ସେଦିନ ଅପରାହ୍ନରେ ଜଳଖିଆ ଖାଇବା ପାଇଁ ଗୋଟିଏ ସାଉଥ ଇଣ୍ଡିଆନ୍ କାଫେକୁ ଯାଉଛି, ହଠାତ୍ ଆମ ସାହିର ନବବାବୁଙ୍କ ସାଙ୍ଗରେ ଦେଖା ହୋଇଗଲା । ସମ୍ଭବତଃ ସେ ଅଫିସ୍ରୁ ଫେରୁଥିଲେ । ତାଙ୍କ ମୁହଁରେ ଦିନସାରା ଖଟି ଖଟି ଆସିଥିବାର କ୍ଲାନ୍ତି ବେଶ୍ ବାରି ହୋଇ ଯାଉଥିଲା ।
ମୁଁ ତାଙ୍କ ହାତଧରି ଟାଣି ଆଣିଲି ଆସନ୍ତୁ, ଜଳଖିଆ ଖାଇବା ।
ସାଉଥ୍ ଇଣ୍ଡିଆନ କାଫେରେ ଜଳଖିଆ ଖାଇବା କଥା ଶୁଣି ନବବାବୁ ମନା କଲେ; ବରଂ ମତେ ଓଲଟି ପଚାରିଲେ-ଆପଣ କ’ଣ ନିୟମିତ ବାହାରେ ଜଳଖିଆ ଖାଆନ୍ତି?
-ନିୟମିତ ନୁହେଁ; ବେଳେ ବେଳେ, ଭୋକ ହେଲେ ଖାଏ । ଆପଣଙ୍କୁ କ’ଣ ଡାକ୍ତର ବାହାରେ ଖାଇବାକୁ ମନା କରିଛନ୍ତି?
-ନା ଡାକ୍ତର ନୁହନ୍ତି, ମୋ ସ୍ତ୍ରୀଙ୍କର କଡ଼ା ବାରଣ । ଥରେ ଅଫିସ କ୍ୟାଣ୍ଟିନ୍ରେ ଜଳଖିଆ ଖାଇ ଯାଇଥିଲି ଯେ, ଘରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଗଲା । ସ୍ତ୍ରୀଙ୍କର ଯୁକ୍ତିଥିଲା- ତମେ ଚାକିରି କରି ଟଙ୍କା ରୋଜଗାର କରୁଛ ବୋଲି ବାହାରେ ଭଲ ଭଲ ପାଟି ସୁଆଦିଆ ଜିନିଷ ଖାଇବ, ଆଉ ଆମେ ଘରେ ଚୁଡ଼ା, ଚିନି, ଛତୁଆ ନହେଲେ ବାସିପଖାଳ ଖାଉଥିବୁ? ଠିକ୍ ଅଛି, ଯଦି ବାହାରେ ଜଳଖିଆ ଖାଇ ଆସିଛ, ତା’ ହେଲେ ରାତିରେ ହୋଟେଲ୍ରେ ଖାଅ । ମୁଁ ଆଉ ରୋଷେଇ କରିବିନାଇଁ ।
ମୁଁ ପଚାରିଲି-ତା’ପରେ କ’ଣ ହେଲା?
