ପ୍ରକୃତି ଦେଇଛି ଆମକୁ ଅନେକ ଉପହାର । ଆମକୁ ସୁସ୍ଥ ରଖିବା ପାଇଁ ଏସବୁ ପ୍ରାକୃତିକ ଉପହାର ଅତୁଳନୀୟ । ସେଥିମଧ୍ୟରୁ ଗୋଟିଏ ଅନବଦ୍ୟ ଉପହାର ହେଲା ରସୁଣ । ରସୁଣକୁ ନେଇ ଆମ ନିକଟରେ ଅଛି ଅନେକ କଥା, କଥନିକା । ଯେମିତିକି ରସୁଣ ଦଶଜଣ ମା’ ସହ ସମାନ, ପ୍ରତିଦିନ ରସୁଣ ଖାଅ- ଅସୁସ୍ଥତାରୁ ମୁକ୍ତି ପାଅ- ଏମିତି କେତେ କ’ଣ? ପ୍ରାକୃତିକ ଚିକିତ୍ସକ ଓ ତୁଟୁକା ଔଷଧ କଥା କହୁଥିବା ଜେଜେମା’ଙ୍କ କହିବା କଥା ଯେ, ରସୁଣରେ ଅଛି ବିସ୍ମୟକାରୀ ଗୁଣ । ଆଧୁନିକ ବୈଜ୍ଞାନିକମାନେ ବି ରସୁଣରେ ଥିବା ଅନେକ ଔଷଧୀୟ ଗୁଣର ଉଦ୍ଭାବନ କରିଛନ୍ତି ଓ ସେମାନଙ୍କ ମତରେ ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ନିଦାନ ରହିଛି ରସୁଣରେ ।
ପ୍ରତିଟି କୋଲା ରସୁଣରେ ଭରିରହିଛି ଅନେକ ପ୍ରକାରର ଜଳରେ ଦ୍ରବିଭୂତ ହୋଇପାରୁଥିବା ଭିଟାମିନ୍, ଏଞ୍ଜାଇମ୍, ଆମିନୋ ଏସିଡ୍, ପ୍ରାକୃତିକ ଶର୍କରା । ଏଥିରେ ମଧ୍ୟ ତୈଳରେ ଦ୍ରବିଭୂତ ହୋଇପାରୁଥିବା ଆମିନୋ ଏସିଡ୍ରୁ ସୃଷ୍ଟ ଗନ୍ଧକ ବା ସଲଫର-ସମୃଦ୍ଧ ଯୌଗିକତତ୍ତ୍ୱ ‘ଆଲୀନ୍’ ରହିଥାଏ । ଏହି ଆଲୀନ୍ ହିଁ ରସୁଣ ମଧ୍ୟରେ କଡ଼ା ବାସ୍ନାଯୁକ୍ତ ‘ଆଲିସିନ୍’ ସୃଷ୍ଟି କରିବାରେ ସାହାଯ୍ୟ କରେ ଓ ରସୁଣକୁ ରୋଗନିବାରଣ ଔଷଧୀୟ ଗୁଣ ପ୍ରଦାନ କରିଥାଏ । ରସୁଣ ଭିତରେ ଗନ୍ଧକ ନଥିଲେ ହୁଏତ ଏହାର ଦୁର୍ଗନ୍ଧ ବା କଡ଼ାଗନ୍ଧ ନଥାନ୍ତା । କଡ଼ାଗନ୍ଧ ସତ୍ତ୍ୱେ, ଆମକୁ ରସୁଣକୁ ଆଦରିନେବାକୁ ପଡ଼ିବ, କାରଣ ଏଥିରେ ଥିବା ଔଷଧୀୟ ଗୁଣ ଅନନ୍ୟ ଓ ଅପାର, ଯାହାକୁ କଡ଼ାଗନ୍ଧ କାରଣରୁ ଆମେ ହତାଦର କରିପାରିବା ନାହିଁ ।
ରସୁଣର ଔଷଧୀୟ ଗୁଣ
ରସୁଣରେ ଥିବା ଗୁଣ ମଧ୍ୟରୁ ଆଣ୍ଟିସେପ୍ଟିକ ଗୁଣଟି ଘା’ ଶୁଖାଇଦେବା ପାଇଁ ଉପାଦେୟ । ଶୀଘ୍ର ଖଣ୍ଡିଆ ଘା’ ଶୁଖାଇବା ପାଇଁ ରସୁଣକୁ ଅନେକେ ପ୍ରୟୋଗ କରନ୍ତି । କେବଳ ଆମର ତ୍ୱଚା ଉପର ଘା’ ନୁହେଁ, ଏହା ଅନେକ ପ୍ରକାର ସଂକ୍ରମଣ ଯଥା- ଥଣ୍ଡା, କଫ, ଫୁଲା ଆଦି ରୋଗ ସଂକ୍ରମଣକୁ ପ୍ରତିହତ କରିପାରେ । କଞ୍ଚା ରସୁଣକୁ କାଟି ଦିନକୁ ୩ଥର ଖାଦ୍ୟ ସହିତ ଖାଇଲେ ଉପଷମ ମିଳେ । କିଛି ଗବେଷଣାରୁ ଜଣାଯାଇଛି ଯେ, କର୍କଟ ରୋଗର ପ୍ରତିଷେଧକ ତତ୍ତ୍ୱ ରସୁଣରେ ରହିଛି । ଏଣୁ ପ୍ରତିଦିନ ରସୁଣ ଖାଉଥିବା ବ୍ୟକ୍ତିଙ୍କୁ କର୍କଟରୋଗ ଗ୍ରାସ କରିବାର ଆଶଂକା କମ୍ । ଉଚ୍ଚ ରକ୍ତଚାପ କମାଇବା ପାଇଁ ଆମେ ରସୁଣକୁ କଞ୍ଚା କିମ୍ବା ରନ୍ଧନ କରି ଖାଇପାରିବା । ଏହା ହୃଦୟ ଓ ଧମନୀୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କ୍ଷତିକାରକ କୋଲେଷ୍ଟୋଲ ମାତ୍ରାକୁ ରସୁଣ କମାଇପାରେ ଓ ଧମନୀ ମଧ୍ୟରେ ଚର୍ବି ଜାତୀୟ ପଦାର୍ଥ ଜମିବାକୁ ଦିଏନାହିଁ । ଏହା ରକ୍ତକୁ ପତଳା କରେ, ଖଣ୍ଡିଆ ସ୍ଥାନରେ ରକ୍ତ ଜମାଟ କରେ, ରକ୍ତ ସଞ୍ଚାଳନ ସଠିକ୍ କରେ ଓ ରକ୍ତଚାପକୁ ନିୟନ୍ତ୍ରିତ କରେ । ପ୍ରତିଦିନ ରସୁଣ ଖାଉଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ । ସହଜରେ ଏମାନଙ୍କୁ ରୋଗ ଆକ୍ରମଣ କରିପାରେନା, ଯଦିବା କରେ ଶୀଘ୍ର ସୁସ୍ଥତା ମଧ୍ୟ ଆସିଥାଏ । ଶ୍ୱାସନଳୀ ସଂକ୍ରମଣ ‘ବ୍ରୋଙ୍କାଇଟିସ୍’, ଫୁସ୍ଫୁସ୍ ସମ୍ବନ୍ଧିତ ବିଭିନ୍ନ ରୋଗ ଓ ସମସ୍ୟା ଆଖିରେ ପରଳ ପଡ଼ିବାକୁ ରସୁଣ ଦିଏ ନାହିଁ । ନାକ ରୁନ୍ଧି ହେଉଥିଲେ ଓ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିଲେ, ରସୁଣର ବ୍ୟବହାର କରାଯାଏ । ଅନେକ ପ୍ରକାର ରୋଗ ଯଥା- ନାବିକମାନଙ୍କର ସ୍କର୍ଭ, ଆସ୍ଥମା, ହିଷ୍ଟରିଆ (ଉନ୍ମାଦ ରୋଗ) ପାଇଁ ବହୁ ଉପାଦେୟ । ଆଗରୁ କହିଥିଲୁ ଯେ ରସୁଣ ଖାଇଲେ ଓ ବ୍ୟବହାର କଲେ ତ୍ୱଚା ଉପରେ ଥିବା ଘା’ କେବଳ ଭଲହୁଏ ନାହିଁ; ବରଂ ତାହା ଅପେକ୍ଷା ଆହୁରି ଅଧିକ ଉପକାରରେ ଆସେ । ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତ୍ୟହ ରସୁଣ ଖାଉଥିବା ବ୍ୟକ୍ତିଙ୍କର ଖାଦ୍ୟନଳୀ ବିଲକ୍ଷଣମାନ ଉପଶମ ହୋଇଥାଏ । ପେଟସଫା ହେବା ପାଇଁ ରସୁଣ ଏକ ମହୌଷଧି । ବାୟୁଦୋଷ, ପେଟଭିତରେ ବଢ଼ୁଥିବା ପରାଙ୍ଗପୁଷ୍ଟ ବିଭିନ୍ନ ପ୍ରକାର ଏକକୋଷୀ ଜୀବଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜିଆଡିଆ କୃମି ତଥା ଖାଦ୍ୟନଳୀ ସଂକ୍ରମଣ ଦୂରକରିବାକୁ ରସୁଣ ସମର୍ଥ । ଏଣୁ ବୈଜ୍ଞାନିକମାନେ ଆମେ ପ୍ରତ୍ୟେକ ଦିନ ପ୍ରାୟ ୪ଗ୍ରାମ୍ ତଟକା ରସୁଣ ଖାଇବାକୁ ଉପଦେଶ ଦିଅନ୍ତି । ଅର୍ଥାତ୍ ପ୍ରତ୍ୟେକ ଦିନ ଗୋଟିଏରୁ ଦୁଇଟି ରସୁଣ କୋଲା ଖାଇଲେ ନିଜକୁ ସୁସ୍ଥ ରଖିପାରିବା ବୋଲି ସେମାନେ ମତ ଦିଅନ୍ତି ।
