ପାହାଡ଼ ପାଖରେ ଗାଁଟିଏ ।
ଗାଁ ଭିତରେ ଘରଟିଏ ।
ଘର ଭିତରେ ତମେ । ଏକା ଏକା ।
ଆଖି ବୁଜିଦେଲେ କେହି ନାହାନ୍ତି- ଆଖି ଖୋଲିଲେ ବି କେହି ନାହାନ୍ତି ।
ଆଗରୁ ଯେଉଁମାନେ ଥିଲେ- ତୁମର ବାପା ବୋଉ ଅବା କେହି ଗୁରୁଜନ, ବେଳ ଅବେଳରେ ବାଟ କାଟି ସମସ୍ତେ ଚାଲିଗଲେ । ପଛକୁ ଯେଉଁମାନେ ଥିଲେ, ସେମାନେ ବି କେବେଠାରୁ ଏ ଘର, ଏ ଗାଁ, ଏ ପାହାଡ଼ ପାଖରୁ ଦୂରେଇ ଗଲେଣି । ସେଇ ଦୂରରୁ ସେମାନେ ଆଉ କେବେ ଇଚ୍ଛା କରି ଆଡ ଆଖିରେ ବି ଥରେ ଏ ପାହାଡ଼, ପାହାଡ଼ ପାଖରେ ଗାଁ, ଗାଁ ଭିତରେ ଘର, ଘର ଭିତରେ ଏକା ଏକା ମହମର ବତୀଟିଏ ହୋଇ ପ୍ରତି ମୁହୂର୍ତ୍ତରେ ତରଳି ଯାଉଥିବା ମଣିଷଟିକୁ ଦେଖିବାକୁ ଆସିନାହାନ୍ତି । ତା’ର ‘ମନ’ ବୋଲି କିଛି ଅଛି, ସେ କଥା ବୁଝିନାହାନ୍ତି କିମ୍ବା ବୁଝିବାର ଆବଶ୍ୟକତା ମଧ୍ୟ ଅନୁଭବ କରିନାହାନ୍ତି ।
ପାହାଡ଼ ସେମିତି ଠିଆ ହୋଇଛି ଏକା ଏକା ।
ପାହାଡ଼ ପାଖରେ ସେଇ ଗାଁ ଭିତରେ କଣିକିଆ ହୋଇ ଠିଆ ହୋଇଥିବା ଘରଟି ଭିତରେ ତମେ ଅଛ- ଏକା ଏକା ।
ପାହାଡ଼ ଚାହିଁଛି ଆକାଶକୁ ।
ଆକାଶର ମେଘମାନେ କେତେବେଳେ ଆସି ଛୁଇଁ ଦେଇଯିବେ, ବର୍ଷା ହୋଇ ଝରିଯିବେ ତା’ର ଧୁସର ବୁକୁ ଉପରେ, ଶୀତଳତା ଭରିଦେବେ ତା’ର ତନୁ-ମନରେ, ସବୁଜ ଶ୍ୟାମଳ ଦିଶିବ ତା’ର ରୂପର ରଙ୍ଗ । ଖରାର ନିଅାଁରେ ଜଳି ସେ ପ୍ରତୀକ୍ଷା କରୁଛି ଜ୍ୟୋତ୍ସ୍ନାର । ଜ୍ୟୋତ୍ସ୍ନାରେ ଭିଜି ଭିଜି ସେ ପୁଣି ଖୋଜି ବୁଲୁଛି ସୂର୍ଯ୍ୟ-ସ୍ପର୍ଶର ଉଷ୍ମତା ।
ପାହାଡ଼ର ଚୂଡା ଛୁଇଁ ସୂର୍ଯ୍ୟ ଉଏଁ । ଜହ୍ନ ହସେ । ବର୍ଷା ଝରେ । ପୁଲକିତ, ପଲ୍ଲବିତ ହୁଏ ପାହାଡ଼ । ମାତ୍ର ସେ ଜହ୍ନ-ଆଲୁଅର ଖେଳ କିମ୍ବା ବର୍ଷାର ଆବେଗ ଅଧୀର ସ୍ୱର ତମ ଭିତରେ କେବେ କମ୍ପନ ତୋଳେ ନାହିଁ । ତମ ଭିତରେ କେବଳ ସେଇ ଗୋଟିଏ ଋତୁର ଖେଳ । ବିଷାଦର ଋତୁ । ଖରାର ନିଅାଁରେ ଜଳିଯାଉଥିବା ପାହାଡ଼ଟିର ପ୍ରତିରୂପ ତମ ଭିତରେ । ଅସରନ୍ତି ପ୍ରତୀକ୍ଷାର ପ୍ରତିଲିପି ତୁମ ମନର ପ୍ରତିଟି ପୃଷ୍ଠାରେ ।
ପାହାଡ଼ ପାଖରେ ଗାଁ ଟିଏ- ଗାଁ ଭିତରେ ଘରଟିଏ- ଘର ଭିତରେ ତମେ ଏକା ଏକା । ଅସ୍ପୃଶ୍ୟ ଓ ସ୍ଥିର । ଚିରକାଳ ଗୋଟିଏ ମୁଦ୍ରାରେ । ଦୂରରୁ, ଅନେକ ଦୂରରୁ ମୁଁ ପାହାଡ଼ର ସେ ରୂପ ଦେଖିଛି । ବସି ବସି ଛବି ଆଙ୍କିଛି ପାହାଡ଼ ପାଖରେ ସେଇ ରାତିର ଓ ଗାଁ ଭିତରେ ଥିବା ଘରଟିର । ସ୍ଥାନ ଓ କାଳର ଦୂରତାକୁ ଡେଇଁ ପହଞ୍ଚି ଯାଇଛି ତୁମ ଘରଟିର ସଦା ମୁକ୍ତ ଅବରୁଦ୍ଧ କୋଠରି ନିକଟରେ । ଧ୍ୟାନ ତୁମର ଭାଙ୍ଗି ଦେଉଛି । ହାତଧରି