ମୂଳ ତେଲୁଗୁ : ସଲିମ୍
ରବିବାର ସନ୍ଧ୍ୟା…
ଆମ ଘର ପଛପଟର ବଡ଼ ତୋଟା ଭିତରେ ଆରାମ ଚୌକିଟିଏ ପକେଇ ବସିଥାଏ । ଯୁଆଡ଼େ ଆଖି ବୁଲେଇବ ସିଆଡ଼େ ସବୁଜିମାର ପଟୁଆର । ଦେଖିବାକୁ ଭଲ ଲାଗୁଛି । ଥଣ୍ଡା ପବନ ବହୁଛି । ଆକାଶରେ ଉଡ଼ି ବୁଲୁଥିଲା ଭଳି ଅନୁଭୂତି ଜାଗ୍ରତ ହେଉଛି । ପକ୍ଷୀମାନଙ୍କର କଳରବ କାନକୁ ଆମୋଦ ଦେଉଛି । କୌଣସି ଶାସ୍ତ୍ରୀୟ ସଙ୍ଗୀତ ଶୁଣୁଥିବା ଅନୁଭୂତି ସୃଷ୍ଟି ହେଉଛି ମନରେ ।
ଗଛକୁ ମୁଁ ଭଲପାଏ । ମୋ ପିଲାମାନଙ୍କୁ ଯେତିକି ଆଦର ଯତ୍ନରେ ପାଳି ବଡ଼ କରିଛି… ଏ ତୋଟାର ପ୍ରତିଟି ଗଛକୁ ମଧ୍ୟ ସେତିକି ଆଦରରେ ବଢ଼େଇଛି । ନୂଆ ବାହାହେବା ସମୟରେ କିଣା ଯାଇଥିବା ଜମି ଏତିକ । ହଜାରେ ଗଜର ଜମି । ‘ବନସ୍ଥଳୀପୁର’ରେ ସେ ସମୟରେ କେହି ଜମି କିଣୁନଥିଲେ । ସହରଠାରୁ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏ ଅଞ୍ଚଳ ।
ମୋତେ କିନ୍ତୁ ସହରଠାରୁ ଦୂରରେ ରହିବାକୁ ଭଲଲାଗେ । ପଲ୍ଲୀ ଗାଁରେ ରହିବା ତ ଭାଗ୍ୟରେ ନାହିଁ । ଜୀବିକା ଅର୍ଜନ ସକାଶେ ଚାକିରି କରି କଂକ୍ରିଟ୍ ଜଙ୍ଗଲ ଭିତରେ ଆସି ରହିବାକୁ ବାଧ୍ୟ ହୋଇଛି । ଏଠାକାର ଜନଗହଳି, କଳୁଷିତ ବାତାବରଣ, ମଣିଷ ଦିହରେ ମଣିଷ ଘସି ହୋଇ ବୁଲିବା ଜାଗା ଏ ସହର । ଏସବୁ ମୋ ଦେହରେ ଯାଏନି । ମଣିଷର ମନ ମଧ୍ୟ ଏଠି କଳୁଷିତ । ଏଠିକା ମଣିଷମାନଙ୍କ ମନ ଏହି ସହର ପରି ଗହଳଚହଳ ଓ କଳୁଷତାରେ ପୂର୍ଣ୍ଣ । ମଣିଷ ମନ ଭିତରେ ବି ଟ୍ରାଫିକ୍ ଜାମ୍ । ସହର ଜୀବନ ମୋତେ ଆଦୌ ଭଲ ଲାଗେନି ।
ଘରେ ସମସ୍ତଙ୍କ ବିରୋଧ ସତ୍ତ୍ୱେ ବି ମୁଁ ଏ ଜମିଟିକୁ କିଣିଥିଲି । ସହରଠାରୁ ଏଠାରେ ଦାମ୍ ଶସ୍ତା ଥିବାରୁ ଏକାଥରକେ ହଜାରେ ଗଜର ଜାଗା କିଣି ଦେଇଥିଲି । ଅଫିସ୍ରୁ ଲୋନ୍ କରି ଶହେ ଗଜ ଜାଗାରେ ଦୁଇବଖରା ଘର ଓ କିଚେନ୍ ମିଶେଇ ଘରଟିଏ ବନେଇଦେଲି । ମୁଁ ଘର କଲାପରେ ଆଉ କେତେ ଜଣ ମଧ୍ୟ ଜାଗା କିଣି ଏଠାରେ ଘର କିଆରି କରିଛନ୍ତି । ଏବେ ଏ ସ୍ଥାନଟି ଏକ ବଡ଼ କଲୋନିରେ ବଦଳି ଯାଇଛି ।
ଅବଶିଷ୍ଟ ନଅଶହ ଗଜ ଖାଳି ଜାଗାରେ ବିଭିନ୍ନ ଜାତିର ଗଛ ସବୁ ଲଗେଇ ଦେଲି । ଏବେ ସେସବୁ ମୋ ପୁଅମାନଙ୍କ ସାଥିରେ ବଢ଼ି ବଡ଼ ବଡ଼ ଦ୍ରୁମରେ ପରିବର୍ତ୍ତିତ ହେଲାଣି । ସେପଟକୁ ଆମ୍ବ, ପିଜୁଳି, କମଳା, ଏପଟେ ନଡ଼ିଆ, କଦଳୀ । ସେ କୋଣରେ ନିମ୍ବ । ଏଠାରେ ଭୁରୁସୁଙ୍ଗା ଆଉ ଗୋଟେ ପଟକୁ ଖାଲି ଫୁଲଗଛ ଲଗେଇ ଦେଇଛି । ଗୋଲାପ, ମନ୍ଦାର, ଗେଣ୍ଡୁ, ସେବତୀ, ମଲ୍ଲୀ, ହରଗଉରା ଇତ୍ୟାଦି । ଛାମୁଣ୍ଡିଆ କରି ମାଳି ଗଛଗୁଡ଼ିକୁ ଉପରକୁ ଟେକି ଦେଇଛି ।
ଏ ଘରେ ରହିବାଠାରୁ ବାହାରୁ ପନିପରିବା କିଣି ଆଣିବା ଦୁର୍ଗତିରୁ ରକ୍ଷା ମିଳିଛି । ଆମ ବାରିରେ ଟମାଟୋ, ବାଇଗଣ, କଲରା, ଭେଣ୍ଡି, ଶିମ୍ବ, ଜହ୍ନି, ଲାଉ, ପୋଟଳ, ଲଙ୍କାମରିଚ ଆଉ ଖଡ଼ା, ଧନିଆ, ଲେଉଟିଆ, ପୋଦିନା ଇତ୍ୟାଦି ଲାଗିଛି ।
