ତା ନାଁ ଥିଲା ଦୌପଦୀ । ବିରାଟ ପରିବାରରେ ବଢ଼ିଥିଲା ସେ । ଭାଇଭଉଣୀ ପନ୍ଦର ଜଣ । ଜେଜେମା ତା ନାଁ ଦେଇଥିଲେ । ପାଞ୍ଚ ଭାଇରେ ସେ ଥିଲା ଗୋଟିଏ ବୋଲି ଗେହ୍ଲା ଭଉଣୀ । ତାର ବୋଉଥିଲା ସେ ପରିବାରର ସାନ ବୋହୁ । ଚାରି ଦେଢ଼ଶୁର ଓ ଚାରି ଜାଆଙ୍କ ଭିତରେ ସାନ ବୋହୁ ପଣିଆଁ କରି କରି ସେ ବୁଢ଼ୀ ହୋଇ ଯାଇଥିଲା । ବାହା ହୋଇ ଆସିଲା ଦିନ ଦାଣ୍ଡ ବାଟେ ଆସିଥିଲା ଯାହା । ଆଉ କେବେ ଅକାଳେ ସକାଳେ ପୁଅ ପୁତୁରାଙ୍କ ବାହା ପୁଆଣିରେ ଥରେ ଅଧେ ଦାଣ୍ଡକୁ ଯାଇଥିବ ନାକ ଯାଏ ଓଢ଼ଣା ଟାଣି । ତାର ତୁଣ୍ଡ ଯେମିତି କେହି ଶୁଣିନଥିଲେ । ଗୋଟିଏ ଖଞ୍ଜାରେ ଏତେ ମଣିଷଙ୍କ ମେଳରେ ବି ସେ କେମିତି ତୁନି ରହିପାରୁଥିଲା କେଜାଣି? ଏମିତିକି ପିଲା ଜନ୍ମ କଲାବେଳେ ବି ସେ ଚିତ୍କାର କରେନି, ଦାନ୍ତ ଜାକି ସବୁ ସହିଯାଏ ବୋଲି ଗାଁ ସାରା ବୋହୁର ସୁନାମ ।
ସତରେ ସୁନାମର ଗଦ ଶୁଂଘାଇ ତା’ ଠାରୁ ତାର କଥା କହିବାର ସ୍ୱାଭାବିକ ଅଧିକାର କାଢ଼ି ନିଆଯାଇଥିଲା ବୋଲି ହୁଏତ ସେ ବୁଝି ପାରୁନଥିଲା । କେବେ ବି ସେଭଳି ଚିନ୍ତା କରିଥିବ କି ନାଁ କେଜାଣି? କରିଥିବ ବୋଧେ, ନହେଲେ ସେ ଭାଇମାନଙ୍କ ଉପରେ ବିରକ୍ତ ହେଉଥିଲା ବେଳେ ଦ୍ରୌପଦୀର ସବୁ ଅଳି ଅର୍ଦ୍ଦଳି ନିର୍ବିକାରରେ ସହି ଯାଉଥିଲା କାହିଁକି? ବଡ଼ବାପାଙ୍କର ପିଲାମାନେ ‘ଖୁଡ଼ୀ, ଖାଇବାକୁ ଦିଅ’, ଖୁଡ଼ି ମୁଣ୍ଡକୁଣ୍ଡାଇ ଦିଅ, ‘ଖୁଡ଼ୀ ଜାମା ପିନ୍ଧାଇ ଦିଅ’ ସବୁବେଳେ ଲାଗିଥିବେ ତା ବୋଉ ସାଥିରେ । ବୋଉ ବି ନିର୍ବିକାରରେ ପାରୁ ପର୍ଯ୍ୟନ୍ତ ସମ୍ଭାଳୁ ଥିବ ସେମାନଙ୍କ ଜଂଜାଳ । ଦ୍ରୌପଦୀ ଭାବେ ସେ ତ ବଡ଼ବୋଉଙ୍କ ପାଖରେ ଥରେ ଦି ଥର ଅଳି କରିଥିବ କି ନାହିଁ । ବଡ଼ବୋଉ ତାକୁ ପାଖ ପୁରାନ୍ତିନି । ତାକୁ ଲୁଚେଇ ମାମି, କୁନି, ରୁନି ସମସ୍ତଙ୍କୁ ଭଲ ଜିନିଷ ଦିଅନ୍ତି । ନଜାଣିଲା ଭଳି ତାକୁ ମାଡ଼ ମଧ୍ୟ ଦିଅନ୍ତି । ‘କାହିଁକି ମାରୁଛ ମତେ’! ସେ ପାଟି କରେ । ବଡ଼ବୋଉ ଦେଖାଇ ହେଲା ପରି ଆଉଁଶି ପକାନ୍ତି “ଆହା ବାଜିଗଲାକି? ମୁଁ ଜାଣିନି ଚୁଃ ଚୁଃ”
ଦୌପଦୀ କାହାକୁ କହିବ ଏକଥା । ଜେଜେମା କହଥିଲେ ସେ ଅଣ୍ଡିରାଚଣ୍ଡୀ । ରାହାବାଳୀ । ଭାଇମାନେ କାନ ମୋଡ଼ୁଥିଲେ । ବେଣୀ ଟାଣି ଦେଇ ଦିଚାରିବିଧା କଷି ଦେଉଥିଲେ । ବଡ଼ବାପାମାନେ କଥା କଥାକେ କହି ପକାଉଥିଲେ ଯେ ଏ କଳିକାଣ୍ଡୋଇ ଝିଅଟା ପାଇଁ ସେମାନଙ୍କୁ କେତେ ନାକ ଘଷିବାକୁ, କେତେ ମାଣ ଜମି ବିକିବାକୁ ପଡ଼ିବ କେଜାଣି । କିନ୍ତୁ ତାବୋଉ ମୁହଁକୁ ଚାହିଁଲେ ତାର ଦମ୍ଭ ଆସୁଥିଲା । ବୋଉ ତାକୁ ଆବୋରିଥିଲା । ଗୋଟେ ସୁଦ୍ଧା ମାଆ କୁକୁଡ଼ା ତା’ଛୁଆମାନଙ୍କୁ ଡ଼େଣା ଛାଇରେ ଆବୋରିଲା ପରି । ଥରେ ସାଙ୍ଗମାନେ ସ୍କୁଲରେ ଦୌପଦୀର ନା ନେଇ ତାକୁ ଥଟ୍ଟା କଲେ । “ଦୌପଦୀ ନାଁ ଚଉପଦୀ’, ‘ପଦିଲୋ ପଦି, ପଦି ଯାଉଛି କୁଦି କୁଦି” ଛିଛି ସେଦିନ କିଶୋରୀ ଦ୍ରୌପଦୀ ବୋଉ ପାଖରେ ଭାରି କାନ୍ଦିଥିଲା । କାହିଁକି ତାର ଏମିତି ଅପରିଛନିଆଁ ନା । ବନାନ ବି ମନେ ରହୁନି । ସାର୍ ନିଜର ନାଁ’ ବନାନ ଭୁଲ ଲେଖୁଥିବାରୁ ଦିଥର କାନ ମୋଡ଼ି ଦେଲେଣି । ଝିଅମାନଙ୍କ ନାଁ ପ୍ରମିଳା, ହେମଲତା, ଉଷାରାଣୀ କେତେ କ’ଣ ।
ତା ନାଁ କାହିଁକି ଏମିତି? ବୋଉ ତା ସାଧ୍ୟାତେ ବୁଝାଇଥିଲା ଯେ ଦ୍ରୌପଦୀ ଯଜ୍ଞକୁଣ୍ଡରୁ ବାହାରିଥିଲେ । ତାଙ୍କର ଆଉ ଗୋଟିଏ ନାଁ ଯାଜ୍ଞସେନୀ । ପିତାଙ୍କ ଅପମାନର ପ୍ରତିଶୋଧ ନେବାକୁ ତାଙ୍କର ଜନ୍ମ ହୋଇଥିଲା । ସେ କୁରୁ ପାଣ୍ଡବ ଯୁଦ୍ଧର ହେତୁ, ସେ ପୁଣି