଭଲ ଖୁଡ଼ୀ… । ମୁଁ ଚୁପ୍ ରହିଗଲି । କ’ଣ ହେଲା ମା? ନା’ମ । କହୁନୁ ମା ।
ହଁ ଲୋ ମା । ମୋର ଆଉ କିଏ ଅଛି । ଦଇବ ସହିଲା ନାହିଁ । ଦୀପୁ ଥିଲେ ତୋ ପରି ହଅନ୍ତାଣି । ଦଇବ ଯଦି ଦାଉ ସାଧିଲା କହିବି କାହାକୁ?
ସେଇମାନେ ଆସିଲେ ମୁଁ ତାଙ୍କ ଭିତରେ ଦୀପୁର ପିଲାଦିନ ପାଇଯାଏ ।
: ହେଲେ ଖୁଡ଼ୀ?
: କ’ଣ କହୁନୁ । ସେ ମତେ ଜବରଦସ୍ତ କରୁଥିଲେ ।
: ନା’ମ… ।
ଆଲୋ କହ । ମୁଁ ତୋର କ’ଣ ଶାଶୁ ।
: ସେ ଛୁଆଙ୍କ ମା । ତାଙ୍କୁ ତୁମ ଘରକୁ ଆସିଲେ ବାଡ଼ଉ ନାହାନ୍ତି?
: ଖୁଡୀ ଅନମନସ୍କ ହୋଇଗଲେ । ଖୁଡୀ, ଗାଁ ଲୋକ କେହି ଭଲ ଲୋକ ନୁହଁନ୍ତି । ସବୁ ବାଜେ ଲୋକ । ସେ ତୁମ ନାଁରେ ଇଆଡ଼ୁ ସିଆଡ଼ୁ କହନ୍ତି ।
: ମୁଁ କୁନି ପିଲା ପରି କହୁଥିଲି ।
: ହଠାତ୍ ଖୁଡୀଙ୍କ ଆଖିରେ ଘୋଟି ଆସିଲା ଶ୍ରାବଣର କଳାବାଦଲ ।
ରିତୁ, ତୁ ଛୋଟବେଳେ ଠିକ୍ ଏଇ କଥା କହିଥିଲୁ । ଆହୁରି କହିଥିଲୁ ତୁ, ବୋଉ ଆଉ ମା’ବି ଭଲ ନୁହଁନ୍ତି । ମୋ ପାଖୁ ଆସିବାକୁ ସେମାନେ ମନା କରୁଛନ୍ତି । ସେତେବେଳେ ଛୁଆଥିଲୁ ତ କପଟ ଶିଖିନଥିଲୁ । ଏବେ ବଡ଼ ହେଲୁଣି, ନିଜର ବୋଉ ମା’ଙ୍କୁ ବଞ୍ଚେଇ ଦେଲୁ ।
ମା’ଲୋ ଗାଁ’ର ସବୁ ଲୋକ ଭଲ । ତୋ ଖୁଡ଼ୀ ଭଲ ନୁହେଁ ଲୋ ।
ତାହା ହେଲେ ସେମାନେ ଯାହା କହୁଛନ୍ତି ସବୁ ତ?
‘ହଁ’ ଦୃଢ଼ ଭାବେ ଖୁଡ଼ୀ କହିଲେ ।
ନିଜ ଭୁଲ୍କୁ କ’ଣ କେହି ଏତେ ଦୃଢ଼ ଭାବେ ସମର୍ଥନ କରିପାରେ? ମୁଁ ଭାବିଲି ।
ତେବେ ଖୁଡ଼ୀ ତମେ ଏମିତି କାହିଁକି କଲ?
ମୁହଁରେ ଲୁଗା ଦେଇ ସେ ବହୁତ କାନ୍ଦିଲେ ।
ବୁଝିଲୁ ମା ଆଜିଯାଏ ମତେ ସମସ୍ତେ ଆଙ୍ଗୁଠି ଦେଖେଇ ଥିଲେ । କେହି ମୋତେ ପଚାରିନଥିଲେ ମୁଁ କାହିଁକି ଏସବୁ କରିଛି ।
ତୋ ଆଗରେ ନିଶ୍ଚୟ କହିବି ଲୋ । ଅନ୍ତତଃ ଜୀଅ ଯିବା ପୂର୍ବରୁ କେହି ଜଣେ ମୋତେ ବୁଝୁ । ଛୋଟ ଝିଅଟେ ପରି ସେ କଇଁ କଇଁ ହୋଇ କାନ୍ଦୁଥାନ୍ତି । ମତେ ଭାରି ଅସହାୟ ଲାଗୁଥାଏ । କିଛି ସମୟ ଗୁମ୍ମାରି ରହିବା ପରେ ମୁଁ ଖୁଡ଼ୀଙ୍କ ଆଖିରୁ ଲୁହ ପୋଛିଦେଲି । ତାଙ୍କର କୋହ ବନ୍ଦ ହେବାକୁ କିଛି ସମୟ ଗଲା । ତା’ପରେ ସେ ଆରମ୍ଭ କଲେ-
ସବୁ ଝିଅର ଗୋଟେ ମନ ଥାଏ । ଆଉ ସବୁ ଅଭିଆଡ଼ୀ ଝିଅ ସ୍ୱପ୍ନ ଦେଖନ୍ତି ସୁଖୀ ଜୀବନର । ମନେ ମନେ ନକ୍ସା ଆଙ୍କନ୍ତି ସୁନ୍ଦର ସଂସାରର ଆଉ ଭଲ ପାଇବା ଅଜାଡ଼ି ଦେଉଥିବା ସ୍ୱାମୀର । ମୁଁ ବି ସେମିତି ସ୍ୱପ୍ନ ଦେଖୁଥିଲି । କନ୍ଦର୍ପ ପରି ସୁନ୍ଦର କି କୁବେର ପରି ଧନୀ ବରର ସ୍ୱପ୍ନ ନୁହେଁ ।
ବରଂ ନିହାତି ସାଧାରଣ ମଣିଷଟିଏର । ମଜୁରିଆଟେ ହେଲେ ବି ଭଲ ପାଇବାରେ ପୋତି ଦେଉଥିବା ସ୍ୱାମୀର ସ୍ୱପ୍ନ । ଯାହାର ଅନୁଗାମିନୀ ହୋଇ ମୁଁ ସାରା ଜୀବନ କାଟି ଦେଇଥାନ୍ତି । ଏଇ ସମୟରେ ମୋର ବାହାଘର ହୋଇଗଲା ତୋର ଦାଦା ସହ । ବେଦୀରେ ବସି ସେ ମୋ ମଥାରେ ସିନ୍ଦୁର ଭରିଦେଲେ ।
ଜାଣିଛୁ ମା- ସ୍ତ୍ରୀ ଲୋକଟିର ସବୁଠୁ ସ୍ପର୍ଶକାତର ଅଙ୍ଗ ହେଉଛି ମଥା । ଆଉ ତା ଲାଗି ସବୁଠୁ ଓଜନଦାର ବୋଝ ହେଉଛି ସିନ୍ଦୁରର ବୋଝ । କୌଣସି ପୁରୁଷର ଟିପେ ନାଲି ସିନ୍ଦୁର ଝିଅଟିର ମଥାରେ ବାଜିବା ପରେ ଝିଅଟି ଆଜୀବନ ତାର ମଥାକୁ ନୋଇଁ ଦେଇଥାଏ ସେହି ପୁରୁଷର ପାଦ ତଳେ । ତାକୁ ସର୍ବସ୍ୱ ସମର୍ପି ଦିଏ ସ୍ୱାମୀ ବୋଲି ଭାବି ।
