ମଣିଷ ମରିଯିବା ପରେ ତା’ର ଆତ୍ମା ଯାଏ କୁଆଡ଼େ ଏ ନେଇ ଅନେକ ମତ, ଅନେକ ବିଶ୍ୱାସ । କିନ୍ତୁ କେବେ କେବେ ସବୁ ମତାମତକୁ ପ୍ରତ୍ୟାଖ୍ୟାନ କରି ବାସ୍ତବତା ମଣିଷକୁ ଅବାକ୍ କରି ନିଜକୁ ସତ୍ୟ ବୋଲି ପ୍ରତିଷ୍ଠା କରିଦିଏ । ଠିକ୍ ସେହିପରି ଏକ ଘଟଣା ନୀରଜା ମିଶ୍ରଙ୍କୁ ନେଇ । ନୀରଜା ନୁହଁନ୍ତି ବରଂ ତାଙ୍କ ଆତ୍ମାକୁ ନେଇ କହିଲେ ଅଧିକ ଠିକ୍ ହେବ ।
୧୯୮୬ ସେପ୍ଟେମ୍ବର ପାଞ୍ଚ । ଆମେରିକୀୟ ପାନାମ୍ ବିମାନର ଫ୍ଲାଇଟ୍ ୭୩ ବମ୍ବେରୁ ନୁ୍ୟୟର୍କ ଯିବା ବାଟରେ କରାଚୀରେ ଓହ୍ଲାଇଲା ଓ କରାଚୀ ବିମାନ ବନ୍ଦରରେ ହିଁ ବିମାନ ଦସୁ୍ୟଙ୍କ ଦ୍ୱାରା ଅବରୁଦ୍ଧ ହେଲା । ସେହି ଘଡିସନ୍ଧି ବେଳାରେ ବିମାନର ସିନିଅର ଏୟାର ହୋଷ୍ଟେସ୍ ନୀରଜା ମିଶ୍ର ପ୍ରଦର୍ଶନ କରିଥିଲେ ତାଙ୍କର ଅଦ୍ଭୂତ କର୍ତ୍ତବ୍ୟନିଷ୍ଠା । ବିମାନ ଯାତ୍ରୀ ଓ ବିଶେଷକରି ବିମାନରେ ଥିବା ଶିଶୁମାନଙ୍କୁ ନିରାପଦରେ ବାହାରକୁ ନେଇଆସିବା ପାଇଁ ସେ ବିମାନ ଦସୁ୍ୟମାନଙ୍କର ଧମକ ଓ ଗୁଳିକୁ ଖାତିର କରିନଥିଲେ । ଦେହରେ ଗୋଟି ଗୋଟି କରି ଚାରୋଟି ଗୁଳି ବିଦ୍ଧ ହେବା ପରେ ମଧ୍ୟ ସେ ନିଜ କର୍ତ୍ତବ୍ୟରୁ ବିରତ ହୋଇନଥିଲେ । ଦୀର୍ଘ ୧୬ ଘଣ୍ଟା କାଳ ସେ ବିମାନର ଦାୟିତ୍ୱ ନେଇ ଅଦ୍ଭୁତ ପୂର୍ବ ସାହସର ନଜିର ସୃଷ୍ଟି କରିଗଲେ ।
ମୃତୁ୍ୟପରେ ନିରଜାଙ୍କୁ ଭାରତ ସରକାର ଅତି ସମ୍ମାନୀୟ ଅଶୋକ ଚକ୍ରରେ ଭୂଷିତ କଲେ । କୌଣସି ମହିଳାଙ୍କୁ ଏପରି ସମ୍ମାନରେ ସମ୍ମାନିତ କରିବାରେ ନୀରଜା ସର୍ବପ୍ରଥମ । ଆନ୍ତର୍ଜାତିକ ସ୍ତରରେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ତାଙ୍କୁ ବହୁ ଭାବେ ସମ୍ମାନିତ କରିଛନ୍ତି । କିନ୍ତୁ ନୀରଜାଙ୍କ ପିତାମାତା! ସେମାନେ ନିଜର ଏପରି ସନ୍ତାନଟିକୁ ହରାଇ କ’ଣ ସମ୍ମାନ ଉପାଧି, ଅର୍ଥରେ ନିଜକୁ ସାନ୍ୱନା ଦେଇ ପାରିବେ?
