ସେହି ନିର୍ଦ୍ଧିଷ୍ଟ ବାର କି ତାରିଖ ମନେ ପକେଇ ଦେବା ଦରକାର ପଡ଼େନା । କେବେ ବି ପଡ଼େନି । ଘରେ ଅଛ ଯଦି ଆପେ ଆପେ ଜାଣି ପକେଇବ । ପ୍ରଭୁ ଜଗନ୍ନାଥ ମାଉସୀ ଘରୁ ବାହୁଡ଼ିବାକୁ ଦିନେ ବାକିଥିବ ବାସ୍ ସେହିଦିନ । ମାନେ ବାହୁଡ଼ା ଦଶମିର ଠିକ୍ ପୂର୍ବଦିନ । ସେଇଦିନ ଭୋର୍ ନହେଉଣୁ ହିଁ ପାଟି ଶୁଭିବ । ପାଟି ନୁହେଁତ ରୀତିମତ ଗୁରାଳି । ଆଉ କାହାର କିଛି ବ୍ୟସ୍ତ ହୋଇପଡ଼ିବାର ନାହିଁ । କାରଣ ଗୁରାଳି ଟା କେବଳ ମତେ ହିଁ ଶୁଭିବ । କେବଳ ମତେ । ଅବଶ୍ୟ ଏ ଗୁରାଳି ସହିତ ମୁଁ ଆଜନ୍ମ ପରିଚିତ । ସାମାନ୍ୟ କଥାରେ ଗୁରାଳି କରି ଘର ଫଟେଇବା ଆମ ନନାଙ୍କ ପୁରୁଣା ଅଭ୍ୟାସ । ବିଶେଷ କରି ଖାଇବା ପିଇବାରେ ଯଦି ଟିକେ ଏପଟ ସେପଟ ହୋଇଗଲାତ । ହଜାରେ ଥର ଭାତ ଥାଳି ଫିଙ୍ଗିଥିବେ । ବଞ୍ଚô ଥିଲା ବେଳେ ଯାହା ମରିଗଲା ପରେ ବି ତାହା । ଆଜକୁ ଦୁଇବର୍ଷ ହେଲା ନନା ଆମର କାନ୍ଥରେ ଫଟୋ ହୋଇ ଝୁଲୁଛନ୍ତି ।
ଝୁଲୁନଥାନ୍ତେ-ଯଦି ଖାଇବା ପିଇବାଟାକୁ ଟିକେ ନିୟନ୍ତ୍ରଣରେ ରଖିଥାନ୍ତେ । ଯେମିତି ଲଡ଼ଖଡ଼ିଆ, ଜାମଜମାଟ ଚେହେରା, ଆରାମରେ ଆହୁରି ଦଶବର୍ଷ ମାରି ନେଇଥାନ୍ତେ । ତୁଣ୍ଡରଙ୍କ ସବୁ ବିଗାଡି ଦେଲା । ସଦାବେଳେ ୟାଡୁସ୍ୟାଡୁ ଗେବି ଯିବେ । ଟାଇମ୍ ବେଟାଇମ୍ ନାହିଁ, ବାଛ ବିଚାର ନାହିଁ, ସୁଆଦିଆ ଦେଖିଲେ ତ ଚରିଗଲେ । ଘୁଅରେ କୋଳିଟେ ପଡିଥିଲେ ବି ଗୋଟେଇ, ଚାରିଆଡ଼କୁ ଚାହିଁ, ଧୋଇ ଧାଇ ଟୁଂ କିନା ପାଟିକି । ଭୋଗିବେନିତ କିଏ ଭୋଗିବ । ଭୋଗିଲେ ।
ପେପ୍ଟିକ୍ ଅଲସର ଚରମ ସୀମାକୁ ଉଠିଲା ପରେ ପେଟ ଅପରେସନ୍ ହେଲା । ଡାକ୍ତରଖାନା ଖଟିଆରେ ସାତ ଆଠ ଦିନ ଗଡ଼ିଲେ । ଉଃ ଆଃ ଭିତରେ ବି ଚୋରେଇ ଲୁଚେଇ ୟାଡୁସ୍ୟାଡୁ ଗିଳି ଗଲେ । ତାଙ୍କୁ ସବୁ ବେଳେ ଜଗି ହବ ନା ଦବାଲୋକଙ୍କ ଅଭାବ ଅଛି । ଠୋ କିନା ପ୍ରାଣଟା ଗଲା ଭାରିକି? ଯାଃ ତରିଗଲେ । ଓଃ, ସେତେବେଳେ ଆମ ବୋଉର କାନ୍ଦଣାଟି ଖାଲି ଦେଖିବା କଥା ।
ଆଖିରୁ ଲୁହ ପାଟିରୁ କସ ବୁହାଇ କେତେକଣ ଯେ ବାହୁନିଗଲା, ତାର କିଛି ହିସାବ ନାହିଁ ।
ହେ କୁଆଡ଼େ ମୁଁ ଆଉ ଯିବିଟି ଧାଇଁ ଲୋ ମା…
ସାଧିବାକୁ କିଏ ରହିଲା ନାହିଁ ଲୋ ମା… ଇତ୍ୟାଦି,ଇତ୍ୟାଦି ।
ଅର୍ଥାତ୍ ଜୀବନ କାଳ ଭିତରେ ନନା ତାକୁ ଏତିକି ସାଧିଥିଲେ ଯେ ସେ ସାଧିବା’ଟା ତାର ମିତଣୀ ହୋଇଯାଇଥିଲା । ଏବେ ମିତଣୀ ବିହୁନେ, ସହଜ ଜୀବନ ତାକୁ କଷ୍ଟ ଲାଗୁଛି । ନହେଲେ ସେମିତି ପଦଟିଏ ତା ତୁଣ୍ଡରୁ ବାହାରିଥାନ୍ତା କି! ତ କଣ କରିବା? କେବଳ ସେ ଏକା କାହିଁକି ଆମେ ସମସ୍ତେ ବି କାନ୍ଦିଲୁ । କାନ୍ଦିବାଟା ଏମିତି ଗୋଟେ ରୋଗ ଯାହା ‘ହୁ’ କିନା ସଂକ୍ରମିତ କରେ । ଜଣେରୁ ଦି’ଜଣ, ଦି’ଜଣରୁ ପାଁ ଜଣ । ଆମେ ବି ସେମିତି ଶେଷ ପ୍ରହରର ବିଲୁଆ ଭଳି ହାଉ ହାଉ ହୋଇ ରଡ଼ି ଛାଡ଼ିଲୁ ।
କାନ୍ଦିଲେ କଣ ହେବ!
ନନା ତ ଫଟୋ ହେଇ ଗଲେଣି । (ନେଗେଟିଭ ମାମୁଁ ନେଇଗଲେଣି)
ସେ ତ ଗଲା କଥା, ତେବେ ଫଟୋ ହୋଇଗଲା ପରେ କୋଉ ନିସ୍ତାର ଅଛି ଯେ । ଆଗରୁ ଯାହା ଏବେ ତ ସେୟା । ଆଗରୁ ଆମେ ଯେମିତି ଲାଗୁଥିଲୁ ଏବେ ବି ସେମିତି ଲାଗୁ । ନନାଙ୍କର ମୋର ଜମ୍ମାରୁ କେବେବି ପଡ଼େନି । ନାଗନାଡି ସମ୍ପର୍କ । ସିଏ ଫଁ କଲେ ମୁଁ ଫଁ କରିବି । ମୁଁ ଫଁ କଲେ ସିଏ ଫଁ କରିବେ । ଚୋଟ ମାରିବା କେବେ ଦରକାର ପଡିନି । ଫଁ କରି କରି ଆମେ ଏତେ ହାଲିଆ ହୋଇ ପଡୁଯେ, ସେଇଥିରେ ସବୁ ବିଷ ପାଣି ଫାଟି ଯାଏ । ଦିନାକେତେ ଚୁପ୍ଚାପ୍ ରହିଲା ପରେ ପୁଣି ବିଷ ଗଜୁରେ ଓ ପୁଣି ଆମେ ଫଣାତୋଳୁ । ଫଟୋ ହେଲା ପରେ ବି ନନାଙ୍କର ସେ ଅଭ୍ୟାସଟା ଯାଇନି । ମୁଁ ବି ତ ତତହୁଁ । ତେବେ କିଏ କେତେବେଳେ ଫଣା ଟେକେ ସେ କଥା କହିବା ମୁସ୍କିଲ୍ । କେତେବେଳେ ସିଏ ତ କେତେବେଳେ ମୁଁ ।
ଏଇ ଦି ଦିନ ତଳର କଥା । ମୁଁ , ହିଁ ପ୍ରଥମେ ଆରମ୍ଭ କଲି । ଫଟୋକୁ ଚାହିଁ କହିଲି ଚୁଚୁଚୁ -ଏଡିକି ଟକଳା, ଯେ ସବୁ ଖାଇଗଲ?… ସମ୍ପତ୍ତି ସଞ୍ଚୟ ସବୁ? ଶେଷକୁ ନିଜକୁ ବି ଖାଇଲ? ଏବେ ଯୋଉ ଘରଖଣ୍ଡକ ବୋଉ ଲାଗିପଡ଼ି କରିଥିଲା ସେ ଖଣ୍ଡକ ବିକ୍ରୀ ହୋଇଯିବ । ଆମେ ଖାଇବୁନିମ’ ସେ, ବି ତମରି ପାଇଁ । ତମରି ଚିକିତ୍ସା କ୍ରୀୟା କର୍ମରେ ଯେଉଁ ଟଙ୍କା ଧାର କରଜ ହୋଇଛି ସେଇଥିରେ ସବୁ ଶୁଝା ହେବ । ମାନେ ତାକୁ ବି ତୁମେ ଖାଇଲ । ଭାଗ୍ୟ ଭଲ ଆମେ ବର୍ତ୍ତି ଯାଇଛୁ ନହେଲେ ଆମକୁ ବି ଅଜଗର ଭଳି ପାକୁଳି କରିଦେଇଥାନ୍ତ । ଛି ଛି ଛି…
ନନା ଥିଲେ ଥିଲେ ଛିଗୁଲେଇ ଆରମ୍ଭ କଲେ-ହେ ହେ ହେ ଚାଲୁଣୀବାବୁ କହୁଛନ୍ତି ଛୁଞ୍ଚିକି । ଆଗେ ବାପା ଟିକେ ନିଜ ପେଟଟିକୁ ଅନା । ଅନାଆ… । କେମିତି ପୋଡ଼ପିଠା ଭଳି ଟୁମେଇ କିରି ବାହାରିଛି । ସଦାବେଳେ ମୋ ଖାଇବାଟା ଦିଶିଲା, ଆଉ ତୁ ଯୋଉ ଚଉକଶ କରି ଗେଫି ଦେଇ ଆସୁଛୁ? ଚାରି ପଙ୍ଗତ ବାଦେ,ବି ବାହାରେ ବରା, ପିଆଜି, ପକୁଡି, ମାଲପୁଆ ଠୁସି ଦେଇ ଆସୁଛୁ? ସେଇଟା ଆଉ ଦିଶୁନି । ୟାଡେ ଭାଇ ଭଉଣୀ ସ୍ତ୍ରୀ ସମସ୍ତଙ୍କ ଆଗରେ ସଫେଇ ଦିଆ ହେଉଛି କଣ ନା ମୁଁ କିଛି … ଖାଉନି । ମୋ ପେଟ ଖରାପ । ଆରେ ଚଞ୍ଚକ, ତୁ ପରା ମାଇପକୁ ମିଛ କହିଦେଇ ବାହାରେ ସାଙ୍ଗ ଦୋସ୍ତାନୀରେ ମଦ ପିଇ ଦେଇ କରି ଆସୁଛୁ । ସତ କି ମିଛ?