ଠିକ୍ ସେମିତି ମୁଁ ନିଜକୁ ନୁଆଇଁ ଦେଇଥିଲି ତୋ ଦାଦାଙ୍କ ପାଦ ତଳେ ।
ବାହାଘର ପରେ ସେହି ଚିର ଇପ୍ସିତ୍ ରାତିଟି ଆସି ପହଞ୍ଚôଲା । ଯେଉଁ ଦିନକି ମୁଁ ମୋ ସ୍ୱାମୀଙ୍କୁ ଭଲରେ ଦେଖିବା ଲାଗି ଓ ମିଶିବା ଲାଗି ଅପେକ୍ଷା କରିଥିଲି । ସ୍ୱାମୀଙ୍କ ଅପେକ୍ଷାରେ ବସି ବସି ମୁଁ ଲାଜରେ ଜଳିଯାଉଥିଲି । ହଠାତ୍ ଲଣ୍ଠନଟିଏ ହାତରେ ଧରି ତୋ’ ଦାଦା ଆସିଲେ । ଅଥଚ ମତେ ପଦୁଟିଏ କଥା କହିଲେ ନାହିଁ । ମୁଁ ଚମକି ପଡ଼ିଲି ।
ଖୁଡ଼ୀଙ୍କ କଥା ଶୁଣି ମୁଁ ବି ଚମକି ପଡ଼ିଲି ।
ମୋ ଆଖିରେ ହରର୍ ଶୋ’ର ଦୃଶ୍ୟ ପରି ସେହି ଦୃଶ୍ୟ ନାଚି ଉଠୁଥାଏ ।
ଦାଦା ଉଠି ଚାଲିଗଲେ । କବାଟ ଫିଟାଇଲେ । ତାଙ୍କ ପଛରେ ଅନ୍ୟ ଜଣେ ପୁରୁଷ ଲୋକ । ସେ ବି ଆସି ମୋ ଶେଯରେ ବସିଲା । ମୋ ବାସର ଶେଯକୁ ମୋ ସ୍ୱାମୀ ଭିନ୍ନ ଅନ୍ୟ ଏକ ପୁରୁଷର ସ୍ପର୍ଶକୁ ମୁଁ ସହଜ ଭାବେ ଗ୍ରହଣ କରିପାରୁନଥିଲି ।
ସେ ଆସିବା ପରେ ମୋ ସ୍ୱାମୀ ପାଟି ଫିଟାଇଲେ । ସେ ତାଙ୍କର ବ୍ୟବସାୟିକ ବନ୍ଧୁ ନିରଞ୍ଜନ ଥିଲେ । ଯଦିଓ ବାହାରେ ସମସ୍ତେ ଜାଣିଥିଲେ (ଏପରି କି ମୋ ବାପା ମଧ୍ୟ) ମୋ ସ୍ୱାମୀ ଜଣେ ମଧ୍ୟମ ଧରଣର ବ୍ୟବସାୟୀ ବୋଲି, କିନ୍ତୁ ତାଙ୍କର ବ୍ୟବସାୟ ବୋଲି କିଛି ନଥିଲା । ଲାଭ ତ ଦୂରର କଥା ମୂଳଧନ ନଥିଲା, ମୂଳଧନ କଣ ମୂଳଦୁଆ ବି ନଥିଲା ।
ବ୍ୟବସାୟୀଙ୍କ ସହଯୋଗୀ ପାଖରେ ସେ ତାଙ୍କର ଅଂଶଧନତକ ହାରି ଯାଇଥିଲେ ଏବଂ ନିଜର ନବବିବାହିତା ସ୍ତ୍ରୀକୁ ସ୍ପର୍ଶ କରିବା ପୂର୍ବରୁ ମାସଟିଏ ଛାଡ଼ିବାର ଚୁକ୍ତିପତ୍ର ବି କରିଥିଲେ । ସଂକ୍ଷେପରେ ଏ କଥା ମତେ ସେ ବୁଝେଇ ଦେଲେ । ଅର୍ଥାତ୍ ମୋତେ ନେଇ ସେ ବ୍ୟବସାୟିକ ମୂଳଦୁଆ ପୁଣି ଥରେ ପକେଇବାକୁ ଚାହୁଁଥିଲେ ।
ସ୍ତବ୍ଧ ହୋଇଗଲି ମୁଁ!!
ଲୁହଗୁଡ଼ା ବୋହିଗଲା ଜୁଆରିଆ ନଈର ସୁଅପରି । କେମିତି ପ୍ରତିକ୍ରିୟା କରିବି ତା’ ମୁଁ ଜାଣିପାରୁନଥିଲି ।
ସ୍ୱାମୀଙ୍କ ଜୀବନ ମୋର ଯୌବନ ।
ସ୍ୱାମୀଙ୍କ ସ୍ଥିତିତ୍ୱ ମୋର ସତୀତ୍ୱ ।
ଏଥିରୁ କୋଉଟା ବଡ଼ ମୁଁ ବିଚାର କରିପାରୁନଥିଲି । କିଛି ଭାବିବା ପୂର୍ବରୁ ସ୍ୱାମୀ ପଛରୁ କବାଟ ବନ୍ଦ କରି ଚାଲିଯାଇଥିଲେ । ଆଉ ମାନସିକ ଭାବେ ସମର୍ପିତା ନାରୀଟି ସାରା ରାତି ଧର୍ଷିତା ହେଉଥିଲା । ଅଭିସାରିକାର ଆଶା ଅବଗମିତ ହୋଇ ଯାଇଥିଲା ।
ସାରା ରାତି ଲୁହରେ ବତୁରିଥିଲି ମୁଁ । ଜାଣିନଥିଲି ସେବେ ମୋ ସ୍ୱାମୀ କଣ କରୁଥିଲେ । ତାଙ୍କର ପୌରୁଷକୁ କେମିତି ସମ୍ଭାଳିଥିଲେ । ଏମିତି ସବୁଦିନେ ଆସନ୍ତି ଭଦ୍ରବ୍ୟକ୍ତି, ତାଙ୍କୁ ଦେଖିଲା ପରେ ମୋ ସ୍ୱାମୀ ବିଲେଇ ଦେଖି ମୁଷାଗାତକୁ ପଶିଗଲା ପରି ଚାଲି ଯାଉଥିଲେ ଦେଉଳକୁ ।
ଏବେ ବି ଖୁଡ଼ୀ ଲୁହ ପୋଛୁଥିଲେ ।
ମୁଁ ଭାବୁଥିଲି ରାତିରେ ସ୍ୱାମୀର ଆଦେଶରେ ଅନ୍ୟ ପୁରୁଷ ଦ୍ୱାରା ଧର୍ଷିତା ନାରୀଟି ଦିନରେ ସ୍ୱାମୀ ସହ କେମିତି ବ୍ୟବହାର କରୁଥିବେ । ପୁଣି ଶୁଣିଥିଲି ଖୁଡ଼ୀଙ୍କ କଥାକୁ ।
