ବେଳେ ବେଳେ କଳନା କରି ହୁଏନି ମାଟି ବଡ଼ କି ଆକାଶ ବଡ଼ । ମାଟିରେ ଏଠି କେତେ ଶସ୍ୟ ଫଳେ କେତେ ସ୍ୱପ୍ନ ପୁଣି ଏ ବ୍ରହ୍ମାଣ୍ଡରେ ଉଜୁଡ଼ିଯାଏ କାଳ କାଳ ଧରି କେହି କେବେ ତାହାବି କଳନା କରିନି । କିଏ କଳନା କରୁ କି ନକରୁ ସଭିଏଁ ଏଠି ନିଜ ବାଟରେ ହିଁ ବଞ୍ଚôଛନ୍ତି । ଯା’ର ସୁନା ନାହିଁ ସେ ବଞ୍ଚôଛି । ଆଉ ଯାର କାନ ନାହିଁ ସେ ବି ବଞ୍ଚିଛି ।
ଏ ସୁନ୍ଦର ବ୍ରହ୍ମାଣ୍ଡରେ ଶୁଧୁ ବଞ୍ଚି ରହିବା ହିଁ କେବଳ ବଡ଼ କଥା ।
ଗୋଟି ଗୋଟି କରି ଆଉ ସବୁ ସାନ । ଜଣେ ଦେଖିପାରୁ କି ନଦେଖି ପାରୁ ଏସୁନ୍ଦର ବ୍ରହ୍ମାଣ୍ଡରେ ତଥାପି ତା’ର ବଞ୍ଚି ରହିବା ଜରୁରୀ । ସେ ବାପା ଝିଅ ଦି’ଜଣ ଚାଲିଥିବେ ବର୍ଷା ଛାଡ଼ିବା ପରେ । ପାଣି ସୁଅ ରାସ୍ତାରୁ ତଥାପି ବି କମି ନଥିବ । ମଝିରେ ମଝିରେ ପିଲାମାନେ ଭସାଉଥିବା ଛୋଟ ଛୋଟ କାଗଜ ଡଙ୍ଗା ସବୁ ସେ ସୁଅରେ ଭାସିଯାଉଥିବ ।
ଥରେ ସେ ଅନ୍ଧୁଣୀ ଝିଅର ଗୋଡ଼ ଖସି ଯାଉଥିବତ ସେ ତା ବାପକୁ ଧରି ପକାଉଥିବ, ଥରେ ପୁଣି ଆଖିଥିବା ତା’ ବାପର ଗୋଡ଼ ଖସି ଯାଉଥିବତ ସେ ତା ଅନ୍ଧୁଣୀ ଝିଅର ହାତ ଧରି ପକାଇ ତା’କୁ ଆଶ୍ରା କରିଥିବ ।
ମାତ୍ର କେତେ ହଜାର ବର୍ଗ ଫୁଟ ବିଶିଷ୍ଟ ଛୋଟ ସହରଟି ଆଗରେ ଥିବା ଗୋଟେ ମୁସଲମାନ ଦେଶ ଉପରେ ଗତ କାଲି ରାତିରୁ ଗୋଟେ ଯୁଦ୍ଧଖୋର ଖ୍ରୀଷ୍ଟିୟାନ୍ ଦେଶ ବୋମା ମାଡ଼ ଆରମ୍ଭ କରି ଦେଇଥିବ ଯେ ତାହା ଆଜି ସଞ୍ଜ ପର୍ଯ୍ୟନ୍ତ ତଥାପି ଶେଷ ହୋଇନଥିବ । ରାତି ହେବାକୁ ତଥାପି ଦି’ ଦଣ୍ଡ ବାକି ଥିବ । ଏ ବିଶାଳ ବିଶ୍ୱର ବହୁ ଶାନ୍ତିକାମୀ ସଂଘ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଥିଲେ ବି ମଣିଷକୁ ମାରିବା ପାଇଁ ଅଧିକରୁ ଅଧିକ ବାରୁଦ ଗଦାରେ ନିଆଁ ଲାଗୁଥିବ ।
ଠିକ୍ ଏତିକି ବେଳେ କହିହେବନି କିଏ ଅନ୍ଧ ହେବା ଉଚିତ୍ ଥିଲା? ବାପା ନାଁ ଝିଅ । କିଏ ପ୍ରକୃତରେ ଅନ୍ଧ ହୋଇଥିଲେ ଏ ସଂସାରର ଦୁଃଖ ଟିକିଏ ଉଣା ହୋଇଯାଇଥାନ୍ତା । ବାପ ଅନ୍ଧ ହୋଇ ନଥିଲେ ବି ବାପ ଦୁଃଖରେ ଥିବତ ଝିଅ ଦୁଃଖରେ ଥିବ । ସଭିଙ୍କର ଦୁଃଖ ଅଲଗା ଅଲଗା ହୋଇଥିବ ।
ଅନ୍ଧ ଝିଅଟି ତା ସୁଧାର ବାପର ହାତ ଧରି ଯାଉଥିବ ନାଁ ବାପଟି ଝିଅର ହାତ ଧରି ଚଲାଇ ନେଉଥିବ ନିହାତି ନିରେଖି ନଦେଖିଲେ କହିହେଉନଥିବ । ଅନେକ କଥା ଏମିତି ଠିକ୍ ଠିକ୍ କରି କହି ହୁଏନି । ତଥାପି ଜନ୍ମରୁ ଅନ୍ଧ ହୋଇଥିବା କାରଣରୁ ଝିଅଟି ହୁଏତ ଛୁଆଟି ଦିନୁ ଏକାନ୍ତ ଭାବେ ବାପ ନିର୍ଭରଶୀଳ ହୋଇଯାଇଥିବ ଓ ସମଭାବରେ ସେ ଅନ୍ଧ ଝିଅର ବାପଟି ବି ତା ଅନ୍ଧୁଣୀ ଝିଅଟି ପ୍ରତି ଅଧିକ ସହାନୁଭୂତିଶୀଳ ହୋଇ ଯାଇଥିବ ।
ସେ ଝିଅଟିର ମାଆ ପୁଣି ମୃତ କି ଜୀବିତ କେହି ଜାଣି ପାରୁନଥିବେ । କାରଣ କେହି ଏକଥା ନାଁ ସେ ଅନ୍ଧୁଣୀ ଝିଅଟିକୁ ନା ସେ ଅନ୍ଧ ଝିଅର ବାପଟିକୁ ଏହା ଭିତରେ ପଚାରି ନଥିବେ ।