ମୁଁ ହଡ଼ବଡ଼େଇ ଯାଏ । ଦେଖେ ଆଖ ପାଖରେ କୋଉଠି ସ୍ତ୍ରୀ ଅଛିକି? ଯଦିଓ ସେ ଫଟୋ କଥା ଶୁଣିପାରିବନି ବୋଲି ମୋର ବିଶ୍ୱାସ ତେବେ ଇଶ୍ୱର ତାକୁ ତିନିଟା ଆଖି ଛଟା କାନ ଓ ଦୁଇଟି ନାକ ଦେଇଛନ୍ତି । ହାଉଆରୁ ବି କଥା ଠଉରେଇ ନବ । ଥ ଥ ମ ମ ହୋଇ କହେ- ଥାଉ ଥାଉ ବେଶି ବକବାସି କରନି । ତମ ଜମାନା ଆମ ଜମାନା ଭିତରେ ଢ଼େର ଫରକ ଅଛି । ମତେ ତ ପୁଣି ସମୟ ସହ ଯୁଗ ସହ ତାଳ ଦେଇ ଯିବାକୁ ହେବ । ଅବଶ୍ୟ ତମରି ପୁଅ ମାନେ, ତମରି ଗୁଣତ କିଛି ରହିବ । କଣ କରିବା, ଦୁର୍ଭାଗ୍ୟ । ତେବେ ମୋର ଅନ୍ୟାନ୍ୟ ଗୁଣ ବି ରହିଛି । ବୁଦ୍ଧିର ଖେଳ ଦେଖଉଛି । ତମ ଭଳି ଟକଳା ହାଉଁହାଉଁଆ ହେଇଚି କି ଯେ ଚବିଶ ଘଣ୍ଟା ଖାଲି ଖାଇବି ଖାଇବି ଖାଇବି, ଖାଇ ଖାଇ ହଗିବି । ହଗି ହଗି ମରିଯିବି । ଓଃ କି ବୁଦ୍ଧି । ଯିଏ ଶୁଣିଲା ସେ ଆଗ ବହେ ହସୁଛି । କହୁଛି-ଇିଃ, କି ଲୋକଟାମ । ଖାଇ ଖାଇ କରି ମରିଗଲା?
ନନାଙ୍କ ରାଗ ପଞ୍ଚମକୁ ଉଠିଲା । ଖତେଇ ହୋଇ କହିଲେ-ଓ ହୋ ହୋ ହୋ ହୋ, ତୁ ତ ବୁଦ୍ଧିର ଗନ୍ତାଘର । ଆରେ ତୋ ବୁଦ୍ଧି ଉପରେ କୁକୁର ମୁତୁ । ମୁଁ ତ ନିବୁର୍ଦ୍ଧିଆ ହୋଇ ମଲି । ତୁ ଏବେ ତୋ ବୁଦ୍ଧି ବଳରେ ଅମର ହଅ । କହିଲା ପରି କାହିଁ ସାତସାନ, ଗାଣ୍ଡିରୁ ଘୁଅ ଛାଡ଼ିନି, ଯାଇ କାହିଁ କୋଉଠି ଉଠିଲେଣି ବୁଦ୍ଧିମନ୍ତ ଆମର କଲମ ଘୋରୁଛନ୍ତି । ଘୋରୁଉଉ…ଛନ୍ତି । କୋଡିଏ ବର୍ଷ ହେଲା ଘୋରୁଉଉ….ଛନ୍ତି । ଘୋରୁଥା ।
ମୋର ଖର ନିଶ୍ୱାସ ବହିଲା । ମୁଁ ମାତାଲ ଘୋଡ଼ା ଭଳି ନାଚିଲି । କହିଲି ଉଠିବା ପଡିବା ତ ଭାଗ୍ୟର କଥା । ତେବେ କିଛି ଗୋଟେ ଲକ୍ଷ୍ୟ ନେଇତ ଆଗେଇଛି । ତମରି ଭଳି ଅହର୍ନିଶି ଆହାର କୁଣ୍ଡରେ ମୁହଁ ଡୁବେଇ ଦିନ ଯାଇନି ।
-କା ବାପାର ପଇସା ଖାଇଛି କି । ହକ୍ ନିଜ ପଇସା ନିଜେ ଖାଇଲି କା’ର କିଛି କହିବାର ଅଛି?
-ହେଃ ନିଜ ପଇସା, ମୁଁ ମାଙ୍କଡ଼ ଖିଙ୍କାରିଲା ଭଳି ଖିଙ୍କାରିଲି । ‘ପୁଣି ନିଜ ପଇସା । କହ ପରିବାରର ପଇସା । ତମେ ଆଉ ଜଣେ ହେଲ କେବେକି? ଏକୁଟିଆ ଖାଇବାକୁ ଇଚ୍ଛାଥିଲେ, ଏକୁଟିଆ ହୋଇ ରହିଥାନ୍ତ । ସଂସାର ପାତିବାକୁ ହଙ୍କହଙ୍କ ହଉଥିଲ କାହିଁକି? ସେମିତି ବାଡୁଅ ହୋଇ ରହିଥାନ୍ତ ।’
କଥାଟା ବୋଧେ ଠିକଣା ଜାଗାରେ ଲାଗିଛି । ଦେଖିଲି ଆଖି ଲାଲ କରି ସେ ଦାନ୍ତ କଡ଼ମଡ଼ କଲେଣି । କହିଲେ-ହାଡଗିଳା ବଜ୍ଜାତ! ଖାଇଲି ତ ଖାଇଲି ବେଶ୍ କଲି ତୋର କ’ଣ ଅସୁବିଧାଟା ହେଲା ଶୁଣେ?
ମୁଁ ଗାଁ ମାଇପିଙ୍କ ଭଳି ଲହରେଇ ଲହରେଇ କହିଲି ବୁଝିପାରୁନ… ଅନେକ ଅସୁବିଧା କରିଦେଇଯାଇଛ । ଯୋଉ ବୋଝ ସବୁ ମୋ ବେକରେ ବାନ୍ଧି ଦେଇଗଲ ଅଖା ଧୋଉଛି ଗୁଣ ଗାଉଛି ।
-ତ ମୁଁ କଣଟା କରିଥାନ୍ତି ଶୁଣେ?
-ନିଜ ଟକଳା ପ୍ରକୃତିକୁ ସମ୍ଭାଳିଥିଲେ ଆଉ ପାଞ୍ଚଦଶ ବର୍ଷ ଖଣ୍ଡେ ତ ବଞ୍ଚି ପାରିଥାନ୍ତ । ନିଜ ବୋଝଟିକୁ ତ ନିଜେ ଖଲାସ କରିପାରିଥାନ୍ତ?
ନନା ଖିଙ୍କାରୀ ହୋଇ କହିଲେ-ତୋ ବେଳକୁ ତ ବଞ୍ଚôଥିଲି, ପୁଅ ହିସାବରେ ତୁ କ’ଣଟା କଲୁ ଶୁଣେ?
-ଖାଲି କଣ ବଞ୍ଚିଥିଲ । ଖେଞ୍ଚୁଥିଲ ବି । ସେଇ ଖେଞ୍ଚା ଖାଇ ଖାଇ ମୁଁ ଆଜି ବାବନା ଭୂତ!
-ଆଚ୍ଛା?
ଆଚ୍ଛା ନା ଫିଟିଗଲା ମୋର କଚ୍ଛା?
ଠିକ୍ ସେତିକି ବେଳେ ଆରଘରୁ ପାଦ ଶବ୍ଦ ଶୁଭେ ।
ନନା ଦାନ୍ତ କଡ଼ମଡ଼ କରି ନିଜକୁ ସମ୍ବରଣ କରି ନିଅନ୍ତି । ସ୍ତ୍ରୀ ଘର ଭିତରକୁ ପଶିଆସି କହେ- କା’ ସହ ଗପୁଥିଲ କି?
କହିଲି-ଭୁତ ସହ ।
ସ୍ତ୍ରୀର ସନ୍ଦେହ ହେଲା । ଘରର ଚାରିଆଡ଼େ ନଜର ବୁଲେଇ ଆଣିଲା । ତଳେ ଚିରାକାଗଜ, ପାନ ଛେପ ଓ ଗୁଟୁକା ଖୋଳ ପଡିଥିବାର ଦେଖି ନାଟଟେକି କହିଲା-“ଇହି… ସକାଳୁ ପରିସ୍କାର କରିଥିଲି ଏମିତି ଅସନା କରିଦେଲନା । ତମକୁ ପାରି ହେବନି । କହିଲି- ଆଲୋ ବୁଦ୍ଧିମତି ଯୋଉଁ ଘରେ ଭୂତ ରହେ ସେ ଘର ଅସନା ହବ ହିଁ ହବ । ଯେତେ ଓଳାଇଲେ ବି ହବ ।
ସେ ମତେ ସନ୍ଦେହରେ ଚାହିଁଲା । କହିଲା- ସକାଳେ ତମକୁ ଯୋଉଁ ଥଟ୍ଟାରେ ଭୂତ ବୋଲି କହିଦେଇଥିଲି ତାକୁ ଧରିବସିନା ତ?
