ନଦୀ ସେପଟୁ ଘୋଟି ଆସୁଥିଲା କଳାମେଘ ଖଣ୍ଡେ । ବର୍ଷା ହେବ । ଛାଇ ଆଲୁଅର ଖେଳ ଆରମ୍ଭ ହୋଇଯାଇଛି ଧାନକ୍ଷେତରେ । ନାଳ ବଂଧ ଉପରେ । ମନକଲା ଗାଡ଼ିଟାକୁ ଜୋରରେ ଚଲେଇବ ସୁନନ୍ଦା । କିନ୍ତୁ ଜାଣିଥିଲା ତା’ ହେବନି । ସବୁବେଳେ ଖରାପ ହେଉଛି । ବାଧ୍ୟ ହୋଇ ସାନଭାଇ ପାଖରୁ ମାଗିଆଣିଛି ଏ ଲୁନାଟା । ଭୁବନେଶ୍ୱରରୁ ତା’ର ଏଇ ମଫସଲି ଅଫିସ ପ୍ରାୟ ପନ୍ଦର କିଲୋମିଟର ହେବ । ପ୍ରତିଦିନ ଯିବା ଆସିବା । କେତେ ଟାଣିବ ଆଉ ଛୋଟ ଗାଡ଼ିଟା । ହେଲେ ଉପାୟ ନାହିଁ ଫ୍ଲାଟ୍ ଘରର ସିଡି ଘରେ ଛ’ଟା ଫାମିଲିର ଗାଡ଼ି ଠୁଙ୍କାଠୁଙ୍କି ହୋଇ ରହିଲେ ବି ଆଉ ଦୁଇଜଣଙ୍କର ସ୍କୁଟର ଦେବଦାରୁ ଗଛରେ ଚେନ୍ରେ ବଂଧାହୁଏ । ତେଣୁ ଆଉ ଉପାୟ ନାହିଁ ଭଲଗାଡ଼ି ଖଣ୍ଡେ କିଣି ଆରାମରେ ଯିବା । ବହୁ ଟାହି ଟାପରା ଏଠିକାର ଗାଁ ଲୋକ ମଧ୍ୟ କଲେଣି । ମାଡାମ! ମ୍ୟାନେଜର ହୋଇ ଲୋକ କାର ଚଢ଼ୁଛନ୍ତି, ଆଉ ଆପଣ ଏ ଖଣ୍ଡିଆ ଲୁନାଟା… । ଜୟଦେବ ବୋଲି ସିମେଣ୍ଟ ଦୋକାନୀଟିଏ ଏଇକଥା କହିଲା ବେଳେ ମୁହଁତଳକୁ ପୋତି ସାମାନ୍ୟ ହସିଦେଇଥିଲା । ହେଲେ ଜୟଦେବକୁ ସେ ବହୁଥର ତା’ର ପରିବେଶ ସଂପର୍କରେ ସୂଚେଇ ସାରିଥିଲା ।
ତେଣୁ ସେ ସେମିତି ତା’ର ଗତି ଅବ୍ୟାହତ ରଖିଥିଲା ଲୁନା ପୃଷ୍ଠରେ । ଆଉ ସମ୍ମୁଖୀନ ହୋଇ ପାରୁନଥିଲା ଆସନ୍ନ ପ୍ରସବା ମେଘକୁ । ସତକୁ ସତ ଗାଡ଼ିଟା ଦୋହଲିବାକୁ ଲାଗିଲା ଏବଂ ଦେଖିଲା ଲିକ୍ ହୋଇଯାଇଛି । ଗଡ଼େଇ ଗଡ଼େଇ ଗାଡ଼ିଟି ଆଣୁ ଆଣୁ ରମେଶ ପାନ ଦୋକାନୀକୁ ଭେଟିଲା, କହିଲା-ରମେଶ ମୋ ଗାଡ଼ି ଚାବି ରଖ, ମୁଁ ମେକାନିକ୍କୁ ପଠାଉଛି ଟିକେ ପମ୍ପ୍ଚର୍ ମାରିଆଣିବ । ରମେଶ ତା’ର ଚିରାଚରିତ ଜିଜ୍ଞାଷୁ ଦୃଷ୍ଟିରେ ମୁଣ୍ଡ ଟୁଙ୍ଗାରିଦେଲା ଏବଂ ସେ ଚାବିଟି ଦେଇ କାହାକୁ ଅପେକ୍ଷା କରୁଥିଲା ।
ପଛରେ ଆସୁଥିଲେ ଭେଟେନାରୀ ସର୍ଜ୍ଜନ ଡକ୍ଟର ମି. ମହାନ୍ତି । ତାକୁ ଠିଆ ହୋଇଥିବାର ଦେଖି ପ୍ରଶ୍ନ କରନ୍ତେ, ଲୁନାର ଏ ହାଲ୍ ଦେଖି ବୁଝିଗଲେ । କହିଲେ ଶୀଘ୍ର ଚାଲନ୍ତୁ । ଛକ ଉପରେ ଦୋକାନୀକୁ ପଠାଇ ଦେବା ସେ ଲିକ୍ ମାରି ଆଣିବ ।
ଦିନ ତିନିଟା । ତେଣେ ସେ ଜରୁରୀ କାମରେ ରିଜିଓନାଲ ଅଫିସ ଯାଉଥିଲା । ଆଉ କେତେକ୍ଷଣ ବା ଅପେକ୍ଷା କରିପାରିବ । ଛକ ଉପରେ ଦୋକାନୀଟି କହିଲା-ଲିକ୍ ମରିଯିବ ।
-ମେନ୍ରୋଡ଼ରେ ଥିବା ପେଟ୍ରୋଲ ଟାଙ୍କି ପାଖକୁ ପଠାଇବି, ଆସୁ ଆସୁ ପାଞ୍ଚଟା ବାଜିବ । ଅଗତ୍ୟା ସେ ଗାଡ଼ିଟି ତା’ ଦାୟିତ୍ୱରେ ଛାଡ଼ିଦେଇ ଘରକୁ ଗଲା । କହିଗଲା କାଲି ଦଶଟାବେଳକୁ ନେଇଯିବ ଅଫିସ ଯିବା ବାଟରେ । ତାକୁ ଏ ଗାଁ’ର ସବୁଲୋକ ଚିହ୍ନିଥିବାର ସେ ଅନୁଭବ କରେ । ଗାଡ଼ିଦେଇ ଗଲେ କିଛି ଅସୁବିଧା ହେବ ସେ କେବେ ଭାବିପାରେନା । ପ୍ରବଳ ବିଶ୍ୱାସ ତା’ର ମଣିଷ ଉପରେ ।