ଦୁର୍ଗାଙ୍କର ଅବତାର । ଏସବୁ ବୁଝାଇଲା ବେଳେ ତା ବୋଉ ଖୁବ ଅନ୍ୟମନସ୍କ ଜଣାଯାଉଥିଲା । କିନ୍ତୁ ଦ୍ରୌପଦୀ ସରଳ ଭାବରେ ଏତିକି ବୁଝି ଯାଇଥିଲା ଯେ ସେ ଅନ୍ୟ ପାଞ୍ଚଟା ଝିଅଙ୍କଠାରୁ ଭିନ୍ନେ । ତାର ଇଚ୍ଛା ସମସ୍ତଙ୍କୁ ମାନିବାକୁ ହେବ । କ୍ରମଶଃ ସେ ନିଜକୁ ପରିବେଶ ସହିତ ଚଳାଇପାରିଲାନି । ଚକ୍ଷୁଶୂଳ ହେଲା । କଥାକଥାକେ ମୁରବୀମାନେ ତା ଚାଲିଚଳଣି ପାଇଁ ତା ବୋଉକୁ ଦୋଷ ଦେଲେ ।
ମନେ ଅଛି, ଗୋଛାଏ ବାଳ ଥାଏ ମୁଣ୍ଡରେ ତାର । ଯଦି କେବେ ଗାଧୋଇ ସାରି ବାଳ ମୁକୁଳା କରିଥିବ, ଜେଜେ ମାର ଗାଳି ବର୍ଷିଯିବ । ‘ଦୌପଦୀ ତ ସେକାଳେ ବାଳ ମୁକୁଳା କରି ବଂଶ ମାରିଲା, ମାଇକିନିଆଁ ଝିଅ, ମୁଣ୍ଡ କ’ଣ ମୁକୁଳା?’ ବାପାଭାଇଙ୍କୁ ଦୋଷ । କେଉଁଠି ଏ ଚଳିବ ଲୋ ମାଆ? କେତେ ମୁଣ୍ଡ ଖାଇବ! ଏଥର ଆଉ ଗୋଟିଏ ନୂଆ କଥା ଦ୍ରୌପଦୀ ମନରେ ତରଙ୍ଗ ସୃଷ୍ଟି କରିଥିଲା । ଯେ ଝିଅପିଲା ମୁଣ୍ଡ ମୁକୁଳା କଲେ ବାପା ଭାଇ କଷ୍ଟ ପାଆନ୍ତି । ଘରର କ୍ଷତି ହୁଏ ତେଣୁ ସେ ଜାଗ୍ରତ ଦେଲା । ରାତି ନପାହୁଣୁ ମୁଣ୍ଡ କୁଣ୍ଡାଇ ଅଳିଆକେଶ ଫିଙ୍ଗି ଦେଲା । ଲୁଚାଇ ଲୁଚାଇ ବେଣୀ ତଳପଟୁ ଚାଖଣ୍ଡେ ଲେଖାଁଏ କେଶ କାଟିପକାଉଥିଲା, କାଳେ ତା ପାଇଁ ତା ବାପାଙ୍କ ଦେହ ଖରାପ ହେବ, ଭାଇ ପରୀକ୍ଷାରେ ଭଲ ନକରିବ, ଏମିତି ସେ ବୟସ୍କା ହୋଇଗଲା । ବୟସରେ ନୁହେଁ ମାନସିକତାରେ । ଶିଖିଲା ଅନେକ ସାଂସାରିକ କଥା । ଯେଉଁ କଥାମାନଙ୍କ ସହିତ ତାର ପୂର୍ବରୁ କୌଣସି ପରିଚୟ ମଧ୍ୟ ନଥିଲା । ସେଇ ଦ୍ରୌପଦୀ ନିଜ ବିଷୟରେ ଯେତିକି ଚିନ୍ତା କରୁଥିଲା ସେତିକି ତାକୁ ନୂଆ ଲାଗୁଥିଲା । ହୁଏତ ଏକ ବଡ଼ ପରିବାର ଭିତରେ ସେ ବଢ଼ିଥିଲା, ସବୁଠୁ ଅଲୋଡ଼ା ଖୁବ୍ ସାଧାରଣ ଭାବରେ । କିନ୍ତୁ ତା ବୋଉର ସବୁ ଆଶା ଆକାଂକ୍ଷା ଯେମିତି ତାରି ଭିତରେ ରୂପ ନେଇଥିଲା । ଅନ୍ୟ ମନସ୍କ ଭାବରେ ବୋଉ ତାର ବାରମ୍ବାର ତାକୁ କହିଥିଲା, ‘ତୁ ହିଁ ମୋ ଦୁଃଖ ବୁଝିବୁ, ଏ ପାଞ୍ଚଟା ପୁଅ ବୁଝିବେନି । “ଝିଅମାନେ ମାଆର ଦୁଃଖ ବୁଝନ୍ତି ।” କି ଦୁଃଖ ଥିଲା ବୋଉର । ସେ ମନେ ପକାଉଥିଲା ।
ଦିନେ ବୋଉ ଖାଇ ବସିଥାଏ । ଜେଜେମା ଖାଇ ପିଇ ଟିକିଏ ଗଡ଼ପଡ଼ ହୋଇସାରି ପାନେ ଖିଲେ ଜାକି ଆସି ସେଠି ବସିଲା । କହିବାକୁ ଆରମ୍ଭ କଲା, “କୋଉ କାଳେ ବୋହୂମାନେ ତରକାରୀ ଖାଉଥିଲେ କେଜାଣି? ରଖିଦେଇଥିଲେ ପିଲାମାନେ ଇସ୍କୁଲରୁ ଆସିଥିଲେ ଖାଇନଥାନ୍ତେ? କି ଘର ତୁମେ ସବୁ କରିବ?” ସେଦିନ ଦ୍ରୌପଦୀ ଚଞ୍ଚଳ ସ୍କୁଲରୁ ଫେରିଆସି ଅଗଣାରେ ଚଟା ଖେଳୁଥିଲା । ଜେଜେମାର କଥା ଶୁଣିଲା ସେ । ହେଲେ ତାର ମୂକ ବୋଉର ଉତ୍ତର ଶୁଣିପାରିଲାନି । ସେ ଭାତତକ ଖାଇଥିବ ନାଁ ଅଧାରୁ ଉଠିଯାଇଥିବ? ଆଜି ଭାବୁଛି କେତେ କଷ୍ଟ ତା ବୋଉ ପାଇଥିବ ସେଦିନ । ଏସବୁ ସେ ଦେଖିଛି, ଶୁଣିଛି । ବୁଝିଛି କିନ୍ତୁ ଖୁବ୍ ଡ଼େରିରେ । ଥରେ ତାକୁ ଜର ହୋଇଥାଏ । ଚାରିପାଞ୍ଚ ଦିନ ଜର ଛାଡ଼ିଲାନି । ସେ ବିଛଣାରେ ପଡ଼ିଥାଏ । ତା ବୋଉ କାନ୍ଦି କାନ୍ଦି ତା ବାପାଙ୍କୁ କହୁଥାଏ ଟିକେ କମ୍ପାଉଣ୍ଡର ବାବୁଙ୍କୁ ଡାକି ଦେବାକୁ । ସେ ଗାଁରେ ସେ ସମୟରେ ବିକଳିବାବୁ କମ୍ପାଉଣ୍ଡର ହିଁ ଦେବତା । ତାଙ୍କର ଔଷଧ ପାଣି ଟୋପାକୁ ଗାଁ ଯାକର ଆଶା । ବାପା କହିଲେ ତାଙ୍କୁ ବେଳ ନାହିଁ । ସେ ଉପରଓଳି ଯାତ୍ରା ଦେଖି ଯିବେ । ବଡ଼ ମାଆ ମୁହଁ ମୋଡ଼ି ଦେଇ ଚାଲିଗଲେ । “ଝିଅଟାଏତ..” ଫିଙ୍ଗି ଦେଇ ଗଲେ ଶାଣିତ କଥାରେ କାତି । ବାପା କହୁଥିଲେ “କଣ ଥଣ୍ଡାଜରରେ କିଏ ମଲେଣି ଆଜିଯାଏ । ଏଇ ମଲେ ଶହେ ପୁରିବ । ଟିକେ ଶାନ୍ତିରେ ରଖେଇ ଥୋଇ ଦେବେନି ଏଗୁଡ଼ାକ ।”