ମୁଁ ଓଜନିଆ ଗଳାରେ କହିଲି, ଥଟ୍ଟା ଭୂତ ନୁହେଁ ସତ ସତିକା ଭୂତ । କାନ୍ଥରେ ଝୁଲୁଛି । ହାଉଁ ହାଉଁଆ ଭୂତ । ଖାଉରା ଭୂତ ।
ସ୍ତ୍ରୀ ସ୍ନେହରେ ନନାଙ୍କ ଫଟୋକୁ ଚାହିଁଲା । ମୁଁ ହୈ ହୈ କରୁ କରୁ କାନ୍ଧରୁ ମୋ ଗାମୁଚ୍ଛାଟା ଟାଣି ନେଇ ଫଟରୁ ଆସ୍ତେକିନା ଧୂଳି ଛାଡ଼ିଦେଇ କହିଲା ସେମିତି କହନ୍ତିନି । ମରିଗଲା ପରେ ସମସ୍ତେ ଠାକୁର ।
-ଠାକୁର? କାଇଁ ଠାକୁର ଭଳି ଦିଶୁ ନାହାଁନ୍ତି ତ । ଏମିତି ଚେହେରା ଯେ ଫଟୋଟିକୁ ଘଡ଼ିଏ ଅନେଇ ହବନି । ହଗିବସି କୁନ୍ଥେଇଲା ବେଳେ ଯୋଉ ଚେହେରା ହୁଏ ସେଇ ଚେହେରା । ଆମର ଜଣେ ପୂର୍ବତନ୍ତ୍ର ମୁଖ୍ୟମନ୍ତ୍ରୀ ଥିଲେ ଚେହେରାଟା ହୁବହୁ ତାଙ୍କ ପରି । ସାଦା କୁନ୍ଥାଣ ନୁହେଁ-କୋଷ୍ଠ କାଠିନ୍ୟ କୁନ୍ଥାଣ । ସେଥିରେ ପୁଣି ବେକରେ ଗେଣ୍ଡୁଫୁଲ ମାଳକୁ କପାଳରେ ଚନ୍ଦନ ଟିପା । ଦୁଃଖି ଚକୁଳିଆ ପଣ୍ଡା ଚେହେରା । ସୌନ୍ଦର୍ଯ୍ୟ କଥା କିଏ ଉଠଉଛି । ସନ୍ତୋଷୀ ଭାବଟିଏ ତ ଚେହେରାରେ ରହିବା ଦରକାର । ମୁଁ ବି କୋଉ କନ୍ଦର୍ପ ଯେ । ସେଇ ବାପର ପୁଅ ତ କନ୍ଦର୍ପ ହେବି କେମିତି? କେବଳ ନନା ଟିଙ୍ଗ୍ଟିଙ୍ଗ୍ ପତଳାକୁ ମୁଁ ଭାଲୁଟିଏ ପରି । ମୁହଁର ଭାବରେ କିନ୍ତୁ ପୁରି ରହିଛି ପ୍ରସନ୍ନତା । କଣ୍ଟେଇ କୋଳି ଖାଇ ତୃପ୍ତିରେ ହାକୁଟି ମାରୁଥିବା ଭାଲୁର ମୁହଁ ଭଳି ମୋ ମୁହଁ । ସେଥିପାଇଁ ତ ମୋର ସାକ୍ଷାତକାର ନେବାକୁ ଆସିଥିବା ଜଣେ ସମ୍ପାଦକ ପ୍ରଶ୍ନ କରିଥିଲେ-କୁହନ୍ତୁ ସାର! ଏତେ ଦୁଃଖରେ, ସମସ୍ୟାରେ ଥାଇ ବି ଆପଣ ଏତେ ହସବନ୍ତ, ପ୍ରାଣବନ୍ତ କିପରି? ଆଉ ମୋର ବିଶ୍ୱାସ ଯେ, ସେ କିଛି ନଦେଖି ତୁଚ୍ଛାଟାରେ ଏମିତି ପଚାରି ନାହାଁନ୍ତି ।
ସ୍ତ୍ରୀ କହିଲା, ଦେଖୁଛନା, ତମେ ଏମିତି ଭାବୁଛ ବୋଲି ତାଙ୍କ ମୁହଁଟା କେମିତି ଦୁଃଖି ଦୁଃଖି ଲାଗୁଛି ।
ମୁଁ ଫେଁ କିନା ହସିଲି । ହସ ମାଡୁନଥିଲା, ଜାଣି ଜାଣି ହସିଲି । କହିଲି-ଭୋକ ଲାଗୁଥିବ ।
ସ୍ତ୍ରୀ ହଠାତ୍ ଚମକି ପଡି କହିଲା-ଇସ୍ ଦେଖିଲ ଠିକ୍ ମନେ ପକେଇ ଦେଇଛ । ପରଦିନ ପରା ନନାଙ୍କ ଶ୍ରାଦ୍ଧ । ମୁଁ ବି ଚମକି ପଡିଲି-ପରଦିନ!!
-ହଁ ବାହୁଡ଼ା ଦଶମି ଅପୁରିଦିନ ନୁହେଁ କି?
ମୁଁ ଚିନ୍ତାରେ ଭାଙ୍ଗି ପଡିଲି । ଚିନ୍ତିତ ସ୍ୱରରେ କହିଲି -କାଇଁ ଏଥର ଶ୍ରାଦ୍ଧ ହେଇପାରିଲା ଭଳି ଲାଗୁନି ।
-ଶ୍ରାଦ୍ଧ କେମିତି କରିବନି ମ?
-କେବଳ ଛଞ୍ଚା ଦେଇଦେବା ଓ ଜଣେ ବ୍ରାହ୍ମଣକୁ ଖୁଆଇଦବା ।
ସ୍ତ୍ରୀ କହିଲା ସେମିତି ନକରି ବିନ୍ଦୁସାଗରରେ ଦେଇଦିଅ । ମୁଁ କହିଲି-ହଅ, ଦି’ଦିନ କଥା ତ ଅଛି ଦେଖାଯିବ ।
-ଦୁଇ-
ଭୋର ନହେଉଣୁ ନନାଙ୍କ ଗୁରାଳିରେ ନିଦ ଭାଙ୍ଗିଗଲା ।
ତା’ମାନେ ଯେଉଁ ଦିନଟି ପାଇଁ ଆରାମରେ ଆଖି ବୁଜି ଦେଇଥିଲି ସେଇଦିନଟି ଆସି ପହଁଚିଗଲାରେ ବାପ୍ପା । ଏବେ ମତେ ଆଖି ଖୋଲିବାକୁ ପଡ଼ିବ । ଭୋଗିବାକୁ ବି । ଖାସ୍ ଏଇ ଗୁରାଳି ଶୁଣିବିନି ବୋଲି ଫଟୋଟାକୁ ନେଇ ଡ୍ରଇଁ ରୁମରେ ଟାଙ୍ଗିଥିଲି । ଟାଙ୍ଗିଲେ କ’ଣ ହେବ ଗୁରାଳି ମାନେ ଗୁରାଳି । ପୁଣି ନନାଙ୍କ ଗୁରାଳି ଟା ଚାଇଁଚାଇଁଆ କାନରେ ଛୁଞ୍ଚି ଫୋଡିଲା ଭଳି । ଆଜି ପରି ଦିନରେ ନନାଙ୍କ ସହ ଲାଗିବାକୁ ମୋର ଇଚ୍ଛା ନଥିଲା । ତଥାପି ପାଟିରୁ ଏକ ବିରକ୍ତିପୂର୍ଣ୍ଣ ଚିତ୍କାର ବାହାରି ଆସିଲା-ଓଃ!!
ପାଟି ଶୁଣି ସ୍ତ୍ରୀ ଝପଟି ଆସି କହିଲା- ଆରେ, ଏମିତି ଚାରିକାତ ମେଲେଇ ଶୋଇଛ କଣ, ଆଜିର କାମ ଭୁଲିଗଲଣି କି?
-ମୁଁ ଅଳସ ଭାଙ୍ଗି କହିଲି- ଯିବାତ ।
ସ୍ତ୍ରୀ କହିଲା-ତମେ ଆଉ ଡେରି କରନି । ତେଣେ ନନାଙ୍କୁ ଭୋକ କରିବଣି । କହିଲି-ଯିଏ ବର୍ଷେ ପର୍ଯ୍ୟନ୍ତ ଭୋକରେ ରହିପାରିଲାଣି, ଏ ଦଣ୍ଡେ ଘଡ଼ିଏରେ ତା ପ୍ରାଣ ଏମିତି ଛାଡ଼ି ଯାଉଛି, ଯାଉନା । ସ୍ତ୍ରୀ କହିଲା-ତମେ ଜାଣିନକି, ଆମର ଏଠି ବର୍ଷେ ଯାହା, ପିତୃଲୋକରେ ପରା ଦିନେ ତାହା ।
-ମାନେ, ସେ ସବୁଦିନ ଖାଉଛନ୍ତି?
-ହଁ ତ ।
-ତା ମାନେ, କାଲି ସେ ଖାଇଥିଲେ?
-ଆର ବର୍ଷ ଶ୍ରାଦ୍ଧ ଦେଇନଥିଲ?
ଆର୍ ଶ୍ଲା, ସବୁଦିନେ ତା ହେଲେ ପଙ୍ଗତ ଠିକ୍ ପଡୁଛିଟି, ଆଉ ତା’ ହେଲେ ଅସୁବିଧାଟା କ’ଣ । ମୁଁ ବୁଦ୍ଦୁ ଭାବୁଛି କଣକି ଦଣ୍ଡେ ଅଧେ ଡେରିହେଲେ ମେଦିନି କମ୍ପାଉଥିବା ଲୋକ ବର୍ଷ ସାରା କେମିତି କଣ କରୁଛି । କେମିତି ସମ୍ଭାଳୁଛି ଭୋକ । ମଝିରେ କେମିତି ଗୋଟେ ଧାରଣା ହେଇଥିଲା ଯେ, ପିତୃଲୋକରେ ଆଉ କଣ ହୋଟେଲ ଫୋଟେଲ ଖୋଲିଲାକି? ଆର ଶ୍ଲା ।
ସ୍ତ୍ରୀ କହିଲା-ଥାଉ ଏତେ ଭାଷଣ କୁଷଣ ନଦେଇ ଶୀଘ୍ର ବାହାରିଲ । ନନାଙ୍କୁ ତେଣେ ଭୋକ କରିବଣି । କହିଲି-ସବୁ ଦିନେ ତ ବେଳାବେଳି ପଙ୍ଗତ ପଡୁଛି, ଦିନେ ଅଧେ ଡେରି ହଉ ହୋ ।
ସ୍ତ୍ରୀ ବିଗିଡ଼ିଯାଇ କହିଲା-ପିତୃପୁରୁଷଙ୍କୁ ଭୋକରେ ରଖିବ, ଧର୍ମ ସହିବ ନା ତମର ମଙ୍ଗଳ ହେବ?
