ସେ ନାଁ ପଛରେ ବିଶେଷଣଟିଏ ଯୋଡିବାର ପ୍ରାସଙ୍ଗିକତା ନାହିଁ । ତାଙ୍କ ନାଁ ହିଁ ତାଙ୍କର ପରିଚୟ । ବର୍ଷା ବସନ୍ତ ବୈଶାଖରୁ ଯାଜ୍ଞସେନୀ ଭିତରେ ଏକ ସୁଦୀର୍ଘ ପଥ ଅତିକ୍ରମ କରିଛନ୍ତି । ଚଲାପଥର କିଛି ପାଦ ପରେ ସେ ସୃଷ୍ଟି କରିଛନ୍ତି ଗୋଟେ ଗୋଟେ ମାଇଲ ଖୁଣ୍ଟ । ଯାହା ହେଉଛି ତାଙ୍କର ପରିଚୟ । ତାଙ୍କ ଜୀବନର ବର୍ଷା, ବସନ୍ତ ଓ ବୈଶାଖରେ ସ୍ମରଣୀୟ ତାଙ୍କର ସୃଷ୍ଟିରାଜି ତାଙ୍କୁ ପ୍ରଦାନ କରିଛି ଏକ ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତ୍ୟେକ ସୋପାନରେ ସେ ଅର୍ଜନ କରିଛନ୍ତି ଆଞ୍ଜୁଳାଏ ସେହ୍ନ, ମୁଠା ମୁଠା ମମତା, ଅଜସ୍ର ଶ୍ରଦ୍ଧା ଓ ଅମାପ ପାଠକୀୟ ସ୍ୱୀକୃତି । ନିବିଷ୍ଟ ଚିତ୍ତ, ନିମଗ୍ନ ହୃଦୟ, ସମର୍ପିତ ଆତ୍ମା ଦେଇ ସେ ସୃଷ୍ଟି କରନ୍ତି ସାହିତ୍ୟ । ଯେଉଁଥିପାଇଁ ସେ ପାଠକର ମନ ହୃଦୟକୁ ଛୁଇଁ ଯାଇଛନ୍ତି । ତାଙ୍କର ବହି ପଢ଼ିଲେ ଲାଗେ କେତେବେଳେ ତାଙ୍କ ଭିତରେ ପଶିଛି ଯାଜ୍ଞସେନୀର ଆତ୍ମା ତ କେତେବେଳେ ବିନ୍ଦୁମତୀର । ସେମାନେ ଅଣନିଶ୍ୱାସୀ ହୋଇ ସେମାନଙ୍କ ମନର ଅକୁହା କଥାକୁ କଲମ ଓ କାଳିରେ ସଜିବ ଫୁଟାଇ ସାରିଲା ପରେ ଯାଇ ତାଙ୍କୁ ଛାଡ଼ନ୍ତି । ଶାନ୍ତି ପାଏ ସେମାନଙ୍କର ଅତୃପ୍ତ ଆତ୍ମା, ତୃପ୍ତ ହୁଏ ସେମାନଙ୍କ ହୃଦୟ । ଅଥୟ ମନ ଥୟ ହୋଇଯାଏ । ବେଳେବେଳେ ଅର୍ଜୁନଙ୍କର ବିଶ୍ୱରୂପ ଦେଖିଲା ପରେ ଚରିତ୍ରମାନଙ୍କର ଦୁଃଖ ଯନ୍ତ୍ରଣାକୁ ଆଖି ବୁଲେଇ ନିରିଖେଇ ଦେଖନ୍ତି ଡଃ ରାୟ ତାଙ୍କର ତୃତୀୟ ନୟନରେ । ସେମାନଙ୍କର ଦୁଃଖ ଆଉ ସୁଖକୁ ଅନୁଭବ କରନ୍ତି ଷଷ୍ଠ ଇନ୍ଦ୍ରିୟରେ । ତା’ପରେ କଲମ ଓ କାଳିରେ ଶବ୍ଦକୁ ଶବ୍ଦ ଯୋଡି ଅନୁଭବକୁ ଭାବ ସହ ଗୁନ୍ଥି ଅନୁଭୂତିକୁ କଳ୍ପନା ସହ ମିଶେଇ ସୃଷ୍ଟି କରନ୍ତି ସାହିତ୍ୟ । ଯେଉଁଠି ଥାଏ ଜୀବନ ତତ୍ତ୍ୱର ଦର୍ଶନ, ମନ ଅରଣ୍ୟର ଗହନ କଥା । ଦାହ ଅନ୍ତର୍ଦାହର ବ୍ୟଥା । ମିଳନର ସ୍ୱପ୍ନ ବିଚ୍ଛେଦର କାରୁଣ୍ୟ ଏବଂ ସୁସ୍ଥ ସମାଜ ଗଠନ ନିମନ୍ତେ ସନେ୍ଦଶ । ଯେଉଁଠି ପ୍ରତ୍ୟେକଟି ନାରୀ ଭେଟି ପାରନ୍ତି ନିଜ ନିଜର ଅସହାୟତାକୁ । ପ୍ରତ୍ୟେକ ପୁରୁଷ ଖୋଜି ପାଆନ୍ତି ନିଜର ନିଃସହାୟତାକୁ । ତାଙ୍କ ସାହିତ୍ୟରେ ସମସ୍ତେ ପଢ଼ି ପାରନ୍ତି ଜୀବନର ଗୀତ ଖାତାକୁ । ଯେଉଁଠି ଯନ୍ତ୍ରଣାର ଜଉ ଘରରୁ କ୍ରନ୍ଦନ, ମନ ଦହନ, ହୃଦୟର ଜ୍ୱଳନ, ଖୁସି ଅଟ୍ଟାଳିକାର ସପନ, ଯେଉଁଠି ପାପ ପରି ପୁଣ୍ୟ ବି ନିଜର, ଯଶ ପରି ଅପଯଶ, ନିନ୍ଦା ପରି ଅପନିନ୍ଦା, ପ୍ରଶଂସା ପରି ସମାଲୋଚନା ବି ଖୁବ୍ ଅନ୍ତରଙ୍ଗ । ମୃତୁ୍ୟର ବିଭୀଷିକା କେବେ ବି ଛୁଇଁ ପାରିନି ତାଙ୍କୁ । ଜୀବନ ପରି ମୃତ୍ୟୁ ବି ତାଙ୍କର ଖୁବ୍ ଆପଣାର । ମୃତ୍ୟୁ ହେଉଛି ଜୀବନ ପରୀକ୍ଷାର ନିର୍ଣ୍ଣାୟକ । ତାଙ୍କ ପାଇଁ ଜୀବନ ସର୍ବଦା ସରସସୁନ୍ଦର ଓ ସ୍ୱପ୍ନମୟ, ରସମୟ । ମୃତ୍ୟୁ କେବେ ବି ନଷ୍ଟ କରିପାରେନା ଜୀବନର ଗୀତଖାତାକୁ । ସେ ଗୀତ ଖାତାରୁ ପାଦଟିଏ ବା ପଦୁଟିଏ କିଏ ନା କିଏ କେବେ ନା କେବେ ଗୁଣୁଗୁଣାଉ ଥାଏ । ସେଥିଲାଗି ତାଙ୍କ ସାହିତ୍ୟ ହୃଦୟଜୟୀ ହୋଇପାରେ । ସମସାମୟିକ ଲେଖକ ଲେଖିକାମାନଙ୍କଠୁ ତାଙ୍କର ପାଠକପାଠିକାଙ୍କ ସଂଖ୍ୟା ଅଧିକ । ସେଥିପାଇଁ ତ ସେ ଈର୍ଷାର ଈଶ୍ୱରୀ । ସାରସ୍ୱତ ସାହିତ୍ୟକାଶରେ ଉଜ୍ଜ୍ୱଳତମ ନକ୍ଷତ୍ର । ସାହିତ୍ୟ ଜଗତ ଭିନ୍ନ ଘରୋଇ ଜଗତରେ ସେ ବି ଅନନ୍ୟା । ସେ ଅବୁଝା ଝିଅଟିଏ, ସୁନାନାଖି ବୋହୂଟିଏ । ପ୍ରେରଣା ଦାୟିନୀ ସ୍ତ୍ରୀଟିଏ । ସ୍ନେହମୟୀ ମା’ଟିଏ, ଗେହ୍ଲୀ ଆଈଟିଏ । ସେହିପରି ଏକ ଅନୁକରଣୀୟ ବ୍ୟକ୍ତିତ୍ୱ ଏବଂ ଅନତିକ୍ରମ୍ୟ ପ୍ରତିଭା ହେଉଛନ୍ତି ପ୍ରତିଭା ରାୟ । ତାଙ୍କ ସହିତ ‘ଶୋଭନା’ ତରଫରୁ ଜ୍ୟୋତିର୍ମୟୀ ଦାଶଙ୍କ ସାକ୍ଷାତର କିୟଦଂଶ ।
ଶୋଭନା: ଆପଣ ଶୈଶବରୁ କଲମ ଧରିଛନ୍ତି ବୋଲି ଆମେ ଶୁଣିଛୁ । ତେବେ ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖା ବାବଦରେ କିଛି କୁହନ୍ତୁ ।
ପ୍ରତିଭା: ମୋର ପ୍ରଥମ ଲେଖା ଥିଲା ଏକ କ୍ଷୁଦ୍ର କବିତା – ‘ସକାଳ ହେଲା’ । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି । ସେତେବେଳେ ଏହା ପ୍ରଜାତନ୍ତ୍ରର ମୀନାବଜାରରେ ପ୍ରକାଶ ପାଇଥିଲା ।
ଶୋଭନା: କେଉଁ ପରିସ୍ଥିତି ଆପଣଙ୍କୁ ଲେଖିବା ଲାଗି ପ୍ରେରଣା ଦେଇଥିଲା?