ପରଦିନ ଦଶଟାବେଳକୁ ରମେଶ ପାଖରୁ ଗାଡ଼ିଟି ନେଲାବେଳକୁ ତା’ର ଚେନ୍ ଏବଂ ଲଟକିଥିବା ଗଡ଼ରେଜ ତାଲାଟି କିଏ ନେଇଯାଇଛି । ଅଗତ୍ୟା ଗୋଟାଏ ଅଶ୍ୱସ୍ତିଭାବ ସାରାଦିନ ତାକୁ କାବୁ କରି ରଖିଲା । ଶହେଟଙ୍କା ଯାଏ ହେବ ଦୁଇଟା ମିଶିଲେ । ହେଲେ ରମେଶ ଚିହ୍ନାକୁ ସେ ଲୁନା ଦୋକାନୀ, କିଏ ନେଲା? ପଚାରିଲେ ଦୁଇଜଣଯାକ ମନା କରୁଥିଲେ । ଚିହ୍ନା ଲୋକ ହୋଇ ଜିନିଷଟା ଏମିତି ଚୋରୀ କରିନେବେ ସେଥିପାଇଁ ସେ ବଡ଼ ବିବ୍ରତ ହୋଇପଡ଼ିଥିଲା ।
ସଂଧ୍ୟା ବେଳକୁ ଫେରିବା ପରେ ଚେନ୍ ନପକାଇଲେ ଗାଡ଼ିଟି ତଳେ ରଖି ଉପର ମହଲାରେ ନିଶ୍ଚିନ୍ତରେ ରହିହେବନି ମଧ୍ୟ । ଦୌଡ଼ିଥିଲା ହେମନ୍ତ ପାଖକୁ ଗୋଟାଏ ପୁରୁଣା ଚେନ୍ ଯଦି ମିଳିଯାଏ । ହେମନ୍ତ ତା’ ଘରପାଖର ମେକାନିକ୍ । ଗାଡ଼ିଟା ଦେଖୁ ଦେଖୁ କହିଲା-ଅପା-ନୂଆ-ବଲ ବିଅରିଂ ପଡ଼ିବ ।
ସେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା ତା’ ଦୋକାନରେ ପଡ଼ିଥିବା ବେଞ୍ଚ ଉପରେ । କହିଲା: ମାସକ ତଳେ ପକାଇଥିଲି ସେ ଗାଁରେ । ଷାଠିଏ ଟଙ୍କା ନେଇଥିଲା ।
ହେମନ୍ତ ହସିଲା, କହିଲା-ପୁରୁଣା ପକାଇ ଦେଇଛି । ପୁନଃ ପୁନଃ ଠକାମି-ପୁନଃ ପୁନଃ ପଇସା ଖର୍ଚ୍ଚ ।
ହେମନ୍ତ ପାଖରୁ ପୁରୁଣା ଚେନ୍ଟାଏ ନେଇ ମନକଲା କିଛି ପରିବା କିଣି ଘରକୁ ଫେରିବ । ପରିବା କିଣି ସାରି କଦଳୀ ବାଲାର ଡାକରେ ସେ ବିମୋହିତ ହେଲା । ହାଉସିଂବୋର୍ଡ କୋଠା ସାମ୍ନା ରାସ୍ତାରେ ଠେଲାଗାଡ଼ିରେ ଏତେ ଫଳ ବିକି୍ର ହେବାର ଦୃଶ୍ୟ ତାକୁ ଭଲ ଲାଗେ ।
ଆଗେଇ ଯାଇ ପଚାରିଲା:ଡର୍ଜନ କେତେ?
: ଆଜ୍ଞା- ବାରଟଙ୍କା ।
: ଦଶଟଂକା ନିଅ ।
ଦୋକାନୀଟି ପସରା ଫିଟାଇ ସଜାଉଥାଏ । କହିଲା ସନ୍ଧ୍ୟାବେଳ ଆଜ୍ଞା, ବହିନି କରୁଛି । ଏଗାର ଟଙ୍କା ଦିଅନ୍ତୁ । ଦୋକାନୀଟି ଗଣିବାକୁ ଆରମ୍ଭ କଲା । ଗଣିସାରି ତା’ ହାତକୁ ବଢ଼ାଇବା ବେଳକୁ ସେ ଟିକେ ସନେ୍ଦହ ଦୂର କରିବାକୁ କହିଲା: ଆଉ ଥରେ ଗଣ । ଠିକ୍ ଭାବେ ଗଣିକି ଦିଅ । ପୁନଶ୍ଚ ଆଙ୍ଗୁଠି ଚାଳନା କଲା ଲୋକଟି । ଠିକ୍ ଅଛି କହି ଜରିରେ ଭର୍ତ୍ତି କରି ତା’ ହାତକୁ ବଢ଼ାଇ ଦେଲା ।
ଘରେ ପହଞ୍ଚô ଫି୍ରଜ୍ରେ ରଖିବା ଆଗରୁ ହାଲକା ମୁଡ଼ରେ କଦଳୀଗୁଡ଼ିକ ଗଣିଲା ବେଳକୁ ଏଗାରଟା ଅଛି । ଠକି ଯାଇଥିବାର ଗ୍ଲାନିରେ ଆପାଦମସ୍ତକ ତା’ର ରାଗରେ ହଜିଯାଉଥିଲା । ବଡ଼ ଅପମାନିତ ଲାଗୁଥିଲା ତାକୁ । ଇଚ୍ଛା ହେଉଥିଲା ସାଙ୍ଗେ ସାଙ୍ଗେ ଦୌଡ଼ିଯିବ । ଚେତେଇ ଦେଇ ଆସିବ ଏମିତି ମଣିଷକୁ ଠକନାହିଁ । ଏତେ ଅନ୍ୟାୟ କରନାହିଁ । ମଣିଷର ବିଶ୍ୱାସ ସହିତ ଖେଳ ନାହିଁ ।
