ନବଦିନ ବ୍ୟାପି ବିଶ୍ୱବିଖ୍ୟାତ ରଥଯାତ୍ରାର ପାର୍ବଣ ସମୟ ଆସିଯାଇଛି । ଜଗତରନାଥ ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା, ସୁଦର୍ଶନ ଓ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ସାଥିରେ ଘୋଷଯାତ୍ରା କରି ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ଉପରୁ ଦର୍ଶନଦେବେ ଭକ୍ତଗଣଙ୍କୁ । ବଡ଼ଦାଣ୍ଡରେ ଘର୍ଘରନାଦ କରି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଘୋଷଯାତ୍ରାରେ ବାହାରିବେ ଓ ପୁଣି ଫେରିଆସିବେ ଶ୍ରୀମନ୍ଦିର ସମ୍ମୁଖକୁ । ବିଗ୍ରହମାନେ ଏପରି ମନ୍ଦିର ବାହାରକୁ ଆସି ମାନବୀୟ ଲୀଳା କରିବାର ଉଦାହରଣ ସ୍ୱୟଂ ଶ୍ରୀଜଗନ୍ନାଥ ସମେତ ଚତୁର୍ଦ୍ଧାମୂର୍ତ୍ତି । ଛପନ ପ୍ରକାର ଷାଠିଏ ପଉଟି ଭୋଗଖିଆ କାଳିଆ ଠାକୁର ଶ୍ରୀଗୁଣ୍ଡିଚାରେ ସକାଳୁ ସକାଳୁ କ’ଣ ସବୁ ଭୋଜନ କରନ୍ତି? ଦଇତାପତିମାନେ ଦିଅଁଙ୍କୁ ପହଣ୍ଡି କରି ରଥାରୂଢ଼ କରିବା ପୂର୍ବରୁ ରୋଷଘରେ ବୈଦିକ ଯଜ୍ଞ କରାଯାଇ ସାରିଥାଏ ଓ ବଡ଼ସୁଆର ରାନ୍ଧିଥାଆନ୍ତି ଦିବ୍ୟ ଖେଚୁଡ଼ି । ଖେଚୁଡ଼ି ସହିତ ମଧ୍ୟ ରାନ୍ଧିଥାଆନ୍ତି ଶାଗ, ନାନାଦି ବ୍ୟଞ୍ଜନ ଓ କ୍ଷୀରି । ସେଦିନ ଆଉ ଅନ୍ନ, ଡାଲି, ମହୁର, ବେସର ଆଦି ଛପନଭୋଗ ଭୁଞ୍ଜିପାରିବେନି ଦିଅଁମାନେ । ସେଇଥି ପାଇଁ ତ ବିକଳ୍ପ ବ୍ୟଞ୍ଜନର ବ୍ୟବସ୍ଥା-ଖେଚୁଡ଼ି । ପୁଷ୍ଟିକର ରୋଚକ, ସୁମିଷ୍ଟ, ଯାତ୍ରାଜନିତ ଶାରୀରିକ ବାଧା ପ୍ରତିଷେଧକ ବିକଳ୍ପ ଭୋଗ ହେଲା ଖେଚୁଡ଼ି । ଅନ୍ନ, ଡାଲି, ଡାଲମା, ମହୁର, ବେସର, ଖଟା, କ୍ଷୀରି… ଏମିତି ସବୁକିଛିର ବିକଳ୍ପ କେବଳ ଖେଚୁଡ଼ି । ସେଥିପାଇଁ ବୋଧହୁଏ, ଯାତ୍ରାରମ୍ଭ ପୂର୍ବରୁ ଖେଚୁଡ଼ି ଖାଇବାର ଏକ ପରମ୍ପରା ରହିଆସିଛି ଆମର ଚଳଣିରେ- ଖାସ୍ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପାଥେୟ କରି । ‘ଶୋଭନା’ର ରଥଯାତ୍ରା ବିଶେଷ ପାଇଁ ଓଡ଼ିଆଙ୍କର ପ୍ରିୟ ‘ଖେଚୁଡ଼ି’ ବ୍ୟଞ୍ଜନ ଆଧାରରେ ଜାନକୀଶ ବଡ଼ପଣ୍ଡାଙ୍କ ପ୍ରତିବେଦନ-ଖେଚୁଡ଼ିର ଜୟଗାନ ।
କାହିଁ କେଉଁ ଯୁଗରୁ ଶ୍ରୀଜଗନ୍ନାଥଙ୍କୁ ଖେଚୁଡ଼ି ଭୋଗ ଲାଗି ହୋଇଆସୁଛି । ଏଣୁ ଖେଚୁଡ଼ିର ରହିଛି ଏକ ମହତ୍ତ୍ୱପୂର୍ଣ୍ଣ ଐତିହ୍ୟ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଗ୍ରୀକ୍ ରାଷ୍ଟ୍ରଦୂତ ସେଲୁ୍ୟକ୍ସ ଖେଚୁଡ଼ି ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ, ସମଗ୍ର ଭାରତୀୟ ଉପମହାଦେଶରେ ଖେଚୁଡ଼ି ଥିଲା ଅତ୍ୟନ୍ତ ଲୋକପ୍ରିୟ ବ୍ୟଞ୍ଜନ । ୧୩୫୦ ଖ୍ରୀଷ୍ଟାବ୍ଦରେ ମରକ୍କୋ ପରିବ୍ରାଜକ ‘ଇନ୍ ବାଟୁଟା’ ଖେଚୁଡ଼ିକୁ ‘କିଶି୍ର’ ନାମରେ ନାମିତ କରିଛନ୍ତି । ନିଜର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି ଯେ, ଭାରତୀୟମାନେ ଚାଉଳ ଓ ମୁଗ ଡାଲିକୁ ଏକତ୍ର ରନ୍ଧନ କରି ପ୍ରସ୍ତୁତ କରି ଭୋଜନ କରୁଥିବା ବ୍ୟଞ୍ଜନ ହେଉଛି ‘କିଶ୍ରି’ । ହୁଏତ ସେ ଖେଚୁଡ଼ିକୁ ‘ଖିଚ୍ଡି’ କୁହାଯାଉଥିବାର ଶୁଣି ସେ ଅପଭ୍ରଂଶ କରି ‘କିଶ୍ରି’ ଲେଖିଥିବା ଅନୁମାନ କରାଯାଇପାରେ । ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ ହେବା କାଳରୁ ବିଶେଷ ଭାବେ ସମ୍ରାଟ ଜାହାଙ୍ଗୀରଙ୍କ ସମୟରୁ ‘ଖେଚୁଡ଼ି’ର ପ୍ରଚଳନ ଥିବାର ଜଣାଯାଇଛି । ମଜାକଥା ଯେ, ଆକବର ସମ୍ରାଟ ହେବା ପରେ ‘ଆଇନ୍-ଇ-ଆକବରୀ’ ଲେଖାଯାଇଥିଲା ଓ ଏହାକୁ ଲିପିବଦ୍ଧ କରୁଥିଲେ ମନ୍ତ୍ରୀ ଅବୁଲ-ଫାଜଲ । ସେ ଖେଚୁଡ଼ିର ରନ୍ଧନ ପ୍ରଣାଳୀ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସାତପ୍ରକାର ‘ଖେଚୁଡ଼ି’ ସେତେବେଳେ ପ୍ରଚଳିତ ଥିଲା ଓ ଏହା ପ୍ରସ୍ତୁତ କରିବାର ସାମଗ୍ରୀ ଓ ପ୍ରଣାଳୀ ସେ ଲିପିବଦ୍ଧ କରିଛନ୍ତି । କୁହାଯାଏ ଯେ ଦେଶକେ ଫାଙ୍କ, ନଦୀକେ ବାଙ୍କ୍, ଅର୍ଥାତ୍ ଆଞ୍ଚଳିକ ବିଭିନ୍ନତା ସବୁବେଳେ ରହିଆସିଛି । ଆମେ ଜାଣୁ ଯେ ଅଖଣ୍ଡ ଭାରତ (ଭାରତ, ବାଂଲାଦେଶ, ପାକିସ୍ତାନ, ନେପାଳ)ରେ ଖେଚୁଡ଼ି ଆଜିବି ଖୁବ୍ ଜନପ୍ରିୟ । ହରିଆଣା, ରାଜସ୍ଥାନ, ଗୁଜରାଟ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ଆସାମ, ପଶ୍ଚିମବଙ୍ଗଠାରୁ ବିହାର, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ବିଶେଷ ଭାବେ ଖେଚୁଡ଼ିର ପ୍ରଚଳନ ଅଧିକ । ଏକାଥରକେ ଗୋଟିଏ ପାତ୍ରରେ ଚାଉଳ, ଡାଲି, ପନିପରିବା ଓ ଆବଶ୍ୟକୀୟ ମସଲା ମିଶାଇ ରନ୍ଧାଯାଇପାରେ ଖେଚୁଡ଼ି । କିଛି ସ୍ଥାନରେ କେବଳ ମୁଗ, ହରଡ଼ କିମ୍ବା ବୁଟଡାଳି ସହିତ ଖେଚୁଡ଼ି ରନ୍ଧା ନଯାଇ ବିଭିନ୍ନ ପ୍ରକାରର ଛୁଇଁ ଜାତୀୟ ଡାଲିର ମିଶ୍ରଣକୁ ଚାଉଳ ସହିତ ରନ୍ଧାଯାଇଥାଏ ।
ବଙ୍ଗୀୟମାନେ ଖେଚୁଡ଼ିକୁ ‘ଖିଚୁରି’ ବା ‘କିଶୁରି’ ନାମରେ ଉଚ୍ଚାରଣ କରନ୍ତି ଓ ଦେଶୀ ଗୁଆଘିଅ, ଆଚାର, ବାଇଗଣ ଭରତା ସହିତ ସାଧାରଣତଃ ବର୍ଷା ଦିନେ ଖାଇବାକୁ ଭଲ ପାଆନ୍ତି । ପାର୍ବଣ ବ୍ୟଞ୍ଜନର ତାଲିକାରେ ‘ଖିଚୁରି’ ନିଶ୍ଚୟ ସ୍ଥାନ ପାଏ ବଙ୍ଗୀୟ ସଂସ୍କୃତିରେ ।
ସଂସ୍କୃତ ଶବ୍ଦ ‘ଖିଚ୍ଚା’ରୁ ଖେଚୁଡ଼ି ନାଁଟି ଆସିଥିବାର କୁହାଯାଏ । ସଂସ୍କୃତ ‘ଖିଚ୍ଚା’ର ଅର୍ଥ ହେଲା ଚାଉଳ ଓ ଡାଲିରୁ ପ୍ରସ୍ତୁତ ବ୍ୟଞ୍ଜନ । କାହିଁ କେଉଁ କାଳରୁ ଛୋଟ ପିଲାଙ୍କୁ ‘ଅନ୍ନପ୍ରସନ୍ନ’ ଉତ୍ସବ ମାଧ୍ୟମରେ ଶସ୍ୟରୁ ଉତ୍ପନ୍ନ ଖାଦ୍ୟାଭ୍ୟାସ ଆରମ୍ଭ କଲାବେଳେ ନରମରନ୍ଧା ଖେଚୁଡ଼ି ହିଁ ପାଲଟି ଯାଇଛି ପ୍ରଥମ ଖାଦ୍ୟ । ବୟସ୍କ, ରୋଗୀ ଓ ପିଲାଙ୍କୁ ଖେଚୁଡ଼ି ଖାଇବାକୁ ଦିଆଯିବାର ପରମ୍ପରା ରହିଛି ।