ଖୁଡ଼ୀ କହୁଥିଲେ-
ଦିନେ ସେହି ଭଦ୍ରବ୍ୟକ୍ତି ଆସୁଥାନ୍ତି ଓ ମୋ ସ୍ୱାମୀ ଆଗରୁ ଦେଉଳକୁ କବାଟ ଫିଟାଇ ଚାଲିଯାଉଥାନ୍ତି । ଏଇ ସମୟରେ ଶାଶୁ ବାହାରକୁ ପରିସ୍ରା କରି ଉଠୁଥାନ୍ତି । ହଠାତ୍ ନିଜ ଘରେ ଅନ୍ୟ ବ୍ୟକ୍ତିଙ୍କର ଆବିର୍ଭାବ ଦେଖି ଚୋର ଚୋର ବୋଲି ଚିତ୍କାର କଲେ । ସାରା ଗାଁର ଲୋକ ଠେଙ୍ଗା ଧରି ଘେରିଗଲେ ନିରଞ୍ଜନ ବାବୁଙ୍କୁ ।
ଲୁହଲୁହାଣ କରିପକାଇଲେ । ମୋ ସ୍ୱାମୀଙ୍କ ଅନୁପସ୍ଥିତିକୁ ନେଇ ନାନା ପ୍ରଶ୍ନ କଲେ । ନିରଞ୍ଜନ ବାବୁଙ୍କୁ ଚୋର ଭାବି ଥାନାକୁ ନେଇଯିବାକୁ ବାହାରିଲେ । ସେତେବେଳେ ମୋତେ ନୂଆ ବୋହୁର ଓଢ଼ଣା ଫିଟାଇବାକୁ ପଡ଼ିଲା । ବଚନକୁ ଶାଣିତ କରିଦେବାକୁ ପଡ଼ିଲା । କାରଣ ମୁଁ ଭାବିଲି ନିରଞ୍ଜନ ବାବୁ ଯଦି ଥାନାରେ ହାଜର ହୁଅନ୍ତି ତେବେ ମୋ ସ୍ୱାମୀର ନିଜତ୍ୱ ଚାଲିଯିବ । ସାରା ଦୁନିଆଁ ଜାଣିଦେବ ତାଙ୍କ ଦୁର୍ବଳତାକୁ । ମୁଁ ପାପ କରିଛି । ପରପୁରୁଷକୁ ଦେହ ଦେଇଛି । ସେତ ନିଷ୍ପାପ । ଜଣେ ନିଷ୍ପାପ ଲୋକ ମୋ ସ୍ୱାମୀ, ଯାହାଙ୍କୁ ମୁଁ ଭକ୍ତି କରେ, ତାଙ୍କର ଇଜ୍ଜତ ବଞ୍ଚାଇବା ଲାଗି ମୋର ନିଜର ଇଜ୍ଜତ ଗାଁ ସଭାରେ ବଳି ପକାଇଲି । ଦୋଚାରୁଣୀର ଟିକାକୁ ନିଜ ହାତରେ ନିଜେ ପିନ୍ଧି ଦେଲି । କାରଣ ଯାହା କରିଥିଲେ ବି ମୁଁ ସେହି ଟିକା ପିନ୍ଧିଥାନ୍ତି । ଯଦି ସ୍ୱାମୀଙ୍କ ଇଜ୍ଜତ ବଞ୍ଚାଇ ମୁଁ ସେହି ଟିକା ପିନ୍ଧିଲି ତା’ ହେଲେ କ୍ଷତି କଣ? ଏଇୟା ଭାବି ମୁଁ ଥାନାକୁ ଯିବାକୁ ପସନ୍ଦ କଲି ନାହିଁ ।
ଖୁଡ଼ୀଙ୍କ ଓଠ ଓ ନାକ ପୁଡ଼ା ଥରୁଥାଏ । ଆଖିରୁ ଲୁହ ସେମିତି ବହୁଥାଏ । ମୁଁ ଭାବୁଥାଏ ସ୍ୱାମୀର ଇଜ୍ଜତ୍ ବଞ୍ଚାଇବା ପାଇଁ ଏତେ ଜାଗ୍ରତ ଥିବା ସ୍ତ୍ରୀର ଇଜ୍ଜତ ନିଲାମ କରିଦେବାକୁ ତ ସେ ସ୍ୱାମୀ ଟିକେ କୁଣ୍ଠା ବୋଧ କରିନଥିଲା । ଧିକ ସେ ସ୍ୱାମୀତ୍ୱ ।
ଖୁଡ଼ୀ ଗାଁ ସଭାରେ କଣ କହିଥିଲେ ମୁଁ ବୋଉଠୁ ଶୁଣିଥିଲି । ଏତେ ଦିନ ପରେ ମୁଁ ଜାଣିପାରିଲି ସେ ସେକଥା କାହିଁକି କହିଥିଲେ । ହେଲେ ତାଙ୍କୁ ନିରୋଳା ସମବେଦନା ଛଡ଼ା ତାଙ୍କ ପାଇଁ ଆଉ କିଛି କରି ପାରିନଥିଲି ।
ଖୁଡ଼ୀ କହୁଥିଲେ-ଗାଁ ସାରା ପ୍ରଚାର ହୋଇଗଲା ମୋର ଚରିତ୍ର ଖରାପ । ଗାଁ ମାଇପେ ମୋତେ ଦେଖି ଟୁପୁରୁ ଟାପୁରୁ ହେଲେ । କେହି ଆମ ଘରଠିକି ଆସିଲେ ନାହିଁ । କିଛି ଦିନ ମୋ ସାଙ୍ଗରେ କଥା କହିଲେ ନାହିଁ । ମୋ ସାଙ୍ଗରେ କଜିଆ କରିବାକୁ ବାହାନା ଖୋଜିଲେ । ଶାଶୁ ମୋତେ ଟାଙ୍କେ ସେକିଲେ । ବାପ ଘର ଗାଁରେ ବାପା ଏକଥା ଶୁଣିଲା ପରେ ଆସି ହଳ ପାଞ୍ଚଣରେ ନିର୍ଧୁମ ପିଟିଦେଇ ଗଲେ ଅମଣିଆ ବଳଦଟି ପରି । ସବୁ ସହିବାକୁ ପଡ଼ିଲା, କାରଣ ବୋଉ ବିଦା କଲାବେଳେ କହିଥିଲା କହିବା ଲୋକ ବଡ଼ ନୁହେଁ ସହିବା ଲୋକ ବଡ଼ । ତାଙ୍କ କଥା ଶୁଣି ମୁଁ ଭାବୁଥିଲି ମୋ ଗାଁ ଦେବୀ ମୋ ସାମ୍ନାରେ ଅବତୀର୍ଣ୍ଣ ହୋଇଛନ୍ତି ।
ଖୁଡ଼ୀ ପୁଣି କହୁଥିଲେ-ଏଇଠି ସରିଲାନି ମୋ ଦୁଃଖ । ଭଗବାନ ଯାହାକୁ ଦୁଃଖ ଦିଅନ୍ତି ନା ତାକୁ କାଣିଚାଏ ଦୁଃଖ ଦିଅନ୍ତିନି ବୁଜୁଳାଏ ଦୁଃଖ ଧରାଇ ଦେଇଥାନ୍ତି ତାକୁ ।