ଅଥଚ ଅଫିସ ଫେରନ୍ତା କ୍ଲାନ୍ତ ଦେହ, ମନକୁ ନେଇ ଆଉ ଗୋଟାଏ କଦଳୀ ଦାବୀ କରିବାକୁ ବା ଲୋକଟିକୁ ଅନ୍ୟାୟ ପଥରୁ ଉପଦେଶ ଦେଇ ସୁଧାରିବାକୁ ଏତେ ବାଟ ଦୌଡ଼ିଯିବାକୁ ତାକୁ ବଡ଼ କ୍ଲାନ୍ତି ଲାଗିଲା ।
ଡାକ୍ତର କହିଥିଲା ଟେନ୍ସନ୍ ଫି୍ର ହୋଇ ବଂଚିବାକୁ । ହେଲେ ଘରୁ ବାହାରିଲେ ମଣିଷ ଯେଉଁଠି ଏତେ ଅମଣିଷମାନଙ୍କୁ ସାମ୍ନା କରୁଛି ସେଠି କେମିତି ବଂଚିବ ଟେନ୍ସନ୍ ଫ୍ରି ହୋଇ । ଆଜିର ସମୟରେ ଏ ସବୁ ଆଶା କରିବା ବୃଥା ।
ଲୋକଟା ପାଖକୁ ଆଉଯିବା ଦରକାର ନାହିଁ ଭାବି ସେ ଖଟ ଉପରେ ଗଡ଼ିପଡ଼ିଲା । ଉପରେ ପଂଖା ବୁଲିବାର ଦୃଶ୍ୟ । ବହୁ ସମୟରେ ସେ ଲୁଗା ନପାଲଟି ପଡ଼ିରହିଲା । ଏମାସରେ ବି ଗପଟା ବାହାରିଲା ନାହିଁ । ତେର ମାସ ହୋଇଗଲାଣି ପଠାଇବାର । ପ୍ରତିମାସରେ ସେ ଚାହିଁ ବସୁଛି । ବାହାରିଥିବ ଭାବି ମାଗାଜିନ୍ଷ୍ଟଲକୁ ଦୌଡ଼ିଯାଉଛି । ହେଲେ ନିରାଶ ହିଁ ନିରାଶା । ଏଯାବତ୍ ଯେତେ ଲେଖା ସେ ପଠାଏ, ଡାକରେ ପକାଇ ପ୍ରତିମାସର ମାଗାଜିନ୍କୁ ଅପେକ୍ଷା କରିବସେ ଏବଂ ହଠାତ୍ ଦିନେ ଦେଖେ ତା’ ଲେଖା ବାହାରିଛି । ସେଥିରେ ସେ ଖୁବ୍ ଖୁସି ହୁଏ । ହେଲେ ତେର ମାସର ଅପେକ୍ଷା… ଭୀଷଣ କଷ୍ଟ ଏସବୁ । ତଥାପି ଆଶା ରଖୁଥିଲା ଏ ମାସରେ ଗପଟା ନିଃଶ୍ଚୟ ସ୍ଥାନିତ ହୋଇଥିବ । ଯେତେବେଳେ ବସଷ୍ଟାଣ୍ଡରେ ପହଞ୍ଚି ପତ୍ରିକାଟି ଓଲଟାଇଥିଲା ଦେଖିଲା ତା’ ନାଅାଁ ନାହିଁ, ପାଗଳପ୍ରାୟ ସେ ମନୋନୟନକାରୀଙ୍କ ଘରକୁ ଯାଇଥିଲା ।
ସାର! ଆପଣ କହିଥିଲେ ଲେଖାଟା ମନୋନୀତ ହୋଇଛି ଏବଂ ପଠାଇ ଦେଇଛନ୍ତି, ହେଲେ ଏ ମାସରେ ବି ବାହାରି ନାହିଁ । କହୁ କହୁ ସେ ବଡ଼ ହତୋସôାହ, ବଡ଼ ବୈଚିତ୍ର୍ୟବୋଧ କଲା ନିଜ ଭିତରେ । ମନୋନୟନକାରୀଙ୍କର ଶାନ୍ତ ସମାହିତ ମୁଖଶ୍ରୀ, ଭାବୁକ ସ୍ୱପ୍ନିଳ ଆଖି, ସ୍ମିତହସ ଯେମିତି ଚମକ ଲାଗିଲା ପରି ବଦଳିଯିବାର ସେ ଲକ୍ଷ କଲା । ଓଠ ଥରିଲା ଥରିଲା । ଆଖି ରକ୍ତବର୍ଣ୍ଣ ଧାରଣ କଲା । “ଯେଉଁଠି ଗୋଟାଏ ପ୍ରବଂଧ ଛାପିବାକୁ ତିନିବୋତଲ ମଦ ଦିଆ ହୁଏ, ତୁମେ ସେଠି କ’ଣ କରିପାରିବ? ପାରିବ ଏସବୁ କରି? ଏମିତି ସାତ ଆଠଟା ଗପ ସେମାନେ ବାହାର କରିନାହାନ୍ତି । ମୋତେ ସମସ୍ତେ ପଚାରୁଛନ୍ତି । ମୁଁ ଏସବୁ କାମ ଛାଡ଼ି ଦେଇଛି । ଲେଖକମାନେ କେହି ପ୍ରତିବାଦ କରିବେନି । ଚୁପ୍ ରହିବେ । ଖାଲି ସେହି ଗୋଟାଏ ବ୍ରାଣ୍ଡ ପାଇଛି ବଡ଼ ମାଗାଜିନ୍ର । ସେଇଠି ବାହାରିଲେ ସ୍ୱୀକୃତି ପାଇବ ଜଣେ ସାହିତି୍ୟକ ଭାବରେ । ଆଉ ଯେମିତି ପତ୍ରିକା ନାହିଁ । ଯାଅ… ଅନ୍ୟ କେଉଁଠିକୁ ପଠାଅ ।”
ତାଙ୍କର ସେହି ଋଷିପ୍ରତିମ ମୁଖମଣ୍ଡଳରେ ଆରକ୍ତ ଆଖି, ଅନ୍ୟାୟକୁ ବରଦାସ୍ତ କରିପାରୁନଥିବା ବ୍ୟତିବ୍ୟସ୍ତ ଭାବ, ଅସହାୟତାକୁ ପ୍ରତ୍ୟକ୍ଷ କରି କହିଉଠିଥିଲା-ଛି..!
ସେ ଆଉ ପତ୍ରିକାଟିର କାର୍ଯ୍ୟାଳୟକୁ ଯାଇନଥିଲା । କେଉଁ ବଡ଼ପଣ୍ଡାଙ୍କୁ ସାକ୍ଷାତ କଲେ, କ’ଣ ପ୍ରତିବାଦ କଲେ ବାହାରିବ ତା’ବି ଚେଷ୍ଟା କରିନଥିଲା । ବେଳ କାହିଁ ତାକୁ । ଘରଦ୍ୱାରା, ଚାକିରୀ ଏସବୁର ବୋକଚା ବୁହାଉ ବୁହାଉ ପେଶି ହୋଇଯାଉଛି । ତା’ ଘରର କେହି ବଡ଼ ବଡ଼ ପୋଷ୍ଟରେ ନାହାନ୍ତି, ଯେଉଁଠି ଫୋନ୍ଫାନ୍ କରିଦେଲେ କାମଟା ହୋଇଯିବ । ସେ ବା ଯିବ କାହା ପାଖକୁ! କିଏ ବା ଶୁଣିବ!
ନିଃଶବ୍ଦରେ ନମସ୍କାର ଟିଏ ପକାଇ ରାସ୍ତାକୁ ଉଠୁଉଠୁ ଭାବିଲା ତା’ ଠାରୁ ମନୋନୟନକାରୀ ଆହୁରି ଟେନ୍ସନ୍ ଭୋଗୁଛନ୍ତି । ତାଙ୍କ ସିଲେକ୍ସନ ଉପରେ କିଏ ହସ୍ତକ୍ଷେପ କରିଛି । ହେ ପ୍ରଭୁ! ରକ୍ଷାକର! ଏତେ ଅଧୋଗତି! ଭାବୁ ଭାବୁ ସେ ଘୁମେଇ ପଡିଛି । କାହାର କଲିଂବେଲ ଚାପରେ ସେ ଚମକି ପଡ଼ିଲା ।
କବାଟ ଖୋଲିଲା । କୌଣସି କଂପାନୀର ସେଲସ୍ ରିପ୍ରେଜେନ୍ଟେଟିଭ୍ । ଅଯଥା ବିରକ୍ତ ହୋଇ କହିଲା-ଆଜ୍ଞା କିଛି ଦରକାର ନାହିଁ କିଣିବା-ଯା’ନ୍ତୁ । ସେ ତଥାପି ନଶୁଣି ତାର କଂପାନୀର ଗୁଣ ବଖାଣିବାରେ ଫୁରସତ୍ ଦେଉନଥାଏ । ବାଧ୍ୟ ହୋଇ କବାଟଟା ତା’ ମୁହଁ ଉପରେ ବନ୍ଦ କରି ଫେରିଲା । ଓହୋ! ଭାବୁଥିଲା ପ୍ରେମ ବିଭୁଷଣ ଆନନ୍ଦ ଚନ୍ଦ୍ର ଆସିଲେ ବୋଲି । କେତେ ମାସ ଧରି ତା’ର ଅବଚେତନ ମନରେ ସେହି କାଳିଆ, ହାଡୁଆ ଗାଲ ଲୋକଟାକୁ ବାରମ୍ବାର ଅପେକ୍ଷା କରୁଥିଲା ।
ଲୋକଟା ଏମିତି କିଛି ପରିଚିତ ନୁହେଁ । କଲିକତାରୁ ବାହାରୁଥିବା ‘ପ୍ରବାସୀପତ୍ର’ ପତ୍ରିକାରୁ ଗପପଢ଼ି ଚିଠିଟିଏ ଲେଖିଥିଲା । ଚିଠିର ଆଦାନ ପ୍ରଦାନ ଭିତରେ ଜଣେଇଥିଲା ତା’ର ଗୋଟାଏ ନୂଆ ପବ୍ଲିକେସନ୍ ୟୁନିଟ୍ ଅଛି । ଯାହା ହେଉ ସେ ଖୁବ୍ ଖୁସୀ ହୋଇଥିଲା ଭୁବନେଶ୍ୱରରେ ନୂଆ ନୂଆ ପବ୍ଲିକେଶନ ମୁଣ୍ଡଟେକି ଉଠୁଛି । ମନକଥା ଖୋଲି ଥରେ ସେ ଚିଠି ଲେଖିଥିଲା ବହିଟିଏ ବାହାରିବା କଷ୍ଟ । ଆଠବର୍ଷ ଧରି ତା’ର ପାଣ୍ଡୁଲିପି ଗୋଟାଏ ବଳିଷ୍ଠ ପ୍ରଶାସକଙ୍କ ପାଖରେ ପଡିରହିଛି । କେହି କେହି ଟଙ୍କା ମାଗୁଛନ୍ତି ଛାପିବାକୁ । ତା’ର ଗୋଟାଏ ବହି ଛାପିବାକୁ ସେ ଅନୁରୋଧ କରିଥିଲା ।
ତା ଚିଠି ପାଇ ସେ ଖୁବ୍ ଉତକ୍ଷିପ୍ତ ଜଣାପଡ଼ୁଥିଲେ । ଲେଖିଥିଲେ ମୁଁ ଉପନ୍ୟାସ ଲେଖେ । ଚାରିଟା ବହି ମୋର ଛପା ହେଲାଣି-କାହିଁ ମୁଁ ତ ପଇସା ଦେଉନି । ବରଂ ପାଂଚ- ସାତ ହଜାର ମୁଁ ହାତରେ ଧରିଲେ ପବ୍ଲିଶରଙ୍କୁ ବହିଦିଏ । ତେଣୁ କେଉଁଟା ଠିକ୍ ଆପଣ ବିଚାର କରିବେ । ଆପଣଙ୍କ ବହି ମୁଁ ଛାପିବାକୁ ରାଜି ଅଛି ।
ଛାପିବାକୁ ରାଜି ହୁଅନ୍ତେ ସେ ତତ୍କ୍ଷଣାତ୍ ଯାଇ ପାଣ୍ଡୁଲିପି ଦେଇ ଆସିଥିଲା । ମାତ୍ର ବର୍ଷ ବର୍ଷ ପରେ ଦୀର୍ଘ ଚାରିବର୍ଷ ଧରି ଦେଖା ନଥିଲା ପ୍ରେମବିଭୂଷଣଙ୍କର । ଯେଉଁ ଫୋନ ନମ୍ବର ଦେଇଥିଲେ ତା’ବି ଧରୁନଥିଲା । ଫୋନ୍ ଲାଇନ୍ କଟା ସରିଥିଲା ତାଙ୍କର । ଚିଠିଗଲେ ତା’ର ଉତ୍ତର ନଥିଲା ।