ବିହାରରେ ‘ଖିଚ୍ଡି’ ନିଶ୍ଚିତ ଭାବେ ମକର ସଂକ୍ରାନ୍ତିର ରାତ୍ରୀଭୋଜନରେ ସ୍ଥାନ ପାଇଥାଏ । ତେବେ ଏଥିରେ ଶୀତଦିନେ ଶୀତଦିନିଆ ପରିବା ପତ୍ର ପକାଇ ଚାଉଳ, ଡାଲି, ହଳଦୀ, ଲୁଣ, ଗରମ ମସଲା ଦେଇ ରନ୍ଧାଯାଏ ଏବଂ ସୋରିଷ ତେଲରୁ ପ୍ରସ୍ତୁତ ଆଳୁ-ବାଇଗଣ ଭରତା, ଆଚାର ଇତ୍ୟାଦି ସହିତ ଖିଆଯାଏ । ଗୁଜରାଟରେ ଖେଚୁଡ଼ି ଅତି ଲୋକପ୍ରିୟ । ଚାଷୀ ସଂପ୍ରଦାୟ, ବିଶେଷ ଭାବେ ‘ପଟେଲ’ ମାନେ ଭୋଜନରେ ମୁଖ୍ୟତଃ ‘ଖିଚ୍ଡ଼ି’ ଖାଆନ୍ତି । ଏହାସହ ‘ଦହି କଢ଼ି’ ବ୍ୟଞ୍ଜନ ଥାଏ ସାଥିରେ । କଚ୍ଛ ଅଞ୍ଚଳରେ ‘ଖିଚ୍ଡି’ ପ୍ରାୟତଃ ସବୁଦିନ ରନ୍ଧାଯାଏ । ହରିଆଣା ରାଜ୍ୟରେ ଯଦିଓ ଚାଉଳ-ଡାଲିରୁ ‘ଖିଚ୍ଡ଼ି’ ପ୍ରସ୍ତୁତ ହୁଏ, ଗ୍ରାମାଞ୍ଚଳରେ ଚାଉଳ ବଦଳରେ ବାଜରା ବା ଜହ୍ନା ଦାନା ବ୍ୟବହାର ହୋଇଥାଏ । ବେଳେବେଳେ ବାଜରା ସହ ଜୱାର ଦାନା ମଧ୍ୟ ମିଶାଯାଇଥାଏ । ଏଥିରେ ହଳଦୀ ଓ ଲୁଣ ପକାଇ ରନ୍ଧାଗଲାବେଳେ ଯଅ କିମ୍ବା ଗହମକୁ କୁଟି ସେଥିରେ ଡାଲି ବଦଳରେ କ୍ଷୀର, ଲୁଣ ବଦଳରେ ଚିନି ପକାଇ ଖିଚଡ଼ି ଭଳି ‘ଦାଲିଆ’ ରନ୍ଧା ଯାଇଥାଏ ।
ଦକ୍ଷିଣ ଭାରତୀୟ ପ୍ରସିଦ୍ଧ ପର୍ବ ପୋଙ୍ଗଲରେ ନିଶ୍ଚିତ ଭାବେ ଖେଚୁଡ଼ି ରନ୍ଧାଯାଏ ଏବଂ ସେଥିରେ ଚାଉଳ, ଡାଲି ସହିତ ଗୋଲମରିଚ, ଜିରା ଏବଂ କାଜୁ ପକାଇ ପରଷା ଯାଇଥାଏ । ହାଇଦ୍ରାବାଦର ଧନିକ ମୁସଲମାନ ଘରେ ଖେଚୁଡ଼ି ନିଶ୍ଚିତ ଭାବେ ପ୍ରାତଃ ଜଳଖିଆରେ ସ୍ଥାନ ପାଇଥାଏ । ଅବଶ୍ୟ ଏମାନେ ଖେଚୁଡ଼ିରେ ଅଣ୍ଡା, ମାଂସ କିମା ମଧ୍ୟ ଚାଉଳ-ଡାଲି ସହିତ ପକାଇ ପ୍ରସ୍ତୁତ କରିବାର ଦେଖାଯାଏ ।
ଖେଚୁଡ଼ିର ଲୋକପ୍ରିୟତା ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ । ଏହା ପାକିସ୍ତାନଠାରୁ ଆରମ୍ଭ କରି ଭାରତ ମହାସାଗର ମଧ୍ୟରେ ଥିବା ପ୍ରାୟ ସମସ୍ତ ରାଷ୍ଟ୍ରରେ ନିଜର ଆସ୍ଥାନ ଜମାଇ ଆସିଛି । ସମ୍ରାଟ ଆକବରଙ୍କ ରାଜସଭାରେ ଥିବା ବିଦୂଷକ ତଥା ମନ୍ତ୍ରୀ ବିରବଲଙ୍କ ଖେଚୁଡ଼ି ରନ୍ଧାକୁ ନେଇ ‘ବିରବଲ୍’ କେ ଖିକ୍ରି କବ୍ ପକେଗି’ ବୋଲି ବହୁଳ କଥିତ ଲୋକକଥା ଅଛି ।
