ହଁ ଇଏ ବନ୍ଦୀର ଜୀବନ । ବନ୍ଦୀ ନୁହେଁ ତ ଆଉ କ’ଣ? କେହି ନାହିଁ କୁଆଡ଼େ । ସକାଳରୁ ସଂଜ, ସଂଜରୁ ରାତି, ପୁଣି ସକାଳ । ଦିନେ ନୁହେଁ, ସପ୍ତାହେ ନୁହେଁ, ମାସ ମାସ ହେଇ ଏମିତି କେତବର୍ଷ… ହିସାବ ନାହିଁ । ସମୟକୁ କେହି କ’ଣ ହିସାବ କରିପାରେ? ଯିଏ ଅପ୍ରତିହତ ଆଉ ନିରବଚ୍ଛିନ୍ନ. କେହି ବି ତ ବିଶ୍ୱାସ କରିପାରିବେନି । କାହାର ବିଶ୍ୱାସ ହେଉନଥିବ ମଧ୍ୟ । ମୁଁ କିନ୍ତୁ ସତ ହିଁ କହୁଛି । ଏଇମିତି ବର୍ଷ ବର୍ଷ ହୋଇ ଅନେକ ବର୍ଷ… ଅନେକ ଶ୍ରାବଣ ବର୍ଷି ଯାଇଛି, ଆଉ ମୁଁ ମୋ’ ଭିତରେ ଏମିତି ଏକୁଟିଆ, ନିଃସଙ୍ଗ ନିର୍ବାସିତ ଜୀବନ କଟେଇ ଆସିଛି । ତମେ ପଚାରିବ ହୁଏତ, କାହିଁକି ମୁଁ ଏଇମିତି ନିର୍ବାସିତ ଜୀବନକୁ ବରି ନେଇଛି? ଅବଶ୍ୟ ମୋ’ ଇଚ୍ଛାରେ ନୁହେଁ, ଅନ୍ୟର ଇଚ୍ଛାରେ ବି ନୁହେଁ… ତଥାପି ମୁଁ କହିପାରିବିନି ।
କେଉଁ ଅପରାଧ ପାଇଁ ମୋର ଏଇ ଶାସ୍ତି ମୁଁ ଜାଣେନା । ତେବେ ଅନେକ ଅନେକ ବର୍ଷ ଧରି ସତକୁ ସତ ମୁଁ ବନ୍ଦୀ ଜୀବନ ହିଁ କଟାଉଛି । ଏଇ ଧଳାଧଳା ଦର୍ପଣ ଭଳି ଚିକ୍ଚିକ୍ କରୁଥିବା ପ୍ଲାଷ୍ଟର ପ୍ୟାରିସ୍ ଦିଆ ଚିକ୍କଣ କାନ୍ଥର ବଡ଼ ବଡ଼ ଘର ଭିତରେ । ଯେଉଁଠି ନିଃସଙ୍ଗତାର ବି ଗୋଡ଼ ଖସିଯିବ ଟିକିଏ ଅସତର୍କ ହେଲେ; ସେଇ ଚଉଖୁଣ୍ଟିଆ ଫୁଲଫୁଟା ମାର୍ବଲର ଚମକୁଥିବା ଚଟାଣରେ ମୁଁ ଏକା ଏକା ନିଜ ମୁହଁକୁ ଦେଖୁଛି ।
ଏଠି ସକାଳର ଆଲୁଅ କାଚ ଝରକା ବାଟେ ପଶିଆସି ମୋ’ ସହିତ କଥା କହିବାର ପ୍ରୟାସ କରେ । ଆଉ ରାତିର ବେଣୀଅନ୍ଧାର ଝରକା କାଚର ସେପାଖେ ରହି ମୋ ଆଖିରୁ ଲୁହ ପୋଛେ । ବଡ଼ ବଡ଼ ସେଲ୍ଫ, ଆଲମାରୀ, ଫ୍ରିଜ୍, ଡାଇନିଂ ଟେବୁଲ୍, ଡ୍ରେସିଂ ମିରର, ଖଟ, ଡିଭାନ୍, ସୋଫା, ଟିଭି, ରେଡିଓ ଗ୍ରାମ୍, ସୁସଜ୍ଜିତ କିଚେନ୍ ଆଉ ଭିସିଆର୍ ଭଳି ଦାମୀ ଦାମୀ ଆଭିଜାତ୍ୟ ସମ୍ପନ୍ନ ଜିନିଷମାନ ଏଇ ଧଳା ରଙ୍ଗର ବଡ଼ ବଡ଼ କାନ୍ଥ ଥିବା ଘର ମୋତେ ବନ୍ଦୀ କରି ରଖିଛନ୍ତି ।
