କଳିଯୁଗ ଶେଷରେ ଛତିଆରେ ମହାପ୍ରଭୁ ଜଗନ୍ନାଥ କଳକୀ ଅବତାର ହୋଇ ଉଭା ହେବେ ବୋଲି କୁହାଯାଉଥିଲେ ହେଁ ଜାଗୁଳେଇପାଟଣାରେ ଥିବା ଜଗନ୍ନାଥଙ୍କୁ ମଧ୍ୟ କଳକୀ ଅବତାର ବୋଲି କୁହାଯିବା ଏହି ସ୍ଥାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରାଏ । ଏଠାରେ ମ୍ଲେଛ ଅର୍ଥାତ ଇଂରେଜମାନଙ୍କୁ ସଂହାର କରିବା ପାଇଁ ମହାପ୍ରଭୁ କଳକୀ ଅବତାର ଗ୍ରହଣ କରିଥିବାର କୁହାଯାଏ । ଦ୍ରଷ୍ଟବ୍ୟ ଯେ, ଲାଲମାଟି ଖୋର୍ଦ୍ଧା ହେଉଛି ବିପ୍ଳବର ମାଟି । ଶେଷ ସ୍ୱାଧୀନ ଦୁର୍ଗ ହେଉଛି ଖୋର୍ଦ୍ଧାଗଡ଼ । ମା’ ବରୁଣେଇ- କରୁଣେଇ ସ୍ୱୟଂ ଗଡ଼ର ସୁରକ୍ଷା ଦାୟିତ୍ୱରେ ରହୁଥିବାରୁ ଇଂରେଜମାନେ ଗଡ଼ ମଧ୍ୟରେ ପ୍ରବେଶ କରିପାରୁନଥିଲେ ବୋଲି କୁହାଯାଏ । ଏହିସବୁ କାରଣରୁ ଅନେକ ମତ ଦିଅନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଖୋର୍ଦ୍ଧା ନିକଟସ୍ଥ ଜାଗୁଳେଇପାଟଣାରେ କଳ୍କୀ ଅବତାର ଗ୍ରହଣ କରିଥିଲେ ।
ସମସ୍ତ ପ୍ରକାର ବିଳାସ ବ୍ୟସନ ତ୍ୟାଗ କରି ରାଜନ୍ କାଳକୋଠରୀ ଭିତରେ ବନ୍ଦୀ । ପିଠିିରେ ଚାବୁକ୍ ପ୍ରହାର, ବେତ୍ରାଘାତ । ଶରୀରର କ୍ଷତବିକ୍ଷତ ଅଂଶରେ ପଡ଼ୁଛି ଲୁଣ । ଓଃ, ଅସହ୍ୟଯନ୍ତ୍ରଣା । ସେ ପୁଣି ସାଧାରଣ ମଣିଷ ନୁହଁନ୍ତି, ଜଣେ ରାଜା । ତାଙ୍କର ଭୁଲ କ’ଣ? କାହିଁକି ଜଣେ ରାଜା କାରାଗାରରେ ବନ୍ଦୀ ହେଲେ? କ’ଣ ଆଉ କେହି ରାଜା ତାଙ୍କୁ ପରାସ୍ତ କରି ବନ୍ଦୀ କରିଦେଇଥିଲେ? କ’ଣ କାରଣ?