ଦ୍ରୌପଦୀର ମନେ ଅଛି ଜରବାଉଳାରେ ତା ଉପରେ ଦିଟୋପା ପାଣି ପଡ଼ିଥିଲା । ତା ବୋଉ ବୋଧେ କାନ୍ଦୁଥିଲା କି କ’ଣ? ବୋଉ ଓଷାକରେ । ପୂଜା କରେ ଆଉ ଘରର ଜାବତୀୟ କଥା ନିର୍ବିକାରରେ ହସି ହସି କରିଯାଏ । ଦ୍ରୌପଦୀ କାବା ହୋଇଯାଏ ବୋଉର ବଳ ଦେଖି । ଆଜି ଯାଏ ପରିଣତି ବୟସରେ ଦ୍ରୌପଦୀ ଭାବୁଛି ବୋଧେ ବାପାଙ୍କର କି ବଡ଼ମାଆମାନଙ୍କର ତୁଣ୍ଡରୁ ଆହାପଦ ଶୁଣିବାକୁ କିମ୍ବା ତାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ବୋଉର ସେସବୁ ଥିଲା ନିରବ ସାଧନା ।
ମାମୁଁମାନେ ଅକାଳେ ସକାଳେ ଆସନ୍ତି । ବାପା କି ବଡ଼ବାପା କେବେ ସେମାନଙ୍କୁ ଆଦର କରିବାର ତାର ମନେ ପଡ଼ୁନି । ଓଲଟି ଜେଜେମା ଥିଲା ବେଳେ ସାନବୋହୂର ଭାଇ କ’ଣ ଆଣିଛି ବୋଲି ଶହେଥର ହିସାବ ମାଗୁଥିଲା । ବୋଉ କିନ୍ତୁ ମାମୁଁ ଘରକୁ ଯାଏନି, ଯାଇପାରେନି । କୋଉ ପୁତୁରାର ପରୀକ୍ଷା, ଝିଆରୀର କନ୍ୟା ଦେଖା, ବାପାଙ୍କର ଅଣ୍ଟାଧରା ନହେଲେ ଶାଶୁଙ୍କର ଅଧାକପାଳି ବିନ୍ଧା । ବାପା କହନ୍ତି ମାମୁଁମାନେ ଭଣଜା ଭାଣିଜୀଙ୍କର ଉପଯୁକ୍ତ ଯତ୍ନ କରି ପାରିବେନି । ଅସଲ କଥା ସେଠି ନଥାଏ । ବୋଉ ଆଠ ଦିନ ଘରୁ ପଦାକୁ ଗଲେ ଘରର କାମତକ କରିବ କିଏ? ଦ୍ରୌପଦୀର ମନ ହୁଏ ଚିତ୍କାର କରି କହନ୍ତା, “ବାପା, ଏଇ ଖରାଛୁଟିରେ ଆମେ ମାମୁଁ ଘରକୁ ଯିବୁ । ତୁମେ ବି ଚାଲ ।’ ନାଁ ତା ବାପା ଏ ବିଷୟରେ ମତାମତ ବି ଦେଇପାରିବେନି । କାହିଁକି ନାଁ ବଡ଼ ଭାଇମାନଙ୍କ ପାଖରେ ସେ ଅବୋଧ ବାଳକ ସବୁକାଳେ । ତା ପରେ ବାପାଙ୍କର ବଡ଼ ଭୟ ଥିଲା କାଳେ ତାଙ୍କର ଅପାରଗତା ବିଷୟରେ ବୋଉ ତା ବାପଘରେ ବଖାଣି ବସିବ! ଦ୍ରୌପଦୀ ଦେଖେ ସବୁ ଦିନେ ଖରାବେଳେ ବଡ଼ବାପାଙ୍କ ଘରେ ତାସ ପାଲି ପଡ଼େ । ବଡ଼ମା ଦିଅରମାନଙ୍କ ସାଥିରେ ଖେଳନ୍ତି । ଆଉ ଦିଜଣ ବଡ଼ ମାଆ ମୁଣ୍ଡରେ ଖୋସା ପକାଇ ଆସନ ବୁଣି ଅଳତା ଲଗାଇ ନହେଲେ ପାନ ଭାଙ୍ଗି ଗପ କରୁକରୁ ଖରାବେଳ କାଟି ଦିଅନ୍ତି । ଜେଜେମା ବି ବେଳେବେଳେ ତାସ ଖେଳ ଦେଖେ ବସି ବସି । ଦ୍ରୌପଦୀର ବୋଉ ସେଠିକୁ ଯାଇ ପାରେନି । ପ୍ରଥମରେ ତ ମାନ୍ୟ, ତାପରେ ତାର ବେଳ କାହିଁ ଯେ? ଅଇଁଠା ବାସନ ପାହାଡ଼ ପାଖରେ ତାର ଖରାଗଡ଼ିଯାଏ । ପୁଣି ଘରଓଳା, ପାଣି ଅଣା, ଚୂଲିଲଗା, ଚାହା ଜଳଖିଆ ଚାଳିଲା ତେଣିକି, ଦ୍ରୌପଦୀ ଭାବେ ବୋଉ ତାର ଖେଳିପାରନ୍ତା? ଥରେ ଦିଥର ସେ ବୋଉକୁ ଡାକିଛି ତା ସାଂଗରେ ଚଟା କି କାଞ୍ଜିଗାତ ଖେଳିବାକୁ , ବୋଉ ହସିଦିଏ । ତା ମୁଣ୍ଡ ଆଉଁଷିଦିଏ । ଆଉ କେମିତି ବା ସେ ବୁଝାଇଥାଆନ୍ତା କିଶୋରୀ ଝିଅକୁ । କି ଭାଷାରେ ତା ନିରବତାର ସାଧନା ସମ୍ପର୍କରେ ଶୁଣାଇଥାଆନ୍ତା । ବୋଉ କିନ୍ତୁ ତା ପାଠପଢ଼ା ଉପରେ ଭାରି ଜୋର ଦିଏ ।
ଦ୍ରୌପଦୀର ମନେ ଅଛି ବଡ଼ମାଆ ମାନଙ୍କର ଥଟ୍ଟା ଶୁଣି ବି ବୋଉ ତାକୁ ଭୋରୁ ଉଠାଏ । ରାତିରେ ଲ୍ୟାମ୍ପଜାଳି ମୁଣ୍ଡ ଉପରେ ଥୋଇ ତାକୁ ପଢ଼ିବାକୁ ଡ଼ାକେ । ଭାଇମାନେ କଥା ଶୁଣିଲେ ଶୁଣନ୍ତି, ନହେଲେ ନାହିଁ । ଭୋରୁ ଡାକିଲେ ବାପା ଭାରି ବିରକ୍ତ ହୁଅନ୍ତି । ସକାଳର ନିଦଟା ଭାଙ୍ଗି ଯାଏ ବୋଲି କ’ଣ ସେ ଚିଡ଼ବିଡ଼୍ ହୋଇ କହନ୍ତି “ସ୍ୱର୍ଗକୁ ନବ ଝିଅ ପାଠ ପଢ଼ିଲେ । ନିଜେ ତ ନେତ୍ରୀ, ତାକୁ ନ୍ରେତୀ କରିବ ।” ବଡ଼ ପାଟିରେ ବୋଉକୁ ଶୁଣାଇ କହନ୍ତି, “ କାହିଁକି ଏତେ ଜିଦ୍ ତମର । ଝିଅ ପିଲାତ । ଯେତିକି ଖୁସିରେ ପଢ଼ୁଛି ପଢ଼ୁ ।” ଦ୍ରୌପଦୀ କିନ୍ତୁ ବୋଉର କଥା ଶୁଣେ । ସ୍କୁଲରେ ସାବାସ୍ ପାଇବା ଲୋଭରେ ସେ ଭୋରୁ ଉଠି ସଂସ୍କୃତ ଶବ୍ଦରୂପ ଧାତୁରୂପ ଘୋଷେ । ରାତିରେ ଢ଼ୁଳ ମାଡ଼ିଲା ଯାଏ ଗଣିତ କଷେ । ଭାଇମାନେ ତାଠୁ ବେଳେ ବେଳେ ବଡ଼ ଶ୍ରେଣୀର ପାଠ ବୁଝନ୍ତି । ଜେଜେମା କହୁଥିଲେ “ପାଠ କ’ଣ କରିବ । ଏମିତି ମଣିଷ ଅଛନ୍ତି ଯେଉଁମାନେ ଟିପଚିହ୍ନ ଦେଇ ହଜାର ହଜାର ରୋଜଗାର କରୁଛନ୍ତି । ମରଦ ପୁଅ । ଯେମିତି ହେଲେ ଦି ପଇସା କମେଇଲେ ହେଲା ।” ଜେଜେମା କୋଉକାଳୁ ମଲାଣି । ବୋଉ ବି ମରି ଘାସ ହେଲାଣି । ବଡ଼ବାପାଙ୍କ ପିଲାମାନେ କିଏ କୁଆଡ଼େ ରହିଲେଣି । ଦେଖାଦେଲେ “ କେମିତି ଅଛୁ କିଲୋ?” ବାସ୍ ଏତିକି ।
ସେଇ ଦ୍ରୌପଦୀ ଆଜି ବୟସର ଅପରାହ୍ନରେ । ସେ ପାଠ ପଢ଼ିଛି । ଆଜିକାଲିର ଆଉ ପାଞ୍ଚଟା ଝିଅଙ୍କ ପରି ଚାକିରୀ ଖଣ୍ଡେ ବି କରିଛି । ତା ପିଲାମାନେ ବି ପାଠ ପଢ଼ୁଛନ୍ତି । କିନ୍ତୁ ନିଜର ଜିଦି ସ୍ୱଭାବ ଯୋଗୁଁ ସେ ଶାଶୁଘରେ ମୁଖରା ବୋହୁ । ସ୍ୱାମୀଙ୍କର ଶତ ଉଦାସୀନତାକୁ ସେ ଜୀର୍ଣ୍ଣ କରିଛି । ବାପାଙ୍କ ଭଳି ତା ସ୍ୱାମୀ ତ ପାରା ଉଡ଼ାଇ ଦିନ କାଟୁନାହାନ୍ତି । ନାଚ ତମସା ଦେଖି ତାସ ଖେଳି ଦିନ କାଟୁନାହାନ୍ତି । ବୋଉର ସ୍ମୃତି ତାକୁ ଧୈର୍ଯ୍ୟ ଦେଇଛି । ପିଲାମାନଙ୍କୁ କାନେ କାନେ ଶିଖେଇଛି “ନିଜ କାମ ନିଜେ କର! ପାରୁଛ ତ କାହାକୁ ସାହାଯ୍ୟ କର । କାହା ହାତ ଟେକାକୁ ଅନାଁଅନି ।” ଶାଶୁଘର ସମ୍ପତ୍ତିକୁ ସେ ଆଡ଼ ଆଖିରେ ଅନେଇନି । ଯେଉଁ ସମ୍ପତ୍ତି ପାଇଁ ତାକୁ ଆତ୍ମସମ୍ମାନ ବିକି ଦେବାକୁ ପଡ଼ିବ ସେ ସମ୍ପତ୍ତି ତାର ଲୋଡ଼ା ନାହିଁ । ତାର ପୁଅ ଝିଅ ହିଁ ତାର କଥାକୁହା ସମ୍ପତ୍ତି । ନିଜ ଜାଣତ ବା ଅଜାଣତରେ କାହିଁକି କେଜାଣି ଶାଶୁଘରେ କେତେଥର ସେ ନିଜର ମୁଣ୍ଡ ବାଳ ଖୋଲି