ଭାଇଙ୍କ ଚିଠି ପଢ଼ିସାରିବା ପରଠାରୁ ସୁକାନ୍ତର ଫୁଲାଫାଙ୍କିଆ ମନଟାରେ ଆପଣାଛାଏଁ ଲଗାମ ଲାଗିଯାଇଥିଲା ।
ଚିଠିତ ନୁହଁ ଆଞ୍ଜୁଳାଏ ରକ୍ତ ପଠାଇଥିଲେ ଭାଇ ତା’ ପାଖକୁ । ଯିଏ ସେ ଚିଠି ପଢ଼ିବ ତା ଛାତି ଭିତରଟା ହାହାକାର କରି ଉଠିବ ।
ଲୁହଲହୁକୁ ଏକାଠି କରି ମୋ ଦେହରୁ ପୋଷ ପୋଷ ଝାଳ ନିଗାଡ଼ି ଯାହା ରୋଜଗାର କରୁଛି, ସେଥିରୁ ଅଧେ ଖାଇ ଅଧେ ଦିନ ଉପାସ ରହି ବାକିତକ ଟଙ୍କା ତୋ ପାଖକୁ ପଠାଉଛି । ତୁତ ନିଜ ଆଖିରେ ଦେଖି ଯାଇଥିଲୁ; ଏ ବର୍ଷା-ବନ୍ୟାରେ ଜମି ଉପରେ ବାଲିଚର ମାଡ଼ିଯାଇଛି, କୁଶ କଅଁଳିବାକୁ ନାହିଁ । ପ୍ରଳୟଙ୍କରୀ ବାତ୍ୟାରେ ଭାଙ୍ଗିଯାଇଥିବା ଘରଟାକୁ ସଜାଡ଼ୁ ସଜାଡ଼ୁ ନାହିଁନଥିବା ବନ୍ୟା ଆସି ପୁଣି ତା ମେରୁଦଣ୍ଡ ଭାଙ୍ଗି ଦେଇଗଲା । ଘରେ ସାତପ୍ରାଣୀ ମୋ ବେକରେ ବନ୍ଧା । ଆମେ କେମିତି ଚଳୁଛୁ, ଦିନରାତି ଯେ କରୁଛି ସେ ଜାଣୁଛି । ତୁ ହିଁ ଏକମାତ୍ର ଭରସା ଏ ପରିବାରର । ବଜାର ସହର ଜାଗା । ସହରରେ ସମୟର ଡ଼େଣା ଲାଗିଥାଏ, ତୁ ତାକୁ ବିନିଯୋଗ ନକରିପାରିଲେ ସେ ଫୁରୁକିନା ଉଡ଼ିଯିବ । ତୁ ବଡ଼ ହେଲୁଣି, ମୋଠାରୁ ବି ଅଧିକ ପଢ଼ିଲୁଣି, ସବୁ ତୋ ବିଚାର ।
ଆଉ କେତେ କେତେ କଥା ଲେଖାଯାଇଥିଲ । ତାହା କ୍ରମେ କ୍ରମେ ସୁକାନ୍ତର ଆଖିକୁ ଅସ୍ପଷ୍ଟ ଦିଶୁଥିଲା । ଭାଇ ନିଚ୍ଛକ ସତକଥା ଲେଖିଥିଲେ । ସେ ତା’ ଘରର ଆର୍ଥିକ ସମସ୍ୟା ବିଷୟରେ ସବୁ ଜାଣେ । ଆହୁରି ମଧ୍ୟ ଜାଣେ ଭାଇଭାଉଜ ତାକୁ କେତେ ଭଲ ପାଆନ୍ତି ।
ସୁକାନ୍ତର ମନେ ପଡ଼ୁଥିଲା, ‘ଭାଇଙ୍କ ପାଇଁ ସାଲଟିଏ କିଣି ମନଖୁସିରେ ଛୁଟୀରେ ଘରକୁ ଯାଇଥିଲା । ଭାଉଜଙ୍କୁ ସାଲଟା ଆଟାଚରୁ କାଢ଼ି ଦେଲାବେଳେ ଓଠରେ ହସ ଖେଳାଇ ମୃଦୁ ଗାଳି ଦେଇଥିଲେ ତାକୁ । କେତେ ବା ଟଙ୍କା ଭାଇ ପଠାଉଛନ୍ତି, ସେଥିରୁ ବଳାଇ ତମେ ସାଲ କିଣିବା କ’ଣ ଦର୍କାର? ଘରୁ ବାହାରିବା ଦିନ ଭାଉଜ ଜୋର ଜବରଦସ୍ତ ପୁଣି ସେଇ ଆଟାଚରେ ସାଲଟାକୁ ପୁରାଇ ଦେଇଥିଲେ । ଯେତେ କହିଲେ ବି ସେ ସୁକାନ୍ତର କଥା ମୋଟେ ଶୁଣୁନଥିଲେ ବରଂ ତାକୁ କହୁଥିଲେ ତୁମ ନାଁ ପାଗଳା ଦେଇ ବାପା ବୋଉ ଠିକ୍ କରିଛନ୍ତି । ଭାଇଙ୍କର ସାଲ କ’ଣ ହେବ । ସହର ଜାଗା, ହଷ୍ଟେଲରେ ରହୁଛ, ପିଲାଙ୍କ ସାଙ୍ଗରେ ମିଶୁଛ । ତମେ ଏଇଟା ବ୍ୟବହାର କର । ଶୋଭା ପାଇବ । ତମେ ଚାକିରୀ କଲେ ଭାଇଙ୍କ ପାଇଁ କିଣି ଦେବନି?