ମୁଁ ପବନ ଖୋଜେ । ସିଲିଂଫ୍ୟାନ୍ର ସୁଇଚ ଟିପେ । ନିଶୁନ୍ ଘର ଭିତରେ ସାଇଁ ସାଇଁ ପବନ ଛାଟି ହୋଇ ମୁଣ୍ଡପିଟେ । ହେଲେ ମୁକୁଳା ପବନ… ମୁଁ ଯାହା ସାଙ୍ଗେ ହାତ ଧରାଧରି ହେଇ ଖେଳିବାକୁ ଚାହେଁ, ସିଏ ଏଇ ଘର ଭିତରକୁ ପଶି ପାରେନା । ଅନ୍ଧାର ଆସେ… ମୁଁ କିନ୍ତୁ ଆଲୁଅ ଦେଖିବାକୁ ଚାହେଁ, ପୁଣି ସୁଇଚ୍ ଅନ୍ କରେ । ତଡ଼ି ହୋଇଯାଏ ଅନ୍ଧାର ଝରକା ସେପାଖକୁ । ତରଳ ରୂପାର ଆଲୁଅ ଅଜାଡ଼ି ହୋଇଯାଏ ଘର ଚଟାଣ ଉପରେ । ମୁଁ ଆକାଶ ଦେଖି ପାରେନା, ଜହ୍ନ ଦେଖି ପାରେନା, ଟୋପି ଟୋପିକା ପର୍ଯ୍ୟାପ୍ତ ତାରା ଦେଖିପାରେନା । ଅଥଚ ଏଇମାନଙ୍କୁ ହିଁ ମୁଁ ଦେଖିବାକୁ ଚାହେଁ ।
ଏଇଟା ମୋର ପିଲାଦିନର ସଉକ । ଆକାଶ, ଜହ୍ନ ଆଉ ତାରା ଏମାନେ ମୋ ମନରେ ସ୍ୱପ୍ନ ବୁଣି ଦିଅନ୍ତି । ମୁଁ ସ୍ୱପ୍ନ ଦେଖିବାକୁ ବି ଭଲପାଏ । ଆଜି କିନ୍ତୁ ମୁଁ ଆକାଶ ଦେଖିବାକୁ ଚାହିଁଲେ, ଧାଇଁଯିବାକୁ ପଡୁଛି ଏକ ନିର୍ଦ୍ଦିଷ୍ଟ ତିନିଫୁଟ ଲମ୍ବା ଆଉ ଦେଢ଼ଫୁଟ୍ ଚଉଡ଼ାର ଚାଖଣ୍ଡେ ବୋଲି ବାଲକୋନି ପାଖକୁ । ସେଠୁ ଚାହିଁଲେ ଆକାଶଟା ଚିରୁଡାଏ ରୁଟି ଭଳି ହିଁ ଦିଶେ । ସେଇ ଚିରୁଡାକ ଆକାଶରେ ବି ମନର ସାଇତା ସରାଗ ବୋଲି ମୁଁ ବିବର୍ତ୍ତିତ ଋତୁ ପର୍ଯ୍ୟାୟରେ ଆକାଶର ରୂପକୁ କଳ୍ପନା କରେ । ବିନ୍ଦୁରେ ସିନ୍ଦୂର କଳ୍ପନା କଲା ଭଳି । ଅଥବା ପାଣି ଭିତରେ ଅଣନିଃଶ୍ୱାସି ମାଛ ନିଃଶ୍ୱାସ ଟିକିଏ ପାଇଁ ପାଣି ଉପରକୁ ମୁଣ୍ଡ ଟେକିଲା ପରି, ମୁହୂର୍ତ୍ତେ ମୁହୂର୍ତ୍ତେ ମୁଁ ନିଃସଙ୍ଗତାର ସମୁଦ୍ର ଭିତରୁ ମୁଣ୍ଡ ଟେକି ଟିକିଏ ନିଃଶ୍ୱାସ ନିଏ, ସେଇ ଦେଢ଼ଫୁଟ ଚଉଡ଼ା ଆଉ ତିନିଫୁଟିଆ ଲମ୍ବାର ନିର୍ଦ୍ଦିଷ୍ଟ ବାଲକୋନି ଉପରେ ।