ରସୁଣର ଅପାରଗୁଣ ବର୍ଣ୍ଣନାକୁ ନେଇ ଅନେକ ଚମକପ୍ରଦ ଐତିହାସିକ ତଥ୍ୟ ଲିପିବଦ୍ଧ ହୋଇରହିଛି । ଏହାର ଔଷଧୀୟ ଗୁଣ ବିଷୟରେ ହଜାର ହଜାର ବର୍ଷ ଆଗରୁ ମାନବ ସଭ୍ୟତା ଜାଣିଥିଲା ଓ ଏହାର ପ୍ରୟୋଗ କରିଆସିଥିଲା । ଖ୍ରୀଷ୍ଟପୂର୍ବ ୩୦୦୦ ସମୟରୁ ଚୀନର ବିଦ୍ୱାନମାନେ ରସୁଣର ଗୁଣଗାନ କରିଥିବାର ପ୍ରମାଣ ରହିଛି । ମିଶରର ପିରାମିଡ଼ ନିର୍ମାଣ କରିଥିବା ଶ୍ରମିକମାନେ ପ୍ରତ୍ୟହ ମୁଖ୍ୟତଃ ରସୁଣ ଓ ପିଆଜ ଖାଇ ବଞ୍ଚୁଥିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ଆହତ ସୈନ୍ୟମାନଙ୍କ ଆଘାତପ୍ରାପ୍ତ ଘା’ଗୁଡ଼ିକୁ ଶୀଘ୍ର ଭଲ କରି ଶୁଖାଇଦେବା ପାଇଁ ତଥା ଘା’ଗୁଡ଼ିକ ଅଧିକ ସଂକ୍ରମିତ ନହେବା ପାଇଁ ରସୁଣ ବ୍ୟବହାର କରାଯାଉଥିଲା । ୧୯୬୩ ମସିହାରେ ସୋଭିଏତ୍ ୟୁନିଅନ୍ରେ ହୁହୁ ହୋଇ ବଢ଼ିଯାଉଥିବା ଫ୍ଲୁ ରୋଗ ନିବାରଣ ପାଇଁ ରସୁଣକୁ ବ୍ୟବହାର କରାଯାଇଥିବାର ତଥ୍ୟ ରହିଛି ।
ଏଣୁ ନିଜକୁ ରୋଗମୁକ୍ତ, ସୁସ୍ଥ ରଖିବାକୁ ଏବଂ ଆନନ୍ଦମୟ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇଲେ ନିଶ୍ଚୟ ଭଲ ହେବ । ରସୁଣ ଖାଇଲେ, ଏହାର କିଛି ବି ପାଶ୍ୱର୍ ପ୍ରତିକି୍ରୟା ନଥିବାରୁ ଏହା ସମସ୍ତଙ୍କ ପାଇଁ ଉପାଦେୟ । ରସୁଣ ଏକ ପ୍ରାକୃତିକ ଫସଲ । ଏହାକୁ ରାସାୟନିକ ସାର, କୀଟନାଶକ ବ୍ୟବହାର ନକରି ମଧ୍ୟ ଚାଷ କରାଯାଇପାରେ ଓ ଆମ ଜଳବାୟୁରେ ପ୍ରଚୁର ଅମଳ ମଧ୍ୟ ହୋଇପାରେ । ପ୍ରକୃତିର ବରଦାନ ଓ ଆମ ପାଇଁ ଅନନ୍ୟ ଉପହାର ଭାବେ ଆମେ ରସୁଣକୁ ବ୍ୟବହାର କରିପାରିବା । ରସୁଣର ଗନ୍ଧ ଟିକେ କଡ଼ା ଓ ଅନେକେ ଏହାକୁ ସହିନପାରିବା କାରଣରୁ ଖାଇବାକୁ ଅମଙ୍ଗ ହୁଅନ୍ତି । ସେମାନଙ୍କ ପାଇଁ କ୍ୟାପସୁଲ ଆକାରରେ ଔଷଧ ଦୋକାନରେ ରସୁଣର ବିଭିନ୍ନ ଔଷଧ ମିଳୁଛି । ବ୍ୟବହାର କରି ସୁସ୍ଥ ରହନ୍ତୁ, ନିରୋଗ ରହନ୍ତୁ ।