ସୁକାନ୍ତର ମନ ଅସ୍ଥିର ହେଉଥିଲା । ସାଙ୍ଗମାନେ ଡାକୁଥିଲେ ଷ୍ଟେସନ୍ ଆଡ଼େ ବୁଲିଯିବା ପାଇଁ । ମନା କରିଦେଲା ।
ନାଁ, ଆଉ ନୁହେଁ । ବହୁତ ବୁଲା ହୋଇଗଲାଣି । ପରୀକ୍ଷା ବି ପାଖେଇ ଆସିଲାଣି । ଭାଇ ଜାଣିଶୁଣି ଠିକ୍ ସମୟରେ ଚିଠି ପଠାଇଛନ୍ତି ।
ମନେ ମନେ ଶପଥ କରିନେଲା ସୁକାନ୍ତ ପରୀକ୍ଷା ସରିବା ପର୍ଯ୍ୟନ୍ତ ବଜାର ବୁଲିବା ବନ୍ଦ, ସିନେମା ଦେଖା ବନ୍ଦ ଓ ରାତିରେ ଷ୍ଟେସନରେ ଘୁରିବା ବନ୍ଦ ।
ପାଠପଢ଼ାରେ ମନଧ୍ୟାନ ନଦେଲେ ଶେଷରେ ତିନି ପାଞ୍ଜିରୁ ଯିବ । କେତେ ଆଶା ଓ ଭରସା ଭାଇ ଓ ଭାଉଜ ତା’ ଉପରେ ରଖିଛନ୍ତି । ବାପା ବୋଉଙ୍କ ମୃତ୍ୟୁ ପରେ ସେମାନେ ହିଁ ତା’ର ସବୁକିଛି ।
ସନ୍ଧ୍ୟାରେ ଠାକୁରଙ୍କ ଧୂପ ଦେଇ ଟେବୁଲ ବହିପତ୍ର ସଜାଡ଼ି ନେଲା ସୁକାନ୍ତ ।
ଠିକ୍ ଏଇ ସମୟରେ କବାଟରେ ଖଡ଼ ଖଡ଼ ଶବ୍ଦ ହେଲା ।
ମନରେ ରାଗ ଓ ବିତୃଷ୍ଣା ନେଇ ସେ କବାଟ ଖୋଲିଲା । କବାଟ ଫିଟାଇ ଦେଖିଲା ବେଳକୁ ତା’ ଗାଁ’ର ଦିଗା ଭାଇ ଆଉ ଦୁଃଖୀ ଭାଉଜ ସାଙ୍ଗରେ ତାଙ୍କ ଛୋଟ ପୁଅ ।
ସେ ଭାବିଥିଲା କ’ଣ, ଏବେ ଘଟିବାକୁ ଯାଉଛି କ’ଣ? ମନରେ ମନକଥା ରଖି ହସ ହସ ମୁହଁରେ ରୁମ୍କୁ ଡାକି ଖଟରେ ବସାଇଲା ।
ସୁକାନ୍ତର ମନକଥା ଜାଣିଲା ପରି ଦିଗାଭାଇ ଆଗ ମୁହଁ ଖୋଲିଲେ, କ’ଣ କରିବୁ ଆମେ କହ! ଭଗବାନ ଆମ ସହିତ କାହିଁକି ଏ ଦାଉ ସାଧୁଛନ୍ତି କେଜାଣି । ପାଞ୍ଚ ଛଅ ଦିନ ହେବ ଆମ ଚୂଲି ଅଜଳା । ପିଲାଟା ମୋଟେ ଶୋଇପାରୁନି କି ଖେଳି ପାରୁନି । ଖାଲି କାନ୍ଦୁଛି ଦିନରାତି । ଅଦ୍ଭୂତ ଏ ରୋଗ । ଆଖି କାନ ଉଠିଲା ଦିନୁ ଦେଖି ନଥିଲି କି ଶୁଣିନଥିଲି । ପୁଅ ପାଟିର ଡାହାଣପଟ କଳ ମାଂସ ଉପରେ ଗୋଟାଏ ଦାନ୍ତ ଉଠୁଛି । ୟାଡ଼େ ପିଠିରେ ଗୋଟାଏ ବଥ ତାକୁ ଏତେ ଯନ୍ତ୍ରଣା ଦେଉଛି, ଭାରି କଷ୍ଟ ପାଉଛି ପିଲାଟା । ଆଖ ପାଖରେ ଯେତେ ଡାକ୍ତର ପାଖକୁ ଗଲୁ, ପୁଅର ଏ ଅବସ୍ଥା ଦେଖି ସମସ୍ତେ ତାଜୁବ । ଶେଷରେ ପରାମର୍ଶ ଦେଲେ ଏଠିକୁ ନେଇ ଆସିବାକୁ । ତୁତ ଏଠି ଅଛୁ, ଭାବିଲି ତୋ ସହ ପରାମର୍ଶ କରି ଯାହା ହେବ କରିବି । ଧାର କରଜ କରି ପଳାଇ ଆସିଲି ।