ଦେଖେ, ବଡ଼ ବଡ଼ ଅଟ୍ଟାଳିକା ସବୁ ଆକାଶକୁ ଛୁଇଁଲା ଭଳି ଠିଆ ହେଇଛନ୍ତି ହାତଟେକି । ଭଳିକି ଭଳି । ସତେକି ମୟଦାନବର ହାତଗଢ଼ା ଅନିନ୍ଦ୍ୟ ପ୍ରାସାଦ ସବୁ । ସେଠି ବି ମଣିଷ ନଥିବା ନିଶୂନ୍ ବାଲ୍କୋନି । ନହେଲେ କଦା କ୍ୱଚିତ୍ ପରୀ କିନ୍ନରୀ ଭଳି ଆଖି ଝଲସା ମଣିଷ ବାଲକୋନି ଧାରରେ ତାରା ଭଳି ଫୁଟି ଦପ୍ ଦପ୍ କରନ୍ତି । ତଳେ ଉପରେ ସବୁଠି ଫୁଲଟବ୍, ସୁଦୃଶ୍ୟ । ସବୁ ଋତୁକୁ ଏକାଠି ସିମେଣ୍ଟ ଚଟାଣ ଆଉ କମକରା ପାରାପେଟ୍ ଓ ପାଚେରି ଭିତରେ ବନ୍ଦୀ କରି ରଖିବାର ପ୍ରଚଣ୍ଡ ଅହଙ୍କାର । ପ୍ରକାର ପ୍ରକାରର ଫୁଲ । ନାଲି, ନେଳୀ, ହଳଦିଆ, ଗୋଲାପି ଶାଢ଼ିର ଓଢ଼ଣା ଭିତରୁ ଚୁପ୍ଚାପ୍ ଚାହିଁ ରହିଥାନ୍ତି ଆକାଶକୁ, ଠିକ୍ ମୋରି ଭଳି । ଅଥବା କେବେ କିମିତି ପାଖ ବାଲକୋନିର ଫୁଲକୁମାରୀମାନଙ୍କ ସହିତ ଆଳାପ କରିବା ପାଇଁ ହାତ ଲମ୍ବେଇ ଦେଇଥାନ୍ତି ପାରାପେଟ୍ ସନ୍ଧିରୁ । ମୁଁ ଆଳାପ କରି ପାରେନା ସେମାନଙ୍କ ସହିତ; ଆଭିଜାତ୍ୟର କମକରା ପାଚେରି ବାଟ ଓଗାଳେ । ମୁଁ କେବଳ ଦେଖେ, ଆଉ ମଣିଷ ଖୋଜେ ।
ମଣିଷ ଖୋଜୁ ଖୋଜୁ ହଠାତ୍ ଥରେ ଥରେ ଦେଖେ, ସେଇ ମୟତିଆରି ପ୍ରାସାଦମାନଙ୍କ ଭିତରୁ ଫୁଲ ସଂଜର ମାଛି ଅନ୍ଧାରରେ ଟୁପ୍ଟାପ୍ ଫୁଲ ଫୁଟିଲା ପରି କିମ୍ବା ସଂଜୁଆ ଆକାଶରେ ପହିଲୁ ତାରା ମୁହଁ ଦେଖେଇଲା ଭଳି ତୁନିତାନି ମଣିଷ କେଇଟା ମୁହଁ ଦେଖାନ୍ତି, ସଂଜସକାଳେ ସମୟ କଣ୍ଟରେ କଣ୍ଟିଲା ଭଳି । ପୋର୍ଟିକୋରେ ଗାଡ଼ି ଲାଗେ । ପଲକ ପଡ଼ିବା ଆଗରୁ କିମିଆ କଲାପରି ରଜାଝିଅ ରଜାପୁଅମାନେ ନିମିଷକେ ଉଭେଇଯା’ନ୍ତି ପକ୍ଷୀରାଜ ଘୋଡ଼ାରେ ଚଢ଼ି ।