ନୀରଜାଙ୍କ ପିତା ହରିଶ୍ ଭାନତ୍ ଜଣେ ବିଶିଷ୍ଟ ସାମ୍ବାଦିକ ଓ ମାତା ଜଣେ ପୁରାତନ ଓ ଜଣାଶୁଣା ସଂଗୀତ ଶିଳ୍ପୀ ଥିଲେ । ନୀରଜାଙ୍କ ମୃତୁ୍ୟର ଅଳ୍ପଦିନ ପରେ ସ୍ୱାମୀ ଯୋଗେଶ୍ୱର ଅନନ୍ତ ସରସ୍ୱତୀଙ୍କଠାରୁ ଶ୍ରୀମତୀ ଭାନତ୍ ଏକ ପତ୍ର ପାଇଲେ । ସ୍ୱାମୀ ଯୋଗେଶ୍ୱର ସେତେବେଳେ ହିମାଚଳ ପ୍ରଦେଶରେ ରହୁଥାନ୍ତି । ସେଥିରେ ଲେଖାଥିଲା-ନୀରଜା ତାଙ୍କ ପିତାମାତାଙ୍କ ସହ ସଂଯୋଗ ସ୍ଥାପନ କରିବାକୁ ଚାହୁଁଛନ୍ତି ଓ ସେ ସ୍ୱାମୀଜୀଙ୍କ ଆଗରେ ନିଜେ ଏ ପ୍ରକାର ଇଚ୍ଛା କରିଛନ୍ତି । ଭାନତ୍ ଦମ୍ପତି ସେ ଚିଠିରେ ଆଦୌ ଗୁରୁତ୍ୱ ନଦେଇ ଚୁପ୍ ରହିଲେ । କିଛିଦିନ ଭିତରେ ମାନ୍ଦ୍ରାଜର ନରେଶ କୁମାର ମଧ୍ୟ ଆରପୁରରେ ନୀରଜାଙ୍କୁ ସ୍ୱାଗତ କରିବାକୁ ହେଉଥିବା ପ୍ରସ୍ତୁତି ବିଷୟରେ ଲେଖି ଜଣାଇଥିଲେ । (ନରେଶ କୁମାର ପ୍ରେତ ଲୋକ ସହ ସଂଯୋଗ ରକ୍ଷା କରିବାକୁ ସମର୍ଥ ଓ ମଝିରେ ମଝିରେ ତାଙ୍କ ଆତ୍ମା ପ୍ରେତ ଲୋକ ଭ୍ରମଣ କରେ ବୋଲି ସେ ଦାବି କରନ୍ତି) ନରେଶ କୁମାରଙ୍କ ଚିଠିର ମଧ୍ୟ କୌଣସି ପ୍ରଭାବ ସୁଶିକ୍ଷିତ ଓ ବୈଜ୍ଞାନିକ ଚିନ୍ତାଧାରା ସଂପନ୍ନ ଭାନତ୍ ପରିବାର ଉପରେ ପଡିଲା ନାହିଁ ।
ଏ ଭିତରେ ବମ୍ବେରୁ ପ୍ରକାଶିତ ମହିଳା ପତ୍ରିକା ‘ସ୍ୟାଭି’ ତରଫରୁ ନିମନ୍ତ୍ରିତ ହୋଇ ଆସିଥାନ୍ତି ଶ୍ରୀମତୀ ଭାବାଂଗ୍ରୀ । ସେ ପରଲୋକଗତ ତାଙ୍କର ଦୁଇ ପୁତ୍ରଙ୍କ ସହ ଦୀର୍ଘଦିନଧରି ସଂଯୋଗ ରକ୍ଷାକରି ଭାବ ଆଦାନ ପ୍ରଦାନ କରୁଥାନ୍ତି । ଶ୍ରୀମତୀ ଭାନତ୍ ତାଙ୍କୁ ୧୯୮୮ ମେ, ୨୧ରେ ଭେଟିଲେ ଓ ନୀରଜାଙ୍କ ବିଷୟରେ ଜଣାଇଲେ । ଶ୍ରୀମତୀ ଭାବାଂଗ୍ରୀ ତାଙ୍କ ଦ୍ୱାରାଯଦି କିଛି ସମ୍ଭବ ହୁଏ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଜୁନ୍ ୭ରେ ଶ୍ରୀମତୀ ଭାବାଂଗ୍ରୀଙ୍କ ପୁଅମାନେ ତାଙ୍କୁ ଜଣାଇଲେ ଯେ, ପ୍ରକୃତରେ ନୀରଜା ତାଙ୍କ ପିତାମାତାଙ୍କ ସହ ଯୋଗାଯୋଗ ପାଇଁ ଖୁବ୍ ଆଗ୍ରହୀ । ସେ ସେପୁରୀରେ ଖୁବ୍ ଖୁସି ଅଛନ୍ତି ଓ ଭାବାଂଗ୍ରୀଙ୍କ ପୁଅମାନଙ୍କ ଅପେକ୍ଷା ଏକ ଉଚ୍ଚତର ପରିବେଶ ଓ ପରିଧିରେ ରହୁଛନ୍ତି ।