ସକାଳ ବେଳା ପକ୍ଷୀମାନଙ୍କର କଳରବରେ ନିଦ ଭାଙ୍ଗେ । ବଗିଚା ସାରା ଓଳେଇ ସଫା କରି ଗଛ ମୂଳରେ ପାଣି ଦେଇସାରି ସେ ଦିନର ରୋଷେଇ ସକାଶେ ଆବଶ୍ୟକ ହେଉଥିବା ପରିବା ତୋଳି ଶ୍ରୀମତୀଙ୍କୁ ଦେଇ, ସନ୍ଧ୍ୟାବେଳେ ଅଫିସ୍ରୁ ଫେରି ପୁଣିଥରେ ଗଛମୂଳମାନଙ୍କରେ ପାଣି ଦେଇ ଗଛତଳେ ଚୌକି ପକେଇ ବସି ଘଣ୍ଟାଏ ଖଣ୍ଡେ ବିଶ୍ରାମ ନେବା ମୋର ଦୈନନ୍ଦିନ ଅଭ୍ୟାସ । ସତାବନ ବର୍ଷ ବୟସ ହେଲେ ମଧ୍ୟ ମେଡିଟେସନ୍, ଯୋଗ-ପ୍ରାଣାୟାମ କରିବା ମୋର ଦରକାର ପଡୁନି ମର୍ଣ୍ଣିଂୱାକ୍, ଜଗିଂ, କେବେ କରେନି । ଦିନରେ ଦୁଇ ତିନିଘଣ୍ଟା ବଗିଚା କାମ କରିବା, ଘଣ୍ଟାଏ ଖଣ୍ଡେ ତୋଟା ଭିତରେ ବସି ରିଲାକ୍ସ କରିବା… ବାସ୍ ସେତିକି । ସ୍ୱାସ୍ଥ୍ୟଗତ ମସ୍ୟା ଆଜି ପର୍ଯ୍ୟନ୍ତ ମୋ ପାଖ ମାଡ଼ିନି । ସୁରୁଖୁରୁରେ ଜୀବନଯାତ୍ରା ଚାଲିଛି ।
ଆମେରିକାରୁ ବଡ଼ପୁଅ ଟେଲିଫୋନ୍ କିରିଛି ବୋଲି ଶ୍ରୀମତୀ କଡ଼ଲେସ୍ ଟେଲିଫୋନ୍ଟି ମୋ ହାତକୁ ବଢ଼େଇ ଦେଲେ… “ତୁମ ସାଥିରେ ସିଏ କ’ଣ କଥା ହେବ… ନିଅ’ ବୋଲି କହିଲେ ।
ଦୁଇ ମିନିଟ୍ ଖଣ୍ଡେ ତା’ ସହିତ କଥା ହେଲି । ସିଏ ଓ ବୋଷ୍ଟନ୍ରେ ରହୁଥିବା ମୋ ଦ୍ୱିତୀୟ ପୁଅ ସେମାନଙ୍କ ପିଲାଛୁଆଙ୍କ ସାଥିରେ ଉଗାଦି (ତେଲୁଗୁମାନଙ୍କର ନୂଆବର୍ଷ । ଏହି ଦିନଟିକୁ ଖୁବ୍ ଜାକଜମକରେ ସେମାନେ ପାଳନ କରନ୍ତି । ତେଲୁଗୁମାନଙ୍କର ବର୍ଷରେ ମାତ୍ର ଦୁଇଟି ପର୍ବ । ଗୋଟିଏ ଏହି ଉଗାଦି ବା ନୂଆବର୍ଷ ଓ ଆରଟି ମକର ସଂକ୍ରାନ୍ତି । ଓଡ଼ିଆମାନଙ୍କ ପରି ଏମାନେ ବାରମାସରେ ତେରପର୍ବ ପାଳନ କରନ୍ତିନି ।) ପାଳନ କରିବାକୁ ହାଇଦ୍ରାବାଦ ଆସୁଛନ୍ତି ବୋଲି କହିଲା । ଗୋଟେ ସପ୍ତାହ ଖଣ୍ଡେ ସେମାନେ ଏଠାରେ ରହିବେ । ଏଇ ହେଲା ତା’ ବକ୍ତବ୍ୟର ସାରାଂଶ ।
ମୋତେ ଆଶ୍ଚର୍ଯ୍ୟ ଲାଗିଲା ।
ମୋର କୁଳଚନ୍ଦ୍ରମାମାନଙ୍କୁ ଭାରତରେ ରହିବାକୁ ଭଲ ଲାଗେନି । ସେଥିକୁ ମୋ ଘରେ ରହିବାକୁ ସେମାନେ ଆଦୌ ଭଲ ପାଆନ୍ତିନି? “ଏତେ ଛୋଟଘରେ କେମିତି ରହୁଛ ମମ୍ମି?’ ବୋଲି ମୋ ଦ୍ୱିତୟ ପୁଅ ତା’ ମା’କୁ ଦିନେ ପଚାରିଥିଲା । ବଡ଼ ପୁଅର ପୁଅ “ଗ୍ରେଣ୍ଡ ପା’ସ୍ ହାଉସ୍ ଇଜ୍ ନଟ୍ ବିଗର ଦେନ ଆୱାର ବାଥ୍ରୁମ୍ ଡାଡି?’ ବୋଲି କହେ କୁଆଡ଼େ । ସେଇଥିପାଇଁ ସେମାନେ ଏଠାକୁ ବେଶୀ ସମୟ ଆସନ୍ତିନି ।
ବାହା ସା’ ହୋଇ ଆମେରିକାରେ ସ୍ଥାୟୀ ଭାବରେ ବସବାସ କରିବା ପରେ ଥରେ ମାତ୍ର ଏଠିକି ଆସିଥିଲେ । ସେତକ ବି ତାଙ୍କ ମା’ ସିରିଅସ୍ ହୋଇଥିବା ଯୋଗୁଁ । ଷ୍ଟାର୍ ହୋଟେଲ୍ରେ ରୁମ୍ ଭଡ଼ାକୁ ନେଇ… ଭଡ଼ାକରି ଏଠିକୁ ବାହାର କୁଣିଆବନ୍ଧୁମାନେ ଶଙ୍ଖୋଳି ଆସିଲା ପରି ଆସି ଚାଲି ଯାଇଥିଲେ । ତା’ପରେ ଆଉ ସେମାନଙ୍କର ଦେଖା ନଥିଲା । ହେଇଟି ଏବେ ପୁଣିଥରେ ଆସିବେ ବୋଲି କହୁଛନ୍ତି ।
ସେମାନଙ୍କର ଏଠାକୁ ଆସିବା ପଛରେ କି ଅଭିସନ୍ଧି ରହିଛି ସେ ବିଷୟରେ ମୁଁ ଅନେକକଥା ଚିନ୍ତା କରିସାରିଛି । ହେଲେ ତାଙ୍କ ମା’ର ଗୋଡ଼ ତଳେ ଲାଗୁନି । ନାନା ରକମର ପିଠାପଣା ତିଆରି କରିବାରେ ସେ ବ୍ୟସ୍ତ ।
ଗତଥର ପରି ଏବେ ମଧ୍ୟ ମୋ ପୁଅ ଦୁଇଜଣ ଷ୍ଟାର୍ ହୋଟେଲ୍ରେ ସୁଟ୍ ଭଡ଼ାକୁ ନେଇଗଲେ । ଦଶଦିନ ସକାଶେ ଭଡ଼ାକାର୍ ମଧ୍ୟ ବୁକ୍ କରିନେଲେ ।