ପ୍ରତିଭା: ମୁଁ ଅନାୟସ ପ୍ରେମରେ ପଡିଯାଇଥିଲି ଓ ପ୍ରେମର ଉଚ୍ଛ୍ୱାସ ହିଁ କବିତା ରୂପ ନେଇ ମୋ ଭିତରୁ ଝରି ଆସୁଥିଲା । ତାହା ଥିଲା ମୋର ପ୍ରକୃତି ପ୍ରେମ । ସୂର୍ଯେ୍ୟାଦୟ, ସୂର୍ଯ୍ୟାସ୍ତ ଅମା ଆକାଶର ଅନ୍ଧାର, ଜହ୍ନରାତି, ନୀଳକଇଁ, ଜହ୍ନିଫୁଲ, ଆମ୍ବବଉଳ ସବୁ ମତେ ଉସ୍କାଏ ଗୁଣୁଗୁଣୁ କବିତା ହୋଇ ବହିଯିବା ପାଇଁ-ନିଜକୁ ରୋକି ନପାରିବାର ଏଇ ପ୍ରବଣ ପରିସ୍ଥିତି ହିଁ ମତେ କବିତାର ପ୍ରେରଣା ଦେଇଥିଲା ।
ଶୋଭନା: ଆରମ୍ଭରୁ ଆପଣ ଶିଶୁ ସାହିତ୍ୟ ଲେଖୁଥିଲେ । ପରେ ମଧ୍ୟ ମିଛି ମିଛିକା ସତ ସତିକା, ତିନି ଓସ୍ତାଦ ପରି ଶିଶୁ ସାହିତ୍ୟ ରଚନା କରିଛନ୍ତି । କିନ୍ତୁ ଆପଣ ଶିଶୁ ସାହିତ୍ୟରେ ସେମିତି କିଛି ଉଲ୍ଲେଖନୀୟ ସଫଳତା ପାଇଛନ୍ତି କି? ଏବେ ଶିଶୁ ସାହିତ୍ୟ ବାବଦରେ ନୀରବ କାହିଁକି?
ପ୍ରତିଭା: ମୁଁ ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲି । ସେଗୁଡ଼ିକ ଥିଲା ସରଳ ମନର ସହଜ କବିତା । କଲେଜରେ ଗଳ୍ପ ଲେଖିଲି । ତାପରେ ଉପନ୍ୟାସ । ଶିଶୁସାହିତ୍ୟ ଲେଖିଲି ଅନେକ ପରେ । ମୋ ତିନି ପିଲାଙ୍କୁ ଯେତେବେଳେ ଶୁଆଇ ପକାଇବା ପାଇଁ ପ୍ରତିଦିନ ନୂଆ ନୂଆ କାହାଣୀ କହିବାକୁ ପଡିଲା ମନରୁ ଫାନ୍ଦି କାହାଣୀ କହୁ କହୁ ଶିଶୁ ମନଲୋଭା କାହାଣୀଟିଏ ହୋଇଗଲା । ଯେତେବେଳେ ପିଲାଏ ଚାହିଁଲେ ଅସରନ୍ତି କାହାଣୀ କହିଚାଲିଥାଏ ସେତେବେଳେ କହୁ କହୁ ମୁହଁରେ ମୁହଁରେ ‘ତିନି ଓସ୍ତାଦ’ ଲେଖି ହୋଇଗଲା । ପିଲାଙ୍କର କେତେକ୍ ବଦ୍ଖୋଇ ଛଡ଼ାଇବା ପାଇଁ ମଧ୍ୟ କାହାଣୀର ଆଶ୍ରୟ ନେବାକୁ ହେଲା । ଏମିତି ଏମିତି ଶିଶୁ ସାହିତ୍ୟ ଲେଖି ହୋଇଗଲା । ତା’ପରେ ଶିଶୁଲେଖା ପତ୍ରିକା ଅନୁରୋଧରେ ମଧ୍ୟ ଶିଶୁ ସାହିତ୍ୟ ରଚନା ହେଲା । ତେଣୁ ଶିଶୁ ସାହିତ୍ୟ ଲେଖୁ ଲେଖୁ ମୁଁ ପ୍ରାୟ ବୟସ୍କାଙ୍କ ପାଇଁ ଲେଖିନାହିଁ-କଥାଟା ବରଂ ବିପରୀତ । ସାହିତ୍ୟ କର୍ମ ଫାଙ୍କରେ କିଛି ଶିଶୁ ସାହିତ୍ୟ ମୁଁ ରଚନା କରିଛି । ଶିଶୁମାନଙ୍କୁ ଯଦି ତୁମର ରଚନା ଆନନ୍ଦ ଦେଲା ତେବେ ତୁମେ ଜଣେ ସଫଳ ଶିଶୁ ସାହିତି୍ୟକ ବୋଲି ମୁଁ ମନେ କରେ । ଏ ସଂକ୍ରାନ୍ତରେ ମୁଁ ସନ୍ତୁଷ୍ଟ ।
ଶୋଭନା: ଆପଣ ଗଳ୍ପ ଲେଖିଛନ୍ତି, ଉପନ୍ୟାସ ବି । କିନ୍ତୁ ଓଡ଼ିଶାର ପାଠକ/ପାଠିକା ଆପଣଙ୍କୁ ସଫଳ ଔପନ୍ୟାସିକା ବୋଲି ବିବେଚନା କରନ୍ତି । ଆପଣ କ’ଣ ଭଲ ଗଳ୍ପ ଅପେକ୍ଷା ଉପନ୍ୟାସ ଲେଖିପାରନ୍ତି ବୋଲି ଆପଣ ନିଜେ ବିଶ୍ୱାସ କରନ୍ତି ।
ପ୍ରତିଭା: ମୁଁ ଉପନ୍ୟାସ ଓ ଗଳ୍ପ ଉଭୟକୁ ସମାନ ଭାବରେ ଗୁରୁତ୍ୱ ଦେଇ ଆସିଛି । ଗଳ୍ପ ରଚନା ଓ ଉପନ୍ୟାସ ରଚନା ଉଭୟେ ମତେ ଆନନ୍ଦ ଦିଏ, ପୁଣି ଛଟପଟ କରେ । ପାଠକମାନେ ସମ୍ଭବତଃ ମୋର ମୋଟା ମୋଟା ଉପନ୍ୟାସ ଦେଖି ମତେ ମୋଟାମୋଟି ଭାବରେ ଔପନ୍ୟାସିକା ବୋଲି ଗ୍ରହଣ କରିନେଇଛନ୍ତି । କେଉଁ କ୍ଷେତ୍ରରେ ମୁଁ ଅଧିକ ସଫଳ ସେ କଥାର ବିଚାରକ ମୁଁ ନୁହେଁ ।
ଶୋଭନା: ଉପନ୍ୟାସ କହିଲେ ଆପଣ କ’ଣ ବୁଝନ୍ତି?
ପ୍ରତିଭା: ଉପନ୍ୟାସ କହିଲେ ମୁଁ ବୁଝେ ‘ଜୀବନ’ । ଜୀବନର ସବୁକିଛି ଉପନ୍ୟାସରେ ସାମଗ୍ରିକ ଭାବରେ ପ୍ରତିଫଳିତ ହୁଏ ।
ଶୋଭନା: ମାରିଅନ୍ କୁଫୋଡ୍ କହନ୍ତି ‘Novel is a pocket Theatre’ ଆପଣ ଏଥି ସହିତ ଏକମତ କି?