ଖେଚୁଡ଼ିକୁ ‘ଜାତୀୟ ଖାଦ୍ୟ’ର ମାନ୍ୟତା ଦେଇ ଏହାକୁ ‘ସମସ୍ତ ଖାଦ୍ୟଙ୍କ ମଧ୍ୟରେ ରାଣୀ’ ଭାବେ ଚିତ୍ରଣ କରିଛନ୍ତି ଭାରତୀୟ ଜନସାଧାରଣ । ଖେଚୁଡ଼ିକୁ ଜାତୀୟ ସଂହତିର ଏକ ସୂତ୍ର ରୂପେ ମଧ୍ୟ ଗ୍ରହଣ କରିହେବ ଏବଂ ଭାରତକୁ ପର୍ଯ୍ୟଟନରେ ଆସୁଥିବା ବିଦେଶୀଙ୍କୁ ନିଶ୍ଚିତ ରୂପେ ପରଷା ଯାଇପାରିବ । ଭାରତୀୟ ଖେଚୁଡ଼ିକୁ ଏକ ବ୍ରାଣ୍ଡ ରୂପେ ମଧ୍ୟ ବିଦେଶରେ ବ୍ୟବହାର କରାଯାଇପାରିବ । ତେବେ ଜାତୀୟ ସ୍ତରରେ ଖିଚ୍ଡିକୁ ନେଇ ଏପରି ପରିକଳ୍ପନା ଚାଲିଥିବା ବେଳେ ଶ୍ରୀମନ୍ଦିର ବ୍ୟଞ୍ଜନ ଇତିହାସରେ ଖେଚୁଡ଼ି କେଉଁ ଅନାଦିକାଳରୁ ସ୍ଥାନ ମାଡ଼ି ବସିଥିବାର ପ୍ରାମାଣିକ ତଥ୍ୟ ରହିଛି । ଖେଚୁଡ଼ିକୁ ଶ୍ରୀମନ୍ଦିର ପକ୍ଷରୁ କିମ୍ବା ଓଡ଼ିଶା ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ପାଇବା ପାଇଁ ଉଦ୍ୟମ କରିବା ସହିତ ଏହାକୁ ‘ଓଡ଼ିଶାର ଲୋକପ୍ରିୟ ଖାଦ୍ୟ’ ଭାବେ ସମ୍ମାନ ପ୍ରଦାନ କରାଯିବା ଉଚିତ୍ ।
ପ୍ରସିଦ୍ଧ ରୋଷେୟା ସଂଜୀବ କପୁର ନୂଆଦିଲ୍ଲୀରେ ୮୦୦ କିଲୋଗ୍ରାମ୍ ଓଜନର ଖେଚୁଡ଼ି ପ୍ରସ୍ତୁତ କରି ଆଲୋଡ଼ନ ସୃଷ୍ଟି କରିଥିଲେ । ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକିଙ୍ଗ୍ ଓ ରପ୍ତାନିକୁ ନେଇ ଆମେ ପ୍ରଚେଷ୍ଟା କରୁଥିଲା ବେଳେ ‘ଖେଚୁଡ଼ି’ ଆମକୁ ଏହି ଦିଗରେ ସହଯୋଗ ଦେବାର ସମ୍ଭାବନା ସୃଷ୍ଟି ହୋଇଛି ।
ଶ୍ରୀଜଗନ୍ନାଥଙ୍କୁ ଆବହମାନକାଳରୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ଖେଚୁଡ଼ି’କୁ ଭୋଗ ଲାଗିହୁଏ ସକାଳ ଧୂପରେ । ତାଟ ଖେଚୁଡ଼ି, ନୁଖୁରା ଖେଚୁଡ଼ି, ତୈଳ ଖେଚୁଡ଼ି, ସାନ ଖେଚୁଡ଼ି, ମଜୁରି ଖେଜୁଡ଼ି, ଏହିପରି ପାଞ୍ଚ ପ୍ରକାରର ଖେଚୁଡ଼ି ଲାଗି ହୁଏ କଳା ଠାକୁରଙ୍କୁ । ଲୁଣ ବଦଳରେ ମିଠା ପକାଇ ଯେଉଁ ଖେଚୁଡ଼ି ପ୍ରସ୍ତୁତ ହୁଏ, ତାହାକୁ କୁହାଯାଏ କାନିକା । ଏହାକୁ ସୁବାସିତ ଖେଚୁଡ଼ି କୁହାଯାଇପାରେ, ଯେଉଁଥିରେ ସୁଗନ୍ଧିତ ମସଲା ଯଥା- ଡାଳଚିନି, ତେଜପତ୍ର, ଲବଙ୍ଗ, କାଜୁ, କିସ୍ମିସ୍ ବ୍ୟବହାର ହୋଇଥାଏ । ଖେଚୁଡ଼ିର ମହିମା ବର୍ଣ୍ଣନା କରି ଏହାର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ନ ଲେଖିଲେ ହୁଏତ ପ୍ରତିବେଦନଟି ଅସମ୍ପୂର୍ଣ୍ଣ ରହିଯିବ । ଏଣୁ ବିଭିନ୍ନ ପ୍ରକାର ଖେଚୁଡ଼ି ପ୍ରସ୍ତୁତି ଉପରେ କିଛି ସୂଚନା ମଧ୍ୟ ପ୍ରଦାନ କରୁଛୁ ।
ପାଳଙ୍ଗ-ଖେଚୁଡ଼ି
ଆମେ ସମସ୍ତେ ଜାଣୁ ଯେ, ପାଳଙ୍ଗ ଶାଗ ଏକ ଚମକ୍ରାର ସବୁଜ ଶାଗ ଜାତୀୟ ଖାଦ୍ୟ, ଯେଉଁଥିରେ ପ୍ରଚୁର ପରିମାଣର ଖାଦ୍ୟସାର ମହଜୁଦ ଥାଏ । ଏହି ପାଳଙ୍ଗ ଶାଗକୁ ସାଥିରେ ନେଇ ଖେଚୁଡ଼ି ରାନ୍ଧି ପାରିବେ ଆପଣ । ଏହି ଖେଚୁଡ଼ିରେ ତ ଚାଉଳ, ଡାଲି ଇତ୍ୟାଦି ରହିଥିବ, ତାହା ସାଥିରେ ପାଳଙ୍ଗ ଶାଗ ମିଶିଗଲେ, ଖେଚୁଡ଼ିର ରୂପ, ରଙ୍ଗ ଓ ଗୁଣ, ସବୁ ବଢ଼ିଯିବ । ଏଥିରୁ ବାହାରୁଥିବା ବାସ୍ନା ମଧ୍ୟ ଭୋକ ବଢ଼ାଇଦେବ । ଅଳସ ଲାଗିଲେ, ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ମନ ହେଉନଥିଲେ ଆମେ ଏହି ପାଳଙ୍ଗ ଖେଚୁଡ଼ି କଥାଟିକୁ ମନେପକାଇବା ଭଲ । ରାତ୍ରୀଭୋଜନରେ ବିଭିନ୍ନ ପ୍ରକାର ରୋଷେଇ କରିବାର ମନ ନଥିଲେ ଥାଳିଏ ପାଳଙ୍ଗ ଖେଚୁଡ଼ିରୁ ଆମେ ସବୁପ୍ରକାର ଖାଦ୍ୟ ପାଇଯାଇପାରିବା । ଏହା ନିଶ୍ଚିତ ଭାବେ ଏକ ପରିପୂର୍ଣ୍ଣ ଆହାର । ପେଟ ପାଇଁ ହାଲୁକା, ହଜମ କାରକ ଏହି ପାଳଙ୍ଗ ଖେଚୁଡ଼ିକୁ ଆମେ ସକାଳ ଜଳଖିଆ ଭାବେ ମଧ୍ୟ ଖାଇପାରିବା । ଯାହାକୁ କହନ୍ତି ଅଲ୍ ଇନ୍ ୱାନ୍ ।
ସାମଗ୍ରୀ : ପାଳଙ୍ଗ ପତ୍ର (କଟା)-୧ କପ୍, ସରୁକଟା ପିଆଜ-୧ଟି, କଟା ଟମାଟୋ-୨ଟି, ଅରୁଆ ଚାଉଳ- ଦେଢ଼କପ୍, ଡାଲି ୧ କପ୍, ଗୋଟା ଜିରା-୧ ଚା’ ଚାମଚ, ଗୋଟା ସୋରିଷ- ୧ ଚା’ ଚାମଚ, ଧନିଆ ଗୁଣ୍ଡ- ୧ ଚା’ ଚାମଚ, ହଳଦୀ ଗୁଣ୍ଡ- ୧ ଚା’ ଚାମଚ, ଲୁଣ ସ୍ୱାଦାନୁସାରେ, ଲାଲଲଙ୍କା ଗୁଣ୍ଡ- ଆବଶ୍ୟକ ମୁତାବକ, ଭୃଷଙ୍ଗ ପତ୍ର- ୫-୬ଟି, ଘିଅ- ୧ ଚା’ ଚାମଚ, କଞ୍ଚାଲଙ୍କା-୨ଟି, ଅଦା-ରସୁଣ ବଟା-୧ ଚା’ ଚାମଚ, ପାଣି- ୧ ଗ୍ଲାସ୍ ।
ପ୍ରସ୍ତୁତି ପ୍ରଣାଳୀ : ଚାଉଳ ଏବଂ ଡାଲିକୁ ପ୍ରଥମେ ବାଛି ଭଲ ଭାବେ ଧୋଇ ଦିଅନ୍ତୁ । ଚାଉଳକୁ ଖେଚୁଡ଼ି ରାନ୍ଧିବା ସମୟର ୧୫ ମିନିଟ୍ ପୂର୍ବରୁ ପାଣିରେ ଭିଜାଇ ରଖନ୍ତୁ । ଗୋଟିଏ ପ୍ରେସର କୁକୁରକୁ ଚୁଲିରେ ବସାଇ ଗରମ ହେଲା ପରେ ଘିଅ ପକାଇ ସେଥିରେ ସୋରିଷ, ଜିରା, ଭୃଷଙ୍ଗ ପତ୍ର ଓ ଅଦା-ରସୁଣ ବଟା ପକାଇ କସି ନିଅନ୍ତୁ । ଏହା ଫୁଟଣ ଭଳି କାମ କରିବ ଓ ଅଦା-ରସୁଣ ବଟାକୁ କସିଦେଇ ଗନ୍ଧମୁକ୍ତ କରିଦେବ । ଏଥିରେ ଏବେ ଟମାଟୋ, ପିଆଜ ଓ କଞ୍ଚାଲଙ୍କା ପକାଇ ଗୋଳାଇ ଦେଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ଓ ଲଙ୍କାଗୁଣ୍ଡ ପକାଇ ଭଲ ଭାବେ କସିଚାଲନ୍ତୁ ।
ଏଥିରେ ଏବେ ଧୁଆଯାଇ ରଖାଯାଇଥିବା ଡାଲି ଓ ବତୁରା ଚାଉଳକୁ ପକାଇ ଗୋଟିଏ ଗ୍ଲାସ୍ ପାଣି ମଧ୍ୟ ଦିଅନ୍ତୁ । ଦୁଇ ମିନିଟ୍ ପରେ ପ୍ରେସର କୁକରରେ ସବୁତକ କଟା ପାଳଙ୍ଗ ଶାଗ ପକାଇ ଗୋଳାଇ ଦେଇ ଢାଙ୍କୁଣୀ ମୁଦ କରିଦିଅନ୍ତୁ । ୧୦-୧୨ ମିନିଟ୍ ପ୍ରେସରକୁକରକୁ ଚୁଲିରେ ବସାଇ ରାନ୍ଧନ୍ତୁ । ଦୁଇଟି ହୁଇସିଲ ଆସିଲା ପରେ ଚୁଲା ବନ୍ଦ କରିଦିଅନ୍ତୁ ଓ କିଛି ସମୟ ପରେ ପ୍ରେସରକୁକରର ଢାଙ୍କୁଣୀ ଖୋଲି ଥାଳିରେ ପରଷି ଦିଅନ୍ତୁ ପାଳଙ୍ଗ ଖେଚୁଡ଼ି । ହଁ, ଅଧା ଚାମଚ ଗୁଆଘିଅ ପକାଇ ଖାଇଲେ ସ୍ୱାଦ ମିଳିବ ନିଆରା ।
ପରିବା ଖେଚୁଡ଼ି
ସାମଗ୍ରୀ : ଚାଉଳ-୧ କପ୍, ଭଜା ମୁଗଡାଲି-୧କପ୍, ପାଣି- ୩କପ୍, ପରିବାପତ୍ର- ଛୋଟ ଖଣ୍ଡ ଆଳୁ, କଞ୍ଚା କଦଳୀ, କଖାରୁ, ଫୁଲକୋବି, ଗାଜର, ବିନ୍, ମୂଳା, କୋରା ନଡ଼ିଆ ଓ ଟମାଟୋ ।
