ଭଦ୍ରମହିଳା ଡ୍ରଇଂରୁମ୍ରୁ ଥାଇ ଚିକ୍ରାର କଲେ- ଶୁଣୁଛ, ଜଣେ ନୂଆ ଭଡ଼ାଟିଆ ଆସିଛନ୍ତି ।
ଅଳ୍ପ ସମୟ ପରେ ମୟୂରକଣ୍ଠିଆ ଖୋର୍ଦ୍ଧା ଲୁଙ୍ଗି ଆଉ ଫତେଇ ପିନ୍ଧା ଜଣେ ଷାଠିଏ ପଁଷଠି ବର୍ଷର ବୃଦ୍ଧ ଆସି ଭଦ୍ରମହିଳାଙ୍କ ବାଁପଟେ ପଡ଼ିଥିବା ଚେୟାରରେ ବସିଲେ । ସେ ବସିବା ପରେ ଭଦ୍ରମହିଳା କୌଣସି ଭୂମିକା ନନେଇ ଯୁଧିଷ୍ଠିର ଉଦେ୍ଦଶ୍ୟରେ ସିଧା ଆରମ୍ଭ କରିଦେଲେ- ଘର ତ ପସନ୍ଦ ହେଲା, ଭଡ଼ା ଟଙ୍କାଟା ଜାଣିଛନ୍ତି ତ ?
– ନା । ଜାଣିନି । ଯୁଧିଷ୍ଠିର ଜବାବ୍ ଦେଲା ।
ଭଦ୍ରମହିଳା ନିଃସଂକୋଚରେ ପ୍ରକାଶ କଲେ- ଭଡ଼ା ୫ହଜାର । ପାଣି, ଲାଇଟ୍ ଅଲଗା । ଆପଣଙ୍କ ପାଇଁ ଅଲଗା ମିଟର ବସିଛି ।
ଯୁଧିଷ୍ଠିର ଭଡ଼ାର ପରିମାଣ ଶୁଣି ଆନନ୍ଦ ମନରେ ସମ୍ମତି ଜଣାଇବାରୁ ଭଦ୍ରମହିଳା ତା’ ଉପରକୁ ସେଇ ବିସ୍ଫୋରକ ପ୍ରଶ୍ନଟି ନିକ୍ଷେପ କଲେ- ଆପଣ ବାହା ହୋଇଛନ୍ତି ତ ? କାହିଁକିନା ଫ୍ୟାମିଲି ନେଇ ନରହିଲେ ଆମେ ଘର ଦବୁନି । ଆମ ଘରେ ବଢ଼ିଲା ଝିଅ ଅଛି ।
ଏଇ ପାରମ୍ପରିକ ପ୍ରଶ୍ନରେ ଯୁଧିଷ୍ଠିରର ଫ୍ୟୁଜ୍ ଗନ୍ ! ଏଇ ପ୍ରସଙ୍ଗଟିକୁ ଏଡ଼ାଇଯିବ ବୋଲି ସେ ମନେ ମନେ ସ୍ଥିର କରି ନେଇଥିବା ବେଳେ ହାଇଭୋଲ୍ଟେଜ୍ର ଏଇ କରେଣ୍ଟ ଫୁ୍ୟଜ୍ ଉଡ଼େଇଦେଲା । ସେ କ’ଣ ଉତ୍ତର ଦେବ ହଠାତ୍ କିଛି ସ୍ଥିର କରି ନପାରି ଅଳ୍ପ କେଇ ମୁହୂର୍ତ୍ତ ଚିନ୍ତାକଲା ।
ଭଦ୍ରମହିଳା ତାକୁ ଚିନ୍ତିତ ଥିବାର ଦେଖି ପୁଣି ସେଇ ପ୍ରଶ୍ନଟିକୁ ଦୋହରାଇଲେ- ଆପଣ ଏକା ରହିବେ ନା ପିଲାପିଲିଙ୍କୁ ନେଇ ରହିବେ?