-ଆଉ ହେବ କ’ଣ? ସେଦିନ ରାତିରେ ସ୍ତ୍ରୀ ଆଉ ରୋଷେଇ କଲା ନାହିଁ । ମତେ ବାଧ୍ୟ ହୋଇ ସମସ୍ତଙ୍କୁ ଆଣି ହୋଟେଲ୍ରେ ଖୁଆଇବାକୁ ହେଲା । ସେଇଦିନୁ ମୁଁ ପ୍ରାୟ ବାହାରେ ଜଳଖିଆ ଖାଏ ନାହିଁ । ନବବାବୁ କଥା ଶେଷ କରି ଯିବାକୁ ବାହାରିଲେ । ମୁଁ ତାଙ୍କୁ ଯିବାକୁ ଦେଲି ନାହିଁ । ତାଙ୍କୁ ସାହସ ଦେଲି-ଆସନ୍ତୁ ଅଳ୍ପ ଟିକିଏ ଜଳଖିଆ ଖାଇଯିବେ । ସ୍ତ୍ରୀ ଜାଣିଲେ ସିନା ରାତିରେ ରୋଷେଇ ବନ୍ଦ କରିବେ ।
ତାଙ୍କୁ ନିଶ୍ଚୟ ଭୋକ ହେଉଥିଲା । ସେ ଆଉ ମନା କଲେ ନାହିଁ । କିନ୍ତୁ ମସଲା ଦୋଷା ଖାଇଲା ବେଳେ ଖୁବ୍ ସନ୍ତର୍ପଣରେ ଡରି ଡରି ଖାଉଥିଲା ଭଳି ଲାଗୁଥିଲା, ସତେ ଯେପରି ଦ୍ୱାରରେ ଠିଆ ହୋଇ ତାଙ୍କ ସ୍ତ୍ରୀ ନିଜର ସ୍ୱାର୍ଥପର ଅବାଧ୍ୟ ସ୍ୱାମୀଙ୍କ ଏକାକୀ ଉଦର-ଭରଣ କରୁଥିବାର ଦୃଶ୍ୟ ଅଲକ୍ଷ୍ୟରେ ଲକ୍ଷ୍ୟ କରୁଛନ୍ତି!
ନବବାବୁ ମୋ ଜାଣିବାରେ ଏକମାତ୍ର ପତ୍ନୀ-ଭୀତସନ୍ତପ୍ତ ସ୍ୱାମୀ ନୁହନ୍ତି । ମୁଁ ଆହୁରି ଅନେକ ବନ୍ଧୁଙ୍କୁ ଜାଣେ, ଯେଉଁମାନେ ପତ୍ନୀଙ୍କ ପାଖରେ ନିଜର ଗୁଡ୍ବଏ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ଜଗିରଖି, ଡରିମରି ଚଳନ୍ତି ।
ଏଇ ଯେ ସୁଧାଂଶୁ ବାବୁ ଇଂଜିନିୟର, ତାଙ୍କ ସ୍ତ୍ରୀ ନବବାବୁଙ୍କ ସ୍ତ୍ରୀ ଭଳି ପୁରୁଣାକାଳିଆ, ସ୍ୱଳ୍ପଶିକ୍ଷିତା, ଗୃହବନ୍ଦିନୀ ଘରଣୀ ନୁହଁନ୍ତ; ପଦାର୍ଥ ବିଜ୍ଞାନରେ ଅଧ୍ୟାପିକା, ଆଧୁନିକା ନାରୀ । ସୁଧାଂଶୁ ବାବୁ ଥରେ ‘କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ’ ଗୋଟିଏ ଇଂଲିସ୍ ଫିଲ୍ମ ଦେଖଥିଲେ ବୋଲି ଘରେ ତୁମୁଳ କାଣ୍ଢ । ନଗ୍ନ ଦୃଶ୍ୟ ଥିବା ଛବି କୁଆଡ଼େ ଯୌନବିକୃତି ଥିବା ଲୋକେ ଦେଖନ୍ତି; ସେଭଳି ବିକୃତ ରୁଚିର ଲୋକ ତାଙ୍କ ସ୍ୱାମୀ ହେବା ପାଇଁ ଅଯୋଗ୍ୟ-ଏହା ହିଁ ଥିଲା ତାଙ୍କ ଅଧ୍ୟାପିକା ପତ୍ନୀଙ୍କର ଅଭିଯୋଗ ।