ଟାଣି ନେଉଛି ପାହାଡ଼ ଉପରକୁ । ଅସ୍ତଗାମୀ ସୂର୍ଯ୍ୟର ଶେଷ ରଶ୍ମି ଟିକକ ତୋଳି ଦେଉଛି ତୁମ ଦେହରେ । ରାତିର ସୁନ୍ଦର ଅନ୍ଧାରକୁ ବୁକୁ ଉପରକୁ ତୋଳି ନେଇ ତମେ ପୁଣି ସକାଳର ସ୍ୱପ୍ନ ଦେଖୁଛ । ତମ ଭିତରେ ଆରମ୍ଭ ହୋଇଯାଉଛି ସୂର୍ଯେ୍ୟାଦୟର ପ୍ରସ୍ତୁତି ପର୍ବ । ଅପସରି ଯାଉଛି ଏକା ଏକା ଭାବ । ଅଦୃଶ୍ୟ ହୋଇଯାଉଛି ତୁମର ଅତୀତ, ଭବିଷ୍ୟତ, ବର୍ତ୍ତମାନ । ଅନନ୍ତ ସ୍ୱପ୍ନ ଓ ଅଫୁରନ୍ତ ଆଲୋକର ବିସ୍ତୃତି ଭିତରେ ତମେ କେବଳ ବିନ୍ଦୁଟିଏ ହୋଇ ହଜିଯାଉଛ ଦୂର ଆକାଶର ନୀଳିମା ଭିତରେ ।
ଛବି ଅଙ୍କା ସରେନାହିଁ । ତୁଳୀରେ ବାରମ୍ବାର ରଙ୍ଗ ଦେଲେ ବି ସେ ରଙ୍ଗର ଛିଟା କାଗଜରେ ଲାଗେ ନାହିଁ । ସାଦା କାଗଜ ସେମିତି ସାଦା, ରଙ୍ଗହୀନ ହୋଇ ରହିଯାଏ । ନିଜକୁ ଅପରାଧୀ ମନେହୁଏ ।
କଥା ଥିଲା- ମୁଁ ତୁମ ଦେହରେ ରଙ୍ଗ ଦେବି । ପାହାଡ଼ର ପାଦ ଦେଶରେ ବସି ହାତରେ ତୁମର ହାତ ରଖି ଆଞ୍ଜୁଳାଏ ସ୍ୱପ୍ନ ସେଥିରେ ଭରି ଦେଇଥିଲି । ସୂର୍ଯ୍ୟାସ୍ତ ଆକାଶ ହିଁ ସାକ୍ଷୀ ଥିଲା । ପବନର ସ୍ୱରରେ ପାହାଡ଼ର ଗଛପତ୍ର ଆନନ୍ଦରେ ସମର୍ଥନ କରିଥିଲେ । ଏମିତି ସ୍ୱପ୍ନକୁ ନେଇ ରଙ୍ଗ ଖେଳିବାରେ, ଘର ତୋଳିବାରେ କେତେ ସୂର୍ଯ୍ୟାସ୍ତ ଯେ ବିତି ଯାଇଛି, ତା’ର ହିସାବ କରି ଆଉ ଲାଭ କ’ଣ?
ସମୁଦ୍ରର ସହରରୁ ମୁଁ ଯାଇଥିଲି ।
ନଦୀକୂଳ ପାହାଡ଼ ପାଖ ଗାଁରୁ ତମେ ଆସିଥିଲ ।
ଛୋଟ ଛୋଟ ପାହାଡ଼ ଜଙ୍ଗଲ ଘେରା ଏକ ତୃତୀୟ ଇଲାକାରେ ଆମର ସାକ୍ଷାତ-ସଂଯୋଗ । ବିଦ୍ୟା ସଂଗ୍ରହର ସର୍ବଶେଷ ଅନୁଷ୍ଠାନ ସେଇ ତୃତୀୟ ସହରରେ । ସହର କହିଲେ ଭୁଲ୍ ହେବ, ସହରଠାରୁ କିଛି ଦୂରରେ ଅନୁପମ ଏକ ଆରଣ୍ୟକ ପରିବେଶରେ ହିଁ ସେ ବିଶ୍ୱବିଦ୍ୟାଳୟର ସ୍ଥିତି । ଅନେକଙ୍କ ମେଳରେ ଆମେ । ତଥାପି ସେଇ ବିଦ୍ୟା-ଚର୍ଚ୍ଚା, ବିଚାର ଆଲୋଚନା, ପାଠାଗାରରେ ଘଣ୍ଟାଘଣ୍ଟା ବସି ବହି ପଢ଼ା ଭିତରେ ହିଁ ଆମ ସ୍ୱପ୍ନର ଜାଲ ବୁଣିଥିଲେ । ଆମ କଳ୍ପିତ ସଂସାର ଓ ସମାଜର ନକ୍ସା ଆଙ୍କିଥିଲେ ।
କଥା ଥିଲା- ନଦୀ ମିଶିବ ସମୁଦ୍ରରେ । ଆକାଶ ଲୋଟି ପଡ଼ିବ ପାହାଡ଼ର ଛାତି ଉପରେ । ସ୍ୱର୍ଗ ଓହ୍ଲେଇ ଆସିବ ଆମ ସଂସାରକୁ । ଆମର ପ୍ରେମ ହେବ ପାରିଜାତ । ତା’ର ଅପୂର୍ବ ବାସ୍ନାରେ ସୁରଭିତ ହେବ ଆମର ଜୀବନ । ଆମେ ଯୁକ୍ତ ହେବା । କିନ୍ତୁ ମୁକ୍ତ ଥିବା ଖୋଲା ଆକାଶ ଭଳି । ମେଲା ପାହାଡ଼ ପରି । ବହିଯାଉଥିବା ନଦୀର ଧାରା ଭଳି ।