ସମୟ: ଅଷ୍ଟାଦଶ ଶତାଦ୍ଦୀର ଶେଷଭାଗ-ଖ୍ରୀ. ୧୮୭୭ । ଗଜପତି ଦିବ୍ୟସିଂହ ଦେବ-ତୃତୀୟ(୧୮୫୯ରୁ ୧୮୮୨) ଥାଆନ୍ତି ପୁରୀର ଗଜପତି । ଶୌର୍ଯ୍ୟବୀର୍ଯ୍ୟରେ ଭାରି ପରାକ୍ରମୀ । ତେବେ ଇଂରେଜମାନଙ୍କର ତୀବ୍ର ବିରୋଧୀ । ତାଙ୍କ ରାଜ୍ୟରେ ଚଳିବନି ଫିରିଙ୍ଗୀ ଶାସନ, ଏ ପରା ଠାକୁର ରାଜାର ଦେଶ । ଜଗନ୍ନାଥ ପରା ସ୍ୱୟଂ ଶାସକ । ହଁ, ଗଜପତିଙ୍କର ଏଇ ଆଭିମୁଖ୍ୟ ଯୋଗୁଁ ସେ ବ୍ରିଟିଶ୍ ଶାସନର ଚକ୍ଷୁଶୂଳ ହେଲେ । ହେବା ମଧ୍ୟ ସ୍ୱାଭାବିକ ଥିଲା, ନହେଲେ ସାରା ଭାରତକୁ ଇଂରେଜଶାସନାଧୀନ କରିବାର ଦୁର୍ବାର ଅଭିଳାଷ କେମିତି ପୂରଣ ହେବ? ଫଳସ୍ୱରୂପ ଗଜପତିଙ୍କୁ ମିଳିଲା କଳାପାଣିର ଅସହ୍ୟ, ଅକଥନୀୟ ଦଣ୍ଡ । ଇଂରେଜ ସରକାର ଦ୍ୱାରା ଆଗତ ମିଥ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ବନ୍ଦୀ ହେଲେ ଗଜପତି ଦିବ୍ୟସିଂହ ଦେବ-ତୃତୀୟ । ସୁଦୂର ଆଣ୍ଡାମାନ-ନିକୋବର ଦ୍ୱୀପରେ ଥିବା କାଳକୋଠରୀକୁ ତାଙ୍କୁ ନିର୍ବାସିତ କରାଗଲା । ବର୍ଷେ ନୁହେଁ କି ଦି’ ବର୍ଷ ନୁହେଁ ଦୀର୍ଘ ଦଶବର୍ଷ କାଳ ନିର୍ଯାତନାରେ ଅତିବାହିତ କଲେ ଗଜପତି । ଶେଷରେ ମୁକ୍ତିର ସମୟ ଆସିଲା । ଇଂରେଜମାନେ ଦୟାକରି ମୁକ୍ତ କରିଦେଲେନି, ବରଂ ଗଜପତି ନିଜର ଉଦ୍ୟମ ବଳରେ ମୁକ୍ତି ପାଇଲେ । କଳାପାଣିର କଡ଼ା ସୁରକ୍ଷା ବଳୟରୁ ଖସିଆସି ସେ ଶେଷରେ ପୁରୀରେ ପହଞ୍ଚିଲେ । ସାକ୍ଷାତ୍ କଲେ ରାଜମାତା ପାଟ୍ଟ ମହାଦେଈଙ୍କୁ । ବହୁବର୍ଷ ପରେ ମାତା-ପୁତ୍ରଙ୍କର ମିଳନ ହେଲା । ରାଜମାତାଙ୍କର ଚକ୍ଷୁ ଲୋତକାପ୍ଲ୍ାବୁତ ହୋଇଯାଉଥିଲା । ବାତ୍ସଲ୍ୟ ସ୍ନେହରେ ସେ ଗଜପତିଙ୍କୁ କୁଣ୍ଢାଇପକାଇ କ୍ରନ୍ଦନ କରୁଥିଲେ । ପୁତ୍ରର ଜୀର୍ଣ୍ଣଶୀର୍ଣ୍ଣ ଶରୀର ତାଙ୍କୁ ଆହୁରି ଦୁଃଖ ଦେଉଥିଲା । ହେଲେ ଏହି ସାକ୍ଷାତର ସମୟ କମ୍ ଥିଲା । ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜମାତା ନିଜେ ନିଜ ପାଖରୁ ପୁଅକୁ ଦୂରେଇ ଦେଇଥିଲେ । ପୁଅକୁ କହିଲେ, ତୁମେ ତୁରନ୍ତ ଏଠାରୁ ଛଦ୍ମବେଶରେ ଅନ୍ୟତ୍ର ପଳାୟନ କର । କାରଣ ଇଂରେଜମାନେ ଆମ ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି, ଯେ କୌଣସି ସମୟରେ ସେମାନେ ଏଠାରେ ପହଞ୍ଚିଯିବେ ଏବଂ ପୁଣି ତୁମକୁ ଗିରଫ କରିଦେବେ । ମାତାଙ୍କ ପରାମର୍ଶ ତଥା ଆଦେଶକୁ ମାନି ଗଜପତି ତୁରନ୍ତ ରାଜନଅର ଛାଡ଼ିଲେ, ସାଙ୍ଗରେ ଥିଲେ ପୁରୀ ବଡ଼ଛତା ମଠର ମହନ୍ତ ରଘୁବର ଦାଶ । ଗଜପତିଙ୍କର ସେ ଥିଲେ ଅନ୍ତରଙ୍ଗ ବାଲ୍ୟବନ୍ଧୁ । ଗଜପତି ଛଦ୍ମବେଶ ଧାରଣ କରି ବନ୍ଧୁଙ୍କ ସହ ପହଞ୍ଚିଲେ ଜାଗୁଳେଇପାଟଣା । ଖୋର୍ଦ୍ଧାରୁ ନୟାଗଡ଼ ଯିବା ରାସ୍ତାରେ(ରାଜ୍ୟ ରାଜପଥ) ମାତ୍ର ୫ କିଲୋମିଟର ଯିବା ପରେ ଦକ୍ଷିଣ ପାଶ୍ୱର୍ରେ ଏଇ ପୀଠର ଅବସ୍ଥିତି । ସେତେବେଳେ ଏ ଅଞ୍ଚଳ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇ ରହିଥିଲା । ଦୁଇ ବନ୍ଧୁ ଏଠାରେ ପହଞ୍ଚି ମଠଟିଏ ସ୍ଥାପନ କଲେ । ଗଜପତି ଦିବ୍ୟସିଂହ ଦେବ ପରିଚିତ ହେଲେ ବାବାଜୀ ଦୟାନିଧି ଦାସ ରୂପେ । କେହି କେହି ତାଙ୍କୁ ରାଜା ବାବାଜୀ ବୋଲି ଡାକିଲେ । ଗଡ଼ିଚାଲିଲା ସମୟ । ଇଂରେଜମାନେ ତାଙ୍କର ଟେର ପାଉନଥିଲେ ।
ଗଜପତି ଥିଲେ ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ । ହେଲେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାରୁ ସେ ବଞ୍ଚିତ । ନିଜ ଜୀବନ ରକ୍ଷା ପାଇଁ ସେ ଶ୍ରୀମନ୍ଦିରରେ କଳା ଠାକୁରଙ୍କ ସାନ୍ନିଧ୍ୟ ଲାଭ କରିପାରୁନାହାନ୍ତି, ତେଣୁ ଭାବନାର ଚକ୍ଷୁରେ ଠାକୁରଙ୍କୁ ଦେଖୁଥିଲେ, ସ୍ମରଣ କରୁଥିଲେ ରାଜା ବାବାଜୀ । ଦିନେ ସ୍ୱପ୍ନରେ ଦେଖିଲେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତାଙ୍କୁ ଦର୍ଶନ ଦେଉଛନ୍ତି । ସ୍ୱପ୍ନ ପରେ ପରେ ତାଙ୍କର ନିଦ ଭାଙ୍ଗିଗଲା । ଆଉ ତା’ପରେ ସେ ଭାବିଲେ, ଏଭଳି ସ୍ୱପ୍ନ ତ ସେ ଆଗରୁ କେବେ ଦେଖିନାହାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପୂର୍ଣ୍ଣାବୟବ କେମିତି ହେଲା? ସିଏ ତ ଅଧାଗଢା ମୂର୍ତ୍ତି । ପରମୁହୂର୍ତ୍ତରେ ଭାବିଲେ, ଏହା ହିଁ ପ୍ରଭୁଙ୍କର ଆଜ୍ଞା । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଗଢାଯିବ ମୂର୍ତ୍ତି, ଯେଉଁ ମୂର୍ତ୍ତି ହେବ ହାତ, ପାଦ ବିଶିଷ୍ଟ ପୂର୍ଣ୍ଣାବୟବ ମୂର୍ତ୍ତିି । ସେୟା ହେଲା । ନିକଟବର୍ତ୍ତୀ ବେରୁହାଁ ଗ୍ରାମର ଜଣେ ରଜକଙ୍କ ବାଡ଼ିରୁ ଦାରୁ ଅଣାଗଲା ଏବଂ ମୂର୍ତ୍ତି ନିର୍ମିତ ହେଲା । ପୂର୍ଣ୍ଣାବୟବ ହେବା ଯୋଗୁଁ ମହାପ୍ରଭୁ ଏଠାରେ କଳ୍କୀ ଅବତାର ଭାବେ ଖ୍ୟାତ ହେଲେ । କଳିଯୁଗ ଶେଷରେ ଛତିଆରେ ମହାପ୍ରଭୁ ଜଗନ୍ନାଥ କଳକୀ ଅବତାର ହୋଇ ଉଭା ହେବେ ବୋଲି କୁହାଯାଉଥିଲେ ହେଁ ଜାଗୁଳେଇପାଟଣାରେ ଥିବା ଜଗନ୍ନାଥଙ୍କୁ ମଧ୍ୟ କଳକୀ ଅବତାର ବୋଲି କୁହାଯିବା ଏହି ସ୍ଥାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରାଏ । ଏଠାରେ ମ୍ଲେଛ ଅର୍ଥାତ ଇଂରେଜମାନଙ୍କୁ ସଂହାର କରିବା ପାଇଁ ମହାପ୍ରଭୁ କଳକୀ ଅବତାର ଗ୍ରହଣ କରିଥିବାର କୁହାଯାଏ । ଦ୍ରଷ୍ଟବ୍ୟ ଯେ, ଲାଲମାଟି ଖୋର୍ଦ୍ଧା ହେଉଛି ବିପ୍ଳବର ମାଟି । ଶେଷ ସ୍ୱାଧୀନ ଦୁର୍ଗ ହେଉଛି ଖୋର୍ଦ୍ଧାଗଡ଼ । ମା’ ବରୁଣେଇ- କରୁଣେଇ ସ୍ୱୟଂ ଗଡ଼ର ସୁରକ୍ଷା ଦାୟିତ୍ୱରେ ରହୁଥିବାରୁ ଇଂରେଜମାନେ ଗଡ଼ ମଧ୍ୟରେ ପ୍ରବେଶ କରିପାରୁନଥିଲେ ବୋଲି କୁହାଯାଏ । ଏହିସବୁ କାରଣରୁ ଅନେକ ମତ ଦିଅନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଖୋର୍ଦ୍ଧା ନିକଟସ୍ଥ ଜାଗୁଳେଇପାଟଣାରେ କଳ୍କୀ ଅବତାର ଗ୍ରହଣ କରିଥିଲେ । ପୁରୀର ପ୍ରାଣ ରାଉଳ ଏଠାରେ ମୂର୍ତ୍ତିମାନଙ୍କର ପ୍ରାଣ ପ୍ରତିଷ୍ଠା କରିଥିଲେ ।