ଉଗାଦି ଦିନ ସକାଳୁ ଆସି ତାଙ୍କ ମା’ ତିଆରି କରିଥିବା ଉଗାଦି ପାଚିଡି (ତେଲୁଗୁମାନଙ୍କର ଏହା ଏକ ସ୍ୱତନ୍ତ୍ର ପାକ । ଷଢ଼ରସ… ମିଠା, ଖଟା, ରାଗ, ନୁଣି, ପିତା, କଷାର ବିଭିନ୍ନ ପଦାର୍ଥ ଏକସାଥେ ପକାଇ ଏହା ପ୍ରସ୍ତୁତ କରାଯାଏ । ଗୋଲମରିଚ, ନୂଆଗୁଡ଼, ନୂଆ ତେନ୍ତୁଳି, ଆମ୍ବକଷି, ଲୁଣ ଓ ନିମ୍ବଫୁଲ ଏଥିରେ ପ୍ରଧାନ ଉପାଦାନ । ଋତୁ ପରିବର୍ତ୍ତନରେ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ଏଥିରେ ଥାଏ ବୋଲି ବିଶ୍ୱାସ କରାଯାଏ । ପ୍ରତି ପରିବାରରେ ଏହି ଉଗାଦି ପାଚିଡ଼ି ପ୍ରସ୍ତୁତ କରାଯାଏ । ପରିବାରର ସମସ୍ତେ ମିଳିମିଶି ଏହା ସେବନ କରନ୍ତି । ସାହି ପଡ଼ିଶାମାନଙ୍କୁ ମଧ୍ୟ ଏଥିରେ ଆପ୍ୟାୟିତ କରାଯାଏ । ପାଟିକୁ ଭଲ ନ ଲାଗିଲେ ବି ଏଥିରେ ଔଷଧିୟ ଗୁଣ ଥିବାରୁ ପାରମ୍ପରିକ ଭାବେ ନୂଆବର୍ଷରେ ତେଲୁଗୁ ଲୋକମାନେ ଏହା ପାଳି ଆସୁଛନ୍ତି । ଅନିଚ୍ଛା ସତ୍ତ୍ୱେ ଖାଇଲେ । ଅଧ ଘଣ୍ଟାଏ ଖଣ୍ଡେ ଏଣୁତେଣୁ କଥାବାର୍ତ୍ତା କରିସାରିଲା ପରେ ସେମାନେ ଆସିଥିବା ଅସଲ ଉଦେ୍ଦଶ୍ୟ ପ୍ରକାଶ କଲେ ।
“ମାସେ ତଳେ ଶେଖରଠାରୁ ଚିଠି ପାଇଲି । ଶେଖରକୁ ତୁ ଜାଣିଛୁ ମମ୍ମି! ମୋ ସାଥିରେ ଇଂଜିନିଅରିଂ ପଢ଼ୁଥିଲା । ସେ ବିଷୟରେ ତୁମ ସାଥିରେ କଥା ହୋଇଯିବା ବୋଲି କାମଦାମ ଛାଡ଼ି ଏତେଦୂର ଦି’ଜଣ ଆସିଛୁ ।’
ସେ କହିବା କଥା ଏମିତି ଥିଲା ଯେ… ଯେମିତି ସେମାନଙ୍କର କୌଣସି ଆଗ୍ରହ ନାହିଁ ସେଥିପ୍ରତି… ଖାଲି ଆମ ଲାଗି ଆସିଥିବା ଭଳି କହୁଥିଲା ବଡ଼ପୁଅ ମୋର ।
“କ’ଣ ଲେଖିଛି? ସିଏ ଏବେ ‘ଜୁବିଲିହିଲ୍’ରେ ଗୋଟିଏ ବଡ଼ କମ୍ପ୍ଲେକ୍ସ କରିଛି ବୋଲି ଶୁଣୁଥିଲି । ତମେ ମଧ୍ୟ ସେଠାରେ କିଣ ବୋଲି କହୁଥିଲା ନା କ’ଣ?” ମା’ ପଚାରିଲା ।
“ଅବଶ୍ୟ ସେମିତି କଥା… ହେଲେ ସେ ‘ବନସ୍ଥଳୀପୁର’ରେ ରେସିଡେନ୍ସିଆଲ୍ ଫ୍ଲାଟ୍ କରିବାକୁ ଅନେକ ଦିନରୁ ଭାବିଥିଲା । ଉପଯୁକ୍ତ ସ୍ଥାନ ନ ମିଳିବାରୁ ଏତେ ଦିନ ହେଲା ଚୁପ୍ ରହିଥିଲା । ଏବେ ସବୁ ଅନୁକୂଳ ଅବସ୍ଥା ସୃଷ୍ଟି ହେବାରୁ ମୋତେ ପ୍ରସ୍ତାବ ଦେଇଥିଲା ।”
“ହଉ, ଭଲକଥା । ତୁମେ ଦି’ଜଣ ମଧ୍ୟ ଗୋଟେ ଗୋଟେ ଫ୍ଲାଟ୍ କିଣିନିଅ । ଆମ ଘରକୁ ବି ପାଖ ହେବ । ପଡ଼ିଥାଉ । ସେଥିରୁ ଯେଉଁ ଭଡ଼ା ଆସିବ… ବାପା ତମର ଆଦାୟ କରି ତୁମମାନଙ୍କ ପାଖକୁ ପଠେଇ ଦେବେ । ଏନ୍ଆର୍ଆଇମାନେ ହାଇଦ୍ରାବାଦରେ ଘର, ଘରଡିହ ମନଇଚ୍ଛା କିଣି ଦେଉଥିବାରୁ ଏବେ ସେଠାରେ ଆକାଶଛୁଅାଁ ଦାମ୍ ହେଇଗଲାଣି ।”
ତୋଟା ଭିତରେ ଚୌକି ପକେଇ ବସି ମା’ ପୁଅଙ୍କ କଥାବାର୍ତ୍ତା ମୁଁ ମନଦେଇ ଶୁଣୁଥାଏ । ସେ ଜାଗା ତାକୁ ବିକିଦେଲେ ସେଠି ସେ କମ୍ପ୍ଲେ୍କ୍ସ ତିଆରି କରିବ । ମୋ ବନ୍ଧୁ ହେଲେ ମଧ୍ୟ ଶସ୍ତାରେ ଦେବାକୁ ସେ କହୁନି । ମାର୍କେଟ୍ ଦର ଯାହା ଅଛି ସେ ଦରରେ କିଣିନବ । ଏଠି ଏବେ ପାଞ୍ଚହଜାର ଚାଲିଛି ଗଜକୁ । ତେଣୁ ଆମକୁ ପଇଁଚାଳିଶ ଲକ୍ଷ ଟଙ୍କା ମିଳିବ ।’