– ମୁଁ ଏକା ରହିବି ।
ଏ ଉତ୍ତରରେ ଭଦ୍ରମହିଳା ନିରୁତ୍ସାହିତ ହୋଇ ପଚାରିଲେ- ତା’ ମାନେ ଆପଣ ଅବିବାହିତ ?
ଘର ନପାଇବାର ଆଶଙ୍କାରେ ଯୁଧିଷ୍ଠିର ଭଦ୍ରମହିଳାଙ୍କ ମୁହଁକୁ ଚାହଁ ଖୁବ୍ ବିବ୍ରତ ହୋଇ କହିଲା- ନାଇଁ ମାଉସୀ, ମୁଁ ବିବାହିତ । ତେବେ ଫ୍ୟାମିଲି ନେଇ ଏବେ ରହିବିନି । ଫ୍ୟାମିଲି ପରେ ଆଣିବି ।
ଭଦ୍ରମହିଳାଙ୍କ ମୁହଁ ଧୀରେ ଉଜ୍ଜ୍ୱଳ ହୋଇଆସିଲା । ସେ ସ୍ୱସ୍ତିର ନିଃଶ୍ୱାସ ମାରି ଖୁବ୍ ଆବେଗଭରା କଣ୍ଠରେ ସମ୍ବୋଧନର ବ୍ୟବଧାନ କମେଇ କହିଲେ- ଜାଣିଛ ତ ପୁଅ, କେବଳ ଏଇ ଗୋଟିଏ କାରଣରୁ ଆମେ ପାଞ୍ଚପାଞ୍ଚଟା ବ୍ୟାଙ୍କ ଚାକିରିଆଙ୍କୁ ବି ଘର ଦେବାକୁ ନାହିଁ କରି ଦେଇଥିଲୁ । ବୁଝୁନ, ଦିନକାଳ ଯାହା ହେଲାଣି, ସେଥିରେ ବାଚେଲର୍ଙ୍କୁ କୋଉ ଭରସାରେ ରଖିବା କହୁନ ?
ଯୁଧିଷ୍ଠିର ଫିକା ହସି ସମ୍ମତି ଜଣାଇଲା । ଏହା ପରେ ଚା’ ପର୍ବ ।
ଠିକ୍ ହେଲା ପର ରବିବାରଠୁ ଯୁଧିଷ୍ଠିର ଆସି ନୂଆ ଭଡ଼ାଘରେ ରହିବ ।
…
ନୂଆ ଭଡ଼ାଘରେ ରହିବାର ଦୁଇମାସ ପରେ ଦିନେ ଘର ମାଲିକାଣୀ ତାଙ୍କ ଦାଣ୍ଡଘର ଚଉକାଠ ଉପରେ ଠିଆହୋଇ ଯୁଧିଷ୍ଠିରକୁ ପଚାରିଲେ- ପିଲାପିଲିଙ୍କୁ ଆଣିବନି କି ଯୁଧିଷ୍ଠିର ?
ଯୁଧିଷ୍ଠିର ଅଳ୍ପ ହସି କହିଲା- ରଜ ପରେ ଆଣିବାର ବ୍ୟବସ୍ଥା କରୁଛି ମାଉସୀ !
ଭଦ୍ରମହିଳା ଈଷତ୍ ହସି ଘର ଭିତରକୁ ଚାଲିଗଲେ ।
ରଜ ଗଲା । ରଜ ଯିବାର ଦୁଇ ତିନିଦିନ ପରେ ଯୁଧିଷ୍ଠିର ଗାଁରୁ ଏକାକୀ ଆସି ପହଞ୍ଚିଥିବାରୁ ଭଦ୍ରମହିଳା ସନେ୍ଦହୀ ଆଖିରେ ତାକୁ ପଚାରିଲେ- ପିଲାପିଲି କ’ଣ ବାପଘରକୁ ଯାଇଛନ୍ତି ? ତମେ ଏକୁଟିଆ ଆସିଲ ?