ସ୍ୱପ୍ନକୁ ଗଢ଼ିବା ଲାଗି ଯୁଗ ବିତିଯାଏ । ସ୍ୱପ୍ନକୁ ଭାଙ୍ଗିବା ଲାଗି ମୁହୂର୍ତ୍ତଟିଏ ହିଁ ଯଥେଷ୍ଟ । ତା’ପରେ ଅବଶେଷ ଜୀବନ କେବଳ ଭଙ୍ଗା ସ୍ୱପ୍ନର ଅବସୋସରେ ହିଁ ବଞ୍ଚିବାକୁ ହୁଏ ଅବା ମରିବାକୁ ହୁଏ । ସ୍ୱପ୍ନ ଦେଖିବା ମୂଳରେ ନିଜ ମନର ଭୂମିକା ଥାଏ- ମାତ୍ର ସ୍ୱପ୍ନ ଭାଙ୍ଗିବା ପଛରେ ମନ ବହିର୍ଭୂତ ଅନ୍ୟ କୌଣସି ଶକ୍ତି ବା ପରିସ୍ଥିତି ହିଁ ଦାୟୀ ହୋଇଥାଏ । ଅସହାୟ ମଣିଷଟି ସେସବୁକୁ ସ୍ୱୀକାର କରିବାକୁ ଏକରକମ ବାଧ୍ୟ ହୋଇଯାଏ । ଅନ୍ୟ ଉପାୟ କିଛି ନଥାଏ ।
ପାହାଡ଼ର ପାଦ ଦେଶରେ ବସି ମର୍ମରିତ ଝରାପତ୍ରର ଗୀତ ଶୁଣୁ ଶୁଣୁ ବର୍ଷ ଦୁଇଟି ବିତିଗଲା । ସର୍ବୋଚ୍ଚ ବିଦ୍ୟା ମନ୍ଦିରରେ ଆମର ପୂଜା ଉପାସନା ଶେଷ ହୋଇଗଲା ।
ଏଥର ଘର ବାହୁଡ଼ା ।
ବିଦାୟର ବେଳା ।
ଆମର ପାଠ, ପରିଚୟ, ସ୍ୱପ୍ନ ଓ ସମ୍ପର୍କକୁ ଏକାଠି ବାନ୍ଧିବୁନ୍ଧି ଯତ୍ନରେ ସଜିଲ କରି ଆମେ ଫେରି ଆସିଲେ ।
ମୁଁ ଫେରିଲି ଆମ ଘରକୁ- ସମୁଦ୍ରର ସହରକୁ ।
ତୁମେ ଫେରିଗଲ, ତୁମ ଘରକୁ- ପାହାଡ଼ର ପାଖରେ ସେଇ ଗାଁ ଭିତରକୁ । ବ୍ୟବଧାନ ବଢ଼ିଗଲା । ବ୍ୟସ୍ତତା ବି ବଢ଼ିଲା । ମୋର ବ୍ୟସ୍ତତା, ଆଗରେ ଥିବା ଅନିଶ୍ଚିତ ଭବିଷ୍ୟତକୁ ନେଇ । ସମାଜ ଭିତରେ ନିଜର ସ୍ଥାନଟିଏ ବାଛି ନେବାକୁ ହେବ । ଯୋଗ୍ୟତାକୁ ଚାହିଁ ଜୀବିକାଟିଏ । ପାଦ ବଢ଼େଇଲେ ପ୍ରତିଯୋଗିତା । ସଂଖ୍ୟାହୀନ ପ୍ରାର୍ଥୀଙ୍କର ଧାଡ଼ି ଲମ୍ବିଥାଏ । ବୁଦ୍ଧି ହଜିଯାଏ । ପାଠ ସବୁ ଭୁଲି ହୋଇଯାଏ । ତଥାପି ଟଳି ପଡୁଥିବା ପାଦ ଦୁଇଟିକୁ ବଢ଼ାଇବାକୁ ହୁଏ । ପ୍ରଶ୍ନ ପରେ ପ୍ରଶ୍ନ । ପରୀକ୍ଷା ପରେ ପରୀକ୍ଷା । ଲିଖିତ ପୁଣି ସାକ୍ଷାତ । ଏସବୁ ଭିତରେ ଦୁଇ ବର୍ଷ ତଳର ପାହାଡ଼ ପାଖରେ ବସି ଦେଖିଥିବା ସ୍ୱପ୍ନର ବାସ୍ତବତାକୁ ନେଇ ଚିନ୍ତା କରିବାର ଅବକାଶ ବା କାହିଁ? ଆଗ ମୁଣ୍ଡ ଉପରକୁ ଛତାଟିଏ । ଖରା ତରାରୁ ରକ୍ଷା ପାଇବା ଲାଗି ନିର୍ଭରଯୋଗ୍ୟ ଆଶ୍ରୟଟିଏ ତା’ପରେ ଅନ୍ୟ ଯାହା-ସ୍ୱପ୍ନ ବା ସଂସାର ।
ତମର କିନ୍ତୁ ସେ ସମସ୍ୟା ନ ଥିଲା । ବାପାଙ୍କୁ ହରାଇଥିବା ମା’ ତୁମର ଚାହିଁଥିଲେ ବଡ଼ ଝିଅଟି ତାଙ୍କର ସୁଖର ସଂସାର କରୁ । ପାଠ ତା’ ପାଖରେ ଥାଉ । ପାଠକୁ ନେଇ ଅର୍ଥ ଉପାର୍ଜନର ନିଶା ଥରେ ଲାଗିଲେ ବୟସ ଗଡ଼ିଯିବ । ସହଜରେ ସେଥିରୁ ଆଉ ମୁକୁଳି ହେବ ନାହିଁ । ତମେ ତେଣୁ ବ୍ୟସ୍ତ ହେଲ । ମୋତେ ବାଦ୍ ଦେଇ ତୁମ ସଂସାର ଗଢ଼ିବାର ସ୍ୱପ୍ନ କେବେ ସାକାର ହେବନାହିଁ ବୋଲି ବାରମ୍ବାର ଚିଠି ଲେଖି ଜଣାଇଦେଲ । ପ୍ରତୁ୍ୟତ୍ତରରେ ମୁଁ ମଧ୍ୟ ତୁମକୁ ବ୍ୟସ୍ତ ନହେବା ପାଇଁ ଅନୁରୋଧ କଲି । ପ୍ରତି ସପ୍ତାହରେ ପ୍ରାୟ ଦୁଇ ତିନୋଟି ଚିଠି ଏମିତି ନିୟମିତ ଆସୁଥିଲା ଓ ଯାଉଥିଲା । ପରେ ସେ ବ୍ୟବଧାନ କ୍ରମଶଃ ବଢ଼ିବାରେ ଲାଗିଲା । ନିଜ ସହରରୁ ଅଧିକାଂଶ ଦିନ ଅନୁପସ୍ଥିତ ରହିବା ଫଳରେ ମୋର ଚିଠି ଲେଖା ଏଥର ସପ୍ତାହରୁ ଯାଇ ମାସରେ ପହଞ୍ଚିଲା । ମାସ କେତୋଟି ମଧ୍ୟ ଅନାୟସରେ ବିନା ଚିଠିରେ ବିତିଗଲା । ତମେ ମୋତେ ଭୁଲ୍ ବୁଝିବାକୁ ଆରମ୍ଭ କଲ । ଋତୁର ରଙ୍ଗ ବଦଳିଗଲା । କୁହୁଡ଼ି ଚାରିପଟ ଛାଇ ହୋଇଗଲା । ସବୁକିଛି ଦିଶିଲା ଅସ୍ପଷ୍ଟ ଓ ଧୂଅାଁଳିଆ ।
ତମେ ଲେଖିଲ- କ’ଣ ବା ଆଉ ତୁମକୁ ଦେବାକୁ ବା ତୁମଠାରୁ ନେବାକୁ ବାକି ରହିଲା? କାହିଁକି ତୁମର ଏ ସ୍ୱେଚ୍ଛାକୃତ ନିର୍ବାସନ ଓ ନିରବତା? ନା- ନିରବତା ତୁମର ନୂଆ ପରିଚୟ? ତା’ହେଲେ କି ଲାଭ ଆଉ ଏକା ଏକା ଏ ନଈ କୂଳରେ ପାହାଡ଼ ପାଖରେ କାଠିକୁଟା ସବୁ ଏକାଠି କରି ମିଛିମିଛିକା ଘର ତୋଳିବାର । ତୁମର ନିରବତାକୁ ମୁଁ ସ୍ୱୀକାର କରି ନେଉଛି ।
ତଥାପି ମୁଁ ଉତ୍ତର ଦେଲି ନାହିଁ । ଭାବିଲି ଏକାଥରକେ ହାତରେ ନିଯୁକ୍ତିପତ୍ର ଧରି ତୁମ ପାଖରେ ଯାଇ ପହଞ୍ଚିଯିବି । ଅଭିମାନରେ ଜମାଟବନ୍ଧା କୁହୁଡ଼ି ସେଇ ମୁହୂର୍ତ୍ତରେ ହିଁ ମିଳେଇଯିବ । ଆରମ୍ଭ ହେବ ଏଣିକି ଆମର ସ୍ୱପ୍ନକୁ ସାକାର ରୂପ ଦେବାର ବାସ୍ତବ କାର୍ଯ୍ୟକ୍ରମ ।
ମାତ୍ର ତାହା ହେବାର ନଥିଲା । ମୋ ନିଯୁକ୍ତିର ସମ୍ବାଦ ତୁମକୁ ଜଣାଇବା ପୂର୍ବରୁ ତୁମ ସମ୍ବାଦ ମୋ ପାଖରେ ଆସି ପହଞ୍ଚି ଗଲା । ବେଶ୍ ବଡ଼ ବଡ଼ ଅକ୍ଷରରେ ଛପା ଅକ୍ଷରକୁ ଦେଖି ମଧ୍ୟ ମୁଁ ବିଶ୍ୱାସ କରିପାରିଲି ନାହିଁ । ମୁଦ୍ରିତ ନିମନ୍ତ୍ରଣପତ୍ର ସହ ଛୋଟ ଚିଠିଯିଏ । ଅନନ୍ତକାଳ ଯାଏଁ ମୁଁ ଅପେକ୍ଷା କରିପାରିଥାଆନ୍ତି- ନିର୍ଭର ପ୍ରତିଶ୍ରୁତି ପଦେ ପାଇଥିଲେ । ମାତ୍ର ତୁମର ନିରବତାକୁ ସମ୍ବଳ କରି ରହିବା ସମ୍ଭବ ହେଲା ନାହିଁ । ତା’ଛଡ଼ା ଠାକୁର ଘରେ ବସି ଲୁହ ଗଡଉଥିବା ବୋଉକୁ ମୁଁ କ’ଣ କହି ବା ସାନ୍ତ୍ୱନା ଦେଇ ଥାଆନ୍ତି? ପ୍ରସ୍ତାବଟି ସମ୍ପର୍କୀୟ ଜଣେ ମାମୁ ଦେଇଥିଲେ । ତାଙ୍କର ବନ୍ଧୁଙ୍କ ପୁଅ । ଅନ୍ୟ ଉପାୟ ନ ଥିଲା ।
ଯେଉଁ ଦିନ ତୁମ ଜୀବନର ଅମୃତଲଗ୍ନ- ସେହିଦିନ ହିଁ ମୋ ଚାକିରି ଜୀବନର ସର୍ବଶେଷ ସାକ୍ଷାତକାର । ତେଣୁ ତୁମ ଶୁଭଦିନରେ ଉପସ୍ଥିତ ରହିବାର ସୁଯୋଗ ନଥିଲା ।