ହଠାତ୍ ଦିନେ ଦେଖାଦେଲେ ପ୍ରେମବିଭୂଷଣ । କହିଲେ- ପାଣ୍ଡୁଲିପି ଡିଟିପିକୁ ଚାଲିଗଲାଣି, ୟା ମଧ୍ୟରେ ବହି ଛାପିବା ସୁନିଶ୍ଚିତ । ଷାଠିଏ ଭାଗ କାମ ହୋଇଗଲାଣି । ଆଉ କାଗଜ ଖର୍ଚ୍ଚ ପାଇଁ ତିନି ହଜାର ଟଙ୍କା ଦେବେ । ତା’ ପରେ ଆଉ ଦେଖା ନଥିଲା ତାଙ୍କର । ପୁନଶ୍ଚ ଏକବର୍ଷ ପରେ ଆବିର୍ଭାବ । ଅତିଷ୍ଠ ହୋଇ ସେ ଅନୁରୋଧ କରିଥିଲା ତା’ର ପାଣ୍ଡୁଲିପି ଫେରେଇ ଦେବାକୁ । କିନ୍ତୁ ମଣିଷଟା ବଡ ଅଦ୍ଭୁତ । ପାଣ୍ଡୁଲିପି ନଫେରେଇ ବରଂ ଅନୁନୟ କରି କହିଲା-ଆଣିଛି ଯେତେବେଳେ ନିଶ୍ଚୟ କରିବି । ଡିଟିପି ସରିଯିବ । କଭର ଡିଜାଇନ୍ ପାଇଁ ଦାଦାଙ୍କୁ ଦେଇଛି । ଆଉ ବା କେତେ ଡେରି । ଏସବୁ କଥା ଭିତରେ ଆଶାର କ୍ଷୀଣ ଆଲୋକ ତା’ ଭିତରେ ଜାଗି ଉଠିଲେ ବି ନିରାଶାରେ ଦୀର୍ଘ ଶ୍ୱାସ ତାଙ୍କୁ ଆହୁରି ଅସ୍ଥିର କରୁଥିଲା ।
ଦିନେ ପ୍ରେମ ବିଭୂଷଣ ଫୋନ୍ କରି କହିଲେ: ଆଜ୍ଞା ମୁଁ ଆପଣଙ୍କୁ କାଗଜ ଖର୍ଚ୍ଚ ତିନିହଜାର ଟଙ୍କା ମାଗିଥିଲି । ଏବେ ହଜାରେ ଛାଡ଼ିଦେଲି..ଡିଟିପି ପାଇଁ ଦୁଇ ହଜାର ଟଙ୍କା ଦିଅନ୍ତୁ । ଛାଡ଼ିଦେଲି…. ଶବ୍ଦଟା ଯେମିତି ତାକୁ ଦୟା କରୁଥିଲା । ମନେ ମନେ କ୍ଷୁବ୍ଧ ହେଲେ ବି ଅଫିସ୍ ଭିତରେ କି ଉତ୍ତର ଦେବ ଭାବି କହିଲା-ସନ୍ଧ୍ୟାରେ ଆସନ୍ତୁ କଥା ହେବା ।
ସନ୍ଧ୍ୟା ବେେଳେ ଘରକୁ ଆସିଲେ ପ୍ରେମବିଭୂଷଣ । ସେ କହିଲା-ପଇସାପତ୍ର ତ ଦେବାର ଚୁକ୍ତିନଥିଲା । ଆଉ ଦୁଇ ହଜାର ଟଙ୍କା ମଧ୍ୟ ମୋ ପାଖରେ ନାହିଁ । ଆପଣ ପାଣ୍ଡୁଲିପିଟା ଫେରାଇ ଦିଅନ୍ତୁ ।
ଲୋକଟା ତଥାପି ରାଜି ହେଲାନି । ଏତେ ଦିନ ଗଲାଣି । ମୁଁ କ୍ରେଡିଟ୍ରେ ଦଶରିମ୍ କାଗଜ ନେଇ ଆସିଛି । ଖାଲି ଆଜ୍ଞା ଡିଟିପି ଖର୍ଚ୍ଚଟା । ମୋତେ ଧାର ସୂତ୍ରରେ ଦେଇଥାନ୍ତୁ, ପରେ ଫେରେଇ ଦେବି । କିଛି ବ୍ୟସ୍ତ ହେବନି । ମୁଁ ନିଶ୍ଚୟ ପୂଜା ବେଳକୁ କରିଦେଇଥିବି । ଲୋକଟା ତା’ଠାରୁ ବୟସରେ ସାତ/ଆଠ ବର୍ଷ କମ୍ ଥିଲା । ହଠାତ୍ ଆପଣରୁ ତୁମେକୁ ଖସି କଥା ହେଲାଣି । ପୁଣି ସିଗାରେଟ ଫୁଙ୍କୁଛି ତା’ ସାମନାରେ ବସି । ବଡ ଅମାର୍ଜିତ, ଅଭଦ୍ରୋଚିତ ବ୍ୟବହାର ପ୍ରତ୍ୟକ୍ଷ କରି ସେ କ୍ଷୁବ୍ଧ ହେଲାଣି ଭିତରେ! ଗୋଟାଏ ବହି ପ୍ରେଜେଣ୍ଟ କରିଛି । ଲେଖିଛି-ଶ୍ରଦ୍ଧା, ମମତା, ସହୃଦୟତାର ସ୍ମୃତିରେ ଅନେକ ଶୁଭେଚ୍ଛା ସୁନନ୍ଦା ପାଇଁ । “ସୁନନ୍ଦା ପାଇଁ” ଶବ୍ଦଟା ଦେଖିଲା ବେଳଠୁ ତା’ ରକ୍ତରେ ଗୋଟାଏ ଆଲର୍ଜି ଘନେଇ ଆସିଲାଣି । ତା’ଠୁ ବୟସ୍କ ସାହିତ୍ୟକମାନେ ଲେଖନ୍ତି-ସୁନନ୍ଦାଙ୍କୁ-ଅଥଚ ଏତେଟିକେ ଭଦ୍ରତାଜ୍ଞାନ ନାହିଁ ଲୋକଟାର?