ସେମାନଙ୍କର ସେ କୁଟିଳ ଯୋଜନା ଶୁଣି ମୋ’ ମୁଣ୍ଡ ବିଗିଡ଼ିଗଲା । ଗଛର ପତ୍ରମାନେ ହଲି ହଲି ‘ଶାନ୍ତ ହୁଅ’ ‘ଶାନ୍ତହୁଅ’ ବୋଲି କହୁଥିବାର ମୁଁ ଅନୁଭବ କଲି । ତେଣୁ ପାରୁପର୍ଯ୍ୟନ୍ତ ରାଗକୁ ସମ୍ବରଣ କରି ‘ସେ ମାଗିଦେଲେ ମୁଁ ଦେବାକୁ ବାଧ୍ୟ ନା କ’ଣ? ଏ ମାଟି… ଏଥିର ପ୍ରତି ଛୋଟ ଚାରାଠୁ ଆରମ୍ଭ କରି ବଡ଼ ବଡ଼ ଗଛ ପର୍ଯ୍ୟନ୍ତ ସବୁ ମୋ ଜୀବନ ସାଥିରେ ବନ୍ଧା । ମୁଁ ମଲାପରେ ଏମାନେ ଯାହା କଲେ କରିବେ… କିନ୍ତୁ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମାର୍କଣ୍ଡେୟ ଶିବଲିଙ୍ଗକୁ ଜାବୁଡ଼ି ଧରିଥିଲା ପରି ମୁଁ ଏ ସ୍ଥାନକୁ ଧରି ରଖିଥିବି’ ବୋଲି ମନରେ ଦୃଢ଼ ଆଶାପୋଷଣ କଲି ।
“ଆଚ୍ଛା ଠିକ୍ ଅଛି… ହେଲେ ସିଏ ଏତେବଡ଼ କମ୍ପ୍ଲେକ୍ସ ଏଠି ଠିଆ କରେଇଲେ ତା’ ଆଗରେ ଆମର ଏ ଶହେ ଗଜର ଘର କେଡେ ଦୟନୀୟ ଦିଶିବ, ସେ କଥା ଭାବୁଛନା…? ବରଗଛ ମୂଳରେ ତୁଳସୀ ଚାରାଟିଏ ପରି ଦିଶିବ ।’ ତାଙ୍କ ମା’ର ମନ୍ତବ୍ୟ ।
ତେବେ ସିଏ ମଧ୍ୟ ଏଥିରେ ପକ୍ଷ ସମର୍ଥନ କଲାଭଳି ମନେହେଉଛି । କାହିଁକି ନହବ…? ପଇଁଚାଳିଶ ଲକ୍ଷ ଟଙ୍କା କ’ଣ ସାନ କଥା ! ବ୍ୟାଙ୍କରେ ରଖିଦେଲେ ଟଙ୍କା ଗଛ ଲଗେଇଲା ପରି ବଢ଼ି ଚାଲିଥିବ । ଆରାମରେ ବସି କଲରଟିଭି, ଫି୍ରଜ୍, ସୋଫା, ଏସି ଇତ୍ୟାଦିର ମଜା ନିଆଯାଇ ପାରିବ ।
“ସେ କଥା କ’ଣ ମୁଁ ଜାଣିନି ମମ୍ମି! ସେଥିଯୋଗୁଁ ଶେଖର ସାଥିରେ ଗୋଟିଏ ଚୁକ୍ତି କରିଛି । ଏ ଘର ମଧ୍ୟ ତାକୁ ଦେଇଦେଲେ ପଚାଶ ଲକ୍ଷ ଟଙ୍କା ଆମକୁ ଦେଇ ‘ହିମାୟତ ନଗର’ରେ ଦୁଇ ବେଡ୍ରୁମ୍ବାଲା ଫ୍ଲାଟ୍ଟିଏ ମଧ୍ୟ ଆମକୁ ଦେବ ବୋଲି କଥା ଛିଡ଼ିଛି ।” ଦ୍ୱିତୀୟ ପୁଅ କହୁଛି ।
“ଅନ୍ୟ କିଏ ହୋଇଥିଲେ ଭାବି ହୋଇନଥାନ୍ତା । ମୋ କ୍ଲାସ୍ମେଟ୍ ଯୋଗୁଁ ତାକୁ ମନେଇ ପାରିଲି । ନିଜେ ଚିନ୍ତା କରି.. ପଚାଶ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖିଲେ ମାସକ ପଇଁଚାଳିଶ ହଜାର ଟଙ୍କା ସୁଧ ମିଳିବ । ସହରଠାରୁ ବାର କିଲୋମିଟର ଦୂରରେ ଏତେ ଛୋଟ ଘରେ ପଡ଼ିରହିବା ଦୁର୍ଭାଗ୍ୟ ତୁଟିବ ।” ତା’ ମା’ର କଳ୍ପନାରେ ବଡ଼ ପୁଅ ମୋର ରଙ୍ଗ ବୋଳିଦେଲା ।
“ଏଇଟା ଗୋଲ୍ଡେନ୍ ଚାନ୍ସ ମମ୍ମି! ମାସରେ ଚାଳିଶ ହଜାର ଟଙ୍କା ପାଇବା ମାନେ କିଛି ସାଧାରଣ କଥା ନୁହେଁ । ତୁମେ ଆଉ ଦଶଜଣକୁ ଚାକିରି ଦେଇପାରିବ । ହାର୍ଟ ଅଫ୍ ଦ ସିଟିରେ ବିରାଟ ଫ୍ଲାଟ୍ରେ ରହିପାରିବ ।” ଦ୍ୱିତୀୟ ପୁୁଅ ତାକୁ ଆଉ ଟିକିଏ ବଳେଇଦେଲା ।
ଆମେ ଏବେ ଅନ୍ୟ କାହା ହାତଟେକା ଦାନରେ ବଞ୍ଚୁଛୁ ବୋଲି ବୋଧହୁଏ ଭାବୁଛନ୍ତି ଏମାନେ । ଏମାନେ ଚାକିରି କରି ଏତେଦିନ ହେଲାଣି ଆମେରିକାରେ, ହେଲେ ଡଲାରଟା କି ଜିନିଷ ଆମେ ଆଜି ପର୍ଯ୍ୟନ୍ତ ଦେଖିଛେ ।
“ଏସବୁ ତମ ବାପାଙ୍କୁ କହ । ସିଏ ପ୍ରଥମେ ରାଜି ହେଲେ ତ!” ମୋ ସ୍ତ୍ରୀଙ୍କ ମନ୍ତବ୍ୟ ।
“ଘର ବୋଇଲେ ସେଇଟା ସ୍ତ୍ରୀ ଲୋକଙ୍କର ‘କିଙ୍ଗଡମ୍’ ମମ୍ମି! ସେଇଥିପାଇଁ ପ୍ରଥମେ ତୋତେ କହିଲୁ ତୁ ମଙ୍ଗିଲା ପରେ ଯାଇ ବାପାଙ୍କୁ କହିବୁ ।”
ଦ୍ୱିତୀୟ ପୁଅ ତା’ ମା’କୁ ଟିକିଏ ଟେକିଦେଲା ।
“ପ୍ରଥମେ ବାପାଙ୍କର ମତାମତ ନିଅ… ଯାଅ ।”
ସେ ଦୁଇଜଣ ମୋ ସାମ୍ନାରେ ଆସି ଠିଆହେଲେ ।