ମତେ ଚମକାଇ ସୁଧାଂଶୁବାବୁ ଆହୁରି କହିଥିଲେ-ଜାଣିଲ ଭାଇ! ତମେ ସବୁ ଭାଗ୍ୟବାନ ପୁରୁଷ । ନିଷିଦ୍ଧ ବହି ପଢ଼ୁଛ, ନିଷିଦ୍ଧ ଛବି ଦେଖୁଛ । ଏ ପୌଢ ବୟସରେ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଇଂଲିସ୍ ଛବି କେବଳ ନୁହେଁ, ଯୌନ ବର୍ଣ୍ଣନା ଥିବା ଇଂଲିସ୍ ନଭେଲ୍ ମଧ୍ୟ ମତେ ମତେ ପଢ଼ିବା ପାଇଁ ମନା । ଜାକି କଲିନ୍ସ, ହାରୋଲ୍ଡ ରବିନ୍ସଙ୍କ ଉପନ୍ୟାସ କଥା ଛାଡ଼-ଆଲବର୍ଟ ମୋରାଭିଆଙ୍କ ‘ଓମ୍ୟାନ୍ ଅଫ ରୋମ୍’ ଉପନ୍ୟାସ ମଧ୍ୟ ମତେ ମୋ ସ୍ତ୍ରୀଙ୍କୁ ଲୁଚାଇ ଲୁଚାଇ ପଢ଼ିବାକୁ ହୁଏ । ଡେବ୍ନାୟର କପି ଅଫିସରେ ଦେଖିକି ରଖିଦିଏ; ଘରକୁ ସ୍ତ୍ରୀଙ୍କ ଭୟରେ ନେବାକୁ ସାହସ ହୁଏ ନାହିଁ ।
ସଂସାରରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବଦ୍ଧମୂଳ ଧାରଣା-ଶୈଶବରେ କମିକ୍ସ, ଛାତ୍ର ଜୀବନରେ ପାଠ୍ୟପୁସ୍ତକ, ଯୌବନରେ ଟେକ୍ନିକାଲ୍ ପ୍ରଫେସନାଲ ବହି ଆଉ ବାର୍ଦ୍ଧକ୍ୟରେ କେବଳ ଧର୍ମଗ୍ରନ୍ଥ ପଢ଼ି ମଲେ ସିଧା ବୈକୁଣ୍ଠରେ ପହଞ୍ଚି ଯିବ । ଅନ୍ୟ ଯେଉଁମାନେ ବୈକୁଣ୍ଠବାସୀ ହେବାକୁ ଚାହାନ୍ତି ନାହିଁ, କିମ୍ବା ନର୍କକୁ ଯିବା ପାଇଁ ଭୟ କରନ୍ତି ନାହିଁ;ସେମାନେ କେବଳ ଜାକି କଲିନ୍ସ, ମୋାରାଭିଆଙ୍କ ବହି ନୁହେଁ; ନବକୋଭ୍ଙ୍କ ‘ଲୋଳିତା’ ଲରେନ୍ସଙ୍କ ‘ଲେଡି ଚାର୍ଟଲିଜ ଲଭର’ ଉପନ୍ୟାସକୁ ମଧ୍ୟ ଜୋର୍ କରି ନିଜ ସ୍ତ୍ରୀଙ୍କୁ ପଢ଼ିବାକୁ ଦିଅନ୍ତି । ବୟସ୍କାମାନଙ୍କ ଲିଖିତ ବହି, ଉଦ୍ଦିଷ୍ଟ ଛବି ତ ସ୍ୱାମୀ-ସ୍ତ୍ରୀ ଏକତ୍ର ପଢ଼ିବା, ଦେଖିବା କଥା ।
ମୋର ଜଣେ ଅଧ୍ୟାପକ ବନ୍ଧୁ ଅଛନ୍ତି, ଯେ କି ସାଙ୍ଗ ମେଳରେ ମଦ୍ୟପାନ କରିବାକୁ ଭଲ ପାଆନ୍ତି; କିନ୍ତୁ ସେ ଜଣେ ମଦ୍ୟପ-ଏକଥା ନିଜ ସ୍ତ୍ରୀଙ୍କୁ ଜାଣିବାକୁ ଦିଅନ୍ତି ନାହିଁ । ପାନ ଭୋଜନ ପରେ ପ୍ରକୃତିସ୍ଥ ହେଲା ପରେ ମସଲା ଦିଆ ପାନ ଚୋବାଇ ରାତିରେ ସୁନାପିଲା ଭଳି ଘରକୁ ଫେରନ୍ତି ।