କୌତୁହଳ ସମ୍ଭାଳି ନପାରି ମୋ ରୁମ୍ରେ ଥିବା ସାଙ୍ଗ ଓ ମୁଁ ଦୁହେଁ ଦେଖିବାକୁ ଚାହିଁଲୁ ପ୍ରକୃତରେ ଅବସ୍ଥା କ’ଣ ହୋଇଛି । ଆମକୁ ଡରି ଛାନିଆ ହେଲା ପୁଅ । କାନ୍ଦିବାକୁ ଲାଗିଲା । ଭାଉଜ ତାକୁ ବୁଝାଇ କୋଳରେ ଧରିଲେ । ବହୁ କଷ୍ଟରେ ସେ ପାଟି ମେଲା କଲା । ପାଟିରେ ଯାହା ଦେଖିଲୁ ଆଶ୍ଚର୍ଯ୍ୟ ହୋଇଗଲୁ । ଧଳାଦାନ୍ତ ପରି ଦିଶୁଛି କଳ ମାଂସ ଉପରେ । ସେ ଥରେ ହାତ ମାରିଲା ବେଳକୁ ଜାଗାଟା ଟାଣ ଟାଣ ଲାଗୁଥିଲା । ପୁଣି ପିଠିରେ ବଥଟା କଇଁଥା ବାଇଗଣ ପରି ଦିଶୁଥିଲା ।
ମନେ ମନେ ହସିଲା ସୁକାନ୍ତ । ଏ ତା’ ପାଇଁ ଆଉ ଏକ ପରୀକ୍ଷା । ବହୁ ଆଶା ନେଇ ଦିଗା ଭାଇ ଓ ଭାଉଜ ଆସିଛନ୍ତି ଯେତେବେଳେ, ଯାହା ହେଲେ ତାଙ୍କୁ ସାହାସ ଦେବାକୁ ହେବ ।
ଭରସା ଦେଲା ସୁକାନ୍ତ । କିଛି ବ୍ୟସ୍ତ ହେବାର ନାହିଁ । ଠିକ୍ କରିଛ ପଳାଇ ଆସିଛ । କାଲି ସକାଳେ ଆଉଟ୍ ଡ଼ୋରରେ ଆଗ ଦେଖାଇବା । ଦରକାର ପଡ଼ିଲେ ଭଲ ପ୍ରଫେସରଙ୍କ ସହ ପରାମର୍ଶ କରିବା, ବଥ ପାଇଁ ମୋଟେ ଚିନ୍ତା କରନା । ଏ କାମ ସାଧାରଣ ନର୍ସଟିର । କେବଳ ଦାନ୍ତ ଉଠିବା କଥାଟା ଆମ ପାଇଁ ଯାହା ସମସ୍ୟା ହେବ । ଲୁଙ୍ଗିଟା ଦିଗା ଭାଇଙ୍କ ହାତକୁ ବଢ଼ାଇ ସୁକାନ୍ତ କହିଲା ବଦଳାଇ ଦିଅ । ସେ ସବୁ ଜିନିଷ ସାଙ୍ଗରେ ନେଇ ଆସିଥିଲେ । ସୁକାନ୍ତ ପାଇଁ ବି କିଛି ବଡ଼ି, ଆମ୍ବ ଆଚାର ଓ ମୂଢ଼ି ଓ ବାଦାମ ଲଡ଼ୁ ସାଙ୍ଗରେ ଆଣିଥିଲେ ।
ସୁକାନ୍ତ ରୁମ୍ରେ ରହୁଥିବା ପିଲାଟି ଅନ୍ୟ ରୁମ୍ରେ ଶୋଇବାକୁ ଚାଲିଯାଇଥିଲା । ରାତିରେ ଭାଉଜଙ୍କ ସହ କଥା ହେଲା ସୁକାନ୍ତ । ତାଙ୍କ ମୁହଁରେ ଆସନ୍ନ ଝଡ଼ର ସମ୍ଭାବନା ଦେଖି ସୁକାନ୍ତର ହୃଦୟ ବିଗଳିତ ହୋଇଗଲା । କ’ଣ ହେବ ତାଙ୍କର ଏକମାତ୍ର ପୁଅର ଅବସ୍ଥା? ବିବାହର ବହୁ ବର୍ଷ ପରେ ଈଶ୍ୱର ତାଙ୍କର ଶୂନ୍ୟ କୋଳକୁ ପୂର୍ଣ୍ଣ କରିଥିଲେ । ତା’ର ପୁଣି ଏ ଅବସ୍ଥା ।
ସୁକାନ୍ତ ଶାନ୍ତ୍ୱନା ଦେଉଥିବା ସମୟରେ ଭାଉଜ ଝର ଝର କରି କାନ୍ଦି ପକାଇଲେ ।