ଯୁଧିଷ୍ଠିରର ଧାଡ଼ିକିଆ ଉତ୍ତର- ଗାଁରେ ବୋଉର ଦେହ ଭଲ ନାହିଁ ତ ସେଇଥିପାଇଁ ଆଣି ପାରିଲିନି ।
ଭଦ୍ରମହିଳା ବୁଝିଗଲେ ।
ଘରମାଲିକଙ୍କ ଝିଅ ଲିଲିକୁ ମାମୁଘରକୁ ନେବାପାଇଁ ସେଦିନ ଘରମାଲିକଙ୍କ ସାନ ଶଳା ଦୀପୁ ତାଙ୍କ ଘରକୁ ଆସିଥାଏ । ଯୁଧିଷ୍ଠିର ସଂଧ୍ୟାବେଳେ ଅଫିସ୍ରୁ ଫେରି ଘରର ତାଲା ଫିଟାଇବା ସମୟରେ ଦୀପୁ ତାକୁ ଦେଖି ଘରମାଲିକଙ୍କ ପତ୍ନୀ ଓରଫ୍ ତା’ ବଡ଼ ଭଉଣୀକୁ ପଚାରିଲା- ଅପା, ତୁ ତ ମୋ ବ୍ୟାଙ୍କ ସାଙ୍ଗମାନଙ୍କୁ ବାହାହୋଇ ନାହାନ୍ତି କହି ରଖିଲୁନି; ଆଉ ଏ ଲୋକଟାକୁ କେମିତି ରଖିଲୁ ? ୟାର ତ ଫ୍ୟାମିଲି ଫ୍ୟାମିଲି କିଛି ନାହିଁ !
ଭାଇର ଏ ଆକ୍ଷେପମୂଳକ ମନ୍ତବ୍ୟ ଶୁଣି ଭଦ୍ରମହିଳା ଆଖିକୁ ବଡ଼ ବଡ଼ କରି ପଚାରିଲେ- ତୁ କେମିତି ଜାଣିଲୁ ଟୋକାଟା ବାହା ହୋଇନି ବୋଲି ?
– ସିଏ ପରା ଆଗରୁ ପୁରୀରେ ଆମ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭଡ଼ା ରହୁଥିଲା !
ଘରମାଲିକାଣୀ ବଡ଼ ସନେ୍ଦହରେ ପଡ଼ିଲେ ।
ପରଦିନ ସକାଳୁ ଭଦ୍ରମହିଳାଙ୍କ ଝିଅ ଲିଲି ଦୀପୁମାମୁ ସହିତ ମାମୁଘରକୁ ଚାଲିଯିବା ପରେ ପରେ ଭଦ୍ରମହିଳା ଦାଣ୍ଡପିଣ୍ଢାକୁ ଆସି ଡାକ ଛାଡ଼ିଲେ- ଯୁଧିଷ୍ଠିର, ଟିକେ ଶୁଣିବ !
ଯୁଧିଷ୍ଠିର ଭଦ୍ରମହିଳାଙ୍କ ଡାକରେ ତତ୍କ୍ଷଣାତ୍ ଆସି ପହଞ୍ଚିବାରୁ ସେ ଭାରି ଗମ୍ଭୀର ଗଳାରେ ତାକୁ ପଚାରିଲେ- ଗାଁରୁ ପିଲାପିଲିଙ୍କୁ କେବେ ଆଣୁଛ ?
ଭଦ୍ରମହିଳାଙ୍କ ଏ ଚିରାଚରିତ ପ୍ରଶ୍ନ ସହିତ ତାଙ୍କ ଗମ୍ଭୀର ମୁହଁଆଡ଼େ ଅନେଇ ଯୁଧିଷ୍ଠିର ବେଶ୍ ବିବ୍ରତ ହୋଇପଡ଼ିଲା । ସେ କି ଜବାବ୍ ଦେବ ବୁଝିପାରିଲା ନାହିଁ । ଭଦ୍ରମହିଳା କିନ୍ତୁ ଆଉ ତାଠୁ ଉତ୍ତର ଶୁଣିବା ଲାଗି ସେତେବେଳେ ପ୍ରସ୍ତୁତ ନଥିଲେ । ଖୁବ୍ ତାତିଲା ସ୍ୱରରେ କହିଚାଲିଲେ- ତମେ ସାଫ୍ ସାଫ୍ କାଇଁ କହୁନ ଯେ ତମର ସ୍ତ୍ରୀ ଫି୍ର କିଛି ନାହିଁ ବୋଲି ! ଦୀପୁ କହୁଥିଲା- ତମେ ତ ଜମା କୁଆଡ଼ୁ ବାହା ହେଇନ ! ଆଉ ତମର ସ୍ତ୍ରୀ ଆସିବ କୁଆଡ଼ୁ ! ଛି ! ତମେ ଏଡ଼ିକି ବାହାପିଆ ! ତୁମପରି କେତେଜଣଙ୍କ ପାଇଁ ଆଜି ଫ୍ୟାମିଲି ନଥିବା ଭଡ଼ାଟିଆଙ୍କୁ ଲୋକେ ଘର ଦେବାକୁ ସାହସ କରୁନାହାନ୍ତି !
ଭଦ୍ର ମହିଳା ଏଥର ରାୟ ଶୁଣାଇଲେ- ଶୁଣ ଯୁଧିଷ୍ଠିର, ତୁମପରି ଆମେ ଅଭଦ୍ର ନୋହୁଁ । ସେମିତି ହୋଇଥିଲେ ମୁଁ ଏଇ ମୁହୂର୍ତ୍ତରେ ତୁମକୁ ଘର ଛାଡ଼ିବାକୁ କହିଥାନ୍ତି । କିନ୍ତୁ ସେମିତି କହୁନି । ତମେ ଆସନ୍ତା ମାସରେ ଘର ଛାଡ଼ିଦିଅ । ହଁ, କହିଦେଲି ।
ଅନର୍ଗଳ ଭାଷାରେ ଏତକ କହି ରାଗ ତମତମ ହୋଇ ଭଦ୍ରମହିଳା ସେଠୁ ଚାଲିଗଲେ । ଯୁଧିଷ୍ଠିରକୁ କିଛି କହିବାକୁ ସୁଯୋଗ ବି ଦେଲେନି ।
ଏ ଘଟଣାର ପରଦିନ ଯୁଧିଷ୍ଠିରର ଭଡ଼ାଘରେ ଝୁଲିଲା ଏକ ଶକ୍ତ ତାଲା । ଯୁଧିଷ୍ଠିର ବୋଧେ ତା’ ଗାଁକୁ ଚାଲିଗଲା !
ସପ୍ତାହକ ପରେ ଫେରିଲା ସେ । ତେବେ ସସ୍ତ୍ରୀକ । ଘର ମାଲିକାଣୀ ଯୁଧିଷ୍ଠିର ଆଉ ତା’ ସ୍ତ୍ରୀକୁ ରିକ୍ସାରୁ ଓହ୍ଲାଉଥିବାର ଦେଖି ପୂରା କାବା ! ଏ କି ଭେଳିକି ? ତିଥି ନାହିଁ, ବାର ନାହିଁ, ଲୋକଟା ବାହାହେଲା କେମିତି ?