ପ୍ରତିଭା: ମୋ ମତରେ ଉପନ୍ୟାସର କୌଣସି ଧରାବନ୍ଧା ଫର୍ମାଟ ନାହିଁ ବା ଉପନ୍ୟାସର କିଛି ବ୍ୟାକରଣ ନାହିଁ । ଉପନ୍ୟାସର ସୃଷ୍ଟି ପ୍ରଥମେ ହେବା ପରେ ଉପନ୍ୟାସର ଆଙ୍ଗିକ, ଆତ୍ମିକ, ପ୍ଲଟ, ଚରିତ୍ର, ଭାଷା, ଶୈଳୀ, ଆରମ୍ଭ, ଉପସଂହାର ଆଦି ବିଷୟରେ ସମାଲୋଚକ କହିଛନ୍ତି । ଯଦି ଉପନ୍ୟାସର ଏକ ନିର୍ଦ୍ଦିଷ୍ଟ ଖସଡ଼ା ଓ ଅନୁମୋଦିତ ଫର୍ମାଟ ରହିଥାନ୍ତା ତେବେ ସମସ୍ତେ ଉପନ୍ୟାସକାର ହୋଇପାରନ୍ତେ ।
ଶୋଭନା: ଦୁଇପ୍ରକାର ସେଟିଂକୁ ନେଇ ନଭେଲ୍ଟିଏ ମୁଣ୍ଡ ଟେକେ- Social, Material । ଆପଣ ଏଥି ମଧ୍ୟରୁ କାହାକୁ ଗୁରୁତ୍ୱ ଦିଅନ୍ତି?
ପ୍ରତିଭା: ଜଣେ ଉପନ୍ୟାସକାର ଉପନ୍ୟାସର କେଉଁ ଦିଗଟି ପ୍ରତି ଗୁରୁତ୍ୱ ଦେବ ତାହା ମଧ୍ୟ ଅପରିବର୍ତ୍ତିତ ନୁହେଁ । ଭିନ୍ନ ଭିନ୍ନ ଉପନ୍ୟାସରେ ଭିନ୍ନ ଭିନ୍ନ ଦିଗପ୍ରତି ଗୁରୁତ୍ୱ ଦିଆଯାଇଥାଏ । ତେବେ ମୋଟ ଉପରେ ଏକ ସଫଳ ଉପନ୍ୟାସର ସବୁ ଦିଗପ୍ରତି ଗୁରୁତ୍ୱ ଦିଆହୋଇଥାଏ । କୌଣସି ଏକ ଦିଗ ଅବହେଳିତ ନହେବା ଭଲ ।
ଶୋଭନା: କୁହାଯାଏ ପ୍ରତ୍ୟେକ ଲୋକ ଯଦି ଲେଖିପାରନ୍ତେ ତେବେ ସମସ୍ତଙ୍କ ଜୀବନର ଘଟଣା ଓ ଦୁର୍ଘଟଣା ଅନୁଭୂତି ଓ ଅନୁଭବକୁ ନେଇ ସୁନ୍ଦର ଉପନ୍ୟାସଟିଏ ମୁଣ୍ଡ ଟେକନ୍ତା । ଏ ବାବଦରେ ଆପଣଙ୍କ ମତ … ।
ପ୍ରତିଭା: ଏ ସଂପର୍କରେ ମୁଁ ସଂପୂର୍ଣ୍ଣ ଏକମତ । ଯେ କୌଣସି ଅନାମଧ୍ୟେୟର ଜୀବନ ମଧ୍ୟ ଲେଖାଯାଇପାରିଲେ ଏକ ମହାକାବ୍ୟ ହୋଇପାରନ୍ତା ।
ଶୋଭନା: ଙ୍ଗିନ୍ସଙ୍କ ଯୁକ୍ତି ଅନୁସାରେ ସାହିତ୍ୟକୃତିରେ ସବ୍ଲିମ୍ଟି ସାହିତ୍ୟକୁ ମହାନ କରେ । କିନ୍ତୁ ଆମ ଓଡ଼ିଆ ସାହିତ୍ୟରେ ଦେଖାଯାଏ ଯେ ସଠିକ ଫିଗର ଅଫ୍ ସ୍ପିଚ୍ (Figure of Speech) ପ୍ରାୟତଃ କୌଣସି ଲେଖକ ଲେଖିକା ବ୍ୟବହାର କରନ୍ତି ନାହିଁ । ଏପରି କାହିଁକି ହୁଏ?
ପ୍ରତିଭା: ଓଡ଼ିଆ ସାହିତ୍ୟରେ ଫିଗର ଅଫ୍ ସ୍ପିଚ୍ (Figure of Speech) କୁ କୌଣସି ଲେଖକ ବ୍ୟବହାର କରନ୍ତି ନାହିଁ ବୋଲି ଆପଣ କହିଛନ୍ତି । ଏହା କିନ୍ତୁ ଠିକ୍ ନୁହେଁ । ଓଡ଼ିଆ ଗଳ୍ପ ଉପନ୍ୟାସରେ ଏହା ଆବଶ୍ୟକ ସ୍ଥଳେ ବ୍ୟବହାର ହୁଏ । ମାତ୍ର ନାଟକରେ ଏହାର ବ୍ୟବହାର ଅଧିକ । ପାତ୍ରମୁଖୀ ସଂଳାପ ପରିବେଷଣ କରିବା ନାଟ୍ୟକାରମାନଙ୍କର ପ୍ରଧାନ ଲକ୍ଷ୍ୟ । ଗଳ୍ପ ଓ ଉପନ୍ୟାସରେ ଏହାର ପ୍ରୟୋଗ କମ୍ ହୋଇଥାଏ । କାରଣ ଉପନ୍ୟାସ ନାଟକ ନୁହେଁ, ତେଣୁ ସଂଳାପ କମ୍ । ବେଳେବେଳେ ଚରିତ୍ରମାନଙ୍କର କଥୋପକଥନ ସମୟରେ ଏପରି ବ୍ୟବହାର ଦୃଶ୍ୟମାନ ହୋଇଥାଏ ।
ଶୋଭନା: ଭଲ ସାହିତ୍ୟ ହୃଦୟରୁ ନା ମସ୍ତିଷ୍କରୁ ଜାତ ହୁଏ?
ପ୍ରତିଭା: ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ କୌଣସି ସୃଜନ ପ୍ରକ୍ରିୟା ମସ୍ତିଷ୍କରୁ ହିଁ ସୃଷ୍ଟି ହୋଇଥାଏ । ଅବଶ୍ୟ ସାହିତ୍ୟ ଦୃଷ୍ଟିରେ ସାହିତ୍ୟ ହୃଦୟର କଥା । ତେବେ ମସ୍ତିଷ୍କ ଏବଂ ହୃଦୟର ଅନ୍ତରଙ୍ଗ ଭାବରୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି ହୋଇଥାଏ ।
ଶୋଭନା: ଭଲ ସାହିତ୍ୟର ସଂଜ୍ଞା ଆପଣ କିପରି ନିରୂପଣ କରିବେ?
ପ୍ରତିଭା: ମୋ ମତରେ ଭଲ ସାହିତ୍ୟ ହେଉଛି ସେଇ ଯାହାର ସାର୍ବଜନୀନ ଏବଂ ଚିରନ୍ତନ ଆବେଦନ ଥାଏ ।
ଶୋଭନା: ରୋମାନ୍ସ ଓ ରିଅଲିଜିମ୍ ସାହିତ୍ୟର ଦୁଇଟି ବଡ଼ ଉପାଦାନ । ଏହାକୁ ଆଧାର କରି ସାହିତ୍ୟ ମୁଣ୍ଡ ଟେକେ । ତେଣୁ ଏ ଦୁହିଁଙ୍କୁ ଉପନ୍ୟାସରେ କିପରି ଚିତ୍ରଣ କରିବା ଉଚିତ୍?
ପ୍ରତିଭା: ଯୌନ ବାସନାର ବିଶଦବର୍ଣ୍ଣନା ପ୍ରସଙ୍ଗଟି ପାଶ୍ଚାତ୍ୟ ସାହିତ୍ୟ କ୍ଷେତ୍ରରେ ବହୁଳାଂଶରେ ଦୃଷ୍ଟିଗୋଚର ହୁଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏହାର ଭୂମିକା ଏତେ ବଳିଷ୍ଠ ନୁହେଁ । ଯଦିଓ ରୀତି ସାହିତ୍ୟର କବିମାନେ ଏହାର ବହୁଳ ପ୍ରୟୋଗ କରିଛନ୍ତି । ତାହା କେବଳ ବୌଦ୍ଧିକ ଶବ୍ଦାଡମ୍ବର, ସାଙ୍ଗୀତିତା, ରସ, ମାଧୁର୍ଯ୍ୟ ପାଇଁ ଉପଲବ୍ଧ । ଏହାକୁ ଯୌନ ଉତ୍ତେଜନା ଚିତ୍ର ରୂପେ ଗ୍ରହଣ କରିବା ଉଚିତ୍ ନୁହେଁ । ଆଜିକାଲି ବଜାରରେ ଯୌନ ସମ୍ବନ୍ଧୀୟ ପୁସ୍ତକ ଅନେକ ମିଳୁଛି । ତା’ର ଲେଖକମାନେ ମଧ୍ୟ ବହୁତ ଅର୍ଥ ରୋଜଗାର କରୁଛନ୍ତି, ଏହା ସତ୍ୟ । ହେଲେ ସେଗୁଡ଼ିକର ସାହିତି୍ୟକ ମର୍ଯ୍ୟାଦା ନାହିଁ । ବହୁ ଚର୍ଚ୍ଚିତ ଶୋଭା ଦେ’ଙ୍କ ଯୌନ ଉତ୍ତେଜନକାରୀ ପୁସ୍ତକଗୁଡ଼ିକୁ ସାହିତ୍ୟର ମର୍ଯ୍ୟାଦା ନମିଳିବା ପ୍ରସଙ୍ଗରେ ଲେଖିକା ନିଜେ କହନ୍ତି ଯେ ସେ ସାହିତ୍ୟ ଲେଖୁନାହାଁନ୍ତି ।
ଶୋଭନା: ଉପନ୍ୟାସ ଏମିତି ଏକ ଉଚ୍ଛୃଙ୍ଖଳ ଯୌନକ୍ରିୟାକୁ ଭିତ୍ତି କରି ଗଢ଼ି ଉଠିବା ଭବିଷ୍ୟତ ପାଇଁ ଶୁଭଙ୍କରୀ କି?