ସୁକାନ୍ତକୁ ରାତିରେ ଭଲ ନିଦ ହେଲା ନାହିଁ । ତା’ ପାଇଁ ଏହା ଏକ ବିଷମ ପରୀକ୍ଷା । କେତେ ଆଶା ଓ ଭରସା ନେଇ ଭାଇ ଭାଉଜ ଆସିଛନ୍ତି ତା’ ପାଖକୁ । ଗାଁକୁ ଛୁଟିରେ ଗଲେ ସବୁ ସମୟତକ କାଟୁଥିଲା ଏଇ ଦିଗା ଭାଇଙ୍କ ଘରେ । ଦୁଃଖୀ ଭାଉଜ ତାକୁ ନିଜ ଭାଇଠାରୁ ଅଧିକ ଶ୍ରଦ୍ଧା କରୁଥିଲେ । କେତେ ଭଲ ମଣିଷ ଏହି ଦୁଃଖୀ ଭାଉଜ । ମାଟି୍ରକ୍ ପାଶ୍ କରିଥିବା ବୋହୂ ଭାବରେ ସୁକାନ୍ତର ଗାଁରେ ସେ ହେଉଛନ୍ତି ପ୍ରଥମ । ସ୍ୱଭାବରେ ତାଙ୍କର ଯାଦୁ ଥିଲା କି କ’ଣ, ଗାଁର ଝିଅମାନଙ୍କର ଭିଡ଼ ଜମୁଥିଲା ତାଙ୍କ ଘରେ । କିଏ ଚିଠି ଲେଖିବାକୁ ଆସୁଥିଲା ତ କିଏ ଫଟୋ ବୁଣା ଶିଖୁଥିଲା । କିଏ କାଇଞ୍ଚଡାଲା ତିଆରି ଶିଖୁଥିଲା ତ କିଏ ସିଉଟର ଓ ମଫଲର ବୁଣା ଶିଖୁଥିଲା ।
ସବୁ କାମରେ ଥିଲେ ଯେମିତି ସିଦ୍ଧ ହସ୍ତା । ଦାନ ପଣରେ ଥିଲେ ସେମିତି ଅନ୍ନପୂର୍ଣ୍ଣା । ସ୍ନେହୀ ଯେମିତି, ମେଳାପୀ ମଧ୍ୟ ସେମିତି । ସଦାବେଳେ ହସ ହସ ମୁହଁ ।
ଆଉ ଦିଗା ଭାଇ । ତାଙ୍କର ସ୍କୁଲ ଭଲ ତ ସେ ଭଲ । ବର୍ଷା ଝଡ଼ି ତୋଫାନରେ ବି ସେ ସ୍କୁଲ ବନ୍ଦ କରୁନଥିଲେ । ଆଗ କାଳରେ ମାଟି୍ରକ୍ ସିଟି । ପରେ ଆଇ.ଏ. ଆଉ ବି.ଏ ପ୍ରାଇଭେଟ୍ ପରୀକ୍ଷା ଦେଇ ପାଶ୍ କରିଥିଲେ । ଘର ପାଖ ମାଇନର ସ୍କୁଲର ଶିକ୍ଷକ । ଗାଁ’ରେ ଯାହାର ଯାହା ହେଲେ ଆଗ ଠିଆ ହେଉଥିଲେ ଦିଗା ଭାଇ । ସୁକାନ୍ତ ଦିଗାଭାଇଙ୍କ ପାଖରେ ଅଙ୍କ ପଢ଼ିଛି । ଅଙ୍କରେ ଭାରି କମ୍ପିଟାଣ୍ଟ ଟିଚର୍ । ଭାରି ଚୁପ୍ଚାପ୍ ମଣିଷ ।
ଦିଗାଭାଇ ଶୋଇଗଲେଣି ହେଲେ ଭାଉଜ ଶୋଇପାରୁନଥିଲେ । ପୁଅଟା ମଝିରେ ମଝିରେ କାନ୍ଦୁଥିଲା । ସେ ତାକୁ କୋଳକୁ ଟାଣି ନେଇ ପ୍ରୋବଧୁ ଥିଲେ । ଏକୋଇର ବଳା ବିଶିକେଶନ । ଏ ଅବସ୍ଥା ପାଇଁ ଭାଉଜ ଏକବାରେ ଭାଙ୍ଗି ପଡ଼ିଥିଲେ । ସୁକାନ୍ତର ଆଉ ବୁଝିବାକୁ ବାକି ରହିଲା ନାହିଁ । ସତକଥା । ନିଶ୍ଚେ ପୁଅର ଅବସ୍ଥା ଦୁହିଁଙ୍କୁ ମର୍ମାହତ କରିଥିବ । କେତେ କେତେ ଚିନ୍ତା ଓ ଦୁଶ୍ଚିନ୍ତା ମନ ଭିତରକୁ ପଶି ଆସୁଥିବ ପୁଅକୁ ନେଇ । ଏକମାତ୍ର ପୁଅ, କ’ଣ ନାଇଁ କ’ଣ ଯଦି ହୋଇଯାଏ ।
‘ହେ ଭଗବାନ!’ ସ୍ୱଗତୋକ୍ତି କଲାପରି ସୁକାନ୍ତର ପାଟିରୁ ବାହାରି ପଡ଼ିଲା । ମନେ ମନେ ଇଶ୍ୱରଙ୍କୁ ସ୍ମରଣ କଲା । ରାତି ପାହୁ ଆଗ ।
ଅଧାଶୁଆ ଅଧା ଚିଆଁରେ ରାତି ପାହି ସକାଳ ହେଲା ।