ଦି’ ପୁଅ ମୋଠୁ ବି ଉଚ୍ଚ ହେଲେଣି । ହେଲେ ଗୋଟେ କଥା.. ସେମାନଙ୍କ ଭିତରୁ ଟଙ୍କା ମୋହର ବାସ୍ନା ବାହାରୁଛି ।
“ଡାଡି, ଶୁଣିଲଣି ତ! ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ । କେବଳ ଫୁଲ୍ ମାନେ ଏମିତି ସୁଯୋଗକୁ ହାତଛଡ଼ା କରିବେ ।”
“ହଁ… ମୁଁ ମଧ୍ୟ ଜଣେ ଫୁଲ୍ । ମିଳୁଥିବା ସୁଯୋଗକୁ ଲାତେଇ ଦେଉଥିବା ବୋକା ମୁଁ । ତୁମ ବାହାଘର ସମୟରେ ତୁମମାନଙ୍କୁ ବିକି ଦେଇଥିବା ହତଭାଗା ମୁଁ । ତୁମମାନଙ୍କ ଅର୍ଜନରୁ ପଇସାଟିଏ ବି ଦାବି ନ କରିବା ଅବିବେକୀ ମୁଁ । ଆଡମ୍ବର ପ୍ରତି ମୋର ମୋହନାହିଁ । ମୁଁ ଏବେ ବଞ୍ଚୁଥିବା ଏହି ସାଦାସିଧା ଜୀବନ ମୋ ପାଇଁ ଯଥେଷ୍ଟ ଆନନ୍ଦଦାୟକ ମନେ ହେଉଛି ।”
“ପଚାଶ ଳକ୍ଷ ଟଙ୍କା ବ୍ୟାଙ୍କରେ ରଖିଲା ପରେ ବି ତୁମେ ସିମ୍ପଲ୍ ଭାବେ ବଞ୍ଚିପାରିବ । ଆମେ କ’ଣ ମନା କରୁଛୁ? ଏ ଘର ଆଉ ବଳକା ଜମି ସବୁ କିନ୍ତୁ ବିକିଦେବା ।”
“ବିକିଦେବା’ ବୋଲି ତୁମେ ନିଜକୁ ମଧ୍ୟ ଏଥିରେ ଯୋଡ଼ି ଦେଉଛ । ଏଇଟା ମୋ ନିଜର କଷ୍ଟାର୍ଜିତ ସମ୍ପତ୍ତି । ବିକିଲେ ମୁଁ ବିକିବି… ଏ ସମ୍ପତ୍ତି ମୋ ନିଜର । ଏବେ କହୁଛି ଶୁଣ… ଏଥିରୁ ଗଜଟିଏ ଜାଗା ମଧ୍ୟ ମୁଁ ବିକିବା ସପକ୍ଷରେ ନାହିଁ ।”
“କାହିଁକି ବିକିବନି?” ବଡ଼ପୁଅର ପ୍ରଶ୍ନରେ ଥିବା କଠୋରତା ମୁଁ ବୁଝିପାରିଲି ।
“ତା’ର କାରଣ ହେଉଛି ଯେହେତୁ ମୋ ପିଲାମାନଙ୍କୁ ମୁଁ ଏପର୍ଯ୍ୟନ୍ତ ବିକିନି ।”
“ତା’ ସହିତ ୟା’ର ସମ୍ପର୍କ କ’ଣ?”
“ଆଦରରେ ବଢ଼େଇଥିବା ଯେକୌଣସି ଜିନିଷକୁ ବିକିବା ଅମାନୁଷିକତା ଅଟେ । ମୁଁ ତୁମମାନଙ୍କୁ ଯେତିକି ସ୍ନେହ ଆଦରରେ ବଢ଼େଇଛି, ଏଠିକା ସବୁ ଗଛଲତାକୁ ମଧ୍ୟ ସେତିକି ସ୍ନେହ ଆଉ ଆଦରରେ ପାଳିଛି । ଏ ମାଟି ପ୍ରତି ଥିବା ମୋର ମମତା ତୁମେ ବୁଝିପାରିବନି ।”
“ଦେଖ୍ ମମ୍ମି! ଏ ଓଲଡ୍ମ୍ୟାନ୍ କେମିତି କହୁଛନ୍ତି ।” ବଡ଼ପୁଅ ତା’ ମା’କୁ ଗୁହାରି କଲା ।
“ଶୁଣ ୟଙ୍ଗମ୍ୟାନ୍! ମୁଁ ଏପର୍ଯ୍ୟନ୍ତ ବୁଢ଼ା ହେଇନି । ବୟସକୁ ନେଇ ରିଟାୟରମେଣ୍ଟ ନେବା ଲାଗି ଆହୁରି ବର୍ଷେ ମୋର ବାକି ଅଛି । ତଥାପି ଆଇ ଏମ୍ ୟଙ୍ଗ ଏଟ୍ ହାର୍ଟ । ତୁମମାନଙ୍କର ମନକୁ ବାର୍ଦ୍ଧକ୍ୟ ଗ୍ରାସି ଦେଲାଣି । ନାହିଁ ନଥିବା କାମନାରେ, ଅଶାନ୍ତିରେ, ଲୋଭରେ ତୁମେମାନେ ବୁଡ଼ିଯାଇଛ ।”
“ଆମେ ଏଠିକୁ କବିତା ଶୁଣିବାକୁ ଆସିନୁ । ଏ ଜାଗା ବିଷୟରେ କିଛି ଗୋଟେ ନିଷ୍ପତ୍ତି କରିବାକୁ ଆସିଛୁ ।”
“ନିଷ୍ପତ୍ତି ତୁମେମାନେ ଶୁଣିବାର ବି ଆବଶ୍ୟକତା ନାହିଁ । ଏ ଜାଗା ମୁଁ କିଣିଛି… ମୋର, ଏଥିରେ ଅନ୍ୟ କାହାରି କାଣିଚାଏ ହେଲେ ଅଧିକାର ନାହିଁ । ତେଣୁ ଏ ଆଲୋଚନା ଆଗକୁ ବଢ଼େଇବା ଦରକାର ନାହିଁ । ଏତିକିରେ ବନ୍ଦ କରିଦେବା ଉଚିତ୍ ।” ଧୀରସ୍ଥିର ଓ ଶାଣିତ ଭାବରେ ମୁଁ କହିଲି ।
ସେତେବେଳ ପର୍ଯ୍ୟନ୍ତ ଚୁପ୍ଚାପ୍ ବସି ସବୁ ଶୁଣୁଥିବା ମୋ ବୋହୂ ଦୁଇଜଣ ଏଥିରେ ପ୍ରତିକ୍ରିୟା ପ୍ରକାଶ କଲେ । “ଇଏ କି ନ୍ୟାୟ ଶାଶୂମା’! ତୁମ ପିଲାମାନଙ୍କୁ ତୁମେ କିଛି ଜମିବାଡ଼ି ନଦେଲେ ହେଲେ ଅନ୍ତତଃ ତୁମ ନାତି-ନାତୁଣୀଙ୍କୁ ତ କିଛି ହେଲେ ଦେବା କଥା ନା…?”