ମସଲା : ଡାଳଚିନି, ଲବଙ୍ଗ, ଅଳେଇଚ, ତେଜପତ୍ର, ଶୁଖିଲା ଲାଲଲଙ୍କା, ଗୋଟା ଜିରା, ଗୋଟା ଗୋଲମରିଚ, ଗୋଲମରିଚ ଗୁଣ୍ଡ, ଅଦା ଛେଚା, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଚିନି ଓ ଲୁଣ (ସ୍ୱାଦାନୁସାରେ), ଚିନାବାଦାମ ମଞ୍ଜି- ୪ ଚାମଚ, କାଜୁ ଓ କିସ୍ମିସ୍ ଭଜା, ଘିଅ-୩ ଚାମଚ ।
ପ୍ରଣାଳୀ : ଚାଉଳ ଓ ମୁଗଡାଲିକୁ ବାଛି, ଧୋଇ ୩୦ ମିନିଟ୍ ପାଇଁ ଏକାଠି ବତୁରାଇ ଦିଅନ୍ତୁ । ଅଧଘଣ୍ଟା ପରେ ଡାଲି-ଚାଉଳରୁ ପାଣି ନିଗାଡ଼ି ରଖନ୍ତୁ । ଗୋଟିଏ ପାତ୍ରରେ ପାଣି ଗରମ କରି ଫୁଟାନ୍ତୁ । ଆଉ ଗୋଟିଏ ଡେକ୍ଚିକୁ ଗରମ କରି, ସେଥିରେ ଦୁଇ ଚାମଚ ଘିଅ ଗରମ କରି ଡାଳଚିନି, ଲବଙ୍ଗ, ଅଳେଇଚ, ତେଜପତ୍ର, ଲଙ୍କା, ଜିରା, ଗୋଲମରିଚ ଓ ଗୁଣ୍ଡ ଛେଚା ଅଦା ପକାଇ ଛୁଙ୍କ କରି ସେଥିରେ ଫୁଟନ୍ତା ପାଣି ଢାଳି ଫୁଟାନ୍ତୁ । ଏବେ ଏଥିରେ ବତୁରା ଚାଉଳ, ଡାଲିର ମିଶ୍ରଣ ପକାଇ ଆବଶ୍ୟକ ଓ ରୁଚି ଅନୁଯାୟୀ କଟା ପରିବା ପକାନ୍ତୁ । ଏଥିରେ ହଳଦୀ ଗୁଣ୍ଡ, ଲୁଣ ପକାଇ ଗୋଳାଇ ଘୋଡଣୀ ବନ୍ଦ କରି ସିଝିବାକୁ ଛାଡ଼ି ଦିଅନ୍ତୁ । ମଧ୍ୟମ ଆଞ୍ଚରେ ପ୍ରାୟ ୧୦-୧୨ ମିନିଟ୍ ପରେ ପରିବାତକ ସିଝିଯିବ । ଏବେ ଏଥିରେ ନଡ଼ିଆ କୋରା, ଅଳ୍ପ ଚିନି (୧ଚାମଚ), ଗୋଲମରିଚ ଗୁଣ୍ଡ, ଭଜା କାଜୁ, କିସ୍ମିସ୍, ଚିନାବାଦାମ ମଞ୍ଜି ପକାଇ ଭଲ ଭାବେ ଗୋଳାଇ ଅଳ୍ପ ଆଞ୍ଚରେ ଘୋଡଣୀ ଘୋଡାଇ କିଛି ସମୟ ଗରମ କରନ୍ତୁ । ପାଣି ମରିଆସିବ ଓ ଖେଚୁଡିର ବାସ୍ନାରେ ରୋଷେଇ ଘର ମହକି ଯିବ । ଏବେ ବଳକା ୧ ଚାମଚ ଘିଅ ପକାଇ ଆଉ ପାଞ୍ଚ ମିନିଟ୍ ଘୋଡ଼ଣୀ ଦେଇ ଚୁଲି ଉପରେ ବସାଇ ରଖନ୍ତୁ । ଏବେ ଚୁଲି ଆଞ୍ଚ ବନ୍ଦ କରି, ଘୋଡଣୀ ଖୋଲି ଦେଖନ୍ତୁ ଯେ ଆପଣଙ୍କ ପ୍ରିୟ ପରିବା ଖେଚୁଡ଼ି ପ୍ରସ୍ତୁତ । ଟମାଟୋ-ଖଜରା ଖଟା, ଆଳୁଭରତା ସହ ଖାଇଲେ ଭଲ ଲାଗିବ । ଏହି ଖେଚୁଡ଼ି ପଶ୍ଚିମ ଓଡ଼ିଶାରେ ବହୁ ଲୋକପ୍ରିୟ ।
କାଙ୍ଗୁଲ ଖେଚୁଡ଼ି
କାଙ୍ଗୁଲ ବା ହରଡ଼ଡାଲି ଅତ୍ୟନ୍ତ ଲୋକପ୍ରିୟ । ଉଭୟ ଭାତ ଓ ରୁଟି ସହ ଏହି ଡାଲି ଖିଆଯାଇପାରେ । ଆଜିକାଲି ଅନେକେ ମୁଗଡାଲି ପରିବର୍ତ୍ତେ ହରଡ଼ ଡାଲି ବ୍ୟବହାର କରି ଖେଚୁଡ଼ି ରାନ୍ଧିବାକୁ ଚାହୁଁଥିବାରୁ ଆମେ ପ୍ରସ୍ତୁତ କରୁଛୁ କାଙ୍ଗୁଲ ଖେଚୁଡିର ପ୍ରସ୍ତୁତି ପ୍ରଣାଳୀ ।