ରାସ୍ତା ଉପରେ ସାଇଁ ସାଇଁ ଗାଡ଼ି ଚାଲେ । ଗତିର ଯୁଗ ଇଏ । ଗତି ହିଁ ଜୀବନ । ଗତି ସୂଚେଇ ଦିଏ ତୁମେ କେତେ ପାରିବାର । ଗତି ଦେଖେଇ ଦିଏ, ସାବ୍ୟସ୍ତ କରେ ରାସ୍ତା ଗୋଟା ଟା ତା’ର, ସେଇଯିବ । ସତରେ! ସେମାନଙ୍କର ସବୁ ଜୀବନ ଅଛି । ମୁଁ ବି ଗତିକୁ ଭଲପାଏ, ଗତି ଚାହେଁ । ପାରିଲା ପୌରୁଷର ଆରାଧନା କରିବାକୁ ମନ ଡାକେ । କିନ୍ତୁ ଆଜି ମୁଁ ଛଟପଟ ହେଉଛି ଏଇ ଫ୍ରିଜ୍କଲା ଜୀବନକୁ ନେଇ ।
ମୁଁ ମଣିଷ ଖୋଜେ । ହତାଶ ହେବା ଆଗରୁ ଝରକା ଖୋଲି ବାହାର ପୃଥ୍ୱୀକୁ ଚାହିଁବାକୁ ପ୍ରୟାସ କରେ । ହେଲେ… ମୋ’ ପୃଥିବୀ ଯେ ସଂକୁଚିତ, ନିର୍ଦ୍ଧାରିତ । ମୋ’ ଫ୍ଲାଟର ପାଚେରିକୁ ଲାଗି ଘରଟିଏ, ବେଶ୍ ବଡ଼ । ବୋଧେ ଅନେକ କୋଠରୀ ତା’ ଭିତରେ । ମଣିଷ ବି ଅନେକ ଥିବେ । ମୁଁ ଦେଖି ପାରେନି । କେବଳ ବୁଢ଼ାଟିଏ, ପଙ୍ଗୁ । ନିତିଦିନ ତାକୁ ହିଁ ମୁଁ ଦେଖେ । ହୁଏତ ଷ୍ଟ୍ରୋକ୍ରେ ସମୟ ତାକୁ ଅପାରଗ କରିଦେଇଛି । କଥା କହିପାରେନି, ଠାରେ । ସତର ଅଠର ବର୍ଷର ଚାକର ଟୋକାଟିଏ ସକାଳୁ ଓ ସଂଜରେ ତାକୁ ନିର୍ଦ୍ଦିଷ୍ଟ ଚଉକିଟି ଉପରେ ବସେଇ ଦେଇଯାଏ, କିଛି ସମୟ । ବୁଢ଼ା ଚାହେଁ ଉପରକୁ । ବୋଧହୁଏ ମୋରି ବାଲକୋନିକୁ, ହୁଏତ ମଣିଷ ମୁହଁ ଦେଖିବ ବୋଲି! ମୁଁ ଉହୁଁକି ତାକୁ ଚାହେଁ । ସେ ତା’ର ବଙ୍କା ହେଇଯାଇଥିବା ଓଠରେ ହସେ । ମୋତେ ଲାଗେ, ଠିକ୍ ଏଇ ବାଲକୋନିର ଧାରେ ଧାରେ ଟବ୍ମାନଙ୍କରେ ଫୁଟି ସମୟ ଧାସରେ ମୁରୁଜେଇ ପଡ଼ିଥିବା ବାସି ଫିକା ରଙ୍ଗର