“ଆମ ପିଲା ଦି’ଜଣଙ୍କୁ ଇଂଜିନିୟରିଂ ପାଠ ପଢ଼େଇଲୁ । ସେତିକ ହେଉଛି ସେମାନଙ୍କୁ ଦେବା ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ଆମେରିକାରେ ସେମାନେ ଚାକିରି ପାଇଛନ୍ତି ସେଥିପାଇଁ । ଆଉ ନାତି-ନାତୁଣୀଙ୍କ କଥା କହିଲେ… ସେମାନଙ୍କ ଲାଗି ଆମ ଅନ୍ତରରେ ଅପାର ସ୍ନେହ ଓ ଆନ୍ତରିକତା ଭରି ରହିଛି । ତା’ର ମୂଲ୍ୟ ଆମେରିକାରେ ବସବାସ କରୁଥିବା ଲୋକମାନେ ବୁଝିପାରିବେନି ବୋଲି ସେମାନଙ୍କୁ ବୁଝେଇଦିଅ ବୋଲି ମୋ ସ୍ତ୍ରୀଙ୍କୁ ଉଦେ୍ଦଶ୍ୟ କରି କହିଲି ।
“ମୋ ପାଖରେ କିଛି ନିଅାଁ ପାଉଁଶ ନାହିଁ ବୋଲି କହୁଛନ୍ତି ତୁମ ବାପା । ଥିବା ସମ୍ପତ୍ତି ବିଷୟରେ ତ କୁହାଯାଉଛି । ସେ କ’ଣ ବୁଝିପାରୁନାହାନ୍ତି କି? ଏ ଜାଗାଟିକ ତାଙ୍କ ନାଁରେ ଅଛି ବୋଲି ଏତେ ବଡ଼ ବଡ଼ କଥା କହୁଛନ୍ତି ।” ବଡ଼ବୋହୂର ପ୍ରତିକ୍ରିୟା ।
“ପାଠ ପଢ଼େଇବାଟା କେତେବଡ଼ ତ୍ୟାଗ ବୋଲି କହୁଛନ୍ତି ଦେଖ । ତୋ ଦେଢ଼ଶୁର ଭଲ ପାଠପଢ଼ି ସିଟ୍ଟିଏ୍ ପାଇଲେ । ନିଜ ଚେଷ୍ଟାରେ ଆମେରିକାରେ ଚାକିରି ପାଇଲେ । ଇଏ କ’ଣ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଚାକିରି କରେଇଦେଲେ?” ବଡ଼ ବୋହୂ ପୁଣି କହିଲା ।
“ତୁମ ଦିଅର କଥା ବି ସେଇଆ ଅପା! ତାଙ୍କର କ’ଣ କରିଛନ୍ତି ଶ୍ୱଶୁର ଆମର? କହିଲା ଦ୍ୱିତୀୟ ବୋହୂ ।
“ମୁଁ କରୁଥିବା ଗୁମାସ୍ତାଗିରି ଚାକିରି ଲାଗି ପୁଅ ଦି’ଜଣକୁ ଏତେ ପାଠ ପଢ଼େଇବା ହେଉଛି ସବୁଠାରୁ ବଡ଼କଥା । ସେତିକ କରିଥିବା ଯୋଗୁଁ ତୁମେମାନେ ସନ୍ତୋଷ ହବା କଥା, ୟା’ଠୁ ଅଧିକ ମୁଁ ଆଉ କିଛି କରିପାରି ନଥାନ୍ତି ।”
ମୋ ପୁଅ ଦି’ଜଣ ଫୁଁ କିନି ଉଠିଲେ ।
“ଏବେ ଆମେ ମାଗୁଥିବା ଜିନିଷ ତୁମ ଶକ୍ତି ବହିର୍ଭୂତ କିଛି ନୁହେଁ । ଆଉ ତୁମେ କରିପାରିବନି ବୋଲି କିଛି ନାହିଁ । ଡକୁମେଣ୍ଟ ସବୁ ଆମେ ପ୍ରସ୍ତୁତ କରିଆଣିବୁ । ତୁମେ ଖାଲି ଦସ୍ତଖତ ଦେଲେ ହେଲା । ନିଜ ଆମେରିକା ଚାଲାକି ପ୍ରୟୋଗ କଲା ସାନପୁଅ ।
“ଶେଖର ତୁମକୁ ଦେବା ଫ୍ଲାଟ୍ରେ ଫର୍ଣ୍ଣିଚର ସବୁ ଆମେ ଯୋଗେଇଦବୁ । ମମ୍ମି ଆଉ ତୁମେ ଏଠାରେ କାର୍ରେ ବସି ସେଠି ଓହ୍ଲେଇବ । ଆଉ ଏଡେ ସୁନ୍ଦର ଫ୍ଲାଟ୍ରେ ଆନନ୍ଦରେ ରହିବ ।” ବଡ଼ପୁଅ କହିଲା ।
“ଦେଖ, ତୁମେ ଯେତେଜଣ ଯେତେକଥା କହିଲେ ମଧ୍ୟ ମୁଁ ଏ ଜାଗା ବିକିବିନି । ପଚାଶ ଲକ୍ଷ ଛାଡ଼ି ପଚାଶ କୋଟି ଟଙ୍କା ଦେଲେ ମଧ୍ୟ ମୋ ନିଷ୍ପତ୍ତି ବଦଳିବନି ।” ସେଠାରୁ ଉଠି ଘର ଭିତରକୁ ଚାଲି ଯାଉଯାଉ ମୋ ଶେଷ କଥା ଶୁଣେଇ ଦେଲି ।
ଏତେ ବଡ଼ ପର୍ବ ଦିନଟାରେ କେହି ଅଇଁଠା ହେଲେନି । ଯେତେସବୁ ପିଠାପଣା ହୋଇଥିଲା ସବୁ ସେଇମିତି ପଡ଼ି ରହିଲା । ପିଲାମାନେ ଭୋକ ହେଉଛି ବୋଲି ଖାଇବାକୁ ମାଗିବାରୁ ଦି’ ବୋହୂ ସେମାନଙ୍କୁ ମାଡ଼ ଦେଇଥିଲେ । ସେମାନେ କାନ୍ଦ ବୋବାଳି ଛାଡୁଥିଲେ ।
ବିଷାଦର ବାତାବରଣ ଛାଇ ଯାଇଥିଲା ଘରସାରା । ମୋତେ କେହି କଥା କହୁନଥିଲେ । ସମସ୍ତେ ନିରବ ସଂଗ୍ରାମ କରୁଥିଲେ ମୋ ସହିତ । ଏପରିକି ମୋ ସ୍ତ୍ରୀ ମଧ୍ୟ ।