ଠିକ୍ ମାସକ ପରେ ସେ ଲୋକ ଆଉ ଆସିଲା ନାହିଁ । ତା ପରିବର୍ତ୍ତେ ମୋ ସ୍ୱାମୀ ମୋ ପାଖକୁ ଆସିଲେ । ଅଥଚ ସ୍ୱାମୀର ଅଧିକାର ଦାବୀ କରିବାର ସତ୍ସାହାସ ନଥିଲା । ମୋ ସାମ୍ନାରେ ଆସି ସବୁବେଳେ ଛିଡ଼ା ହୋଇଥିଲେ ଦୋଷ କରୁଥିବା କୁନି ପୁଅଟି ପରି । ଆଉ ମୁଁ କ୍ଷମା କରିଦେବାକୁ ବାଧ୍ୟ ହୋଇଗଲି । ଯଦିଓ ମୁଁ ମୋ ଉଚ୍ଛିଷ୍ଟ ହୋଇଥିବା ଶରୀରକୁ ତାଙ୍କ ପାଖରେ ସମର୍ପି ଦେଉନଥିଲି ।
ଏହି ସମୟରେ ହାଟରେ ବସ୍ ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା, କୁଜଙ୍ଗ ଡାକ୍ତର ମନା କରିଦେଲା ପାରିବନି ବୋଲି । କଟକ ଡାକ୍ତର କହିଲେ କୋଡିଏ ହଜାର ଟଙ୍କା ଦରକାର । କୋଡିଏ ହଜାର ଟଙ୍କା ମୋ ପାଇଁ ବହୁତ ଥିଲା ।
ତେଣୁ ଜମି ବିକିବା ଲାଗି ମୁଁ ସରପଞ୍ଚକୁ ନେହୁରା ହେଲି । କାରଣ, ଆମ ଗାଁର ସବୁଠୁ ପଇସା ବାଲା ଲୋକ ସେ ଥିଲା । ହକ୍ ଜମି ଦେଇ ବି ସେ ପଇସା ଦେବାକୁ ମନା କଲା । ତା’ ଗୋଡ଼ ହାତ ଧରି ନେହୁରା ହେଲି ତଥାପି ମନା କଲା । ମୁଁ ତା’ ଆଖିକୁ ଅନିଷା କଲି । ତା’ର ଆଖିର ଚାହାଣିରେ ଅଶ୍ଲୀଳତା ଉଙ୍କି ମାରୁଥିଲା । ମୋ ଆଖିରେ କରୁଣତା ଫୁଟି ଉଠୁଥିଲା । ସେ ମୋଠୁ ଫାଇଦା ଉଠାଇବାକୁ ଚାହୁଁଥିଲା । ଅସହାୟତାରୁ ଫାଇଦା ଉଠାଉଥିବା ବ୍ୟକ୍ତିର ନାମ ତ ପୁରୁଷ । ତା’ ପାଖରୁ ସବୁ ଲୋକ ଚାଲିଯିବା ପରେ ସେ କହିଲା ହଉ ଆଜି ରାତି ଅଧରେ କଥାବାର୍ତ୍ତା ହେବା ତୋ’ ଘରେ ।
ଖୁଡ଼ୀ କହିଲେ-
ମୁଁ ଖୁଡ଼ୀଙ୍କ କଥା ଶୁଣି ଆଖି ବୁଜିଦେଲି । ରାତି ଅଧରେ ପୁରୁଷଟିଏ ନାରୀ ସହିତ କଣ କଥାବାର୍ତ୍ତା କରିବାକୁ ଚାହେଁ ସେ କଥା ମତେ ଅଜଣା ନଥିଲା । ସେ କଥା ଖୁଡ଼ୀଙ୍କୁ ବି ଅଛପା ନଥିଲା ।
ଶଙ୍ଖା ଆଉ ସିନ୍ଦୁର ପାଇଁ ହେଉ ବା ଗୋଟିଏ ନିରୀହ ପ୍ରାଣୀ ଜୀବନ ରକ୍ଷା ପାଇଁ ହେଉ କି ସ୍ୱାମୀ ଭକ୍ତି ଯୋଗୁ ହେଉ ସେ ଆମନ୍ତ୍ରଣ ଜଣାଇବାକୁ ବାଧ୍ୟ ହୋଇଥିବେ ତାକୁ ।
ମୁଁ ବି ହୋଇଥିଲେ…
ତା’ପରେ ଖୁଡ଼ୀ ଆରମ୍ଭ କଲେ-
ସେ ରାତିରେ ଆସିଲା । ରାତି ଅଧରେ ସବୁ ପୁରୁଷ ପିଶାଚ ହୋଇଯାଆନ୍ତି । କଂସେଇ ପରି ନାରୀ ଦେହକୁ ଖିନ୍ଭିନ୍ କରି ଉପଭୋଗ କରିବାରେ ଯଥେଷ୍ଟ ଆନନ୍ଦ ପାଆନ୍ତି । ବେଶ୍ୟା ନାମ୍ନୀ ସ୍ତ୍ରୀ ଲୋକ ସହିତ ସେମାନେ ନିଜର ସ୍ତ୍ରୀ ଠୁ ଅଧିକ ଖୋଲା ହୋଇଯାଆନ୍ତି କାମାଗ୍ନି ନିର୍ବାପିତ କରିବାରେ । ଭଦ୍ରାମିର ସାମାନ୍ୟତମ ମୁଖା ବି ପିନ୍ଧନ୍ତି ନାହିଁ । ସେମିତି କୁଳମଣି ବି ମୋର ଦେହକୁ ନେଇ କନ୍ଦୁକ ପ୍ରାୟ ଖେଳୁଥିଲା ।
ମୁଁ ନାଚାର ଥିଲି ।
ପରଦିନ ଜମି ବିକା ହେଲା, ପଇସା ଆଣିଲି, ସ୍ୱାମି ବି ଭଲ ହୋଇ ଆସିଲେ ।
କିନ୍ତୁ ସ୍ୱାମୀଙ୍କୁ ଡାକ୍ତରଙ୍କ କହିବା ଅନୁଯାୟୀ ଖାଦ୍ୟ ଦେବାର ସାମର୍ଥ୍ୟ ନଥିଲା ମୋର । ସେ ଅସୁବିଧାର ଫାଇଦା ଉଠାଇଥିଲେ ଆମ ଗାଁର ଅନେକ ଲୋକ । ତା’ ପରଠୁ ରାତି ଅଧରେ ମୋ କବାଟରେ ଧକ୍କା ଅନେକ ଗରାଖଙ୍କ ଆଗମନର ସୂଚନା ଦିଏ । ମୁଁ ବି ସେମାନଙ୍କୁ ଆମନ୍ତ୍ରଣ ଜଣାଏ । କଡ଼ା ବେପାରି ପରି ରାତିକର ଭଡ଼ା କଷିନିଏ ।
ମା’ଲୋ, କୁଳମଣି କଥା ଛାଡ଼, ଆମ ଗାଁର ମଦନା ବାଆଜି । ଚମକି ଗଲି ମୁଁ!