ସ୍ୱାମୀଙ୍କର ବିନା ସହଯୋଗରେ ଶ୍ରୀମତୀ ଭାନତ୍ ନିଜ ଝିଅ ସହ ଯୋଗାଯୋଗ ପାଇଁ ପ୍ରସ୍ତୁତ ହେଲେ । ଶ୍ରୀମତୀ ଭାବାଂଗ୍ରୀଙ୍କ କହିବା ଅନୁଯାୟୀ ସେ ପବିତ୍ର ମନରେ ଭଗବାନଙ୍କୁ ସ୍ମରଣ କରି ବସିଲେ । ତା’ପରେ ତାଙ୍କୁ ନିଜ ଝିଅ ଲାଡୋ (ନୀରଜାଙ୍କ ଡାକନାମ) ସହ ମିଳିତ ହେବାକୁ ଅନୁମତି ଦେବା ନିମନ୍ତେ ପ୍ରାର୍ଥନା କଲେ । ଏବଂ ଶେଷରେ ନୀରଜାଙ୍କୁ ବାରମ୍ବାର ମନେ ମନେ କହିବାକୁ ଲାଗିଲେ ଯେ, ମୁଁ ତୋ ସହ ଯୋଗାଯୋଗ କରିବାକୁ ଭଗବାନଙ୍କର ଅନୁମତି ନେଇଛି । ଏବେ ମୋ ସହ ଯୋଗାଯୋଗ କର । ଏକ ନୀରୋଳା, ପରିଷ୍କାର ପରିଚ୍ଛନ୍ନ ଘର ଭିତରେ ହାତରେ କଲମଟିଏ ଧରି ଓ ପାଖ୍ରେ ଗୋଟିଏ ନୋଟ୍ ବୁକ୍ ଧରି ସେ ବସିଥାନ୍ତି ।
କିଛି ଦିନ ଏପରି ହେବାପରେ ଧୀରେ ଧୀରେ ସେ ଧରିଥିବା କଲମଟି କାଗଜ ଉପରେ ଆପେ ଆପେ ଚାଲେ ଓ କେତେଗୁଡିଏ ଅର୍ଥହୀନ କୁଞ୍ଚିତ ରେଖା ସୃଷ୍ଟିହୁଏ । ଧୀରେ ଧୀରେ ସେ ଲେଖାଗୁଡିକ ଇଂରାଜୀ ଅକ୍ଷର ଓ ସଂପୂର୍ଣ୍ଣ ତଥା ଅର୍ଥପୂର୍ଣ୍ଣ ବାକ୍ୟରେ ପରିଣତ ହୁଏ । ଅକ୍ଟୋବର , ୧/୧୯୮୭ ଭୋର୍ ଛଅଟା ବେଳର ଲେଖାରେ ନୀରଜା ତାଙ୍କ ମା’ଙ୍କୁ ଜଣାଇଥିଲେ- ସବୁ ପ୍ରକାର ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ । ମନେରଖ ଯେ, ତୁମର କହିଲେ କିଛି ନାହିଁ । ସବୁବେଳେ ଖୁସି ରୁହ ଏବଂ ତୁମର ଆରାଧ୍ୟଙ୍କୁ ମାନି ଚଳ । ତାଙ୍କୁ ଭକ୍ତିକର ଏବଂ ତାଙ୍କ ପ୍ରତି ବିଶ୍ୱାସ ଭାଜନ ହୁଅ । ତୁମେ ମତେ ନିଶ୍ଚୟ ଭେଟିବ । ସବୁବେଳେ ମନେରଖ ଯେ, ତୁମେ ତୁମ ଅନ୍ତିମ ଯାତ୍ରାବେଳେ ସାଙ୍ଗରେ କିଛି ବି ନେଇ ଯାଇପାରିବ ନାହିଁ । ସାଙ୍ଗରେ ଯିବ କେବଳ ତୁମର ଉତ୍ତମ କର୍ମର ଫଳ । ତେଣୁ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କର ।