ପତ୍ନୀଙ୍କୁ ଭୟ କରି ବାହାରେ ଜଳଖିଆ ନଖାଇବା, ଲୁଚାଇ ଲୁଚାଇ ଯୌନ ଚିତ୍ର ଥିବା ଛବି ଦେଖିବା ବା ବହିପଢ଼ିବା, ମଦ୍ୟପାନ କରିସାରି ଆଲ୍କୋହଲ୍ର ବାସ୍ନା ଲୁଚାଇବା ଲାଗି ମସଲାଦିଆ ପାନ ଖାଇବା, କେବଳ ହିପୋକ୍ରାସି ନୁହେଁ, ପୌରୁଷହୀନ କାପୁରୁଷତା ।
ଦାମ୍ପତ୍ୟ ଜୀବନରେଏ ଲୁଚାଛପା ମନୋବୃତ୍ତି ସଂଦେହକୁ ଜନ୍ମ ଦିଏ ଏବଂ ଥରେ ପତ୍ନୀ ମନରେ ସଂଦେହର ଶନି ପ୍ରବେଶ କଲେ ତାହା ପାରିବାରିକ ଜୀବନକୁ ବିପର୍ଯ୍ୟସ୍ତ କରିପାରେ । ଏକଥା ପ୍ରତ୍ୟେକ ପୁରୁଷ ଜାଣନ୍ତି । ତଥାପି ସେମାନେ ଏଭଳି କାର୍ଯ୍ୟ କରନ୍ତି କାହିଁକି?
ସମ୍ଭବତଃ ତା’ର ଏକମାତ୍ର କାରଣ ପତ୍ନୀଙ୍କ ପ୍ରତି ଅନୁରକ୍ତି ନୁହେଁ ଭୟ । ଅମେ ଏକ ପୁରୁଷ ଶାସିତ ସମାଜରେ ବାସ କରୁଛୁ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ନାରୀ ହିଁ ଆମ ସମାଜର ଅଧିଶ୍ୱରୀ । କେବଳ ଅନୁନ୍ନତ ଅଥବା ଉନ୍ନୟନଶୀଳ ତୃତୀୟ ପୃଥିବୀର ସମାଜ ନୁହେଁ; ଉନ୍ନତ ପଶ୍ଚିମ । ରାଷ୍ଟ୍ରମାନଙ୍କରେ ମଧ୍ୟ ବୁଦ୍ଧି ଓ ବିଚକ୍ଷଣତାରେ ନାରୀ ପୁରୁଷଠାରୁ ଅନେକ ଆଗରେ ।
ସାତ ଆଠବର୍ଷ ତଳେ ଦିଲ୍ଲୀରୁ ନୀଳାଚଳ ଏକ୍ସପ୍ରେସରେ ଫେରିଲା ବେଳେ ମୋର ସହଯାତ୍ରିଣୀ ଥିଲେଜଣେ ରାଜନୈତିକ ନେତ୍ରୀ । ଭଦ୍ରମହିଳା ଜଣେ ସମାଜସେବିକା ଭାବରେ ସୁପରିଚିତା ଏବଂ ନିଜର ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ପାଇଁ ଜଣାଶୁଣା । କଥା ପ୍ରସଙ୍ଗରେ ନାରୀର ବୃଦ୍ଧି କିପରି ପୁରୁଷଠାରୁ ଅଧିକ, ସେ କଥା ପ୍ରମାଣିତ କରିବା ପାଇଁ ସେ ଗୋଟିଏ ପୌରାଣିକ ଉପାଖ୍ୟାନର ଉଦାହରଣ ଦେଇଥିଲେ ।
ଯେଉଁ ଯମରାଜଙ୍କୁ ରାବଣ, ନେପୋଲିୟନ, ହିଟଲରଙ୍କ ଭଳି ବୀର ପୁରୁଷମାନଙ୍କ ପ୍ରାଣ ଭୟ, ସେହି ଯମରାଜଙ୍କଠାରୁ ସାବିତ୍ରୀ କପିରି ନିଜର ସ୍ୱାମୀଙ୍କ ଜୀବନ ଫେରାଇ ଆଣିଥିଲେ?
