ସେ ମରିଗଲା । ମରିଗଲା ନୁହେଁ ଯେ ତରିଗଲା ବୋଲି ଲୋକେ କୁହାକୁହି ହେଲେ । ଆଗପଛ ହୋଇ ବା କାନ୍ଦିବା ପାଇଁ ତାର ଆପଣାର କେହି ନ ଥିଲେ । ଅଥଚ ବଞ୍ଚଥିଲା ବେଳେ ସେ ସାରା ସଂସାରକୁ ଆପଣାର କରିଥିଲା ।
ଭାଙ୍ଗିବାର ଶପଥ ନେଇ ବୋଧହୁଏ ସେ ଜନ୍ମିଥିଲା । ଏତେ ସଂଗ୍ରାମ ପୁଣି ଜଣେ ମଣିଷ ନିଜ ସୀମିତ ଜୀବନ କାଳ ଭିତରେ କରି ପାରେ? ବେଳେ ବେଳେ ମୁଁ କମ୍ ଆଶ୍ଚର୍ଯ୍ୟ ହେଉନଥିଲି ନିଜ ପାଇଁ ସେ ଟିକିଏ ସୁଖ କି ମଥା ଉପରେ ଚେନାଏ ଆକାଶ ଖୋଜିଥାନ୍ତା ଭଲା । ସୁଖ ପଛରେ ଧାଇଁ ନଥିଲା ବୋଲି, ପାଇବା ହାରିବାର ହିସାବ ଜାଣିନଥିଲା ବୋଲି କି ନିଜ ସ୍ୱାର୍ଥ ଲାଗି କିଛି ସାଇତି ପାରିନଥିଲା ବୋଲି ଲୋକେ ତାକୁ ପାଗଳ ବୋଲି କହୁଥିଲେ ।
ତା ମୃତୁ୍ୟ ଖବରଟାକୁ ସହରବାସୀ ଏତେ ସ୍ୱାଭାବିକ ଭାବରେ ଗ୍ରହଣ କରିନେଲା ବେଳେ ମୁଁ କିନ୍ତୁ ଘଡ଼ିଏ କାଳ କାବା ହୋଇ ଯାଇଥିଲି । ଗୋଟାଏ ସଂଗ୍ରାମୀ ଜୀବନ ଉପରେ ପର୍ଦ୍ଦା ପଡ଼ିଗଲା ସବୁଦିନ ପାଇଁ । ବିଚରା ଚାଲିଗଲା, ଏହି ପଦକ ମୋ ପାଟିରୁ ସ୍ୱତଃ ବାହାରି ପଡ଼ିଥିଲା । ଯଦିଓ ମୋତେ ଜଣାଥିଲା ତା ମୃତୁ୍ୟରେ ଶୋଭାଯାତ୍ରା ବାହାରିବନି, ରେଡିଓ କି ଦୂରଦର୍ଶନରେ ଶୋକ ଖବର ପ୍ରଚାର ହେବନି କି ଖବର କାଗଜରେ ମୃତୁ୍ୟ ଖବର ପ୍ରକାଶ ପାଇବନି । କାରଣ ସେ ନେତା କି ମନ୍ତ୍ରୀ ନଥିଲା, ବଡ଼ ବଡ଼ ପଦବୀରେ ରହିନଥିଲା କି କୌଣସି ସରକାରୀ ଅର୍ଥ ଆତ୍ମସାତ କରି ଲୋକଲୋଚନକୁ ଆସିନଥିଲା । ଆତଙ୍କବାଦୀ, ମାଫିଆ ସର୍ଦ୍ଦାର, ଡାକୁ କି ଖୁନୀ ଥିଲେ ଅବା ତା କଥା ପ୍ରକାଶ ପାଇଥାନ୍ତା । ତା ଲାଗି ଇତିହାସ ବି କେବେ ଧାଡ଼ିଟିଏ ଲେଖିବନି କି ଦେଶର ଜାତୀୟ ପତାକା ମୁଣ୍ଡ ନଇଁବନି, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବ ନାହିଁ । ରାସ୍ତା କଡ଼ରେ ପ୍ରତିଦିନତ କେତେ ପୋକମାଛି ଭଳି ମରୁଛନ୍ତି । ସବୁ କଣ କେବେ ଭାଗବତର ଚରିତ୍ର ହୋଇପାରିବେ?