କେବେ ନ ଆସିବା ପୁଅ ଦି’ଜଣ ସେମାନଙ୍କ ପରିବାର ଧରି ଆସି ମୋ ଘରେ ଟିକିଏ ଖୁସି ଆନନ୍ଦରେ ଦି’ ଚାରିଦିନ ରହିବେ ବୋଲି ଆଶା କରିଥିଲି, ହେଲେ ସେମାନଙ୍କର ମୌନ ପ୍ରତିକ୍ରିୟା ମୁଁ ବୁଝି ପାରୁଛି । ଯେମିତି କହୁଛନ୍ତି…’ ତୁମେ ବାପା ନୁହଁ… ଶତ୍ରୁ । ତୁମ ହୃଦୟ ପଥରରେ ଗଢ଼ା ।” ବୋଲି
ମୋ ପୁଅ ଦୁଇଜଣ ବଡ଼ ହୋଇ ଉପାର୍ଜନକ୍ଷମ ହେଲେ । କିନ୍ତୁ କଥା କହିପାରୁନଥିବା ମୋ ଲାଳନପାଳନରେ ବଢ଼ିଥିବା ମୋ ଗଛଲତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେବି ମୋ ଉପରେ ନ୍ୟସ୍ତ ରହିଛି । ପୁଅମାନେ ଉପାର୍ଜନ କରୁଥିଲେ ମଧ୍ୟ ସେମାନଙ୍କଠାରୁ ଡଲାରର ଶହେ ଭାଗରୁ ଭାଗେ ବି ଆଶା କରିନି ମୁଁ । କିନ୍ତୁ ଏ ନିରୀହ ଗଛମାନେ ମୁଁ ନ ମାଗିଲେ ମଧ୍ୟ ମୋତେ ଛାଇ ଦେଉଛନ୍ତି । ଆବଶ୍ୟକ ମୁତାବକ ପନିପରିବା ଯୋଗାଇ ଦେଉଛନ୍ତି । ଶୁଦ୍ଧ ପବନ ଦେଉଛନ୍ତି । ସବୁଠାରୁ ବଡ଼ ହେଲା ଅପାର ଶାନ୍ତି ଦେଉଛନ୍ତି । ହେଲେ ମୋ ପୁଅମାନେ…
ଦିନସାରା ଘରର ଆବହାଉଆ ଗରମ ହୋଇ ରହିଛି ।
ତାଙ୍କ ମା’ କାନରେ କି ମନ୍ତ୍ର ଫୁଙ୍କିଲେ କେଜାଣି… ରାତିରେ ମୋ ସାଥିରେ ଝଗଡ଼ା କଲା । ପୁଅମାନଙ୍କ କଥା ନ ଶୁଣିଲେ ଦଉଡ଼ି ଦେଇଦବ ବୋଲି ଧମକ ଦେଲା । ଶେଖର ଦେବା ଫ୍ଲାଟ୍ ବ୍ୟତୀତ ଏ ଛୋଟ ଘରେ ଜମାରୁ ରହିବନି ବୋଲି ଜିଦ୍ ଧରିଲା । ମୋତେ ଏକା ଛାଡ଼ି ପୁଅମାନଙ୍କ ସାଥିରେ ଆମେରିକା ଚାଲିଯିବ ବୋଲି ମଧ୍ୟ ଧମକ ଦେଲା ।
ପାଗଳୀଟା… ଆମେରିକା ଗଲେ ଖାଇବାକୁ ମଧ୍ୟ ଠିକ୍ ସମୟରେ ଗଣ୍ଡେ ମିଳିବନି ବୋଲି ବୁଝିପାରୁନି । ତିରିଶ ବର୍ଷର ଘର ସଂସାର କରି ମଧ୍ୟ ମୋତେ ବୁଝିପାରିଲାନି ଆଜି ପର୍ଯ୍ୟନ୍ତ । ସିଏ କେଡେ ବୋକୀ ମୁଁ ଜାଣେ । ପୁଅ-ବୋହୂ, ନାତି-ନାତୁଣୀଙ୍କ ପ୍ରତି ତା’ର ସ୍ନେହ ମୋଠାରୁ ମଧ୍ୟ ଦୂରେଇ ଦେଉଛି । ହସ ମାଡ଼ିଲା ମୋତେ ।
ଉଗାଦି ଯିବା ଦ୍ୱିତୀୟ ଦିନ ସେମାନେ ଟାଇପ୍ କରି ଆଣିଥିବା କାଗଜରେ ଦସ୍ତଖତ ଦେଲି । ମୋ ନିରବ ଅଶ୍ରୁପାତ କେହି ବୁଝିପାରୁନଥିଲେ ।
ଆମକୁ ଦେଇଥିବା ଫ୍ଲାଟ୍କୁ ମିଶେଇ ହିସାବ କରି ପଚାଶ ଲକ୍ଷ ଟଙ୍କାକୁ ତିନିଭାଗ କରି ଦି’ପୁଅ କୋଡ଼ିଏ କୋଡିଏ ଲକ୍ଷ ନେଲେ ଓ ଆମକୁ ଦଶଲକ୍ଷ ଟଙ୍କା ଦେଲେ । ସେଥିରୁ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରି ଫ୍ଲାଟ୍ ପାଇଁ ଆବଶ୍ୟକ ଜିନିଷ ସବୁ କିଣି ଅବଶିଷ୍ଟ ଆଠଲକ୍ଷ ବ୍ୟାଙ୍କରେ ରଖି ଦୁଇପୁଅ ମୋର ଆମେରିକା ଚାଲିଗଲେ ।
ହଜାରେ ବର୍ଗଫୁଟର ସେ ଫ୍ଲାଟ୍ ମୋତେ ଗୋଟିଏ ଜେଲ୍ଖାନା ଭଳି ମନେହେଲା । ଦାମିକା ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ସବୁ ଦେଖି ମୋ ସ୍ତ୍ରୀର ଛାତି କୁଣ୍ଢେମୋଟ ।
ସନ୍ଧ୍ୟା ସମୟ ଆସିଲେ ମୋତେ ପାଗଳ ଭଳି ଲାଗେ । ଯୁଆଡେ ଚାହିଁବ ଖାଲି ଆକାଶଚୁମ୍ବୀ ଅଟ୍ଟାଳିକା । ସବୁଜିମା ଏଠି ସାତ ସପନ । ବସ୍ରେ ବସି ‘ବନସ୍ଥଳୀପୁର’ ଯାଏ । ମୋ’ ଘର ପାଚେରି ଏପଟେ ଠିଆ ହୋଇ କେତେ ଆଦରରେ ତିଆରି ଥିବା ମୋ ଘରକୁ… ତା’ ପଛକୁ ନିରବରେ କାନ୍ଦି କାନ୍ଦି ଠିଆ ହୋଇଥିବା ଗଛମାନଙ୍କୁ ଦେଖି ବିଳପୁଥିବା ମୋ ହୃଦୟକୁ ଶାନ୍ତ୍ୱନା ଦେଇ କଂକ୍ରିଟ୍ ଜେଲଖାନା ଭିତରକୁ ଫେରିଆସି ବନ୍ଦୀ ହୁଏ । ଏହି ହେଲା ମୋର ପ୍ରତିଦିନର କାମ ।