କାହା ହାତରେ ବି ସମୟ ନଥିବ ସେ କଥା ପଚାରିବା ପାଇଁ । ସଭିଏଁ ତ ନିଜ ନିଜ କାମରେ ସାରାଦିନ ଖାଲି ଦୌଡ଼ୁଥିବେ ଯା । ସମସ୍ତେ ତ ପୁଣି ଖାଲି ଦେଖିବା ନିଶାରେ ଅନ୍ଧ ହୋଇଯାଇଥିବେ ।
ଏ ଛୋଟିଆ ସହରକୁ ଆସିଲା ଦିନଠୁଁ ଅଧିକାଂଶ ଦିନ ଏ ବାପଝିଅ ଦି’ଜଣଙ୍କୁ ସଭିଏଁ ଦେଖି ଆସୁଥିବେ । ସେମାନେ ଦି’ଜଣ ନିଜ ନିଜ ଭାଗ୍ୟକୁ ଆଦରି ସହରର ଗୋଟେ ଗଳିରାସ୍ତାରେ ଖଣ୍ଡେ ଛୋଟିଆ କୁଡ଼ିଆରେ ରହିଥିବେ । ଜଣେ ବିଚାରୀ ଅନ୍ଧୁଣୀ ହୋଇଥିବତ ଆଉ ଜଣେ ସେ ଅନ୍ଧୁଣୀ ଝିଅର ହତଭାଗ୍ୟ ବାପ ହୋଇଥିବ । ସେ ଘର ଆଗରେ ବେଶ ଅଧିକ କିଛି ଫୁଲଗଛ ଓ ସବୁଋତୁରେ ଉଜ୍ଜ୍ୱଳ ଦିଶୁଥିବା ଗାଢ଼ ନାଲି ଓ କଳା ରଙ୍ଗର କ୍ରୋଟନ ଗଛ ଥିବ । ତାଙ୍କ ଘର ପଛକୁ ସହରର ଗୋଟେ ନାଳି ବହିଯାଇଥିବ ତ ଗୋଟେ ବଡ଼ ଅଷାଢ଼ୁଆ ଲତା ଗୋଟେ ବୁଢ଼ା କଦମ୍ବ ଗଛ ଉପରେ ମାଡ଼ିଥିବ । ଝଡ଼ିବର୍ଷା ହେଲେ ଅଜସ୍ର ଫୁଲ ଫୁଟିଥିବ ସେ ଲତାଟିରେ ।
ସୁତପା ଝିଅଟି କିଛି ଦେଖିପାରୁନଥିବ ନା ସେ ଗାଢ଼ ଉଜ୍ଜ୍ୱଳ ରଙ୍ଗର କ୍ରୋଟନ ପତ୍ର ସବୁକୁ ନାଁ ଝଡ଼ି ବର୍ଷା ଦିନ ମାନଙ୍କରେ ଅନ୍ଧ ବୋଲି ସେ ଫୁଲ ଭର୍ତ୍ତି ସେ ଅଷାଢ଼ୁଆ ଲତାଟିକୁ ।
କେତେବେଳେ ସେ ଝିଅଟି ଫୁଲ ଗୁନ୍ଥୁଥିବ ତ କେତେବେଳେ ତାନପୁରା ବଜାଇ ଗୀତ ଗାଉଥିବ । କେତେବେଳେ ପରିବା କାଟୁଥିବ ତ କେତେବେଳେ ତା ବାପ ସାଙ୍ଗରେ ବସି ଏଣୁତେଣୁ ଦି’ପଦ କଥାବାର୍ତ୍ତା ହେଉଥିବ । ଏ ବର୍ଷ ବେଶୀ ବର୍ଷା ହେବା କଥା, ବନ୍ୟାରେ ଗାଁ ଗଣ୍ଡା ଉଜୁଡ଼ି ଯିବା କଥା, ଏ ବର୍ଷ ସହରକୁ ବେଶୀ ମାଛ ଶାଗ ପନିପରିବା ଆସିବା କଥା ।
ସୁତପା ଶୁଣୁଥିବ ବେଶୀ, କହୁଥିବ କିନ୍ତୁ କମ୍ । ଗୋଟେ ସମୟରେ ସେ ସହରରେ ପ୍ରବଳ ମେଘପବନ ହେଉଥିବ । ମେଘପବନ ଦିନ ମାନଙ୍କରେ ସୁତପା ତା ତାନପୁରାରେ ରିଆଜ କରୁଥିବ ବେଶୀ ବେଶୀ । ସାରା ଜୀବନ ସଂଗ୍ରାମ କରି ସୁତପା ପାଠ ପଢ଼ୁଥିବ ବ୍ରେଲ୍ରେ । ସେ ସିନା ଅନ୍ଧ ହୋଇ ଯାଇଥିବ । ସେହି କାରଣରୁ ତା ଶ୍ରବଣଶକ୍ତି ଭାରି ପ୍ରଖର ହୋଇ ଯାଇଥିବ । ତା’କୁ ଭଲ ପାଉଥିବା ତାହା ସାଙ୍ଗ ସାଥୀମାନେ ତା’କୁ ପାଠ ସବୁ ପଢ଼ି ଶୁଣାଉଥିବେ ।
ସୁତପା ଦର୍ଶନରେ ଏମ୍.ଏ. ପଢ଼ୁଥିବ ଓ ସବୁମତେ ଉତ୍ତମ ବିଦ୍ୟାର୍ଥିନୀଟିଏ ହୋଇଥିବ ।
ସବୁ ଅନ୍ଧ ଝିଅମାନଙ୍କ ପରି ସୁତପା ବିନୀତା ଓ ସମର୍ପିତା । ଭକ୍ତଜନଙ୍କ ପରି ସବୁବେଳେ ଚାଲୁଥିବ । ଝିଅଟେ ହୋଇଥିବା କାରଣରୁ ସବୁବେଳେ ତଳକୁ ମୁହଁ କରିଥିବ । ଗୋଟେ ମସ୍ତବଡ଼ ବଞ୍ଚନା ଓ ଭାରି ଦୁଃଖର ଉଦାସ ପଣିଆ ସୁତପା ମୁହଁରୁ ସବୁବେଳେ ବାରି ହୋଇ ପଡ଼ୁଥିବ । ସେ ଗୀତ ଗାଉଥିଲା ବେଳେ ବା ତାନପୁରା ବଜାଉଥିଲା ବେଳେ ଗୋଟେ ଦୁଃଖିନୀ ନାରୀର ତେଜ ତଥାପି ତା ମୁହଁରୁ ହୁଏତ ଫୁଟି ପଡ଼ୁଥିବ । କାହିଁକି କେଜାଣି ସୁତପା ପରି ଅନେକ ଦୁଃଖ ପୀଡ଼ିତା ନାରୀମାନଙ୍କ ମୁହଁରେ କେମିତି ଗୋଟେ ଭାରି ଦୀପ୍ତି ଥାଏ ।