ଫୁଲମାନଙ୍କ ଭଳି ସେଇ ହସ, ନିର୍ଜୀବ, ନିସ୍ତେଜ । ବିଚରା ବୁଢ଼ାଟି ମୋତେ ଚାହିଁରହେ ବାଲୁବାଲୁ କରି । ଯେମିତି ମୋତେ ଚାହିଁ କିଛି କହିବ ଅଥବା ମୋତେ ହିଁ ଅପେକ୍ଷା କରିଛି ଦେଖିବ ବୋଲି । କିଛି କହିପାରୁନଥିବାର ଯନ୍ତ୍ରଣା ତା’ ମୁହଁ ଆଉ ଆଖିରୁ ମୋ ଆଡିକି କ୍ରମଶଃ ସଂକ୍ରମି ଆସେ । ମୋ’ ଭିତରେ ଯନ୍ତ୍ରଣାର କାଦୁଅ ଚକଟିବାର ଅନୁଭୂତିକୁ ମୁଁ ଅନୁଭବ କରେ । ଭାବେ, ଦିନଥିବ ବୁଢ଼ାଟିର ସବୁକିଛି ଥିବ । ପ୍ରତିଷ୍ଠା, ପ୍ରତିପତ୍ତିର ଭିତ୍ତି ଉପରେ ମଜଭୂତ ଥିବ ସ୍ଥିତି । ସମସ୍ତେ ଚାହିଁ ବସିଥିବେ ତା’ ଇସାରାକୁ । କିନ୍ତୁ ଆଜି… ସମୟ ସବୁ କାଢ଼ି ନେଇଛି । ଏବେ ସିଏ କେଡେ ଏକୁଟିଆ, ଅସହାୟ ଆଉ ଅପାଂକ୍ତେୟ ବି ।
ମୋତେ ଉଦାସ ଲାଗେ । ହଠାତ୍ ମୁଁ କେମିତି ଭିନ୍ନ ଏକ ମଣିଷ ହେଇଯାଏ । ମୁହଁ ବୁଲାଇ ନିଏ ମୁଁ । ତାକୁ ଦେଖିବାକୁ ଭଲ ଲାଗେନି । ରାସ୍ତାକୁ ଚାହେଁ ବେକ ଲମ୍ବେଇ । ସେଠି ଥିବା ବୁଢ଼ା ଆମ୍ବ ଗଛର ଡାଳରେ ସାଇକଲ ଟାୟାରକୁ ଯୋଡ଼ି ଯୋଡ଼ିକା ବଙ୍କା ତେଢ଼ା ଦୋଳିଟିଏ ବାନ୍ଧିଦେଇଛି ବିଚରା ଗରିବ ବାପ, ତା’ ଏକୋଇରବଳା ପୁଅକୁ ଦୋଳିରେ ବସେଇ ଝୁଲେଇବ ବୋଲି । ହୁଏତ ତା’ର ସବୁ ସୁଖ ସମ୍ଭାବନାକୁ ସେ ଗୁନ୍ଥି ଦେଇଛି ସେଇ ଟାୟାର ଯୋଡ଼ା ଝୁଲନ୍ତ ଦୋଳିରେ । ବାପୁଡ଼ା ଧୋବା ଆମ୍ବଗଛର ଟୋପିଟୋପିକା ଛାଇ ତଳେ କାଠକେବିନ୍ ଭିତରେ କେତେ ଅବା ସୁଖ ସମ୍ଭାବନା ସଞ୍ଚି ରଖିଥିବ ତା’ ବିଶିକେସନ ପାଇଁ! ତଥାପି… ମୋ ଆଖି ତାକୁ ଖୋଜେ । ସିଂଘାଣି ସାଲୁବାଲୁ ଦରନଙ୍ଗଳା କାଳିଆମୁଗୁନି ଭଳି ଗୁବୁଲିଗାବୁଲି ସେଇ ଧୋବା ପିଲାଟିର ପ୍ରାଣ ଉଛୁଳା ହସନ୍ତ ମୁହଁକୁ ଦେଖିବା ପାଇଁ । ହେଲେ… ମୋ ପାଇଁ ତ ଥୁଆ ହେଇଛି ଏକ ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ ଭାଗ୍ୟ ଗାର କାଟିଲା ଭଳି, ବହିର ଦାଗ ହେଲା ଭଳି ।