ମଦନା ବାଆଜି, କୌପିନି ମାରି, ଗୈରିକ ବସନ ଧାରି, ହରେ କୃଷ୍ଣ ହରେ ରାମ କାରି ।
ନାରୀର ଦର୍ଶନ କରିଲେ ମା’ ବୋଲି ସମ୍ବୋଧନ କରେ ବୟସ ନିର୍ବିଚାରରେ ।
ସେ ପୁଣି ବିରାଡ଼ି ବୈଷ୍ଣବ! ଛି ମୁଣ୍ଡ ମୋର ହଲି ଯାଇଥିଲା ।
କ’ଣ ହେଲା ମା! ମାନି ନେଇ ପାରୁନୁ? ହଁ ଲୋ ମା’ ସେହିଁ ସବୁଠୁ ନାରୀ ଦେହରଙ୍କା । ମୋ କବାଟ ଫିଟାଇବା ଆଗରୁ ସେ ତା କୌପିନିକୁ ଫୋପାଡ଼ି ଦେଇ ଆସିଥାଏ । ବିଦେଶରୁ କେତେ ଅଶ୍ଲୀଳ ମୁଦ୍ରା ଫଟୋ ଆଣି ମତେ ଦେଖେଇଥାଏ । ଆଉ ମତେ ସେହି ଚିତ୍ର ଅନୁସାରେ ବିଭିନ୍ନ ମୁଦ୍ରାରେ ଅଭିନୟ କରିବାକୁ ପଡ଼ିଥାଏ ।
ନାଁ ଖୁଡ଼ୀ ଥାଉ ।
ମଠରେ ବି ଏୟା ଚାଲେ । ଛି! ମୁଁ କହିଲି ।
ହଁ… କହି ପୁଣି ହସି ଉଠିଲେ ।
ଆଉ ଆମ ଗାଁର ରାଷ୍ଟ୍ରପତି ପୁରସ୍କାର ପାଇଥିବା ନିତ୍ୟାନନ୍ଦ ମିଶ୍ର, ସେ ବି ତ ମୋ କବାଟ ବାଡ଼େଇଛନ୍ତି । ମୁଁ କାନରେ ହାତ ଦେଇଦେଲି । ଆଚାର୍ଯ୍ୟ ସେ, ଆଚରଣରେ ସିଦ୍ଧି । ଅଥଚ…. ନାଁ ଆଉ ଦରକାର ନାହିଁ ମୁଁ ବ୍ୟସ୍ତ ହୋଇପଡ଼ିଥିଲି ।
ଖୁଡ଼ୀ କିନ୍ତୁ କହିବାରେ ଲାଗିଥିଲେ । ସେତିକି କ’ଣ, ଦିଅଁ ପୂଜୁଥିବା ରତନା ଆଉ ବିଭିନ୍ନ ତହସିଲଦାରମାନେ, ଇଞ୍ଜିନିୟର ଓ ଡାକ୍ତରମାନେ କେହି ବି ବାଦ ପଡ଼ିନାହାନ୍ତି ମୋର ଶଯ୍ୟାଶଙ୍ଗୀ ହେବାରେ । ଆଉ ରାତି ଅଧରେ ସଭିଙ୍କ ପାଦ ପଡ଼ିଛି ମୋ ଘରେ । ହେଲେ ଦିନରେ ଯେ ଯାହା ସଫେଦ ପୁରୁଷ ମୁଁ ଯାହା ମଇଳାଯୁକ୍ତା ନାରୀ । ଖୁଡ଼ୀ ତାଙ୍କ ଲୁଗାକାନିରେ ଆଖିରୁ ଲୁହ ପୋଛୁଥିଲେ । ମୁଁ ଭାବୁଥିଲି ଦୁନିଆଁରେ ଭଲ ଲୋକ କିଏ । ଅବଚେତନ ଅବସ୍ଥାରେ ପଚାରିଦେଲି ସବୁ ପୁଅ କଣ ଏମିତି?
ଖୁଡ଼ୀଙ୍କ ଡାକ୍ତର କଥା ଶୁଣି ମୁଁ ଭାବୁଥିଲି ଜୟନ୍ତ ବି ଏମିତି? ସେ ବି କ’ଣ ରାତିରେ ଡିୟୁଟି ଠକି କାହା ପାଖକୁ ଯାଆନ୍ତି? ଅନ୍ୟମନସ୍କ ହୋଇଗଲି ମୁଁ ।
ହଁ, ମା’ ସବୁ ପୁରୁଷ ଏକା ଗାତକୁ । କୋଉ ପୁରୁଷ ଗୋଟିଏ ନାରୀରେ ସନ୍ତୁଷ୍ଟ ନଥାନ୍ତି । ପରସ୍ତ୍ରୀ ପ୍ରତି ସମସ୍ତଙ୍କ ଲୋଭଥାଏ । ସୁଯୋଗ ପାଇଲେ ସମସ୍ତେ ଫାଇଦା ନିଅନ୍ତି
ଯଦିଓ ବେଶ୍ୟା ଦୁଆରେ ସମସ୍ତଙ୍କ ପାଦ ପଡ଼େନାହିଁ ।
ଆଉ ବେଶ୍ୟା ପାଖରେ ଅନେକ ସ୍ତ୍ରୀ ଲୋକଙ୍କ ଖୁଣର ଖଣିଥାଏ । ମୂହୁର୍ତ୍ତକରେ ଆନନ୍ଦ ପାଇବା ଲାଗି ନିଜ ସ୍ତ୍ରୀର ଶାରୀରିକ, ମାନସିକ ବ୍ୟବହାରିକ ଖୁଣକୁ ସେମାନେ ଖୋଲି ଦିଅନ୍ତି ବେଶ୍ୟା ପାଖରେ । ସେମାନେ ଭାବନ୍ତି ନାରୀକୁ ସନ୍ତୁଷ୍ଟ କରିବାର ମାଧ୍ୟମ ହେଲା ଅନ୍ୟ ଏକ ନାରୀ ବିରୁଦ୍ଧରେ ବହୁତ କିଛି ତା ଆଗରେ କହିବା । କିନ୍ତୁ ବେଶ୍ୟା ସତରେ ଖଣିଟିଏ । ତା’ ଭିତରେ ସବୁ ଗୁମର ପୋତି ହୋଇଯାଏ । ପୁରୁଷ ଜାତିଟା ତ ସେୟା । ଟିକିଏ ଦୈହିକ ସୁଖ ପାଇବା ଲାଗି, କ୍ଷଣିକ ଉତ୍ତେଜନା ଲାଗି ସେମାନେ ଅଗ୍ନି, ଧର୍ମ, ଦେବତା, ବିବାହ, ହୋମ, ଶପଥ ସବୁ ଭୁଲିଯାଆନ୍ତି । ଭୁଲିଯାଆନ୍ତି ପଦପଦବୀ, ମାନ ସମ୍ମାନ, ଦାୟିତ୍ୱ ବୋଧ, ସେମାନଙ୍କର ସାମାଜିକ ସ୍ଥିତି ଓ ପାରିବାରିକ ଅବସ୍ଥିତିକୁ । କ୍ଷଣିକ ଭ୍ରମ ପାଇଁ ସେମାନେ ଭୁଲିଯାଆନ୍ତି ନିଷ୍ଠୁର ବାସ୍ତବତାକୁ । ତାଙ୍କ ସଂସାରକୁ ।