ପ୍ରତିଭା: ଡି.ଏଚ୍. ଲରେନ୍ସ ହୁଅନ୍ତୁ ବା ଫ୍ରଏଡ୍ ହୁଅନ୍ତୁ ମୋ ମତରେ ଲଭ୍ (ପ୍ରେମ) ସେକ୍ସ (କାମ) ଦୁଇଟା ଭିନ୍ନ କଥା । ଗୋଟିଏ ଭାବଜଗତର କଥା ଅନ୍ୟଟି ଦେହଜଗତର । ଯଦିଓ ଗେଂଜି ଉପାଖ୍ୟାନ ବିଶ୍ୱର ପ୍ରଥମ ଉପନ୍ୟାସ ବୋଲି କୁହାଯାଏ, ସ୍ୱୟଂସଂପୂର୍ଣ୍ଣ ଭାବେ ମାନ୍ୟତା ଲାଭ କରିବା ପ୍ରଥମ ଉପନ୍ୟାସ ରିଚାର୍ଡସନ୍ଙ୍କ ‘ପାମେଲା’କୁ ସ୍ମରଣ କରନ୍ତୁ । ସେଥିରେ ପ୍ରେମ ଓ କାମ ମଧ୍ୟରେ ଚିତ୍ତ ସଂଘର୍ଷ ଘଟିଛି । ଗୃହମାଲିକ ସୁନ୍ଦରୀ ପାମେଲାକୁ ଉପଭୋଗ କରିବ କି ସ୍ତ୍ରୀ ରୂପେ ସ୍ୱାଗତ କରିବ କିଛି ଚିନ୍ତା କରି ପାରିନାହିଁ । କିନ୍ତୁ ଉପନ୍ୟାସର ପରିଣତିରେ ରିଚାର୍ଡସନ କାମ ଅପେକ୍ଷା ପ୍ରେମକୁ ଗୁରୁତ୍ୱ ଦେଇଛନ୍ତି । ମୋ ମତରେ କେବଳ ଯୌନକ୍ରିୟାକୁ ଭିତ୍ତି କରି ଗଢ଼ି ଉଠୁଥିବା ସାହିତ୍ୟ ଭବିଷ୍ୟତ ପାଇଁ କଦାପି ଶୁଭଙ୍କର ନୁହେଁ । ବରଂ ସବୁ ସମୟରେ ପ୍ରେମର ଜୟଗାନ ହୋଇଛି । ପ୍ରେମ କେବେ ହେଲେ ତିରସ୍କରଣୀୟ ନୁହେଁ ।
ଶୋଭନା: ସମ୍ପ୍ରତି ସାହିତ୍ୟରେ ବିଭିନ୍ନ ମତବାଦ ଦେଖାଦେଇଛି । ଓଡ଼ିଶାରେ କିଛି ସାହିତି୍ୟକ ଏହାକୁ ପ୍ରାଧାନ୍ୟ ଦେଇଛନ୍ତି । କିନ୍ତୁ ଆପଣ କେବଳ ମନସ୍ତତ୍ୱ, ବେଦାନ୍ତ, ଉପନିଷଦ, ଗାନ୍ଧିମତବାଦରେ ସୀମିତ ଅଛନ୍ତି କାହିଁକି?
ପ୍ରତିଭା: ଏକଥା ସ୍ପଷ୍ଟ ଯେ, ମୁଁ କୌଣସି ମତବାଦକୁ ଆଖିରେ ରଖି ଗଳ୍ପ କିମ୍ବା ଉପନ୍ୟାସ ସୃଷ୍ଟି କରେ ନାହିଁ । ସମାଜର କିଛି ଚରିତ୍ର ମୋର ମାନସିକ ସ୍ତରରେ ସବୁବେଳେ ରୋମନ୍ଥନ କରୁଥାନ୍ତି । ସେମାନଙ୍କୁ ପୂର୍ଣ୍ଣାଙ୍ଗ ରୂପ ନଦେବା ପର୍ଯ୍ୟନ୍ତ ମୁଁ ଶାନ୍ତି ପାଇପାରେ ନାହିଁ । ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା-ରାତ୍ରିର ଦ୍ୱିତୀୟ ତୃତୀୟ ପ୍ରହର ବେଳକୁ ଯେତେବେଳେ ସବୁଆଡ଼େ ଶୁନ୍ଶାନ୍ ଠିକ୍ ସେତିକି ବେଳେ ପ୍ରତିଭା ରାୟ ନାମକ ବ୍ୟକ୍ତି ସତ୍ତାଟି ହଠାତ୍ କୁଆଡ଼େ ଉଭେଇ ଯାଏ । ମୁଁ ନିଜକୁ ଆବିଷ୍କାର କରେ କୌଣସି ଏକ ଆଦିବାସୀ ହରିଜନ ବସତିରେ, ଆଉ କେଉଁଠି ପ୍ରକୃତିର କ୍ରୂର ତାଡ଼ନାରେ ପିତୃମାତୃହରା ଶିଶୁର ଅସହାୟ କରୁଣ ଚିକ୍ରାର ନିକଟରେ । ଅନ୍ୟ ପ୍ରତିଷ୍ଠିତ ଲେଖକମାନେ ଅବଶ୍ୟ କୌଣସି ମତବାଦକୁ ସାମ୍ନାରେ ରଖି ଗଳ୍ପ ଉପନ୍ୟାସ ସୃଷ୍ଟି କରୁଥିବେ… ହେଲେ ମୁଁ ସେପରି ଲେଖେ ନାହିଁ । ଯଦି ଲେଖା ମାଧ୍ୟମରେ କିଛି ମତବାଦ ବା ଇଜ୍ମ ସ୍ଥାନ ପାଉଥାଏ, ତେବେ ସେସବୁ ଆଲୋଚନା ସମାଲୋଚକଙ୍କ ପକ୍ଷେ ଯୁକ୍ତିଯୁକ୍ତ । ତେବେ ଏକଥା ସ୍ୱୀକାର କରୁଛି ଯେ ଗୋଟିଏ ଇଜମ୍ ମୋ ଭିତରେ ଥାଏ, ତାହା ହେଉଛି ହିଉମାନିଜିମ୍ ବା ମାନବବାଦ ।
ଶୋଭନା: ପ୍ରେମ, ପ୍ରତାରଣା, ବିବାହ, ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଏହା ହିଁ ଆପଣଙ୍କ ଉପନ୍ୟାସମାନଙ୍କର ମୁଖ୍ୟ ଉପାଦାନ । ଆପଣଙ୍କ ସମସାମୟିକ ଲେଖିକା ଯଥା ଶୋଭା ଦେ ଆଦି ଭିନ୍ନ ରକମର ଲେଖା ଯଥା ଆଧୁନିକ ସାହିତ୍ୟର ବିଭିନ୍ନ ମତବାଦକୁ ପ୍ରାଧାନ୍ୟ ଦେଉଥିଲା ବେଳେ ଆପଣ ଏ ବାବଦରେ ନୀରବ କାହିଁକି?
ପ୍ରତିଭା: ମୁଁ କାହା ସହିତ ତୁଳନୀୟ ହେବାକୁ ଚାହେଁ ନାହିଁ । ପ୍ରତିଭା ରାୟ କେବଳ ପ୍ରତିଭା ରାୟ ସହ ତୁଳନୀୟ । ତେବେ ଆପଣଙ୍କ ପ୍ରଶ୍ନରୁ ମନେ ହେଉଛି ଆପଣ ମୋର ସବୁତକ ଉପନ୍ୟାସ ପଢ଼ିବାର ସୁଯୋଗ ସମ୍ଭବତଃ ପାଇନାହାଁନ୍ତି । ଉତ୍ତରମାର୍ଗ, ଆଦିଭୂମି ପଢ଼ିଛନ୍ତି କି?
ଶୋଭନା: ଚେତନା ପ୍ରବାହ ଉପନ୍ୟାସ ପାଇଁ ନିହାତି ଜରୁରୀ କି?