ପରେ କିନ୍ତୁ ପ୍ରସ୍ତାବ ସମ୍ପର୍କରେ ସବିଶେଷ ସୂଚନା ପାଇ ବିଷାଦଗ୍ରସ୍ତ ମନକୁ ବୁଝେଇ ଦେଇଥିଲି । ବେଶ୍ ଭଲ ପ୍ରସ୍ତାବ । ତୁମ ମାମୁଙ୍କ ସାଙ୍ଗର ବଡ଼ପୁଅ- ସଦ୍ୟ ଆଇପିଏସ୍ ପାଇଥାଆନ୍ତି । ଟ୍ରେନିଂରେ ଯିବା ପୂର୍ବରୁ ବାପାମାଆଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବିବାହ କରିନେଲେ । ସ୍ୱାମୀଙ୍କ ସହ ମାତ୍ର କେତୋଟି ମାସର ସ୍ମୃତି ଓ ଅନୁଭୂତି । ତା’ପରେ ସେ ଟ୍ରେନିଂକୁ ଚାଲିଗଲେ । ସେଇ ଟ୍ରେନିଂ ସମୟରେ ହିଁ ଘୋଡ଼ା ଚଢ଼ାର ତାଲିମ ନେଉଥିଲାବେଳେ ଘୋଡ଼ା ଉପରୁ ଖସି ପଡ଼ିଲେ । ବାସ୍, ସେଇଠି ଶେଷ ହୋଇଗଲା ତୁମର ସଂସାର । ତା’ପରେ ତୁମେ ଫେରି ଆସିଲ ପୁଣି ଥରେ ସେଇ ପାହାଡ଼ ପାଖର ଗାଁଟିକୁ । ଗାଁର କଣମୁଣ୍ଡରେ ଥିବା ଗୋଟିକିଆ ହୋଇ ତୁମର ସେଇ ଘରକୁ । ମା’ ତୁମର ଦେଖୁ ଦେଖୁ ମୂର୍ଚ୍ଛା ଗଲେ । ତା’ପର ଠାରୁ ଆଉ ବିଛଣାରୁ ଉଠିଲେ ନାହିଁ । ତୁମରି ଚିନ୍ତାରେ ମାସ କେଇଟା ଭିତରେ ସେ ବି ଆଖି ବୁଜିଦେଲେ ।
ଭାଇ ତ ଆଗରୁ ବିଦେଶରେ ଥିଲେ । ଖବର ପାଇ ଦି’ଠୋପା ଲୁହ ହୁଏତ ଗଡେଇଥିବେ । ସାନଭାଇର ମେଡ଼ିକାଲ ପରୀକ୍ଷା ଚାଲିଥିଲା । ପରୀକ୍ଷା ପରେ ଆସି କିଛିଦିନ ରହି ଚାଲିଗଲା । ତା’ରି ସାଙ୍ଗରେ ମେଡିକାଲ ପଢ଼ୁଥିବା କେଉଁ ଏକ ଝିଅକୁ ବାହା ହୋଇ ଦିଲ୍ଲୀରେ ରହିଗଲା । ତମେ ଅବଶ୍ୟ ତା’ ବାହାଘର ନିମନ୍ତ୍ରଣପତ୍ର ପାଇଥିଲ । ସାନ ଭଉଣୀ ଗାଁ ପାଖ କଲେଜରେ ବି.ଏ. ପଢ଼ୁଥିଲା । ତା’ର ଜଣେ ଅଧ୍ୟାପକଙ୍କ ପ୍ରେମରେ ପଡ଼ି ଭୁବନେଶ୍ୱର ଆମୋଫୋଇ ସଂସ୍ଥାରେ ଯାଇ ବାହା ହୋଇଗଲା । ଅଧ୍ୟାପକ ଜଣକ ଅନ୍ୟ ଜାତିର । ସଂସ୍କୃତି ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ କେବଳ ମାଳା ବିନିମୟରେ ହିଁ ଏ ବିବାହ ହୋଇଥିଲା- ଏହା ଏକ ଆଦର୍ଶ ବିବାହ ବୋଲି ସେମାନଙ୍କର ଫଟୋଚିତ୍ର ସହ ବିଶେଷ ବିବରଣୀ ମଧ୍ୟ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଥିଲା । ବାହାଘର ପରେ ଉଭୟ ତୁମଠାରୁ ଆଶୀର୍ବାଦ ନେବାକୁ ଆସିଥିଲେ । ତୁମେ ସେମାନଙ୍କର ନୂଆ ଜୀବନର ଶୁଭକାମନା କରିଥିଲ । ତା’ପରେ ଏତେ ବଡ଼ ଘର, ବାରି, ବଗିଚା, ଜମିଜମା, ପରିପୂର୍ଣ୍ଣତା ଭିତରେ ଖେଳି ବୁଲୁଥିଲା ଖାଁ ଖାଁ ଶୂନ୍ୟତା । ଆଉ ତମେ ଥିଲ ସେଇ ପୂର୍ଣ୍ଣ ଅଥଚ ଶୂନ୍ୟ ସାମ୍ରାଜ୍ୟର ଏକମାତ୍ର ଅଧିକାରିଣୀ ।
ଦ୍ରୁତ ବେଗରେ ଘଟି ଯାଇଥିବା ଏଇ ସବୁ ଘଟଣା ଓ ଦୁର୍ଘଟଣାର କିଛିଦିନ ପରେ ତୁମକୁ ଭେଟିବା ଲାଗି ମୁଁ ଯାଇ ତୁମ ଗାଁରେ ପହଞ୍ଚିଲି । ତମେ ସେତେବେଳକୁ ତୁମ ଠାକୁର ଘରେ ଦୀପ ଜାଳି, ଆଖି ବୁଜି ଧ୍ୟାନରେ ବସିଥିଲ । ଆଖି ଖୋଲି ବୁଲି ପଡ଼ିଲା ବେଳକୁ ଏରୁଣ୍ଡି ବନ୍ଧ ଏପଟେ ମୁଁ ଠିଆ ହୋଇଥିଲି । ଆଗରୁ ଯାଇ ପହଞ୍ଚୁଛି ବୋଲି କିଛି ଖବର ଦେଇ ନଥିଲି । ମାତ୍ର ହଠାତ୍ ମୋତେ ଆବିଷ୍କାର କରି ଆଶ୍ଚର୍ଯ୍ୟ ହେବାର କୌଣସି ଭାବ ମୁଁ ତୁମଠାରେ ଦେଖିଲି ନାହିଁ । ସତେ ଯେମିତି ଯେ କୌଣସି ମୁହୂର୍ତ୍ତରେ ମୁଁ ପହଞ୍ଚି ଯାଇପାରେ ବୋଲି ତମେ ଆଶା କରୁଥିଲ । ଆନନ୍ଦ ବା ଗଭୀର ବିଷାଦର କୌଣସି ପ୍ରତିଫଳନ ମଧ୍ୟ ମୁଁ ତୁମ ମୁହଁରେ ଲକ୍ଷ୍ୟ କଲି ନାହିଁ । ବେଶ୍ ଶାନ୍ତ ଓ ନିର୍ଲିପ୍ତ ମନେ ହେଉଥିଲ ।