ତାର କିନ୍ତୁ ଭାଗବତ, ପୁରାଣର ବାଣୀ ଉପରେ ଆତ୍ମବିଶ୍ୱାସ ନଥିଲା । ସେ କୌଣସି ଗୀର୍ଜା ବା ମନ୍ଦିରକୁ ଯାଉନଥିଲା ପାପର ହିସାବ ପାଇଁ । ସେ ନିର୍ବିକାର ମଣିଷଟେ ଥିଲା । ଯାହାର ଓଠ କେବେ ଇଶ୍ୱରଙ୍କ ନାଁ ଉଚ୍ଚାରଣ କରୁନଥିଲା । ଗରିବ, ଭୋକିଲା ମଣିଷମାନେ ହିଁ ତାର ଇଶ୍ୱର ଥିଲେ । ଆଶ୍ଚର୍ଯ୍ୟ; ଏସବୁ ସତ୍ତ୍ୱେ ସେ ଦୈବୀ ଶକ୍ତିର ଅସ୍ତିତ୍ୱକୁ ମାନୁଥିଲା । ଅଥଚ ସେ ଶକ୍ତି ଯେ ମନ୍ଦିରର ପିତୁଳା ଭିତରେ, ପୂଜାର ଉପଢୌକନ ଭିତରେ ବନ୍ଦୀ ହୋଇପାରେ ଏକଥା ସେ ସ୍ୱୀକାର କରୁନଥିଲା । କୋରାନ୍ ବାଇବେଲ, ଗୀତା ସବୁ କିଛି ତା ଦୃଷ୍ଟିରେ ସମାନ ଥିଲା । ଶକ୍ତି ତା ପାଇଁ ଅନନ୍ତ । ତାହା ମଣିଷ ତିଆରି ଗ୍ରନ୍ଥ, ପିତୁଳା ଭିତରେ କେମିତି ରହିପାରିବ ବୋଲି ପ୍ରଶ୍ନ କରୁଥିଲା । ତାକୁ ନାସ୍ତିକ, ଅର୍ଧମୀ କହି ଅନେକ ନାକ ଟେକୁଥିଲେ । ଏଥିପାଇଁ ସେ କେବେ ଦୁଃଖ କରୁନଥିଲା । ଦୁଃଖ କରୁଥିଲା ଏଇଥି ପାଇଁ ଯେ ବର୍ତ୍ତମାନର ସମାଜରେ ମଣିଷ କେମିତି ମଣିଷକୁ ଠକୁଛି । ବିଶ୍ୱାସରେ ବିଷ ଦେଉଛି । ପାପ ପଛରେ, ମିଛ ପଛରେ, ଅର୍ଥ ପଛରେ ପାଗଳ ପରି ଧାଉଁଛି । ଧର୍ମକୁ ଆଖିଠାର ମାରୁଛି । ସେମାନେ କ’ଣ କରୁଛନ୍ତି ନିଜେ ବି ଜାଣନ୍ତି ନି ।
ଏ ସହରରେ ସଂଗ୍ରାମ ଅଛି । ଅନ୍ୟାୟ ବିରୋଧରେ ବିପ୍ଲବ ଅଛି । ବଞ୍ଚôବାରେ ପ୍ରତିଯୋଗିତା ଅଛି । ଅଛି ମଧ୍ୟ ମଣିଷ ଭିତରେ ଚନ୍ଦ୍ର ଜୟ କରିବାର ସ୍ୱାଭିମାନ । ଏ ସହରରେ ମଣିଷର ବେଶ୍ ଅର୍ଥ, ପ୍ରତିପତ୍ତି ଅଛି । ଆକାଶଶ୍ଚୁମ୍ବୀ କୋଠା ଅଛି । ହେଲେ ସତରେ ଏଠି ମଣିଷ ନାହିଁ । ମଣିଷର ସାମାନ୍ୟ ମାନବିକତା ନାହିଁ । ଏଠି ପ୍ରତିଯୋଗିତା ଅଛି କେବଳ ନିଜ ପାଖ ଲୋକକୁ ଅତିକ୍ରମ କରି ସ୍ୱାର୍ଥର ପାହାଡ଼ ଚଢ଼ି ଯିବାର ପ୍ରାଣାନ୍ତକ ପ୍ରଚେଷ୍ଟା । ଅଥଚ ମୋ ମତରେ ସେ ଗୋଟାଏ ମାତ୍ର ମଣିଷ ଥିଲା ଯାହା ପାଖରେ ଥିଲା ବିରାଟ ମାନବିକତା ଓ ପୃଥିବୀର ସମସ୍ତଙ୍କୁ ନିଜର ବୋଲି କହିବାର ତାକତ । ଦାନ କରି କେବେ ପ୍ରତିଦାନ ଖୋଜି ନାହିଁ । ବାହାବା ପାଇଁ ଲୋକଦେଖାଣିଆ ଉପକାର କରି ନାହିଁ । ଜୀବନ ସାରା ସେ କଣ ଖୋଜୁଥିଲା ତାକୁ ହିଁ ଜଣା । କେବଳ ସେ କହୁଥିଲା, “ ମୁଁ ଖୋଜୁଛି, ପ୍ରସ୍ତରୀଭୂତ ଯୁଗରୁ ହିଁ ଖୋଜି ଆସୁଛି । ସେଥିପାଇଁ କ୍ରୁଶ୍ରେ ଚଢ଼ିଛି, ନଈରେ ବୁଡ଼ିଛି, ନିଆଁରେ ପୋଡ଼ି ହେଇଛି । ବାରମ୍ବାର ସକ୍ରେଟିସ ସାଜି ବିଷ ପିଇଛି । ହେଲେ ଖୋଜିବା ଜିନିଷ ମୋତେ ମିଳିନାହିଁ ।”
ସେ ଆଦର୍ଶର ପ୍ରଚାରକ ନଥିଲା । କିନ୍ତୁ ଆଦର୍ଶକୁ ସମ୍ମାନ କରୁଥିଲା । ଖାଇପିଇ ଗାଈଗୋରୁ ଭଳି ଜୀଇଁବା, ସିମେଣ୍ଟ କଂକ୍ରିଟର ପଥର ଘରେ ନିଜକୁ ସୁରକ୍ଷିତ କରି ରଖିବାର ଜୀବନକୁ ସେ ବଞ୍ଚôବା କହୁନଥିଲା । ମଣିଷ କ୍ରମଶଃ ଜୀଅନ୍ତା ଶବ ପାଲଟି ଯାଉଛି ବୋଲି ଅନେକ ସମୟରେ ସେ ଦୁଃଖ କରୁଥିଲା । ତା ଦୁଃଖର ଚମକରେ ପକ୍ଷୀର ଗୀତ ବନ୍ଦ ହୋଇ ଯାଉଥିଲା । ଝରଣାର ସୁଅ ଥମି ଯାଉଥିଲା । ସେ କିନ୍ତୁ ନବଗୁଞ୍ଜର ନଥିଲା ।
ଅତି ଆକସ୍ମିକ ଭାବରେ ତା ସହ ମୋର ପରିଚୟ । ପୁଣି ମଶାଣିରେ । ମୋ ମାଆଙ୍କ ଶବରେ ନିଅାଁ ଦେଇ ମୁଁ ଲୁହ ସମ୍ବରଣ କରି ପାରୁନଥିଲି । ଶବ ଜଳିବାକୁ ଆରମ୍ଭ କରିଥିଲା । ଆକାଶ ଉପରେ ଧୂଆଁର କୁଣ୍ଡଳି ଖେଳାଇ ଯାଉଥିଲା । ଅତୀତର ସ୍ମୃତି ଆଉ ବର୍ତ୍ତମାନର ଦୁଃଖଦ ହୃଦୟ ବିଦାରକ ସତ୍ୟକୁ ସାମ୍ନା କରି ମୁଁ ଅସହାୟ ଭାବରେ ମୋର ଦୁଇ ହାତ ଭିତରେ ମୁହଁ ଗୁଞ୍ଜିଥିଲି । ସେତିକି ବେଳେ ସେ ସେଇଠି ପହଞ୍ଚô ଯାଇଥିଲା । ଗୋଟାଏ ରୁକ୍ଷ, ଧୂସର, ଘରଛଡ଼ା