ସୁକାନ୍ତ ଓ ଦିଗାଭାଇ ଗୋଟିଏ ସାଇକେଲରେ ଓ ଦୁଃଖୀ ଭାଉଜ ଓ ପୁଅ ଗୋଟିଏ ରିକ୍ସାରେ ଡାକ୍ତରଖାନକୁ ଚାଲିଲେ ।
ଆଉଟ୍ଡ଼ୋରରେ ରୋଗର ବିବରଣୀ କହି ଟିକେଟ୍ଟି କଲା ସୁକାନ୍ତ । ପ୍ରଥମେ ଇ.ଏନ୍.ଟିରେ ଦେଖାଗଲା ପୁଅକୁ । ତା’ ପରେ ଡେଣ୍ଟାଲ, ଏଘରୁ ସେଘର ଏ ଡାକ୍ତରଙ୍କ ପାଖରୁ ଚିଠାଧରି ଅନ୍ୟ ଜଣେ ଡାକ୍ତରଙ୍କ ପାଖକୁ ଯାଇ ଯାଇ ନାକେଦମ ହେଲେ ।
ସବୁଠାରୁ ମଜ୍ଜାକଥା ଘଟୁଥିଲା ଯେଉଁ ବିଭାଗକୁ ପୁଅକୁ ନେଇ ଦେଖାଯାଉଥିଲା । ସେହି ବିଭାଗର ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଅତି ଆଗ୍ରହର ସହ ପୁଅର ପାଟି ମେଲାକରି ଦେଖୁଥିଲେ । ପରସ୍ପର ଭିତରେ କ’ଣ ସବୁ ଡାକ୍ତରୀ ଭାଷାରେ କଥାବାର୍ତ୍ତା ହେଉଥିଲେ । ପୁଣି ପରୀକ୍ଷା ବି କରୁଥିଲେ । ହତାଶ ହୋଇଗଲେ ଆମକୁ ଅନ୍ୟ ବିଭାଗକୁ ଯିବା ପାଇଁ ପରାମର୍ଶ ଦେଉଥିଲେ ।
ସୁକାନ୍ତର ମନେ ହେଉଥିଲା, ଯେମିତି କେଉଁ ଅଗନା ଅଗନି ବନସ୍ତରୁ ଅଦ୍ଭୁତ ଜୀବଟିଏ ଧରି ଆଣିଛନ୍ତି । କେହି ଚିହ୍ନି ପାରୁନାହାନ୍ତି କି ଜାଣି ପାରୁନାହାଁନ୍ତି ।
ଶେଷରେ କିଛି ଦିନ ପାଇଁ ପୁଅକୁ ଅବଜରଭେସନ୍ରେ ରଖିବା ପାଇଁ ଆମକୁ କୁହାଗଲା । ତା ସଙ୍ଗେ ବେଡ଼ ମଧ୍ୟ ମିଳିଗଲା । ଝାଡ଼ା, ପରିସ୍ରା, ରକ୍ତ ଓ ଫଟୋ ନାନାଦି ପରୀକ୍ଷା କରିବାକୁ ଆମକୁ ପରାମର୍ଶ ଦିଆଗଲା ।
ଏମିତି ହଟହଟା ଓ ହୀନସ୍ତା ହୋଇ ଦିଗାଭାଇ ଓ ଦୁଃଖୀ ଭାଉଜ ଏକରକମ ଭାଙ୍ଗି ପଡ଼ୁଥିଲେ ।
ସୁକାନ୍ତକୁ କାହିଁକି କେଜାଣି ଭଲ ଲାଗୁନଥିଲା । କେବଳ ସହରରେ ରହି ରହି , ବିଚିତ୍ର ରୋଗ ସମ୍ପର୍କରେ ପିଲାଙ୍କ ଠାରୁ ଶୁଣି ଶୁଣି । ବନ୍ଧୁମାନଙ୍କର ଆତ୍ମୀୟ ସ୍ୱଜନଙ୍କର ଦେହ ଖରାପ, ତାଙ୍କୁ ମେଡ଼ିକାଲରେ ଦେଖାଶୁଣା କରି କରି ଟିକେ ମାନସିକ ସାହସ ଆସି ଯାଇଥିଲା । ସେହି ଦୃଷ୍ଟିରୁ ସେ ଭାଇ ଭାଉଜଙ୍କୁ ଶାନ୍ତ୍ୱନା ଦେଉଥିଲା । କିଛି ବ୍ୟସ୍ତ ହେବାର ନାହିଁ । ଆମେ ତ ଚେଷ୍ଟା କରୁଥାଏ । ଆମ ଭାଗ୍ୟ ଭଲ କେଡ଼େ କେଡ଼େ ଅଭିଜ୍ଞ ପ୍ରଫେସରମାନେ ଆମ ପୁଅକୁ ଶ୍ରଦ୍ଧାର ସହ ଦେଖିବାକୁ ଆସୁଛନ୍ତି । ଯାହାଙ୍କ ଦୁଆର ମୁହଁରେ ଆମକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥାଆନ୍ତା, ପୁଣି ଖାଲି ହାତରେ ନୁହେଁ, ପୁଳା ପୁଳା ଟଙ୍କା ପାଣି ଭଳିଆ ଖର୍ଚ୍ଚରେ ।