ମୋତେ ଦେଖି ଚୁପ୍ଚାପ୍ ରୋଷେଇ ଘରକୁ ଯାଇ ଷ୍ଟୋଭ୍ ଜାଳି ଚା’ କଲ । ବିନା ବାକ୍ୟବ୍ୟୟରେ ମୁଁ ଯାଇ ମୁହଁ ହାତ ଧୋଇ ନେଲି । ହାତକୁ ମୋର ଚା’ କପ୍ ବଢ଼େଇଦେଇ ଚାହିଁଲ । କୌଣସି ଅଳଙ୍କାର ଓ ଆଭୂଷଣ ନ ଥାଇ ମଧ୍ୟ ସାଧାରଣ ଧଳା ଶାଢ଼ିଟି ଭିତରେ ତମେ ଏକ ଦେବୀ ପ୍ରତିମା ଭଳି ସୁନ୍ଦର ଦିଶୁଥିଲ । ଦୃଷ୍ଟିରେ ମୋର ଦୃଷ୍ଟି ରଖି ତମେ ସାମାନ୍ୟ ହସିଦେଲ । କହିଲ- “କ’ଣ ଦେଖୁଛ? ଧଳା ଶାଢ଼ି ତ ତୁମ ମନ ପସନ୍ଦର ଶାଢ଼ି । ଏଇ ଶାଢ଼ି ପିନ୍ଧିବା ଲାଗି ତମେ ସବୁବେଳେ ଜିଦ୍ କରୁଥିଲ ।” ମୁଁ ଚମକି ପଡ଼ିଲି । ତମେ ମୋତେ ସେଇ ହଜିଲା ପଢ଼ା ଦିନର କଥା ମନେ ପକେଇ ଦେଲ । କ୍ଲାସ୍କୁ ଆସିଲା ବେଳେ ଅନ୍ୟ ସାଙ୍ଗମାନଙ୍କ ଭଳି ରଙ୍ଗବେରଙ୍ଗର ଦାମୀ ଶାଢ଼ି ନ ପିନ୍ଧି ସାଦା ଧଳା ଶାଢ଼ିଟିଏ ପିନ୍ଧି ଆସ ବୋଲି ମୁଁ ତୁମକୁ ଥରେ କହିଥିଲି । ତମେ ସେତେବେଳେ ପରିହାସରେ ପଚାରିଥିଲ, “ମୋତେ କ’ଣ ତା’ହେଲେ ସବୁବେଳେ ବିଧବାର ବେଶରେ ରହିବାକୁ ଚାହଁ?” ତୁମର ଏ ଲଘୁ ପ୍ରଶ୍ନ ଶୁଣି ମୁଁ ସେତେବେଳେ ରାଗି ଯାଇଥିଲି । ଦୁଇ ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ କରି ଦେଇଥିଲି । ମାତ୍ର ତା’ପରେ ତୁମର ଧଳା ଶାଢ଼ିର ପରିମାଣ କ୍ରମଶଃ ବଢ଼ିଯାଇଥିଲା । ପଛଦିନର ସେଇ ସବୁ କଥା ମନେ ପକାଇ ଦେଇ କହିଲ ‘ତମରି ଚାହିଁବା, ତମରି ଭଲପାଇବାର ଧଳାରଙ୍ଗ ହିଁ ମୋର ଜୀବନକୁ ପୂରାପୂରି ଆଚ୍ଛନ୍ନ କରିଦେଲା ।’ ତମେ ହସୁଥିଲ । ହେଲେ ତମର ସେଇ ହସ ଭିତରେ ଟୋପି ଟୋପି ଲୁହ ସବୁ ଝରିପଡୁଥିବାର ଦୃଶ୍ୟ ମୁଁ ବେଶ୍ ଦେଖିପାରୁଥିଲି ।
ତା’ପର ଦିନ ମୁଁ ତୁମ ପାଖରେ ପ୍ରସ୍ତାବ ରଖିଲି । କହିଲି- ଏଥର ତୁମର ଧଳାଶାଢ଼ିରେ ମୁଁ ରଙ୍ଗ ଦେବାକୁ ଚାହେଁ । ମୋତେ ଏଥିପାଇଁ ଅନୁମତି ଦିଅ । ତୁମର ଶୂନ୍ୟ ସୀମନ୍ତକୁ ପୂର୍ଣ୍ଣତାରେ ଭରିଦେବାକୁ ମୋର ଇଚ୍ଛା ।
ତମେ ସେମିତି ଶୁଷ୍କ ହସ ହସି କହିଥିଲ- କାହା ଇଚ୍ଛା ଅନିଚ୍ଛାରେ ମୋର ବା ଆଉ ପ୍ରୟୋଜନ କ’ଣ? ନିଜ ଇଚ୍ଛା ନେଇ ମୋତେ ଏଥର ରହିବାକୁ ଦିଅ । ଏଇ ବେଶ୍ ଭଲ । କେତେ ଦିନର ବା ଏ ଜୀବନ । ଆଉ ଅଯଥା ରଙ୍ଗ ଖେଳରେ ମାତି ଲାଭ କ’ଣ?