ଭଦ୍ରମହିଳା ମୁହୂର୍ତ୍ତେ ବିଳମ୍ବ ନକରି ଠାକୁରଘରେ ଥିବା ତାଙ୍କ ସ୍ୱାମୀଙ୍କୁ ଯାଇ ଖବରଟା ଦେଇଦେଲେ- ହଇଓ, ଆମର ଭଡ଼ାଟିଆ ଯୁଧିଷ୍ଠିର ମ, ଗୋଟାଏ କାହାକୁ ସାଙ୍ଗରେ ନେଇକି ଆସିଲାଣି ! ଦୀପୁ କହୁଥିଲା ତା’ର ତ କୁଆଡ଼େ ସ୍ତ୍ରୀ ଫି୍ର ଜମାରୁ କିଛି ନାହିଁ । ଇଏ ଆଉ କାହାକୁ ଉଡ଼େଇ ଆଣିନି ତ ? ଗଲ, ଯାଇକି ଦେଖିକି ଆସିଲ । ନହେଲେ ପଛକୁ ପୋଲିସ୍ କେସ୍ ହେଲେ ଆମେ ଝାମେଲାରେ ପଡ଼ିବା ।
ଘରମାଲିକ ମୁରୁକିହସା ଦେଇ କହିଲେ- ଠିକ୍ କହିଛ । ତମେ ବରଂ ଯାଇକି ଦେଖିଆସ । ତମ ଝିଅକୁ ତା’ ମାମୁଘରୁ ଆଉ ସିଏ ଉଡ଼େଇ ଆଣିନି ତ?
ବାସ୍, ହେଲା ବିସ୍ଫୋରଣ । ରାଗରେ ପାଚି ଲାଲ୍ ହୋଇଗଲେ ଭଦ୍ରମହିଳା । ମୁହଁକୁ ବିକୃତ କରି କହିଲେ- ମୋ ଝିଅ କ’ଣ ଏତେ ଶସ୍ତା ହେଇଚି ଯେ, ତାକୁ ଯିଏ ପାରେ ସିଏ ଉଠେଇନବ ?
ଭଦ୍ରଲୋକ ଆହୁରି ଦଫାଏ ହସିଲେ । କହିଲେ- ହଉ ଚାଲ, ଚାଲ, ଯାଇକି ଘଟଣାସ୍ଥଳ ପରିଦର୍ଶନ କରିଆସିବା । ଯୁଧିଷ୍ଠିରର ସ୍ତ୍ରୀକୁ ବି ଦେଖାହେବ ତା’ ସହିତ ତମ ସନେ୍ଦହ ବି ଦୂରହେବ ।
ଘରମାଲିକ ଓ ତାଙ୍କ ପନôୀ ବାହାରିଲେ ଯୁଧିଷ୍ଠିର ଘରକୁ । ତେବେ ସେଠି ପହଞ୍ଚିବା ପରେ ସେମାନେ ଯାହା ଦେଖିଲେ ସେଥିରେ ଘରମାଲିକାଣୀଙ୍କ ଅବସ୍ଥା ପୂରା ଶୋଚନୀୟ! ଯୁଧିଷ୍ଠିରର ସ୍ତ୍ରୀକୁ ଦେଖି ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ । ପାଣି ଛାଟମାରି ହୋସ୍ କରେଇବା ପରେ ଆରମ୍ଭ ହେଲା ବିଳାପ- ଆଲୋ ଲିଲି, ତୁ କ’ଣ କଲୁ ଲୋ ! ଶେଷକୁ ମୋରି ମୁହଁରେ ଚୂନକାଳି ବୋଳିଲୁ….
ଭଦ୍ରଲୋକ ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେଲେ- ହଉ ଉଠ । ଉଠି ଏଥର ଡିଭିଡି ପ୍ଳେୟାର୍ର ଇଜେକ୍ଟ ଚିପି ସେ କାନ୍ଦଣା ଲହରୀ ସିଡିଟା ବାହାର କର । ବୁଝିଲ, ତମେ ଲିଲିକୁ ଯେମିତି ଭାବୁଚ ସେମିତି ପିଲା ସେ ନୁହେଁ । ଅସଲରେ ମୁଁ ତା’ର ଏ ବାହାଘରଟା କରେଇଚି ।
– ଆଁ ! ମୋତେ ନକହି ? ମୋତେ ନଜଣେଇ ?