ପ୍ରତିଭା: ଚେତନା ପ୍ରବାହ ହେଉଛି ସାହିତ୍ୟର ଏକ ଧାରା । ଡି.ଏଚ୍ ଲରେନ୍ସ ହିଁ ଏହାର ପ୍ରଥମ ସ୍ରଷ୍ଟା । ଏହାର ଆବଶ୍ୟକତା ସର୍ବଦା ନିହାତି ଜରୁରୀ । ଯଦି କୌଣସି ଲେଖକ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ଉପନ୍ୟାସର ପ୍ରକାଶଭଙ୍ଗୀ ଓ ଉପସ୍ଥାପନାଗତ ଶୈଳୀ ସେହିପରି ଦୃଢ଼ ହେବା ଦରକାର ।
ଶୋଭନା: ଆପଣ ଏକଦା କହିଥିଲେ ଯେ, ଆପଣ ଫେମିନିଷ୍ଟ ନୁହଁନ୍ତି । କିନ୍ତୁ ଆପଣ ନାରୀଙ୍କ ଭୁଲ ଭଟକାକୁ ସମର୍ଥନ କରନ୍ତି ଅର୍ଥାତ୍ ଆପଣ ନାରୀ ଜାତି ପ୍ରତି ଟିକିଏ ଉଦାର ବୋଲି ପାଠକମାନେ ମତାମତ ଦିଅନ୍ତି । ଏହା କେତେଦୂର ସତ୍ୟ?
ପ୍ରତିଭା: ସମାଜରେ ଯାହା ଘଟେ ସାହିତ୍ୟରେ ତାହା ପ୍ରତିଫଳିତ ହୁଏ । ସମାଜରେ ଯିଏ ଅଧିକ ଅବହେଳିତ ଓ ଲାଂଛିତ ଲେଖକ ତା ପ୍ରତି ସେତେ ସଂବେଦନଶୀଳ । ନାରୀର ଭୁଲ୍ ଭଟକାକୁ ସମର୍ଥନ କଲା ଭଳି କିଛି ଲେଖିଛି ବୋଲି ମନେ ହୁଏନି । ତେବେ ଯେତେବେଳେ ନାରୀର ସମସ୍ୟାକୁ ନେଇ ଲେଖିଛି ତାହା ମଣିଷର ସମସ୍ୟା ନିଶ୍ଚୟ । ତେଣୁ ନାରୀବାଦ ନୁହେଁ ମାନବାବାଦ ହିଁ ସେଠାରେ ବଳୀୟାନ ।
ଶୋଭନା: ଆପଣ ବିବାହ କରିବା ପାଇଁ ଅନିଚ୍ଛୁକ ଥିଲେ । କିନ୍ତୁ ଆପଣଙ୍କ ପିତା ଆପଣଙ୍କୁ କହିଥିଲେ-ସଂସାର ନକରି କଣ ହିମାଳୟରେ ବସି ଲେଖିବୁ? ଆପଣ କ’ଣ ଭାବୁଛନ୍ତି ବିବାହ ନକରିଥିଲେ ଆପଣ ଅଧିକ ସୃଷ୍ଟି କରିଥାନ୍ତେ; ନା ସାଂସାରିକ ବନ୍ଧନ ଆପଣଙ୍କ ଲେଖାକୁ ସମୃଦ୍ଧ କରିଛି ।
ପ୍ରତିଭା: ଲେଖକର ପ୍ରତ୍ୟେକଟି ଅନୁଭୂତି ଓ ଅଭିଜ୍ଞତା ତା’ର ଲେଖାକୁ ସମୃଦ୍ଧ କରେ । ବିବାହ ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା । ତେଣୁ ମୋ ସାଂସାରିକ ଜୀବନର ଅଭିଜ୍ଞତା ମୋ ସାହିତ୍ୟକୁ ନିଶ୍ଚିତ ଭାବେ ସମୃଦ୍ଧ କରିଛି । ଅବଶ୍ୟ ନାରୀ ହିସାବରେ ସାହିତ୍ୟ ସାଧନା ଓ ସଂସାର ସାଧନା ଭିତରେ ଅହରହ ସଂଘର୍ଷ ଓ ସଂଘାତ ଚାଲିଥାଏ । ସେଥିରେ କାହାର ବିଜୟ ହୁଏ ବା ପରାଜୟ ହୁଏ ତା’ର ହିସାବ ରଖେନା । ତେବେ କୌଣସି ଜୀବନର ପରାଜୟ ନାହିଁ-ମଣିଷର ଅନ୍ତଃସତ୍ତା ଅଜେୟ ।
ଶୋଭନା: କୌଣସିନା କୌଣସି ଉପନ୍ୟାସରେ ଲେଖକ ନିଜେ ହିଁ ଉପସ୍ଥିତ ଥାଏ । ଆପଣଙ୍କର ଏମିତି କିଛି ଉପନ୍ୟାସ ଅଛି ଯେଉଁଠି ଆପଣ ଉପସ୍ଥିତ ଅଛନ୍ତିି?
ପ୍ରତିଭା: ମୋର ସବୁ ଉପନ୍ୟାସରେ ମୁଁ ଉପସ୍ଥିତ ଅଛି । ନିଜେ ଚରିତ୍ର ପାଲଟି ଯାଇ ହିଁ ଉପନ୍ୟାସ ଲେଖିବାକୁ ହୁଏ ।
ଶୋଭନା: ଶାଳୀନ ଭାଷା, ପ୍ରେମରେ ଗାମ୍ଭୀର୍ଯ୍ୟ ଆପଣଙ୍କ ବିଶେଷତ୍ୱ । ଏହା ଜେନ୍ ଅଷ୍ଟିନ୍ଙ୍କର ବି ଅସ୍ତ୍ର ଥିଲା । ଆପଣ କିଛି ମାତ୍ରାରେ ତାଙ୍କ ଦ୍ୱାରା ଅନୁପ୍ରାଣିତ କି?
ପ୍ରତିଭା: ପାଶ୍ଚାତ୍ୟ ଲେଖକମାନଙ୍କୁ କେମିତି କେତେବେଳେ ପଢ଼େ, ହେଲେ କାହାଦ୍ୱାରା କେବେ ସଚେତନରେ ପ୍ରଭାବିତ କିମ୍ବା ଅନୁପ୍ରାଣିତ ହେବା କଥା ମନେ ହେଉନି । ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ଜେନ୍ ଅଷ୍ଟିନ୍ଙ୍କ ପ୍ରାଇଡ୍ ଆଣ୍ଡ ପ୍ରିଜୁଡିସ୍ ବ୍ୟତୀତ ମୁଁ ଅନ୍ୟ କିଛି ପଢ଼ି ନାହିଁ । ଜଣେ ଲେଖକ ସବୁବେଳେ ଅନ୍ୟ ଲେଖକ ଦ୍ୱାରା ପ୍ରଭାବିତ କାହିଁକି ହେବ? ତେବେ ତା ଲେଖାରେ ନୂତନତ୍ୱ ରହିଲା କେଉଁଠି?
ଶୋଭନା: ଆପଣ ସର୍ବଦା ଏକ ଆତ୍ମାଯୁକ୍ତ ସମ୍ପର୍କକୁ ଚିତ୍ର କରିଛନ୍ତି । ଯେମିତି ଦେହାତୀତରେ ଓଁ-ସ୍ୱାହା, ଯାଜ୍ଞସେନୀରେ କୃଷ୍ଣ ଓ କୃଷ୍ଣା । ପ୍ରେମିକ, ସ୍ୱାମୀ ବିନା ଏମିତି ଗୋଟେ ସମ୍ପର୍କ ସମସ୍ତଙ୍କ ଜୀବନରେ ଥାଏ କି?
ପ୍ରତିଭା: ଥାଏ- ଆଧ୍ୟାତ୍ମିକ ସଂପର୍କ ବିନା ମଣିଷ ବଞ୍ଚି ପାରେନା ।
ଶୋଭନା: ଦେହାତୀତର ସତ୍ୟତା କେତେ? ଅର୍ଥାତ୍ ଆପଣ ଉତ୍ସର୍ଗ ପତ୍ରରେ ଲେଖିଛନ୍ତି ମୁଁ ଯାହା ହାତରେ ଏ ବହିଟି ଉତ୍ସର୍ଗ କରିଥାନ୍ତି ସେ ଆଜି ଆଉ ଏ ପୃଥିବୀରେ ନାହିଁ । ଏ ବାବଦରେ କିଛି କୁହନ୍ତୁ ।
ପ୍ରତିଭା: ଦେହାତୀତ ଉପନ୍ୟାସରେ ସତ୍ୟ ଅଧିକ, କଳ୍ପନା କେବଳ ବହି ଉପର ମଲାଟ ଭଳି ଗୋଟିଏ ଆଭରଣ ।
ଶୋଭନା: ଆପଣ ସର୍ବଦା ଜୀବନକୁ ବିଶ୍ଳେଷଣ କରିବାକୁ ଚାହିଁଛନ୍ତି, ପ୍ରାୟତଃ ଉପନ୍ୟାସ ଜୀବନକୁ ନେଇ ଆରମ୍ଭ ହେଉଛି ନଚେତ୍ ପ୍ରଥମ ପାରା ଭିତରେ ଜୀବନ ଶବ୍ଦଟି ରହିଛି । ଯେମିତି ଜୀବନକୁ ଅଭିନୟ ମନେ କରି ଅଭିନୟକୁ ଜୀବନ ମନେ କରେ ବୋଲି ମଣିଷ ଦୁଃଖପାଏ ବା ଜୀବନ ଏକ ଜଟିଳ ପ୍ରଶ୍ନ ଯାହାର କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ । ତେବେ ଜୀବନକୁ ଆପଣ ଖୋଜିଛନ୍ତି । ସେହି ଜଟିଳ ପ୍ରଶ୍ନର କିଛି ଉତ୍ତର ଆପଣ ପାଇଛନ୍ତି କି?