ମୋ’ ଆଖି ଧୋବାପୁଅଟିର ହସନ୍ତ ମୁହଁ ଦେଖିବା ଆଗରୁ ଆମ୍ବଗଛର ଡାଳରେ ହିଁ ଅଟକି ରହେ ସବୁଦିନ ଭଳି । ସେଠି ସେଇ ଡାଳରେ ଏକୁଟିଆ ଦରଭଙ୍ଗା ନୀଡକୁ ଆଶ୍ରା କରି, ସେଇ ଡାଳରେ ତୁନିତାନି ଜଗିବସିଥାଏ କୁଆଟିଏ । ସିଏବି ପଙ୍ଗୁ । ଗୋଟିଏ ଗୋଡ଼ । ଅନ୍ୟ ଗୋଡ଼ଟି ମୋଡ଼ିମାଡ଼ି ହେଇ ପଶିଯାଇଛି ପେଟର ଭିତର ଆଡ଼କୁ । ଡେଣାଟିକୁ ବି ଅନ୍ୟକୁଆମାନେ ବୋଧହୁଏ ଖୁମ୍ପିଖାମ୍ପି କ୍ଷତାକ୍ତ କରିଦେଇଛନ୍ତି ନିଷ୍ଠୁର ଭାବେ । ଜୋରଯା’ର ମୁଲକ ତାର- ସେଇ ହିଁ ବଞ୍ଚିବ- ସଂସାରର ନିୟମ ଇଏ ।
ଆହା! ବିଚରା ଏକା ବସିଚି । କେତେବେଳେ କିମିତି ଖଣ୍ଡିଉଡ଼ା ଦେବାର ପ୍ରୟାସ କରୁ କରୁ କ୍ଲାନ୍ତ ହେଇ ବସିପଡୁଛି । ଜୀବନ ସଂଗ୍ରାମର ଶେଷ ନାହିଁ । ତା’ ଚାରିପାଖ ପୃଥିବୀରେ ଖାଦ୍ୟ ଆଉ ସମ୍ଭାବନାମାନେ ବିଛାଡ଼ି ହେଇ ପଡ଼ିଛନ୍ତି ଅଥଚ, ତା’ ପାଖକୁ ଦାନାଟିଏ ପହଞ୍ଚିପାରୁନି । ପାରିଲାର ଏଇ ପୃଥିବୀ । ବିଚରା ଖାଇଚି କି ନାହିଁ କେଜାଣି! ମୋ ଛାତି ଭିତରଟା ଦଳିଚକଟି ହେଇଯାଏ କି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ।
ମୁଁ କିନ୍ତୁ ଯନ୍ତ୍ରଣାକୁ ଦେଖିବାକୁ ଚାହେଁନା । ନିଃସଙ୍ଗତାକୁ ବି ମୁଁ ସଙ୍ଖୋଳିବାକୁ ଚାହେଁନା । ଚାହେଁନା ମଧ୍ୟ ଏଇ ନିର୍ଜୀବ, ମୃତପ୍ରାଣ ଜୀବନମାନଙ୍କୁ ନିତିନିତି ନିରେଖିବାକୁ । ମୋତେ ଏଣିକି ଅସହ୍ୟ ଲାଗେ । ତେଣୁ ମୁଁ ଘରର ଦୁଆର ଝରକା ବନ୍ଦ କରିଦିଏ ।