ମଣିଷ । ମୋତେ ସାନ୍ତ୍ୱନା ଦେଇ କହି ଚାଲିଥିଲା, ପୁଣି ମାୟାରେ ପଡ଼ୁଛ? ଜଣେ ତ ମାୟାର ଜାଲ ଛିଣ୍ଡାଇ ଚାଲିଗଲା । ମାୟା ହେଲା ଘୋର ସଂସାର, ସେଠୁ ମୁକ୍ତ ହୁଅ । ଆମେ ସମସ୍ତେ ନିଶ୍ଚେ ଯିବା ଆଜି କାଲି ହେଇ ଏକଥା ବୁଝିପାରୁନ କିଆଁ? ସବୁ ମିଛ ଅଳିକ । ମୋତେ ଚାହଁ । ମୋର ଘର ଅଛି ନା ଦ୍ୱାର । ସବୁକୁ କଟାଇ ଦେଇଛି । ସୃଷ୍ଟି ଛଡ଼ା ପାଲଟିଛି । ନହେଲେ କିଛି କରିପାରିବନି । ଆମର ଅନେକ କିଛି କରିବାର ଅଛି ।”
ସେ କିଏ? କୋଉଠୁ ଆସିଥିଲା? ପଚାରିବାକୁ ଇଚ୍ଛା ହେଲା ବେଳକୁ ସେ ଯିବାକୁ ଆରମ୍ଭ କରିଥିଲା । ଗଲାବେଳେ କହୁଥିଲା, ତମେ ମାନେ ସମସ୍ତେ ପାଗଳ । ହଜିଲା ଧନକୁ ଖୋଜି ହୁଅ । ତା ପାଇଁ ଲୁହଗଡ଼ାଇ ନିଜକୁ ଦୁର୍ବଳ କରିଦିଅ । ହେଲେ କର୍ମର ହିସାବ ଖୋଜନା ଭାଇ । ଖାଲି କର୍ମ କରିଯାଅ ।
ତା କଥା ସବୁ ମୋ ଚାରିପଟେ ବାରମ୍ବାର ପ୍ରତିଧ୍ୱନି ସୃଷ୍ଟି କରିଥିଲା । କେଉଁ ଦୂର ପାହାଡ଼ର ବିଶଲ୍ୟକରଣୀ ପରି ସେମାନେ ମୋ କ୍ଷତ ଉପରେ ଲେପ ସୃଷ୍ଟି କରୁଥିଲେ । ମୋ ମନ ଉପତ୍ୟକାରେ ତାର ମୁହୂର୍ତ୍ତକ ଆବିର୍ଭାବ ସତେକି ମୋ ଜୀବନର ସମସ୍ତ ଲକ୍ଷ୍ୟ, ଅଭିଳାଷକୁ ଦୋହଲାଇ ଦେଇଥିଲା । ମୁଁ ମୋ ଛାତିର କ୍ଷେତ୍ରରେ ପ୍ରଥମଥର ଅନୁଭବ କରୁଥିଲି ଗୋଟାଏ ନୂଆ ଗଜାର ଅଙ୍କୁରୋଦ୍ଗମ । ତାର ସୁଗନ୍ଧ କେବଳ ମୋତେ ଆମୋଦିତ କରି ନଥିଲା, ମୋର ସମଗ୍ର ଚେତନାକୁ ବଦଳାଇ ଦେଇଥିଲା ।
ତା ପରେ ମୁଁ ତାକୁ ଅନେକ ଖୋଜିଛି । ସମସ୍ତେ କହିଥିଲେ ସେ ଗୋଟାଏ ସୃଷ୍ଟିଛଡ଼ା ପାଗଳ । ସମସ୍ତଙ୍କୁ ସେ ଏମିତି ୟାଡୁସ୍ୟାଡ଼ୁ କହେ । ଯେତେବେଳେ ଦ୍ୱିତୀୟବାର ତା ସହିତ ମୋର ଦେଖା ହୋଇଥିଲା, ପିଲାମାନେ ତା ଉପରକୁ ଛୋଟ ଛୋଟ ଗୋଡ଼ିପଥର ଫିଙ୍ଗୁଥିଲେ । ସେ ରକ୍ତାକ୍ତ ହୋଇଗଲା ପରେ ବି କହୁଥିଲା, “ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ନିଜେ ବି ଜାଣନ୍ତିନି ।”