ପ୍ରତିଭା: ଜୀବନ ଏକ ଅସମାହିତ ପ୍ରଶ୍ନ । ଏହାର ଯଥାର୍ଥ ଉତ୍ତର ଖୋଜି ଚାଲିଥାଏ ମଣିଷ । ଜୀବନ ସହିତ ଯାହାର ଯେତେ ନିବିଡ ସମ୍ପର୍କ, ସମାଜର ସମସ୍ୟା ସହିତ ଯିଏ ଯେତେ ପରିଚିତ, ତେଲ ଲୁଣ ଅଭାବରେ ଚାବୁକ୍ ମାଡ଼ରେ ଯିଏ ଯେତେ କ୍ଷତ ବିକ୍ଷତ, ବିଭୁ ଭକ୍ତିରେ ଯାହାର ପ୍ରାଣ ଯେତେ ବ୍ୟାକୁଳ, ମାନବିକତାରେ ଯାହାର ହୃଦୟ ଯେତେ ରସାଣିତ, ପାପପୁଣ୍ୟ ସମ୍ପର୍କରେ ଯିଏ ଯେତେ ସଚେତନ ସେହି ବ୍ୟକ୍ତି ହିଁ ଜୀବନକୁ ପ୍ରଶ୍ନ କରି ଚାଲିଥାଏ ଏବଂ ଜୀବନର ନିକଟତର ହୋଇପାରେ । ଜୀବନଠାରୁ ଖୁବ୍ ଦୂରଛଡ଼ା ହୋଇ ରହି କେତେକ ବି ସାରା ଜୀବନ ବଂଚି ପାରନ୍ତି ।
ଶୋଭନା: ଆପଣଙ୍କ ନାୟିକାମାନେ ସବୁବେଳେ ସୁନ୍ଦରୀ । ଅସୁନ୍ଦରୀ ଝିଅଟେ କଣ ନାୟିକା ହୋଇପାରେ ନା?
ପ୍ରତିଭା: ସୌନ୍ଦର୍ଯ୍ୟ ଏକ ଆପେକ୍ଷିକ ଶବ୍ଦ । ସୌନ୍ଦର୍ଯ୍ୟର ସାରତତ୍ତ୍ୱ ଶରୀରରେ ନଥାଏ । ନାୟିକା ହେବା ପାଇଁ ସୁନ୍ଦରୀ ଅସୁନ୍ଦରୀ କିଛି ବାଛ ବିଚାର କରାଯାଇ ନଥାଏ । ମୋର ସବୁ ଗଳ୍ପ, ଉପନ୍ୟାସର ନାୟିକା ତଥାକଥିତ ସୁନ୍ଦରୀ ନୁହଁନ୍ତି । ‘ଆଦିଭୂମି’ର ଚରିତ୍ରମାନେ ଆପଣଙ୍କୁ କ’ଣ ସୁନ୍ଦର ଦିଶନ୍ତି ନାହିଁ? ମୋର କ୍ଷୁଦ୍ରଗଳ୍ପ ‘ମୂଷି’ ପଢ଼ିଛନ୍ତି କି? ମହାମୋହ ଉପନ୍ୟାସରେ ମୁଁ ସୌନ୍ଦର୍ଯ୍ୟ ତତ୍ତ୍ୱର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛି । ସୌନ୍ଦର୍ଯ୍ୟ ଶରୀରଗତ ନା ଆତ୍ମାଗତ? ଏହି ପ୍ରଶ୍ନ ଉତ୍ଥାପନ କରିଛି ।
ଶୋଭନା: ଦ୍ରାକ୍ଷା ହେଉ ଲିପ୍ସା, କୃଷ୍ଣା ବା କୌଣସି ନାରୀ ଚରିତ୍ରକୁ ପୁରୁଷ ବୁଝିପାରିନି । ପୁରୁଷ କ’ଣ ନାରୀକୁ ବୁଝିପାରେନା । ଏହା କ’ଣ ସତ୍ୟ?
ପ୍ରତିଭା: ନାରୀ ବି କ’ଣ ପୁରୁଷର ମନ ବୁଝିପାରେ? ଜଣେ ନାରୀ ଆଉ ଜଣେ ନାରୀକୁ ବି କ’ଣ ବୁଝିପାରେ?
ଶୋଭନା: ଉପନ୍ୟାସରେ ଚରିତ୍ରମାନଙ୍କୁ ନାମ ଦେବାରେ ଆପଣ ବେଶ୍ ସିନ୍ଦହସ୍ତା । ନାୟକ ନାୟିକାଙ୍କ ନାମକରଣ କ’ଣ ପାଠକଙ୍କ ଉପରେ ପ୍ରଭାବ ପକାଇଥାଏ କି?
ପ୍ରତିଭା: ଲେଖକ ଯେତେବେଳେ ସୃଜନ ପ୍ରକ୍ରିୟାରେ ଥାଏ, ସେତେବେଳେ ତା ସମ୍ମୁଖରେ ପାଠକ ନଥାଏ । ଥାଏ ଚରିତ୍ର ଓ ପ୍ରସଙ୍ଗ । ତେଣୁ ଚରିତ୍ରକୁ ମାନିବା ଭଳି ଏବଂ ବିଷୟବସ୍ତୁକୁ ଇଙ୍ଗିତ କରିବା ଭଳି ନାମକରଣ ଲେଖକ କରିଥାଏ । ତେବେ ପାଠକ ଉପରେ ନାମକରଣର ପ୍ରଭାବ ନିଶ୍ଚୟ ଥିବ । କାରଣ ‘ନବ ଜାତକ’ ଓ ‘ନୂତନ ଗୃହ’ର ନାମକରଣ ପାଇଁ ଚିହ୍ନା ଅଚିହ୍ନାଙ୍କ ନିକଟରୁ ମୋ ପାଖକୁ ବହୁ ଅନୁରୋଧ ପତ୍ର ଆସେ । ଅଧିକାଂଶ ସ୍ଥଳେ ମୁଁ ଅନୁରୋଧ ରକ୍ଷା କରିଛି ମଧ୍ୟ । ମାତ୍ର ଏହା ଏକ କଷ୍ଟକର କାମ । ମୁଁ ଯେଉଁ ନାମଟିକୁ ବହୁ ଭାବିଚିନ୍ତି ଦିଏ ତାହା ସେମାନଙ୍କୁ ନିଶ୍ଚୟ ଭଲ ଲାଗିବ-ଏପରି ଯୁକ୍ତି ଖୋଜି ପାଏନା ।
ଶୋଭନା: ଆପଣଙ୍କ ଉପନ୍ୟାସରେ ପୁରୁଷମାନେ କୃତଘ୍ନ, ଦୁର୍ବଳ ଚରିତ୍ର ଯୁକ୍ତ ଓ ଅସ୍ଥିର ମନ-ହୃଦୟହୀନ । ସେମାନଙ୍କ ହୃଦୟ ଶୀଘ୍ର ଚହଲିଯାଏ । ଅପର ପକ୍ଷେ ନାରୀ ତ୍ୟାଗ, ତିତୀକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ଓ ପତିପ୍ରାଣା, ଅନୁରକ୍ତା, ସମର୍ପଣ ବିଶ୍ୱସ୍ତ । ଆପଣ ବି କହିଛନ୍ତି-ଅସହାୟତାର ଲାଭ ଉଠାଇବାର ନାମ ଯେମିତି ପ୍ରେମିକ ପଣିଆ, ସ୍ୱାମୀତ୍ୱ, ପୁରୁଷତ୍ୱ, (ଉପନାୟିକା) । ଏହାଦ୍ୱାରା ଆପଣ ପୁରୁଷମାନଙ୍କ ପ୍ରତି ପକ୍ଷପାତିତା କରିନାହାଁନ୍ତି କି?