ତଥାପି ଲୋକଟା ବସିଥାଏ । ସେ ଚଳେଇ କହିଲା: ପଇସା ତ ହେବନି । ଭାଇ ପଢ଼ୁଛି ଦିଲ୍ଲୀରେ ଏମ.ବି.ଏ । ତା’ ପାଇଁ ବ୍ୟାଙ୍କର ଲୋନ୍ ମଧ୍ୟ ଶୁଝିବାକୁ ପଡୁଛି । ବାପାଙ୍କ ଆଖି ଅପରେସନ୍ ହେବ, ପଇସା ଯୋଗାଡ଼ ହୋଇପାରିବନି ।
କେତେ ମାଗୁଛି କି! ଦୁଇ ହଜାର ଟଙ୍କା ସାହାଯ୍ୟ । ଡିଟିପି ବାଲା ରାଜୁ ଭାଇଙ୍କ ସାଙ୍ଗରେ ମୋର ଖୁବ୍ ଭଲ ସଂପର୍କ, ସେ ମୋତେ ସମୟେ ସମୟେ ପଇସାପତ୍ରରେ ସାହାଯ୍ୟ କରନ୍ତି । ଏବେ ତାଙ୍କର ଅସୁବିଧା ସମୟ ଚାଲିଛି । ମେସିନ୍ ଖରାପ । ବୁଧବାର କଲିକତା ଯିବେ । ସେଦିନକୁ ମୁଁ ତାଙ୍କୁ ଟଙ୍କାଟା ଦେବି ଯେମିତି ହେଲେ, ହାୱାଡା ଏକ୍ସପ୍ରେସ୍ ଛାଡ଼ିବା ଆଗରୁ । ତୁମେ ବୁଧବାର ଦିନ ଦୁଇ ହଜାର ଟଙ୍କା ଦେବ । ବହି ନିଶ୍ଚୟ ପୂଜାକୁ ବାହାରିବ । ଆଉ ଦୁଇ ମାସ ତ ।
ଭାବିଲା ଲୋକଟା ସାହିତ୍ୟ କରୁଛି, ସତରେ କ’ଣ ପଇସା ଠକିନେବ । ଧାରଉଧାର କରି ଦେବାକୁ ମନେ ମନେ ସ୍ଥିର କଲି । ପ୍ରତିଦିନ ଲୋକଟା ସଂଧ୍ୟାବେଳେ ତା’ର ଅଫିସରୁ ନଫେରିବା ଆଗରୁ ପହଞ୍ଚô ଯାଉଥିଲା । ବୁଧବାର ହେବା ଯାଏ ବହି ଛପାଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ନିଜର ମଣିଷ ହୋଇଥିଲା । ବୁଧବାର ଆସିଲା । ଦୁଇ ହଜାର ଟଙ୍କା ଦେବା ଆଗରୁ ତା’ ମନରେ ଶଙ୍କା ଆସିଥିଲା ଝାପ୍ସା । କ’ଣ ବା ଆଉ କହିବି ରେଭେନୁ୍ୟ ଷ୍ଟାମ୍ପ ଉପରେ ଦସ୍ତଖତ କରି ଟଙ୍କାଟା ନିଅବୋଲି । ଖରାପ ଭାବି ଯଦି ସେ…, ସେମିତି ଟଙ୍କାଟା ଧରାଇ ଦେଇଥିଲା ।
ଗୋଟିଏ ସପ୍ତାହ ବିତିଗଲେ ବି ଲୋକଟାର ଦେଖା ନଥିଲା । ହଠାତ୍ ଟାଉନ୍ବସରେ ବାଣୀବିହାର ପାଖରୁ ଉଠିଲା ବେଳେ ବସ୍ ଭିତରେ ଦେଖା । ତାକୁ ଦେଖି ବି ଚିହ୍ନି ନଥିବା ପରି ଚାହିଁଲା । ଅଗତ୍ୟା ସେ ନିଜ ଆଡ଼ୁ କହିଲା-କ’ଣ ବହି ବାହାରିଲା କି? ହାତରେ ତା’ର ବହିଟିଏ- ‘ନୀର ତରଙ୍ଗ’ । ସେ ବଢ଼ାଇ ଦେଇ କହିଲା ଉନ୍ମୋଚନ ହେବାକୁ ନେଉଛି । ଆସୁନା ଯିବ । ବହିଟା ବାହାରିବାର ସେ ଜାଣିଥିଲା । ତାକୁ ନିମନ୍ତ୍ରଣ କାର୍ଡ଼ ଦେବ ଏବଂ ଡାକିବ ବୋଲି କହୁଥିଲା । ଏବେ ଦେଖା ହୋଇଗଲା ବୋଲି ଡାକୁଛି । ତା’ ହେଲେ ପଇସାଟା ଏଇଥିପାଇଁ ନେବାକୁ ଶହେଥର ଦୌଡ଼ୁଥିଲା ତା’ ପାଖକୁ । ଡି.ଟି.ପି ବାଲା ପାଖକୁ ଫୋନ୍ କରି ଜାଣିଥିଲା ସେ ସେଠି ପଇସା ଦେଇନି ବରଂ ନିଜ ବହିର ଡିଟିପି ଖର୍ଚ୍ଚ ବାକି ରଖିଛି । ସେ ତାକୁ ଖୋଜୁଛି କାନ୍ଧରେ ଗାମୁଚ୍ଛା ପକାଇବାକୁ । ତା’ ଠାରୁ ଠିକଣା ନେଇ ଡିଟିପି ବାଲା ତାକୁ ଧମକାଧମକି କରିଛି ପଇସା ପାଇଁ । ବାପା ରାଣ ପକାଇ କହିଛି ପଇସାଟା ଦେଇଦେବ ।