ତଥାପି ମୋ ମନ ବୁଝୁ ନଥିଲା । ବ୍ୟାଙ୍କ ଚାକିରିର ନିରାପତ୍ତା ଭିତରେ ଥାଇ ମଧ୍ୟ ମୁଁ ଅସ୍ଥିରତା ଅନୁଭବ କରୁଥିଲି । ତୁମର ଅସହାୟତା ମୋ ଭିତରେ କେମିତି ଏକ ଅପରାଧବୋଧ ସୃଷ୍ଟି କରୁଥିଲା । ମୁଁ ସେଇ ଅସ୍ଥିରତା ଓ ଅପରାଧବୋଧରୁ ମୁକ୍ତି ଖୋଜୁଥିଲି । ବାପାଙ୍କୁ ଜଣେଇଥିଲି ମୋର ପ୍ରସ୍ତାବ । ବାପାଙ୍କର ମୋର କଥାରେ କେବେ କୌଣସି ଆପତ୍ତି ନଥିଲା । ସେକାଳର ମଣିଷ ହେଲେ ବି ରକ୍ଷଣଶୀଳତା ଠାରୁ ସେ ଥିଲେ ଦୂରରେ । ମାତ୍ର ତମେ ମୋର ଇଚ୍ଛାକୁ ନିଜର କରିବାକୁ ଚାହିଁ ନ ଥିଲ । କହିଥିଲ ‘ଏକମାତ୍ର ପୁଅ ବୋଲି ତୁମ ମନରେ କଷ୍ଟ ନ ଦେବା ଲାଗି ବାପା ତୁମର ହୁଏତ ଏ ପ୍ରସ୍ତାବରେ ରାଜି ହୋଇପାରନ୍ତି । ମାତ୍ର କହିଲ ଦେଖି, ଥରେ ଅନ୍ୟ କାହାର ବଧୂ ହୋଇ ବିଧବା ହେବା ପରେ ଆଉ ଥରେ କେହି କ’ଣ ତାକୁ କୁଳବଧୂ କରିବାରେ ଆଗ୍ରହ ପ୍ରକାଶ କରିପାରେ?”
ଯେତେବେଳେ ମୁଁ ଯାଇଛି ପ୍ରତି ଥର ସେଇ ପୁରୁଣା ପ୍ରସ୍ତାବର ହିଁ ପୁନରାବୃତ୍ତି କରିଛି ତୁମ ପାଖରେ । ଆଉ ପ୍ରତିଥର ତମେ ମୋତେ ବୁଝେଇ ଶୁଝେଇ ଫେରାଇ ଦେଇଛ ।
କହିଛ- “ମୋତେ ପ୍ରକୃତରେ ସୁଖୀ ଦେଖିବାକୁ ଚାହୁଁଥିଲେ, ଏଥର ତୁମେ ତୁମର ସଂସାର ଗଢ଼ିନିଅ । ମୁଁ ମୋର ଏ ଘର, ବଗିଚା, ଦୂରର ପାହାଡ଼ ଓ ଆକାଶକୁ ନେଇ ବେଶ୍ ଭଲରେ ଅଛି ।”
ହତାଶ୍ ହୋଇ ମୁଁ ଫେରି ଆସୁଥିଲି । କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ବଢ଼ି ଚାଲିଥିଲା । ତେଣୁ ମାସକେ ଥରେ, ଦି’ଥର ଯାଇ ତୁମକୁ ଦେଖି ଆସିବାର କାର୍ଯ୍ୟସୂଚୀ ମଧ୍ୟ ଏଣିକି ବଦଳିଗଲା । କିଛି ମାସ ପାଇଁ ଏକ ବିଶେଷ ଟ୍ରେନିଂ ପ୍ରୋଗ୍ରାମରେ ମୋତେ ଅନ୍ୟ ସହରକୁ ଯିବାକୁ ପଡ଼ିଲା । ତିନି ମାସ ପରେ ସେଠାରୁ ଫେରି ସିଧାସଳଖ ଯାଇ ପହଞ୍ଚିଲି ତୁମ ଗାଁରେ । ତୁମେ ସେତେବେଳକୁ ଦାଣ୍ଡ ପିଣ୍ଡାରେ ବସି ଶୂନ୍ୟ ଦୃଷ୍ଟିରେ ଦୂର ପାହାଡ଼ ଆଡକୁ ଚାହିଁ ରହିଥିଲ ।
ପୂର୍ଣ୍ଣିମାର ତିଥି ବୋଧହୁଏ । ପାହାଡ଼ ଉପରେ ଜହ୍ନର ଆଲୁଅ । ଆକାଶରେ କିନ୍ତୁ ଭସା ବାଦଲର ପଟୁଆର । ଘର ଦାଣ୍ଡ ଛାଡ଼ି କିଛି ସମୟ ପରେ ଆମେ ବାହାରକୁ ଆସିଲେ । ନିକଟରେ ଥିବା ଏକ ଖୋଲା ପଡ଼ିଆରେ ଯାଇ ବସିଲେ । ମୁଁ ତୁମକୁ ତୁମର ଭାଇ ଭଉଣୀମାନଙ୍କ କଥା ପଚାରିଥିଲି । ସେମାନଙ୍କଠାରୁ ଚିଠିପତ୍ର କିଛି ପାଉନାହଁ ବୋଲି କହିଲ । ମୋତେ ମୋ ଚାକିରି, ବାହାଘର କଥା ପଚାରିଲ । ଦୂର ଆକାଶରେ ଭରା ବାଦଲ ସହିତ ଜହ୍ନର ଲୁଚକାଳି ଖେଳ ଚାଲିଥିଲା । ଜହ୍ନ ସେତେବେଳକୁ ପୂରାପୂରି ମେଘମାନଙ୍କ କବଳରେ । ପବନର ଗତି ବଢ଼ିଥିଲା ଆମେ ଘର ଆଡ଼େ ମୁହଁ ଫେରାଇଲେ । ମାତ୍ର ଘରେ ପହଞ୍ଚିଲା ବେଳକୁ ଦୁହେଁ ଯାକ ପୂରାପୂରି ଓଦାରେ ଜୁଡୁବୁଡୁ ।
