ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହିନ୍ଦୁ ଚେତନାର ସବୁଠାରୁ ମୁଖ୍ୟ ଉତ୍ସବ ରୂପେ ରହିଆସିଅଛି । ବାସ୍ତବପକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ସମଗ୍ର ଜଗତର ଦେବତା ଠିକ୍ ସେମିତି ତାଙ୍କ ରଥଯାତ୍ରା ମଧ୍ୟ ମାନବବାଦର ଯାତ୍ରା । ମନୀଷୀମାନେ କହିଅଛନ୍ତି, ଯେଉଁମାନେ ଦାରୁମୟ ସନାତନ ବ୍ରହ୍ମଙ୍କ ରଥଯାତ୍ରା ଦର୍ଶନ କରନ୍ତି, ସେମାନଙ୍କର ପଦେ ପଦେ ଅଶ୍ୱମେଧ ଯଜ୍ଞର ଫଳଲାଭ ହୋଇଥାଏ ।
ଅଖିଳବ୍ରହ୍ମାଣ୍ଡ ନାଥ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ଓ ସମସ୍ତ ଉପଯାତ୍ରା ମଧ୍ୟରେ ରଥ ମହୋତ୍ସବ ହିଁ ସର୍ବଶ୍ରେଷ୍ଠ ବୋଲି ସ୍କନ୍ଦପୁରାଣ ଉକ୍ରଳଖଣ୍ଡର ଶ୍ରୀପୁରୁଷୋତ୍ତମ (କ୍ଷେତ୍ର) ମାହାତ୍ମ୍ୟରେ ଉଲ୍ଲେଖ ରହିଛି । ଏତଦ୍ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିଷୟରେ ସର୍ବପ୍ରାଚୀନ ବ୍ରହ୍ମପୁରାଣରେ ଯଥାର୍ଥରେ କୁହାଯାଇଛି ଯେ-
“ଗୁଣ୍ଡିଚା ମଣ୍ଡପଂ ଯାନ୍ତଂ
ଯେ ପଶ୍ୟନ୍ତି ରଥେ ସ୍ଥିତଂ ।
କୃଷ୍ଣଂ ବଳଂ ସୁଭଦ୍ରାଂଚ
ତେ ଯାନ୍ତି ଭବନଂ ହରେଃ । ।”
ମନୀଷୀମାନେ କହିଅଛନ୍ତି, ଯେଉଁମାନେ ଦାରୁମୟ ସନାତନ ବ୍ରହ୍ମଙ୍କ ରଥଯାତ୍ରା ଦର୍ଶନ କରନ୍ତି, ସେମାନଙ୍କର ପଦେ ପଦେ ଅଶ୍ୱମେଧ ଯଜ୍ଞର ଫଳଲାଭ ହୋଇଥାଏ । ଯାତ୍ରାକାଳରେ ଯେଉଁ ବେଦବାଦୀ ବ୍ରାହ୍ମଣବୃନ୍ଦ ବୈଦିକ ସ୍ତୋତ୍ର ଦ୍ୱାରା ମୋକ୍ଷଦାତା ଭଗବାନଙ୍କୁ ସ୍ତୁତି କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ସ୍ୱରଚିତ ସ୍ତୋତ୍ରରେ ଭଗବାନ ପୁଣ୍ଡରୀକାକ୍ଷଙ୍କୁ ସ୍ତବ କରିଥାନ୍ତି, ସେମାନେ ନିଷ୍ପାପ ହୋଇ ବୈଷ୍ଣବ ଯୋଗ ଲାଭ କରି ନାରଦାଦି ମହର୍ଷିମାନଙ୍କ ସହିତ ନିତ୍ୟାନନ୍ଦ ଉପଭୋଗ କରନ୍ତି । ଯେଉଁମାନେ ମହାପ୍ରଭୁଙ୍କ ସମ୍ମୁଖରେ କେବଳ ଜୟ ଜୟ ଶବ୍ଦ ଦ୍ୱାରା ସ୍ତୁତିବାଦ କରନ୍ତି, ସେମାନେ ନିଃସନେ୍ଦହରେ ତ୍ରିବିଧ ପାପକୁ ଜୟ କରନ୍ତି ।
ଏପରିକି ରଥୋତ୍ସବ ସମୟରେ ମହାପ୍ରଭୁଙ୍କର ନାମ କୀର୍ତ୍ତନ କରି କରି ତାହାଙ୍କ ସହିତ ଯେଉଁମାନେ ଗମନ କରନ୍ତି, ସେମାନେ ଅନନ୍ତ ପୁଣ୍ୟର ଅଧିକାରୀ ହୁଅନ୍ତି । ସ୍କନ୍ଦପୁରାଣ ଉକ୍ରଳଖଣ୍ଡ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟର ବର୍ଣ୍ଣନାନୁଯାୟୀ, ଏହି ଉତ୍ସବ କାଳରେ ଇନ୍ଦ୍ରାଦି ଦେବବୃନ୍ଦ ଆତ୍ମାଭିମାନ ପରିତ୍ୟାଗ ପୂର୍ବକ ନିଜ ନିଜ ଦିବ୍ୟ ପରିଚ୍ଛଦ ପରିଧାନ କରି ଭଗବାନଙ୍କର ଉଭୟ ପାଶ୍ୱର୍ରେ ଶ୍ରେଣୀବଦ୍ଧ ହୋଇ ରଥ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ଯିଏ ଅଶେଷ ଭୁବନର କର୍ତ୍ତା ସେହି ଦେବଦେବ ଭଗବାନ ବ୍ରହ୍ମା ମଧ୍ୟ ବ୍ରହ୍ମଲୋକରୁ ଆଗମନ କରି ଦେବତାମାନଙ୍କ ଅଗ୍ରବର୍ତ୍ତୀ ହୋଇ ରଥାରୋହଣ ମହୋତ୍ସବରେ ଗମନ କରୁଥିବା ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ଦେବଙ୍କୁ ବୈଦିକ ମନ୍ତ୍ରରେ ସ୍ତବ କରି କରି ପ୍ରତି ପଦକ୍ଷେପରେ ପ୍ରଣାମ କରିଥାନ୍ତି । ବସ୍ତୁତଃ ଜଗତରେ ଏହି ମହାବେଦୀ ମହୋତ୍ସବ ଅପେକ୍ଷା ସର୍ବପାପ ବିନାଶକ ସର୍ବତୀର୍ଥ ଫଳପ୍ରଦ ଉକ୍ରୃଷ୍ଟତର ଶୁଭଯୋଗ ନାହିଁ ।
ସଂପୂର୍ଣ୍ଣ ରଥୋତ୍ସବକୁ ତିନିଭାଗରେ ବିଭକ୍ତ କରାଯାଏ । ଯଥା- ଉତ୍ତରାଭିମୁଖୀ ଯାତ୍ରା । ଆଡ଼ପ ମଣ୍ଡପରେ ଅବସ୍ଥାନ ଏବଂ ଦକ୍ଷିଣାଭିମୁଖୀ ଯାତ୍ରା । ଉତ୍ତରାଭିମୁଖୀ ଯାତ୍ରାରେ ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗମନ କରୁଥିବା ବେଳେ ରଥରେ ବିରାଜମାନ କରିଥିବା ସଙ୍କର୍ଷଣ ରୂପୀ ଶ୍ରୀବଳଭଦ୍ର, ବାମନରୂପୀ ଶ୍ରୀଜଗନ୍ନାଥ ଓ ଭଦ୍ର ପ୍ରଦାୟିନୀ ଦେବୀ ସୁଭଦ୍ରାଙ୍କୁ ଯେଉଁମାନେ ବନ୍ଧୁବର୍ଗଙ୍କ ସହ ଦର୍ଶନ କରନ୍ତି ସେମାନେ ନିଶ୍ଚିତ ଭାବରେ ବୈକୁଣ୍ଠ ଲୋକକୁ ପ୍ରାପ୍ତ ହୁଅନ୍ତି, ଯେଉଁଠାରେ ପ୍ରତ୍ୟାବର୍ତ୍ତନ କରି ମନୁଷ୍ୟ ଏହି ଲୋକରେ ପୁଣି ଜନ୍ମଲାଭ କରିନଥାନ୍ତି ।