ଧିକ ସେମାନେ ଧିକ । ଏତିକି କହି ଚୁପ୍ ହୋଇଗଲେ । ଉତ୍ତେଜିତ ହୋଇ ଏତେ ସବୁ କହୁଥିଲେ ସେ, ମୁଁ ଚୁପ୍ ଥିଲି । ହଠାତ୍ ଗମ୍ଭୀର ହୋଇଗଲେ ।
ସୁନା ଝିଅ । ତୁ କତୁରୀଧରି ମଣିଷ ଶିରାପ୍ରଶିରା କାଟୁ ପୁଣି ଯୋଡି ଦେଉନା । ମୁଁ ଶୁଣିଛି ଲୋ ତୁ କୁଆଡ଼େ କଲମ ଆଉ ସ୍ୟାହିରେ ଶବ୍ଦକୁ ଶବ୍ଦ ଯୋଡି ଗପ ନେଖୁ । ମା’ଲୋ ମୁଁ ସିନା ଅବୈଧ, ଅସତୀ ହେଲେ ସେମାନେ ଏତେ ସତିଆ? ମୁଁ ସିନା ଅନେକଙ୍କୁ ଦେହ ବିକିଛି ଇଚ୍ଛା ବିରୁଦ୍ଧରେ । ପଇସା ନେବାରୁ ମୁଁ ବେଶ୍ୟା । ସେମାନେ ପଇସା ଦେଇ ମୋ ପାଖରେ ଶୋଇଛନ୍ତି ସେମାନେ କ’ଣ? ମୋ ଆଖିର ଲୁହରେ ମୋ ପାପ ଧୋଇଯାଇଛି ହେଲେ ସେମାନେ…? ମା’ଲୋ ସେହିମାନଙ୍କ ପାଇଁ ତୁ ଯଦି ଶବ୍ଦଟିଏ ଖୋଜି ଦେଇ ପାରିବୁ ନା ମୁଁ ଶାନ୍ତିରେ ନିଶ୍ୱାସଟିଏ ମାରିବି ।
ଦୀର୍ଘଶ୍ୱାସଟିଏ ଟାଣି ତା’ର ମୁହଁକୁ ଚାହିଁଥିଲି ।
ବାସ୍ତବତା ଆଉ ଭାବପ୍ରବଣ ଭିତରେ ମୁଁ ଭାବୁଥିଲି ।
ଲେଖକର ଲେଖନୀ ଡାକ୍ତର କଇଁଚି ମତେ ଭିଡ଼ି ଧରୁଥିଲେ । ଖୁଡ଼ୀ ମୋ ଉପରେ ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇଗଲେ । ବିଶ୍ୱାସ ଯୋଗୁ ହେଉ ବା ପ୍ରତିଶୋଧ ପ୍ରବଣ ହେଉ ଖୁଡ଼ୀ ବିଶ୍ୱାସ କରି ତାଙ୍କ ଜୀବନର ସବୁଗୋପନୀୟ କଥା ମୋତେ କହିଲେ । ଅବଶ୍ୟ ତାଙ୍କ ଜୀବନ ତ ଏକ ଖୋଲା ବହି । ତାଙ୍କର କି୍ରୟା ସର୍ବର୍ଚ୍ଚିତ ଅଥତ ତାଙ୍କର ସେ ବାବଦରେ ପ୍ରତିକ୍ରିୟା, ସରମ-ସଂକୋଚ ସବୁ ତାଙ୍କରି ଏକାନ୍ତ ବ୍ୟକ୍ତିଗତ । ଶେଷରେ ମୁଁ କାନ୍ଦି ପକାଇଲି । ମୋତେ ଖୁଡ଼ୀ ପାଣି ଆଣିବା ପାଇଁ କହିଲେ । ମୁଁ ମୋର ଅଧିନସ୍ଥମାନଙ୍କୁ କିଛି ନକହି ନିଜ ପାଇଁ ଆଣିଥିବା ପାଣି ବୋତଲଟି ତାଙ୍କୁ ବଢ଼ାଇ ଦେଲି । ବୋତଲଟି ତାଙ୍କ ହାତକୁ ବଢ଼ାଇ ଦେଉ ଦେଉ କାଶି କାଶି ସେ କହିଲେ-
ଗିଲାସରେ ଅଜାଡ଼ି ଦେ’ଲୋ । ମୁଁ ଅଇଁଠା କଲେ ତୁ କେମିତି ପିଇବୁ । ଯାହା ହେଲେ ବି ତୁ ବ୍ରାହ୍ମଣ ଘରର ଝିଅଟି । ମୁଁ ମୁଣ୍ଡ ହଲାଇ ମନା କଲି । ବୋତଲକୁ ଟେକି ସେ ଢ଼କ ଢ଼କ ପିଇଦେଲେ । ମତେ ଲାଗୁଥିଲା ସତେ ଯେମିତି ଜ୍ୟେଷ୍ଠ ମାସର ପୃଥିବୀ ସେ, ବହୁତ ଦିନରୁ ଶୋଷିଲା ଥିଲେ ।
ସହରିଆ କାଇଦା ଢ଼ଙ୍ଗରେ ଥ୍ୟାଙ୍କ ୟୁ ସେ କହିପାରିବେନି । ମୁଁ ତାଙ୍କ ପାଖକୁ ଲାଗିଗଲି । ମତେ ଜାବୁଡି ଧରି କହିଲେ ମତେ ମରଣ ହୁଅନ୍ତା କି । ମହାପୁରୁ ତତେ କୋଟି ପରାମାୟୁ ଦିଅନ୍ତୁ ଲୋ । ଆଲୋ ମା’! ଦିଅଁ ପୂଜୁଥିବା ରତନା, ନେତା ବୋଲାଉଥିବା କୁଳମଣି, ଦାଢ଼ିଛାଡ଼ି ମଠରେ ରହୁଥିବା ମଦନ ବାଆଜୀ ମୋ ସହ ମିଶିବା ପରେ ସେମାନଙ୍କର ଯଦି ପୌରୁଷ ହାନି ହେଲାନି ତେବେ ମୋର ନାରୀତ୍ୱରେ ଆଞ୍ଚ ଆସିଲା କେମିତି? କାହିଁ, ତାଙ୍କୁ ତ କେହି ଆଙ୍ଗୁଠି ଦେଖେଇ ନାହାନ୍ତି । ସମସ୍ତେ ମତେ… କହି ଅଟକି ଗଲେ ଖୁଡ଼ୀ । ଅସତୀ, ବିଟପୀ ବେଶ୍ୟା ଯଦି ମାଇପେ ହୁଅନ୍ତି ତେବେ ସେମାନଙ୍କ ପାଖକୁ ଆସୁଥିବା ପୁରୁଷମାନଙ୍କୁ କ’ଣ କହିବା ତୁ ବିଚାର କରିବୁ । ତୋ କଲମ ଓ ସ୍ୟାହି ସେମାନଙ୍କ ପାଇଁ ନୂଆ ଶବ୍ଦ ସୃଷ୍ଟି କରିବ, ସେମାନଙ୍କୁ ସେୟା କହି ତୁ ଆଙ୍ଗୁଠି ଦେଖାଇବୁ । ସେମାନଙ୍କର ବିନା ସହଯୋଗରେ … ମତେ ଲାଗିଲା ଖୁଡ଼ୀ ସବୁଠୁ ସାଙ୍ଘାତିକ ରୋଗୀ ମର୍ମାନ୍ତିକ ଚରିତ୍ର ।
ସବୁ ଶୁଣିଲି । କହିଲି-ହଉ ଖୁଡ଼ୀ ତମେ ଭଲ ହୁଅ, କେମିତି ଗୋଟେ ହସିଲେ ସେ । ମୁଁ ବି ଫେରି ଆସିଲି ଡାକ୍ତରଖାନାରୁ କାରଣ ବହୁତ ଡେରି ହୋଇଯାଇଥିଲା । ସଂସାର କଲେ ନାରୀମାନେ ସ୍ୱାର୍ଥପର ହୋଇଯାଆନ୍ତି ।
ପରଦିନ ହସ୍ପିଟାଲ୍ରେ ଶୁଣିଲି ଖୁଡ଼ୀ ନିଜ ହାତରେ ଭେନ କାଟି ଦେଇଛନ୍ତି । ଏବଂ ଶେଷରେ ଲେଖିଦେଇଛନ୍ତି ଯେ କିଡ଼ନୀଟି ସେ ୧୮ବର୍ଷର ପୁଅକୁ ଦେବାକୁ ଏବଂ ଆଖିଟି ନିଜର ସ୍ୱାମୀଙ୍କୁ ।
ମୋ ହାତରୁ ଖସି ପଡ଼ିଲା ଟିଫିନ୍ ବାକ୍ସଟି ।
ଯେଉଁଥିରେ ମୁଁ ତାଙ୍କ ପାଇଁ ନିଜେ ରାନ୍ଧି ନେଇଥିଲି । ତାଙ୍କ ଜୀବନର ସବୁଘଟଣା ମୋ ଆଖିରେ ନାଚି ଉଠିଲା ଚଳଚ୍ଚିତ୍ରର ରୂପେଲି ପରଦାରେ ଭାସିଲା ପରି ।
ବେଶ୍ କିଛିଦିନ ମୁଁ ଅନ୍ୟମନସ୍କ ରହୁଥିଲି । ବାରବାର ଭାବୁଥିଲି ମୃତୁ୍ୟ ବି ତାଙ୍କୁ ଆଦରି ନାହିଁ । ଜୋର ଜବରଦସ୍ତି ମୃତୁ୍ୟକୁ ଆପଣେଇ ବାକୁ ପଡ଼ିଲା ।
ମୋ ଭିତରେ ମୁଁ ଯେଉଁ କଷ୍ଟ ପାଉଥିଲି ତା’ କେବଳ ଅନୁଭବ ସାପେକ୍ଷ ।
***
ଏହାର କିଛି ମାସ ପରେ ଗାଁର ବାର୍ଷିକ ଉସôବରେ ଯୋଗଦେବା ପାଇଁ ମୁଁ ଆମ ଗାଁକୁ ଗଲି । ଗୁରିଆ ଦାଦି ତାଙ୍କ ଘର ଆଗରେ ବାଛୁରି ପାଖରେ କୁଟା ପକାଉଥିଲେ । ତାଙ୍କ ଡାହାଣ ଆଖିରେ ମୁଁ ହେମନ୍ତ ଖୁଡ଼ୀଙ୍କ ମୁହଁ ଦେଖିପାରୁଥିଲି । ତାଙ୍କଠୁ ଶୁଣିଲି ସେ ଆଉ ଥରେ ବାହା ହୋଇଛନ୍ତି । ତଥାପି ପଚାରିଲି ଦାଦା, ହେମନ୍ତ ଖୁଡ଼ି ମନେ ପଡ଼ୁନାହାନ୍ତି । ସେ କହିଲେ-ଛି ମା’ ଛି ସେ କୁଳଟା କଥା ତୁଣ୍ଡରେ ଧରନା । ଖାଇବାକୁ ମିଳିବନି । ବେଳା ଖରାପ ଥିଲା ତା’ପରି ସ୍ତ୍ରୀ ଲୋକର ହାତ ଧରିଥିଲି । ମୋ ଆଖିରେ ଲୁହ ଜକେଇଗଲା, ରାଗ ଆସୁଥିଲା ଗୁରିଆ ଦାଦାଙ୍କ ଉପରେ । ଯଦି ଖୁଡ଼ୀ କୁଳଟା ହେଲେ ତେବେ ସେ ନିଜେ କ’ଣ? ଯିଏ କୁଳବଧୂକୁ କୁଳଦୀପ ଆଗରେ ଅନ୍ୟ ଜଣେ ପୁରୁଷ ହାତରେ ଟେକି ଦେଇ ଦେଉଳକୁ ଚାଲିଯାଇଥିଲେ? ଖୁଡ଼ୀ କହୁଥିଲେ-ଅସହାୟତାରୁ ଫାଇଦା ଉଠାଉଥିବା ବ୍ୟକ୍ତି ପୁରୁଷ । ହେଲେ ମୁଁ ଭାବୁଥିଲି ସ୍ୱାର୍ଥପର, ଠକ,ଶଠ, ଧୋକାବାଜିର ଅନ୍ୟନାମ ପୁରୁଷ । ଅନ୍ତତଃ ଗୁରିଆ ଦାଦା ତାଙ୍କ ପାଇଁ ଲୁହ ଝରେଇ ପାରିଥାନ୍ତେ । ଯଦି ଦାଦି ମରିଥାନ୍ତେ ତେବେ ଖୁଡ଼ୀ କ’ଣ ପାଇଁ ଆଉ ଥରେ ଏ ବୟସରେ ବାହା ହୋଇ ଥାଆନ୍ତେ ।
ଦେଉଳର ବାର୍ଷିକ ଉତ୍ସବରେ ଦେଖିଲି ଖୁଡ଼ୀଙ୍କ ପାଖକୁ ଆସୁଥିବା ଗ୍ରାହକମାନଙ୍କୁ । ଖୁଡ଼ୀଙ୍କ ନାଁ ଧରୁ ଧରୁ ସମସ୍ତେ ସେହି ଗୋଟାଏ କଥା କହିଲେ-ବେଶ୍ୟାଟା ମରିଗଲା । ଗୁରିଆର ଗ୍ରହ ମଧ୍ୟ କଟିଗଲା । ଗାଁଟାକୁ ଉଠଉଥିଲା ପକଉଥିଲା । ମଦନା ବାଆଜୀ ସେଠି ଥାଇ ଜୋରରେ କହିଲା-ହରେ କୃଷ୍ଣ ହରେ କୃଷ୍ଣ ତା ନାଁ ଧରନି ମା ।
ଇଚ୍ଛା ହେଉଥିଲା ଢ଼ାଏକିନା ତା’ ଗାଲରେ ଚଟକଣିଟାଏ କଷିଦେବା ପାଇଁ, ଆଉ ପଚାରିବାକୁ ତମେ ବୈଧ, ସତିଆ, ସୁଚରିତ୍ରା ଆଉ କଳଙ୍କମୁକ୍ତ? ତାଙ୍କୁ କଳଙ୍କଯୁକ୍ତ କରିବାକୁ ତମ ସାହାଯ୍ୟ ମଧ୍ୟ କମ୍ ନୁହେଁ । ଇଜ୍ଜତ, ଚରିତ୍ର କ’ଣ ନାରୀର ସମ୍ପଦ, ପୁରୁଷ ମାନଙ୍କର ନୁହେଁ? ତୁମେ ମାନେ ପାପ କରିଛ, ଭଗବତ ପୀଠରେ ଠିଆ ହୋଇପାରୁଛ, ହେଲେ ତାଙ୍କ ନାଁ ଧରିଲେ ମନ୍ଦିର ବେଢ଼ା ଅଶୁଦ୍ଧ ହୋଇଯିବ କେମିତି?