ସ୍ତ୍ରୀକୁ କିଛି ନକହିଲେ ବି ମନେ ମନେ ଭାବିଲି-ଓଃ ଯୋଉତ ମଙ୍ଗଳଟା ହୋଇଯାଉଛି ଛାଡ଼, ଆଉ ଅଧିକା ହୋଇଗଲେ ସିଧା ସ୍ୱର୍ଗକୁ ଉଠିଯିବି । ଏଇନା ମୁଁ ଯେଉଁ ହଜାରେ ଋଣ କରଜରେ ବୁଡିଛି କୋଉ ବୋପା ପିଠିରେ ପଡୁଛି? ଅଥଚ ବୋପା ଦୁଃଖ ପାଇଲା ବେଳକୁ ପିଠିରେ ପଡି ଏବେ କିଳା ନଉଚି । ଅଷ୍ଟକିଳା ।
ଏବେ ମୋ ପାଖେ ଟୋଲିଟିଏ ନଥିବାକୁ କୁମ୍ଭୀରପାଟି ମେଲେଇ ଆସୁଛନ୍ତି ପିତୃପୁରୁଷ । ଘିଅ, ମହୁ ଖାଇବେ ବୋଲି । ଏଃ, କେଡ଼େ ସିଆଣିଆମ । ‘ହଉ ଦେଖୁଚି ଦେଖୁଚି’ କହି, ମୁଁ ଗାଧୋଇବାକୁ ଗଲି ।
ଘରୁ ଗାଧୋଇ ପାଧୋଇ ବାହାରିଲା ବେଳକୁ ଡ୍ରଇଂ ରୁମରେ ସେ ଭୁରୁକୁଣ୍ଡିଆ ମୁହଁ କରି କହିଲେ-ଆଜି ଅଟାଗୁଳା ଖୁଆଇ ଦବୁ ନା କଣ? ବୁଝିଗଲି,ନନା ଜାଣି ସାରିଲେଣି ଯେ ମୁଁ ବିନ୍ଦୁ ସାଗର ଯାଉଛି ବୋଲି ।
-ତିନି-
ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ପୋଖରୀ ପାଖରେ ଗୋଟେ ମଣ୍ଡପ ଅଛି । ସେଇଠି ଶ୍ରାଦ୍ଧ କର୍ମ ହୁଏ । ଅନ୍ୟସବୁ ଜାତିମାନେ ଦିଅନ୍ତି ଚାଉଳ ପିଣ୍ଡ ଓ ବ୍ରାହ୍ମଣମାନେ ଅଟାପିଣ୍ଡ । ସେଇ ଅଟାପିଣ୍ଡ କଥା ଭାବି ବୋଧେ ନନାଙ୍କର ଏବେଠୁ ଅରୁଚି ଧରିଲାଣି । ଭାରି ସୁକୁମାରିଆ ପାଟି । କହିଲି କ’ଣଟା ଆଉ କରିଥାନ୍ତି ଯେ! ସବୁବେଳେ କଣ ସମାନଯାଏ? ଆଜିକ ଅଟାପିଣ୍ଡ ଖାଇଥା, କାଲିକି (ଆରବର୍ଷକୁ) ଯଦି ମୋ ଭାଗ୍ୟ ବଦଳେ ତେବେ ଅନ୍ନପିଣ୍ଡ ପାଇବ ନହେଲେ ତ ସେଇ ଅଟାପିଣ୍ଡ । ଖାଇ ଖାଇ ଅଭ୍ୟାସ ହୋଇଗଲେ ଭଲ ଲାଗିବ ।
-କାଇଁ ବିନ୍ଦୁସାଗରରେ ନକରି ଘରେ କରିଥିଲେ କଣ ହୋଇନଥାନ୍ତା?
-ହୋଇଥାନ୍ତା,କିନ୍ତୁ ପଇସା?
-କେତେ ଏମିତି ଖର୍ଚ୍ଚ ହେବ ଯେ… ହେଇ ହେଇକିରି ଟଙ୍କା ତିନିଶ କି ଚାରିଶ । ସେତକ ବି ବାପା ପାଇଁ ଖର୍ଚ୍ଚ କରିବାକୁ ତୁ ଭାଜନ ନୁହଁ? ଭଲ ପୁଅତୁ ।
-ନା, ପାରିବିନି । ମୁଁ ତମଭଳି ଧନୀ ନୁହଁ । ପର୍ସରେ ବିଡ଼ା ବିଡ଼ା ନୋଟ ଧରି ମନଇଚ୍ଛା ଉଡ଼େଇବି । ରାଜ୍ ହୋଟେଲରେ ରସଗୋଲା ଖାଇବି । ମୁଁ ଗରିବ । ଯେତିକି ପାରିବି ସେତିକି କରିବି ।
-ପଇସା କଣ ସତରେ ନାହିଁ?
-ଟୋଲିଟିଏ ବି ନାହିଁ ।
ନନା ମୋଡିଭିଡ଼ି ହୋଇ ଲାଜୁଆ କଣ୍ଠରେ କହିଲେ-ଆଉ ସେଇ ପର୍ସରେ ଯୋଉ ଦଶଖଣ୍ଡ ଶହେ ଟଙ୍କିଆ ନୋଟ ରଖିଚୁ?
-ହେ ଭଗବାନ, ତମେ ତା ହେଲେ କେତେ ବେଳେ ଯାଇ ଗଣିଛ? ନନା ବତିଶଟି ପାନଖିଆ ଦାନ୍ତ ଦେଖେଇ ହସିଲେ ।
ମୁଁ ଫସ୍କିନା ଦିଆସିଲି ଭଳି ଜଳି ଉଠି କହିଲି-ଗଣିଛ ଯେ ହେଲେ ସେ ଟଙ୍କା କାହିଁକି ଅଛି ଜାଣି ପାରିଲନି । ପୁଅର ତିନିମାସ ହେଲା ଟିଉସନ ପଇସା ବାକି । ନୋଟିସ ଦେଇ ଦେଲେଣି । ମାସକୁ ତିନିଶ ହିସାବରେ ନ’ଶ ଗଲାକି? ନା ତମକୁ ପିଣ୍ଡ ଦେବି ତାକୁ ଗଜମୁର୍ଖ କରେଇବି?
-ହଁ ହଁ ହଁ ଥାଉ ।
-ନାଇଁ ନାଇଁ ନାଇଁ ଶୁଣ । ସେ ଟଙ୍କା ପୁଣି ବୋହୁ ତା ବାପ ଘରୁ ଧାର କରି ଆଣିଛି ।
-ଓଃ, ଥାଉ ଥାଉ ଥାଉ ।
-ଥାଉ ଥାଉ କାହିଁକି, ଶୁଣିଥା । ପିତୃଲୋକରେ ତମ ପିତୃପୁରୁଷଙ୍କୁ ଟିଉସନ କରିବ, ଶୁଣିଥା । ବଳିଲା ଶହେଟଙ୍କା । ସେଥିରୁ ଶ୍ରାଦ୍ଧ ପାଇଁ ପଚାଶ, ଗାଡ଼ିରେ ତେଲ ପଡିବ ପଚାଶ । ଜାଣିଚ ନା ନାହିଁ, ଭି.ଏସ୍.ଏସ୍ ନଗରରୁ ବିନ୍ଦୁସାଗର ଯାହା ଭୁବନେଶ୍ୱରରୁ କଟକ ତାହା ବୋଲି? ତେଲ ଲିଟର ଚାଳିଶି ।
-ଆଉରି ଦଶ ବଳୁଚି ତ ।
-ପାନ ଖାଇବିନି?
-ପିଣ୍ଡରେ ଖଣ୍ଡେ ପାନ ଦବୁତ । ନନା ଉଲ୍ଲସିତ ହୋଇ କହିଲେ ।
– ମୁଁ ଚୁଚୁ କରି କହିଲି-ଖାଇବା ସଉକ ତଥାପି ଗଲାନି ।
-ଚାରି-
ବିନ୍ଦୁସାଗରରେ ପହଁଚୁ ପହଁଚୁ ଦିନ ଏଗାରଟା ବାଜିଲାଣି । ମୁଁ ମୋ ଧଡ଼ିଆ ସୁଜୁକିରେ ବ୍ୟାଗ ଝୁଲେଇ ଯାଇଛି । ଯାଇ ପହଁଚୁ ପହଁଚୁ ଭଣକିନା ନାକରେ ବାଜିଲା ଗନ୍ଧ । ବିନ୍ଦୁ ସାଗରର ଦଳୁଆ ପଚାପାଣି, କୁଣ୍ଡରେ ସଢ଼ୁଥିବା ପରିତ୍ୟକ୍ତ ପିଣ୍ଡ, ଶସ୍ତା ଧୂପକାଠି, ଷଣ୍ଡ ଗୋବରକୁ ମିଶେଇ ଦେଲେ ଯୋଉ ଗନ୍ଧ ହୁଏ ସେଇ ଗନ୍ଧ । ଦେଖିଲି କୋଉ ଛଟକରେ ନନା ଆଗରୁ ପହଁଚି ସେଠି ନାକରେ ରୁମାଲଟିଏ ଚାପି ମଣ୍ଡପର କଣକୁ ଆଉଜି ଠିଆ ହୋଇଛନ୍ତି । ଓଃ କି ହାଉଳା ଲୋକ?
‘କ୍ୟୋ, ତମ ପାଇଁ ତ କଷ୍ଟକରି ଏ ପଚରା ଯାଗାକୁ ଆସିଲି । ବ୍ରାହ୍ମଣ ପଛରେ ଗୋଡ଼େଇ, ଖର୍ଚ୍ଚପାତି କରି ନାକେ ଦମ୍ ହେବି କେବଳ ତମକୁ ଖାଇବାକୁ ଦେବି ବୋଲି । ଏତେ ଉଚ୍ଛନ୍ନ କିଆଁ? ନାଃ! ହବନି । ସନେ୍ଦହ ତ । କାଳେ ପୁଅ ଭୁଲି ଯିବକି? ସାରା ଜୀବନ ଏମିତି ସନେ୍ଦହରେ ସନେ୍ଦହରେ ଗଲା ।
ଅପରିଷ୍କାର ଦାଣ୍ଡ ଓ ପଲପଲ ଷଣ୍ଢକୁ ଆଡ଼େଇ ମୁଁ ମଣ୍ଡପ ଆଡ଼କୁ ଗଲି । ସେଠି ପହଁଚୁ ପହଁଚୁ ପଲେ ବାହ୍ମୁଣ ମତେ ଘେରି ଗଲେ । ଗୋଟେ ଥନ୍ତଲ ପେଟିଆ ବାହ୍ମୁଣ କହିଲା- ତମେ ଶତପଥି ବାବୁ ତ? ମୁଁ କହିଲି- ମୋ ଟାଇଟେଲ୍ ମହାପାତ୍ର । ସେ କହିଲା- ଓଃ ଭୁଲ ହୋଇଗଲା ମହାପାତ୍ର ତ, ଆର ବର୍ଷ ତ ତମର ଶ୍ରାଦ୍ଧ ମୁଁ କରେଇଥିଲି । ମୁଁ କହିଲି ନାହିଁ ଆଜ୍ଞା ଆପଣ ନୁହଁନ୍ତି । ଠିକ୍ ଅଛି-ଗୋତ୍ର କଣ ।
କୌଚ୍ଛସ ଗୋତ୍ର ।
‘ପିତୃ ଶ୍ରାଦ୍ଧତ! ଆସନ୍ତୁ ଏଣିକି ଆସନ୍ତୁ । ମଣ୍ଡପ ଛାଡ଼ନ୍ତୁ ଭାରି ଗନ୍ଧିଆ ଜାଗା । ଏଇଠି ଏଇ ଦେଉଳ ବାରଣ୍ଡାରେ କରିବା । ବାପାଙ୍କ ନାଁ କଣ କହିଲେ?’