ଜୀବନ ପ୍ରତି ତାର ଥିଲା ଏକ ଅନାସ୍ଥା ଭାବ । ସଂସାର ତାକୁ ନିର୍ବାସିତ କରିଥିଲା । କିନ୍ତୁ ସେ ସଂସାରକୁ ଦେଖି ମିଛମାୟା ବୋଲି ବାରମ୍ବାର କହୁଥିଲା । ସୁଖ ପଛରେ ଧାଉଁଥିବା ମଣିଷକୁ ଦେଖି ବିଚରା କହି ବ୍ୟଙ୍ଗ କରୁଥିଲା । ସେ ଅସୁସ୍ଥ ଶୁଣି ମୁଁ ତା ପାଖକୁ ଯାଇଥିଲି । ଦେଖିଥିଲି ‘କରି କରାଉ ଥାଉ ତୁହି’ ଶ୍ରକୃଷ୍ଣର ବିଶ୍ୱରୂପକୁ । ମୋତେ ଦେଖି କହିଥିଲା, ପ୍ରଳୟ ଆସିଯାଇଛି । ମୁଁ ସେ ପ୍ରଳୟର ଶୁଭ ଶଙ୍ଖ ଶୁଣିପାରୁଛି । ସେ ପ୍ରଳୟକୁ ଆଣିବାକୁ ମୋତେ ହିଁ ଯିବାକୁ ପଡ଼ିବ । ପ୍ରଳୟ ନ ଆସିଲେ ନୂଆ ସୃଷ୍ଟି କେବେ ସମ୍ଭବ ହେବ ନାହିଁ । ସେ ମୁରୁକି ହସୁଥିଲା । ମୁଁ ତା ଭିତରେ ଦେଖୁଥିଲି ଏକ ନୂଆ ଅନିନ୍ଦ୍ୟ, ଅନନ୍ୟ ରୂପକୁ । ସେ ସହସ୍ର ସହସ୍ର ଅବତାରରେ ରୂପାନ୍ତରିତ ହୋଇଯାଉଥିଲା ଯେମିତି ।
ଗଢ଼ିବା ପାଇଁ ସେ ଭାଙ୍ଗିବାର ଶପଥ ନେଇ ଆସିଥିଲା । ସେଇ ଶପଥ ନେଇ ବି ଚାଲିଗଲା । ଅଥଚ ସତରେ କଣ ସେ ପ୍ରଳୟକୁ ନେଇ ଆସିବ? ସେ କି ପ୍ରକାର ପ୍ରଳୟର କଥା କହୁଥିଲା? ଯୁଗେ ଯୁଗେ ପ୍ରଳୟ ଆସିଛି । ନୂଆ ସୃଷ୍ଟି ହେବା ପାଇଁ କ୍ଷୀର ସମୁଦ୍ରରେ ଅନନ୍ତ ଶଯ୍ୟା ମେଲା ଯାଇଛି । ପୁଣି ନୂଆ ପୃଥିବୀରେ ସୂର୍ଯ୍ୟ ହସିଛି । ପୁଣି ଗଛ ଉଠିଛି । ଫୁଲ ଫୁଟିଛି, ଫଳ ଧରିଛି । ନୂତନ ଜୀବନ ସଞ୍ଚାର ହୋଇଛି । ହେଲେ ସେ କେଉଁ ନୂତନତା ପାଇଁ ଏତେ ବ୍ୟାକୁଳ ଥିଲା? ତା ପାଖରେ କାହିଁକି ଏ ସଂସାର ଏତେ ମିଛ ପାଲଟି ଯାଇଥିଲା । ? ସତ୍ୟ ଠାରୁ କ’ଣ ଆହୁରି ଏକ ବୃହତ୍ତର ସତ୍ୟର ସେ ଉପାସକ ଥିଲା?