ପ୍ରତିଭା: କୌଣସି ଗଳ୍ପ ବା ଉପନ୍ୟାସର ଘଟଣା ପ୍ରବାହ ସହ ତାଳ ଦେଇ ଲେଖାଟି ଯାହା ଲେଖିଥାଏ ତାହା ସେହି କାହାଣୀ, ସେଇ ଚରିତ୍ର ପାଇଁ ପ୍ରଯୁଜ୍ୟ । ଯଦି କୌଣସି ସ୍ଥଳେ ଚରିତ୍ର କହେ- “ଭଗବାନ ନାହାଁନ୍ତି, ଧର୍ମ ବୋଲି କିଛି ନାହିଁ, ମଣିଷ ମାତ୍ରକେ ବେଇମାନ…” ତେବେ ଏହା କ’ଣ ମଣିଷ ସମାଜ ପାଇଁ ସର୍ବକାଳୀନ, ସାର୍ବଜନୀନ ସତ୍ୟ ହେବ ଏବଂ ସମସ୍ତଙ୍କ ପ୍ରତି ପ୍ରଯୁଯ୍ୟ ହେବ- ମୋ ଉପନ୍ୟାସର ପୁରୁଷଙ୍କ ଭିତରେ ଅଛନ୍ତି ଅନେକ ଆଦର୍ଶ ବ୍ୟକ୍ତି ଯଥା-ଦିଗନ୍ତକେଶରୀ, କୃଷ୍ଣ, କର୍ଣ୍ଣ, ସୋମା ମୁଦୁଲି, ଚାର୍ଲ୍ସ, ନରସିଂହଦେବ, ଓଁକାର, ତିମିର, ଅବର୍ଣ୍ଣ ଏବଂ ଆହୁରି ଅନେକ… ଆପଣଙ୍କୁ ଯଦି ଏମାନେ କୃତଘ୍ନ, ଦୁର୍ବଳ ଚରିତ୍ର, ଅସ୍ଥିର ମନ ଭଳି ଦିଶନ୍ତି ମୁଁ ନାଚାର । ସେମିତି ମୋ ଗଳ୍ପ ଉପନ୍ୟାସର ସମସ୍ତ ନାରୀ ଚରିତ୍ର ମଧ୍ୟ ଆଦର୍ଶ ନୁହଁନ୍ତି । କୌଣସି ମଣିଷ ସମ୍ପୂର୍ଣ୍ଣ ଭଲ ବା ସମ୍ପୂର୍ଣ୍ଣ ମନ୍ଦ ନୁହେଁ । ଲେଖା ଭଳି ଚରିତ୍ରମାନଙ୍କ ସହ ପାଠକ ଯଦି ଅନ୍ତରଙ୍ଗ ହୋଇପାରନ୍ତା ତେବେ ସେମାନଙ୍କର ଭଲ ମନ୍ଦ ଉଭୟ ଦିଗ ଦିଶନ୍ତା ।
ଶୋଭନା: ନାରୀ ଦେହ ପୁରୁଷମାନଙ୍କ ପକ୍ଷେ ସବୁ କିଛି । ଏହା କ’ଣ ସତ୍ୟ । ପୁରୁଷମାନଙ୍କ ପ୍ରତି ଆପଣଙ୍କ ଏମିତି ଧାରଣା କାହିଁକି?
ପ୍ରତିଭା: ଏହି ଉକ୍ତି ଅଧିକାଂଶତଃ ସତ୍ୟ । କାରଣ ମଣିଷର ଜୈବିକ ସତ୍ତା ସବୁ ସତ୍ତାଠାରୁ ବଳୀୟାନ । ଯାହା ସତ୍ୟ ତାହା ପ୍ରକାଶ କରିବାରେ ଭୟ କାହିଁକି? ପୁରୁଷ ପାଇଁ ସମାଜର ଅନୁଶାସନ କୋହଳ ବୋଲି ପୁରୁଷ ଏ ସଂପର୍କରେ ଲଗାମଛଡ଼ା ହେବା ସ୍ୱାଭାବିକ୍ କଥା ।
ଶୋଭନା: ସ୍ୱଦେଶୀ ପ୍ରୀତି ହିଁ ଆପଣଙ୍କ ଉପନ୍ୟାସରେ ସ୍ଥାନ ପାଇଛି । ଦ୍ରାକ୍ଷା ଓଙ୍କାର ସୁଖେନ୍ଦୁଙ୍କ ଦେଶ ପ୍ରୀତି ପ୍ରବଳ । ଦେଶପ୍ରୀତି ଉପରେ ଆପଣ ଏତେ ଗୁରୁତ୍ୱାରୋପ କରିଛନ୍ତି କାହିଁକି?
ପ୍ରତିଭା: ପ୍ରେମ ହିଁ ମୋର ମନ୍ତ୍ର- ମାନବ ପ୍ରେମ, ଦେଶ ପ୍ରେମ, ବିଭୂ ପ୍ରେମ, ପ୍ରକୃତି ପ୍ରେମ ମୋର ଧ୍ୟେୟ ।
ଶୋଭନା: ଆପଣଙ୍କ ଉପନ୍ୟାସଗୁଡ଼ିକ ବେଶ୍ ନାଟକୀୟ ଭାବେ ସମାପ୍ତ ହୋଇଥାନ୍ତି । ଯେମିତି ଦେହାତୀତରେ ସ୍ୱାହାର ବାପା ମରିଯିବା, ଦୁଇବନ୍ଧୁଙ୍କ ବିବାହ ପରେ ଦ୍ରାକ୍ଷାର ଆବିର୍ଭାବ (ଲୋନିସହ), ଅରଣ୍ୟରେ ଅର୍ଣ୍ଣବ ତାର ଔରସର ଜାତ ସନ୍ତାନକୁ ନେଇଯିବ । ଜୀବନର ନିଷ୍ଠୁର ବାସ୍ତବତାକୁ ଭେଟିବାକୁ ଆପଣ ଡରିଛନ୍ତି କି? ସେଥିପାଇଁ ଆପଣ ଘଟଣାଗୁଡ଼ିକୁ ନାଟକୀୟ ମୋଡ଼ ଦିଅନ୍ତି ।
ପ୍ରତିଭା: ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ‘ସ୍ୱାହା’ର ବାପା ସତ ଜୀବନରେ ଠିକ୍ ସେମିତି, ସେଇ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଉପନାୟିକାର ନାୟିକା (ସତ୍ୟ ଘଟଣା)ର ପରିଣତି ପ୍ରାୟ ତାହା ହିଁ ହୋଇଥିଲା । ଜୀବନ ବେଳେ ବେଳେ ନାଟକ ଠାରୁ ନାଟକୀୟ । ଜୀବନର ନିଷ୍ଠୁର ବାସ୍ତବତାକୁ ଡରି କେହି ବଞ୍ଚି ରହିବା ସମ୍ଭବ ନୁହେଁ, ଲେଖକ ହେବା ତ ଆଦୌ ସମ୍ଭବ ନୁହେଁ ।
ଶୋଭନା: ମେଘ ମେଦୂର ଉପନ୍ୟାସ କେମିତି ଟିକିଏ ଅବାସ୍ତବ ଲାଗେ । ଗୋଟିଏ ଛୋଟ କଥାକୁ ଭିତ୍ତି କରି ଏମିତି ଘଟଣା ଗଢ଼ି ଉଠିବାରେ ସତ୍ୟତା କେତେ?
ପ୍ରତିଭା: ମେଘ ମେଦୁର ଏକ କାଳ୍ପନିକ ଘଟଣା ଉପରେ ଗଢ଼ି ଉଠିଥିଲେ ବି ଏହି କାହାଣୀର ମୂଳ ଉତ୍ସ ସତ୍ୟ -ପତ୍ନୀ କହୁଥିଲେ “ମୁଁ ଯଦି ଜାଣି ପାରନ୍ତି ମୋ ମୃତ୍ୟୁରେ ତମର କି ପ୍ରତିକିୟା ହେବ, ତୁମେ ଆଉ ଥରେ ବାହା ହେବ କି ନାଁ- ତେବେ ମୁଁ କାଲି ମରିଯାନ୍ତି-” ଏମିତି ଏକ ଉକ୍ତି ଶୁଣିବା ପରେ ଉପନ୍ୟାସଟି ଆପେ ଆପେ ଲେଖି ହୋଇଯାଇଥିଲା ।
ଶୋଭନା: ଯାଜ୍ଞସେନୀ ପରେ ମହାମୋହ ଆପଣଙ୍କର ପ୍ରକାଶିତ ହୋଇଛି । ମହାମୋହର ବର୍ଣ୍ଣନା ଚାତୁରୀ ବେଶ୍ ସୁନ୍ଦର । ସେଠି ଆପଣଙ୍କ ଅନ୍ତଦୃଷ୍ଟି ବି ବେଶ୍ ପ୍ରଖର । କିନ୍ତୁ ଆପଣ ସେଠି ପୁରାଣଠୁ ଭିନ୍ନମତ ଦେଇଛନ୍ତି । ଯଥା ଇନ୍ଦ୍ର ଛଦ୍ମ ବେଶରେ ଆସି ଅହଲ୍ୟାଙ୍କ ସତୀତ୍ୱ ହରଣ କରିଥିଲେ । ଅଥଚ୍ ଆପଣ ଲେଖିଛନ୍ତି ଅହଲ୍ୟା ନିଜର ଇଚ୍ଛାରେ ତାହା ସମର୍ପଣ କରିଥିଲେ । ଏହା ସାଧାରଣ ପାଠକ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁନି କି?