ଦେଖିଲି ଦେଉଳ ପାଖକୁ ଲାଗି ଗୋଟେ ଛୋଟ ବାରଣ୍ଡା ଉପରେ ସେ ତାର ଲଣ୍ଡଭଣ୍ଡ ପସର ମେଲେଇଛି । ବିରକ୍ତିରେ କହିଲି ଥାଉ…
ଲୋକଟା ମୋ ଉପରେ ବିଡ଼ ବିଡ଼ ହେଲା ।
ସେପଟୁ ଆଉ ଜଣେ ଡାକିଲା-ଭାଇନା, ଟିକେ ଶୁଣିବକି? ଯେମିତି ଗୋଟେ ଗୋପନ ଗୁଢ଼ କଥା କହିବ ସେମିତି ଡାକିଲା । ମୁହାଁଇଲି । କହିଲା-ଏଠି ଶ୍ରାଦ୍ଧମନ୍ତ୍ର ଠିକ୍ଠାକ୍ କେହି ଜାଣନ୍ତିନି । ଆଉ ମନ୍ତ୍ର ଠିକ୍ ହେବନି ମାନେ ପିତୃପୁରୁଷ ଠିକ୍ ଭାବେ ପିଣ୍ଡ ପାଇବେନି । ପାଇବେ କଣ ଜମ୍ମାରୁ ତ ଆସିବେନି । ମୁଁ ହସିଦେଲି । ନନାଙ୍କ ଆଡ଼କୁ ଚାହିଁ ମନେ ମନେ କହିଲି । ଡାକିବା ଦରକାର କଣ, ଡାକିବା ପୂର୍ବରୁ ତ ସିଏ ଆସିଗଲେଣି । ନନା ସେତେବେଳକୁ କାହାର ଗୋଟେ ଶ୍ରାଦ୍ଧକୁ ସିନେମା ଦେଖିଲା ଭଳି ଦେଖୁଥାନ୍ତି । ଆଉ ଗୋଟେ ବ୍ରାହ୍ମଣ ଆସିଲା । ଯିଏ ପାଟ କୁଣ୍ଡଳ ପିନ୍ଧିଛି ହାତରେ ସୁନାମୁଦି ଓ ଘଣ୍ଟା । ଇଂରାଜୀ କହୁଛି । ମୋ କାନ ପାଖୁ ମୁହଁ ଲଗାଇ କହିଲା -ଶ୍ରାଦ୍ଧକୁ ଶ୍ରାଦ୍ଧ । ତା ବାଦେ ଶାନ୍ତି ଯଜ୍ଞଟିଏ ଉପୁରି ବୋନସ । ପାଟଯୋଶୀ କହିଲେ ସମସ୍ତେ ଜାଣନ୍ତି ଏଠି ।
ମୁଁ ତାକୁ ପଛ କଲି ।
ମଣ୍ଡପର ଗୋଟେ କଣକୁ ଛିଡ଼ା ହୋଇଛି ବାଇଶି ତେଇଶି ବର୍ଷର ପିଲାଟିଏ । ମୋ ଉପରେ ଆଖି ପଡ଼ିଗଲା ମାତ୍ରେ ଡାକିଲା ଆସନ୍ତୁ ଆଜ୍ଞା । ସେ ଡାକ ଦୂରରୁ ଆସୁଥିବା ରାତି ଚଢ଼େଇର ଡାକ ଭଳି । ସେ ଡାକରେ ଯେମିତି ପ୍ରାଣ ନାହିଁ । ଆତ୍ମବିଶ୍ୱାସ ନାହିଁ । ଅଥଚ ସ୍ୱରରେ ଅଛି ଚୁମ୍ବକୀୟତା । ମତେ ଟାଣିଲା । ମୁଁ ତା ଆଡ଼କୁ ମୁହାଁଉଥିବା ଦେଖି ପିଲାଟା ହଡ଼ବଡ଼େଇ ଯାଇ କୁଶରେ ଯାଗାଟାକୁ ପହଁରିଦେଲା । ସୁନ୍ଦର ଗୋରା ଲଡ଼ଖଡ଼ିଆ ପିଲାଟିଏ । ମତେ ଦେଖି ଖାଲି ଆସନ୍ତୁ ଆସନ୍ତୁ ହେଲା । ଦେଖିଲି ସେ ଭୀଷଣ ଉଦାସୀନ । ମୁଁ ତା’ ଆଡ଼କୁ ମୁହାଁଉଥିବା ଦେଖି ଅନ୍ୟ ବ୍ରାହ୍ମଣମାନେ ହସାହସି ହେଲେ । ସେଥିରେ ସେ ଆହୁରି ନିଷ୍ପ୍ରଭ ହୋଇପଡ଼ିଲା । ପ୍ରଥମେ ଭାବିଲି ଇଏ ପାରିବନି । ପରେ ଭାବିଲି କାହିଁକି ପାରିବନି । ମୋ ମୁହଁର ଭାବରୁ କଥାଟା ଠଉରେଇ ନେଲା କି କଣ, ବିକଳରେ କହିଲା-ପାରିବି ଆଜ୍ଞା ନିଶ୍ଚୟ ପାରିବି । କହିଲି, ଠିକ୍ ଅଛି ।
ସେ କହିଲା ଆଗ ଧୋତି ପାଲଟି ପକାନ୍ତୁ ଓ ପିଣ୍ଡ ସାମଗ୍ରୀ ନେଇ ଆସନ୍ତୁ ।
ତମ ନାଁ କଣ,
ବାବୁନି ମିଶ୍ର ।
ଚେହେରାଟା ଯେମିତି ନାଁ ବି ସେମିତି । ଭାରି ଉଦାସୀନ । ଭାରି ନିରୀହ । ଅଥଚ ତା ଚେହେରା ଗଢ଼ଣ ଯେମିତି, ମୋ ମତରେ ସେ ବେଶ୍ ଚୁଲୁବୁଲିଆ ହେବା କଥା । ଭାବିଲି, ସେ ଆଉ ଗରାଖ ଟାଣିବା ପାଇଁ ମୁଖା ପିନ୍ଧିନିତ! କିନ୍ତୁ ସେମିତି ଲାଗିଲାନି । ମୁଁ ଚୁପ୍ଚାପ୍ ଭାବିବା ଦେଖି ପିଲାଟା କହିଲା-ପାରିବିନି ବୋଲି ଭାବୁଛନ୍ତି କି ଆଜ୍ଞା, ନିଶ୍ଚୟ ପାରିବି । ମୋ ବାପା ପଣ୍ଡିତ ଲଡୁକେଶ୍ୱର ମିଶ୍ର । ଲୋକେ ଲଡୁ ମିଶ୍ର ବୋଲି ଜାଣନ୍ତି । ସେ ଏଠାରେ ସବୁଠୁ ବଡ ପଣ୍ଡିତ ଥିଲେ । ଏଇ ଯାଗାରେ ଆଜ୍ଞା ବସୁଥିଲେ । ସେ ଛିଡ଼ା ହୋଇଥିବା ଜାଗାକୁ ଦେଖେଇ ଦେଲା ।
ପଚାରିଲି-ସେ କୁଆଡ଼େ ଗଲେ ।
ଗତବର୍ଷ ଆଜ୍ଞା ତାଙ୍କର ପରଲୋକ ହୋଇଗଲା ।
କହିଲା ବେଳେ ଦେଖିଲି ତା ଆଖି ଛଳଛଳ ହୋଇଗଲା । ତାକୁ ଲୁଚେଇବାକୁ ସେ ପିତଳଢ଼ାଳ ଧରି ଧାଇଁଗଲା ବିନ୍ଦୁସାଗରରୁ ପାଣି ଆଣିବାକୁ ।
ଏତିକିବେଳେ ନନା କାନ ପାଖେ କହିଲେ-ଗାଣ୍ଡିରୁ ଘୁଅ ଛାଡ଼ିନି ସେମିତି ବ୍ରାହ୍ମଣଟେ ଧରିଲୁ । କାଇଁ ସେ ବୁଢ଼ା କି ପାଟଯୋଶୀ ପାଖେ କଣଟା ଅଡୁଆ ହେଉଥିଲା ଶୁଣେ?
‘ମୁଁ ରାଗିଲିନି । କହିଲି-ପିଲାଟା କେଡ଼େ ଦୁଃଖି ଦେଖିଲନି ନନା । ବାପ ମରିଯାଇଛି । ଏ ବ୍ରାହ୍ମଣମାନେ ତାକୁ କାମ କରେଇ ଦଉନାହାଁନ୍ତି । ଗରିବ, ଅଭାବି, ଘରେ ପଇସା ପତ୍ର ନଥିବ ।
ନନା ତିରିଛି ନଜରରେ ଚାହିଁ କହିଲେ- ତୁ ତ ଦୟାର ସାଗର ।
ସେକଥା ମୁଁ ଜାଣିନି । ଏତିକି ଜାଣିଛି-ଏଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।
-ବ୍ରାହ୍ମଣ ହୋଇ ଶେଷକୁ ସେ ଭୋଇର ବୋକ୍ଚା ବୋହିଲୁ?
-ତମେ ତ ବ୍ରାହ୍ମଣ ହୋଇ ଶୁଦ୍ର ଭଳି ବଞ୍ଚôଲ କିନ୍ତୁ ଭୀମ ହୋଇ ଶୁଦ୍ର ହୋଇ ବି ବ୍ରାହ୍ମଣ ।
ନନା କହିଲେ- ତୁ ନର୍କରେ ପଡିଲେ ଜଗତକୁ ପୁଣି କେମିତି ଉଦ୍ଧାର କରିବୁ? ସମସ୍ତଙ୍କୁ ଘୁଅ ଟିକେ ଟିକେ ଦବୁ? ନନା କୁହାଟ ମାରି ହସିଲେ ।
ମୁଁ ବିଗିଡ଼ି ଯାଇ କହିଲି-ଯା କହ ପଛେ ନନା, ବଡ଼ ସ୍ୱାର୍ଥପର ତୁମେ ।
ନନା କହିଲେ-ସିଆଡ଼େ ଶ୍ରାଦ୍ଧ କଥା ଆଗ ଦେଖ ମ, ପ୍ୟାଣ୍ଟ ସାର୍ଟ ପିନ୍ଧି ପିଣ୍ଡ ଦବୁନା କ’ଣ? ଧୋତି ପାଲିଟି ଆସିଚି ଟି?