ଠିକ୍ କରି କହିହେବନି ତା’କୁ ତା ଚତୁଃପାଶ୍ୱର୍ରେ ନାରୀ ପୁରୁଷମାନେ ସେ ଅଧିକ ଦୁଃଖିନୀ ହୋଇଥିବା କାରଣରୁ ଶ୍ରଦ୍ଧା କରୁଥିଲେ କି ନାହିଁ, ଠିକ୍ କରି କହି ହେବନି ପର ଆପଣା ନିର୍ବିଶେଷରେ ସେ ସହରର ସାନବଡ଼ ସମସ୍ତଙ୍କର ଅଧିକ କିଛି ଦୟାଭାବ ଥିବ କି ନାହିଁ ।
ବଞ୍ଚନା ଓ ଦୁଃଖ ଭୋଗୁଥିବା ନାରୀର ସବୁବେଳେ ତଥାପି ଗୋଟେ ତେଜ ଥାଏ । ବିଧବା, ସ୍ୱାମୀ ପରିତ୍ୟକ୍ତା, ସୁତପା ଭଳି ଏମିତି ଅନ୍ଧୁଣୀ ଓ ଅଶେଷ ଦୁଃଖ ଭୋଗୁଥିବା ନାରୀମାନେ ବେଳେବେଳେ ସଧବା ସୀମନ୍ତନୀ ମାନଙ୍କଠାରୁ ଅଲଗା ତେଜର ହୋଇଥାନ୍ତି । ସବୁବେଳେ ଦୁଃଖର ଗୋଟେ ଅଲଗା ମହିମା ବି ଥାଏ, ଯାହାକୁ ହୁଏତ
ତଥାକଥିତ ସାଂସାରିକ ସୁଖ ଭୋଗୁଥିବା ସାଧାରଣ ମାନେ ଆଦୌ ଉପଲବ୍ଧି କରିପାରନ୍ତିନି କେତେବେଳେ ।
ସେ ସାରାଜୀବନ ବିବାହ କରିପାରିବନି । ଏମିତି ଦୁର୍ଭାବନା ସତ୍ତ୍ୱେ ଆଶ୍ଚର୍ଯ୍ୟଜନକ ଭାବେ ତା’କୁ ଜଣେ ଭଲ ପାଉଥିବ । ଅନ୍ଧ ଝିଅ ମାନଙ୍କୁ ଭଲ ପାଇବା ପାଇଁ ପୁରୁଷ ମନରେ କିଛି ଅଧିକ ଭାବ ଓ ଶକ୍ତି ଦର୍କାର ।
ଏମିତି ଜନ୍ମରୁ ଆଖି ହରାଇଥିବା ଦୁଃଖିନୀ ଭାବେ ବଞ୍ଚôଥିବା ସୁତପାକୁ ଯେ ଜଣେ ସୁଦର୍ଶନ ଯୁବକ ଭଲ ପାଉଥିବ ଏକଥାକୁ ହୁଏତ କେହି ବିଶ୍ୱାସ କରିପାରୁନଥିବେ । ଠିକ୍ କରି କହି ହେବନି ଏ ସଂସାରରେ ଜଣେ ଜଣକର ପ୍ରେମରେ ପଡ଼ିବାର କାରଣ କ’ଣ ବୋଲି । ହୁଏତ ସବୁକିଛି ଊର୍ଦ୍ଧରେ କେବଳ ନାରୀର ଯୌବନ ଆଉ ସୁନ୍ଦରପଣ ପୁରୁଷକୁ ମୁଗ୍ଧ କରେ । ମାତ୍ର ସୁତପା ପରି ଅନ୍ଧୁଣୀ ଝିଅଟିର ସୁନ୍ଦରପଣ ବୋଲି ଆଉ କ’ଣ ଅଛି ଯେ? ହୁଏତ ସୁତପା ଆଜନ୍ମ ଅନ୍ଧୁଣୀ ଥିବା କାରଣରୁ ସେ ନବ ଯୁବକଟି ତାପ୍ରତି ବେଶୀ ସମ୍ବେଦନଶୀଳ ହୋଇପାରିଥିବ । କିମ୍ବା ହୁଏତ କୌଣସି ସୂତ୍ରରେ ସୁତପା ସହିତ ସେ ପୁଅଟିର ବିଶେଷ ମିଳାମିଶା ହୋଇପାରିଥିବ ଯେଉଁଥିପାଇଁ ପୁଅଟି ସୁତପା ପ୍ରତି ଗୋଟେ ଆବେଗିକ ସମ୍ପର୍କ ହୁଏତ ବଢ଼ାଇ ପାରିଥିବ ।
ସୁନ୍ଦର ଗୀତ କେଇପଦ ଗାଇବା ଛଡ଼ା ସେ ଅନ୍ଧ ଝିଅଟି ଅଧିକରୁ ଅଧିକ ଆଉ କ’ଣ କରିପାରିଥାନ୍ତା? ସୁତପା ବର୍ଷା ରାତିରେ ଯେତେବେଳେ ଗୀତ ଗାଉଥିବ ସେତେବେଳେ ହୁଏତ ସେ ସହରର କେତେକ ଯୁବକ ନିର୍ବିଚାର ଭାବେ ଗୋଟେ ସୁନ୍ଦରୀ ଝିଅର ମୁହଁ ଉପରେ ଏସିଡ଼ି ଢ଼ାଳି ଦେଉଥିବେ ଅବା ଗୋଟେ ବାପା ମା’ ଛେଉଣ୍ଡ ସୁନ୍ଦରୀ ଝିଅକୁ କନ୍ୟାଶ୍ରମରୁ ଅପହରଣ କରି ନେଇ ଗୋଟେ ପରିତ୍ୟକ୍ତ ମନ୍ଦିର ବେଢ଼ାରେ ଧର୍ଷଣ କରି ତା’ପରେ ତା ତଣ୍ଟିଚିପି ମାରି ଦେଉଥିବେ । ହୁଏତ ତିନୋଟି ସୁନ୍ଦରୀ ଝିଅର ଅକର୍ମଣ୍ୟ ବାପକୁ ତିନିଜଣ ବପୁବନ୍ତ ଯୁବକ ଠିକ୍ ଏତିକି ବେଳକୁ ନିର୍ବିଚାର ଭାବରେ ଖଣ୍ଡାରେ ହାଣୁଥିବେ ।
