ତାରାଟିଏ ପରି
କୁଆଡ଼େ ହଜିଗଲ
ତୁମ ନୀଳଗ୍ରଂଥର ଆକାଶରେ ।
ଏଇ ଚାହିଁଥିଲି
ତୁମେ ଜଳୁଥିଲ
ଅନିର୍ବାଣ କୁଆଁ ତାରାଟି ପରି
ମୁହୂର୍ତ୍ତେ ପାଇଁ ଆଖି ବୁଜି ଦେଲି
ତୁମେ ଲୁଚିଗଲ
କେଉଁ ଅବ୍ୟକ୍ତ ଅନ୍ଧାରରେ
ଭିଜିଭିଜି ଅଭିମାନର ବର୍ଷାରେ!
ତୁମର ସେ ଉଦ୍ଭାସ ଉଜ୍ଜ୍ୱଳତାରେ
ମୁଁ ନିଷ୍ପ୍ରଭ ହୋଇଗଲି
ତୁମେ କେଉଁଠି ଗୁମ୍ ହୋଇଗଲ
ଗୋଟାଏ ଗୁମ୍ସୁମ୍ ରାତିପରି!
ତୁମେ ଉଭେଇ ଗଲ
ପାଟିର ମୋହ କାଟି
ଉଜ୍ଜ୍ୱଳ ନକ୍ଷତ୍ରଟିଏ ହୋଇ
ଯିଏ ଚିରଦିନ ଜଳୁଥିବ
ମୋ’ ଆଖିରେ
ଲୁହର ମେଘ ହୋଇ
ନିରୁକ୍ତ ବେଦନାର ବର୍ଷାରେ
ପ୍ରତି ମୁହୂର୍ତ୍ତରେ
ମତେ ଗାଧୋଇପାଧୋଇ ।
ଈଶ୍ୱରୀ,
ତମେ ମାଟିର ମଣିଷ ନୁହ
ଈଶ୍ୱରଙ୍କ ଈଶ୍ୱରୀ ହିଁ ତମେ
ତମେ କିଆଁ ରହିଥାନ୍ତ
ଏଠି ଏତେ କାଳ
ଆମ ଭିତରେ ମଣିଷ ହୋଇ ଜଣେ!!