ସେହି ସାକ୍ଷାତ ପରେ ପରେ ଗୋଟାଏ ସପ୍ତାହରେ ସେ ଫୋନ୍ କରି ଜଣାଇଥିଲା ବାହାରକୁ ଚାଲିଆସିଛି, ଗଲେ ବହି ବାହାରିବ ।
ଦୁଇ ସପ୍ତାହ ଗଲା । ୟା ମଧ୍ୟରେ ଦୁଇ ମାସ ଅତିକ୍ରାନ୍ତ ହୋଇ ପୂଜା ଚାଲିଗଲା । ଲୋକଟା ଏମିତି କାହାଣୀ ଶୁଣେଇ ଶୁଣେଇ କେମିତି ଟଙ୍କାଟା ନେଇଗଲା ସେ ବୁଝିପାରିଲାନି । ବ୍ରାଞ୍ଚ ମ୍ୟାନେଜର ହୋଇ ଲୋନ୍ ଦେଲାବେଳକୁ କେତେ ଲୋକଙ୍କ ଠକାମି ଚେହେରାକୁ ପରଖୁ ପରଖୁ ସେ ଦିନ ବିତଉଥିଲା ଅଫିସରେ । ତା’ର ମାର୍କେଟ ରିପୋର୍ଟ ରଖୁଥିଲା । ଚରିତ୍ର କେମିତି ବୁଝୁଥିଲା । କାରଣ ଋଣ ଦେବାର ପ୍ରଥମ କ୍ରାଇଟେରିଆ ହେଲା ‘ଚରିତ୍ର’ । ଅଥଚ ଏ ଲୋକଟାକୁ ସେ ଆଦୌ ଠକଟାଏ ବୋଲି ଭାବି ବି ପାରିନି ।
କିିଛିଦିନ ପରେ ପ୍ରଚ୍ଛଦପଟ ଶିଳ୍ପୀ ଦାଦା ଦେଖା ହୋଇଥିଲେ । ସେ ଆନନ୍ଦଚନ୍ଦ୍ରଙ୍କ କଥା ପଚାରିଲା-ଦାଦା କହିଲେ ସେ ବାବୁତ ମାଟେରିଆଲ୍ ଦେଇନାହାନ୍ତି, ପଚାରିବାରୁ କହିଲେ ଆପଣଙ୍କ ଦୋକାନ ବନ୍ଦ ଥିଲାବେଳେ ଗପର କପିଟା ଗଳେଇ ଦେଇ ଆସିଥିଲି । ସେ ବାବୁ କିନ୍ତୁ ମିଛ କହିଲେ । ମୁଁ ପାଇନି । ବହୁଦିନ ଧରି ମୁଁ ଓଡ଼ିଶା ବାହାରକୁ ଯାଇଥିଲି । ଦୋକାନ ତ ସଟର ଲଗା, ଗଳିଲା କେମିତି?
ଦାଦାଙ୍କୁ ଭୂତେଇଛି ସେ ଜାଣିଲା । ସେ ପଚାରିଲା-ପ୍ରେମ ବିଭୂଷଣ କ’ଣ କହୁଥିଲେ ଆପଣ ତାଙ୍କୁ ତିନି ହଜାର ଟଙ୍କା ଦେଇଥିଲେ ସେ ଶୁଝି ଦେଇଛନ୍ତି । ବେଳ ଅବେଳରେ ସାହାଯ୍ୟ କରନ୍ତି ତାକୁ । ଦାଦା ହସି କହିଲେ-ମିଛ । ତୁମଠୁ ସେ କ’ଣ ନେଇଛି କି? ଦୁଇ ହଜାର-ସେ କହିଲା । ଦାଦା କହିଲେ ଆଉ ଜଣେ ଇଂଜିନିୟର ବାବୁଙ୍କ ବହି ଛାପୁଥିଲା ତାଙ୍କର କିଛି ପକାଇଛି । ଆଉ ଯେଉଁ ମହିଳାଙ୍କୁ ବହି ଉସôର୍ଗ ହୋଇଛି, ତାଙ୍କଠୁ ବି ଫେରି ପାଇବା ଆଉ ଆଶା କରନି । ପାଣ୍ଡୁଲିପି ଫେରାଇ ଆଣ ।
ଛି…ଛି…. । ପ୍ରତାରକ, ଠକ । ସମାଜରେ ସମ୍ମାନସ୍ପଦ ବ୍ୟକ୍ତିଙ୍କ ସାଙ୍ଗରେ ମିଶି ତାଙ୍କୁ ବି ମିଛ କହୁଛି । ଆତ୍ମ-ମର୍ଯ୍ୟାଦା ନାହିଁ ଏତେ ଟିକେ । ପଇସା ପାଇଁ ମଣିଷ ଏତେ ତଳକୁ ଯାଇପାରେ! ମନେ ହେଲା ଲୋକଟାର ଜବାନ୍ କାଟି ଦିଅନ୍ତା, ଦୁଇବାହୁକୁ ଦି ଗଡ଼ କରି ଦିଅନ୍ତା । ସାହିତ୍ୟ ନାମରେ ସାହିତ୍ୟକଙ୍କର ଅମର୍ଯ୍ୟାଦା କରୁଛି ।
ହାଏ ରାମ! କି ମିଥ୍ୟା! କି ପ୍ରତାରଣା ଏଇ ମଣିଷଙ୍କର । ଲୋକଟା ନିଜର ପାପରେ ନିଜେ ନାଶ ଯିବ ଯେଉଁଦିନ ହେଲେ । ମଣିଷ ମନକୁ କଷ୍ଟ ଦେଇ ଯେଉଁ ଖେଳ ଆରମ୍ଭ କରିଛି ସେହି ତା’ର କାଳ ହେବ । ସେ ଏବେ କହିବ ବା କ’ଣ? ଖାଲି ଟେନସନ୍ ଭୋଗିବା ଛଡ଼ା ।
ପ୍ରେମ ବିଭୂଷଣ ଆନନ୍ଦ ଚନ୍ଦ୍ର! କେତେ ଦିନ ତୁମେ ଏମିତି ଭିକାରୀ ହୋଇ ବଂଚିଥିବା! କେତେ ଲୋକଙ୍କୁ ଠକିବ!
ଏଇ କଥା ଭାବୁ ଭାବୁ ସେ ମନେ ମନେ ହସି ଉଠିଲା ଆଜିକାର ଗୋଟାଏ ଘଟଣା ମନେ ପଡି ।
ରସୁଲଗଡ଼ ପେଟ୍ରୋଲ ଟାଙ୍କିରୁ ତେଲ ପକାଇ ଗାଡ଼ିକୁ ଗଡ଼େଇ ଗଡ଼େଇ କିଛିବାଟ ଆସୁଛି, ହଠାତ୍ ନାଟକର ଦୃଶ୍ୟ ପରି ଠିଆ ହୋଇଗଲା ବୁଢ଼ାଟିଏ । ଟିକିଏ ଶୁଣିବ! ତାକୁ ବଡ ଅଶ୍ୱସ୍ତି ଲାଗିଲା ।
: କ’ଣ ହେଲା
ଆଜ୍ଞା! ଦେଖୁଛନ୍ତି ଏଇ ରାସ୍ତାକୁ । ସେ କଟକ ଆଡ଼କୁ ଆଙ୍ଗୁଠି ଦେଖେଇଲା । ମୁଁ ସେହି କଟକରୁ ସକାଳ ପହରୁ ଚାଲି ଚାଲି ଆସିଲିଣି । ମୋ ଘର ବ୍ରହ୍ମଗିରି । ଓକିଲ ପରାମର୍ଶ କରିବାକୁ ଆସିଥିଲି । ଟଙ୍କାଟା ଛାଡି ଦେଇ ଆସିଲି । ଆଉ ଫେରିବାକୁ ପଇସା ନାହିଁ । ଖାଇନି ଦିନମାନ । ମୋତେ କିଛି ଟଙ୍କା ଦିଅ ଘରକୁ ଫେରିବି ।
ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସେ କହିଲା: ତୁମେ ଓକିଲ ପାଖକୁ ଟଙ୍କା ନନେଇ କାହିଁକି ଯାଇଥିଲ । କଟକରୁ କାହାଠୁ ଟଙ୍କା ମାଗି ବସ୍ରେ ଆଇଲନି । ନହେଲେ କଣ୍ଡକ୍ଟରକୁ ଖୋସାମତ କଲନି!
: ଆଜ୍ଞା କାଳେ କିଏ ମାରିବ, ଗୋଇଠା ଟାଏ ପକାଇବ, କେମିତି ମାଗିଥାନ୍ତି ।
: ଆଉ ମୋତେ କେଉଁ ସାହାସରେ ମାଗୁଛ । ଏତେ ଟଙ୍କା ତୁମକୁ ମୁଁ କାହିଁକି ଦେବି!
: ଆଜ୍ଞା ଚାକିରିରୁ ଫେରୁଛନ୍ତି । ଭାବିଲି ଏଇ ମା’ଙ୍କୁ ମନ କଥା କୁହେ ।
ସେ ରାସ୍ତା ଉପରେ ଗୋଡ଼ କ’ଣ ହୋଇଯାଉଛି କହି ବସିପଡିଲା । ବାଟ ଖର୍ଚ୍ଚ କିଛି ଦିଅନ୍ତୁ ମୁଁ ଚାଲିଯାଏ ।
-ସେ କହିଲା : ତୁମେ ଯେତିକି ବାଟ ଚାଲିଲଣି ଏବେ ଖିଆପିଆ ନକଲେ ମରିଯିବ ତ । ପୁରୀ ଯାଏ କେମିତି ଯିବ । ଆଗ ଖାଇପିଇ ସାଷ୍ଟଙ୍ଗ ହୁଅ, ତା’ ପରେ କାଲି ଯିବ ଗାଁକୁ । ମୁଁ ଏତିକି କରିପାରେ-ଖାଇବା ପାଇଁ ଦଶଟଙ୍କା ଦେଇପାରେ ।
ସେ ବ୍ୟାଗ୍ ଖୋଲି ଦଶଟଙ୍କା ଦେଲା । ବାରମ୍ବାର କହିଲା: ଖାଇବା ପାଇଁ ଦେଲି । ତାକୁ ଭୟ ଲାଗୁଥିଲା ଲୋକଟା ନଖାଇ ଯଦି ମରିଯାଏ ।
ସେ କହିଲା: ଘରକୁ ଚାଲିଯିବି । କହିଲିପରା ଆଗ ଖାଇବ । ତା’ ପରେ କାଲି ଯିବ । ସେ ବାଧ୍ୟ ଛାତ୍ର ପରି କହି ଉଠିଲା: ହଁ… ହଁ ଖାଇବି ।
କିଛି ବାଟ ଆସିବା ପରେ ମନେ କଲା ଲୋକଟାକୁ ଟଙ୍କା ଅଣ୍ଟିବନି । ରାତିରେ ସେ କେଉଁଠି ରହିବ । ବରଂ ଫେରିଯାଇ ପୁରୀ ଯିବା ପାଇଁ ଭଡ଼ାଟା ଦେଇ ଆସିବ ।
ବହୁବାଟ ଆସିଲା ପରେ ତା’ ମନରେ ଏ ଦ୍ୱନ୍ଦ୍ୱ ଆସିଲା ପରେ ବି ସେ ଆଉ ଫେରି ନଥିଲା । ଗୋଟାଏ ଅଭାବବୋଧ ଭିତରେ ଭିତରେ ଅନୁଭବ କରୁଥିଲା । ଲୋକଟାର ମତିଗତିରୁ ଲାଗୁଥିଲା ନଖାଇ ପୁରୀ ଚାଲି ଯାଇଥିବ । ଯଦି ବାଟରେ ମରିଯାଏ? କାହିଁକି ତା’ର ଏଇକଥା ମନକୁ ଆସିଲାନି! ଲୋକଟାକୁ ସନେ୍ଦହ ଆସିଥିଲା? ଠକୁଛି ବୋଲି ସାମାନ୍ୟ ଧାରଣା ହୋଇଥିଲା କି? ଏବେ ଭାବୁଛି ଠକୁ ପଛେ ଲୋକଟା, ବୁଢ଼ା ଲୋକଟିଏ । ଥକ୍କା ମାରି ବସି ପଡୁଥିଲା । ଦଶଟଙ୍କା ତା’ର ବହୁ କାମରେ ଲାଗିବ । ସଭ୍ୟ ଶିିକ୍ଷିତ ଲୋକଙ୍କ ଠକାମି ଠୁ ସେ କ’ଣ ବହୁଗୁଣରେ ଭଲ ନୁହେଁ!!
କାହିଁକି ମନଟା ଛଟପଟ ହେଉଥିଲା ତା’ ଲାଗି କେଜାଣି! କାହିଁକି ଆଉ ବାରଟଙ୍କା ଦେଲାନି!