ସ୍ଥିର କରାଗଲା, ଆମକୁ ଡେଟ୍ ଦିଆଗଲା । ପୁଅର ଅପରେସନ୍ ହେବ ।
ଅପରେସନ୍ କଥା ଶୁଣି ଭାଇ ଭାଉଜଙ୍କ ରକ୍ତ ଶୁଖିଗଲା, ନାହିଁ ନଥିବା ଅଜଣା ଭୟ ଓ ଆତଙ୍କ ଭିତରେ ଭାଇ ଭାଉଜ ଥାଆନ୍ତି । ଖିଆ ପିଆ ନାହିଁ । ସୁକାନ୍ତର ମଧ୍ୟ ବାଧ୍ୟ ବାଧ୍ୟକତାରେ କେବଳ ଗଣ୍ଡାଏ ଗଣ୍ଡାଏ ଖାଉଥାଆନ୍ତି ଯାହା । ସବୁଠୁ ବେଶୀ ଭାଙ୍ଗି ପଡ଼ିଥାଆନ୍ତି ଭାଉଜ । ତାଙ୍କ ଆଖି ଲୁହ ଟଳମଟଳ ହେଉଥାଏ ସବୁବେଳେ । ସେତେବେଳେ ତାଙ୍କୁ ଟିକେ ଶାନ୍ତ୍ୱନା ଦେବା ଅର୍ଥ ଅସରାଏ ଲୁହବର୍ଷାରେ ଭିଜିବା କଥା । ସେ ନେଇ ମୁଁ ବେଶି ସାମ୍ନା ହେଉନଥାଏ ।
ସବୁ ବ୍ୟବସ୍ଥା କରାଗଲା । ଅପରେସନ୍ ଦିନ ସକାଳୁ ସକାଳୁ ସହରର ଯେତେ ଦେବାଦେବୀ ଅଛନ୍ତି, ସମସ୍ତଙ୍କ ପାଖରେ ଭୋଗ ମନାସିବା କଥା ସୁକାନ୍ତ ମନେ ମନେ ସ୍ମରଣ କଲା । ଭାଇ ଭାଉଜଙ୍କ ମନର ଅବସ୍ଥା କହି ହେବ ନାହିଁ । ଭାରି ଅନମନସ୍କ ରହୁଥିଲେ ଦିଗାଭାଇ । ଭାଉଜଙ୍କ ମୁହଁରେ ଅହେତୁକ ଭୟ । ପୁଅର ବଥଟା ବି ପାଚି ଆସିଥିଲା, କିନ୍ତୁ ବଥ ପାଇଁ କାହାର ମୋଟେ ଚିନ୍ତା ନଥାଏ । ସମସ୍ତଙ୍କ ଦୃଷ୍ଟି ଥାଏ କଳରେ ଉଠିଥିବା ସେଇ ଦାନ୍ତ ଉପରେ ।
ଭାଉଜଙ୍କ କୋଳରେ ପୁଅ ଥାଇ ବଲ ବଲ କରି ଅନେଇ ଥିଲା । କେଡ଼େ ସୁନ୍ଦର ଗୁଲୁଗୁଲିଆ ପୁଅଟା ଶୁଖି କଳାକାଠ ପଡ଼ିଯାଇଥିଲା ।
ପୁଅ ହଠାତ୍ ପାଟି ଆଁ କରି କାନ୍ଦି ଉଠିଲା । ଭାଉଜ ବିକଳ ହୋଇ ଲୁହଧୁଆ ଆଖିରେ ପୁଅର ପାଟି ଭିତରକୁ ଅନେଇଥିଲେ । ସୁକାନ୍ତର ମନେ ହେଉଥିଲା, ଯେମିତି ଯଶୋଦା କୃଷ୍ଣଙ୍କ ପାଟିରେ କ’ଣ ସବୁ ଦେଖି ଆଶ୍ଚର୍ଯ୍ୟ ଆଖିରେ ଚାହୁଁଛନ୍ତି ଅଥତ କାହାକୁ କିଛି କହିପାରୁନାହାନ୍ତି । ଆଖିର ଲୁହ ଗଡ଼ି ପଡ଼ୁଥିଲା ଟପ୍ ଟପ୍ ହୋଇ । ସେ ଲୁହର ଅକ୍ଷର ଥିଲା ସମସ୍ତଙ୍କ ପାଇଁ ଭାରି ଅସ୍ପଷ୍ଟ ଓ ଅବୁଝା ।
‘ଧନରେ! କାହିଁକି ମା’ ସାଙ୍ଗରେ ତୋର ଏ କପଟତା? କି ମାୟା କରିଛୁ ଆମ ସାଙ୍ଗରେ! ତୁ ତ ବାଳୁତ ପିଲାଟା ଏତେ ମାୟାଭିତରେ କାହିଁକି ଛଟପଟ ହେଉଛୁ? ଥରୁଟିଏ ମୁକ୍ତ ହୋଇ ଯା ସେ ମାୟାରୁ? ମାତ୍ର ଥରୁଟିଏ । ଆମ କୋଳ ପୁରୀ ଉଠୁ । ଆମ ଟିକି ସଂସାରର ଆକାଶରୁ ଦୁଃଖର କଳାଛାଇ ଉଭେଇ ଯାଉ ।’