ସବୁଦିନ ପରି ସେଦିନ ମଧ୍ୟ ‘ବନସ୍ଥଳୀପୁର’ ଗଲି । ବାହାରେ ଦୁଇଟି ଟ୍ରକ୍ ଠିଆ ହୋଇଥିଲା । ସେଥିରେ ଅତି ଆଦରରେ ବଢ଼େଇଥିବା ମୋ ଗଛମାନଙ୍କର କଟା ଶରୀର ସବୁ ଲଦା ହୋଇଛି । ହାତ ଗୋଡ଼ କାଟି ଅଲଗା କରିଦେଲା ପରି ଶାଖା ପ୍ରଶାଖା ସବୁକୁ କେଳେଇ ଦେଇ ଗଣ୍ଡିଗୁଡିକୁ ଟ୍ରକ୍ରେ ବୋଝେଇ ଧୂଳି ଉଡେଇ ମୋ ଆଖିଆଗରେ ଚାଲିଗଲେ ଦୁଇଟି ଯାକ ଟ୍ରକ୍ ।
ମୋ ହୃଦୟ ତରଳି ଗଲା । ଛାତି ଭିତରେ ଅଜଣା ଯନ୍ତ୍ରଣା ଅନୁଭବ କଲି ।
ସପ୍ତାହେ ଯାଏଁ ଅନ୍ନପାଣି ପିତା ଲାଗିଲା । ଅଜଣା ଏକାକୀ ପଣ । ଆତ୍ମୀୟ କେହି ଚାଲିଯିବା ଭଳି ଦୁଃଖ ।
ମୋର କେହି ଜଣେ ଅତି ନିଜର ଲୋକକୁ ବିକି ଦେଇଥିବା ଭଳି ଅନୁଭୂତି । ଗଲ୍ଟି ଫିଲିଂ । ମୋତେ ଗୋଟାପଣ ଦହଲି ଯାଉଛି ।
ଡରିଡରି ମୋର ପୁରୁଣା ଘର ଆଡକୁ ଗଲି ।
ସେଠାରେ ମୋ ଘର ନଥିଲା । ଖୋଲାମେଲା ଭୂଇଁ ପଡ଼ିଥିଲା ।
ଛାତିର ଯନ୍ତ୍ରଣା ବଢ଼ିଗଲା ।
କୌଣସି ପ୍ରକାରେ ଘରେ ପହଞ୍ଚିଲି । ମୁହଁ ବୁଲେଇ ଯିବାରୁ ତଳେ ପଡ଼ିଗଲି । ପାଖ ଫ୍ଲାଟର ଲୋକଙ୍କ ସହାୟତାରେ ଅଟୋରେ ନେଇ ହସ୍ପିଟାଲରେ ଜଇନ୍ କରିଥିଲା ସ୍ତ୍ରୀ ମୋର ।
ହାର୍ଟ ଆଟାକ୍ ହେଲା ବୋଲି ଶୁଣିଲି । ଦ୍ୱିତୀୟ କିମ୍ବା ତୃତୀୟ ବେଳକୁ ଶେଷ ବୋଲି ମୁଁ ଜାଣେ । ତେଣୁ ଓପନ୍ ହାର୍ଟ ସର୍ଜରି କରିବାକୁ ଡାକ୍ତର ପରାମର୍ଶ ଦେଲେ । ପୁଅମାନଙ୍କୁ ଫୋନ୍ କରି ତାଙ୍କ ମା’ କହିଲା । କାମ ଭିଡ଼ ଯୋଗୁଁ ସେମାନେ ଆସିପାରିବେନି ବୋଲି କହିଲେ ।
ସେମାନେ ଆସିବେନି ବୋଲି ମୁଁ ଜାଣେ । ମୋ ପାଖରେ ଆଉ ହଜାରେ ଗଜର ଜମି ଥିଲେ ସିନା ସେମାନେ ଆସିଥାନ୍ତେ !
ବ୍ୟାଙ୍କରେ ଡିପୋଜିଟ୍ କରିଥିବା ଟଙ୍କାରୁ ତିନିଲକ୍ଷ ଟଙ୍କା ଉଠେଇ ମୋ ଫଟା ଛାତିକୁ ରିପାୟର କରାଗଲା ।
ଅପରେସନ୍ ହେବା ପରଠାରୁ ଦୁର୍ବଳ ଲାଗୁଛି । ନିରୁତ୍ସାହ ଲାଗୁଛି ।
ଅକ୍ସିଜେନ୍ କ୍ଲିନିକ୍କୁ ଯିବାକୁ ଡାକ୍ତର କହିଲେ । କିଛିଦିନ ତଳେ ମୋ କଲିଗ୍ ରାମନାଥ ଦେଖା ହୋଇ କହିଥିଲା- ଅକ୍ସିଜନ ପାଇଁ ଘଣ୍ଟାକୁ ତିନିଶହ ଟଙ୍କା । ଆମ ସହର ଭୟଙ୍କର ଭାବେ ପଲୁ୍ୟଟେଡ୍ ହୋଇଗଲାଣି । କ’ଣ କରାଯିବ… ଥରେ ଯାଅ । ମୁଁ ମଧ୍ୟ ଅକ୍ସିଜେନ୍ କ୍ଲିନିକ୍ ଯାଇଥିଲି । ଭଲ ଲାଗିଥିଲା ।
ଆଉ ସପ୍ତାହକ ପରେ ସିକନ୍ଦରାବାଦରେ ଥିବା ‘ଆରେଞ୍ଜ ଅକ୍ସିଜେନ୍ କ୍ଲିନିକ୍’କୁ ଗଲି । ଅକ୍ସିଜେନ ମାକ୍ସ ମୁହଁରେ ଲଗାଗଲା । ଭୁସ୍ ଭୁସ୍ ହୋଇ ଅକ୍ସିଜେନ ମୋ ନାକ ଦେଇ ଛାତି ଭିତରେ ଭର୍ତ୍ତି ହେଉଛି । ଆଖିବୁଜି ଆବକ୍ଷ ପ୍ରଶ୍ୱାସ ନେଲି । ନିର୍ମଳ ଅକ୍ସିଜେନ ମୋ ଶରୀର ଭିତରେ ସଞ୍ଚରି ଯାଉଛି । ସନ୍ଧ୍ୟା ସମୟରେ ମୋ ତୋଟା ଭିତରେ ଆରାମ ଚୌକିରେ ବସି ମୁଁ ଯେଉଁ ମାଗଣା ସ୍ୱଚ୍ଛ ଅକ୍ସିଜେନ ଶ୍ୱସନ କରୁଥିଲି ସେ କଥା ମୋର ମନେପଡ଼ିଲା ।
ଅକ୍ସିଜେନ କିଣି ବ୍ୟବହାର କରୁଥିବା ଦୁର୍ଭାଗ୍ୟ ଯୁଟିବା ଯୋଗୁଁ ମନ ବିଳପୁଥିଲା ।
ମୋର ଏ ଅବସ୍ଥା ଦେଖି ମୋ ଦ୍ୱାରା ପାଳିତ ବୃକ୍ଷରାଜିର ଆତ୍ମାମାନେ ମଧ୍ୟ ମୌନରୋଦନ କରୁଥିବା ମୁଁ ଜାଣିପାରୁଥିଲି ।