ମାଈ ପକ୍ଷୀଟିଏ ନଦୀରେ ଝାସି ହେଇ ପ୍ରାଣହାରି ଦବାକୁ ଆସିଲା । ନଦୀ ପ·ରିଲା, ଜୀବନ ହାରିବାକୁ କାହିଁକି ଆସିଛୁ? ମାଈ ପକ୍ଷୀଟି କହିଲା, ଏ ପିଲା-ଛୁଆର ଜଞ୍ଜାଳ, ତାଙ୍କର ଦାନା ଯୋଗାଡ଼ର କଷ୍ଟ, ପ୍ରତିମୁହୂର୍ତ୍ତରେ ବସା ଭାଙ୍ଗି ଯିବାର ଆଶଙ୍କାରେ ଜୀବନଟା ଦହଗଞ୍ଜ ହେଇଗଲାଣି । ପ୍ରାଣୀ ଜନ୍ମ ମହାକଷ୍ଟ । ଏ ଜୀବନ ରଖି ଲାଭ ନାଇଁ!
ନଦୀ କହିଲା, କଷ୍ଟକୁ ଡରୁଚୁ ନା? କଷ୍ଟତ ସମସ୍ତେ ପାଉଛନ୍ତି । ତୁ, ମୁଁ ଏ ଗଛବୃଚ୍ଛ ସମସ୍ତେ… ।
ମାଈପକ୍ଷୀ ପ୍ରତିବାଦ କଲା, ତୋରବା କି କଷ୍ଟରେ, ତୁ’ତ ତୋ ମନ ଖୁସିରେ ଗୀତ ଗାଇଗାଇ ବୋହି ଚାଲିଚୁ ।
ନଦୀ କହିଲା, ମୋର ଏ କୁଳୁକୁଳୁ, ଗୀତ ଗାଉଥିବା ଚେହେରାଟା କଣ ସତରେ ମୋର ଭିତରର ଚେହେରା? ମୋ ଭିତରର ନଦୀଟି ଯେ ଅହରହ ନିର୍ବାକ ଗତି କରୁଥାଏ-ମାଟି ସଙ୍ଗେ, ପଥର ସଙ୍ଗେ, ଗଛର ମୋଟା ଚେର ସଙ୍ଗେ ପ୍ରତି ମୁହୂର୍ତ୍ତରେ ଗତି କରିବା ଲାଗି ବୁଝାମଣା କରିଚାଲିଥାଏ । ପଥର ଯଦି କହିବ ନାଁ, ମୁଁ ଘୁଞ୍ଚିବିନି; ମୁଁ ତା କଡ଼ ଦେଇ ବୋହିଯାଏ । ଆଗରେ ଗଛ ଆସିଲେ, ସେ ବଳୁଆ ଆଉ ପ୍ରତାପୀ ହୋଇଥିଲେ ତା’ ପାଖଦେଇ ଘୁରି ଘୁରି ମୋତେ ବାଟ କାଢ଼ିବାକୁ ହୁଏ । ପ୍ରତିମୁହୂର୍ତ୍ତତ ବିତି ଯାଉଛି ବୁଝାମଣାରେ-ସାଲିସ୍ରେ-ସନ୍ଧିରେ । ମୋର ନିଜସ୍ୱ ଇଚ୍ଛାରେ କିଛିତ କେବେ ହୋଇନି । ୟେ କଣ କମ୍ କଷ୍ଟ? ସାରା ସଂସାରତ ଏଇ କଷ୍ଟ ଭୋଗୁଛି । ମୁଁ କଣ ଏକା!!
ନଦୀ ପାଣିରେ ଗଛର ଛାଇ ଲମ୍ବି ଯାଇଥିଲା । ମାଈ ପକ୍ଷୀଟି ବସିଥିଲା ତା’ରି ଶାଖାରେ । ନଦୀର କଥା ଶୁଣି ଗଛକୁ ସେ ପ·ରିଲା, ଗଛରେ ତୋର କ’ଣ କଷ୍ଟ ଅଛି? ତୋର ତ ଡାଳ ପତ୍ର ସ୍ୱର୍ଗେ ଲାଗେ କି ମଞ୍ଚେ ଲାଗେ-କି ଦୁଃଖ ବା ତୋର ଥିବ! ନା ଅଛି ଖାଦ୍ୟ ଯୋଗାଡ଼ ନା ଅଛି ବସାରକ୍ଷାର ଚିନ୍ତା!