ପ୍ରତିଭା: ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ ନିର୍ବିଶେଷରେ ମାନବିକ ଆବେଗ ଆବେଦନ ଓ ସଂପର୍କରେ କିଛି ଫରକ ନଥାଏ- ଏହା ହିଁ ଉଦେ୍ଦଶ୍ୟ । ରାମାୟଣର ବାଲ୍ୟକାଣ୍ଡ ପଢ଼ନ୍ତୁ । ସେଠାରେ ଏହା ହିଁ କୁହାଯାଇଛି । ଏଥିସହ ମୁଁ ଏକମତ ହୋଇଛି । ସ୍ୱାମୀର ଛଦ୍ମବେଶରେ ଆସି ଜଣେ ଅଭିଜ୍ଞା ନାରୀର ସତୀତ୍ୱ ଅପହରଣ କରିନେବା ଅଯୌକ୍ତିକ ନୁହେଁ କି?
ଶୋଭନା: ଏହି ଉପନ୍ୟାସରେ ଆପଣ ପୁରୁଷମାନଙ୍କ ପାଇଁ ବହୁତ କଠୋର ହୋଇଯାଇଛନ୍ତି । ବାଲ୍ମୀକି ବି ଏଥିରୁ ବାଦ୍ ପଡିନାହାଁନ୍ତି ।
ପ୍ରତିଭା: କାହାରି ପ୍ରତି କଠୋର ବା କୋମଳ ହେବା ପ୍ରଶ୍ନ ଏଠାରେ ଉଠୁନି । ଚରିତ୍ରମାନଙ୍କୁ ବିଶ୍ଲେଷଣ କରୁ କରୁ ଯିଏ ଯେମିତି ଦିଶିଲା ତାକୁ ସେମିତି ଚତ୍ରଣ କରାଗଲା । ବାଲ୍ମୀକି ଯାହାକୁ ଯେମିତି କରିଥିଲେ ତାହାକୁ ଅବିକଳ ସେମିତି କରି ଥୋଇଲେ ସେ ପୁସ୍ତକଟି ରାମାୟଣର ଟୀକା ହୋଇଥାନ୍ତା ସିନା- ‘ମହାମୋହ’ ହୋଇନଥାନ୍ତା । ଅହଲ୍ୟା ଜାଣି ଶୁଣି ପରପୁରୁଷ ନିକଟରେ ଦେହଦାନ କରିଛନ୍ତି ବୋଲି ମହାମୋହରେ ମୁଁ ବର୍ଣ୍ଣନା କରିଛି । ତେବେ ମୁଁ ଅହଲ୍ୟାଙ୍କ ପାଇଁ ମଧ୍ୟ କଣ କଠୋର ହେଲି ବୋଲି ଆପଣ କହିବେ ।
ଶୋଭନା: ଗୌତମଙ୍କର ଭଲ ଗୁଣ । ସ୍ତ୍ରୀ ପ୍ରୀତି ଆପଣ କେଉଁଠି ବି ପ୍ରଦର୍ଶିତ କରିନାହାଁନ୍ତି । ସତେ ଯେମିତି ଗୌତମ ଏ ଜନ୍ମର ଏକ ସ୍ୱାର୍ଥପର ଏବଂ ତପସିଦ୍ଧ ମନୁଷ୍ୟ । ଏହା ସତ୍ୟ କି?
ପ୍ରତିଭା: ଛାତ୍ର ଭାବରେ, ଗୁରୁ ଭାବରେ, ଜ୍ଞାନୀ ଭାବରେ, ସଂଯମୀ ଭାବରେ ଋଷି ଭାବରେ ଗୌତମଙ୍କର ମହାନତା ଆପଣ କ’ଣ ମହାମୋହରୁ ପାଇନାହାଁନ୍ତି? ସ୍ୱାମୀ ଭାବରେ ମଧ୍ୟ ଗୌତମ ଏକପତ୍ନୀବ୍ରତ ଏବଂ ଅତ୍ୟନ୍ତ ବିଶ୍ୱସ୍ତ ସ୍ୱାମୀ । ସ୍ତ୍ରୀଙ୍କ ପ୍ରତି ତାଙ୍କର ଅଗାଧ ପ୍ରେମ ମଧ୍ୟ ସେ ଅହଲ୍ୟାଙ୍କୁ ଲେଖିଥିବା ପ୍ରେମ ପତ୍ରରେ ପ୍ରକାଶ କରିଛନ୍ତି । ଉପନ୍ୟାସର ଅନ୍ତିମ ଭାଗରେ ମଧ୍ୟ ଗୌତମ ନିଜର ଆଦର୍ଶ ପ୍ରକଟ କରିଛନ୍ତି । ଗୌତମ ଏକ ସ୍ୱାର୍ଥପର ସ୍ୱାମୀ ନଥିଲେ ବରଂ ଏକ “ପଜେସିଭ୍” ସ୍ୱାମୀ ଥିଲେ । ଏଥିରେ ଅସ୍ୱାଭାବିକତା ମଧ୍ୟ ନାହିଁ ।
ଶୋଭନା: ଯୁବକ ଇନ୍ଦ୍ରଙ୍କ ସହ ଶିଶୁ ଅହଲ୍ୟା ବାର୍ତ୍ତାଳାପ ବେଳେ ଅସ୍ୱାଭାବିକ୍ ମନେ ହୋଇଛି ଯଥା, ‘ତୁମ ଆଖିରେ ମୋ ମୁହଁ ଦିଶୁଛି, ତୁମେ ଚାହିଁଲେ ଆଖି ତାଡ଼ି ଦେବି ।’ ଏମିତି ଏକ ପ୍ରେମ ଭାବପୂର୍ଣ୍ଣ କଥାବାର୍ତ୍ତାରୁ ଅହଲ୍ୟା ଶୈଶବରୁ କିଛି ବୁଝିଥିଲେ କି? ଆପଣ ଏମିତି ଲେଖିବାର କାରଣ କ’ଣ?
ପ୍ରତିଭା: ଏହା ଇନ୍ଦ୍ରଙ୍କର ଏକ ଇଂଗୀତପୂର୍ଣ୍ଣ ସଂଳାପ । ବାଳିକା ଅହଲ୍ୟା ବୁଝନ୍ତୁ ବା ନ ବୁଝନ୍ତୁ କହିବା ଲୋକର ଆତ୍ମସନ୍ତୋଷ ତ ସେଥିରେ ମିଳେ । ପ୍ରେମାକାଂକ୍ଷା ଅନେକ ସମୟରେ ପ୍ରେମପୂର୍ଣ୍ଣ ବାକ୍ୟ ଉଚ୍ଚାରଣରେ କିଛିଟା ପୂରଣ ହୋଇଥାଏ । ଏହା ମନସ୍ତତ୍ତ୍ୱର କଥା ।
ଶୋଭନା: ନୀଳତୃଷ୍ଣା ଆପଣଙ୍କର ସବୁଠୁ ଏକ ସଫଳ ଉପନ୍ୟାସ ବୋଲି ମୁଁ ଭାବେ । ନୀଳତୃଷ୍ଣା ବାବଦରେ କିଛି କହନ୍ତୁ ।
ପ୍ରତିଭା: ନୀଳତୃଷ୍ଣା ଏକ ପ୍ରଚଣ୍ଡ ପ୍ରତିକ୍ରିୟା । ଏତିକି ବ୍ୟତୀତ ଆଉ କିଛି କହିବାର ନାହିଁ । ଯାହା କହିବାର ଥିଲା ଉପନ୍ୟାସରେ କହିସାରିଛି ।
ଶୋଭନା: ଗାଳ୍ପିକ ହିସାବରେ ଆପଣ ବେଶ୍ ଦକ୍ଷ ହୋଇଥିଲେ ବି ଆପଣଙ୍କ ଗଳ୍ପ ବାବଦରେ ବେଶୀ ଆଲୋଚନା, ସମାଲୋଚନା ହୁଏ ନାହିିଁ କାହିଁକି?
ପ୍ରତିଭା: ମୋର କାମ ଗଳ୍ପ, ଉପନ୍ୟାସ ଲେଖିବା । ତା’ର ଆଲୋଚନା କରିବା ନକରିବା ଆଲୋଚକଙ୍କ ଉପରେ ନିର୍ଭର କରେ । ତେବେ ମୋର କୋଉ ଉପନ୍ୟାସର ଆଲୋଚନା ସମାଲୋଚନା ହୋଇଛି କି? ମୋଟ ଉପରେ କହିବି ଓଡ଼ିଆ ସାହିତ୍ୟରେ ସମାଲୋଚନା ସାହିତ୍ୟ ସ୍ପଷ୍ଟ, ନିରପେକ୍ଷ ଏବଂ ବୌଦ୍ଧିକ ନୁହେଁ । ସମାଲୋଚନା ସାହିତ୍ୟ ଓଡ଼ିଆ ସାହିତ୍ୟର ଦୁର୍ବଳତମ ବିଭବ ।