ସାମଗ୍ରୀ : ବାସୁମତୀ ଚାଉଳ- ୧କପ୍, ହରଡ଼ ଡାଲି ଅଧା କପ୍, ଘିଅ- ୨ ଚାମଚ, ଜିରା-୧ ଚା’ ଚାମଚ, ଚିମୁଟାଏ ହେଙ୍ଗୁ, ଧଣିଆଗୁଣ୍ଡ- ୧ ଚା’ ଚାମଚ, ସ୍ୱାଦାନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ : ଚାଉଳ ଓ ଡାଲିକୁ ବାଛି, ଧୋଇ ଅଧଘଣ୍ଟା ବତୁରାଇ ଭଲଭାବେ ଛାଣି ରଖନ୍ତୁ । ଗୋଟିଏ ମୋଟା କଡ଼େଇ କିମ୍ବା ସସ୍ପ୍ୟାନ୍ରେ ଘିଅ ଗରମ କରି ସେଥିରେ ଜିରା ଓ ହେଙ୍ଗୁ ପକାଇ ଜିରା ଫୁଟିସାରିଲା ମାତ୍ରେ ଛଣାଯାଇ ରଖା ହୋଇଥିବା ଡାଲି-ଚାଉଳକୁ ଏଥିରେ ପକାଇ ଉଚ୍ଚ ଜାଳରେ ଭାଜନ୍ତୁ । ପାଣି ଶୁଖିଗଲା ପରେ ଏଥିରେ ଧନିଆ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଅଢ଼େଇ କପ୍ ପାଣି ଦେଇ ଫୁଟାନ୍ତୁ । ଘୋଡ଼ଣୀ ଘୋଡାଇ ଫୁଟାଇବେ । ଏବେ ଜାଳ କମାଇ ଆଉ ଦଶମିନିଟ୍ ଚୁଲିରେ ବସାଇ ରଖିବେ । ମଝିରେ ମଝିରେ ଘାଣ୍ଟିବା ଦରକାର ପଡ଼ିବ । ଆପଣ ଚାହିଁଲେ ଖେଚୁଡ଼ିରେ ଲାଲଲଙ୍କା ଗୁଣ୍ଡ, ଗରମ ମସଲା ମଧ୍ୟ ପକାଇ ମସଲାଦାର କରିପାରିବେ । କାଙ୍ଗୁଲ ଡାଲି ପରିବର୍ତ୍ତେ ଆମେ ନିଜର ରୁଚି ଅନୁଯାୟୀ ମୁଗଜାଇ, ମସୁର ଜାଇ କିମ୍ବା ବୁଟଡାଲି ମଧ୍ୟ ବ୍ୟବହାର କରି ଯଥାକ୍ରମେ ମୁଗଖେଚୁଡ଼ି, ମସୁର ଖେଚୁଡ଼ି ଓ ବୁଟ ଖେଚୁଡ଼ି ନାଁ ଦେଇପାରିବା ।
ଆୟୁର୍ବେଦ ଖେଚୁଡ଼ି
ଏମିତିକା ନାମକରଣ ଅଡୁଆ ଲାଗୁଛି କି? ମୁଗ ଖେଚୁଡ଼ିକୁ ଆମେ ଆୟୁର୍ବେଦ ଖେଚୁଡ଼ିରେ ପରିଣତ କରିପାରିବା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।
ସାମଗ୍ରୀ : ଅଲିଭ ତେଲ ୧ ଚାମଚ, ଗୁଣ୍ଡକଟା ପିଆଜ-୧ ଚାମଚ, ଗୁଣ୍ଡକଟା ଅଦା- ୧ ଚାମଚ, ଗୁଣ୍ଡକଟା କଞ୍ଚାଲଙ୍କା ଅଧା ଚାମଚ, ଗୁଣ୍ଡକଟା ରସୁଣ ୧ ଚାମଚ, ହଳଦୀ ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଅଧା ଚାମଚ, ହେଙ୍ଗୁ- ଚିମୁଟାଏ, ବାସୁମତୀ ଚାଉଳ ଅଧାକପ୍, ମୁଗଡାଲି- ୧କପ୍, କଟା ବ୍ରୋକଲି/ଫୁଲକୋବି- ଅଧା କପ୍, ପାଳଙ୍ଗ ପତ୍ର (କଟା) ଅଧା କପ୍, ଧନିଆପତ୍ର (ଗୁଣ୍ଡକଟା) ଅଧା କପ୍, ଗାଜର-୧ଟି (ଗୁଣ୍ଡକଟା), ଅଳ୍ପ ଚିନି ଓ ଲୁଣ ଓ ଆବଶ୍ୟକୀୟ ଜଳ ।
ପ୍ରଣାଳୀ : ଗୋଟିଏ ପ୍ୟାନ୍ରେ ଅଲିଭ ତେଲ ଗରମ କରନ୍ତୁ । ଏଥିରେ ପିଆଜ, ରସୁଣ, କଞ୍ଚାଲଙ୍କା କଟା ପକାଇ ଭାଜନ୍ତୁ । ଏବେ ଗୁଣ୍ଡକଟା ଅଦା ପକାଇ ସାମାନ୍ୟ ଭାଜନ୍ତୁ । ଏଥିରେ ହଳଦୀ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଆବଶ୍ୟକ ପଡ଼ିଲେ ସାମାନ୍ୟ ପାଣି ଛିଞ୍ଚିଦେବେ, ଯେପରି ପ୍ୟାନ୍ରେ ଥିବା ଭଜା ପୋଡ଼ି ନଯିବ । ଏଥିରେ ଜିରାଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଧିମା ଆଞ୍ଚରେ ଭାଜନ୍ତୁ । ଏବେ ଚିମୁଟାଏ ହେଙ୍ଗୁ ପକାନ୍ତୁ ଓ ଭଲଭାବେ ଘାଣ୍ଟି ଦିଅନ୍ତୁ । ତରକାରି ପାଉଡର ମଧ୍ୟ ମିଶାଇଦେବେ ।