ଧୀରେ ଧୀରେ ଏହି ସ୍ଥାନକୁ ଭକ୍ତମାନେ ଆସିବାରେ ଲାଗିଲେ । ବହୁ ସଂଖ୍ୟକ ସାଧୁ ସନ୍ନ୍ୟାସୀ ମଧ୍ୟ ଏଠାରେ ବାସକଲେ । ସାଧୁ ରଘୁବାର ଦାସଙ୍କ ଛ’ଜଣ ଶିଷ୍ୟଙ୍କ ମଧ୍ୟରୁ ଆତ୍ମାରାମ ସିଦ୍ଧାଚାରୀ ଥିଲେ ଠାକୁରଙ୍କର ପ୍ରଥମ ସେବକ । ଏହାପରେ ଏଠାରେ ହେଲା ରଥଯାତ୍ରା । ଲୋକମୁଖରୁ ଶୁଣାଯାଏ ଯେ, ୧୮୮୭ ମସିହା ପରେ ଏଠାରେ ଠାକୁର ରାଜା ରଥଯାତ୍ରା ଆରମ୍ଭ କରିଥିଲେ । କେହି କେହି କୁହନ୍ତି, ୧୯୧୦ରୁ ୧୫ ମସିହା ମଧ୍ୟରେ ପ୍ରଥମେ ଏଠାରେ ରଥଯାତ୍ରା ହୋଇଥିଲା । ଯଦି ଏହା ସତ ହୁଏ, ତା’ହେଲେ ଗଜପତି ମୁକୁନ୍ଦ ଦେବ-ତୃତୀୟ(୧୮୮୨-୧୯୬୧)ଙ୍କୁ ଏହି ଶ୍ରେୟ ଯିବ ।
ତିନିଟି ରଥରେ ତିନି ଠାକୁର ବିରାଜମାନ କରୁଥିଲେ । ଛେରାପହଁରା କରୁଥିଲେ ବାବାଜୀ ଦୟାନିଧି ଦାସ । ଆଖପାଖ ଗାଁରୁ ମଧ୍ୟ ଲୋକମାନେ ଆସି ରଥଟାଣୁଥିଲେ । ତେବେ ୧୯୧୫-୨୦ ମସିହା ବେଳକୁ ପୃଷ୍ଠପୋଷକତା ଅଭାବରୁ ଏଠାରେ ରଥଯାତ୍ରା ବନ୍ଦ ହେଇଗଲା । ପୁଣି ୧୯୩୦-୩୧ ମସିହାରେ ଆରମ୍ଭ ହେଲା । ମଝିରେ ମଝିରେ ବିଭିନ୍ନ କାରଣରୁ ରଥଯାତ୍ରା ବନ୍ଦ ହେଇଯାଉଥିବାବେଳେ ୧୯୮୧ ମସିହାରୁ ଏହା ନିରବଚ୍ଛିନ୍ନ ଭାବେ ସମ୍ପନ୍ନ ହେଉଛି ।
ହଁ, ୧୯୮୦ ମସିହାରେ ଏଠାରେ ଗୋଟିଏ ଅଲୌକିକ ଘଟଣା ଘଟିଥିଲା । ସେତେବେଳେ ମଠାଧୀଶ ଥିଲେ ବାବା ଅଖିଳେଶ୍ୱର ଦାସ । ଦିନେ ସାଂଧ୍ୟକାଳରେ ଆଳତି ଚାଲିଥିବାବେଳେ ଅସାବଧାନତା ଯୋଗୁଁ ଆଳତି ନିଆଁ ଠାକୁରଙ୍କ ସାମ୍ନାାରେ ଥିବା କଳା ପରଦାରେ ଲାଗିଗଲା । ଏହାପରେ ନିଆଁ ମଠର ଚାଳକୁ ଧରିଲା । ମଠଟି ସମ୍ପୂର୍ଣ୍ଣ ରୂପେ ପୋଡ଼ିଗଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ସମେତ ଜୟ, ବିଜୟ, ସୁଦର୍ଶନ ଆଦି ବିଗ୍ରହଙ୍କର କିଛି ହେଲାନି । ନିଆଁର ଲେଶ ମାତ୍ର ସେମାନଙ୍କୁ ସ୍ପର୍ଶ କଲାନି । ଏହି ଖବର ଖଣ୍ଡମଣ୍ଡଳ ବ୍ୟାପିଗଲା । ଏହାପରେ ଜାଗୁଳେଇପାଟଣା ଓ ଆଖପାଖ ଗାଁ ଲୋକମାନେ ତତ୍ପର ହୋଇଉଠିଲେ । ସମସ୍ତଙ୍କ ସହଯୋଗ କ୍ରମେ ଏଠାରେ ମନ୍ଦିର ଗଢି ଉଠିଲା । ମଠଟି ମନ୍ଦିରରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ଅନେକ ଲୋକ ଏବେବି ଏହାକୁ ମଠ ବୋଲି କହୁଛନ୍ତି । ମନ୍ଦିର ବେଢାରେ କୁଣ୍ଡଳେଶ୍ୱର ମହାଦେବ ଓ ସାଧୁ ରଘୁବର ଦାସଙ୍କ ସମାଧିସ୍ଥଳ ରହିଛି । ଏଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୪ ଏକର ଜମି ସରକାର ଯୋଗାଇଦେଇଛନ୍ତି । ରାଜପଥ ଠାରୁ ଦୁଇ ଶହ ମିଟର ଉତ୍ତରକୁ ଗଲେ ଗାଁ ମୁଣ୍ଡରେ ଜାଗୁଳେଇ ଠାକୁରାଣୀଙ୍କ ବିଜେସ୍ଥଳ ରହିଛି । ସେହି ସ୍ଥାନ ମାଉସୀ ମା’ ମନ୍ଦିର ଭାବେ ଖ୍ୟାତ । ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ରଥରେ ଛେରାପହଁରା କରୁଛନ୍ତି । ମନ୍ଦିର ପରିଚାଳନା ପାଇଁ ଗଠିତ ଟ୍ରଷ୍ଟ, ଗ୍ରାମବାସୀ ତଥା ଖୋର୍ଦ୍ଧା ଜିଲା ପ୍ରଶାସନର ମିଳିତ ସହଯୋଗ କ୍ରମେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଉଛି ।
ସ୍ନାନଯାତ୍ରା ଓ ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ଦୁଇଟି ବଡ଼ ପର୍ବ । ଏଠିକାର ଆଉ ଏକ ବିଶେଷତ୍ୱ ହେଉଛି, ପ୍ରତିବର୍ଷ ନୂଆ କାଠରେ ରଥ ନିର୍ମିତ ହୁଏନାହିଁ କିମ୍ବା ଠାକୁରଙ୍କର ନବକଳେବର ମଧ୍ୟ କରାଯାଏନାହିଁ ।
ଜାଗୁଳେଇ ଠାକୁରାଣୀଙ୍କ ନାମରୁ ଗାଁଟିର ନାଁ ଜାଗୁଳେଇପାଟଣା । ‘ଜ’ ଅକ୍ଷରରୁ ଜାଗୁଳେଇପାଟଣା ଓ ‘ଜ’ ଅକ୍ଷରରୁ ଜଗନ୍ନାଥ । ସେଇ ଗାଁରେ ହସ୍ତ ପାଦ ବିଶିଷ୍ଟ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରାଙ୍କର ଆସ୍ଥାନ । ପୃଥିବୀର ସବୁ ଜଗନ୍ନାଥ ମନ୍ଦିର ଠାରୁ ନିଆରା ଏଠିକାର ଜଗନ୍ନାଥ ମନ୍ଦିର । ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ଏହି ପୀଠ ଧର୍ମୀୟ ତଥା ପର୍ଯ୍ୟଟନସ୍ଥଳୀ ଦୃଷ୍ଟିକୋଣରୁ ଅତୀବ ଗୁରୁତ୍ୱପୂର୍ଣ୍ଣ ।