ପୁଅକୁ ଓ.ଟି ଭିତରକୁ ନିଆଗଲା । ଭାଉଜ ତା’ ଅଲରା କେଶକୁ ସାଉଁଳେଇ ଦେଇ ତା’ ମଥାରେ ଚୁମ୍ବନ ଆଙ୍କିଦେଲେ ।
ବାରଣ୍ଡାରେ ଲଥ୍ କରି ବସିପଡ଼ିଲେ, ଯେଉଁଠି ଆଗରୁ ବସିଥିଲେ ଦିଗାଭାଇ । ଭାଇ ଭାଉଜ ଦିଶୁଥିଲେ ବାରଣ୍ଡାରେ ଥୁଆ ହୋଇଥିବା ଦୁଇଟି ପଥର ମୂର୍ତ୍ତୀ ପରି ।
ସୁକାନ୍ତ ଖାଲି ଏପଟ ସେପଟ ଘୂରି ବୁଲୁଥିଲା ଗୋଟାଏ ଟେନ୍ସନ୍ରୁ କିଭଳି ମୁକ୍ତି ପାଇବ ଖାଲି ଡହଳ ବିକଳ ହେଉଥିଲା । ମନେ ମନେ ଠାକୁରଙ୍କୁ ଡାକୁଥାଏ ଏମିତି ଏକ ଦୁଃଖଦ ପରିସ୍ଥିତିରେ ବାଜେ କଥା ସବୁ ଆପଣା ଛାଏଁ ଛାଏଁ ମନ ଭିତରକୁ ଆସୁଥିଲା । ଯେତେ ସବୁ ପାପ କଥା ଠିକ୍ ଏହି ସମୟରେ ହିଁ ମଣିଷର ଭାବନା ଭିତରକୁ ଆସୁଥାଏ ।
ଗୋଟାସୁଦ୍ଧା ଝାଳରେ ବୁଡ଼ିଗଲା ସୁକାନ୍ତ । ଆଗରେ ପାଣି ଟ୍ୟାପରୁ ପାଣି ଆଣି ଛାଟିହେଲା ମୁହଁ ସାରା ।
ହେ, ଭଗବାନ! ଭାଇ ଭାଉଜ ଯେମିତି ଖାଲି ହାତରେ ଫେରି ନଯାଆନ୍ତୁ । ତୁମ ଯଶବାନା ଫର ଫର ହୋଇ ଉଡୁଥାଉ ।
ତା’ ଦେହ ଭିତରେ ଅଦ୍ଭୁତ ସିତ୍କାର ଖେଳିଗଲା ବିଜୁଳି ଭଳି । ଆଖିରୁ ଲୁହବୁନ୍ଦା ଥପ ଥପ ନିଗିଡିÿ ପଡ଼ୁଥିଲା । ସମସ୍ତଙ୍କ ଅଲକ୍ଷ୍ୟରେ ସୁକାନ୍ତ ଆଖି ପୋଛି ଦେଉଥିଲା ।
ବାହାରେ ନୀରବତା ରାଜତ୍ୱ କରୁଥିଲା । ହଠାତ୍ ନୀଳ ଆଲୁଅ ଜଳି ଉଠିଲା ଓ.ଟି ବାହାରେ । ହୋ ହୋ ହସରେ ଫାଟି ପଡ଼ୁଥିଲା ଓ.ଟି ଭିତରଟା ।
ସେଇ ମୁହୂର୍ତ୍ତରେ ଭଦଭଦଳିଆ ଡ଼େଣାଝାଡ଼ି ଦିଶୁଥିବା ଚିରୁଡ଼ାଏ ଆକାଶରେ ଉଠି ଚାଲିଗଲା । କେଉଁଠି କୋଇଲିଟିଏ ତାର ସ୍ୱର ମେଳି ଦେଇଥିଲା ।
ଧଳାଗାଉନ ପିନ୍ଧା ଜଣେ ଷ୍ଟାପ ନର୍ସ ବାହାରି ଆସି ଆମ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇଲେ । ଭାଇ ଭାଉଜ ଏକରକମ ଦୌଡ଼ିଗଲେ ନର୍ସଟି ପାଖକୁ ।
ଭାଉଜଙ୍କୁ ଦେଖି ସେ ଏକରକମ ଚିତ୍କାର କଲାପରି ସ୍ୱରରେ କହିଲେ, “ତମେ ସେ ପିଲାର ମାଆଟି? ତମେ କେମିତିକା ମାଆ ହୋ? ପିଲାଙ୍କ ଯତ୍ନ ସବୁ ଏମିତି ନେଉଥିଲ? ତମେ ତାକୁ ଦାନ୍ତ ଘଷାଇ ଦିଅ ନା ନାହିଁ? ତା’ ପାଟି ସଫା କରି ଦେଉଥିଲ ଟି?