ସୁତପାର ରିଆଜ ସରୁନଥିବ କି ବର୍ଷା କମୁନଥିବ । ସୁତପା ଆଖିରୁ ରାତି ଅଧରେ ଦି’ଧାର ତତଲା ଲୁହ ବସି ଆସୁଥିବ । ରାତି ଅଧକୁ ଆହୁରି ସାଇଁ ସାଇଁ ପବନ ବହୁଥିବ । କ୍ରମଶଃ ମେଘ ପବନ ବଢ଼ୁଥିବାର ଆଭାସ ବି ମିଳୁଥିବ । ସୁତପା ତାନପୁରାରେ ଏକ ଅତି କରୁଣ ଧୁନ୍ ଲଗାଇ ଥିବ ଯେ କ୍ରମଶଃ ଭାବ ବିଗଳିତ ହୋଇ ଯାଉଥିବ ।
ନିଦରେ ବି ଅନ୍ଧ ଝିଅର ବାପଟି ହୁଏତ ତା ଝିଅର ଭବିଷ୍ୟତ ବିଷୟରେ ତଥାପି ସ୍ୱପ୍ନ ଦେଖୁଥିବ । ଖାଲି ବାପ କାହିଁକି ଝିଅ ବି ଗୋଟେ ନିବିଡ଼ ଅନୁବନ୍ଧନରୁ ଅମୃତ ଲଗ୍ନ ପାଇଁ ସପନରେ ମଜଗୁଲ ହୋଇ ଯାଉଥିବ । ବିଚରା ବାପ ଭାବୁଥିବ ଏମିତି ସୁଦିନ ଗୋଟେ ହୁଏତ ଆସିବ ଯେଉଁଦିନ ଗୋଟେ ଧନୀ ସୌଦାଗରର ପୁଅ ବାଣ ରୋଷଣୀ କରି ସୁତପାକୁ ନେଇ ଯାଇ ଗଜଦନ୍ତୀବଳ ପଲଙ୍କରେ ଶୁଆଇ ଦେଇ ଚରମ ରତି ସୁଖ ଦେବ । ଜନ୍ମରୁ ଅନ୍ଧୁଣୀ ହୋଇଥିବା ଦୁର୍ଭାଗ୍ୟକୁ ସେତେବେଳେ ହୁଏତ ପୁରାପୂରି ଭୁଲିଯାଉଥିବ ।
ଚନ୍ଦନ ଅଗୁରୁ ଆଉ ରଜନୀଗନ୍ଧା ଫୁଲ ବାସ୍ନାରେ ସୁତପାର ବାସର ଘର ମହକି ଯାଉଥିବ । ଅନ୍ଧୁଣୀ ହୋଇଥିଲେ ବି ସୁକନ୍ୟା ସୁତପା ତା’ର ରାଣୀ ହୋଇ ଯାଇଥିବ ।
ବର୍ଷ ବର୍ଷ ବିତି ଯାଉଥିଲେ ବି ଏମିତି କିନ୍ତୁ କିଛି ସତ ସତ ହେଉନଥିବ । ଅନ୍ଧ ଝିଅର ବାପକୁ ସେହି କାରଣରୁ ସେ ସହରର ସମୟ ଭାରି ପଥୁରିଆ ଲାଗୁଥିବ । ପାହାଡ଼ ଟଳୁ ନଥିବ କି ଆକାଶ ଛିଣ୍ଡି ପଡ଼ୁନଥିବ । ଏଠି ସେଠି ପ୍ରଚୁର ପବନ ବହୁଥିବ ଓ ପ୍ରଚୁର ବର୍ଷା ବି ହେଉଥିବ । ଏମିତି ବର୍ଷା ପବନ ସତ୍ତ୍ୱେ ବାୟୁମଣ୍ଡଳର କିନ୍ତୁ ଉତ୍ତାପ ବଢ଼ୁଥିବ ଆଉ ସୁତପା ଭାଗ୍ୟର କିଛି ପରିବର୍ତ୍ତନ ହେଉନଥିବ ।
ସୁତପା ରହୁଥିବା ସେ ଛୋଟିଆ ସହରଟିରେ ଏମିତି ସଞ୍ଜ ହେଉଥିବ ତ ସକାଳ ହେଉଥିବ । ସୁତପା ସକାଳେ ତା ତାନପୁରାରେ ରିଆଜ କରୁଥିବ ତ ବ୍ରେଲ୍ରେ ଦର୍ଶନ ପଢ଼ୁଥିବ । ଅଥଚ ଦେଖିପାରୁଥିବା ସମର୍ଥ ବିଜ୍ଞ ଜନମାନେ ଦେଖି ଦେଖି ଜନଗହଳି ପୂର୍ଣ୍ଣ ଜାଗା ମାନଙ୍କରେ ବୋମା ପକାଉଥିବେ । ଖଣ୍ଡା ବୁଲାଉଥିବେ ତ କାହା ଛାତିରେ ଛୁରୀ ଭୁଷି ଦେଉଥିବେ । ଦେଖିପାରୁଥିବା ଲୋକେ ତ ଆଦୌ ଲକ୍ଷ୍ୟ ଭ୍ରଷ୍ଟ ହେଉନଥିବେ ।
ସୁତପା ଏତିକି ବେଳକୁ ବ୍ରେଲ୍ରେ ପଢ଼ୁଥିବ, ‘ମଣିଷ ହଜାରେ ବୈରତା ସତ୍ତ୍ୱେ ମଣିଷକୁ ବିଶ୍ୱାସ କରିବା ଭିନ୍ନ ଆଉ କିଛି ବିକଳ୍ପ ନାହିଁ । ମଣିଷ ସବୁକରୁ; କିନ୍ତୁ ମଣିଷ ଉପରୁ ବିଶ୍ୱାସ ନ ତୁଟାଉ ।
ପୂର୍ବଦିନ ଗୋଟେ ଅନ୍ଧୁଣୀ ଝିଅକୁ ଖାସ୍ ଏ ପ୍ରଦେଶର ସଚ୍ଚିବାଳୟର ଗୋଟେ ପରିତ୍ୟକ୍ତ ରେକର୍ଡ଼ ରୁମ୍ରେ ଧର୍ଷଣ କରାଯାଇଥିବ ଯେ ସମ୍ବାଦପତ୍ର ଗୁଡ଼ିକରେ ସେ ଘଟଣା ହୁଏତ ଛାଇ ହୋଇ ଯାଇଥିବ; ଅଥଚ ସରକାର ତାହା ଅସ୍ୱୀକାର କରୁଥିବେ । ସମ୍ବାଦପତ୍ରର ସମ୍ବେଦନଶୀଳ ସମ୍ପାଦକମାନେ ଧର୍ଷିତା ବାଳିକାର ଛବିକୁ ସମ୍ମୁଖ ପୃଷ୍ଠାରେ ଛାପିଥିବେ ଯେ , ତାର ଚିରି ଯାଇଥିବା ବ୍ଲାଉଜ ତଳୁ ସେ ଅନ୍ଧ ଝିଅର କିଛି ସ୍ତନଶୋଭା ପଦାକୁ ଫିଟି ପଡ଼ିଥିବ । ଆଉ ସେହି କାରଣରୁ ଖାସ୍ ସେଦିନ ଖବର କାଗଜ ଗୁଡ଼ାକ ବି ବେଶୀ ବିକି୍ର ହୋଇଥିବ । ଚା’ପାନ ବେଳେ ପରିବାରର କାହାକୁ ନାଁ କାହାକୁ ବସାଇ ଏ ପ୍ରଦେଶର ଅନେକ ଲୋକ କହୁଥିବେ, ‘ସମୟ ବହୁତ ଖରାପ ହୋଇଗଲାଣି’ ।
ସେ ସହରର ସଞ୍ଜପ୍ରହରୁ ସେଦିନ ଆକଶ ମେଘ ଭର୍ତ୍ତି ହୋଇ ରହିଥିବ ଯେ ଆଦୌ ବର୍ଷୁ ନଥିବ । ପ୍ରବଳ ଗୋଟେ ଝଡ଼ ହେବାର ସୂଚନା ମିଳୁଥିବ । ସଞ୍ଜ ପୂର୍ବରୁ ସୁତପା କୁଅରୁ ପାଣି କାଢ଼ିଥିବ । ସଞ୍ଜରେ ଧୂପଦୀପ ଜାଳି ପ୍ରାର୍ଥନା କରିଥିବ । ଠାକୁରଙ୍କୁ ଦେବାପାଇଁ କିଛି ଫୁଲମାଳ ଗୁନ୍ଥୁ ଗୁନ୍ଥୁ ହୁଏତ ତା ନିଜ ଦୁଃଖରେ ଦି’ ଟୋପା ଲୁହ ବି ଗଡ଼ାଉଥିବ ।
ତାପରେ ସୁତପା ତା ତାନପୁରାରେ ରିଆଜ କରିଥିବ । ରାଗ କୋମଳ ଗାନ୍ଧାର । ସଙ୍ଗୀତର ଆବେଶରେ ସୁତପାର ଆତ୍ମା-ହୁଏତ ପ୍ରବୋଧିତ ହୋଇଯାଉଥିବ । ଥରେ ଆଖି ପୁରାଇ ରୂପରଙ୍ଗର ଏ ବର୍ଣ୍ଣାଢ଼୍ୟ ପୃଥିବୀକୁ ଦେଖିବା ପାଇଁ ସେ ସ୍ୱପ୍ନ ହୁଏତ ଦେଖୁଥିବ । ନିତିଦିନ ପରି ତା ସ୍ୱପ୍ନ କେବେ ସାକାର ହେଉନଥିବ ।
ସେ ସହରର ଆଖିଥିବା ପାଞ୍ଚ ଜଣ ଯୁବକ ରାତିରେ କଳାମୁଖା ପିନ୍ଧି ହିଂସ୍ରତାରେ ହୁଏତ ଅନ୍ଧ ହୋଇ ଯାଇଥିବେ । ସେମାନେ ସହର ଉପାନ୍ତରେ ଥିବା ଆଉ ଏ ପୃଥିବୀକୁ ବାରମ୍ବାର ସୁନ୍ଦର ବୋଲି କହୁଥିବା ଜଣେ ନାମଜାଦା କବିର ଘରକୁ ଜବରଦସ୍ତି ପଶି ଯାଇଥିବେ । ଏଇଥିପାଇଁ ଯେ ସେ କବିଟି ଭଲ ଗୀତ ଗାଇ ପାରୁଥିବା ଓ ନାଚି ପାରୁଥିବା ତିନି ତିନୋଟି ସୁନ୍ଦରୀ ଝିଅର ବାପ ହୋଇଥିବ ।
ପାଖ ଦେଶରେ ବେମାମାଡ଼, ସହରରେ ଯାବତୀୟ ଲୁଣ୍ଠନ ଓ ରାହାଜାନୀ ଜନିତ ଆତଙ୍କ, ଖାଦ୍ୟ, ଖାଇବା ତେଲ ଔଷଧର ଅପମିଶ୍ରଣ ଜନିତ ମୃତୁ୍ୟ, ବୃଷ୍ଟିପାତ ଆଶାତୀତ ଭାବେ କମିଯିବା ସତ୍ତ୍ୱେ ସୁତପାର ଭାଗ୍ୟ ଉଦୟ ହେବ ବୋଲି ତା ବାପା ତଥାପି ସ୍ୱପ୍ନ ଦେଖୁଥିବ ଓ ବର୍ଷ ବର୍ଷ ଧରି ସେପରି କିଛି ଘଟୁନଥିବା ସତ୍ତ୍ୱେ ସେ ବାପ ଝିଅ ଦି’ଜଣ ହୁଏତ ଅକଳନ୍ତି ସୁଖ ସୌଭାଗ୍ୟ ନେଇ ଆସୁଥିବା ଗୋଟେ ଅମୃତଲଗ୍ନ ଅପେକ୍ଷାରେ ଥିବେ । ଏମିତି ଗୋଟେ ଭିକାରୀ ଭାଗ୍ୟରେ ଯେମିତି ଲକ୍ଷ ଲକ୍ଷ ଟଙ୍କା ଲଟେରୀରେ ଉଠିଯିବା ବେଳେ । ହୁଏତ ସେମିତି ସେ ସୁତପା ନାମ୍ନୀ ଅନ୍ଧ ଝିଅ ଜୀବନରେ ଆକାଶ କୁସୁମ ପରି ଅସତର୍କ ଭାବେ ଭାଗ୍ୟଉଦୟ ହୋଇପାରେ ।
ଏଣେ ଏହା ଭିତରେ ସେ ସହରର ଦି’ ତିନିଜଣ ଦୁର୍ଦ୍ଦାନ୍ତ କାମୁକ ଯୁବକ ସୁତପାର ଯୌବନଟିକୁ ଲୁଟି ନେବା ପାଇଁ ଷଡ଼ଯନ୍ତ୍ର କରୁଥିବେ ଓ ତାଙ୍କ ଘର ଆଗରେ ଆସି ବିନା କାରଣରେ ଟହଲ ମାରୁଥିବେ ।