ତମେ ତମର ଓଦାଲୁଗା ବଦଳେଇ ଚୁଲୀରେ ନିଅାଁ ଧରେଇଲ । ମୁଁ ମଧ୍ୟ ଲୁଗା ବଦଳେଇ କିଛି ସମୟ ପରେ ଚୁଲୀ ପାଖରେ ଯାଇ ବସିଲି । ବାହାରେ ବର୍ଷାର ବେଗ ବଢ଼ୁଥିଲା । ମେଘ-ପବନର ଶୀତଳତା ଓ ଚୁଲୀ ନିଅାଁର ଉଷ୍ମତା ମୋ ଭିତରେ ଅଦ୍ଭୁତ ଉତ୍ତାପ ଭରିଦେଲା । ମୁଁ କ୍ରମଶଃ ଜଳିବାକୁ ଆରମ୍ଭ କଲି । ମୋ ଭିତରର ସେ ନିଅାଁ ଲିଭିଲା ବେଳକୁ ରାତି ପାହି ଆସୁଥିଲା । ବାହାରେ ବର୍ଷା, ପବନର ଗତି ମଧ୍ୟ ଥମି ଯାଇଥିଲା । ତୁମ ଆଖିରେ ସେତେବେଳକୁ ଦୁଇବୁନ୍ଦା ଲୁହ ଚିକ୍ ଚିକ୍ କରୁଥିଲା । ମୁଁ ସେ ଲୁହକୁ ତଳେ ପଡ଼ିବାକୁ ଦେଲି ନାହିଁ । ମୋର ଥରି ଉଠୁଥିବା ଓଠରେ ତାକୁ ପୋଛି ନେଲି ।
ମୁଁ ଯାହା ଆଶା କରୁଥିଲି, ତାହାହିଁ ହେଲା । ତମେ ଗୋଟିଏ ଧାଡ଼ିରେ ଚିଠିରେ ଏ ସମ୍ବାଦ ଜଣେଇଦେଲ । ମୁଁ ଲେଖିଲି- ‘ଏଥର ପ୍ରସ୍ତୁତ ହୋଇଥିବ । ସରୁ ଧଡ଼ିର ଧଳାଶାଢ଼ିକୁ ବାକ୍ସରେ ରଖିଦେଇ ପଢ଼ାବେଳର ଆକାଶ ରଙ୍ଗର ଶାଢ଼ିଟି ପିନ୍ଧିଥିବ । ଘର, ବାରି ବଗିଚାର ଦାୟିତ୍ୱ ନେବା ପାଇଁ ଲୋକଟିଏ ଠିକ୍ କରି ଦେଇଥିବ । ଏଥର ମୁଁ ଫେରିଲା ବେଳକୁ ତୁମକୁ ମୋ ସାଙ୍ଗରେ ଫେରିବାକୁ ହେବ ।
ଆଦୌ ବିଳମ୍ବ ନକରି ଫେରନ୍ତା ଡାକରେ ତମେ ଉତ୍ତର ଫେରାଇଲ । ଯେମିତି ଅନେକ ଆଗରୁ ଏ ନିଷ୍ପତ୍ତି ନେଇସାରିଥିଲ । ମନରେ ଏଥିପାଇଁ ତିଳେମାତ୍ର ଦ୍ୱନ୍ଦ୍ୱ ବା ଦ୍ୱିଧା ନଥିଲା । ଲେଖିଥିଲ- ‘ଧଳା ବଦଳରେ ଆକାଶୀ ରଙ୍ଗର ଶାଢ଼ି ପିନ୍ଧିବାକୁ କାହିଁକି କହୁଛ? ଭୁଲିଗଲ । ତମେ ପରା ଦିନେ କହିଥିଲ ଯେ, ଧଳାରଙ୍ଗ ହେଉଛି ଅନେକ ରଙ୍ଗର ସମାହାର । ସେଇ ରଙ୍ଗକୁ ହିଁ ମୁଁ ମୋ ଜୀବନର ରଙ୍ଗ କରିନେଇଛି । ତମେ ତ ମୋ ଶୁଭକାଙ୍କ୍ଷୀ, ବନ୍ଧୁ, ପ୍ରିୟଜନ । ଏଠୁ ଯିବା କଥା କେବେ ଆଉ କହିବ ନାହିଁ କି ଲେଖିବ ନାହିଁ । ମୋର ଏକାକୀତ୍ୱ ପାଇଁ ତୁମ ମନରେ ଉଦ୍ବେଗ ଥିଲା । ମୋର ନିଃସଙ୍ଗତା ତୁମ ମନରେ ଅସ୍ଥିରତା ଆଣୁଥିଲା । ମାତ୍ର ଏବେ ତ ମୁଁ ଆଉ ଏକା ନାହିଁ । ମୋ ଭିତରେ ସେଇ ଶୁଦ୍ଧ ଭଲ ପାଇବାର ଶୁଭ୍ର ରଙ୍ଗ । ନିର୍ଜନ, ନିଃସଙ୍ଗ ବେଳାଭୂମିରେ ଏବେ ନୀଳ ସମୁଦ୍ରର ଅଧୀର ତରଙ୍ଗ । ସେଇ ତରଙ୍ଗର ସ୍ୱପ୍ନ, ସ୍ପର୍ଶ ଓ ସ୍ପନ୍ଦନକୁ ଆପଣାର କରି ମୁଁ ଏଥର ବେଶ୍ ଭଲରେ ବଞ୍ଚିଯାଇ ପାରିବି । ତମେ ବ୍ୟସ୍ତ ହେବ ନାହିଁ ।”
ହାତରେ ତୁମର ପ୍ରତିଲିପିକୁ ଧରି ମୁଁ ଚାହିଁଛି-
କାହିଁ କେତେ ଦୂରରେ ସେଇ ପାହାଡ଼ ।
ପାହାଡ଼ ପାଖରେ ଗାଁ ।
ଗାଁ ଭିତରେ ତମର ସେଇ ଘର ।
ଆଉ ଘର ଭିତରେ ଶୁଭ୍ରତାର ବସନ ଭୂଷଣ ନେଇ କେତେ ରଙ୍ଗର ଦୀପ୍ତିରେ ଦେବୀଟିଏ ଭଳି ତମେ ଝଟକି ଉଠୁଛ ।