ମୁଁ ଏକ ଅପୋଗଣ୍ଡ ବାଳକ ଭଳି ଉତ୍ତର ଦେଇଥିଲି-ନିଜର ସତୀତ୍ୱ ବଳରେ ।
ହାଁ, ସତୀତ୍ୱ? ଏହି ଅର୍ଥହୀନ ତିନି ଅକ୍ଷରିଆ ଶବ୍ଦଟା ଉପରେ ସବୁ ବେଳେ ପୁରୁଷଙ୍କର ବଡ଼ ଟାଣ! ସତୀତ୍ୱ ବଳରେ ନୁହେଁ, ନିଜ ବୁଦ୍ଧି ବଳରେ ବର ମାଗି ସାବିତ୍ରୀ ଯମକୁ ଏପରି ଅକଳରେ ପକାଇ ଦେଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଜୀବନକାଳ ଏକ୍ସଟେନ୍ସନ୍ କରିବା ଭିନ୍ନ ମୃତୁ୍ୟ ରାଜାଙ୍କର ଅନ୍ୟ କୌଣସି ଉପାୟ ନଥିଲା । ଯଦି ବୁଦ୍ଧିମତୀ ସାବିତ୍ରୀ ସନ୍ତାନର ଜନନୀ ହେବା ଲାଗି ବର ନମାଗି ପତିପ୍ରାଣା ସତୀ ନାରୀ ଭଳି ସ୍ୱାମୀଙ୍କ ଜୀବନ ଫେରାଇ ଦେବା ପାଇଁ ବର ମାଗିଥାନ୍ତେ, ତା’ ହେଲେ କୃପଣ ଯମ କ’ଣ ତାଙ୍କୁ ସେ ବର ଦେଇଥାନ୍ତେ?
ପୁରାଣ ଶାସ୍ତ୍ରର ଗହନ ଅରଣ୍ୟରେ ମୋର ବିଶେଷ ପ୍ରବେଶ ନାହିଁ । ସେଥିପାଇଁ ଭଦ୍ର ମହିଳାଙ୍କ ଯୁକ୍ତିକୁ ଖଣ୍ଡନ କରିବା ଲାଗି ମୋ ପାଖରେ କୌଣସି ଉକ୍ତି ନଥିଲା । ମୋ ଅସହାୟତାରେ ଉତ୍ସାହିତ ହୋଇ ଭଦ୍ର ମହିଳା ପୁଣି କହିଲେ-କେବଳ ବୁଦ୍ଧିରେ ନୁହେଁ, ଝଗ୍ଧବଜ୍ଞସଦ୍ଭବ ବା ଅକ୍ଲାନ୍ତ କର୍ମ ଶକ୍ତିରେ ନାରୀ ମଧ୍ୟ ପୁରୁଷଙ୍କ ଠାରୁ ଅଧିକ ଶକ୍ତିଶାଳୀ । ସେଥିପାଇଁ ଆମ ପୁରାଣ ଶାସ୍ତ୍ରରେ ଦେବତାମାନଙ୍କ ନାମ ରାମ, ଶାମ, ଯଦୁ ରଖାଯାଇଥିଲେ ମଧ୍ୟ ଦେବୀଙ୍କ ଅନ୍ୟ ନାମ ‘ଶକ୍ତି’ ।
କେବଳ ନାମବାଚକ ବିଶେଷ୍ୟ ପଦଯୋଗୁଁ ପୁରୁଷଠାରୁ ନାରୀର ଅଧିକ ଷ୍ଟାମିନା ଅଛି ବୋଲି ମାନିନେବା ଭଳି ପୁରୁଷ ମୁଁ ନଥିଲି । ମୁଁ ତା’ର ବାସ୍ତବ ପ୍ରମାଣ ଦାବି କଲି ।
ଭଦ୍ର ମହିଳା ବୋଧହୁଏ ଏଥିପାଇଁ ପ୍ରସ୍ତୁତ ଥିଲେ । ହସି ହସି ସଂଗେ ସଂଗେ ଉତ୍ତର ଦେଲେ-ସୋଭିଏ ରୁଷ ଯେତେବେଳେ ମହାଶୂନ୍ୟକୁ ଉପଗ୍ରହରେ ଜଣେ ମହିଳା କସ୍ମୋନଟ୍ ପଠାଇବା ପାଇଁ ସ୍ଥିର କଲା, ସେତେବେଳେ ପ୍ରଥମ ମହାଶୂନ୍ୟ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭାଙ୍କ ସହ୍ୟ ଶକ୍ତି ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଥିଲେ । ଶାରୀରିକ ପରୀକ୍ଷାରୁ ଜଣାପଡ଼ିଲା ଯେ, ପୁରୁଷମାନଙ୍କ ଅପେକ୍ଷା ନାରୀର ଷ୍ଟାମିନା ଯଥେଷ୍ଟ ଅଧିକ; ମହାଶୂନ୍ୟ ଯାତ୍ରା ପାଇଁ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ଉପଯୁକ୍ତ ।
ଆମ ଦୁଇଜଣଙ୍କ ଯୁକ୍ତିତର୍କ ମନଯୋଗ ଦେଇ ଶୁଣୁଥିବା ଜଣେ ସହଯାତ୍ରୀ ସମାଜ ସେବିକାମାନଙ୍କୁ ସମର୍ଥନ କରି କହିଥିଲେ-ବାସ୍ତବରେ ଆମର ହେଉଛି ନାରୀ-ଶାସିତ ସମାଜ । ଶୈଶବରେ ପୁତ୍ର ଜନନୀର ପଣତ ତଳେ ଆଶ୍ରାନିଏ, ଯୌବନରେ ପତ୍ନୀର ଅଣ୍ଟାରେ ଚାବିନେନ୍ଥା ହୋଇ ଝୁଲୁଥାଏ, ବାର୍ଦ୍ଧକ୍ୟରେ ପୁତ୍ରବଧୂର ହାତଟେକା ଅନ୍ନକୁ ଚାହିଁ ରହେ-ବଂଚିଥିବା ବେଳେ ବୋହୂ ଅନ୍ନ ଦିଏ, ମୃତୁ୍ୟ ପରେ ପୁଅ କେବଳ ମୁହଁରେ ଦିଏ ଅଗ୍ନି । ଠିକ୍ ନା? ସେଥିପାଇଁ ତ ଆମେ ଯେଉଁ ଭୂମିରେ ଭୂମିଷ୍ଟ ହେଉ, ତା’ର ନାମ ମାତୃଭୂମି; ଯେଉଁ ଭାଷାରେ କଥା କହୁ, ତାହା ହେଉଛି ମାତୃଭାଷା ।
ପୁରୁଷ ପଶୁରେ ପରିଣତ ହେଲେ ହିଁ ନାରୀଠାରୁ ତା’ର ଶକ୍ତିର ଆଧିକ୍ୟ ପ୍ରଦର୍ଶିତ ହୁଏ; ତା’ ନହେଲେ ନାରୀ ହିଁ ହେଉଛି ପୁରୁଷର ନିୟତି ।