ସେ ବର୍ଷ ସାଧାରଣତନ୍ତ୍ର ଦିବସକୁ ତାନପୁରା ସଂଯୋଜନା କ୍ରମେ ଦେଶାତ୍ମବୋଧ ଗୀତ ଗାଇବା ପାଇଁ ଦିଲ୍ଲୀ ଯିବାକୁ ସୁତପା ପାଖକୁ ନିମନ୍ତ୍ରଣ ଆସିଥିବ । ମାତୃଗର୍ଭରୁ ଅନ୍ଧୁଣୀ ହୋଇଥିଲେ ବି ଦର୍ଶନରେ ଏମ୍.ଏ. ପଢ଼ୁଥିବା ସୁତପା ଦେଶର ରାଜଧାନୀକୁ ଯାଇ ଏ ଦେଶର ବିଶିଷ୍ଟମାନଙ୍କୁ ଦେଶପ୍ରେମ ମୂଳକ ଗୀତ ଶୁଣାଇବ- ଏହା କମ ଭାଗ୍ୟର କଥା ନୁହେଁ ।
ସେ ଛୋଟ ସହରର ଦିନ ସବୁ ଗଡ଼ିଯାଇଥିବ । ଦିନେ ମାର୍ଗଶୀର ମାସର ସୁବର୍ଣ୍ଣ ସକାଳରେ ସୁତପା ପାଖକୁ ଆସିଥିବ ସେ ସହରର ଧନବନ୍ତ ବାପର ପୁଅ ସୁଦର୍ଶନ ଯୁବକ ଜଣକ । କହି ଦେବା ପାଇଁ ଯେ ସେ ସୁତପାକୁ ଭଲ ପାଇଛି ବୋଲି । ସୁତପାକୁ କେମିତି ଭାରି ମତୁଆଲା ଲାଗୁଥିବ ସେ ସକାଳଟା । କୃତଜ୍ଞତାରେ ତା ମନପ୍ରାଣ ଭରି ଯାଇଥିବ ।
ଆଖିଥିବା ଝିଅମାନଙ୍କଠାରୁ ଅନ୍ଧ ଝିଅମାନେ ବୋଧେ ବେଶୀ ବୁଝିପାରନ୍ତି ସବୁକଥା । ସୁତପା ସେ ସୁଦର୍ଶନ ଯୁବକ ଉଦେ୍ଦଶ୍ୟରେ ହୁଏତ ପ୍ରଣାମ ଜଣାଇଥିବ ତା’ର ମହାନତାରେ, ସୁତପା ବିସ୍ମିତ ହୋଇ ଯାଇଥିବ । ତା ଆଖିରେ ହୁଏତ ଲୁହ ଜକେଇ ଆସିଥିବ । ତା ଓଠ ଥରି ଉଠିଥିବ । ପ୍ରାଣ ଉଚ୍ଛ୍ୱାସ ସତ୍ତ୍ୱେ ସେ କିଛି କହିପାରୁନଥିବ ।
ଇତି ମଧ୍ୟରେ ସେ ଛୋଟ ସହରଟିରେ ବର୍ଷା କାଳ ଯାଇ ଶୀତ କାଳ ବିରାଜମାନ କରିଥିବ । ସେ ସହରର ସମର୍ଥ ସାମନ୍ତ ମାନେ ଗରୀବ ଗୁରୁବାଙ୍କୁ ଆଦୌ ଦେଖିପାରୁନଥିବେ । ମଣିଷ ଛୁଆମାନଙ୍କୁ ନାଳ ନର୍ଦ୍ଦମାରେ ଫିଙ୍ଗି ଦେଉଥିବେ ଅଥଚ ବିଦେଶୀ କୁକୁର ଛୁଆମାନଙ୍କୁ ଚଢ଼ା ଦାମରେ କିଣି ପରମ ଆନନ୍ଦରେ ପୋଷୁଥିବେ । ମଣିଷ ଛୁଆର ବଞ୍ଚôବା ପ୍ରତି ସେ ସହରର ବଡ଼ବଡ଼ିଆମାନେ କ୍ରମଶଃ ଉଦାସୀନ ହୋଇ ଯାଉଥିବେ; ଅଥଚ ପାଞ୍ଚ ସାତ ହଜାର ଟଙ୍କା ଦେଇ କିଣିଥିବା ବିଦେଶୀ କୁକୁର ଛୁଆମାନଙ୍କୁ ନିୟମିତ ଦାମୀ ସାବୁନ ଲଗାଇ ଅଣ୍ଡା ଦୁଧ ଓ କଲିଜା ତରକାରୀ ଖୁଆଇ ନିୟମିତ ଯତ୍ନ ନେଉଥିବେ । ଏଇଥିପାଇଁ ସେ ସହରରେ ଦିନକୁ ଦିନ ମଣିଷ ଛୁଆମାନଙ୍କର ଦାମ କମୁଥିବ ତ କୁକୁର ଛୁଆମାନଙ୍କର ଦାମ ବଢ଼ୁଥିବ ।
ସେ ବର୍ଷ ଶୀତଋତୁରେ ସେ ଯୁଦ୍ଧ ବିଧ୍ୱସ୍ତ ମୁସଲମାନ ଦେଶରୁ ପକ୍ଷୀମାନେ ଆକାଶରେ ଦଳ ଦଳ ହୋଇ ଉଦାର ଭାବରେ ବୋମା ଫିଙ୍ଗୁଥିବା ସେ ଖ୍ରୀଷ୍ଟିଆନ୍ ଦେଶର ବଣ ପାହାଡ଼କୁ ଉଡ଼ିଯାଉଥିବେ । ଏ ସବୁ ମଣିଷକୃତ ବାଧା ଓ ବୈରତାକୁ ସେମାନେ ଆଦୌ ମାନୁନଥିବେ । ଧର୍ମାନ୍ଧ ମାନଙ୍କର ଘୃଣା ଓ ଅଶ୍ରଦ୍ଧାକୁ ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଆଦୌ ଖାତିର କରୁନଥିବେ । ସଦାଚାରୀ ସେ ସବୁ ଚଢ଼େଇମାନଙ୍କ ମନରେ ନା ଘୃଣାଥିବ ନା ଅବିଶ୍ୱାସ ଥିବ ।