ସତରେ ଏବେ ଧୋତି କେମିତି ପାଲଟିବି ପଡ଼ିଲାଣି ଚିନ୍ତା । ନନାଙ୍କ ଦଶାହ ବେଳକୁ ଧୋତି ପାଲଟି ଥିଲି ଯେ ଲଣ୍ଡଭଣ୍ଡ ହୋଇ ଲାଠି ବୁଜୁଳି ସବୁ ଦିଶିଲା । ଲୋକେ ହସାହସି ହେବାରୁ ଯାଇଁ ଜାଣିଲି । ଏଇନା ପୁଣି ଏଇଠି ସବୁ ବ୍ରାହ୍ମଣ ଭଗାରୀ କଟାସ ଭଳି ଚାହିଁ ରହିଛନ୍ତି ।
ନନା କହିଲେ କ’ଣ ଏତେ ଭାବି ହଉଚୁ ମ । ଅଧା ତ ଏପଟେ ଗଣ୍ଠି ପକେଇ କୁଞ୍ଚ କରିଦେବୁ ଆର ଅଧାକ ତ ଫରର୍ କିନି ପଛକୁ ବୁଲେଇ ଦେଇ କଚ୍ଛା ମାରିଦେବୁ । ଶଳା ଧୋତି ବି ପିନ୍ଧି ଆସୁନି, ହିଃ । କୋଉ ଗୋଟିଏ କାମ ହେଲେ ବାଗେଇକରି ଆସୁଥାନ୍ତା କି ।
କହିଲି ପଟର ପଟର ହ’ନି । ବ୍ରାହ୍ମଣ ଅଇଲାଣି ।
ବାବୁନି ମିଶ୍ର ଢ଼ାଳେ ପାଣି ନେଇ ପହଁଚିଗଲା । ଥଙ୍ଗେଇ ଥଙ୍ଗେଇ ଶ୍ଲୋକ ବୋଲି ବୋଲି ପାଣି ନେଇ ଆସୁଥିଲା । ପୋଖରୀ ପାହାଚ ଉଠିବା ଭିତରେ ମୁଁ କୌଣସି ମତେ ଧୋତିଟାକୁ ଗୁଡ଼େଇ ହୋଇପଡ଼ିଲି । ମୋ ଧୋତି ପିନ୍ଧା ଦେଖି ସେ ଅଳ୍ପ ହସି ଦେଲା । ଥଟ୍ଟା କଲା ଭଳି ନୁହେଁ, ବଡ଼ ଧୀର ମଧୁର ହସ । କହିଲା-ଆପଣ ସାରେ, ଆପଣଙ୍କ ନନାଙ୍କୁ ଭାରି ଭଲପାନ୍ତି ।
ଏଇ ପଦକ କଥା ଯେମିତି ମୋ ମୁହଁକୁ ବାନ୍ଧି ଦେଲା । କଣ କହିବି ନକହିବି ଜାଣି ପାରିଲିନି । ଦେଖିଲି ନନା ସେପଟ କାନ୍ଥପାଖେ ଦି’ ଭାଡି ଦାନ୍ତ ଦେଖେଇ ଛିଡ଼ା ହୋଇଛନ୍ତି । ମନେ ମନେ କହିଲି ଯେ ଟିକେ ସରମ ଲାଗୁ । କିଛି କହୁନି । ଏଇନା ଗୁମର ଖୋଲି କହିଲେ ଇଜ୍ଜତ ବାରଣ୍ଡା ଦିକଡା ହବ । ବାବୁନି ମିଶ୍ରକୁ ଚାହିଁ ଆଖି ମିଟ୍ ମିଟ୍ କରି କହିଲି-ତମେ ତମ ନନାଙ୍କୁ ବେଶି ଭଲ ପାଉଥିଲ ନା? ବାବୁନି ମିଶ୍ର ନୀରବରେ ହଁ କଲା । କହିଲା-ଏବେବି ମୁଁ ଭାବି ପାରୁନି ଯେ, ସେ ମରିଯାଇଛନ୍ତି ବୋଲି । ଏବେ ବି ଅନେକ ସମୟରେ ତାଙ୍କୁ ମୁଁ ମୋ ସାମ୍ନାରେ ଦେଖେ । ଏତେ ପାଖରେ ଦେଖେ ଯେ, ମତେ ଲାଗେ ତାଙ୍କ ନିଶ୍ୱାସ ଯେମିତି ମୋ ଦେହରେ ବାଜୁଛି । ବହୁଥର ମୁଁ ତାଙ୍କ ସହିତ ଗପିଛି । ଆପଦ ବିପଦରେ ପ୍ରଶ୍ନ କରିଛି । ଶୁଣିବେ?
-ଗତ କିଛିଦିନ ଧରି ଜଣେ ହେଲେ କେହି ଜଜମାନ ମୋ ପାଖକୁ ଆସିନାହାଁନ୍ତି । ଯେଉଁମାନେ ବା ଆସିଛନ୍ତି ତାକୁ ଅନ୍ୟମାନେ ଅଡ଼େଇ ନେଇଛନ୍ତି । ଗତ ତିନିଦିନ ଧରି ଆମେ ଭଲରେ ଗଣ୍ଡେ ଖାଇନୁ । ବୋଉ, ଯିଏ ଘରୁ କେବେ ଗୋଡ଼ କାଢ଼ିନି କି ସୂର୍ଯ୍ୟଚନ୍ଦ୍ର ଦେଖିନି, ସିଏ କଣ ଅନ୍ୟ ଘରେ ଯାଇ କାମ କରିବ? ଏଣେ ସାନଭାଇର କଲିକତାରେ ଗୋଟେ କମ୍ପାନୀ ଚାକିରୀଟେ ମଳିଛି ଯେ ଆଉ ତିନି ଦିନ ପରେ ସେ ଯିବ । ତା ବାଟଖର୍ଚ୍ଚକୁ ବି ପଇସା ନାହିଁ । ବର୍ତ୍ତମାନ ପାଇଁ ତା ଚାକିରୀ ହିଁ ଆମ ଭରସା । ଛାଡ଼ନ୍ତୁ ସାର । ହଁ, କାଲି ରାତିରେ ମୁଁ ଚିନ୍ତାରେ ଚିନ୍ତାରେ କାନ୍ଦି ପକେଇଲି । ହଠାତ୍ ଦେଖିଲି ନନା ମୋ ପାଖରେ ଛିଡ଼ା ହୋଇଛନ୍ତି । ମୋ ପାଟିରୁ କଥା ବାହାରିଲାନି । ଥଙ୍ଗେଇ ଥଙ୍ଗେଇ କହିଲି-ଦେଖୁଛଟି ନନା! ତମେ ଛାଡ଼ି ପଳେଇଲ,ଆମେ କେମିତି କଷ୍ଟ ଭୋଗୁଛୁ । ନନା ମୋ କାନ୍ଧରେ ହାତ ରଖି କହିଲେ ଜମ୍ମା ବ୍ୟସ୍ତ ହଅନି । ସବୁ ଠିକ୍ ହୋଇଯିବ । ଆଉ ଦେଖନ୍ତୁ, ଆଜି ହଠାତ୍ ଆପଣ ଆସିଲେ । କେତେ ଲୋକ ଆପଣଙ୍କୁ ଅଟକେଇ ନାହାଁନ୍ତି ଅଥଚ ଆପଣ କାହାକଥା ନଶୁଣି ମୋରି ପାଖକୁ ହିଁ ଆସିଲେ ।
ବାବୁନି ମିଶ୍ର ଚୁପ୍ ହୋଇଗଲା । ଗୁଣୁଗୁଣୁ ହୋଇ କହିଲା ଭାରି ଭଲ ପାନ୍ତି ମତେ ।
ମୁଁ ବି ନନାଙ୍କୁ କଣେଇ ଚାହିଁଲି । ଦେଖିଲି ସେ ବୁଲା ଷଣ୍ଢ ଉପରେ ବସିଥିବା ଗୋଟେ କୁଆକୁ ଦେଖୁଛନ୍ତି । ମୁଁ ଭଲ କରି ଜାଣେ ସେ ଇଆଡେ ହିଁ ଚାହିଁଥିଲେ ଓ ଆମ କଥା ଶୁଣୁଥିଲେ । ମୁଁ ଚାହିଁବାର ଦେଖି ପଟ୍କିନା ମୁଣ୍ଡଟାକୁ ବୁଲେଇ ଦେଇଛନ୍ତି । ମହାପିର ।
କଥା କହୁ କହୁ ବାବୁନି ମିଶ୍ର ଖଡ଼ି ଚୁନାରେ ମଣ୍ଡଳ କାଟୁଥିଲା । ବଟୁ କରୁଥିଲା । ପାତ୍ରୀ, ଅରୁଆ ଚାଉଳ ସଜାଡି ରଖୁଥିଲା । ପଇତାରେ ଗଣ୍ଠି ପକାଇ ଗଣ୍ଠିରେ ହଳଦି ମାରୁଥିଲା । ହଠାତ୍ ପ୍ରକୃତିସ୍ଥ ହୋଇ ଗାଇଲା-ଓଁ ବ୍ରହ୍ମୋପବିତାନି, ଶ୍ରଦ୍ଧାନି ଗୁଣୁ ଗୁଣୁ ଗୁଣୁ ଗୁଣୁ… ତାପରେ ସୂର୍ଯ୍ୟ ମନ୍ତ୍ର- ଯବା କୁସୁମ ସଂକାଶଂ, କାଶ୍ୟପେୟଂ ମହାଦୁ୍ୟତି…ଗୁଣୁ ଗୁଣୁ ଗୁଣୁ । ପଇତା ପିନେ୍ଧଇ ଦେଇ କହିଲା ପୂର୍ବଦିଗକୁ ମୁହଁକରି ସୂର୍ଯ୍ୟଙ୍କୁ ନମସ୍କାର ହେବେ ଓ ଜଳ ଆଚମନ କରିବେ ।
ଆଚମନ କଲି ।
ହାତ ଧୋଇବେ ।
ହାତ ଧୋଇଲି ।
ବାବୁନି ମିଶ୍ର ଶ୍ରାଦ୍ଧ ଆୟୋଜନରେ ଲାଗିପଡ଼ିଲା । ତାକୁ ପଚାରିଲି ନନାଙ୍କୁ ଭଲ ପାଇବାଟା କଥାଟା ତମେ ହଠାତ୍ କାହିଁ ପଚାରିଲ?