ଝଙ୍କାଏ ଡାଳ ଦୋହଲାଇ ଗଛ କହିଉଠିଲା, କଷ୍ଟ ନାଇଁ କିମିତି? ଏଇ ଯେ ଗାଈଆଳଟୋକା ଆସନ୍ତି ଡାଳ ମାଙ୍କୁଡ଼ି ଖେଳନ୍ତି ମୋ ଉପରେ, ମତେ କାଟେନି, ସେଇ ଯେ ସ୍ତ୍ରୀ ଲୋକମାନେ ଆସନ୍ତି, ଗୋଚ୍ଛା ଗୋଚ୍ଛା ଡାଳପତ୍ର ଭାଙ୍ଗି ନିଅନ୍ତି ଛେଳି ଖୁଆଇବାକୁ, ମତେ କଷ୍ଟ ହୁଏନି? ଖାଦ୍ୟ ଲାଗି ମତେ ବି ତ ଚେର ଲମ୍ବେଇବାକୁ ହୁଏ । ଆଉ ସେଇଥିଲାଗି ମତେ ବି ତ ମାଟି, କାଠ, ଧାତୁ, ପଥରର ମର୍ଜ୍ଜି ଜଗିବାକୁ ହୁଏ । ବାହାରର ଶ୍ୟାମଳ ଶ୍ରୀ କଣ ପ୍ରକୃତରେ ମୋର ପରିଚୟ?
ମାଈପକ୍ଷୀ ଦେଖୁଥିଲା ମଥା ଉପରେ ସୂର୍ଯ୍ୟ ଦାଉ ଦାଉ ଜଳୁଛି । ଭାବିଲା, ୟାଠୁ ପ୍ରତାପୀ କେହି ନାହିଁ । ୟା ଭାଗ୍ୟରେ ଦହଗଞ୍ଜ ନଥିବପରା!
ସୂର୍ଯ୍ୟ ତା’ ମନ କଥା ଜାଣିପାରିଲା । କହିଲା, ମୁଁ ଖାଲି ତମମାନଙ୍କୁ ଉଷୁମ୍ ଦେବା ପାଇଁ ଜଳୁନି, ମୋ ନିଜ ଭିତରେ ବି ଅହରହ ମନସ୍ତାପରେ ଜଳୁଚି । ମୋ ଭିତରେ ଏମିତି ସବୁ ବିସ୍ଫୋରଣ ହୁଏ ଯେ ପ୍ରତିମୁହୂର୍ତ୍ତରେ ମନେ ହୁଏ ମୁଁ ବୋଧେ ଏଇମାତ୍ର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ । ଭାରି କାଟେ । ତା’ ଉପରେ ମୋର କର୍ତ୍ତୃତ୍ୱ ଖାଟେନା । ତା’ଛଡ଼ା ଆପଣା ସୁଖରେ ଟିକେ ବୁଲି ବାହାରିଲା ବେଳେ କଳା ହାଣ୍ଡିଆ ମେଘ କି ଧଳାକୁହୁଡ଼ିଆ ମେଘର ଯଦି ଦୁଷ୍ଟାମୀ କରିବାକୁ ଇଚ୍ଛାହୁଏ ତ ମତେ ଘୋଡ଼େଇ ଦିଏ-ମୋର ଦର୍ପ ତା’ଠାରେ ମଉଳି ପଡ଼େ ।
ମାଇପକ୍ଷୀ ବିସ୍ମିତ ହେଲା । ଏତିକିବେଳେ ବୋହିଆସିଲା ଦମକାଏ ଶୀତଳ ପବନ । ପବନର ମଧୁରତାରେ ସେ ଅଭିଭୂତ ହୋଇଗଲା । ଗୁଣୁ ଗୁଣୁ ହୋଇ କହିଲା, ସତରେ ସୂର୍ଯ୍ୟଟା ବଡ଼ ଦୁଃଖୀ, ହେଲେ ପବନ? ସେ ତ ସର୍ବବିହାରୀ । ମନ ଇଚ୍ଛା ଏଣେ ତେଣେ ଘୁରୂିବୁଲେ । କାହାରିକୁ ମାନେନା । କାହାରି ବନ୍ଧନରେ ବାନ୍ଧି ହୋଇ ରହି ପାରେନା । ତା’ଠୁ ସୁଖୀ କ’ଣ କିଏ ଅଛି?