ପକାଇଛି । ପରକ୍ଷଣରେ ଜିଭ କାମୁଡ଼ି ପୁଣି ଗଣ୍ଠି ପକାଇ ଦେଇଛି । ଭାବିଲେ ହସ ଲାଗେ । ସେ ଗହଳ କେଶକେରାକ ବି ଆଉ ନାହିଁ । ଏବେ ଆଉ ଅଧାକଳାକୁ ଅଧା ଧଳା । ପୁଣି ମଥା ଉପରେ ଚନ୍ଦା । ତା’ ବୋଉ ଦିନେ କହିଥିଲା ସେ ଯଜ୍ଞ ଅନଳରୁ ବାହାରିଛି । ଦ୍ରୌପଦୀ ଭାବୁଛି ସେ ଯଜ୍ଞ ଅନଳ ଭିତରେ ହିଁ ଆଜିଯାଏ ଅଛି । ଅଗ୍ନି ପବିତ୍ର ସତ କିନ୍ତୁ ତାର ଦାହିକ ଶକ୍ତି ତ ପୋଡ଼ି ଜାଳି ପାଉଁଶ କରି ଦେଇପାରେ । ଦ୍ରୌପଦୀ ଏବେ ପ୍ରତିଭା ରାୟଙ୍କର “ଯାଜ୍ଞସେନୀ” ପଢ଼ିଛି । ପଢ଼ିଛି ମନୁଶର୍ମାଙ୍କର ଦ୍ରୌପଦୀଙ୍କ ଆତ୍ମକଥା । ମହାଭାରତ ଦେଖୁଛି ପ୍ରତି ରବିବାର ଟେଲିଭିଜନରେ । ତା ଭିତରକୁ ଛିଟିକି ଆସୁଛି ସେହି ଦିବ୍ୟ ନାରୀର ଆତ୍ମା । ସତେ ତ! ଗୋଟେ ବିପ୍ଲବିନୀର ଭୂମିକାରେ ଆଜି ଯାଏ ସେ ଅଭିନୟ କରିଚାଲିଛି । ନିଜର ସୀମିତ ଶକ୍ତି ଦେଇ ନିଜର ପରିବେଶ ବିରୁଦ୍ଧରେ ବିପ୍ଲବ କରିଚାଲିଛି । କ୍ଷଣିକ ହୋଇଛି, ଅବଶ ହୋଇନି । କ୍ଲାନ୍ତ ହୋଇନି । ସେ ଭାବୁଛି ତାର ନାଁ ପାଇଁ । କେଉଁ ଦିବ୍ୟ ଦୃଷ୍ଟି ନେଇ ସେ ଦେଖିଥିଲା ଦ୍ରୌପଦୀର ଜନ୍ମଜାତକ!
ଆଜି ଓଢ଼ଣା ପକାଇ ଚୁଁ ମାରିବା କଥା କହିଲେ ପିଲାଏ ହସନ୍ତି । କଥା ନକହି ନୀରବରେ ସବୁ ଅବିଚାରକୁ ଢ଼ୋକି ଦେବାର ଦିନ ମଧ୍ୟ ସରିଯାଇଛି । ହେଲେ ଯେଉଁ ରକ୍ତମରା ମୁହୂର୍ତ୍ତ ସେ ଦେଖିଛି, ତା ବୋଉର ଯେଉଁ ନୀରବ ସାଧନାର ସେ ଜୀବନ୍ତ ସାକ୍ଷୀ, ତା’ ତ ଆଉ କାହାଣୀ ନୁହେଁ, ବାସ୍ତବ ଠାରୁ ଆହୁରି ବାସ୍ତବ । ଆଜି ଯଦି କିଏ ପଚାରନ୍ତା ତା ନାଁର ତାତ୍ପର୍ଯ୍ୟ । ସେ ତାକୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଅନ୍ତା । କିନ୍ତୁ କାହାଁନ୍ତି ସେ ସ୍କୁଲ ସାଥୀମାନେ? ।