ଯୁଗେ ଯୁଗେ ଏମିତି ଆଦର୍ଶ ପ୍ରଚାର ପାଇଁ କୃଷ୍ଣ ଅର୍ଜ୍ଜୁନଙ୍କୁ ଉପଦେଶ ଦେଇଛନ୍ତି । ମହମ୍ମଦ ଆସିଛନ୍ତି, ଯୀଶୁ, ବୁଦ୍ଧ ଆସିଛନ୍ତି । କୋରାନ, ଭାଗବତ, ବାଇବେଲ, ତ୍ରିପିଟକ ରଚିତ ହୋଇ ମହାବୀର ତାଙ୍କର ବାଣୀ ପ୍ରଚାର କରିଛନ୍ତି । ଚୈତନ୍ୟ ତାଙ୍କର ଉତ୍ତାଳ ଭକ୍ତି ସ୍ରୋତରେ ଓଡ଼ିଆ ଜାତିକୁ ଭସାଇ ଦେଇଛନ୍ତି । ଜଗନ୍ନାଥ ଦାସିଆ ବାଉରିର ନଡ଼ିଆ ନେଇ ଭକ୍ତର ମାନ ରଖିଛନ୍ତି । ହେଲେ ପରିବର୍ତ୍ତନ କାହିଁ? ବରଂଚ ଆମେ ଗାନ୍ଧୀଙ୍କ ଛାତିରେ ଗୁଳି ମାରି ପାରିଛୁ । ସମସ୍ତେ କ୍ରମଶଃ ଇତିହାସ ପାଲଟି ଯାଇଛନ୍ତି । ଇତିହାସର ସ୍ୱର୍ଣ୍ଣ ଅକ୍ଷର ଭିତରେ ବନ୍ଦୀ ହୋଇଯାଇଛନ୍ତି । ବିଜ୍ଞାପନ ପୋଷ୍ଟର ପାଲଟି ଯାଇଛନ୍ତି । ଡ୍ରଇଂ ରୁମର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କାଚ ଫ୍ରେମ୍ ଭିତରେ ବନ୍ଦୀ ପାଲଟି ଯାଇଛନ୍ତି । ସେମାନଙ୍କର ସତ୍ୟ, ଜୀବନର ଦର୍ଶନ ବି କେବଳ ଗ୍ରନ୍ଥ ଭିତରେ ରହିଯାଇଛି । ତାକୁ ସଂସାର ଇତିହାସ କହିଛି, ଅତୀତ କହିଛି । ନିତିଦିନିଆ ଜୀବନ ଭିତରେ ସେମାନେ ତାଜା ସ୍ମୃତି ନୁହଁନ୍ତି । ତାଙ୍କ ଉପରେ ତ ଗତାୟୁ ଦିନର ବହଳ ଧୂଳିର ଆସ୍ତରଣ ।
ସେ ତେଣୁ ଏମିତି ଏକ ଚରିତ୍ର ଥିଲା ଯିଏ ପ୍ରଳୟକୁ ଡ଼ାକିବାକୁ ହିଁ ମରଣ ଯାତ୍ରା ଆରମ୍ଭ କରିଥିଲା । ତାକୁ ମୃତୁ୍ୟ ସ୍ପର୍ଶ କରି ନିଜକୁ ନିଶ୍ଚେ ଧନ୍ୟ ମନେ କରିଥିବ ।
ସେ ଚାଲି ଯାଇଛି ଶୁଣି ମୁଁ ସେମିତି ଆକାଶକୁ ଆଁ କରି ଠିଆ ହୋଇଥିଲି । ସବୁ ଶବ୍ଦ ହଜି ଯାଇଥିଲା । ମୋ ଚାରିପଟର ପବନ ଯେମିତି ସ୍ଥିର ହୋଇଯାଇଥିଲା । ତାର ମୃତୁ୍ୟ ସତରେ କଣ ଏକ ସକାଳର ଜନ୍ମ ଲଗ୍ନ ଘୋଷଣା କରିବ? କେତେ ଦିନ ପୁଣି ସେହି ନୂଆ ସକାଳ ପାଇଁ ଅପେକ୍ଷା କରିବାକୁ ପଡ଼ିବ?
ମୁଁ ତା ପାଇଁ ଉଚ୍ଚାରଣ କରୁଥିଲି ଅନ୍ତିମ ମନ୍ତ୍ର-
“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ ନ ଚୈନଂ କ୍ଲେଦୟାତ୍ନ୍ୟାପୋନ ଶଷୋୟତି ମାରୁତଃ”