ଏବେ ଏହି ଗହିରିଆ ପ୍ୟାନ୍ରେ ଥିବା ମିଶ୍ରଣରେ ଡାଲି-ଚାଉଳତକ ପକାଇ ଦରକାର ମୁତାବକ ପାଣି ଦିଅନ୍ତୁ । ଲୁଣ, ଚିନି ଓ ପରିବାତକ ପକାଇଦେଇ ସାରିଲା ପରେ ଖେଚୁଡ଼ି ରନ୍ଧା ପାଇଁ ପାଣିର ପରିମାଣ କଳନା କରି, ଦରକାର ମନେକଲେ ଆଉ କିଛି ପାଣି ଦେଇ ଘୋଡ଼ଣୀ ଦେଇ ମଧ୍ୟମ ଆଞ୍ଚରେ ୭-୮ ମିନିଟ୍ ରାନ୍ଧନ୍ତୁ । ଖେଚୁଡ଼ି ପ୍ରସ୍ତୁତ ହୋଇଯିବ । ଏବେ ପରଷି ଦିଅନ୍ତୁ ଆୟୁର୍ବେଦ ଖେଚୁଡ଼ି । ମନେରଖିବେ ପ୍ଲେଟ୍ରେ ଖେଚୁଡ଼ି ବାଢ଼ି, ପରଷିବା ପୂର୍ବରୁ କଞ୍ଚାଲଙ୍କାକୁ ଦୁଇଫାଳ କରି କାଟି ସଜାଇ ଦେଇଥିବେ ।
ଏହା ଶରୀର ପାଇଁ ଗୁଣକାରକ ହୋଇଥିବାରୁ ନାଁ ବୋଧହୁଏ ଆୟୁର୍ବେଦ ଖେଚୁଡ଼ି ।
ବାଜରା ଖେଚୁଡ଼ି
ଚାଉଳରୁ ଖେଚୁଡ଼ି ପ୍ରସ୍ତୁତି ଏକସାଧାରଣ କଥା ଭାବେ ଆମେ ଜାଣିଛେ । ମାତ୍ର ବାଜରା ବ୍ୟବହାର କରି ଖେଚୁଡ଼ି ତିଆରି ନିଶ୍ଚୟ ଅନେକଙ୍କ ପାଇଁ ନୂଆ । ଅନେକେ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚାଉଳ ଓ ଅଟା ବଦଳରେ ଶ୍ୱେତସାର ପରିମାଣ କମ୍ ଥିବା ମାଣ୍ଡିଆ, ବାଜରା, ଓଟ୍ ଇତ୍ୟାଦି ଖାଇବାକୁ ପସନ୍ଦ କରୁଥିବାରୁ ବାଜରା ଖେଚୁଡ଼ି ପ୍ରସ୍ତୁତି ପ୍ରଣାଳୀ ଜଣାଇବାର ଆବଶ୍ୟକତା ଅନୁଭବ କଲୁ । ଏଥିରେ ନିରାମିଷାଶୀଙ୍କ ପାଇଁ ପୁଷ୍ଟିସାର ଖାଦ୍ୟ ଡାଲି ଓ କମ୍ ଶ୍ୱେତସାର ଥିବା ବାଜରା ଦାନା ବ୍ୟବହାର ହୋଇଥାଏ । ବାଜରାରେ ଥାଏ ଅଧିକ ତନ୍ତୁ, କମ୍ ଶ୍ୱେତସାର ।
ସାମଗ୍ରୀ : ବାଜରା -୨ କପ୍, ଗୁଣ୍ଡ ମୁଗଡାଲି- ୧କପ୍, ୨ ଚାମଚ ଗୁଆଘିଅ, ହେଙ୍ଗୁ ଚିମୁଟାଏ, ଜିରା (ଗୋଟା)-୧ ଚା’ ଚାମଚ, ଧନିଆ ଗୁଣ୍ଡ-୧ ଚା’ ଚାମଚ, ଗରମ ମସଲା ୧ ଚା’ ଚାମଚ, ଲଙ୍କା ଗୁଣ୍ଡ- ୧ ଚା’ ଚାମଚ ।
ପ୍ରସ୍ତୁତି ପ୍ରଣାଳୀ : ବାଜରା ଦାନା ଉପରେ ଯେଉଁ କୁଣ୍ଡା ବା ବହିରାବରଣ ଥାଏ, ତାହାକୁ ବାହାର କରିବା ଦରକାର । ଏଣୁ ପ୍ରଥମେ ବାଜରାକୁ ଧୋଇ ପାଣି ଶୁଖିଗଲା ପରେ ହେମଦସ୍ତାରେ ହାଲୁକା କୁଟି କିମ୍ବା ଗ୍ରାଇଣ୍ଡରରେ ହାଲୁକା ଗୁଣ୍ଡ କଲା ପରି କରି କୁଣ୍ଡା ବା ଦାନାର ବହିରାବରଣକୁ ପାଛୁଡ଼ି ବହାର କରିବାକୁ ପଡ଼େ । ଆବଶ୍ୟକ ହେଲେ ଦୁଇ ତିନିଥର କୁଟାଯାଇପାରେ ।
ଏହି ଚୋପାଛଡ଼ା ବାଜରାକୁ ମୁଗଡାଲି ସହିତ ମିଶାଇ ଅଧିକ ଜଳରେ ସିଝାଯାଏ । ଆମେ ଚାହିଁଲେ ପ୍ରେସରକୁକରରେ ଚାରିଥର ହ୍ୱିସିଲ୍ ଆସିଲାଯାଏ ସିଝାଇପାରିବା । ପ୍ରାୟ ବହଳିଆ ଖିରୀ ପରି ହୋଇଯିବ ।
ଗୋଟିଏ ଫ୍ରାଇଂ ପ୍ୟାନ୍ରେ ଘିଅକୁ ଗରମ କରି ସେଥିରେ ଗୋଟା ଜିରା, ହେଙ୍ଗୁ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲଙ୍କାଗୁଣ୍ଡ ପକାନ୍ତୁ । ଜିରା ତକ ଫୁଟିବା ମାତ୍ରେ ପ୍ରେସର କୁକୁରରେ ଥିବା ବାଜରା-ଡାଲିର ସିଝାକୁ ସେଥିରେ ପକାଇ ୨-୩ ମିନିଟ୍ ଫିଟିବାକୁ ଦିଅନ୍ତୁ । ଏହାକୁ ପ୍ଲେଟ୍ରେ ସଜାଇ ପରଷି ଦିଅନ୍ତୁ ।