ସେଦିନ ଟ୍ରେନ୍ରେ ସେ ପରିଚିତା ସମାଜସେବିକା ଏବଂ ଅପରିଚିତା ସହଯାତ୍ରୀଙ୍କ ମତ ଓ ମନ୍ତବ୍ୟ ମୋ ଅବଚେତନରେ ଚାପା ପଡ଼ିଯାଇଥିଲା । ଆମ ସାହିର ନବବାବୁଙ୍କ ପତ୍ନୀ ଭୀତି ଦେଖି ସେ ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଗଲା । ସ୍ୱାମୀ ଯେ ସ୍ତ୍ରୀର ଅଣ୍ଟାରେ ଝୁଲୁଥିବା ଚାବିନେନ୍ଥା, ନବବାବୁଙ୍କ ଦୟନୀୟ ଅବସ୍ଥା ଦେଖିନଥିଲେ ‘ଚାବିନେନ୍ଥା’ ପ୍ରତୀକଟା ଅବୋଧ୍ୟ ରହିଯାଇଥାନ୍ତା ।
ଆଜିକାଲି ସ୍କୁଲ କଲେଜରେ ପରୀକ୍ଷା ଫଳ ତାଲିକାରେ ଝିଅମାନଙ୍କ କୃତିତ୍ୱ ଏବଂ ପ୍ରତିଯୋଗିତାମୂଳକ ଚାକିରିରେ ମହିଳାପ୍ରାର୍ଥୀଙ୍କ ଅଗ୍ରଗତି ଦେଖିଲେ ପୁଅମାନଙ୍କ ଭବିଷ୍ୟତ ଯେ ଅନ୍ଧକାର, ସେକଥା ବୁଝିବାରେ କିଛି ଅସୁବିଧା ହୁଏ ନାହିଁ । ହରିଜନ, ଆଦିବାସୀମାନଙ୍କ ଭଳି ଶିକ୍ଷାଳୟ, ଚାକିରି କ୍ଷେତ୍ରରେ ଯଦି ପୁଅମାନଙ୍କ ସ୍ଥାନ ସଂରକ୍ଷଣ କରାନଯାଏ, ଏକବିଂଶ ଶତାବ୍ଦୀରେ ଶିକ୍ଷାବିହୀନ, କର୍ମହୀନ ପୁରୁଷମାନଙ୍କ ଅସହାୟ କ୍ରନ୍ଦନ-ରୋଳରେ ଏ ପୃଥିବୀର ନିଶ୍ଚୟ ନାଭିଶ୍ୱାସ ଉଠିବ ।
କେଉଁ ଫରାସୀ ଦାର୍ଶନିକ ଥରେ କହିଥିଲେ- “Man is born free but is found in chains every where” ମୁକ୍ତ ମଣିଷ ଭାବରେ ପୁରୁଷ ଜନ୍ମ ହୋଇଥିଲା କିନ୍ତୁ ଜନ୍ମ ପରେ ତା’ର ହାତ ଗୋଡ଼ରେ ବନ୍ଧନର ଶିକୁଳି ଛନ୍ଦି ହୋଇଗଲା ।
ବିଂଶ ଶତାବ୍ଦୀ ଥିଲା ଉଇମ୍ୟାନ ଲିବ୍ ବା ନାରୀମୁକ୍ତିର ଶତକ । ଏକବିଂଶ ଶତାବ୍ଦୀ ହେବ ପୁରୁଷମୁକ୍ତି ଆନେ୍ଦାଳନର ଶତକ । ନିଜର ଦାବି ହାସଲ ପାଇଁ ପ୍ରତି ପୁରୁଷକୁ ବଦ୍ଧମୁଷ୍ଟି ଉତ୍ତୋଳନ କରି ମା’ର ପଣତକାନି ଛାଡ଼ି ରାସ୍ତାକୁ ଓହ୍ଲାଇ ଚିତ୍କାର କରିବାକୁ ପଡ଼ିବ-ନାରୀର ଆଧିପତ୍ୟ ଲୋପ ପାଉ-ଆମର ଦାବି ପୂରଣ ହେଉ!!