– ତମକୁ ଜଣେଇଥିଲେ ଆଉ ରକ୍ଷା ଥାନ୍ତା ! ତମେ ଯୁଧିଷ୍ଠିର ଉପରେ ଯେମିତି ରାଗିଥିଲ ସେଥିରେ ତମକୁ ରାଜି କରେଇ ହୋଇଥାନ୍ତା ? ସେଇଥିପାଇଁ କହିନି ତମକୁ । ଯୁଧିଷ୍ଠିର, ପିଲାଟା କିନ୍ତୁ ଭାରି ଭଲ !
ସେତେବେଳକୁ ଯୁଧିଷ୍ଠିର ଆଉ ଲିଲି ଏ ଦୁହିଁଙ୍କ ଓଠରେ ମିଠା ହସର ରାଜୁତି…….
ଲିଲିବୋଉ ଲୁଗା କାନିରେ ଆଖିକୁ ପୋଛି ବଡ଼ ସ୍ନେହବୋଳା କଣ୍ଠରେ ଯୁଧିଷ୍ଠିରକୁ ପଚାରିଲେ- ଯୁଧିଷ୍ଠିର, ତମେ ଘରଭଡ଼ା ନେଲାବେଳେ ବାହାହୋଇଛ ବୋଲି ମତେ କାହିଁକି ମିଛ କହିଥିଲ ?
ଯୁଧିଷ୍ଠିର ବିନୟର ସହିତ ସମ୍ବୋଧନ ପରିବର୍ତ୍ତନ କରି କହିଲା- ବୋଉ ! ମୁଁ କିଛି ମିଛ କହିନଥିଲି । ପ୍ରକୃତରେ ମୁଁ ବାହା ହୋଇଥିଲି । କିନ୍ତୁ ଦୁର୍ଯେ୍ୟାଗକୁ ବାହାଘରର ମାସେ ପରେ ମୋ ସ୍ତ୍ରୀ ବ୍ରେନ୍ ଫିବର୍ରେ ପଡ଼ି ଆରପାରିକୁ ଚାଲିଯାଇଥିଲା । ତେଣୁ ମିଛ ଆଉ କ’ଣ କହିଥିଲି ? ଘରେ ବାପା ବୋଉ ମୋତେ ଆଉଥରେ ବାହା କରେଇବାକୁ ଚେଷ୍ଟା କରୁଥିଲେ । ଏ କଥା ଦୀପୁ ମାମୁ ଆସିବା ପରଦିନ, ଅର୍ଥାତ୍ ଯେଉଁଦିନ ଆପଣ ମୋତେ ଭୀଷଣ ବକିଲେ, ସେଇଦିନ ହିଁ ମୁଁ ମଉସାଙ୍କୁ ମାନେ ଲିଲିବାପାଙ୍କୁ କହିଥିଲି । ସେ ମୋଠୁ ଏକଥା ଶୁଣି ଲିଲି ସହିତ ମୋର ବାହାଘର ପ୍ରସ୍ତାବ ଦେଇଥିଲେ । ଆଉ ଆମେ କୋର୍ଟରେ ବାହା ହେଇଥିଲୁ । ଆପଣ କଥାଦିଅନ୍ତୁ ଆମକୁ ଆସନ୍ତା ତିଥିରେ ବେଦୀରେ ବାହା କରେଇବେ ?
ଯୁଧିଷ୍ଠିରର କଥା ଶେଷ ହେବା ପରେ ବୋଉର ଉତ୍ତରକୁ ଅପେକ୍ଷା ନକରି ଲିଲି ଡୋଳା ନଚେଇ କହିଲା- ବୋଉ, ଆମେ କିନ୍ତୁ ଆସନ୍ତା ମାସରୁ ଆଉ ତମକୁ ଭଡ଼ା ଦବୁନି ।
ଲିଲିର ଏ କଥା ଶୁଣି ସମସ୍ତେ ଏକାଠି ହସିଉଠିଲେ ।