ସେହିପରି ଗୁଣ୍ଡିଚା ମଣ୍ଡପରେ ଏକ ସପ୍ତାହ କାଳ ବ୍ୟାପୀ କାଳ ଅବସ୍ଥାନ କରିବା ସମୟରେ ଯେଉଁମାନେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥାନ୍ତି ସେମାନେ ପୂର୍ବ ସପ୍ତପୁରୁଷଙ୍କ ସହ ନିଜେ ବୈକୁଣ୍ଠ ଲୋକରେ ଚିରକାଳ ପର୍ଯ୍ୟନ୍ତ ନିବାସ କରିଥାନ୍ତି ।
ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, ନିରନ୍ତର ଭାବରେ ନୀଳାଦ୍ରିରେ (ଶ୍ରୀମନ୍ଦିରରେ) ଦଶବର୍ଷ ପର୍ଯ୍ୟନ୍ତ ପ୍ରାତଃ, ମଧ୍ୟାହ୍ନ ଓ ସାୟଂ ତ୍ରିକାଳରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟଫଳ ମିଳିଥାଏ ସେହି ଫଳ ମହାବେଦୀରେ ଦିନେ ମାତ୍ର ଦର୍ଶନ କଲେ ପ୍ରାପ୍ତ ହୁଏ । ଏଠାରେ ମନୁଷ୍ୟ ଶ୍ରୀଜଗନ୍ନାଥଙ୍କୁ ଦିନରେ ଦର୍ଶନ କରିବା ଅପେକ୍ଷା ରାତ୍ରିରେ ଦର୍ଶନ କଲେ ଦଶଗୁଣ ଉତ୍ତମ ଫଳ ଲାଭ କରିଥାଏ । ଆଡପମଣ୍ଡପ ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବାର କାରଣ ଏହା ଯଜ୍ଞବେଦୀ, ମହାବେଦୀ ତଥା ମହାପ୍ରଭୁଙ୍କର ଜନ୍ମଭୂମି । ଏଠାରେ ବର୍ଷକରେ ସାତଦିନ ଅବସ୍ଥାନ କରିବା ପାଇଁ ପୂର୍ବରୁ ଆଜ୍ଞା ଅଛି । ଏପରିକି ଗୁଣ୍ଡିଚା ମନ୍ଦିରରେ ମହାବେଦୀରେ ଯେଉଁ ମନୁଷ୍ୟ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନାଦି ଚତୁର୍ଦ୍ଧା ବିଗ୍ରହଙ୍କୁ ଭକ୍ତିଭାବ, ଶୁଦ୍ଧ ମନରେ ଦର୍ଶନ କରନ୍ତି ସେମାନେ ସହସ୍ର ବାଜପେୟ ଯଜ୍ଞାନୁଷ୍ଠାନର ଫଳ ଲାଭ କରନ୍ତି, ଏଥିରେ ସନ୍ଦେହ ନାହିଁ ।
ତୃତୀୟରେ ଶ୍ରୀବିଗ୍ରହମାନେ ଦକ୍ଷିଣାଭିମୁଖୀ ହୋଇ ବାହୁଡ଼ା ଯାତ୍ରାରେ ତିନିରଥରେ ଯାଉଥିବା ସମୟରେ ଭକ୍ତି ଓ ଶ୍ରଦ୍ଧା ସହକାରେ ଯେଉଁ ପରମ ଭକ୍ତଗଣ ରଥସ୍ଥ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରନ୍ତି, ସେମାନେ ସଂସାରରେ ପ୍ରତିପଦରେ ଅଶ୍ୱମେଧ ଯଜ୍ଞାନୁଷ୍ଠାନର ଫଳ ଲାଭ କରନ୍ତି । ସେମାନଙ୍କ ମନୋବାଞ୍ଛା ପୂର୍ଣ୍ଣ ହୁଏ ।