ଘରର ଦୁଆର ଝରକା ସିନା ବନ୍ଦ କରିଦିଏ, ହେଲେ ମନର କବାଟ ତ ବନ୍ଦ କରିପାରେନା । ଛୋଟା କେମ୍ପିକୁଆ ହେଉ କି ପାରାଟିଏ ହେଉ ପଙ୍ଗୁ ପକ୍ଷାଘାତ ଗ୍ରସ୍ତ ସେଇ ବୁଢ଼ାଟି ହେଉ କିମ୍ବା ଚଉବାହାଙ୍କୁ ଡାକି ଡାକି ଭିକ୍ଷା ମାଗୁଥିବା ଅନ୍ଧ କୁମ୍ଭିପାଟୁଆ ନିଧି ମଉସା ହେଉ, ସେମାନଙ୍କ ମୁହଁରେ ମୋ ଅସହାୟତା ଫୁଟିଉଠେ ଯେମିତି । ମୋତେ ମୁଁ ଦେଖେ । ମୋ ମନର ମୁକୁଳା ଦରଜା ବାଟେ ନିର୍ଜନତା ଆଉ ନିଛାଟିଆପଣ ହାତ ଧରାଧରି ହେଇ କିତ୍କିତ୍ ଖେଳନ୍ତି । ଆବିଷ୍କାର କରେ ନିଜକୁ । … ମୁଁ ଦୀର୍ଘଶ୍ୱାସ ଛାଡେ ।
ସତରେ ମୁଁ ମଣିଷ ଦେଖିବାକୁ ଚାହେଁ । ଜୀବନ୍ତ, ଝଲଝଲ, ପ୍ରାଣୋଚ୍ଛ୍ୱଳ । ଅଫୁରନ୍ତ ପ୍ରାଣରସରେ ଭରା ଜୀବନ । ମୁଁ କିନ୍ତୁ ଜୀବନ ଖୋଜି ପାଏନା । ମନ ମାଫି ଜୀବନ । ଜହ୍ନରାତି ଭଳି ଜୀବନ । ଏଇ ସହର ମୋତେ ସେଇ ଜୀବନ ଟିକିଏ ଦେଇପାରେନା । କେବଳ କୁଢ଼ କୁଢ଼ ଅସହାୟତା, ଫସଲକଟା କିଆରିର ଖାଁ ଖାଁ ନିଶୁନତା ଆଉ ବୋଝ ବୋଝ ଏକଲାପଣକୁ ଅଜାଡ଼ି ଦିଏ ମୋ’ ଚାରିପାଖେ । ମୁଁ ଅଣନିଃଶ୍ୱାସି ହେଇଯାଏ । ଦୁର୍ବହ ଲାଗେ ଏ ଜୀବନ । ନିର୍ଜନତା ସହିତ କେତେକଥା କହିବି? ମୁଁ ମଣିଷଟିଏ । ଗୋଟାଏ ମନ ହୃଦୟ, ଆଉ କିଛି ଇଚ୍ଛା, କିଛି ସ୍ୱପ୍ନ ଥିବା ମଣିଷଟି । ଅଥଚ ସମେସ୍ତ ବନ୍ଦୀ ହେଇଯାଇଛନ୍ତି । ଏଇ ସତର ବାଇ ପନ୍ଦରର ନିଖୁଣ ମାପକରା ବଡ଼ ବଡ଼ ଚିକ୍କଣ ପାଲିସ୍ କରା ଘର- ଅସୁରୁଣୀର କିମିଆ ଜାଲରେ ଯେମିତି ବନ୍ଦୀ ହୋଇଯାଇଛନ୍ତି । ମୁଁ ମୁକ୍ତି ଖୋଜୁଛି ମୁକୁଳିବାକୁ ଚାହୁଁଛି । ସତରେ ମୁଁ ବଡ଼ ଏକା । ଏକାନ୍ତ ଭାବେ ଏକା ଏକୁଟିଆ । ଏଇ ମୁହୂର୍ତ୍ତରେ ୟା’ଠୁ ବଳି ନିଷ୍ଠୁର ସତ୍ୟ ବି ତ ଆଉ କିଛି ନାହିଁ ।