ସପ୍ତାହେ ହେଲା ସାରା ଡାକ୍ତରଖାନାର ଡାକ୍ତରମାନଙ୍କୁ ତମେ ଘଣାରେ ବୁଲେଇ ସାରିଲଣି । ହେଇ ଦେଖ, ତମ ପିଲାର ଉଠିଥିବା ଦାନ୍ତ ନିଅ । ଏହି ବେତାମ ଫାଳେ ତା’ ପାଟି କଳରେ କେମିତି ରହିଯାଇ ଦାନ୍ତ ଉଠିବାର ଭ୍ରମ ସୃଷ୍ଟି କରୁଥିଲା । ପିଲାଟି ଯେତେବେଳେ ଖାଦ୍ୟ ସବୁ ଖାଏ, ଖାଦ୍ୟରୁ ଓ ପାଟିରୁ ଲାଳ ବାହାରି ସେ ବୋତାମ ଏମିତି ସେଟ୍ ନେଇ ଯାଇଥିଲା ଯେ, ଅବିକଳ ନୂଆଦାନ୍ତଟିଏ ଉଠିଲା ପରି ଦେଖାଯାଉଥିଲା ।
ଛାଡ଼ ଛାଡ଼! ପାଠଶାଠ ପଢ଼ିଥିଲେ ସିନା ପିଲାର ଯତ୍ନ କେମିତି ଠିକ୍ ଠିକ୍ ଭାବରେ ନିଆଯାଏ ଜାଣିଥାଅନ୍ତ? ଖାଲି ହୁଣ୍ଡୀ ସ୍ତ୍ରୀ ଲୋକଙ୍କ ପରି ଆଖିରୁ ଲୁହ ଗଡ଼େଇଲେ କ’ଣ ହେବ ।
ଘଟଣାରୁ ଯାହା ଜଣାପଡ଼ିଲା, ପୁଅ ସାର୍ଟରେ ଲାଗିଥିବା ବୋତାମକୁ ଦାନ୍ତରେ କାମୁଡ଼ି ଥିଲାବେଳେ ଫାଳେ ବୋତାମ ଭାଙ୍ଗି ଯାଇ କେମିତି କଳରେ ଲାଗି ଯାଇଥିଲା ଏବଂ ପାଟିରୁ ବାହାରୁଥିବା ନାଳରେ ସେଟ୍ ନେଇଯାଇଥିଲା । ଏମିତି ଯେ ମୋଟେ ଛାଡ଼ିବାକୁ ନାହିଁ । ପୁଅ କଳପାଟି ମାଂସ ଉପରେ ନୂଆ ଦାନ୍ତଟିଏ ଉଠିଲା ପରି ଦିଶୁଥିଲା ।
ଘଟଣାଟି ସୁକାନ୍ତ ପାଇଁ ଥିଲା ଯେତିକି ହାସ୍ୟାସ୍ପଦ, ସେତିକି ଲଜ୍ୟାକର ଥିଲା ଡାକ୍ତରମାନଙ୍କ ପାଇଁ ଏବଂ ସବୁଠୁ ବିସ୍ମୟକର ଥିଲା ଭାଇଭାଉଜଙ୍କ ପାଇଁ ।
ସେତେବେଳକୁ ସବୁ ଅଭିଜ୍ଞ ପ୍ରଫେସରମାନେ ଗୋଟି ଗୋଟି ପଦାକୁ ବାହାରୁଥିଲେ । ତାଙ୍କ ଦେହରେ ସବୁ ଡାକ୍ତରୀ ପୋଷାକ ଦେଖିବାକୁ ମିଳୁନଥିଲା ।
ସେତେବେଳକୁ ବାରଣ୍ଡାରେ ଭିଡ଼ ଜମି ଯାଇଥିଲା । ଭିଡ଼ ଭିତରେ ମୋଟେ ଚିହ୍ନି ହେଉନଥିଲେ କିଏ ଡାକ୍ତର ଆଉ କିଏ ରୋଗୀ ।
ସୁକାନ୍ତକୁ ଲାଗୁଥିଲା ଡାକ୍ତରୀ ବିଦ୍ୟାର ଅପନିନ୍ଦା ନକରିବା ପାଇଁ ସେମାନେ ନୀଳବର୍ଣ୍ଣ ଶୃଗାଳ ପାଲଟି ଯାଇଥିଲେ ।
ଆହୁରି ଅଧଘଣ୍ଟା ପରେ ପୁଅ ପଦାକୁ ଆସିଲା । ଏହା ଭିତରେ ବଥ ଫାଟି ଯାଇଥିଲା କି ଅପରେସନ୍ କରାଯାଇଥିଲା କିଛି ବୁଝା ପଡ଼ୁନଥିଲା, ପୁଅ ଭାରି ହସ ଖୁସି ଲାଗୁଥିଲା ।
ସୁକାନ୍ତକୁ ଭାରି ଆଶ୍ୱସ୍ତି ଲାଗିଲା । ସେ ଭାଇ ଭାଉଜଙ୍କୁ ଅନେଇଲା । ଦିଗାଭାଇ ଓ ଦୁଃଖୀ ଭାଉଜଙ୍କ ଆଖି କୃତଜ୍ଞତାର ଲୁହରେ ଚିକ୍ ଚିକ୍ କରୁଥିଲା ।