ବୈଦିକ ମହୋତ୍ସବମାନଙ୍କରେ ରଥର ପ୍ରଚଳନ ଥିଲେ ହେଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାରମ୍ପରିକ ପ୍ରବାହ, ସାଂସ୍କୃତିକ ସୌରଭ, ଗଣପର୍ବର ଗୌରବ ଓ ବିଶ୍ୱାତ୍ମବୋଧର ବୈଶିଷ୍ଟ୍ୟରେ ବୈଦିକ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି । ରଥଯାତ୍ରାର ଯେତେଗୁଡ଼ିଏ ନାମ ବିଭିନ୍ନ ପୁରାଣ, ଧର୍ମ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି, ସେହି ସବୁ ନାମ ତତ୍ତ୍ୱ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରଥ ଯାତ୍ରାର ଯେଉଁ ନାମଗୁଡ଼ିକ ଅତ୍ୟନ୍ତ ପ୍ରସିଦ୍ଧ ଓ ଶାସ୍ତ୍ର ସମ୍ମତ ତନ୍ମଧ୍ୟରେ- (୧) ଶ୍ରୀଗୁଣ୍ଡିଚା ଯାତ୍ରା, (୨) ମହାବେଦୀ ମହୋତ୍ସବ (୩) ଘୋଷଯାତ୍ରା (୪) ପତିତପାବନ ମହୋତ୍ସବ (୫) ଦଶାବତାର ଯାତ୍ରା (୬) ଦକ୍ଷିଣାଭିମୁଖୀ ଯାତ୍ରା (୭) ଆଡପ ଯାତ୍ରା (୮) ଉତ୍ତରାଭିମୁଖୀ ଯାତ୍ରା (୯) ନବଦିନାତ୍ମକ ଯାତ୍ରା ।
ଶ୍ରୀଗୁଣ୍ଡିଚା ମହୋତ୍ସବର ଅୟମାରମ୍ଭ ମାଘ ଶୁକ୍ଳ ପଞ୍ଚମୀ (ଶ୍ରୀପଞ୍ଚମୀ)ଠାରୁ ଆରମ୍ଭ ହୋଇ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରିବିଜେରେ ପରିସମାପ୍ତି ଘଟିଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରତିବର୍ଷ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ନୂତନ ରଥ ତିନୋଟି ନିର୍ମିତ ହୋଇଥାଏ । ସେହି ରଥ ନିର୍ମାଣର ଅନୁକୂଳ ଅକ୍ଷୟତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ । ଆଷାଢ଼ ଶୁକ୍ଳ ପ୍ରତିପଦା ଦିନ ରଥ ପ୍ରତିଷ୍ଠା କରାଯିବା ଶାସ୍ତ୍ରୀୟ ବିଧି ନିର୍ଘଣ୍ଟ ଥିଲେ ମଧ୍ୟ ପ୍ରକୃତପକ୍ଷେ ଆଷାଢ଼ ଶୁକ୍ଳ ଦ୍ୱିତୀୟାର ପ୍ରତୁ୍ୟଷରୁ ବହୁକାଳ ହେଲା ରଥ ପ୍ରତିଷ୍ଠା କାର୍ଯ୍ୟ ଶ୍ରୀମନ୍ଦିର ପୁରୋହିତଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଆସୁଅଛି । ରଥ ପ୍ରତିଷ୍ଠା ବିଧାନ ପରେ ଆଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରନ୍ତି- ଗଜପତିଙ୍କର ସର୍ବଶୁଭ ହେଉ, ବ୍ରାହ୍ମଣମାନଙ୍କର ମଙ୍ଗଳ ହେଉ, ପ୍ରଜାମାନଙ୍କର ମଙ୍ଗଳ ହେଉ, ଜଗତର ଶାନ୍ତି ହେଉ, ଦେବତାଙ୍କର ଶାନ୍ତି, ଭୂଲୋକ, ଭୂବର୍ଲୋକ ଓ ସ୍ୱର୍ଗଲୋକର ଶୁଭ ହେଉ, ସର୍ବତ୍ର ହିଁ ଶାନ୍ତି ଓ ମଙ୍ଗଳ ବିରାଜମାନ ରହୁ । ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ବା ଦେବଦଳନ ଓ ଶ୍ରୀବଳଭଦ୍ରଙ୍କର ରଥ ତାଳଧ୍ୱଜ ନାମରେ ପ୍ରସିଦ୍ଧ । ସଂପୂର୍ଣ୍ଣ ଶିଳ୍ପଶାସ୍ତ୍ରାନୁମୋଦିତ ଏହି ରଥତ୍ରୟର ନିର୍ମାଣରେ ବହୁ ପାରମ୍ପରିକ ସେବକଙ୍କର ସଂପୃକ୍ତି ରହିଥାଏ ।
ଗୁଣ୍ଡିଚା ମହୋତ୍ସବର ଏଗାରଗୋଟି ଚରଣ ବା ପର୍ଯ୍ୟାୟ ଅଟେ । ତନ୍ମଧ୍ୟରେ (୧) ଶ୍ରୀପଞ୍ଚମୀ (ମାଘ ଶୁକ୍ଳ ପଞ୍ଚମୀ)- ରଥକାଠ ଅନୁକୂଳ । (୨) ଚୈତ୍ର ଶୁକ୍ଳ ଅଷ୍ଟମୀ ଯୁକ୍ତ ନବମୀରେ ରଥକାଠ ଚିରା ଅନୁକୂଳ । (୩) ଅକ୍ଷୟତୃତୀୟା- ରଥ ନିର୍ମାଣର ଅନୁକୂଳ ପୂଜା । (୪) ଆଷାଢ଼ କୃଷ୍ଣ ପ୍ରତିପଦ ଠାରୁ ଆଷାଢ଼ ଅମାବାସ୍ୟା- ଅନବସର । (୫) ଆଷାଢ଼ ଶୁକ୍ଳ ପ୍ରତିପଦା- ନେତ୍ରୋତ୍ସବ । (୬) ଆଷାଢ଼ ଶୁକ୍ଳ ଦ୍ୱିତୀୟା- ରଥଯାତ୍ରା । (୭) ଆଷାଢ଼ ଶୁକ୍ଳ ଷଷ୍ଠୀ- ହେରା ପଞ୍ଚମୀ । (୮) ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ- ଦକ୍ଷିଣମୋଡ଼ । (୯) ଆଷାଢ଼ ଶୁକ୍ଳ ଦଶମୀ- ବାହୁଡ଼ା ଯାତ୍ରା । (୧୦) ଆଷାଢ଼ ଶୁକ୍ଳ ଏକାଦଶୀ- ଶୟନ ଏକାଦଶୀ ଓ ବଡ଼ ତଢ଼ାଉ ବେଶ । (୧୧) ଆଷାଢ଼ ଶୁକ୍ଳ ତ୍ରୟୋଦଶୀ- ନୀଳାଦ୍ରିବିଜେ । ସୁତରାଂ ଗୁଣ୍ଡିଚା ମହୋତ୍ସବ ଶ୍ରୀପଞ୍ଚମୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହିନ୍ଦୁ ଚେତନାର ସବୁଠାରୁ ମୁଖ୍ୟ ଉତ୍ସବ ରୂପେ ରହିଆସିଅଛି । ବାସ୍ତବପକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ସମଗ୍ର ଜଗତର ଦେବତା ଠିକ୍ ସେମିତି ତାଙ୍କ ରଥଯାତ୍ରା ମଧ୍ୟ ମାନବବାଦର ଯାତ୍ରା ।