ବିଶ୍ଲେଷଣ କରୁଥିଲି ଖୁଡ଼ୀଙ୍କର ଜୀବନୀକୁ । ଦେହ ଦାନ କରୁଥିଲା ବୋଲି ତା’କୁ ବେଶ୍ୟା କହୁଥିଲେ ତା’ ପୁଣି ଇଚ୍ଛା ବିରୁଦ୍ଧରେ । କିନ୍ତୁ ଯେତେବେଳେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦାନ କରୁଥିଲେ…
ଦେହଦାନରେ କାହାକୁ ମୁହୂର୍ତ୍ତକର ସୁଖପ୍ରଦାନ କରୁଥିଲେ, ହେଲେ ଅଙ୍ଗପ୍ରତ୍ୟଙ୍ଗ ଦେଇ ସେ ତ ସେମାନଙ୍କ ନବଜନ୍ମରେ ସହାୟକ ହେଉଥିଲେ । ଦ୍ରୌପଦୀଙ୍କ ଅନ୍ତରର ଦୁଃଖକୁ କେହି ଅନୁଭବ ନକରିଥିଲେ ବି ତା’ର ମନକଷ୍ଟ କଥା କିନ୍ତୁ ସମସ୍ତେ ଜାଣିଥିଲେ । ମାତ୍ର ହେମନ୍ତ ଖୁଡ଼ୀଙ୍କର ମନକଷ୍ଟ ଆଉ ଅନ୍ତରର ଦୁଃଖକୁ ସେ ଏକା ମୁଣ୍ଡେଇଥିଲେ । ଲୁହତକ ପିଇ ଯାଉଥିଲେ ଅଥଚ ତା’ର ସ୍ୱାଦ ବାରିପାରୁନଥିଲେ । ଅଥଚ ତାପରେ ତା’ ନାଁ ପଛରେ କେହି କିଛି ବିଶେଷଣ ଯୋଡି ନଥିଲେ । ପରିସ୍ଥିତିର ତାଡ଼ନାରେ ପଡ଼ି କିଛି ଦେହ ଖେଳାଳୀଙ୍କୁ ତାଙ୍କ ଅଗଣାକୁ ଆସିବାର ସୁଯୋଗ ଦେବାରୁ ସେ ଦୋଚାରୁଣି ଓ କଳଙ୍କିନୀ ଥିଲେ । ଅଥଚ ତାଙ୍କ ହୃଦୟ ଅଗଣାରେ ସେମାନେ କେହି ଆଙ୍ଗୁଠି ପକେଇ ପାରିନଥିଲେ । ସେଠି ତ କେବଳ ଗୁରିଆ ଦାଦାର ପାଦ ଚିହ୍ନ ଥିଲା । ସେଇଥିପାଇଁ ଖୁଡ଼ୀ ତାଙ୍କର ସର୍ବସ୍ୱ ହୃଦୟ, ମନ, ଅଙ୍ଗ ପ୍ରତ୍ୟଙ୍ଗ ସବୁ ଦାଦାଙ୍କୁ ଅଜାଡ଼ି ଦେଲେ, ହେଲେ ତାଙ୍କୁ ଜାଣିଲା କିଏ? ନିଜେ ସବୁ ଲହୁ ଲୁହ ପିଇ ଏତେ ତ୍ୟାଗ କଲେ କାହିଁକି? ଜୀବନ, ଯୌବନ, ମାନ ଆଉ ତ୍ୟାଗର ପ୍ରତିଦାନରେ କ’ଣ ବଦନାମ ମିଳେ?
ମୁଁ ଚୁପ୍ ରହିଯାଇଥିଲି ପାଷାଣଟିଏ ପରି । ସତ କହିବାକୁ ଗଲେ ନିଜର ସଫେଦ ଭାବମୂର୍ତ୍ତୀ ପାଇଁ । ମୁଁ ଖୁଡ଼ୀଙ୍କ ସପକ୍ଷରେ ଯୁକ୍ତି କଲେ କାଳେ ସେମାନେ ସେହି ଶବ୍ଦ ମୋ ଉପରେ ପ୍ରୟୋଗ କରିବେ ସେହି ଆଶଙ୍କାରେ ଖୁଡ଼ୀଙ୍କୁ ଭିତ୍ତି କରି ମୋ ଭିତରେ ଉଠିଥିବା ଝଡ଼ ଶାନ୍ତ ହୋଇଗଲା । କାରଣ ନାରୀ ଯେତେ ଉପରକୁ ଗଲେ ବି ପୁରୁଷ ବିରୁଦ୍ଧରେ ସ୍ୱର ଉଠେଇଲେ ବଦନାମ ତା’ ପିଛା ଛାଡ଼େନା । ପୁରୁଷ ବିରୁଦ୍ଧରେ ଅନେକ ପ୍ରତିକ୍ରିୟା ତାକୁ ଆନେ୍ଦାଳିତ କଲେ ବି ସେ ସବୁ ନାରୀକୁ ନିଜ ଭିତରେ ରଖିବାକୁ ପଡ଼େ ।
ଡ୍ରାଇଭର ସାଏଁକିନା ଧୂଳି ଉଡ଼ାଇ ଗାଡ଼ି ଛାଡ଼ିଲା । ମୁଁ ସେ ପର୍ଯ୍ୟନ୍ତ ଖୋଜି ପାଇନଥିଲି ବେଶ୍ୟାର ପୁଲିଙ୍ଗ । ସେମାନଙ୍କ ଆଡୁ ମୁହଁ ଫେରାଇ ଫୁଣି ଫେରିଆସୁଥିଲି ମୋ ଘରକୁ । ଫେରିବା ବାଟରେ କଥା ନରଖିବାର ଗ୍ଲାନୀବୋଧ ମତେ ମାଡ଼ିବସୁଥିଲା । ମୋତେ ବହୁତ ଅସହାୟ ଲାଗୁଥିଲା । ମସ୍ତିଷ୍କ ଓ ବିବେକ ମୋ ଭିତରେ ରୀତିମତ ବଳ କଷାକଷି ହେଉଥିଲେ । ଖୁଡ଼ୀଙ୍କ ମୁହଁଟା ମୋ ଆଖିରେ ନାଚୁଥାଏ ସତେ ଯେମିତି ସେ ମତେ ବାରବାର ପଚାରୁଥାନ୍ତି କ’ଣ ହେଲା? କ’ଣ ହେଲା? ତୋର କ’ଣ ହେଲା… ।
ଆଉ ମୁଁ ଅଣନିଶ୍ୱାସୀ ହୋଇ କହୁଥିଲି-ଖୁଡ଼ୀ, ତୁମେ ବାରଙ୍ଗନା ନୁହେଁ ବରାଙ୍ଗନା । ମୁଁ ମାନୁଛି ହେଲେ… ।