ନାଇଁ ଏମିତି… ସେ ଲାଜୁଆ ହସଟିଏ ହସିଲା । ମୁଁ ବି ହସିଦେଇ କହିଲି -କହୁନା ।
– ‘ନାଇଁ ଏମିତି ଅନୁମାନ କଲି । ନହେଲେ ଭି.ଏସ୍.ଏସ୍ ନଗରରୁ ପ୍ରଚଣ୍ଡ ଖରାରେ ଓଲଡ୍ଟାଉନ ଆସି ଏଠି ପୁଣି ଏଭଳି ଯାଗାରେ… ମତେ ଯାହା ଲାଗୁଛି ଆପଣ ଏ କ୍ରିୟାକର୍ମରେ ଆଦୌ ବିଶ୍ୱାସ କରନ୍ତିନି । ପୁଣି ପଇତା ନାହିଁ, ଧୋତିବି ପିନ୍ଧି ଆସିନି । ପ୍ରଚଣ୍ଡ ଭଲ ପାଉନଥିଲେ ଏସବୁ କାମ କିଏ କରେ?
-ହଁ ବାଧ୍ୟ ବାଧ୍ୟକତାରେ ବି କିଛି ଲୋକ କରନ୍ତି ।
“କରୁଥିବେ । କିନ୍ତୁ ଆପଣ କରୁନାହାଁନ୍ତି । କାରଣ ଏପଟକୁ ନଆସି କୋଉ କ୍ଲବରେ ଦି ଘଣ୍ଟା ବିତେଇ ଘରକୁ ଫେରି, ଶ୍ରାଦ୍ଧ ଦେଇ ଆସିଛି ବୋଲି ତ କହିଦେଇ ପାରିଥାନ୍ତେ ।”
ଓଃ! କେତେ ସରଳ ଓ ନିରୀହ ଭାବେ କଥା କହୁଛି ବାବୁନି । ମୁଁ ଦୀର୍ଘଶ୍ୱାସ ପକେଇ କହିଲି-ଛାଡ଼ ଆରମ୍ଭ କର । ନନାଙ୍କୁ ଚାହିଁ କହିଲି, ସେମିତି ଆଡିପାତିକିରି ଶୁଣୁଥା ଓ ନଜାଣିଲା ପରି ହଉଥା ।
ବାବୁନି ମିଶ୍ରକୁ ପ୍ରକୃତରେ ମନ୍ତ୍ରତନ୍ତ୍ର କିଛି ଆସିନି । କାମଚଳାକୁ ତରବରିଆ ହୋଇ କଣ ଘୋଷିଛି ଯେ ହଜାରେ ଥର ଥଙ୍ଗଉଛି । ମଝିରେ ମଝିରେ ମତେ କହୁଛି- ସବ୍ୟ ହଅ, ଅପସବ୍ୟ ହଅ । କେତେବେଳେ ତିଳକ ଲଗେଇ ଦେଉଛି, ଶ୍ଲୋକ ବୋଲୋଉଛି ପୁଣି କେତେ ବେଳେ ଆଚମନ କରଉଛି । ପାଖରେ ଥିବା କ୍ୟାବିନ୍ ବାଲାକୁ କ’ଣ ଠାରି ଦେଲା । ସେ ବଢ଼େÿଇ ଦେଲା ଖଣ୍ଡେ ପୁଡ଼ିଆ । ପିଣ୍ଡ ସରଞ୍ଜାମ । ପିଣ୍ଡ ସରଞ୍ଜାମ କହିଲେ ଗୋଟେ ଅଟା ପୁଡ଼ିଆ ଦିଟା କଦଳୀ ଓ ତା ଭିତରେ ଟିପେ ଗୁଡ଼ । ପିଣ୍ଡ ଚକଟୁ ଚକଟୁ କହିଲି ବାବୁନି, ଏତିକି ଗୁଡ଼ ଚଳିବନି । ବାବୁନି କହିଲା-ଚଳେଇ ଦିଅନ୍ତୁ ନା ।
କହିଲି, ନା ହବନି ।
-ନନା ବୋଧେ ବେଶି ମିଠା ପି୍ରୟ ।
– ଭୟଙ୍କର ଭାବେ ।
ବାବୁନି ନିଜେ ଉଠିଯାଇ ଗୁଡ଼ ନେଇ ଆସିଲା । ପିଣ୍ଡ ଦେଲାବେଳକୁ ମୋ ଅଣ୍ଟା କଟକଟ କଲାଣି । ସାମ୍ନାରେ ଯୋଉ ଗୁଆଟା ଥୁଆ ହୋଇଛି ତାରି ଭିତରେ ନନା ଅଛନ୍ତି । ତାଙ୍କ କରଡ଼ି ଜଳିବଣି । ମୁଁ ଜଲଦି ଜଲଦି ସାରିବାକୁ ବାବୁନି ମିଶ୍ରକୁ କହିଲି । ହଠାତ୍ ମନେ ପଡ଼ିଗଲା ପାନ କଥା । ପକେଟରୁ ପାନଟିଏ କାଢ଼ି ପିଣ୍ଡ ଉପରେ ଥୋଇଦେଲି । ବାବୁନି ମିଶ୍ର କହିଲା- ହେ ହେ ହେ ଇଏ କଣ କଲେ? ସେ ପୁଡ଼ିଆରୁ ଆପଣ ପାନ ଖାଇଛନ୍ତି ଟି?
ହଁ ।
ତା’ହେଲେ ତ ଉଚ୍ଛିଷ୍ଟ ହେଲା ।
ଉଚ୍ଛିଷ୍ଟ ନା ଫୁଚ୍ଛିଷ୍ଟ । ସେ ସବୁବେଳେ ମୋରି ପୁଡ଼ିଆରୁ ପାନ ଖାଆନ୍ତି । ଚୋରିକରି ଖା’ନ୍ତି । ଥିବ ପାଞ୍ଚଟା ଦେଖିଲାବେଳକୁ ତିନିଟା । ଉଚ୍ଛିଷ୍ଟ କ’ଣ, ମୁଁ କ’ଣ ଅଧାଖାଇ ତାଙ୍କୁ ଅଧା ଦଉଛି? ତା ବି ଦେଲେ ସେ ଖାଇଯିବେ ।
ଶ୍ରାଦ୍ଧ ସରିଲା । ମୁଁ ବିନ୍ଦୁ ସାଗରକୁ ହାତ ଧୋଇବାକୁ ଗଲାବେଳକୁ ସେଇଠି ଥାଇ ନନାଙ୍କୁ ହାକୁଟି ମାରୁଥିବାର ଦେଖିଲି । ମତେ ଦେଖି କହିଲେ ଭାରିକଡ଼ାପାନ ଖାଉଚୁ । କହିଲି ଯେତିକି ଟେନସନ୍ ବଢ଼ିବ, ପାନ ହବ ସେତିକି କଡ଼ା । ଆର ଥରକୁ ଆସି ଦେଖିବ ପାନରେ ନାଗସାପ ଗରଳ ପକେଇ ଖାଉଛି । ନନା କହିଲେ-ଛ୍ୟା ଛ୍ୟା ଛ୍ୟା ଛ୍ୟା ।
ପଚାରିଲି ପିଣ୍ଡ କେମିତି ଲାଗିଲା?
ନନା କହିଲେ ବ୍ରାହ୍ମଣକୁ ଦେଇଚୁ ତା ଦକ୍ଷିଣା?
ମୁଁ କହିଲି ତମ କାମ ସରିଲା ତମେ ଯିବ । ମୁଁ କା’କୁ କଣ ଦେବି ନଦେବି ସେ କଥା ମୁଁ ବୁଝିବିନି । ନନା କହିଲେ ତାକୁ ନଦେଲେ ତ ମୋ ପେଟ ଆଉଣ୍ଡି ହେବ । ତୁ ସିନା ଦେଲୁ ସିଏ ପରା ମତେ ଖୁଆଇଲା । କହିଲି-ଜାଣିଛି ଜାଣିଛି,କହିବା ଦରକାର ନାହିଁ । ନନା ମୁଚୁକୁନ୍ଦି ମାରି ହସିଲେ ।
ମଣ୍ଡପର ଗୋଟେ କଣକୁ ଠିଆ ହୋଇଛି ବାବୁନି ମିଶ୍ର । ଜୁଳୁଜୁଳୁ କରି ଚାହିଁଛି, ବର ଫଳକୁ ଗୁଣ୍ଡୁଚି ମୂଷା ଚାହିଁଲାପରି । ମୁଁ ହସିଦେଇ ପଚାରିଲି ତମର କେତେ? ସେ ଲାଜେଇ ଯାଇ କହିଲା ଯାହାଦେବେ ।
ହେଇ ନିଅ । ପିଣ୍ଡ ସାମଗ୍ରୀ, ତମର ଶ୍ରାଦ୍ଧ ଦକ୍ଷିଣା ତିରିଶି ଟଙ୍କା । ଆଉ ପଚିଶିରେ ତମେ ଅନନ୍ତ ବାସୁଦେବରୁ ଖାଇଦେବ । ନିଅ ପଞ୍ଚାବନ । ବଜେଟ କିନ୍ତୁ ପଚାଶ ଥିଲା । ଚଳିବ । ମୁଁ ପାଟିକରି କହିଲି ନନା ଯେମିତି ଶୁଣିବେ ।
ମୁଁ ଟଙ୍କାକୁ ମୁଦକରି ତା ହାତକୁ ବଢ଼େଇ ଦେଲି । ଫିସ ଫିସ ହୋଇ କହିଲି ଏଇଠି ଗଣିବନି । ଘରେ ଯାଇ ଗଣିବ । ପଇସା ନଗଣି ବି ବାବୁନି ମିଶ୍ର ଜାଣି ପକେଇଲା ପଇସା କେତେ । କୃତଜ୍ଞତାରେ ତାହା ହାତ ଥରୁଥିଲା । ଭାବିଲି, ଏତେ କୃତଜ୍ଞ ହୋଇ ପିଲାଟା ବଞ୍ଚିବ କେମିତି କେଜାଣି । ପାହାଚ ପାଖରୁ ନନା ଲମ୍ବା ଏଉଡିଟିଏ ମାରି କହିଲେ-ବଞ୍ଚିବ ବଞ୍ଚିବ । ମୁଁ ଚମକିଲି । ହସିଦେଇ କହିଲି-ପିଣ୍ଡ ମନକୁ ଗଲା କି ନାହିଁ କହିଲନି ତ?