ପବନ ଶୁଣିଲା ତାର ସ୍ୱଗତୋକ୍ତି । ବୁଝେଇ ଦେଲା, ନାଇଁରେ ତୁ ଯାହା ଭାବୁଚୁ ତା’ ସତ ନୁହେଁ । ମୋର ଏକ ଉଦ୍ଦାମ-ସର୍ବ ରୂପ ଦେଖି ଭୁଲିଯିବୁନି ଜମାରୁ । ସଂସାର ସେବାରେ ନିତ୍ୟ ଲାଗିଛି ମୁଁ । କୋଉଠି ଯଦି କିଛି ଅଂଶ ଗରମ ହୋଇ ଊଦ୍ଧ୍ୱର୍କୁ ଚାଲିଗଲା ତ ସେ ସ୍ଥାନ ପୂରଣ ପାଇଁ ମୁଁ କ୍ଷିପ୍ର ଦୌଡ଼ିଯାଏ ନହେଲେ ସଂସାର ଅଚଳ ହୋଇଯିବ ମୁହୂର୍ତ୍ତକେ । ମୋର ସେ ଉଦେ୍ଦଶ୍ୟ କେହି ବୁଝନ୍ତିନି । ଓଲଟି ମତେ ଦୋଷୀକରି ନାଁ ଦିଅନ୍ତି, ଖଣ୍ଡିଆଭୂତ । ଆଉ ମୁଁ ତ ଗନ୍ଧବହ । ସେଇ ଭାବେ ପ୍ରକୃତି ମତେ ତିଆରି କରିଚି । ଯଦି ଫୁଲରୁ ସୁଗନ୍ଧ ନେଲି ଲୋକେ ଖୁସି ହୁଅନ୍ତି । ଆଉ କେଉଁଠି ଦୁର୍ଗନ୍ଧ ଥିଲେ ତାହା ବି ମୋର ପ୍ରାକୃତିକ ନିୟମରେ ମୁଁ ବୋହିନିଏ । ଲୋକେ ସେତେବେଳ ମତେ ଘୃଣା କରନ୍ତି । ଏଥିପାଇଁ ମୋର ଖୁବ୍ ଦୁଃଖ ହୁଏ । ମୋ ଭିତରର ଦୁଃଖ କଣ ବାହାର ରୂପରୁ ତୁ କଳି ପାରିବୁ?
ମାଈ ପକ୍ଷୀ ମୁଣ୍ଡ ଟୁଙ୍ଗାରିଲା-ସତେ ତ -ତମ ବାହାରଟାମାନ ଦେଖି ମୁଁ ଭାବୁଥିଲି ତମେ ମାନେ କେତେ ସୁଖୀ । ଏବେ ଦେଖୁଚି, ତମମାନଙ୍କୁଠୁ ମୁଁ ଯେ ଶହେଗୁଣ ସୁଖୀ-ମତେ କେହି ନିନେ୍ଦନାଇଁ, ଦୋଷେନାହିଁ, କାହା ସହିତ ପ୍ରାତ୍ୟହିକ ସାଲିସ କରେନାହିଁ । କାହା ମର୍ଜି ଜଗି ମୁଁ ଚଳେ ନାହିଁ । ଭଗବାନ ପ୍ରାଣୀ ଜନ୍ମ ଦେଇଛନ୍ତି । ପିଲାଙ୍କ ଆଦର ପାଉଛି । ଘରର ଉଷ୍ମତା ପାଉଚି । ଛି, ତାକୁ ପୁଣି ନିନ୍ଦୁଥିଲି? ଏ ପରା ଜୀବନ ହାରିବାକୁ ବସିଥିଲି?
ମାଈପକ୍ଷୀ ଉଡ଼ିଗଲା ଆପଣା ବସାଆଡ଼େ । ଦୂରରୁ ଦେଖି ଶାବକମାନେ କଅଁଳିଆ ସ୍ୱରରେ ରାବି ଉଠିଲାବେଳେ ମାଈପକ୍ଷୀଟିଏ ଅନୁଭବ କରୁଥିଲା, ସେ ପୂର୍ଣ୍ଣ ହୋଇଯାଇଚି । ତା’ର ଆଉ ଅବଶୋଷ କିଛି ନାହିଁ… ।