ଆମ ଦେଶର ସାଧାରଣତନ୍ତ୍ର ଦିବସ ନିକଟ ହୋଇ ଆସୁଥିବ । ଶୀତର ପ୍ରକୋପ କମି ଯାଉଥିବ । ସୁତପା ଉର୍ଦ୍ଦୁକବି ଇକବଲଙ୍କର ସେ ଦେଶାତ୍ମବୋଧ ଗୀତଟିକୁ ରିହଲସଲ କରିଥିବ । କଣ୍ଠକୁ ତା’ର ଭାରି ମାନୁଥିବ ସେ ଗୀତ କେତେ ପଦ । ସୁତପା ପ୍ରାଣରେ ସେ ଲାଗି ଉଷ୍ମତା ଭରି ଯାଇଥିବ ।
ଦିଲ୍ଲୀ ଯିବା ପାଇଁ ତା ସୁଧାର ବାପା ପାଟଳ ରଙ୍ଗର ଗୋଟେ ସୁନ୍ଦର ପୋଷାକ ତା ଝିଅ ପାଇଁ କରି ନେଇଥିବ । ସୁତପାକୁ ସେ ପୋଷାକଟି ବହୁତ ମାନୁଥିବ । ସୁତପାର ନିଟୋଳ ଯୌବନ ଆହୁରି ମନୋଲୋଭା ହୋଇଥିବ ସେ ପୋଷାକ ପିନ୍ଧିବା ଯୋଗୁଁ । ଅନ୍ଧ ହେବା ଜନିତ ବଞ୍ଚନା ସତ୍ତ୍ୱେ ତାକୁ ସେ ଦିନ ଗୁଡ଼ିକ ବହୁତ ଭଲ ଲାଗୁଥିବ ।
ଆହା ବିଚାରୀ ସୁତପା ଏ ଦେଶର ମହିମ୍ନ ମାନବୀ । ଦର୍ଶନ ପାଠ ତା’କୁ ଆହୁରି ଉଦାର ଓ ବିନୀତା କରିଦେଇଥିବ । ସେ ପର ଆପଣାର ଭେଦ ଜମା ବାରୁ ନଥିବ । ସଙ୍ଗୀତ ପୁଣି ତା’କୁ ଆନନ୍ଦର ମଦିରା ପିଆଉଥିବ । ତା ଆତ୍ମା ଓ ଅନ୍ତରକୁ ଉଲ୍ଲସିତ କରି ରଖିଥିବ । ଦେଖି ପାରୁନଥିଲେ ବି ଆଗାମୀ ଜୀବନ ପାଇଁ ସେ ସ୍ୱପ୍ନ ଦେଖୁଥିବ ପ୍ରଚୁର ।
ସେ ସାର୍ବଭୌମ ଦେଶର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଥିବ । ତା ବାପା ବି ଏଥିପାଇଁ ଅଧିକ କିଛି ଗୌରବ ଅନୁଭବ କରୁଥିବ । ରିଆଜ କରୁଥିବା ସଞ୍ଜବେଳ ତା’କୁ ଏବେ ଏଣିକି ନିବିଡ଼ ଓ ପ୍ରାଣପୂର୍ଣ୍ଣ ଲାଗୁଥିବ ।
ସେଦିନ ସେ ପ୍ରେମୀ ଯୁବକଟିକୁ ସୁତପା ସ୍ୱେଚ୍ଛାକୃତ ଭାବେ ହୁଏତ ଗୀତଗାଇ ଶୁଣାଉଥିବ ଓ ଯୁବକଟି ଯାବତୀୟ ପ୍ରଶଂସାପୂର୍ଣ୍ଣ ବାକ୍ୟ କହି ଭାରି ତାରିଫ କରିଥିବ । ପ୍ରେମିକର ଆତ୍ମପ୍ରଶଂସା ଶୁଣି ସୁତପା ହୁଏତ ସେଦିନ ଆହୁରି ଲଜ୍ୟାଶୀଳା ହୋଇ ଯାଇଥିବ । ଦିଲ୍ଲୀଯିବା ତା’ର ସନ୍ନିକଟ ହୋଇ ଆସିଥିବ ।
ସୁତପାକୁ ହୁଏତ ସେ ଯୁବକଟି କହିଥିବ ଦିଲ୍ଲୀ ମଣିଷମାନଙ୍କର ନୁହେଁ; ଅଧିକାଂଶରେ ନିଷ୍ପ୍ରାଣ ମେସିନ୍ ଓ କଂକ୍ରିଟ ମାନଙ୍କର ନିବାସସ୍ଥଳୀ ଯେପରି । ସେଠି ସଭିଏଁ ଗୋଟେ ଦିଟା, କେହି କେହି ପାଞ୍ଚଟା ସାତଟା କରି କୁକୁର ପୋଷିଥାନ୍ତି । କୁକୁର ମାନଙ୍କୁ ଭଲରେ ରଖିବା ପାଇଁ ନାନା ମତେ ଆୟୋଜନ କରିଥାନ୍ତି । ଦିଲ୍ଲୀ ନଗ୍ରରେ ରହୁଥିବା ମହାମାନବୀମାନେ ଦେଶୀକୁକୁର ଛୁଆଙ୍କୁ ଛାତିରୁ ଆଦୌ ଉହ୍ଲାନ୍ତିନି; ଅଥଚ ଆଶ୍ରା ଲୋଡ଼ୁଥିବା ମଣିଷମାନଙ୍କୁ ସେମାନେ ଫାଟକ ପାରି ହେବାକୁ ଦିଅନ୍ତିନି । ଜନ୍ମିତ ନିଜପୁଅ ଝିଅଙ୍କୁ ନିରନ୍ତର ଧାଈ ପାଖରେ ଛାଡ଼ି ଥାଆନ୍ତି । କୁକୁର ଛୁଆମାନଙ୍କୁ ଛାତିରେ ଯାକି ଖାଲି ଗେହ୍ଲା କରୁଥାନ୍ତି ଯା ।
ଦଳେ ପାରିବାପଣିଆ ଦେଖିଥିବା ମଣିଷ ନିପାରିଲାମାନଙ୍କୁ ଅବଜ୍ଞା କରିବା ପାଇଁ କୁକୁର ରଖିଥାନ୍ତି ।