ନନା କହିଲେ ବ୍ରାହ୍ମଣ ସନ୍ତୁଷ୍ଟ ମାନେ ତ ମୁଁ ସନ୍ତୁଷ୍ଟ ।
-ତାକୁ ଟିକେ ଆର୍ଶିବାଦ କର ନନା, ବିଚରା ବହୁତ ଅସୁବିଧାରେ ଅଛି । ତା ଭାଇର ଚାକିରୀ ନହେଲେ ତ ସେମାନେ ଭୋକରେ ମରିଯିବେ । ନନା ମତେ ତିରିଛି ନଜରରେ ଚାହିଁଲେ । କହିଲେ- ଆଶୀର୍ବାଦ କ’ଣ, ବିନା ଆଶୀର୍ବାଦରେ କ’ଣ ତୋ ପଞ୍ଚାବନ ଟଙ୍କା ତିନିଶ ପଞ୍ଚାବନ ଟଙ୍କା ହୋଇଯିବନି?
ମୁଁ ଚୋର ଭଳି ହେଲି । ଥଥ ମମ ହୋଇ କହିଲି ସତେନା କଣ! ତା ପରେ ଜାଣିସିଆଣା ହୋଇ କହିଲି-କେମିତି ମ?
ନନା ଦିଭାଡି ଦାନ୍ତ ଦେଖାଇ କହିଲେ- ମୁଁ ନାଟୁଆକୁ ତୁ ନାଟୁଆ, ଜାଣିପାରୁନୁ? କହି ମୋ ମୁଣ୍ଡବାଳକୁ ଭୁତୁରା କରିଦେଲେ । ଏତିକିରେ ମୁଁ ଫଣ୍ କିନା ରାଗିଯିବା କଥା । କିନ୍ତୁ ରାଗି ପାରିଲିନି ।
ନନା କହିଲେ-ଦେଖୁଛୁ ଯଦି ଭଲ କରି ଦେଖେ୍ । ବୁଝୁଚୁ ଯଦି ଭଲକରି ବୁଝ୍ । ଚାଲିଲି ।
ଲମ୍ବା ଲମ୍ବା ପାହୁଲ ପକେଇ ସେ ବିନ୍ଦୁସାଗର ପାଣି ଉପରେ ଚାଲି ଚାଲି ଗଲେ । ମୁଁ ଆଶ୍ଚର୍ଯ୍ୟ ହେବା ପୂର୍ବରୁ ମନେ ପଡ଼ିଗଲା ଯେ ସେ ଜଣେ ପ୍ରେତ । ଓଃ ରକ୍ଷା ମିଳିଗଲା । ଭାରି କଟର କଟର ଲୋକଟା । ତେବେ ତାଙ୍କ ଶେଷ କଥାଟା ମନେ ପଡ଼ିବାରୁ ଭାବିଲି ।
ସତକଥା ଖାଲି ଟଙ୍କାଟା ବଢ଼େଇ ଦେଲେ କ’ଣ କାମ ସରିଗଲା । କିନ୍ତୁ ତା ବ୍ୟତୀତ ଅଧିକ କ’ଣ ବା କରଣୀୟ । ପୁଣି ମୋ ଭଳି ଦୁର୍ବଳ ଲୋକ ପକ୍ଷରେ । ଅଧିକ କଲେ ଜଣକର ବ୍ୟକ୍ତିଗତ ଜୀବନରେ ଦଖଲ ଦେଲା ଭଳି ହେବନି କି?
ମୁଁ ସେ ପ୍ରସଙ୍ଗ ଆଉଡ଼େଇ ଅନନ୍ତ ବାସୁଦେବ ଗଲି । ସେଠି ପଲ ପଲ ଲୋକ ଗହଳିରେ ପେଲାପେଲି ହୋଇ ଭୋଗ କିଣିଲି । ସେତେବେଳକୁ ଆସି ଢ଼େର ବେଳ ହେଲାଣି । ମୁଁ ଭୋଗ ଧରି ଘରକୁ ଫେରିଲି । ଫେରିଲା ବେଳେ ଲକ୍ଷ୍ୟ କଲି ଯେ ମୁଁ ଘରକୁ ନଆସି ଓଲଡ଼ ଟାଉନ ଭିତରକୁ ପଶି ଆସିଛି । କିନ୍ତୁ ମୋର ତ ଇଆଡ଼େ ଆସିବାର ନଥିଲା! ମନ୍ଦିର ସାମ୍ନା ରାସ୍ତାରେ ତିନିଟା ଆଡ଼ୁଆ ଗଳି ପାର୍ ହେଲା ପରେ ଚତୁର୍ଥ ଗଳି ପାଖେ ସୁଜୁକି ଅଟକିଲା । କିନ୍ତୁ ମୋର ତ ଏଠି ଅଟକିବା କଥା ନୁହେଁ! ଗୋଟାଏ ପଇଡ଼ ବାଲା ଘରଟାକୁ ଦେଖେଇ ଦେଇ କହିଲା-ହେଇ ସେହି ଘରଟା ଲଡ଼ୁ ମିଶ୍ରଙ୍କ ଘର । ତାକୁ ପଚାରିଲି କି? କେଜାଣି ।
ଘର ଚାରିପାଖେ ରାସ୍ତା ବୁଲିଛି । ଝରକାବାଟୁ ଦିଶୁଛି ଗୋଟେ ସ୍ୱଚ୍ଛଳ ଘରର କିଛି ଦୃଶ୍ୟ-ବିରାଟ ଫି୍ରଜ୍, ଫ୍ଲାଟ କଲର ଟିଭି, ଏକ୍ସ-ୱାଇ-ଜେଡ । ଆରପଟ ଝରକାରେ ଭାସି ଆସୁଚି ବିଦେଶୀ ପପ୍ ମୁ୍ୟଜିକ । ପପ୍ ମୁ୍ୟଜିକ୍ ତାଳେ ତାଳେ ନାଚୁଛି ଯେଉଁ ପିଲାଟି ସେ କ’ଣ ବାବୁନି ମିଶ୍ର?
କାହିଁ ଗଲା ତା’ର ସେ କାକୁସ୍ଥ ରୂପ, ବିଗଳିତ ମୁଦ୍ରା, ନିଉନପଣ? ନଳୀ ଜିନ୍ ପ୍ୟାଣ୍ଟରେ ମାଇକ୍ରୋକଟନ ସର୍ଟସାର୍ଟ । ମୁ୍ୟଜିକ୍ ସହ ତାଳ ଦେଇ ନାଚୁଛି ଦେହଟି । ଝରକାକୁ ପଛକରି ସରୁ ଅଣ୍ଟାଟି ବର୍ତ୍ତୁର୍ଳାକାରରେ ଆନେ୍ଦାଳିତ ହେଉଛି । ରୋଷେଇ ଘରୁ ଭାସି ଆସୁଛି କସା ମାଂସର ବାସ୍ନା । ନାଚୁ ନାଚୁ କେତେ ବେଳେ ଉତ୍ତେଜିତ ହୋଇ ପାଟି କରୁଛି । ୟା ହୁ.. । ମୁଁ ଦୃଶ୍ୟମାନଙ୍କୁ ଦେଖୁ ଦେଖୁ ହତବାକ୍ ।
ଠିକ୍ ଏତିକି ବେଳେ ବାବୁନି ମିଶ୍ରର ସ୍ୱରରେ ସ୍ୱର ମିଶେଇ ପଛ ପଟୁ କିଏ ଜଣେ ପାଟିକଲା ୟା ହୁ… ।
ଦେଖିଲି, ମୋ ପଛରେ ଥିବା ଗୋଟେ ବରଗଛ ଚାନ୍ଦିନିରେ ଛିଡ଼ା ହୋଇ ଆମ ନନା ଅଣ୍ଟା ହଲେଇ ନାଚୁଛନ୍ତି । କହିଲି-ତମେ ଆହୁରି ଯାଇନ?
-ୟା ହୁ… ।
-ଟିକେ ସରମ ଲାଗୁ । ବୁଢ଼ାଟିଏ ହୋଇ ନାଚୁଚ? ଓଃ ଯୋଉ ତ ସୁନ୍ଦର ଦିଶୁଚ?
-ଦିଶୁନି, ୟା ହୁ… ।
-ଦର୍ପଣ ଥିଲେ ଆଣି ଦେଖେଇ ଦିଅନ୍ତି କି?
ନନା କହିଲେ- ତୁ ହିଁ ନାଚୁଚୁରେ ମାଧବ । ମୁଁ କିମ୍ବା ସିଏ କେହି ନାଚୁନୁ । ତୁ ନିଜେ ହଲୁଚୁ ତ ସେଇଥି ପାଇଁ ଅନ୍ୟମାନେ ହଲିଲା ଭଳି ଦିଶୁଛନ୍ତି । ଏବେ ଯା ମାଇପ ଆଗରେ ନାଚିବୁ । ତାକୁ ତୋ ପାରିଲା ପଣ ଦେଖେଇ ହବୁ ।
ମୋ ହାଡ଼ ଜଳିଗଲା । ଜୀବନ ସାରା ଲୋକଟା ମୋ ଭୁଲ ଦେଖେଇ ଆସିଲା । ମୋ ଘା’ ଉଖାରିଲା । ବଜ୍ଜାତ୍ ଲୋକଟା ।
ନନା ଏଥର ଯିବାକୁ ବାହାରିଲେ । ଯିବା ପୂର୍ବରୁ ବୁଲି ପଡ଼ି ଛାତ୍ରଟିଏ ଭଳି ପ୍ରଶ୍ନ କଲେ- ଆଚ୍ଛା ଆମର ଏଇ ଭୀମ ଭୋଇ କୁଆଡ଼େ ଅନ୍ଧ ଥିଲେ ପରା?
ମୁଁ ଖିଙ୍କାରି ଉଠି କହିଲି ହଁ, ମତେ ବାରମ୍ବାର କହିଲେଣି ପରା ତମ ନନାଙ୍କୁ କହୁନ, ସେ ତ ଜଣେ ବିରାଟ ଚଷମା କାରିଗର ସ୍ୱର୍ଗରୁ ତାଙ୍କ ପାଇଁ ହଳେ ଚଷମା ତିଆରି କରି ଆଣିଦେବେ । ଦବ?
ନନା ଫେଁ କିନା ହସି ଦେଇ କହିଲେ ତୋ ପାଇଁ ତ ଏତେ ଆଣିଲି ତୁ ଯାହା କୁ ସେୟା । ସେ ତ ସହଜେ ଅନ୍ଧ । କହି ସେ ଉଭେଇ ଗଲେ ।
ଗଲେ ତ ଗଲେ ମୋ ଗୋଡ଼ ଦି’ଟାକୁ ମାଟିରେ ପୋତି ଦେଇ ଗଲେ ।
ସେ ଗଲା ପରେ ମନକୁ ସ୍ୱତଃ ପ୍ରଶ୍ନଟିଏ ଆସିଲା ଆଚ୍ଛା ଭୀମ ଭୋଇ କ’ଣ ସତରେ ଅନ୍ଧ ଥିଲେ?
ହୋଇଥିବେ ।