ସେହିଦିନ ୨.୨୦ ମିନିଟ୍ ବେଳେ ନୀରଜାଙ୍କ ବାର୍ତ୍ତା-ମା’ ତୁମେ ଏତେ ବିବ୍ରତ କାହିଁକି? ମୁଁ ତ ତୁମ ପାଖେ ପାଖେ ଅଛି । ତୁମେ ମୋତେ ଦେଖିପାରୁନାହଁ ସତ କିନ୍ତୁ ମତେ ଅନୁଭବ କରିବାକୁ ଚେଷ୍ଟାକର । ଦେଖ ମୁଁ ତୁମର ଖୁବ୍ ନିକଟରେ ହିଁ ଅଛି ।
ଯେତେ ବାର୍ତ୍ତା ନୀରଜା ମା’ଙ୍କ ପାଖକୁ ଦେଇଛନ୍ତି ସବୁର ଅନ୍ତଃସ୍ୱର ଏକା । ଏ ପୃଥିବୀର ସମସ୍ତ ହିଁ ମିଥ୍ୟା, ସତ୍ୟ କେବଳ ପରମେଶ୍ୱରଙ୍କର ପ୍ରାପ୍ତି ଓ ତାଙ୍କରି ଆଶୀର୍ବାଦ । ସେ ପ୍ରତିଥର ମା’ ମୁଁ ତୁମକୁ ଏଥିରୁ ମୁକ୍ତ କରି ନେଇଆସିବି । ତୁମେ ସବୁବେଳେ ଭଗବାନଙ୍କ ଇଚ୍ଛାରେ ଚଳ ନିଜ ମନକୁ ଓ ବିବେକକୁ ଫାଙ୍କିଦେଇ କିଛି କରନାହିଁ । ସତ୍ ଓ ନିଷ୍ଠାପର ହୁଅ । ଅସହାୟ, ଦୁଃଖୀଙ୍କୁ ସାହାଯ୍ୟ କର । ମୋର ପରମେଶ୍ୱର ତୁମକୁ ଭଲ ପାଆନ୍ତି ଓ ତୁମକୁ ସେ ସାହାଯ୍ୟ କରିବେ । ତୁମେ ଜୀବନର ସବୁ ପରୀକ୍ଷାରେ ସଫଳ ହେବ । ଅଧିକ ଉଚ୍ଚତର ଜୀବନ ବଞ୍ଚିବାକୁ ଚେଷ୍ଟାକର… । ତୁମେ ମତେ ମନେ ପକାଇଛ, ମତେ ଖୁବ୍ ଭଲ ଲାଗୁଛି ।
ନୀରଜାଙ୍କ ବାର୍ତ୍ତା ବାରମ୍ବାର ସେଇ ଗୋଟିଏ କଥାହିଁ ଦୋହରାଉଥିଲା । ଏବେ ଶ୍ରୀମତୀ ଭାନତ୍ ସପ୍ତାହକୁ ଦୁଇଥର ଲାଡୋ ସହ ଯୋଗାଯୋଗ କରୁଛନ୍ତି ଓ ତାଙ୍କ ପାଇଁ ଜୀବନର ଅର୍ଥ ଅନେକ ବଦଳିଯାଇଛି ।
ଜୀବନର ମିଛ ଆଡମ୍ବର ଅର୍ଥ, ପ୍ରତିପତ୍ତି ସାଂସାରିକ ମୋହଠାରୁ ମମତା ତୁଟାଇ ଚାଲିଛନ୍ତି ଶ୍ରୀମତୀ ଭାନତ୍ । ବମ୍ବେରେ ତାଙ୍କ ଫ୍ଲାଟ୍ ହୋଇଯାଇଛି ସହଜ, ସରଳ, ସାଧାରଣ । ସେ କମେଇ ଦେଇଛନ୍ତି ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟର ଅର୍ଥହୀନ ବୋଝକୁ ନିଜ ଉପରୁ । ଏବେ ସେ କେବଳ ଗୋଟିଏ ବିଶ୍ୱାସରେ ବଞ୍ଚୁଛନ୍ତି-
“ଲାଡୋ”ର ଦୁନିଆ ର୍ହି ପ୍ରକୃତରେ ସୁଖ, ଶାନ୍ତି, ପ୍ରେମର ଦୁନିଆ । ପବିତ୍ର, ସ୍ୱଚ୍ଛ ଆନନ୍ଦର ଦୁନିଆ । ଏବେ ତାଙ୍କର ଏକମାତ୍ର ଆଶ୍ୱାସନା ତାଙ୍କର ଅତି ଆଦରର ଝିଅ ଏକ ଆନନ୍ଦମୟ ଦୁନିଆରେ ଅଛି ଓ ତାଙ୍କ ରାହା ଦେଖୁଛି ।