କୁକୁରମାନେ ସେ ନଗ୍ରରେ କେତେ ସୁରକ୍ଷିତ ସତରେ, ଅଥଚ ମଣିଷମାନେ ସେଠି କେତେ ନିରାଶ୍ରିତ । ଏଦେଶର ବେକାର ଯୁବକଟିଏ ହୁଏତ ପ୍ରଶ୍ନ ପଚାରୁଥିବ ତା’ର ଦାମ କେତେ? ଗୋଟେ ବିଦେଶୀ କୁକୁର ଛୁଆଠାରୁ ବେଶୀ ନା କମ୍? ଏମିତି ହୋଇଛି ଜଣେ ମଣିଷ ଛୁଆର ବ୍ୟବସାୟୀ ଠାରୁ କୁକୁର ଛୁଆର ବ୍ୟବସାୟୀ ଅଧିକ ଲାଭବାନ ହୋଇଛି ।
କିଛିଦିନ ପରେ ସେ ଇପ୍ସିତ ଦିନଟି ଆସିଥିବ । ଯାତ୍ରାର ଶୁଭମନାସି ମଙ୍ଗଳ କଳସ ବସାଇ ଦିଲ୍ଲୀ ଅଭିମୁଖେ ରାତି ଗାଡ଼ି ଧରିବା ପାଇଁ ବାପ ଝିଅ ଦିଜଣ ଘରୁ ବାହାରିଥିବେ । ଆକାଶରେ ସେଦିନ ହୁଏତ ଜହ୍ନ ନଥିବ । ସୁତପା ପିନ୍ଧିଥିବ ସେ ଇଷତ୍ ପାଟଳ ରଙ୍ଗର ପୋଷାକଟି । ସୁତପାର ସୁଗଠିତ ଗୋରା ଦେହକୁ ପୋଷାକଟି ଭାରି ସୁନ୍ଦର ଦିଶୁଥିବ ।
ଏ ବ୍ରହ୍ମାଣ୍ଡରେ ସବୁ ଦୃଶ୍ୟ ନିର୍ବିବାଦରେ ଦେଖିପାରୁଥିବା ଦିଜଣ ପୂର୍ବ ଯୋଜନା ଅନୁଯାୟୀ ପ୍ଲାଟଫର୍ମ ଉପରୁ ବାପକୁ ଟେକିନେବେ ତ ଆଉ ତିନିଜଣ ଝିଅଙ୍କୁ ପ୍ଲାଟଫର୍ମ ସନ୍ନିକଟ ପରିତ୍ୟକ୍ତ କାଠ ଓ କୋଇଲା ଗଦା ପଛ ଅନ୍ଧକାର ଭିତରକୁ ।
କିଛି ସମୟ ପରେ ଦିଲ୍ଲୀ ଅଭିମୁଖୀ ଟ୍ରେନ୍ ହୁଏତ ପ୍ଲାଟଫର୍ମ ଭିତରକୁ ଆସିଥିବ ଓ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପୁଣି ଚାଲି ଯାଇଥିବ । ପ୍ଲାଟ୍ଫର୍ମରେ ସୁତପା ଆଉ ନଥିବ ବାପା ସହିତ ଟ୍ରେନଚଢ଼ି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଯିବା ପାଇଁ ।
କାଠ କୋଇଲା ଗଦା ପଛରେ ହୁଏତ ସେଦିନ ପଡ଼ି ରହିଥିବ କ୍ଷତ ବିକ୍ଷତ ହୋଇ ସୁତପାର ନିସ୍ପନ୍ଦ ଶବଟି କେବଳ ।
ସେ ଅନ୍ଧ ଝିଅର ହତଭାଗ୍ୟ ବାପଟି ହୁଏତ ଗୁଣ୍ଡାମାନଙ୍କ କବଳରୁ ମୁକୁଳି ସେ ଅନ୍ଧାର ରାତିର ବିଳମ୍ବିର ପ୍ରହରରେ ଡାକିଥିବ ସୁତପା ସୁତପା । ତା ବାପର ହାତ ସେମିତି ପ୍ରସାରିତ ହୋଇ ରହିଥିବ; ଅଥଚ ସୁତପା ଆସି ତା ବାପର ପ୍ରସାରିତ ହସ୍ତ ବଳୟ ଭିତରେ କୋଳାଗ୍ରତ ହେଉନଥିବ କି ଦୂରରୁ ସୁତପାର ଅସହାୟ ଚିତ୍କାରର କି କାନ୍ଦଣା କିଛି ଶୁଭୁନଥିବ ।
ପ୍ଲାଟଫର୍ମରେ ଅନ୍ଧ ଝିଅ ବାପର ପ୍ରତିମାଟି ସେଦିନ ଚିତ୍ରଟିଏ ଭଳି ନିସ୍ପନ୍ଦ ହୋଇ ଯାଇଥିବ କେବଳ, ଆଉ ଏ ଦେଶର ବିଭିନ୍ନ ଖବର କାଗଜରେ ସାଧାରଣତନ୍ତ୍ର ଦିବସ ଉସôବ ବର୍ଣ୍ଣିତ ହୋଇଥିବ । ପଛପୃଷ୍ଠାର ଗୋଟେ କୋଣକୁ ‘ଅନ୍ଧୁଣୀ ଝିଅକୁ ଧର୍ଷଣ ଓ ହତ୍ୟା’ ଶୀର୍ଷକ ଏକ ମାମୁଲି ନିତ୍ୟନିୟମିତ ସମ୍ବାଦଟିଏ ହୁଏତ ପରିବେଷିତ ହୋଇଥିବ ।
ଗୋଟିଏ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ରରେ ଏମିତି ସମ୍ବାଦଟିଏ ଖବର କାଗଜମାନଙ୍କରେ ଛାପିବା ବ୍ୟତୀତ ସୁତପା ନାମ୍ନୀ ବାଳିକାକୁ ଧର୍ଷଣ ଓ ହତ୍ୟା ଘଟଣାର ଆଉ ଅଧିକ କ’ଣ ହୋଇପାରିଥାନ୍ତା ।
ସକାଳ ହେବାକ୍ଷଣି ନିତ୍ୟ ନିୟମିତ ଭାବେ ପକ୍ଷୀମାନେ ପୁଣି ଆକାଶରେ ଚଳପ୍ରଚଳ ହୋଇଥିବେ । ଅଥଚ ସୁତପା ନଥିବ ତା ତାନପୁରାରେ କୋମଳ ଗାନ୍ଧାର ରାଗ ତୋଳିବା ପାଇଁ!!